Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକର ମହୀଶୂରରେ COSMOS-ମହୀଶୂର ପ୍ଲାନେଟାରିୟମ୍ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

କର୍ଣ୍ଣାଟକର ମହୀଶୂରରେ COSMOS-ମହୀଶୂର ପ୍ଲାନେଟାରିୟମ୍ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ଏଲାର୍ଗୁ ନାନ୍ ନମସ୍କାରଗଲୁ! (ସମସ୍ତଙ୍କୁ ମୋର ନମସ୍କାର!)

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀମତୀ ସୁଧା ଯାଦବ, ମୁଖ୍ୟମନ୍ତ୍ରୀ ଶ୍ରୀ ଡି. କେ. ଶିବକୁମାର, ମୋର କ୍ୟାବିନେଟ୍ ସହଯୋଗୀ ଶ୍ରୀମତୀ ନିର୍ମଳା ସୀତାରମଣ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ବସବରାଜ ରାୟ ରେଡ୍ଡୀ, ସଂସଦରେ ମୋର ସହଯୋଗୀ ଶ୍ରୀ ଯଦୁବୀର କୃଷ୍ଣଦତ୍ତ ଚାମରାଜ ୱାଡିୟାର, ଉପସ୍ଥିତ ସମସ୍ତ ବୈଜ୍ଞାନିକ, ଗବେଷକ, ଶିକ୍ଷକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ମହୀଶୂରର ମୋର ପ୍ରିୟ ଭାଇ ଓ ଭଉଣୀମାନେ।

 

ସର୍ବପ୍ରଥମେ ମୁଁ ମାଆ ଚାମୁଣ୍ଡେଶ୍ୱରୀଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ମୁଁ ପୁଣି ଥରେ ମହୀଶୂର ଆସି ଅତ୍ୟନ୍ତ ଆନନ୍ଦିତ। କିଛି ମାସ ପୂର୍ବରୁ ବିବେକ ସ୍ମାରକୀର ଉଦ୍‌ଘାଟନ ପାଇଁ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥିଲି। ଆଉ ଆଜି ଆମେ ଏଠାରେ COSMOS ପ୍ଲାନେଟୋରିୟମ୍‌କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ପାଇଁ ଏକତ୍ରିତ ହୋଇଛୁ। ଏହି ଉଭୟ ଅବସର ଭାରତର ସଂସ୍କାର ଓ ଆମ ସଂସ୍କୃତି ସମ୍ପର୍କରେ ଏକ ଗଭୀର ବାର୍ତ୍ତା ପ୍ରଦାନ କରୁଛି। ବିବେକ ସ୍ମାରକୀ ଆମକୁ ନିଜ ଅନ୍ତରାତ୍ମାକୁ ଅନୁଧ୍ୟାନ କରିବା ସହ ଆଧ୍ୟାତ୍ମିକ ଜ୍ଞାନର ସନ୍ଧାନ କରିବାକୁ ପ୍ରେରଣା ଦିଏ। ଅନ୍ୟପକ୍ଷରେ, COSMOSକୁ ଆସି ଆମର ଦୃଷ୍ଟି ଊର୍ଦ୍ଧ୍ୱଗାମୀ ହୋଇଥାଏ। ଏହି ବିଶାଳ ବ୍ରହ୍ମାଣ୍ଡକୁ ଅନୁସନ୍ଧାନ କରିବା ଏବଂ ଏହାର ରହସ୍ୟଗୁଡ଼ିକୁ ବୁଝିବା ପାଇଁ ଆମେ ପ୍ରେରଣା ପାଇଥାଉ। ଏହା ଏହି ସତ୍ୟର ଏକ ଉଦାହରଣ ଯେ, ଭାରତରେ ଆଧ୍ୟାତ୍ମିକତା ଏବଂ ବିଜ୍ଞାନର ପରମ୍ପରା ସର୍ବଦା ଏକାଠି ହୋଇ ଆଗକୁ ବଢ଼ି ଆସିଛି।

 

