ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆଜିକୁ ୧୨ ବର୍ଷ ପୂର୍ବେ ବିଜୟା ଦଶମୀର ପବିତ୍ର ଅବସରରେ ଆମେ ‘ମନ୍ କି ବାତ୍’ର ଶୁଭାରମ୍ଭ କରିଥିଲୁ । ସେ ସମୟରୁ ଆଜିଯାଏ ଆମର ଏହି ଯାତ୍ରା କ୍ରମାଗତ ଭାବେ ଜାରି ରହିଛି । ଏହି ଯାତ୍ରାର ସହଯାତ୍ରୀ ଆପଣ ଏବଂ ମାର୍ଗଦର୍ଶକ ମଧ୍ୟ ଆପଣ । ବନ୍ଧୁଗଣ ମୋ ପାଇଁ ‘ମନ୍ କି ବାତ୍’ ଦେଶର ସାଧାରଣ ମଣିଷର ପରିଶ୍ରମ, ତା’ର ପରାକ୍ରମ, ତା’ର ପ୍ରତିବଦ୍ଧତା, ତା’ର ସମର୍ପଣ ଏବଂ ସେବା ଭାବନାର ଗୁଣଗାନ କରିବାର ଗୋଟିଏ ଶୁଭ ଅବସର ହୋଇଥାଏ । ଆମ ଦେଶରେ ଶହ ଶହ ବର୍ଷ ଧରି ତୀର୍ଥଯାତ୍ରାର ପରମ୍ପରା ରହିଆସିଛି। ମୋ ପାଇଁ ‘ମନ୍ କି ବାତ୍’ ମଧ୍ୟ ଦେଶର ଲୋକଙ୍କ ପ୍ରଚେଷ୍ଟାକୁ ନିକଟରୁ ଜାଣିବା ଏବଂ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର କୌଣସି ଏକ ତୀର୍ଥଯାତ୍ରାଠାରୁ କମ୍ ନୁହେଁ । ବନ୍ଧୁଗଣ, ଯେଉଁ ଲୋକେ ସମାଜ ଏବଂ ରାଷ୍ଟ୍ର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି ସେମାନେ ସ୍ୱୟଂ ହିଁ ତୀର୍ଥର ସ୍ୱରୂପ । ୧୨ ବର୍ଷରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଏଭଳି ଅନେକ ଲୋକ ଲୋକଲୋଚନକୁ ଆସିଛନ୍ତି ଯେଉଁମାନଙ୍କ ଅସାଧାରଣ କାର୍ଯ୍ୟ ପ୍ରତି ସାଧାରଣତଃ ସମାଜର ଦୃଷ୍ଟି ପଡିନଥାଏ । ‘ମନ୍ କି ବାତ୍’ ଏଭଳି ଅଗଣିତ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ଆପଣ ସମସ୍ତଙ୍କ ସମ୍ମୁଖକୁ ଆଣିବାର କାମ କରିଛି ।
ବନ୍ଧୁଗଣ,
ମୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ପ୍ରକାର ଦେଶର ଜନଶକ୍ତିର ଆରାଧନା କରୁଛି । ମୋତେ ଏହା ମାଧ୍ୟମରେ ଦେଶର ପ୍ରତ୍ୟେକ ପରିବାର ସହିତ ଜଡ଼ିତ ହେବାର ସୁଯୋଗ ମିଳୁଛି । ମୋତେ ଶହ ଶହ ଏଭଳି ବାର୍ତ୍ତା ମିଳୁଛି ଯେଉଁଥିରେ ଲୋକେ ଜଣାଉଛନ୍ତି – ‘ମନ୍ କି ବାତ୍’ ଶୁଣି ସେମାନଙ୍କୁ ଏମିତି ଲାଗୁଛି ସତେ ଯେମିତି ମୁଁ ସେମାନଙ୍କ ଗହଣରେ ଅଛି । ସେମାନଙ୍କ ପରିବାରରେ ବସି ଜଣେ ପରିବାରର ସଭ୍ୟ ଭାବରେ ସେମାନଙ୍କ ସହ କଥାବାର୍ତ୍ତା ହେଉଛି । ମୋ ପାଇଁ ଆପଣ ସମସ୍ତ ଶ୍ରୋତାମାନଙ୍କର ଏହି ଯେଉଁ ଆତ୍ମୀୟତା, ସ୍ନେହଭାବ ରହିଛି ତାହା ଅମୂଲ୍ୟ ପୁଞ୍ଜି ।
ମୋର ପ୍ରିୟ ଦେଶବାସୀଗଣ,
ଆମ ଦେଶରେ ଏଭଳି ଅନେକ ପାରମ୍ପରିକ କୌଶଳ ରହିଛି ଯାହା ପିଢ଼ି ପିଢ଼ି ଧରି ଆମ ପରିଚୟର ଅଂଶ ହୋଇ ରହିଛି ଏବଂ ଏହା ସୁଖକର ଯେ ଏବେ ଏହି ପରମ୍ପରାଗୁଡ଼ିକ ସହ ଯୋଡ଼ିହୋଇ ଅନେକ ପ୍ରକାର ନୂତନ ପ୍ରୟୋଗ ମଧ୍ୟ ହେବାରେ ଲାଗିଛି । ଏଗୁଡ଼ିକୁ ଆଜିର ସମୟ ଅନୁରୂପ କରି ଆଗକୁ ନିଆଯାଉଛି । ପଞ୍ଜାବରେ ଏହିଭଳି ଏକ ପ୍ରଚେଷ୍ଟା ଅନେକ ବର୍ଷ ଧରି ଚାଲିଛି । ଏଠାରେ ‘ଖେତୀ ବିରାସତ୍ ମିଶନ’ ନାମକ ଗୋଟିଏ ସଂସ୍ଥା ଜୈବିକ ଚାଷ ଏବଂ ପାରମ୍ପରିକ କୃଷିର ପ୍ରଣାଳୀକୁ ନୂଆ ଜୀବନ ଦେବା ଆରମ୍ଭ କଲା । ଏହି ଦଳର ଲୋକେ ପଞ୍ଜାବର ମାଲୱା ଅଞ୍ଚଳରେ ପ୍ରାକୃତିକ କପା ଚାଷକୁ ପ୍ରୋତ୍ସାହିତ କରିବାକୁ ଚାହୁଁଥିଲେ । ଏହି ପ୍ରଚେଷ୍ଟାର ନାମ ଦିଆଗଲା ‘ନବ-ତ୍ରିଞ୍ଜନ’ ।
ଏହି ପ୍ରୟାସ ଅନ୍ତର୍ଗତ ଏଠାରେ ରାସାୟନିକ ବ୍ୟବହାର ନ କରି ଜୈବିକ କପା ଉତ୍ପାଦନ କରାଯାଉଛି । ଏଠାରେ ପ୍ରାକୃତିକ ରଙ୍ଗର କପା ମଧ୍ୟ ଉତ୍ପାଦନ କରାଯାଉଛି । ଏଥିରୁ ତିଆରି ସୂତା ଏବଂ ବସ୍ତ୍ରକୁ ରଙ୍ଗ ଦେବାପାଇଁ ଅଲଗା କରି ରାସାୟନିକ ବ୍ୟବହାର କରିବାର ଆବଶ୍ୟକତା ପଡ଼େନାହିଁ । ଆପଣ କଳ୍ପନା କରିପାରୁଥିବେ, ଏହାଦ୍ୱାରା ପରିବେଶର କେତେ ବଡ଼ ସୁରକ୍ଷା ହେଉଛି!
