ଜୟ ଜଗନ୍ନାଥ।
ଓଡ଼ିଶାର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଜୀ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର ସରକାରରେ ମୋର ସହକର୍ମୀ ଶ୍ରୀମତୀ ନିର୍ମଳା ସୀତାରମଣ ଜୀ ଏବଂ ଶ୍ରୀ ଜୁଏଲ ଓରାମ ଜୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ସଞ୍ଜୟ ମଲହୋତ୍ରା ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଜୀ ଏବଂ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ର ସହ ଜଡ଼ିତ ବିଶିଷ୍ଟ ଅତିଥିବୃନ୍ଦ ଏବଂ ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ।
ପରିବେଶ ଏତେ ଗମ୍ଭୀର କାହିଁକି? ବ୍ୟାଙ୍କିଂ କ୍ଷେତ୍ରରେ କ’ଣ ଏତେ ଚାପ ରହିଛି? ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ କ’ଣ ଏତେ ଚାପ ରହିଛି? ଦୟାକରି ଆରାମରେ ବସନ୍ତୁ।
ମହାପ୍ରଭୁଙ୍କ ଆଶୀର୍ବାଦରେ ଆଜି ଭୁବନେଶ୍ୱର ଏକ ନୂତନ ଭାରତକୁ ଏକ ନୂତନ ଅନୁଷ୍ଠାନ ଭେଟି ଦେଉଛି। ଭୁବନେଶ୍ୱରରେ ଆରବିଆଇର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଏହା ଓଡ଼ିଶାବାସୀଙ୍କ ସମେତ ସମଗ୍ର ଦେଶର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହି ପ୍ରକଳ୍ପ ସହ ଜଡ଼ିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଂ ସମସ୍ତଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମ ଭାରତରେ ଶାସନର ଦୃଷ୍ଟିକୋଣ କିପରି ବଦଳୁଛି ଏବଂ କେତେ ଦ୍ରୁତ ଗତିରେ ବଦଳୁଛି ତାହାର ଏକ ପ୍ରମାଣ। ଏବଂ ଏଥିରେ ମୂଳରେ ରହିଛି ବିକାଶର ପ୍ରାଥମିକତା, ବିକାଶର ବିସ୍ତାର ଏବଂ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶର ପହଞ୍ଚ।
ବନ୍ଧୁଗଣ,
ସ୍ୱାଧୀନତା ପରେ ଦେଶରେ ବଡ଼ ବଡ଼ ସହରଗୁଡ଼ିକର ବିକାଶ ହେଲା, ବଡ଼ ବଡ଼ ଅନୁଷ୍ଠାନ ଗଢ଼ିହେଲା, ବଡ଼ ହସ୍ପିଟାଲ୍ ତିଆରି ହେଲା, ବଡ଼ ଏୟାରପୋର୍ଟ ନିର୍ମାଣ ହେଲା। କିନ୍ତୁ ଦେଶର ଏକ ବଡ଼ ଅଂଶ ମୌଳିକ ସୁବିଧା ପାଇଁ ଅପେକ୍ଷା କରି ରହିଲା। ଦିଲ୍ଲୀରେ ବଡ଼ ବଡ଼ ହସ୍ପିଟାଲ୍ ଥିଲା, କିନ୍ତୁ ଛୋଟ ସହର ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଉତ୍ତମ ଚିକିତ୍ସା