ବନ୍ଧୁଗଣ,

ଆମର ପୂର୍ବପୁରୁଷମାନେ ଆକାଶକୁ ବହୁତ ନିକଟରୁ ଅତ୍ୟନ୍ତ ସୂକ୍ଷ୍ମ ଭାବେ ଅଧ୍ୟୟନ କରୁଥିଲେ। ସେମାନେ ତାରା ଓ ଗ୍ରହମାନଙ୍କର ଗତିବିଧିକୁ ବୁଝିଥିଲେ, ପଞ୍ଜିକା ପ୍ରସ୍ତୁତ କରିଥିଲେ ଏବଂ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସମୟ ନିର୍ଣ୍ଣୟ କରିଥିଲେ। ଭାରତରେ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରାଚାର୍ଯ୍ୟ ଏବଂ ନୀଳକଣ୍ଠ ସୋମାୟାଜୀଙ୍କ ପରି ଅନେକ ମହାନ ଜ୍ୟୋତିର୍ବିଜ୍ଞାନୀ ଜନ୍ମଗ୍ରହଣ କରିଥିଲେ। ଆଜି ଆମ ପାଖରେ ଉପଲବ୍ଧ ଉନ୍ନତ ଯନ୍ତ୍ରପାତି ଏବଂ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସେହି ସମୟରେ ଉପଲବ୍ଧ ନଥିଲା। ଏହା ସତ୍ତ୍ୱେ ସେମାନେ ଅନେକ ବଡ଼ ବଡ଼ ଆବିଷ୍କାର କରିଥିଲେ ଏବଂ ଅତ୍ୟନ୍ତ ଜଟିଳ ଗାଣିତିକ ଗଣନା କରିବାରେ ସଫଳ ହୋଇଥିଲେ।

 

ବନ୍ଧୁଗଣ,

ମହୀଶୂରରେ ଏପରି ଅନୁଷ୍ଠାନ ପ୍ରତିଷ୍ଠା କରିବାର ଏକ ସମୃଦ୍ଧ ପରମ୍ପରା ରହିଛି, ଯାହା ଜ୍ଞାନର ଅନ୍ୱେଷଣକୁ ପ୍ରୋତ୍ସାହିତ କରିଥାଏ। ମହାରାଜା ନଲୱାଡି କୃଷ୍ଣରାଜ ୱାଡିୟାରଙ୍କ ରାଜତ୍ୱ କାଳରେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ବେଙ୍ଗାଲୁରୁଠାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍‌ସି) ପ୍ରତିଷ୍ଠାର ମୂଳଦୁଆ ପକାଇବାରେ ମଧ୍ୟ ୱାଡିୟାର ପରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଅନୁଷ୍ଠାନଗୁଡ଼ିକ ଅନେକ ପିଢ଼ିର ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିଛି। ଆଜି ଯେତେବେଳେ ଭାରତ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂତନ ସଫଳତା ହାସଲ କରୁଛି, ସେତେବେଳେ ଅତ୍ୟାଧୁନିକ COSMOS ପ୍ଲାନେଟୋରିୟମ୍ ମାଧ୍ୟମରେ ମହୀଶୂର ମଧ୍ୟ ଭାରତର ବୈଜ୍ଞାନିକ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ୁଛି। ଆଜି ଏହି ଅତ୍ୟାଧୁନିକ COSMOS ପ୍ଲାନେଟୋରିୟମ୍‌କୁ ଯୁବପିଢ଼ି ଏବଂ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଛି। ଏହା ଭାରତର ପ୍ରଥମ ଏଲଇଡି ଡୋମ୍ ପ୍ଲାନେଟୋରିୟମ୍। ମୋତେ ମଧ୍ୟ ଏଠାରେ ଏକ ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଲା। ଏହା ନିଜ ଭିତରେ ଏକ ଅଦ୍ଭୁତ ଅଭିଜ୍ଞତା ଥିଲା। ମୁଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ, ମହୀଶୂର ବିଶ୍ୱବିଦ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଏହାର ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ସମଗ୍ର ଦେଶବାସୀଙ୍କୁ ମଧ୍ୟ ମୋର ଶୁଭେଚ୍ଛା ଜଣାଉଛି।

 

