୨୦୧୦ ମସିହାରେ ୧୪ଟି ପଦକରୁ ଆରମ୍ଭ ହୋଇ ୧୧୪ଟି ପଦକ ହାସଲ କରିବା ପର୍ଯ୍ୟନ୍ତ ଏହି ଚମତ୍କାର ଯାତ୍ରା ଆପଣମାନଙ୍କ ନିରନ୍ତର କଠିନ ପରିଶ୍ରମ ଏବଂ ନିଷ୍ଠାର ଏକ ଜ୍ୱଳନ୍ତ ପ୍ରମାଣ : ପ୍ରଧାନମନ୍ତ୍ରୀ
ଅଲିମ୍ପିକ୍ସ ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରି, ଏଥର ମୁଁ ଲାଲକିଲ୍ଲାର ପ୍ରାଚୀରରୁ ଆମର ଯୁବବର୍ଗଙ୍କୁ ଆଗକୁ ଆସିବାକୁ ଏବଂ ପ୍ରତିଭା ଅନ୍ୱେଷଣ ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜଣାଇଛି : ପ୍ରଧାନମନ୍ତ୍ରୀ
ସରକାର ଖେଲୋ ଇଣ୍ଡିଆ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ; ବର୍ତ୍ତମାନ ଆମର କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଶିଳ୍ପ ପାଇଁ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାର ସମୟ ଆସିଛି : ପ୍ରଧାନମନ୍ତ୍ରୀ
ଯେକୌଣସି ଭାରତୀୟ କିମ୍ବା ବିଦେଶୀ ଖେଳାଳି ଯେତେବେଳେ ଖେଳ ପଡ଼ିଆକୁ ଓହ୍ଲାନ୍ତି, ସେତେବେଳେ ସେମାନଙ୍କର କ୍ରୀଡ଼ା ସରଞ୍ଜାମ, ପୋଷାକ ଏବଂ ଜୋତା ‘ମେଡ୍ ଇନ୍ ଇଣ୍ଡିଆ‘ ହେବା ଉଚିତ୍ : ପ୍ରଧାନମନ୍ତ୍ରୀ
ଆମେ ଚାହୁଁ ଯେ ଭାରତ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରୁ ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ସାମଗ୍ରୀ ମଧ୍ୟ ଉତ୍ପାଦନ କରୁ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ କ୍ରୀଡ଼ା କମ୍ପ୍ଳେକ୍ସ ଠାରେ ‘ଏସୀୟ ପାରା କ୍ରୀଡ଼ା ୨୦୨୬’ ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କିଛି ସପ୍ତାହ ପୂର୍ବେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଦଳ ସହ କଥା ହେବା ପରେ, ସେ ଏସୀୟ ପାରା କ୍ରୀଡ଼ାର ଖେଳାଳିମାନଙ୍କୁ ଭେଟିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଖେଳାଳିମାନଙ୍କର ଏହି ଚମତ୍କାର ପ୍ରଦର୍ଶନ ବିଶ୍ୱସ୍ତରରେ ଏକ ପ୍ରମୁଖ କ୍ରୀଡ଼ା ଶକ୍ତି ଭାବରେ ଭାରତର ଦ୍ରୁତ ଉତ୍ଥାନକୁ ପ୍ରତିଫଳିତ କରୁଛି। ୧୪୦ କୋଟି ଦେଶବାସୀଙ୍କ ତରଫରୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ, ସେମାନଙ୍କ ପରିବାରବର୍ଗ, ପ୍ରଶିକ୍ଷକ ଏବଂ କୋଚ୍ମାନଙ୍କୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ଖେଳାଳିମାନେ କେବଳ ଏକ ବିଶାଳ ମଞ୍ଚରେ ପଦକ ଜିତିନାହାନ୍ତି, ବରଂ ସମଗ୍ର ଦେଶର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ମଧ୍ୟ ଜିତିଛନ୍ତି।