ପାଇଁ ଲୋକଙ୍କୁ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ପଡ଼ୁଥିଲା। ବଡ଼ ସହରଗୁଡ଼ିକରେ ବିମାନ ଯାତ୍ରାର ସୁବିଧା ଥିଲା, କିନ୍ତୁ ଛୋଟ ସହରଗୁଡ଼ିକୁ ଏୟାର କନେକ୍ଟିଭିଟି ସହିତ ଯୋଡ଼ିବା ଉପରେ ସେତେଟା ଫୋକସ୍ ନଥିଲା। ବଡ଼ ସହରରେ କିଛି ସୁବିଧା ଥିଲା, କିନ୍ତୁ ଅନେକ ଗାଁରେ ରାସ୍ତା, ବିଦ୍ୟୁତ୍, ପାଣି ଭଳି ମୌଳିକ ଆବଶ୍ୟକତାଗୁଡ଼ିକ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ରେଳଷ୍ଟେସନଗୁଡ଼ିକ ସାଧାରଣ ନାଗରିକଙ୍କ ଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା, କିନ୍ତୁ ରେଳଷ୍ଟେସନଗୁଡ଼ିକରେ ଆଧୁନିକ ସୁବିଧାର ଅଭାବ ଥିଲା। ଅର୍ଥାତ୍, ବିକାଶର ଲାଭ ଦେଶର ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ନାଗରିକଙ୍କ ପାଖରେ ସମାନ ଭାବରେ ପହଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଥିଲା। ଆମେ ଏହି ଚିନ୍ତାଧାରାକୁ ବଦଳାଇବାର ଏକ ପ୍ରୟାସ କରିଛୁ। ଆମେ ‘ପ୍ରୋ-ପିପୁଲ୍, ପ୍ରୋ-ଆକ୍ଟିଭ୍, ଗୁଡ଼ ଗଭର୍ଣ୍ଣାନ୍ସ’ ର ମଡେଲ୍ ନେଇ ଆଗକୁ ବଢ଼ୁଛୁ। ଆମ ପାଇଁ ବିକାଶର ଅର୍ଥ ହେଲା–ଭାରତର ସନ୍ତୁଳିତ ବିକାଶ- ଏଥିରେ ଗାଁଗୁଡ଼ିକୁ ମଧ୍ୟ ସୁଯୋଗ, ଛୋଟ ସହରଗୁଡ଼ିକୁ ମଧ୍ୟ ସୁଯୋଗ। ଆମର ଲକ୍ଷ୍ୟ ହେଲା ଦୂରଦୂରାନ୍ତ ଅଞ୍ଚଳକୁ ମଧ୍ୟ ଉତ୍ତମ କନେକ୍ଟିଭିଟି ଦେବା। ଗରିବ ପରିବାରଗୁଡ଼ିକୁ ମଧ୍ୟ ସମ୍ମାନର ସହିତ ଜୀବନ ବିତାଇବାର ସୁବିଧା ଯୋଗାଇଦେବା ଏବଂ ପ୍ରତ୍ୟେକ ନାଗରିକଙ୍କୁ କ୍ରମାଗତ ଭାବରେ ଏହି ବିଶ୍ୱାସ ଦେବା ଯେ ବିକାଶର ଏହି ଯାତ୍ରାରେ ସେ ପଛରେ ପଡ଼ିବେ ନାହିଁ। ଆଜି ଦେଶର ଏକ୍ସପ୍ରେସୱେଗୁଡ଼ିକ ଛୋଟ ସହରଗୁଡ଼ିକୁ ମଧ୍ୟ ଯୋଡ଼ୁଛି। ଏମ୍ସ ଭଳି ଅନୁଷ୍ଠାନଗୁଡ଼ିକର ବିସ୍ତାର ଅନେକ ରାଜ୍ୟକୁ ହୋଇଛି। ଛୋଟ ଛୋଟ ସହରରେ ମେଡିକାଲ୍ କଲେଜ ଖୋଲାଯାଉଛି। ଗାଁମାନଙ୍କରେ ପ୍ରାୟ ଦୁଇ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲାଯାଇଛି। ଆଜି ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ୍ କନେକ୍ଟିଭିଟିର ବିସ୍ତାର ଘଟୁଛି। ଏହା ହେଉଛି ବର୍ତ୍ତମାନ ଗଭର୍ଣ୍ଣାନ୍ସର ପ୍ରକୃତ ଉଦ୍ଦେଶ୍ୟ–ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ତାଙ୍କ ସ୍ୱପ୍ନକୁ ନୂତନ ସୁଯୋଗ ଦେବା।