ବନ୍ଧୁଗଣ,

ଆମ ଦେଶ ଦୀର୍ଘ ସମୟ ଧରି ଏକ ଆହ୍ୱାନ ଦେଇ ଗତି କରିଆସିଛି, ଯାହାର ଉଲ୍ଲେଖ ଏବେ ନିର୍ମଳା ଜୀ ତାଙ୍କ ଅଭିଭାଷଣରେ କରିଥିଲେ। ତାହା ହେଉଛି – ‘ଜୟ ଯବାନ, ଜୟ କିଷାନ’। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ଜୀ ଏଥିରେ ‘ଜୟ ବିଜ୍ଞାନ’ ଯୋଡ଼ିଥିଲେ ଏବଂ ପରେ ମୁଁ ଏଥିରେ ‘ଜୟ ଅନୁସନ୍ଧାନ’ ମଧ୍ୟ ଯୋଡ଼ିଥିଲି। ଏକବିଂଶ ଶତାବ୍ଦୀର ଭାରତ ଏହି ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି। ଏଥିରେ ଆମ ଦେଶର ଯୁବପିଢ଼ି ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି। ଗତବର୍ଷ ଭାରତ ମୁମ୍ବାଇଠାରେ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ଅଲମ୍ପିଆଡ୍‌ର ଆୟୋଜନ କରିଥିଲା। ଏଥିରେ ଆମ ଯୁବପିଢ଼ି ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଏହି ଅଲିମ୍ପିଆଡ୍‌ର ପରବର୍ତ୍ତୀ ସଂସ୍କରଣରେ ଭାଗ ନେବା ପାଇଁ ଭାରତର ପାଞ୍ଚ ଜଣ ଛାତ୍ରଛାତ୍ରୀ ଭିଏତନାମ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣ ସ୍ୱର୍ଣ୍ଣ ପଦକ ଏବଂ ଜଣେ ରୌପ୍ୟ ପଦକ ଜିତିଥିଲେ। ଏହା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ।

 

ବନ୍ଧୁଗଣ,

ଆମର ଯୁବ ଛାତ୍ରଛାତ୍ରୀମାନେ ବିଜ୍ଞାନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଅଲିମ୍ପିଆଡ୍‌ରେ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀମାନେ ବଡ଼ ବଡ଼ ସଫଳତା ହାସଲ କରିଛନ୍ତି। ଏଥିରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ଭଳି ବିଷୟ ସାମିଲ ଥିଲା। ସମସ୍ତ ଛାତ୍ରଛାତ୍ରୀ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ଜିତିଥିଲେ। ଏହା ଭାରତ ପାଇଁ ଏକ ରେକର୍ଡ ସଫଳତା ଥିଲା। ଅର୍ଥାତ୍, ଯେତେବେଳେ ଆମ ଯୁବପିଢ଼ିଙ୍କୁ ସୁଯୋଗ ମିଳେ, ଶିକ୍ଷା ଓ ଅଧ୍ୟୟନ ପାଇଁ ଆବଶ୍ୟକ ସମ୍ବଳ ଉପଲବ୍ଧ ହୁଏ, ଆଧୁନିକ ବୈଷୟିକ ଜ୍ଞାନକୌଶଳ, ଉପକରଣ ଏବଂ ଅନୁଷ୍ଠାନଗୁଡ଼ିକର ସହଯୋଗ ମିଳେ, ସେତେବେଳେ ସେମାନେ ବଡ଼ ବଡ଼ ସଫଳତା ହାସଲ କରି ଦେଖାଇଥାନ୍ତି। ଏହି COSMOS ପ୍ଲାନେଟୋରିୟମ୍ ମଧ୍ୟ ଏବେ ଆମ ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର ରୂପ ଦେବାରେ ବେଶ୍ ସହାୟକ ହେବ।

 