୨୦୧୦ ପାରା ଏସୀୟ କ୍ରୀଡ଼ାରେ ଭାରତର କ୍ରୀଡ଼ା ଅଂଶଗ୍ରହଣକୁ କେବଳ ଔପଚାରିକତା ଭାବରେ ବିବେଚନା କରାଯାଉଥିଲା ଏବଂ ଦେଶ ପାରା-କ୍ରୀଡାରେ ମାତ୍ର ଗୋଟିଏ ସ୍ୱର୍ଣ୍ଣ ଏବଂ ୧୪ ମୋଟ ପଦକ ସହିତ ପଛରେ ପଡ଼ିଯାଇଥିଲା। ସେହି ଅତୀତ ସହିତ ତୁଳନା କରି ଦଳଟିର ଐତିହାସିକ ଲମ୍ଫ ୧୧୪ ପଦକକୁ ଉନ୍ନୀତ ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେଉଁଥିରେ ୩୦ ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୯ କାଂସ୍ୟ ସହିତ ପାଞ୍ଚଟି ବିଶ୍ୱ ରେକର୍ଡ ଏବଂ ନଅଟି ଏସୀୟ ରେକର୍ଡ ଅନ୍ତର୍ଭୁକ୍ତ। ୫୬ ଜଣ ମହିଳା ଖେଳାଳିଙ୍କ ମଧ୍ୟରୁ ୩୪ ଜଣ ପଦକ ଜିତିଥିବା କଥା ସେ ଉଲ୍ଲେଖ କରିଥିଲେ। ଭାରତୀୟ ଖେଳାଳିମାନେ ଚାରୋଟି ଇଭେଣ୍ଟରେ ପୋଡିୟମ୍ର ତିନୋଟିଯାକ ସ୍ଥାନ (ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ) ହାସଲ କରିଥିବା ଏବଂ କେବଳ ଶେଷ ଦିନରେ ଦଳ ୯ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବିଷୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସେମାନଙ୍କର ଅବିରତ ଉତ୍ସାହ ଓ ଜିତିବାର ଦୃଢ଼ ଇଚ୍ଛାଶକ୍ତିର ପ୍ରଶଂସା କରିଥିଲେ। ୧୪ ରୁ ୧୧୪ ପଦକ ପର୍ଯ୍ୟନ୍ତ ଏହି ଯାତ୍ରା ସେମାନଙ୍କର କଠିନ ପରିଶ୍ରମର ପରିଣାମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ଭାରତୀୟ କ୍ରୀଡ଼ାବିତ୍ମାନେ ପୂର୍ବରୁ କେବେ ସଫଳ ହୋଇନଥିବା ବିଭିନ୍ନ ଇଭେଣ୍ଟରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୋନା ଅଗ୍ରୱାଲ ପାରା ସୁଟିଂରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏବଂ ହାନି ନିଜର ପୂର୍ବ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି ।, “ହିମାଂଶୁ, ରବି ଏବଂ ଜେହାନ ନିଜର ପ୍ରଦର୍ଶନ ମାଧ୍ୟମରେ ଶାରୀରିକ ପ୍ରତିବନ୍ଧକଗୁଡ଼ିକୁ କିପରି ପରାସ୍ତ କରାଯାଇପାରେ ତାହା ସମଗ୍ର ବିଶ୍ୱକୁ ଦେଖାଇ ଦେଇଛନ୍ତି।”
ଯଦିଓ ବିଶ୍ୱ କେବଳ ବ୍ୟକ୍ତିଗତ କିମ୍ବା ସାମୂହିକ ବିଜୟର ଉଜ୍ଜ୍ୱଳତା ଦେଖିଥାଏ, ତଥାପି ସଫଳତାର ଏହି ବିଶାଳ ସୌଧ ବର୍ଷ ବର୍ଷ ଧରି କରାଯାଇଥିବା ଅଦୃଶ୍ୟ ପରିଶ୍ରମ, ସ୍ଵେଦ ଏବଂ ଅବିଚଳିତ ସାଧନା ଉପରେ ଛିଡ଼ା ହୋଇଥାଏ। ଏହି ପ୍ରସଙ୍ଗରେ ସେ କ୍ରୀଡ଼ାବିତ୍ ରିଙ୍କୁଙ୍କ କଥା ଉଲ୍ଲେଖ କରିଥିଲେ, ଯିଏ ଏସୀୟ ପାରା କ୍ରାଡାର ମାତ୍ର ଦୁଇ ମାସ ପୂର୍ବେ ନିଜ ମା’ଙ୍କୁ ହରାଇବା ପରେ ମଧ୍ୟ ସାହସ ହରାଇ ନଥିଲେ। ସ୍ୱର୍ଣ୍ଣ ପଦକ ଜିତିବା ପରେ ନିଜ ମା’ଙ୍କ ଫଟୋଚିତ୍ର ଉପରକୁ ଉଠାଇ ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ସେହି ମୁହୂର୍ତ୍ତଟି ଆମ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।”
ଖେଳାଳିମାନଙ୍କ ସଂଘର୍ଷ ଓ ସଫଳତାକୁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନଙ୍କ ବ୍ୟକ୍ତିଗତ ଯାତ୍ରା ଏବଂ ଦେଶର ବିକାଶ ଯାତ୍ରା ମଧ୍ୟରେ ଏକ ଗଭୀର ସାମଞ୍ଜସ୍ୟ ରହିଛି। ଆଜି ସେମାନଙ୍କର ପ୍ରୟାସ ଏବଂ ଦେଶର ପ୍ରୟାସ ଏକତ୍ରିତ ହୋଇ ଏକ ଅପରାଜେୟ ଶକ୍ତିରେ ପରିଣତ ହେଉଛି।