ବନ୍ଧୁଗଣ,
ସାଧାରଣ ପରିବାରଗୁଡ଼ିକ ସହ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କୁ କିପରି ଦଶନ୍ଧି ଦଶନ୍ଧି ଧରି ଅଭାବ ଅସୁବିଧାରେ ରଖାଯାଇଥିଲା, ତାହାର ଏକ ବଡ଼ ଉଦାହରଣ ହେଉଛି ଆମର ବ୍ୟାଙ୍କିଙ୍ଗ୍ କ୍ଷେତ୍ର। ଗରିବମାନଙ୍କ ନାମରେ, ୬୦-୭୦ ଦଶକରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଦେଶର ଅଧାରୁ ଅଧିକ ଜନସଂଖ୍ୟା ବ୍ୟାଙ୍କିଙ୍ଗ୍ ପରିବେଶରୁ ବାହାରେ ଥିଲେ। ବ୍ୟାଙ୍କ ଋଣ ତ ମଧ୍ୟବିତ୍ତ ଶ୍ରେଣୀ ପାଇଁ ମଧ୍ୟ ଏକ ସ୍ୱପ୍ନ ଥିଲା; ଗରିବ, ଛୋଟ ଚାଷୀ, ଭୂମିହୀନ, ଭଉଣୀ ଓ ଝିଅମାନେ ତ ଏହା ବିଷୟରେ ଚିନ୍ତା ମଧ୍ୟ କରିପାରୁ ନଥିଲେ। ଆଜି ଭାରତରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ସମସ୍ତଙ୍କୁ ୨୪ ଘଣ୍ଟା ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚିପାରିଛି। କିନ୍ତୁ ୨୦୧୪ ପୂର୍ବରୁ ଏକ ଭିନ୍ନ ପ୍ରକାରର ‘ଫୋନ୍ ବ୍ୟାଙ୍କିଙ୍ଗ୍’ର ଯୁଗ ଥିଲା। ଦିଲ୍ଲୀର କଂଗ୍ରେସର କିଛି ସ୍ୱତନ୍ତ୍ର ଲୋକଙ୍କୁ ଏବଂ ଯାହାଙ୍କର ଲୋକଙ୍କ ସହିତ ସଂଯୋଗ ଥିଲା, ସେମାନଙ୍କୁ ଫୋନ୍ ବ୍ୟାଙ୍କିଙ୍ଗ୍ ଜରିଆରେ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଉଥିଲା। ଗରିବ ଏବଂ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଜାମିନଦାରର ଆବଶ୍ୟକତା ପଡ଼ୁଥିଲା। କିନ୍ତୁ କଂଗ୍ରେସର ଫୋନ୍ ବ୍ୟାଙ୍କିଙ୍ଗ୍ ଯୋଜନାରେ ଧନୀମାନଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ଯେକୌଣସି ସମୟରେ ଉପଲବ୍ଧ କରାଯାଉଥିଲା। ଏହି କୁ-ବ୍ୟବସ୍ଥାର ପରିଣାମ ଥିଲା ଯେ ଭାରତର ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ଏନପିଏର କବଳରେ ପଡ଼ିଗଲା। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବରବାଦୀ ଆଡ଼କୁ ଯାଉଥିଲା।
ବନ୍ଧୁଗଣ,