ବନ୍ଧୁଗଣ,
କିଛିବର୍ଷ ପୂର୍ବେ ‘ନବ-ତ୍ରିଞ୍ଜନ’ ଗୋଟିଏ ବୁଣାବୁଣି ସ୍କୁଲ ମଧ୍ୟ ଆରମ୍ଭ କରିଛି । ଏହାର ଲକ୍ଷ୍ୟ ହେଉଛି ଲୁଗାବୁଣା କୌଶଳକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା । ଏହି ସ୍କୁଲ ଅନେକ ମହିଳାମାନଙ୍କ ଜୀବନକୁ ମଧ୍ୟ ବଦଳାଇ ଦେଇଛି । ରମନଦୀପ କୌର ହେଉଛନ୍ତି ଏହାର ଏକ ଉଦାହରଣ । ପ୍ରଥମେ ସେ ଦିନମଜୁରିଆ ଭାବେ କାମ କରୁଥିଲେ; କିନ୍ତୁ ସ୍କୁଲରେ ତାଲିମ ଗ୍ରହଣ କରିବା ପରେ ଜଣେ କୁଶଳୀ ବୁଣାକାର ଭାବେ ତାଙ୍କର ପରିଚୟ ସୃଷ୍ଟି ହୋଇଛି । ରେଖାରାଣୀ ତ ତାଲିମ ଗ୍ରହଣ କରିବା ପୂର୍ବରୁ କେବେହେଲେ ହ୍ୟାଣ୍ଡଲୁମ୍ ମଧ୍ୟ ଦେଖିନଥିଲେ । ତାଙ୍କଦ୍ୱାରା ବୁଣାଯାଇଥିବା ସାଲ୍ ଭାରତର ମାନନୀୟ ରାଷ୍ଟ୍ରପତିଙ୍କୁ ଉପହାର ରୂପେ ଦିଆଯାଇଛି । ସେହିଭଳି ସୁନେହା ଦେବୀ ପୂର୍ବରୁ ଘରମାନଙ୍କରେ କାମ କରୁଥିଲେ, କିନ୍ତୁ ଆଜି ସେ ହସ୍ତତନ୍ତରେ ଚମତ୍କାର ବସ୍ତ୍ର ତିଆରି କରୁଛନ୍ତି । ରଜନୀ କୌର ପ୍ରଥମେ ବିଲରେ ମଜୁରି କାମ ଉପରେ ନିର୍ଭରଶୀଳ ଥିଲେ, ଏବେ ନୂତନ କୌଶଳ ଯୋଗୁଁ ତାଙ୍କୁ ଘର ଚଳାଇବାରେ ଯଥେଷ୍ଟ ସାହାଯ୍ୟ ମିଳୁଛି । ସ୍କୁଲରୁ ତାଲିମ ଗ୍ରହଣ କରିବା ପରେ ଏଭଳି ଅନେକ ମହିଳା ଏବେ ସ୍ୱଦେଶୀ ଜୈବିକ କପାରେ ତିଆରି ସୂତାକୁ ବ୍ୟବହାର କରି ସାଲ୍, ଗାମୁଛା ଏବଂ ଅନ୍ୟାନ୍ୟ ବସ୍ତ୍ର ତିଆରି କରୁଛନ୍ତି । ଏହି ପ୍ରଚେଷ୍ଟା ଯୋଗୁଁ ସେମାନଙ୍କ ଜୀବନ ସମୃଦ୍ଧ ହୋଇପାରୁଛି ।
କିଛିମାସ ପୂର୍ବେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମତେ ମଧ୍ୟ ଏହି ଦଳ ସହିତ ଭେଟିବାର ସୁଯୋଗ ମିଳିଥିଲା । ସେତେବେଳେ ମୁଁ କାମ ପ୍ରତି ସେମାନଙ୍କ ନିଷ୍ଠା ଏବଂ ସମର୍ପଣ ଭାବକୁ ଅନୁଭବ କରିଥିଲି । ମୁଁ ସେହି ଟିମକୁ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
ପ୍ରକୃତିକୁ ସମ୍ମାନ ଦେବାର ଆମର ଅତି ପ୍ରାଚୀନ ପରମ୍ପରା ରହିଆସିଛି । ଆମ ପୂର୍ବପୁରୁଷମାନେ ଆମକୁ ଶିଖାଇଛନ୍ତି ଯେ, ନିଜ ଆଖପାଖରେ ସ୍ୱଚ୍ଛତା ରକ୍ଷା କରିବା, ଜଳସ୍ରୋତଗୁଡ଼ିକର ଯତ୍ନ ନେବା ହେଉଛି ଆମମାନଙ୍କର ଦାୟିତ୍ୱ । ମୋତେ ଖୁସି ଲାଗେ ଯେତେବେଳେ ମୁଁ ଦେଖେ ଯେ ଦେଶର କେତେ କେତେ ଲୋକ ଏହି ଭାବନାକୁ ନିଜ ଜୀବନରେ ଆପଣାଇଛନ୍ତି । ଏହି ଭାବନା ଉତ୍ତରାଖଣ୍ଡର ଟିହ୍ରି ଗଢ଼ୱାଲରେ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ଲୋକେ ମିଶି ଗୋଟିଏ ନଦୀକୁ ନବଜୀବନ ପ୍ରଦାନ କରିବାର ପ୍ରଚେଷ୍ଟା କରିଛନ୍ତି । ଏହି ନଦୀ ହେଉଛି ‘ହେବଲ’ ନଦୀ । କିଛିଦିନ ପୂର୍ବରୁ ହେବଲ ନଦୀରେ ପାଣି କମ୍ ହେବାକୁ ଲାଗିଥିଲା । ଆଖପାଖର ପ୍ରାକୃତିକ ଜଳସ୍ରୋତଗୁଡ଼ିକ ମଧ୍ୟ ଶୁଖିବାରେ ଲାଗିଥିଲା । ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଏବଂ ଗାଁ ଲୋକେ ମିଶି ହେବଲ ନଦୀକୁ ଜୀବିତ ରଖିବାର ଅଭିଯାନ ଚଳାଇଲେ । ଏହି ସମୟରେ ବର୍ଷାଜଳକୁ ରୋକିବା ପାଇଁ ଉପାୟ ଗ୍ରହଣ କରାଗଲା, ଭୂମି ମଧ୍ୟକୁ ପାଣି ଭେଦିବା ପାଇଁ କାମ କରାଗଲା ଏବଂ ବହୁସଂଖ୍ୟାରେ ବୃକ୍ଷରୋପଣ କରାଗଲା । ଆଜି ଏହି ପ୍ରଚେଷ୍ଟା ଯୋଗୁଁ ହେବଲ ନଦୀକୁ ନୂଆ ଜୀବନ ମିଳିଛି ଏବଂ ତତ୍ ସଙ୍ଗେସଙ୍ଗେ ଅନେକ ପ୍ରାକୃତିକ ଜଳସ୍ରୋତଗୁଡ଼ିକର ପୁନର୍ଜୀବନ ପାଇଁ ମଧ୍ୟ ସହାୟତା ମିଳିଛି ।
ବନ୍ଧୁଗଣ,
ଯେତେବେଳେ ସମାଜ ଏଭଳି ଚିନ୍ତାଧାରାକୁ ନେଇ ଏକଜୁଟ ହୋଇଥାଏ ସେତେବେଳେ ପରିବର୍ତ୍ତନ ସୁନିଶ୍ଚିତ ହୋଇଯାଏ । ଏହାର ଗୋଟିଏ ଝଲକ ଆମେ ଆମର ପର୍ବପର୍ବାଣୀରେ ମଧ୍ୟ ଦେଖିବାକୁ ପାଉ । ମାତ୍ର କିଛିଦିନ ପରେ ଦୀପାବଳୀ ଏବଂ ଛଟର ପବିତ୍ର ପର୍ବ ପାଳନ କରାଯିବ । ଏଥିପାଇଁ ଅନେକ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହେଉଛି । ଆମେ ଯେଉଁଠାରେ ରହୁଛୁ ସେଠାରେ ସ୍ୱଚ୍ଛତା ରକ୍ଷା କରିବା ନିହାତି ଆବଶ୍ୟକ । ଆମର ଛୋଟ ଛୋଟ ପ୍ରଚେଷ୍ଟା ହିଁ ଆମ ଆଖପାଖରେ ବଡ଼ ପରିବର୍ତ୍ତନ ଆଣିପାରିବ ।
ମୋର ପ୍ରିୟ ଦେଶବାସୀଗଣ,
ଏହି ପାର୍ବଣ ଋତୁରେ ଆପଣମାନେ ମଧ୍ୟ ନିଜ ଆଖପାଖରେ ଗୋଟିଏ ପରିବର୍ତ୍ତନ ଅନୁଭବ କରିଥିବେ । ଏବେ ଲୋକେ କିଣାକିଣି କରିବା ସମୟରେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ବହୁ ଗୁରୁତ୍ୱ ଦେଉଛନ୍ତି । ‘ଭୋକାଲ ଫର୍ ଲୋକାଲ୍’ର ଏହି ଭାବନା ଏବେ ଆମର ଉତ୍ପାଦଗୁଡ଼ିକୁ ବିଶ୍ୱବଜାରକୁ ପହଞ୍ଚାଉଛି । ବିହାର ପୁନିଆର ମଖାନା ଏବେ ଗ୍ରୀସରେ ପହଞ୍ଚିବାରେ ଲାଗିଛି । କର୍ଣ୍ଣାଟକ କଲବୁର୍ଗୀର ହରଡ଼ ଡାଲି ଏବେ ମାଳଦ୍ୱୀପ ଯାଉଛି । ଅର୍ଥାତ୍ ଭାରତର କୃଷକମାନଙ୍କ ପାଇଁ ଏବେ ବିଶ୍ୱରେ ନୂଆ ବଜାର ଖୋଲିବାରେ ଲାଗିଛି ।
ବନ୍ଧୁଗଣ,
ଲୋକାଲ୍ ଉତ୍ପାଦଗୁଡ଼ିକ ବିଷୟରେ ଆଲୋଚନା କରିବାବେଳେ ମୁଁ ଅନ୍ୟ ଏକ ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । କୌଣସି ବସ୍ତୁର ଗୁଣବତ୍ତା ସହ ତାହାର ପ୍ୟାକେଜିଂ ମଧ୍ୟ ବହୁତ ଗୁରୁତ୍ୱ ବହନ କରେ । ଅନେକ ଥର ଭଲ ପ୍ୟାକିଂ ଯୋଗୁଁ ବଜାରରେ ଆମେ କୌଣସି ବସ୍ତୁକୁ ହାତରେ ଧରିଥାଉ । ପ୍ୟାକେଜିଂ ଦେଖି ହିଁ ଆମେ ସେହି ଉତ୍ପାଦ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାଉ । ଏହି କଥାକୁ ହୃଦୟଙ୍ଗମ କରି ଏବେ ପ୍ୟାକେଜିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ବନ୍ଧୁଗଣ,
ମହାରାଷ୍ଟ୍ରରେ ଆଦିବାସୀ ସମୁଦାୟ ନିଜେ ତିଆରି କରିଥିବା ଉତ୍ପାଦଗୁଡ଼ିକର ପ୍ୟାକେଜିଂ ଉପରେ ବହୁଳ ଭାବେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ସେମାନେ ଏଠାରେ ‘ଶବରୀ ନ୍ୟାଚୁରାଲ୍ସ’ ମାଧ୍ୟମରେ ମହୁ, ମହୁଲ, ଚାରମଞ୍ଜି ଏବଂ ବାଉଁଶରୁ ତିଆରି ଉତ୍ପାଦଗୁଡ଼ିକୁ ବଜାର ପ୍ରବେଶ କରାଇଛନ୍ତି । ଏହାର ପ୍ୟାକେଜିଂ ଉପରେ ଆଦିବାସୀ କଳାକୃତିର ପ୍ରଭାବ ରହିଛି । ଆପଣ ଏହାଜାଣି ଖୁସିହେବେ ଯେ ଏହି ପ୍ୟାକେଜିଂକୁ ଜାପାନର ମର୍ଯ୍ୟାଦାଜନକ ‘ଗୁଡ ଡିଜାଇନ୍ ପୁରସ୍କାର’ ମିଳିଛି । ଆମ ଯୁବବର୍ଗ ମଧ୍ୟ ଏହି କ୍ଷେତ୍ରରେ ନୂଆ ନୂଆ ପ୍ରୟୋଗ କରୁଛନ୍ତି । କର୍ଣ୍ଣାଟକର “ବାମ୍ବୁ” ଷ୍ଟାର୍ଟ-ଅପ୍ ବାଉଁଶ ଏବଂ କୃଷିକ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ପ୍ୟାକିଂ ସାମଗ୍ରୀ ତିଆରି କରୁଛନ୍ତି ।
ବନ୍ଧୁଗଣ,
ଯେତେବେଳେ ସ୍ଥାନୀୟ ଉତ୍ପାଦଗୁଡ଼ିକ ବିଷୟରେ ଆଲୋଚନା ହୋଇଥାଏ ସେତେବେଳେ ଖଦୀ କଥା ଉଠିବା ସ୍ୱାଭାବିକ । ଏଥର ଗାନ୍ଧି ଜୟନ୍ତୀ ଅବସରରେ ମାତ୍ର ଗୋଟିଏ ଦିନରେ ଖଦୀ ଗ୍ରାମୋଦ୍ୟୋଗର ୨୮ କୋଟିରୁ ଅଧିକ ଟଙ୍କାର ଦ୍ରବ୍ୟ ବିକ୍ରୟ ହୋଇଛି । ଏହା ଗତବର୍ଷଠାରୁ ଦେଢ଼ କୋଟି ଟଙ୍କା ଅଧିକ । ଅର୍ଥାତ୍ ଖଦୀର ଲୋକପ୍ରିୟତା କ୍ରମାଗତ ଭାବେ ବଢ଼ିଚାଲିଛି ଏବଂ ଏହାର ଲାଭ ସେହି ଲୋକଙ୍କ ନିକଟକୁ ମଧ୍ୟ ପହଞ୍ଚିପାରୁଛି ଯେଉଁମାନେ କୌଶଳ ଏବଂ ପରିଶ୍ରମ ଦ୍ୱାରା ଖଦୀ ହସ୍ତଶିଳ୍ପ ଭଳି ଅନେକ ବସ୍ତୁ ତିଆରି କରୁଛନ୍ତି ।
ବନ୍ଧୁଗଣ,
ପର୍ବପର୍ବାଣୀ ସମୟରେ ଆମେ ନିଜ ପରିବାର ଏବଂ ପ୍ରିୟଜନଙ୍କ ପାଇଁ ବହୁତ କିଛି କିଣାକିଣି କରିଥାଉ । ଏଥର ମଧ୍ୟ କିଣିବା ସମୟରେ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ତିଆରି ଉତ୍ପାଦଗୁଡ଼ିକୁ ଅଗ୍ରାଧିକାର ଦିଅନ୍ତୁ । ଆପଣ କ୍ରୟ କରିବା ଯୋଗୁଁ ସେମାନଙ୍କ ଉତ୍ସାହ ବୃଦ୍ଧି ପାଇବ । ଆପଣଙ୍କ ଏହି ଆତ୍ମୀୟ ଭାବ ‘ଭୋକାଲ ଫର୍ ଲୋକାଲ୍’ ଅଭିଯାନକୁ ଆହୁରି ଆଗକୁ ନେଇଯିବ ଏବଂ ‘ଭୋକାଲ ଫର୍ ଲୋକାଲ୍’ ଅଭିଯାନ ଯେତିକି ଆଗକୁ ବଢ଼ିବ ସେତିକି ଦ୍ରୁତଗତିରେ ଆତ୍ମନିର୍ଭର ଭାରତର ସ୍ୱପ୍ନ ମଧ୍ୟ ପୂରଣ ହେବ । ତେଣୁ ଆପଣ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ତିଆରି ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ, ଗୁରୁତ୍ୱ ଦିଅନ୍ତୁ ଏହା ମୋର ଆପଣମାନଙ୍କୁ ବ୍ୟକ୍ତିଗତ ଅନୁରୋଧ ।
ମୋର ପ୍ରିୟ ଦେଶବାସୀଗଣ,
ଆମ ଦେଶର ଲୋକଙ୍କର ଗୋଟିଏ ବଡ଼ ବିଶେଷତ୍ୱ ରହିଛି ଆମେ ନୂଆ ଟେକ୍ନୋଲୋଜିକୁ ବହୁତ ଶୀଘ୍ର ଆପଣାଇ ନେଇଥାଉ । ଟେକ୍ନୋଲୋଜିକୁ ଆମେ ଅତି ସହଜ ଭାବରେ ନିଜ ଜୀବନର ଅଂଶ ମଧ୍ୟ କରିଦେଇଥାଉ । ‘ଇ-ସଞ୍ଜିବନୀ’ ଯୋଜନା’ ଏହାର ଗୋଟିଏ ବହୁତ ଭଲ ଉଦାହରଣ । ଲୋକଙ୍କ ଜୀବନକୁ ସହଜ କରିବାରେ ଟେକ୍ନୋଲୋଜିକୁ କିଭଳି ଆହୁରି ଭଲଭାବେ ବ୍ୟବହାର କରାଯାଇପାରେ ତାହା ଏଥିରୁ ଜଣାପଡୁଛି । ମୋତେ ଏହାଦେଖି ବହୁତ ସନ୍ତୋଷ ଲାଭ ହୁଏ ଯେ ଏହା ମାଧ୍ୟମରେ ଏଯାବତ୍ ପ୍ରାୟ ୫୦ କୋଟି ଟେଲି-କନସଲ୍ଟେସନ୍ କରାଯାଇସାରିଛି । ଏହି ସଂଖ୍ୟା ବହୁତ ବଡ଼ । ଟେକ୍ନୋଲୋଜିର ଶକ୍ତି, ଆମ ଡାକ୍ତରମାନଙ୍କ ସେବାଭାବ ଏବଂ ଦେଶବାସୀଙ୍କ ବିଶ୍ୱାସର ଏହା ଏକ ସୁନ୍ଦର ଉଦାହରଣ ।
ବନ୍ଧୁଗଣ,
ଆଜି ଇ-ସଞ୍ଜିବନୀ ସେବା ଏହାର ବିଶାଳ ନେଟୱାର୍କ ମାଧ୍ୟମରେ ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ମଧ୍ୟ ପହଞ୍ଚିସାରିଛି । ଏହାର ଲାଭ ପାଉଥିବା ଲୋକଙ୍କ କାହାଣୀଗୁଡ଼ିକ ଆପଣଙ୍କୁ ଭାବପ୍ରବଣ କରିଦେବ। ଆଣ୍ଡାମାନ ନିକୋବରର ବାରାଟାଙ୍ଗ ଦ୍ୱୀପରେ ଜାରୱା ଜନଜାତିର ଓହୋ-ତାହାନେକୁ ପ୍ରବଳ ଜ୍ୱର ହୋଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ତାକୁ କଷ୍ଟ ହେଉଥିଲା । ସେଭଳି ପରିସ୍ଥିତିରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଇ-ସଞ୍ଜିବନୀ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଯୋଗାଯୋଗ କଲେ । ସେହି ପିଲାକୁ ନିମୋନିଆ ହୋଇଥିଲା ଏବଂ ଯେମିତି ସେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସାଧିନ ହେଲା, ତା’ର ସ୍ୱାସ୍ଥ୍ୟରେ ଦ୍ରୁତଗତିରେ ଉନ୍ନତି ହେବାକୁ ଲାଗିଲା ।
ବନ୍ଧୁଗଣ,
ଲାକ୍ଷାଦ୍ୱୀପର କାଲପେନିରେ ପ୍ରାୟ ୬୦ ବର୍ଷୀୟ କୁହ୍ନୀ କୋୟା ଜୀଙ୍କ ସ୍ୱାସ୍ଥ୍ୟ ଦିନେ ହଠାତ୍ ଅସୁସ୍ଥ ହୋଇଯାଇଥିଲା । ସେତେବେଳେ ଦରିଆପାରିର କାଭାରାତ୍ତିରେ ରହିଥିବା ଜଣେ ଅଭିଜ୍ଞ ଡାକ୍ତରଙ୍କ ସହିତ ଇ-ସଞ୍ଜିବନୀ ମାଧ୍ୟମରେ ଯୋଗାଯୋଗ କରାଗଲା । ସେହି ଅଭିଜ୍ଞ ଡାକ୍ତର ସ୍ଥାନୀୟ ଚିକିତ୍ସକ ଦଳଙ୍କୁ ମାର୍ଗଦର୍ଶନ ଦେଇଥିଲେ ଏବଂ କୁହ୍ନୀ କୋୟା ଜୀଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିଥିଲେ । ଲଦ୍ଦାଖର ଜାନସ୍କରରେ କୁଞ୍ଜାଙ୍ଗ୍ ଡୋଲମା ଜୀଙ୍କର ଗର୍ଭାବସ୍ଥା ସମୟରେ କିଛି ଜଟିଳତା ଦେଖାଦେଇଥିଲା । ସେହି ପରିସ୍ଥିତିରେ ଇ-ସଞ୍ଜିବନୀ ତାଙ୍କର କାମରେ ଲାଗିଲା ଏବଂ ବିଶେଷଜ୍ଞ ଡାକ୍ତର ତୁରନ୍ତ ତାଙ୍କୁ ସାହାଯ୍ୟ କରିଥିଲେ । ନାଗାଲାଣ୍ଡର ପେରେନରେ ୧୨ ବର୍ଷୀୟ ମୁସେମଙ୍କ କାନରେ ସଂକ୍ରମଣ ହେବାସହ ତାଙ୍କୁ ଜ୍ୱର ହୋଇଥିଲା । ତାଙ୍କୁ ମଧ୍ୟ ଇ-ସଞ୍ଜିବନୀ ଦ୍ୱାରା ଲାଭ ମିଳିଲା । ବିଶେଷଜ୍ଞ ଡାକ୍ତର ତୁରନ୍ତ ତାଙ୍କ ବ୍ୟାଧିକୁ ଚିହ୍ନଟ କରିଥିଲେ ଏବଂ ସଠିକ୍ ଔଷଧର ପରାମର୍ଶ ଦେଇଥିଲେ ।
ବନ୍ଧୁଗଣ,
ଦିନ ଥିଲା ଯେତେବେଳେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା, ଛୋଟିଆ ସ୍ୱାସ୍ଥ୍ୟ ପରୀକ୍ଷାଟିଏ କରିବା ପାଇଁ ମଧ୍ୟ ବହୁତ ସମୟ ଲାଗୁଥିଲା । ଅନେକ ଅସୁବିଧା ହେଉଥିଲା । ଆଜି ସାରାଦେଶରେ ପ୍ରାୟ ୧ ଲକ୍ଷ ୯୦ ହଜାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକଙ୍କ ଜୀବନରେ ନୂଆ ନୂଆ ସୁବିଧା ଆଣିଦେଇଛନ୍ତି । ଏହି ଆରୋଗ୍ୟ ମନ୍ଦିର ଏକ ପ୍ରକାର ପଞ୍ଚାୟତଗୁଡ଼ିକର ସୁସ୍ଥତା କେନ୍ଦ୍ର ରୂପେ ବିକଶିତ ହେଉଛନ୍ତି । ସବୁଠାରୁ ସୁଖକର କଥା ଏହା ଯେ ଏବେ ଗାଁର ଲୋକମାନେ ମଧ୍ୟ ନିୟମିତ ଭାବେ ସ୍ୱାସ୍ଥ୍ୟପରୀକ୍ଷା କରାଉଛନ୍ତି, ଯାହା ଫଳରେ ସେମାନେ ସୁସ୍ଥ ରହିବେ ଏବଂ ଏଥିରେ ଇ-ସଞ୍ଜିବନୀ ବହୁତ ବଡ଼ ଭୂମିକା ନିର୍ବାହ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଚଳିତ ମାସ ଆରମ୍ଭରେ ମୁଁ ଚେନ୍ନାଇ ଯାଇଥିଲି । ସେଠାରେ ଦେଶର ଅନେକ ବୈଜ୍ଞାନିକ, ଗବେଷକ ଏବଂ ଯୁବ ପ୍ରତିଭାମାନଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ଆମ ଯୁବବର୍ଗ ଆଜି ଏଭଳି ବିଷୟଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ମାନବ ଜାତିର ଭବିଷ୍ୟତ ବଦଳାଇପାରିବ । ସେଭଳି ଏକ କ୍ଷେତ୍ର ହେଉଛି ମସ୍ତିଷ୍କ ଗବେଷଣା । ମୁଁ ଆଇଆଇଟି ମାଡ୍ରାସରେ ଏହାସହ ଜଡ଼ିତ ‘ସୁଧା ଗୋପାଳକୃଷ୍ଣନ୍ ବ୍ରେନ୍ ସେଣ୍ଟର’କୁ ଲୋକାର୍ପିତ କରିଥିଲି । ଏହି ସେଣ୍ଟର ଗୋଟିଏ ମସ୍ତିଷ୍କ ଚିତ୍ରଣ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ତିଆରି କରିଛି ଯାହା ସାରା ବିଶ୍ୱ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛି । ଏହା ମାଧ୍ୟମରେ ମାନବ ମସ୍ତିଷ୍କର ଉଚ୍ଚ-ରିଜୋଲ୍ୟୁସନ୍ ବିଶିଷ୍ଟ ଡିଜିଟାଲ୍ ୩ଡି ଛବି ପ୍ରସ୍ତୁତ କରାଯାଉଛି । ଏଠାରେ ଆଗାମୀ ଦିନରେ ୧୦୦ଟି ମାନବ ମସ୍ତିଷ୍କର ୩ଡି ମ୍ୟାପିଂ କରି ଏହାର ସୂକ୍ଷ୍ମ ଭାବେ ଅଧ୍ୟୟନ କରିବାର ଲକ୍ଷ୍ୟ ରଖାଯାଇଛି । ସାରା ଦୁନିଆରେ ଏହା ପ୍ରଥମ ଏଭଳି ଅଭିଯାନ । ଏହି କାର୍ଯ୍ୟରେ ପରମ ଶକ୍ତି ସୁପର କମ୍ପ୍ୟୁଟରକୁ ବ୍ୟବହାର କରାଯାଉଛି ।
ବନ୍ଧୁଗଣ,