ଯେପରି ଖେଳାଳିମାନେ ପ୍ରତିକୂଳ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ନଥିଲେ, ସେହିପରି ଦେଶ ମଧ୍ୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ସଂକଳ୍ପବଦ୍ଧ ହୋଇଛି, ଯାହାଫଳରେ ଯୁବ ପ୍ରତିଭା ବ୍ୟର୍ଥ ଯିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶ ସେମାନଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି ବୋଲି ଯୁବ ଖେଳାଳିଙ୍କ ମନରେ ଏହା ବିଶ୍ୱାସ ସୃଷ୍ଟି କରିଛି। ତୀରନ୍ଦାଜୀ, ଆଥଲେଟିକ୍ସ, ସୁଟିଂ, ସନ୍ତରଣ, ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ, ଜୁଡୋ ଏବଂ ପାୱାରଲିଫ୍ଟିଂ ଭଳି କ୍ରୀଡ଼ାରେ ଭାରତର ବର୍ଦ୍ଧିତ ପ୍ରାଧାନ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଏସୀୟ ପାରା କ୍ରୀଡାରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ୬୧ ଜଣଙ୍କ ମଧ୍ୟରୁ ୩୬ ଜଣ ପଦକ ଜିତିଛନ୍ତି। ସନ୍ଦୀପ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବାବେଳେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଯୁବପିଢ଼ିଙ୍କ ଏହି ଅଂଶଗ୍ରହଣ ଆଜିର ଭାରତର ଏକ ଦୃଶ୍ୟପଟ୍ଟ ହେବା ସହ ଭବିଷ୍ୟତର ଭାରତର ଏକ ଘୋଷଣାନାମା ମଧ୍ୟ ଅଟେ।
ସରକାର କ୍ରୀଡାକୁ କେବଳ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଭାବରେ ନୁହେଁ ବରଂ ବ୍ୟକ୍ତିତ୍ୱ ବିକାଶ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ଦେଖନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, କ୍ରୀଡା ଯୁବ ନାଗରିକଙ୍କୁ ଅତ୍ୟାବଶ୍ୟକ ଜୀବନ ମୂଲ୍ୟ ପ୍ରଦାନ କରେ। କେବଳ କ୍ରୀଡା ହିଁ ଯୁବପିଢ଼ିଙ୍କୁ ହାରିବା ପରେ କିପରି ଜିତିବା ଏବଂ ଶୃଙ୍ଖଳା ଏବଂ ଦଳଗତ ଭାବନାର ଅର୍ଥ ବୁଝାଇବା ଶିଖାଏ ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।
ସ୍କୁଲ ଏବଂ ତୃଣମୂଳ ସ୍ତରରେ ଅଭିଯାନ, ଅନେକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ ଟପ୍ସ ଯୋଜନା ଅଧୀନରେ ଅଲିମ୍ପିକ୍ ମାନକ ତାଲିମ ମାଧ୍ୟମରେ ଏକ ଆଧୁନିକ କ୍ରୀଡା ଇକୋସିଷ୍ଟମ ଗଠନ ପାଇଁ ପ୍ରୟାସ କରାଯାଉଛି। ଏହା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅଲିମ୍ପିକ୍ସକୁ ଆଖିରେ ରଖି ଏକ ଦେଶବ୍ୟାପୀ ପ୍ରତିଭା ଖୋଜା ଅଭିଯାନରେ ଅଂଶଗ୍ରହଣ କରିବାକୁ ଯୁବପିଢ଼ିଙ୍କୁ ଆମନ୍ତ୍ରଣ କରିଥିବା ତାଙ୍କର ସାମ୍ପ୍ରତିକ ଆହ୍ୱାନକୁ ମନେ ପକାଇଥିଲେ। “ଏହି ଦୃଷ୍ଟିକୋଣ ସହିତ, ଆମେ ଦେଶ ପାଇଁ ଏକ ଆଧୁନିକ କ୍ରୀଡା ଇକୋସିଷ୍ଟମ ନିର୍ମାଣ କରୁଛୁ,” ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଖେଳାଳିମାନେ ଯେପରି ଉତ୍କର୍ଷ ପ୍ରଦର୍ଶନ କରିପାରିବେ, ସେଥିପାଇଁ ଜାତୀୟ ସ୍ତରର ଏହି ପଦକ୍ଷେପଗୁଡ଼ିକରେ ପାରା-କ୍ରୀଡାକୁ ମଧ୍ୟ ସମାନ ପ୍ରାଥମିକତା ଦିଆଯାଉଛି। ସେ ନିକଟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମିଳିଥିବା ସଫଳତା ଉପରେ ଆଲୋକପାତ କରି କହିଥିଲେ, “ଏହି ପ୍ରତିଯୋଗିତାରେ ଟପ୍ସ ଯୋଜନାରୁ ସହାୟତା ପାଉଥିବା ଖେଳାଳିମାନେ ୪୧ଟି ପଦକ ଏବଂ ଖେଲୋ ଇଣ୍ଡିଆର ଖେଳାଳିମାନେ ୧୯ଟି ପଦକ ଜିତିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଆମର ପ୍ରୟାସ ସଠିକ୍ ଦିଗରେ ଆଗକୁ ବଢ଼ୁଛି।”