ଯେକୌଣସି ବଡ଼ ପରିବର୍ତ୍ତନ ପାଇଁ ଚିନ୍ତାଧାରା ବଡ଼ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ, ଉଦ୍ଦେଶ୍ୟ ଭଲ ଥିଲେ, ଇଚ୍ଛାଶକ୍ତି ଭଲ ଥିଲେ, ଅସମ୍ଭବ ମନେହେଉଥିବା କାମଗୁଡ଼ିକ ମଧ୍ୟ ସମ୍ଭବ ହୋଇଯାଏ। ଯେଉଁଠାରେ ଚିନ୍ତାଧାରା ହିଁ ଛୋଟ, ସେଠାରେ ସମ୍ଭାବନାଗୁଡ଼ିକ ମଧ୍ୟ ସୀମିତ ହୋଇଯାଏ। ବିଗତ ବର୍ଷଗୁଡ଼ିକରେ ଦେଶ ଯେଉଁ ବ୍ୟବସ୍ଥାଗୁଡ଼ିକ ଗଢ଼ିଛି, ଡିଜିଟାଲ୍ ଇଣ୍ଡିଆର ଯେଉଁ ନୂତନ ଇକୋସିଷ୍ଟମ୍ ବିକଶିତ କରିଛି, ତାହା ବ୍ୟାଙ୍କିଙ୍ଗକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇଛି। ଆଜି ଭାରତର ବ୍ୟାଙ୍କିଙ୍ଗ୍ ସେକ୍ଟର, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ୍ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ। ପୂର୍ବରୁ ଫୋନ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା କେବଳ ଦିଲ୍ଲୀର ସ୍ୱତନ୍ତ୍ର ପରିବାର ସହିତ ସମ୍ପର୍କ ରଖୁଥିବା ବ୍ୟକ୍ତିମାନେ ହିଁ ଲାଭାର୍ଥୀ ଥିଲେ। ଆଜି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ଦେଶର ପ୍ରତ୍ୟେକ ପରିବାର ଲାଭାର୍ଥୀ ହୋଇପାରିଛନ୍ତି।
ବନ୍ଧୁଗଣ,
ଓଡ଼ିଶା ମାଟିରୁ ହିଁ, ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଯାଏ ଏବଂ ଜନସାଧାରଣଙ୍କ ପାଖରେ କେବଳ ୧୫ ପଇସା ପହଞ୍ଚିଥାଏ। ଏହା ଜଣେ ପ୍ରଧାନମନ୍ତ୍ରୀଙ୍କ ବୟାନ ଥିଲା। ସେତେବେଳେ ଏକ ଯୁଗ ଥିଲା, ଏବଂ ଆଜିର ସମୟ ହେଉଛି ଆଉ ଏକ ସମୟ। ଆଜି ଦିଲ୍ଲୀରୁ ଗୋଟିଏ ଟଙ୍କା ବାହାରେ, ଏବଂ ପୂରା ଗୋଟିଏ ଟଙ୍କା ପ୍ରତ୍ୟେକ ଲାଭାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଥାଏ। ଏହା ଦେଶରେ ଖୋଲାଯାଇଥିବା, ଯେପରି ଏବେ ନିର୍ମଳାଜୀ କହିଲେ, ପ୍ରାୟ ୫୯-୬୦ କୋଟି ଜନଧନ ଆକାଉଣ୍ଟ କାରଣରୁ ହିଁ ସମ୍ଭବ ହୋଇପାରିଛି।
ବନ୍ଧୁଗଣ,
ଯାହାଙ୍କ ପାଖରେ ବ୍ୟାଙ୍କକୁ ଜାମିନ ଦେବା ପାଇଁ କିଛି ନାହିଁ, ସେ ମଧ୍ୟ ଆଜି ବ୍ୟାଙ୍କରୁ ଶସ୍ତା ଏବଂ ସହଜରେ ଋଣ ନେଇ ନିଜର କୌଣସି କାମ ଆରମ୍ଭ କରିପାରୁଛନ୍ତି। ଛୋଟ ଉଦ୍ୟୋଗୀଠାରୁ ଆରମ୍ଭ କରି ପାରମ୍ପରିକ କାରିଗର ପର୍ଯ୍ୟନ୍ତ, ରାସ୍ତାକଡ଼ର ବୁଲା ବିକାଳୀ ଠାରୁ ଆରମ୍ଭ କରି ଅସଂଗଠିତ କ୍ଷେତ୍ରର ଶ୍ରମିକ ପର୍ଯ୍ୟନ୍ତ, ପ୍ରଥମ ଥର ପାଇଁ ସେମାନଙ୍କୁ ଫର୍ମାଲ୍ ବ୍ୟାଙ୍କିଙ୍ଗର ଲାଭ ମିଳିଛି। ମୁଦ୍ରା ଯୋଜନାରୁ ୧୩ କୋଟି ଲୋକ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଛନ୍ତି। ପିଏମ ସ୍ୱନିଧି ଯୋଜନାରୁ ଲକ୍ଷ ଲକ୍ଷ ଫେରିବାଲା ପ୍ରଥମ ଥର ପାଇଁ ଋଣ ପାଇଛନ୍ତି। ପିଏମ ବିଶ୍ୱକର୍ମା ଯୋଜନା ଲକ୍ଷ ଲକ୍ଷ ଦକ୍ଷ କାରିଗରଙ୍କୁ ବ୍ୟାଙ୍କଗୁଡ଼ିକ ସହିତ ଯୋଡ଼ିଛି। ୧୦ କୋଟି ଗ୍ରାମାଞ୍ଚଳର ଭଉଣୀଙ୍କ ସେଲ୍ଫ ହେଲ୍ପ ଗ୍ରୁପକୁ ମଧ୍ୟ ହଜାର ହଜାର କୋଟି ଟଙ୍କାର ସହାୟତା ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଛନ୍ତି।
ବନ୍ଧୁଗଣ,
ଏହା ସେହି ଦେଶ, ଯେଉଁଠାରେ ଏକଦା ଡେବିଟ୍ ଓ କ୍ରେଡିଟ୍ କାର୍ଡ କେବଳ ଧନୀ ବର୍ଗର ଲୋକଙ୍କ ପାଇଁ ଉପଲବ୍ଧ ଏକ ସୁବିଧାର ପ୍ରତୀକ ଥିଲା। କିନ୍ତୁ ଆଜି ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଲଭ ହୋଇପାରିଛି। ଦେଶରେ କୋଟି କୋଟି ରୁପେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଜାରି କରାଯାଇଛି, ଯାହା ଆତ୍ମସମ୍ମାନ ଓ ଆତ୍ମନିର୍ଭରଶୀଳତାର ପ୍ରତୀକ ପାଲଟିଛି। ଆପଣମାନଙ୍କ ସାମୂହିକ ସହଯୋଗ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉ କିମ୍ବା ଦେଶର ପ୍ରତ୍ୟେକ ବ୍ୟାଙ୍କ ଓ ସେଥିରେ କାର୍ଯ୍ୟରତ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀ-ଆପଣମାନେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଏହି ସଫଳତା ପାଇଁ ଆପଣମାନଙ୍କୁ ପ୍ରକୃତରେ ଅଭିନନ୍ଦନର ଯୋଗ୍ୟ କରିଛି।
ବନ୍ଧୁଗଣ,
ଗତ ଦଶନ୍ଧିରେ, ଆର୍ଥିକ ସଶକ୍ତିକରଣ ସହିତ ସାମାଜିକ ସୁରକ୍ଷା କବଚର ମଧ୍ୟ ଅଭୂତପୂର୍ବ ବିସ୍ତାର ଘଟିଛି। ଅଟଳ ପେନସନ୍ ଯୋଜନା ଦ୍ୱାରା ୯ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା କଭରେଜ୍ ମିଳିଛି। କେବଳ ଓଡ଼ିଶାରେ ହିଁ ଏହାଦ୍ୱାରା ୩୮ ଲକ୍ଷ ଲୋକ ଆଚ୍ଛାଦିତ ହେଉଛନ୍ତି। ୧୦-୧୨ ବର୍ଷ ପୂର୍ବେ ଇନ୍ସ୍ୟୁରାନ୍ସ ମଧ୍ୟ ଏକ ବିଳାସ ବସ୍ତୁ ଥିଲା, ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଏହା ବିଷୟରେ ଚିନ୍ତା ମଧ୍ୟ କରିପାରୁ ନଥିଲେ। ଆମ ପାଇଁ ତ ‘ନାଗରିକ ଦେବୋ ଭବଃ’–ଏହା ହେଉଛି ସୁଶାସନର ମନ୍ତ୍ର। ଆମେ ଦୁର୍ଘଟଣା ସମୟରେ ସୁରକ୍ଷା ପାଇଁ ‘ପିଏମ ସୁରକ୍ଷା ବୀମା ଯୋଜନା’ ଆଣିଲୁ। ପ୍ରତିବର୍ଷ ମାତ୍ର ଗୋଟିଏ ବର୍ଷ ପାଇଁ ମାତ୍ର ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳୁଛି। ସେହିପରି, ଲାଇଫ୍ ଇନ୍ସ୍ୟୁରାନ୍ସ ପାଇଁ, ଆମେ ବର୍ଷକୁ ସାଢ଼େ ଚାରି ଶହ ଟଙ୍କାରୁ ମଧ୍ୟ କମ୍ ପ୍ରିମିୟମରେ ‘ପିଏମ ଜୀବନ ଜ୍ୟୋତି ଯୋଜନା’ ଆଣିଛୁ। ଏହି ଉଭୟ ଯୋଜନା ସହିତ କୋଟି କୋଟି ଭାରତୀୟ ଯୋଡ଼ି ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୨୫ ହଜାର କୋଟି ଟଙ୍କାରୁ ଅଧିକ କ୍ଲେମ୍ ଲୋକଙ୍କୁ ମିଳିସାରିଛି। ୨୫ ହଜାର କୋଟି ଟଙ୍କା! ଯଦି ଅନ୍ୟ କୌଣସି ସରକାର ଏତେ ଟଙ୍କା ବାଣ୍ଟିବାର ଘୋଷଣା କରିଥା’ନ୍ତେ, ତେବେ ଏହା ଏକ ବଡ଼ ହେଡଲାଇନ୍ ହୋଇଥା’ନ୍ତା। ମାସ ମାସ ଧରି ବାଦ୍ୟଯନ୍ତ୍ର ବାଜିଥା’ନ୍ତା, ଚାରିଆଡ଼େ ଢୋଲ-ନଗାରା ବାଜିଥା’ନ୍ତା। କିନ୍ତୁ ଆମ ସରକାରରେ କୌଣସି ଶବ୍ଦ ନ କରି, ନିରବରେ, କଷ୍ଟଦାୟକ ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ପାଖରେ ଏହି ଟଙ୍କା ପହଞ୍ଚୁଛି। ଏହାକୁ ହିଁ ସୁଶାସନ କୁହାଯାଏ।
ବନ୍ଧୁଗଣ,
ଗତ ଦଶନ୍ଧିଟି ବ୍ୟାଙ୍କିଙ୍ଗକୁ ସେହି ଲୋକମାନଙ୍କ ପାଖରେ ପହଞ୍ଚାଇବାର ଥିଲା, ଯେଉଁମାନେ ଏଥିରୁ ବଞ୍ଚିତ ଥିଲେ। ଆଗାମୀ ଦଶନ୍ଧି ହେଉଛି ବ୍ୟାଙ୍କିଙ୍ଗକୁ ଅଧିକ ଦକ୍ଷ, ଅଧିକ ଭରସାଯୋଗ୍ୟ କରିବାର ଦଶନ୍ଧି। ଏବଂ ଏଥିରେ ଓଡ଼ିଶାର ଏହି ନୂତନ ଡାଟା ସେଣ୍ଟରର ମଧ୍ୟ ଏକ ବଡ଼ ଭୂମିକା ରହିବାକୁ ଯାଉଛି। ଯଦି ଆମକୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ ପଡ଼ିବ, ତେବେ ଏହାର ଡିଜିଟାଲ୍ ଭିତ୍ତିଭୂମିକୁ ମଧ୍ୟ ସୁରକ୍ଷିତ ରଖିବାକୁ ପଡ଼ିବ। ସେଥିପାଇଁ ମଜବୁତ ଡାଟା ସେଣ୍ଟର ଆବଶ୍ୟକ, ଆମର କମ୍ପ୍ୟୁଟିଂ ସିଷ୍ଟମ୍ଗୁଡ଼ିକ ଶକ୍ତିଶାଳୀ ହେବା ଜରୁରୀ।
ଏବଂ ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଯେ ଆଜିକାଲି ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଲଢ଼ାଯାଏ ନାହିଁ। ଯଦି କୌଣସି ଦେଶକୁ ଦୁର୍ବଳ କରିବାର ଅଛି, ତେବେ ତା’ର ଅର୍ଥନୀତି ଉପରେ ଆକ୍ରମଣ କରି ମଧ୍ୟ ଏହା କରାଯାଇପାରେ। ଏବଂ ଯେତେବେଳେ ଭାରତ ଆର୍ଥିକ ଭାବରେ ସଶକ୍ତ ହେଉଛି, ସେତେବେଳେ ଆମର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସାଇବର ଲୁଟେରା ଏବଂ ସାଇବର ଆତଙ୍କବାଦୀଙ୍କଠାରୁ ସୁରକ୍ଷା ଦେବା ମଧ୍ୟ ସେତିକି ଅନିବାର୍ଯ୍ୟ ଅଟେ। ପ୍ରତିଦିନ ସାଇବର ବିପଦ ଏବଂ ଏହାର ପ୍ରକୃତି ବଦଳୁଛି। ଏଭଳି