ଏହି ମସ୍ତିଷ୍କ କେନ୍ଦ୍ର ନିର୍ମାଣରେ ସରକାରଙ୍କ ସହ ଏକାଠି ମିଶି ଦେଶର ଶିଳ୍ପ ଜଗତ ଗୋଟିଏ ବଡ଼ ଭୂମିକା ନିର୍ବାହ କରିଛି । ଆଇଆଇଟି’ର ଅନେକ ପ୍ରାକ୍ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ୍ ମଧ୍ୟ ଏହି ଗବେଷଣା କେନ୍ଦ୍ର ପାଇଁ ଏକାଠି ହୋଇଛନ୍ତି । ଏହି ପ୍ରକଳ୍ପ ଏଥିପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ କାରଣ ବିଜ୍ଞାନର ଏତେ ଅଗ୍ରଗତି ସତ୍ତ୍ୱେ ମାନବ ମସ୍ତିଷ୍କ ଆଜି ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରହେଳିକା ହୋଇରହିଛି । ଆଜି ମଧ୍ୟ ଆଲଜାଇମର୍ ଏବଂ ଡିମେନ୍ସିଆ ଭଳି ବ୍ୟାଧି ରହିଛି, ଯାହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ତେଣୁ ବିଜ୍ଞାନ ମାନବ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ଯେତିକି ଗଭୀର ଭାବେ ବୁଝିପାରିବ, ଆଗାମୀ ସମୟରେ ସେତିକି ନୂଆ ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ସ୍ଥିର କରାଯାଇଛି ଯେ ୧୦୦ଟି ମାନବ ମସ୍ତିଷ୍କର ଏହି ତଥ୍ୟ ଆଗକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଗବେଷଣା ପାଇଁ ମୁକ୍ତ ଉତ୍ସ ଭାବରେ ଉପଲବ୍ଧ କରାଯିବ ।
ବନ୍ଧୁଗଣ,
ଏହିଭଳି ଉନ୍ନତ ଗବେଷଣା କ୍ଷେତ୍ରରେ ଅଙ୍ଗଦାନର ବହୁତ ବଡ଼ ଭୂମିକା ରହିଛି । ଯେଉଁ ଲୋକମାନେ ନିଜର ସମ୍ପୂର୍ଣ୍ଣ ଜୀବନ ବିତାଇସାରିଲା ପରେ ଅଙ୍ଗଦାନ କରୁଛନ୍ତି ସେମାନେ ଅନେକ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଏବଂ ଗବେଷଣାକୁ ମଧ୍ୟ ସମ୍ଭବ କରିପାରୁଛନ୍ତି । ମଧ୍ୟପ୍ରଦେଶର ନର୍ମଦାପୁରମର ଶିବାନୀ ଜୀ ଏହାର ଏକ ଉଦାହରଣ । ଶିବାନୀ ଜୀ ଗୋଟିଏ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ । ପରିବାର ଉପରେ ଚଡ଼କ ପଡ଼ିଗଲା । କିନ୍ତୁ ଏଭଳି କଠିନ ସମୟରେ ମଧ୍ୟ ତାଙ୍କ ପରିବାର ଲୋକମାନେ ଏଭଳି ଏକ ନିଷ୍ପତ୍ତି ନେଲେ ଯାହା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ହୋଇ ରହିବ । ସେହି ନିଷ୍ପତ୍ତିଟି ଥିଲା – ଶିବାନୀ ଜୀଙ୍କ ଅଙ୍ଗଦାନ । ଶିବାନୀ ଜୀଙ୍କ ପରିବାରର ଏହି ନିଷ୍ପତ୍ତି ଦ୍ୱାରା ସମାଜ ଏବଂ ଦେଶ ପାଇଁ ଏକ ବଡ଼ ବାର୍ତ୍ତା ଯାଇଥିଲା । ଏହିଭଳି ଏକ ମାନବୀୟ ପଦକ୍ଷେପ ଦ୍ୱାରା କୌଣସି ପରିବାରରେ ପୁଣିଥରେ ଖୁସି ଫେରିଆସିପାରେ ଏବଂ ତା’ସଙ୍ଗେ ସଙ୍ଗେ ଗବେଷଣା କ୍ଷେତ୍ରରେ ମଧ୍ୟ ବଡ଼ ସାହାଯ୍ୟ ମିଳେ ।
ମୋର ପ୍ରିୟ ଦେଶବାସୀଗଣ,
ମୋର ଚେନ୍ନାଇ ଗସ୍ତର ଆହୁରି ମଧ୍ୟ କେତୋଟି ଅନୁଭୂତି ମୁଁ ଆପଣମାନଙ୍କ ସହିତ ବାଣ୍ଟିବାକୁ ଚାହେଁ। ମୋର ପ୍ରଥମ ଅନୁଭୂତି ଥିଲା ମେଟ୍ରୋରେ ଯୁବ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା । ଆଇଆଇଟି ମାଡ୍ରାସ୍ ଗସ୍ତ ମୋର ଦ୍ୱିତୀୟ ଅନୁଭୂତି ଥିଲା । ଏ ଭିତରେ ମୁଁ ଦେଖିଲି ଆମର ଯୁବଶକ୍ତି ସମସ୍ୟାଗୁଡ଼ିକର ଅଭିନବ ସମାଧାନ ପାଇଁ କିଭଳି କାମ କରିପାରୁଛନ୍ତି । ମୁଁ ଯେଉଁ ଷ୍ଟାର୍ଟ-ଅପଗୁଡ଼ିକୁ ଭେଟିଲି ସେମାନଙ୍କ ଭିତରୁ ଗୋଟିଏ ସୁନାର ଗୁଣବତ୍ତାକୁ ପରୀକ୍ଷା କରିବା କାମ କରୁଥିଲା । ଏହାଦ୍ୱାରା ସୁନା କିଣାବିକାରେ ହେଉଥିବା ଠକାମି ରୋକାଯାଇପାରିବ । ଯୁବକମାନଙ୍କର ଗୋଟିଏ ଦଳ ଏଭଳି ଏକ ପ୍ଲାଟଫର୍ମ ଉପରେ କାମ କରୁଛନ୍ତି ଯାହା ସାହାଯ୍ୟରେ ବ୍ୟାଙ୍କ ଠକେଇ ଦ୍ୱାରା ଆତ୍ମସାତ କରାଯାଇଥିବା ଧନରାଶିକୁ ଖୁବଶୀଘ୍ର ପୁନରୁଦ୍ଧାର କରାଯାଇପାରିବ । ସେଇଭଳି ଆଉ ଗୋଟିଏ ଟିମ୍ ଗର୍ଭାଶୟ ମୁଖ କର୍କଟ ସ୍କ୍ରିନିଂରେ ଏଆଇ କେମିତି ସାହାଯ୍ୟ କରିପାରିବ ତା’ଉପରେ କାମ କରୁଛି । ବନ୍ଧୁଗଣ ଆଇଆଇଟିରେ ଏହି ଭାବବିନିମୟ ସମ୍ପୂର୍ଣ୍ଣ ଭାବେ ଡିପ୍-ଟେକ୍ ଉପରେ କେନ୍ଦ୍ରିତ ଥିଲା । ଏହି ଷ୍ଟାର୍ଟ-ଅପଗୁଡ଼ିକୁ ଆଇଆଇଟି ମାଡ୍ରାସର ଇନକ୍ୟୁବେସନ ଇକୋସିଷ୍ଟମରୁ ସାହାଯ୍ୟ ମିଳୁଛି । ଏଗୁଡ଼ିକ ଭିତରୁ ଗୋଟିଏ ଷ୍ଟାର୍ଟ-ଅପ୍ ସମୁଦ୍ର ଉପରେ ଉଡୁଥିବା ଇଲେକ୍ଟ୍ରିକ ବାହନ ଶୀଘ୍ର ଚାର୍ଜ କରିବା ପାଇଁ ବ୍ୟାଟେରୀ ନିର୍ମାଣ କରୁଛି । ଅନ୍ୟ ଏକ ଦଳ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏଆଇର ବ୍ୟବହାର ଉପରେ କାମ କରୁଛି ।
ବନ୍ଧୁଗଣ,
ଆଜି ଆମର ଯୁବକମାନେ ଏତେ ଅସାଧାରଣ କାମ କରିପାରୁଛନ୍ତି ତା’ର କାରଣ ହେଲା ତାଙ୍କୁ ଉପଯୁକ୍ତ ବାତାବରଣ ଏବଂ ସହଯୋଗ ମିଳୁଛି । ଦେଖିବାକୁ ଗଲେ ଆମ ଦେଶରେ ପ୍ରତିଭାର ଅଭାବ ନାହିଁ । ଆଜିଠାରୁ ଦିନ କେଇଟା ପରେ ଅକ୍ଟୋବର ୩୧ ତାରିଖରେ ଭାରତର ଜଣେ ମହାନ ବୈଜ୍ଞାନିକ ନରିନ୍ଦର ସିଂ କପାନୀ ଜୀଙ୍କ ୧୦୦ତମ ଜୟନ୍ତୀ ପଡ଼ିବ । ଦୁନିଆ ତାଙ୍କୁ ଫାଇବର ଅପଟିକ୍ସର ଜନକ ଭାବେ ଜାଣେ । ତାଙ୍କର ଜନ୍ମ ପଞ୍ଜାବର ମୋଗା ଜିଲ୍ଲାରେ ହୋଇଥିଲା । ଆଲୋକକୁ ଅତି ସୂକ୍ଷ୍ମ ଫାଇବର ମାଧ୍ୟମରେ ଆଗକୁ ପହଞ୍ଚାଇବାର ଟେକନିକରେ ତାଙ୍କର ଉଚ୍ଚତର ଗବେଷଣା ସଞ୍ଚାର କ୍ଷେତ୍ରରେ ଦୁନିଆକୁ ନୂତନ ଦିଗଦର୍ଶନ ଦେଇଛି । ଆଜି ଆମେମାନେ ଇଣ୍ଟରନେଟ୍ ଏବଂ ଡିଜିଟାଲ କମ୍ୟୁନିକେସନର ଯେଉଁ ଯୁଗରେ ବଞ୍ଚିଛୁ, ଫାଇବର ଅପଟିକ୍ସ ବିନା ଆମେ ତା’ର କଳ୍ପନା କରିପାରିବା ନାହିଁ । ଆଜିର ଏହି ଅବସରରେ ନରିନ୍ଦର ସିଂ କପାନୀ ଜୀଙ୍କୁ ମୁଁ ପ୍ରଣାମ ଜଣାଉଛି । ମୁଁ ଚାହେଁ ଆମ ଯୁବବନ୍ଧୁମାନେ କପାନୀ ଜୀଙ୍କ ଭଳି ବୈଜ୍ଞାନିକମାନଙ୍କ ବିଷୟରେ ପଢ଼ନ୍ତୁ, ଜାଣନ୍ତୁ ଏବଂ ତାଙ୍କଠାରୁ ପ୍ରେରଣା ଗ୍ରହଣ କରନ୍ତୁ ।