ଭାରତର ଆଧୁନିକ କ୍ରୀଡ଼ା ନୀତିଗୁଡ଼ିକ କ୍ରୀଡ଼ା ପଡ଼ିଆ ବାହାରେ ମଧ୍ୟ ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, କ୍ରୀଡ଼ା ସରଞ୍ଜାମ ଉତ୍ପାଦନ ଏବଂ କ୍ରୀଡ଼ା ପ୍ରସାରଣ କ୍ଷେତ୍ରରେ ହେଉଥିବା ଦ୍ରୁତ ଅଭିବୃଦ୍ଧି ଉପରେ ଧ୍ୟାନ ଆକର୍ଷଣ କରିଥିଲେ। “ଆଜି ଭାରତର ଆଧୁନିକ କ୍ରୀଡ଼ା ନୀତିଗୁଡ଼ିକ ଯୁବବର୍ଗଙ୍କ ପାଇଁ କ୍ରୀଡ଼ା ଜଗତରେ, ପଡ଼ିଆ ବାହାରେ ମଧ୍ୟ ଅନେକ ନୂତନ ସୁଯୋଗ ସୃଷ୍ଟି କରୁଛି” ବୋଲି ସେ କହିଥିଲେ।
ସମ୍ପ୍ରତି ୧,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖେଲୋ ଇଣ୍ଡିଆ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଯୋଜନାକୁ ଅନୁମୋଦନ କରାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଘରୋଇ କ୍ରୀଡ଼ା ଉତ୍ପାଦନ ଶିଳ୍ପକୁ ଆହ୍ୱାନ କରି ସେ କହିଥିଲେ ଯେ ବିଶ୍ୱବ୍ୟାପୀ ଖେଳାଳିମାନେ ଯେପରି ଭାରତରେ ନିର୍ମିତ ଉପକରଣ, ପୋଷାକ ଏବଂ ଜୋତା ପିନ୍ଧି ଖେଳ ପଡିଆକୁ ଓହ୍ଲାଇବେ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହା ଦ୍ୱାରା ଏମଏସଏମଇଗୁଡ଼ିକୁ ମଜବୁତ କରାଯିବ ଏବଂ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବ। “ଆମେ ଚାହୁଁଛୁ ଭାରତ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରୁ ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଉପକରଣ ମଧ୍ୟ ନିର୍ମାଣ କରୁ”।
ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ସେମାନେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗସ୍ତ ସମୟରେ କିପରି କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିବ ଏବଂ କ୍ରୀଡ଼ାକୁ କ୍ୟାରିୟର ଭାବରେ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରନ୍ତୁ। ସେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନୂତନ ନିଷ୍ପତ୍ତିଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ଦିବ୍ୟାଙ୍ଗ ପେନସନ୍ ରାଶିରେ ବୃଦ୍ଧି, ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଅକ୍ଷମତା ସୀମାକୁ ୮୦ ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ କରିବା ଏବଂ ୧୮ ବର୍ଷ ବୟସ ପରିବର୍ତ୍ତେ ଜନ୍ମରୁ ହିଁ ପେନସନ୍ ସୁବିଧା ପ୍ରଦାନ କରିବା ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ୧୦,୦୦୦ ଶବ୍ଦ ବିଶିଷ୍ଟ ଏକ ‘ଭାରତୀୟ ସାଙ୍କେତିକ ଭାଷା’ ଅଭିଧାନ ପ୍ରସ୍ତୁତ କରିବା, ସାଙ୍କେତିକ ଭାଷାରେ ବିଦ୍ୟାଳୟ ପାଠ୍ୟପୁସ୍ତକ ଉପଲବ୍ଧ କରାଇବା ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁଗମ୍ୟ କରିବା ଉଦ୍ଦେଶ୍ୟରେ ‘ସୁଗମ୍ୟ ଭାରତ ଅଭିଯାନ’ କାର୍ଯ୍ୟକାରୀ କରିବା ଆଦି ଅନ୍ତର୍ଭୁକ୍ତ ରହିଛି। “ଆମର ପ୍ରୟାସ ହେଉଛି ଦେଶର ପ୍ରତ୍ୟେକ ଦିବ୍ୟାଙ୍ଗ ଭାଇ ଏବଂ ଭଉଣୀ ଯେପରି ସମ୍ମାନ ପାଇବେ, ସମାନ ସୁଯୋଗ ପାଇବେ ଏବଂ ନିଜ କ୍ଷମତା ବଳରେ ଜୀବନରେ ଆଗକୁ ବଢ଼ିପାରିବେ” ।
ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ମନେ ପକାଇ ଦେଇଥିଲେ ଯେ ‘ଆଇଚି-ନାଗୋୟା’ ପୋଡିୟମ୍ କୌଣସି ଚୂଡ଼ାନ୍ତ ଲକ୍ଷ୍ୟ ନୁହେଁ, ବରଂ ଏହା ଏକ ପ୍ରାରମ୍ଭିକ ମାଇଲଖୁଣ୍ଟ । ଭାରତର ଲକ୍ଷ୍ୟ ବର୍ତ୍ତମାନ ୨୦୨୮ ଲସ୍ ଆଞ୍ଜେଲସ୍ କ୍ରୀଡ଼ା ଉପରେ ରହିଛି, ଯେଉଁଥିପାଇଁ ଅବନୀ ଏବଂ ମନୀଷ ପୂର୍ବରୁ ହିଁ ନିଜର ସ୍ଥାନ ସୁନିଶ୍ଚିତ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ସେମାନେ ନିଜର ବିଜୟକୁ ଉତ୍ସବ ଭାବେ ପାଳନ କରନ୍ତୁ, କିନ୍ତୁ ଏହା ସହିତ ୨୦୨୮ ମସିହାରେ ରେକର୍ଡ ସୃଷ୍ଟି କରୁଥିବା ପ୍ରଦର୍ଶନ ଏବଂ ଅଧିକ ପଦକ ହାସଲ କରିବା ଲକ୍ଷ୍ୟରେ ଆଜିଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ। ଶେଷରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, “ସମଗ୍ର ଦେଶ ଆପଣମାନଙ୍କ ସହିତ ଅଛି ଏବଂ ଆପଣମାନଙ୍କ ପରବର୍ତ୍ତୀ ବିଜୟକୁ ଉତ୍ସାହର ସହ ଅପେକ୍ଷା କରି ରହିଛି।”
****
SSP
What a performance by our Asian Para Games athletes! They have shown what aiming high really looks like. https://t.co/5t3aCa71rT
— Narendra Modi (@narendramodi) November 5, 2026
2010 के Para Asian Games में भारत ने बस 1 Gold जीता था। कुल मिलाकर उस tournament में हम केवल 14 medals जीत पाये थे। वहीं, इस बार हमारे खिलाड़ी 114 medals ke साथ आए हैं। 14 से 114 medals की ये यात्रा आपके परिश्रम की पराकाष्ठा का परिणाम है: PM @narendramodi
— PMO India (@PMOIndia) November 5, 2026
Olympics को ही ध्यान में रखते हुए इस बार लाल किले से मैंने talent hunt अभियान में युवाओं से आगे आने का आह्वान किया है: PM @narendramodi
— PMO India (@PMOIndia) November 5, 2026
सरकार ने खेलो इंडिया Sports Goods Manufacturing Scheme को मंजूरी दी है। अब समय है, हमारी Sports Goods Manufacturing Industry भी नए कमाल करे। जब कोई भारतीय या विदेशी खिलाड़ी किसी मैदान पर उतरे तो, उसके sports gear भी ‘Made in India’ हों और उसके कपड़े-जूते भी ‘Made in India’ हों: PM @narendramodi
— PMO India (@PMOIndia) November 5, 2026
हम चाहते हैं कि भारत world-class players भी दे और world-class sports equipment भी बनाए: PM @narendramodi
— PMO India (@PMOIndia) November 5, 2026