ନୂତନ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ଆମେ ପୁରୁଣା ବ୍ୟବସ୍ଥା, ପୁରୁଣା ଟ୍ରେନିଂ ସିଷ୍ଟମ ଏବଂ ପୁରୁଣା ଟ୍ରେନିଂ ଟୁଲ୍ସ ଦ୍ୱାରା କରିପାରିବୁ ନାହିଁ। ଏଥିପାଇଁ ଆଧୁନିକ ଭିତ୍ତିଭୂମି ମଧ୍ୟ ଆବଶ୍ୟକ ଏବଂ ଦକ୍ଷ ମାନବ ସମ୍ବଳ ମଧ୍ୟ ଆବଶ୍ୟକ। ଠିକ୍ ଏହିଠାରେ ହିଁ, ଏହି ନୂତନ ସାଇବର ସିକ୍ୟୁରିଟି ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଛି।
ବନ୍ଧୁଗଣ,
ଆରବିଆଇର ଏହି ନୂତନ ସୁବିଧାଗୁଡ଼ିକ ଭାରତର ଏକ ନୂତନ ପ୍ରାଥମିକତାକୁ ମଧ୍ୟ ପ୍ରତିଫଳିତ କରୁଛି। ପୂର୍ବ ଭାରତ, ବିକଶିତ ଭାରତର ଏକ ଶକ୍ତିଶାଳୀ ଗ୍ରୋଥ୍ ଇଞ୍ଜିନ୍ ପାଲଟୁଛି। ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ, ବିକାଶକୁ ଏକ ନୂତନ ଗତି ମିଳିଛି। ଓଡ଼ିଶାର ଅର୍ଥନୀତି ଏବେ ପ୍ରାକୃତିକ ସମ୍ପଦ ସହିତ ଟେକ୍ନୋଲୋଜି ଦ୍ୱାରା ମଧ୍ୟ ସଶକ୍ତିକରଣ ହେଉଛି। ଗୋଟିଏ ପଟେ ଖଣି ଆଧାରିତ ଶିଳ୍ପଗୁଡ଼ିକର ବିସ୍ତାର ଘଟୁଛି, ଅନ୍ୟ ପଟେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସର ଏକ ନୂତନ ଇକୋସିଷ୍ଟମ ବିକଶିତ କରିବାର ପ୍ରୟାସ ମଧ୍ୟ ଚାଲିଛି। ଆପଣମାନେ ଦେଖିବେ, ଓଡ଼ିଶା–ଖଣିରୁ ଆରମ୍ଭ କରି ମାଇକ୍ରୋଚିପ୍ ପର୍ଯ୍ୟନ୍ତ–ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି। ଓଡ଼ିଶାରେ ଡାଟା ସେଣ୍ଟର ଏବଂ ଆଧୁନିକ କମ୍ପ୍ୟୁଟିଂରେ ନିବେଶର ନୂତନ ସମ୍ଭାବନା ସୃଷ୍ଟି ହେଉଛି। ଏହା ଓଡ଼ିଶାର ଯୁବକସମାଜ ପାଇଁ ଅନେକ ଦ୍ୱାର ଖୋଲୁଛି। ମୁଁ ଓଡ଼ିଶାର ଯୁବ ସାଥୀମାନଙ୍କୁ ଭରସା ଦେଉଛି, ଆପଣମାନେ ଯେଉଁ ବଡ଼ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ଭାବରେ ପୂରଣ ହେବ। “ଓ୍ୱି ଓ୍ୱିଲ ଡୁ ଇଟ.” (ଆମେ ଏହା କରିବୁ।) ଏହି ଭାବନା ସହିତ, ଆଉଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ!
ବହୁତ ବହୁତ ଶୁଭକାମନା!
ଜୟ ଜଗନ୍ନାଥ!
/HP
A major step towards a more secure financial system. The RBI's new facilities in Bhubaneswar will strengthen digital infrastructure and cybersecurity capabilities. @RBI https://t.co/ryignasX8k