ବନ୍ଧୁଗଣ,

ଆଜି ବୈଷୟିକ ଜ୍ଞାନକୌଶଳ ସମଗ୍ର ବିଶ୍ୱକୁ ଅତ୍ୟନ୍ତ ଦ୍ରୁତ ଗତିରେ ପରିବର୍ତ୍ତନ କରୁଛି। ଏଭଳି ପରିସ୍ଥିତିରେ କୌଣସି ଦେଶ ଧୀର ଗତିରେ ଆଗକୁ ବଢ଼ିବାର ଆଶଙ୍କାକୁ ଗ୍ରହଣ କରିପାରିବ ନାହିଁ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଜ୍ୟୋତିର୍ବିଜ୍ଞାନ, ଖଗୋଳ ପଦାର୍ଥ ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ଗତିରେ କାର୍ଯ୍ୟ କରିଛି। ଆମେ ଦେଶରେ ନୂତନ ଟେଲିସ୍କୋପ୍ ସ୍ଥାପନ କରିଛୁ। ମହାକାଶ ଅନୁସନ୍ଧାନର ଅନେକ ଜଟିଳ କ୍ଷେତ୍ରରେ ଆଜି ଭାରତ ବିଶ୍ୱର ହାତଗଣତି କେତୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଚନ୍ଦ୍ରଯାନ-୩ ମିଶନ ମାଧ୍ୟମରେ ଇସ୍ରୋ ଭାରତକୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ବିଶ୍ୱର ପ୍ରଥମ ଦେଶ ଭାବେ ପରିଚିତ କରାଇଛି। ଆଦିତ୍ୟ-ଏଲ୍‌୧ ମାଧ୍ୟମରେ ଭାରତ ମହାକାଶରେ ନିଜର ପ୍ରଥମ ସୌର ପର୍ଯ୍ୟବେକ୍ଷଣ କେନ୍ଦ୍ର ପାଇଛି। ଗତବର୍ଷ ହିଁ ମହାକାଶରେ ଡକିଂ ଏବଂ ଅନ୍‌ଡକିଂ କ୍ଷମତା ପ୍ରଦର୍ଶନ କରିଥିବା ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି।

 

ବନ୍ଧୁଗଣ,

ଏହି ସମୟ ମଧ୍ୟରେ ଜଣେ ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚି ବିଭିନ୍ନ ନୂତନ ପରୀକ୍ଷାନିରୀକ୍ଷା ମଧ୍ୟ କରିଛନ୍ତି। ଏହି ମିଶନରୁ ମିଳିଥିବା ଅଭିଜ୍ଞତା ଆମର ନିଜସ୍ୱ ମାନବ ମହାକାଶ ଅଭିଯାନ କାର୍ଯ୍ୟକ୍ରମ ‘ଗଗନଯାନ’ ପାଇଁ ମଧ୍ୟ ଉପଯୋଗୀ ହେଉଛି।

 

ବନ୍ଧୁଗଣ,

ଆମ ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଛନ୍ତି। ଏହାଦ୍ୱାରା ଘରୋଇ କ୍ଷେତ୍ର ପାଇଁ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକୁ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିଛି। ଆଜି ଆମର ଯୁବପିଢ଼ି ନିଜସ୍ୱ ରକେଟ୍ ଉତ୍‌କ୍ଷେପଣ କରୁଛନ୍ତି, ଉପଗ୍ରହଗୁଡ଼ିକୁ କକ୍ଷପଥରେ ସ୍ଥାପନ କରୁଛନ୍ତି ଏବଂ ମହାକାଶ କ୍ଷେତ୍ରରେ ଏପରି ଅନେକ କାର୍ଯ୍ୟ କରୁଛନ୍ତି, ଯାହା ପୂର୍ବରୁ ଭାରତରେ କେବେ ହୋଇନଥିଲା। ଏହା ହେଉଛି ନୂତନ ଭାରତର ବୈଜ୍ଞାନିକ ଦୃଷ୍ଟିକୋଣ, ଯେଉଁଠାରେ ନୂତନ ଆବିଷ୍କାରକୁ ପ୍ରୋତ୍ସାହନ ମିଳୁଛି, ନୂତନ ବୈଷୟିକ ଜ୍ଞାନକୌଶଳ ବିକଶିତ ହେଉଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି।

 