ବନ୍ଧୁଗଣ,
କିଛିଦିନ ପରେ ଅକ୍ଟୋବର ୩୧ ତାରିଖ ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ । ଏହି ଦିନକୁ ଦେଶ ‘ଏକତା ଦିବସ’ ରୂପେ ପାଳନ କରେ । ଏହି ଉପଲକ୍ଷେ ସମଗ୍ର ଦେଶରେ ‘ଏକତା ଦୌଡ଼’ ଅର୍ଥାତ୍ ‘ଏକତା ପାଇଁ ଦୌଡ଼’ର ଆୟୋଜନ କରାଯାଏ । ‘ଏକତା ପାଇଁ ଦୌଡ଼’ ଆମ ଏକତାକୁ ମଜଭୁତ କରିବା ପାଇଁ, ଦେଶ ପ୍ରତି ଆମ ସଂକଳ୍ପକୁ ଦୋହରାଇବା ପାଇଁ ଏକ ବହୁତ ବଡ଼ ସୁଯୋଗ। ମୋର ଆପଣମାନଙ୍କୁ ନିବେଦନ ଯେ ଏଥର ବି ‘ଏକତା ପାଇଁ ଦୌଡ଼’ରେ ଆପଣମାନେ ଖୁବ୍ ଉତ୍ସାହର ସହ ଭାଗ ନିଅନ୍ତୁ । ନିଜ ପରିବାର, ସାଙ୍ଗସାଥୀ ଓ ଆଖପାଖର ଲୋକମାନଙ୍କୁ ମଧ୍ୟ ନିଜ ସହିତ ସାମିଲ କରନ୍ତୁ ।
ବନ୍ଧୁଗଣ,
ଆପଣ ସମସ୍ତଙ୍କର ମନେଥିବ ଭାରତର ଆହ୍ୱାନରେ ୨୦୨୩ ମସିହାକୁ ‘ଅନ୍ତର୍ଜାତୀୟ ମିଲେଟ୍ ବର୍ଷ’ ରୂପେ ପାଳନ କରାଯାଇଥିଲା । ସମଗ୍ର ବିଶ୍ୱରେ ଏହା ଉପରେ ଖୁବ୍ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା । ଏହି ପ୍ରଚେଷ୍ଟା ଦ୍ୱାରା ଲୋକମାନେ ଜାଣିପାରିଲେ ଯେ ସୁପର ଫୁଡ୍ ଶ୍ରୀଅନ୍ନ ଅର୍ଥାତ୍ ମିଲେଟ୍, ଆମ ସଂସ୍କୃତି ସହ କିପରି ଗଭୀର ଭାବେ ସଂଶ୍ଳିଷ୍ଟ । ଉତ୍ତର-ପୂର୍ବରେ ବି ମିଲେଟ୍ ଚାଷର ଏକ ସମୃଦ୍ଧ ପରମ୍ପରା ରହିଆସିଛି । କିନ୍ତୁ ସମୟ ସହ ଲୋକମାନେ ଏଥିରୁ ଦୂରେଇଯାଇଥିଲେ । ଏବେ ଏହି ପରିସ୍ଥିତି ବଦଳିବାରେ ଲାଗିଛି ।
ବନ୍ଧୁଗଣ,
ମେଘାଳୟର ପଶ୍ଚିମ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଖାଣ୍ଡୁଲି ନାମରେ ଏକ ଗାଁ ରହିଛି । ଏଠି ପିଢ଼ି-ପିଢ଼ି ଧରି ମାଣ୍ଡିଆ ଜାତୀୟ ଶସ୍ୟ, ସ୍ଥାନୀୟ ଖାଦ୍ୟ ସଂସ୍କୃତିର ପ୍ରମୁଖ ଅଂଶ ହୋଇ ରହିଆସିଛି । କିନ୍ତୁ କିଛିବର୍ଷ ହେଲାଣି, ଏଠି ଏହାକୁ ଚାଷ କରୁଥିବା କୃଷକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ଏପରି ସ୍ଥିତିରେ ଏଠିକାର ଦୁଇଜଣ ବାନ୍ଧବୀ ଗୋଟିଏ ନୂଆ ପ୍ରଚେଷ୍ଟା ଆରମ୍ଭ କଲେ । ସେମାନେ ମିଲେଟ୍ସରୁ ନୂଆ ଉତ୍ପାଦ ତିଆରି କରିବା ଉପରେ ଧ୍ୟାନ ଦେଲେ । ମିଲେଟ୍ସରେ ମୂଲ୍ୟ ଯୋଗ କରି ସେମାନେ କୁକିଜ୍, କେକ୍, ମଫିନ୍ସ ଓ ମିଲେଟ୍ସରୁ ଶିଶୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ କଲେ । ଏହାଦ୍ୱାରା ମିଲେଟ୍ସରୁ ପ୍ରସ୍ତୁତ ଉତ୍ପାଦରେ ବିକ୍ରି ବୃଦ୍ଧି ପାଇଲା ଓ ମିଲେଟ୍ସର ଚାହିଦା ବି ବଢ଼ିବାରେ ଲାଗିଲା । ଏହାଦ୍ୱାରା ଏଠିକାର ଚାଷୀମାନେ ବି ପୁଣିଥରେ ମିଲେଟ୍ସ ଚାଷ କରିବା ଆରମ୍ଭ କଲେ । ବନ୍ଧୁଗଣ, ମେଘାଳୟର ପଶ୍ଚିମ ଗୋରୋହିଲ୍ସ ଜିଲ୍ଲାର ସାଦୋଲପାଡା ଗାଁରେ ବି କିଛି ନୂଆ ପ୍ରଚେଷ୍ଟା ଜାରି ରହିଛି । ଏହି ଗାଁର ଚାଷୀ ଚେକଜିଙ୍ଗ ସଂଗମା ଜୀ ମିଲେଟ୍ସର ମହତ୍ତ୍ୱକୁ ବୁଝି ଆଧୁନିକ ଉପାୟରେ ଏହାର ଚାଷ ଆରମ୍ଭ କରିଛନ୍ତି । ଏହାଦ୍ୱାରା ତାଙ୍କର ଆୟ ମଧ୍ୟ ବଢ଼ିଛି ଓ ଗାଁରେ ସଚେତନତା ବି ସୃଷ୍ଟି ହୋଇପାରିଛି । ଏହିପରି ନାଗାଲାଣ୍ଡର କୋହିମାର ଗୋଟିଏ ଗାଁ ହେଉଛି କେଜୋମା । ଏହି ଗାଁରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମିଲେଟ୍ସ ଚାଷ ବନ୍ଦ ଥିଲା । ଏହା ଫଳରେ ଏଠିକାର ଗୋଟିଏ ପିଢ଼ି ସମ୍ପୂର୍ଣ୍ଣ ରୂପେ ଏହି ପାରମ୍ପରିକ ଫସଲ ସମ୍ପର୍କରେ ଅଜ୍ଞ ରହିଲେ । ଭାବନ୍ତୁ ତ, ଯେଉଁ ଫସଲକୁ ସେମାନଙ୍କ ଜେଜେବାପା-ଜେଜେମା’ ଚାଷ କରୁଥିଲେ, ତାକୁ ସେହି ଗାଁର ଲୋକମାନେ ହିଁ ଭୁଲିବାକୁ ଲାଗିଲେ । ୨୦୨୪ ମସିହାରେ ଏଠିକାର ଲୋକମାନେ ପୁଣିଥରେ ମିଲେଟ୍ସ ଚାଷ କରିବା ଆରମ୍ଭ କରିଛନ୍ତି । ୨୦୨୫ ମସିହାରେ କେଜୋମା ତା’ର ପ୍ରଥମ ମିଲେଟ୍ ମହୋତ୍ସବ ପାଳନ କରିଥିଲା । ଏବେ ଏଠାରେ ମଧ୍ୟ ମିଲେଟ୍ସରୁ ପ୍ରସ୍ତୁତ ଜିନିଷମାନଙ୍କର ଚାହିଦା ବହୁଳ ଭାବେ ବଢ଼ିଛି । ବନ୍ଧୁଗଣ, ମିଲେଟ୍ ଚାଷ ସହ ଜଡ଼ିତ ଏହି ଉଦାହରଣ ସ୍ୱୟଂ ଏକ ବଡ଼ ବାର୍ତ୍ତା ଦେଉଛି । ଏହି ଉଦାହରଣ କହୁଛି ଯେ କିପରି ଆମ ଯୁବବର୍ଗ ପାରମ୍ପରିକ ଫସଲଗୁଡ଼ିକୁ ନୂତନ ସୁଯୋଗ ସହ ସଂଶ୍ଳିଷ୍ଟ କରୁଛନ୍ତି, ଆଉ କିପରି ଆମ ଗାଁ ଆମ ଐତିହ୍ୟକୁ ଭାବେ ଧରିରଖି ସମୃଦ୍ଧି ପଥରେ ଅଗ୍ରସର ହେବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ,