— Narendra Modi (@narendramodi) October 25, 2026
महाप्रभु के आशीर्वाद से, आज भुवनेश्वर... नए भारत को एक नया संस्थान दे रहा है। भुवनेश्वर में RBI के Data Centre और Cybersecurity Training Institute... इन दोनों का उद्घाटन एक महत्वपूर्ण अवसर है। ये ओडिशा और देश के लोगों के बहुत हितकारी होगा: PM @narendramodi
— PMO India (@PMOIndia) October 25, 2026
हम Pro-People, Pro-Active, Good Governance का model लेकर चले। हमारे लिए विकास का मतलब है... भारत का संतुलित विकास... गांवों को भी अवसर...छोटे शहरों को भी अवसर: PM @narendramodi
— PMO India (@PMOIndia) October 25, 2026
आज भारत में digital banking ने सबको 24 घंटे banking सेवाओं से जोड़ा है: PM @narendramodi
— PMO India (@PMOIndia) October 25, 2026
जिसके पास bank को guarantee देने के लिए कुछ भी नहीं है, वो भी आज bank से सस्ता और सुलभ loan लेकर अपना कोई काम शुरू कर पा रहा है। छोटे उद्यमी से लेकर पारंपरिक कारीगर तक... रेहड़ी-पटरी वाले से लेकर असंगठित क्षेत्र के श्रमिक तक... पहली बार उन्हें formal banking का फायदा मिला है: PM @narendramodi
— PMO India (@PMOIndia) October 25, 2026
बीता दशक, banking को उन तक लोगों तक पहुंचाने का था... जो इससे वंचित था। आने वाला दशक... Banking को अधिक efficient, अधिक भरोसेमंद बनाने का है: PM @narendramodi
— PMO India (@PMOIndia) October 25, 2026
आजकल युद्ध केवल हथियारों से नहीं लड़े जाते। किसी देश को कमज़ोर करना है तो उसकी economy पर attack करके भी ये किया जा सकता है। और जब भारत, आर्थिक रूप से सशक्त हो रहा है तो हमें अपने banking system को भी cyber लुटेरों, cyber आतंकियों से सुरक्षा देनी है: PM @narendramodi
— PMO India (@PMOIndia) October 25, 2026