ବନ୍ଧୁଗଣ,

ଭାରତ ସର୍ବଦା ‘ମାନବତା ସର୍ବୋପରି’ ମନ୍ତ୍ରକୁ ଆଧାର କରି ଆଗକୁ ବଢ଼ିଆସିଛି। ଭାରତର ମହାକାଶ ଅଭିଯାନ ମଧ୍ୟ ମାନବତାର କଲ୍ୟାଣ ପାଇଁ ସମର୍ପିତ ରହିଆସିଛି। ଉଦାହରଣ ସ୍ୱରୂପ, ଆମ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ଇସ୍ରୋ ଏକ ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିଛି। ଏହି ବ୍ୟବସ୍ଥା ସହାୟତାରେ ଯେଉଁ ଡଙ୍ଗାଗୁଡ଼ିକରେ ରିସିଭର୍ ଲାଗିଛି, ଝଡ଼ବାତ୍ୟା ସମୟରେ ସେହି ଡଙ୍ଗାଗୁଡ଼ିକୁ କର୍ତ୍ତୃପକ୍ଷମାନେ ଠିକ୍ ସମୟରେ ସତର୍କ ସୂଚନା ପଠାଇପାରୁଛନ୍ତି। ଏଥିସହିତ, ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ ଉପକୂଳକୁ ଫେରୁଛନ୍ତି କି ନାହିଁ, ତାହା ମଧ୍ୟ ଟ୍ରାକ୍ କରିପାରୁଛନ୍ତି।

 

ବନ୍ଧୁଗଣ,

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଟ୍ରେନ୍‌ର ଲାଇଭ୍ ଲୋକେସନ୍ ଯାଞ୍ଚ କରୁଥିବେ। ଏହାଦ୍ୱାରା ଟ୍ରେନ୍ କେଉଁଠାରେ ପହଞ୍ଚିଛି ଏବଂ ଷ୍ଟେସନ୍‌ରେ କେତେବେଳେ ପହଞ୍ଚିବ, ତାହା ଜଣାପଡ଼ିଥାଏ। ଏହି ସୂଚନା ଭାରତୀୟ ରେଳବାଇ ଏବଂ ଇସ୍ରୋ ଦ୍ୱାରା ବିକଶିତ ରିଅଲ୍ ଟାଇମ୍ ଟ୍ରେନ୍ ଟ୍ରାକିଂ ବ୍ୟବସ୍ଥା ମାଧ୍ୟମରେ ମିଳିଥାଏ। ସେହିଭଳି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମଧ୍ୟ ଉପଗ୍ରହ ତଥ୍ୟର ବ୍ୟବହାର କରାଯାଉଛି। ଏଥିରେ କ୍ଷେତରୁ ମିଳୁଥିବା ସୂଚନା ଏବଂ ଉପଗ୍ରହ ତଥ୍ୟର ସହାୟତାରେ ଫସଲ ଉତ୍ପାଦନର ଆକଳନ କରାଯାଉଛି। ଏହି ଆକଳନ ଆଧାରରେ କୃଷକମାନଙ୍କ ବୀମା ଦାବି ନିର୍ଦ୍ଧାରଣ କରାଯାଉଛି। ଅର୍ଥାତ୍, ଆଜି ଆମର ଉପଗ୍ରହଗୁଡ଼ିକ ମହାକାଶର ଉଚ୍ଚତାକୁ ସ୍ପର୍ଶ କରୁଥିବା ବେଳେ ପୃଥିବୀରେ ଲୋକମାନଙ୍କ ଜୀବନକୁ ଅଧିକ ଉନ୍ନତ କରିବାରେ ମଧ୍ୟ ଉପଯୋଗୀ ହେଉଛନ୍ତି।

 

ବନ୍ଧୁଗଣ,

‘ସମାଜ ପାଇଁ ବିଜ୍ଞାନ’ ହେଉଛି ଆମର ଚିନ୍ତାଧାରା। ଆମେ ଦେଶରେ ଗବେଷଣା ଓ ନବସୃଜନକୁ ନିରନ୍ତର ପ୍ରୋତ୍ସାହିତ କରୁଛୁ। ଦେଶର ୧୦ ହଜାରରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍‌ରୁ ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି ଲ୍ୟାବ୍‌ଗୁଡ଼ିକରେ ପିଲାମାନେ ନିଜ ନିଜର ନୂତନ ଚିନ୍ତାଧାରା ଉପରେ କାମ କରିବା, ନୂତନ ପରୀକ୍ଷାନିରୀକ୍ଷା କରିବା ଏବଂ ନବସୃଜନର ସୁଯୋଗ ପାଉଛନ୍ତି।

 