ଆସନ୍ତାକାଲି, ଅକ୍ଟୋବର ୨୬ ତାରିଖ ଦିନ ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ । ହଜାର ହଜାର ବର୍ଷ ବିତିଗଲାଣି, କିନ୍ତୁ ମହର୍ଷି ବାଲ୍ମିକୀଙ୍କ ରାମାୟଣ ଆଜି ବି ଆମକୁ କିଛି ନୂଆ ଶିକ୍ଷା ଦେଉଛି । ମହର୍ଷି ବାଲ୍ମିକୀ ରାମାୟଣ ମାଧ୍ୟମରେ ଆମକୁ ଜୀବନ ସମ୍ପର୍କରେ ଗଭୀର ଶିକ୍ଷା ପ୍ରଦାନ କରିଛନ୍ତି । ଗୋଟିଏ ପଟେ ସେ ନିରନ୍ତର ପ୍ରଚେଷ୍ଟା କରିବାର ବାର୍ତ୍ତା ଦେଉଛନ୍ତି ତ ଅନ୍ୟପଟେ ସେବା, କରୁଣା ଓ ସାମାଜିକ ସଦ୍ଭାବର ମହତ୍ତ୍ୱ ବୁଝାଉଛନ୍ତି । ବାଲ୍ମିକୀ ରାମାୟଣରେ ଭଗବାନ ରାମଙ୍କର ଚରିତ୍ର ଏହି ମୂଲ୍ୟବୋଧଗୁଡ଼ିକର ଖୁବ୍ ସୁନ୍ଦର ଉଦାହରଣ । ଭଗବାନ ରାମ ମାତା ଶବରୀଙ୍କ ପ୍ରେମ ଓ ଭକ୍ତିକୁ ଗ୍ରହଣ କଲେ । ନିଷାଦରାଜଙ୍କ ମିତ୍ରତାକୁ ସମ୍ମାନ ଦେଲେ । ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ଭାବନା ଆଜି ବି ଆମମାନଙ୍କୁ ଦିଗଦର୍ଶନ ଦେଉଛି । ଏହି ଭାବନାର ପ୍ରତିବିମ୍ବ ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ବି ଦେଖିବାକୁ ମିଳେ । ସେଠି ମହର୍ଷି ବାଲ୍ମିକୀ, ନିଷାଦରାଜ ଓ ମାତା ଶବରୀଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି । ମୁଁ ଖୁବ୍ ଆନନ୍ଦିତ ଯେ ଅଯୋଧ୍ୟାରେ ନିର୍ମିତ ଏୟାରପୋର୍ଟର ନାଁ ମଧ୍ୟ ମହର୍ଷି ବାଲ୍ମିକୀ ଜୀଙ୍କ ନାମ ଅନୁସାରେ ରଖାଯାଇଛି । ଏପରି ପ୍ରଚେଷ୍ଟାଗୁଡ଼ିକ ଆମର ସେହି ମହାନ ପରମ୍ପରାକୁ ସମୃଦ୍ଧ କରୁଛନ୍ତି ଯେଉଁଠି ସେବା, ସଦ୍ଭାବନା ଓ କରୁଣାକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।
ମୋର ପ୍ରିୟ ଦେଶବାସୀଗଣ,
ଭାରତ ଭୂମିରେ ଏପରି ଅନେକ ମହାନ ବ୍ୟକ୍ତି ଜନ୍ମ ନେଇଛନ୍ତି ଯେଉଁମାନେ ନିଜର ଅଲିଭା ସ୍ୱାକ୍ଷର ଛାଡିଯାଇଛନ୍ତି । ଏପରି ଜଣେ ମହାନ ବ୍ୟକ୍ତିତ୍ୱ ହେଉଛନ୍ତି – ଭାଇ ପରମାନନ୍ଦଜୀ । କିଛିଦିନ ପରେ ନଭେମ୍ବର ୪ ତାରିଖ ଦିନ ଆମେ ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବା । ଭାଇ ପରମାନନ୍ଦଜୀଙ୍କ ପ୍ରେରଣା ଓ ଆଦର୍ଶର ବଡ଼ ଉତ୍ସ ଥିଲା ଆର୍ଯ୍ୟ ସମାଜ ସହ ତାଙ୍କର ଘନିଷ୍ଠ ସମ୍ପୃକ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଭାଇ ପରମାନନ୍ଦ ଜୀ ଆର୍ଯ୍ୟସମାଜ କାର୍ଯ୍ୟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ । ସେଠାରେ ପୂଜ୍ୟ ବାପୁଜୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସେ ଗାୟାନାର ଗିରମିଟିଆ ସମାଜ ସହ ରହି କାମ କରିଛନ୍ତି; ଯାହା ସେ ସମୟରେ ଆର୍ଯ୍ୟ ସମାଜର ସ୍ମାରକସ୍ଥଳକୁ ଯିବାର ସୌଭାଗ୍ୟ ମିଳିଥିଲା ।
ବନ୍ଧୁଗଣ, ଭାଇ ପରମାନନ୍ଦ ଜୀ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କୁହାଯାଏ ଭାଇ ପରମାନନ୍ଦଜୀ ହିଁ ଲାଲ ହରଦୟାଲ ଜୀଙ୍କୁ ଆମେରିକା ଯିବାପାଇଁ ରାଜି କରାଇଥିଲେ । ସେ ଗଦର ପାର୍ଟିର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ପ୍ରଭାବ ଏତେ ବ୍ୟାପକ ଥିଲା ଯେ ଇଂରେଜମାନେ ତାଙ୍କୁ କଳାପାଣି ନିର୍ବାସନର ଦଣ୍ଡ ଦେଇଥିଲେ । ତାଙ୍କର ଏକ ପୁସ୍ତକ ହେଉଛି ‘ଆପବିତି: କାଲେ ପାନୀ କି କାରାବାସ କହାନୀ’ । ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନକୁ ବୁଝିବା ପାଇଁ ଏ ପୁସ୍ତକକୁ ନିଶ୍ଚିତ ରୂପେ ପଢ଼ିବା ଦରକାର । ଦଣ୍ଡ ସମାପ୍ତି ପରେ ଭାଇ ପରମାନନ୍ଦ ଜୀ ଶିକ୍ଷା କ୍ଷେତ୍ରରେ ପାଦ ରଖିଥିଲେ । ଆପଣ ଏହାଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ବୀର ଭଗତ ସିଂହଙ୍କୁ ମଧ୍ୟ ଶିକ୍ଷାଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ବର୍ଷ ଯାଏ ହିନ୍ଦୁ ମହାସଭା ସହ ମଧ୍ୟ ଜଡ଼ିତ ହୋଇ ରହିଥିଲେ । ଦେଖିବାକୁ ଗଲେ ଗାନ୍ଧିଜୀଙ୍କ ଠାରୁ ଆରମ୍ଭ କରି ଗାୟନା ଯାଏ, ଗଦରରୁ ନେଇ ଆଣ୍ଡାମାନ ଯାଏ ତାଙ୍କର ବ୍ୟକ୍ତିତ୍ୱ ଖୁବ୍ ପ୍ରେରଣାଦାୟକ । ମୁଁ ଭାଇ ପରମାନନ୍ଦ ଜୀଙ୍କୁ ସମ୍ମାନର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଯୁବ ବନ୍ଧୁମାନଙ୍କୁ ମୋର ନିବେଦନ ସେ ତାଙ୍କ ବିଷୟରେ ଜାଣନ୍ତୁ ଓ ଅନ୍ୟମାନଙ୍କୁ ଜାଣିବା ପାଇଁ ପ୍ରେରିତ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଆଗାମୀ ଦିନମାନଙ୍କରେ ଦୀପାବଳୀ, ଛଠ ମହାପର୍ବ ଓ ଅନ୍ୟାନ୍ୟ ପର୍ବପର୍ବାଣୀମାନଙ୍କର ଜାକଜମକ ଦେଖିବାକୁ ମିଳିବ । ଆପଣ ସୁସ୍ଥ ଓ ସୁରକ୍ଷିତ ରହି ପରିବାର ସହ ପର୍ବପର୍ବାଣୀ ପାଳନ କରନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ନିଜ ଖୁସିରେ ସାମିଲ କରନ୍ତୁ । ମୁଁ ଆପଣମାନଙ୍କୁ ଆଗାମୀ ପର୍ବପର୍ବାଣୀର ଶୁଭକାମନା ଜଣାଉଛି । ସବୁଥର ପରି ଏଥର ବି ମୁଁ ଆପଣମାନଙ୍କ ବାର୍ତ୍ତା ଓ ପରାମର୍ଶକୁ ଅପେକ୍ଷା କରି ରହିଛି । ଆପଣମାନଙ୍କ ପରାମର୍ଶ ଦ୍ୱାରା ‘ମନ୍ କି ବାତ୍’କୁ ନୂତନ ବିଷୟ ମିଳେ, ନୂତନ ଦିଗଦର୍ଶନ ମିଳେ । ଆସନ୍ତା ମାସରେ ଆମେ ପୁଣି ଭେଟହେବା, ଦେଶବାସୀଙ୍କର ନୂତନ ପ୍ରଚେଷ୍ଟା ଓ ନୂତନ ପ୍ରେରଣାଦାୟୀ କାହାଣୀ ସହ ।
ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।
******
Join LIVE... #MannKiBaat
— PMO India (@PMOIndia) October 25, 2026
#MannKiBaat is, for me, nothing less than a pilgrimage - a journey to closely understand the efforts of our people and to salute their contributions: PM @narendramodi https://t.co/GjvgZuitXU
— PMO India (@PMOIndia) October 25, 2026
An inspiring initiative is reviving traditional farming practices in Punjab... #MannKiBaat https://t.co/YGKv7c5hZ0
— PMO India (@PMOIndia) October 25, 2026
A commendable community effort in Uttarakhand is helping revive the Heval River and restore natural water sources... #MannKiBaat https://t.co/ZT6IgpPDIv
— PMO India (@PMOIndia) October 25, 2026
Bihar's Makhana and Karnataka's Arhar Dal are finding new markets across the world. Maharashtra's tribal products are gaining recognition through packaging that reflects the richness of tribal art. The popularity of Khadi is growing, supporting the artisans whose skills keep our traditions alive. Let's strengthen Vocal for Local by choosing products made by our local artisans. #MannKiBaat
— PMO India (@PMOIndia) October 25, 2026
Technology is bringing healthcare closer to people, even in the remotest corners of India. e-Sanjeevani is making timely medical advice more accessible to all. #MannKiBaat https://t.co/l5O5olBkPD
— PMO India (@PMOIndia) October 25, 2026
IIT Madras is advancing brain research to help scientists better understand the human brain. #MannKiBaat https://t.co/PsDfzdd9j8
— PMO India (@PMOIndia) October 25, 2026
Remembering Narinder Singh Kapany Ji, the Father of Fiber Optics, whose pioneering work transformed modern communication. #MannKiBaat https://t.co/G2XhoEg6Ut
— PMO India (@PMOIndia) October 25, 2026
Traditional millet farming is making a comeback in Meghalaya and Nagaland. It is creating new opportunities for farmers in the Northeast. #MannKiBaat https://t.co/AMMMS5sEak
— PMO India (@PMOIndia) October 25, 2026
Tributes to Maharishi Valmiki, whose Ramayan continues to inspire generations with its timeless wisdom and teachings. #MannKiBaat https://t.co/I9cQPINwyy
— PMO India (@PMOIndia) October 25, 2026
Bhai Parmanand Ji's life is a story of courage, sacrifice and dedication to the nation. Remembering his invaluable contribution to India's freedom struggle. #MannKiBaat https://t.co/Ckm9vmY7pL
— PMO India (@PMOIndia) October 25, 2026
Very inspiring efforts from across India highlighted in today’s #MannKiBaat. Join in… https://t.co/1QIa12bGCo
— Narendra Modi (@narendramodi) October 25, 2026