ବନ୍ଧୁଗଣ,

ଗବେଷଣାକୁ ଆଗକୁ ବଢ଼ାଇବା ପାଇଁ ଆମ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ବିଶ୍ୱର ଶ୍ରେଷ୍ଠ ଗବେଷଣା ସମ୍ବନ୍ଧୀୟ ସାମଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ମିଳିବା ଅତ୍ୟନ୍ତ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଆମେ ‘ୱାନ୍ ନେସନ୍, ୱାନ୍ ସବ୍‌ସ୍କ୍ରିପସନ୍’ ଯୋଜନାର ଶୁଭାରମ୍ଭ କରିଛୁ। ଏହାଦ୍ୱାରା ଦେଶର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ବିଶ୍ୱର ପ୍ରମୁଖ ବୈଜ୍ଞାନିକ ଗବେଷଣା ପତ୍ରିକାଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବାରେ ବହୁତ ସହାୟତା ପାଉଛନ୍ତି। ଆମେ ‘ଅନୁସନ୍ଧାନ ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍’ ପ୍ରତିଷ୍ଠା କରିଛୁ। ଏହା ମାଧ୍ୟମରେ ଅଧିକରୁ ଅଧିକ ବିଶ୍ୱବିଦ୍ୟାଳୟକୁ ନୂତନ ଗବେଷଣା କରିବାରେ ଆମେ ସହାୟତା ପ୍ରଦାନ କରୁଛୁ।

 

ବନ୍ଧୁଗଣ,

ଗତବର୍ଷ ଆମେ ଏକ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛୁ, ଯାହାଦ୍ୱାରା ଆମ ଦେଶର ଗବେଷକମାନଙ୍କୁ ପର୍ଯ୍ୟାପ୍ତ ଅର୍ଥରାଶି ଉପଲବ୍ଧ ହୋଇପାରିବ। ଏହାଦ୍ୱାରା ନୂତନ ବୈଷୟିକ ଜ୍ଞାନକୌଶଳକୁ ପରୀକ୍ଷାଗାରରୁ ବାହାର କରି ବ୍ୟବହାରିକ କ୍ଷେତ୍ରରେ ପ୍ରୟୋଗ କରିବାରେ ସହାୟତା ମିଳୁଛି।

 

ବନ୍ଧୁଗଣ,

ଆଜି ଦେଶରେ ବିଜ୍ଞାନ ଓ ଗବେଷଣା ପାଇଁ ଏକ ସୁଦୃଢ଼ ଇକୋସିଷ୍ଟମ ବିକଶିତ ହେଉଛି। ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଯୁବପିଢ଼ିଙ୍କ ମନରେ ଜିଜ୍ଞାସା ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ। ଏହି ଜିଜ୍ଞାସା ସୃଷ୍ଟି କରିବାରେ ପ୍ଲାନେଟୋରିୟମ୍ ଏବଂ ବିଜ୍ଞାନ କେନ୍ଦ୍ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋର COSMOS ସହ ଜଡ଼ିତ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଏଠାକୁ ଆସିପାରିବେ, ସେଥିପାଇଁ ଏକ ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ଏବଂ ସେମାନଙ୍କୁ ଏଠାକୁ ଆଣିବାର ବ୍ୟବସ୍ଥା କରନ୍ତୁ। ଯେଉଁ ପିଲାମାନେ ଏଠାକୁ ବିଶ୍ୱବ୍ରହ୍ମାଣ୍ଡ ସମ୍ପର୍କରେ ଜାଣିବା ପାଇଁ ଆସିବେ, ସେମାନଙ୍କ ମଧ୍ୟରୁ ହୁଏତ କେତେକ ଦିନେ ଏଠାକୁ ପୁଣି ଫେରିବେ ଏବଂ ବିଶ୍ୱବ୍ରହ୍ମାଣ୍ଡ ସମ୍ପର୍କରେ ସେମାନେ କେଉଁ ନୂତନ ଆବିଷ୍କାର କରିଛନ୍ତି, ତାହା ଆମକୁ ଜଣାଇବେ ଏବଂ ତାହା ହିଁ ହେବ ଏହି COSMOS ପ୍ଲାନେଟୋରିୟମ୍‌ର ସବୁଠାରୁ ବଡ଼ ସଫଳତା। ଏହି ବିଶ୍ୱାସ ସହିତ ମୁଁ ଆପଣମାନଙ୍କ ସମସ୍ତଙ୍କ ଆଗାମୀ ଯାତ୍ରାର ସଫଳତା କାମନା କରୁଛି। ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

 

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।

 

*****

MT