ବେଙ୍ଗାଲୁରୁର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର!
କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀମତୀ ସୁଧା ଯାଦବ , ମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର , ରାଜ୍ୟ ସରକାରଙ୍କ ମନ୍ତ୍ରୀ କୃଷ୍ଣ ବାଇରେ ଗୌଡ଼ା , ଲୋକସଭାରେ ମୋର ସହକର୍ମୀ ତଥା ବେଙ୍ଗାଲୁରୁ ଜଣେ ଚମତ୍କାର ଯୁବକ ତେଜସ୍ୱୀ ସୂର୍ଯ୍ୟ ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନଙ୍କୁ ମୋର ଅଭିବାଦନ।
ରାଜ୍ୟପାଳ ଶ୍ରୀମତୀ ସୁଧା ଯାଦବଙ୍କ ସହ ଗୋଟିଏ ମଞ୍ଚରରେ ଏହା ମୋର ପ୍ରଥମ କାର୍ଯ୍ୟକ୍ରମ । କର୍ଣ୍ଣାଟକର ଲୋକମାନେ ହୁଏତ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣି ନଥିବେ। କିନ୍ତୁ ମୁଁ ନିଶ୍ଚିତ ଭାବେ ତାଙ୍କ ଜୀବନ ବିଷୟରେ କିଛି କହିବାକୁ ଚାହେଁ। ଦେଶସେବା କ’ଣ, ଦେଶ ପ୍ରତି ସମର୍ପଣର ଭାବନା କ’ଣ, ତାହା ଆମେ ସୁଧା ଏବଂ ତାଙ୍କ ପରିବାରର ଜୀବନରୁ ଶିଖିପାରିବା। କାର୍ଗିଲ ଯୁଦ୍ଧ ସମୟରେ ତାଙ୍କ ସ୍ୱାମୀ ଦେଶ ପାଇଁ ସହିଦ ହୋଇଥିଲେ। ଏହା ପରେ ମଧ୍ୟ ସ୍ୱାମୀଙ୍କ ସ୍ମୃତିକୁ ପାଥେୟ କରି ମା’ ଭାରତୀଙ୍କ ସେବା କରିବାର ନିଜର ସଂକଳ୍ପକୁ ସେ ଆଜି ପର୍ଯ୍ୟନ୍ତ ଅତୁଟ ରଖିଛନ୍ତି। ଦୀର୍ଘ ବର୍ଷ ଧରି ସଂସଦରେ ରହି ସେ ଦେଶର ବିଭିନ୍ନ ବିଷୟରେ ନିଜର ମାର୍ଗଦର୍ଶନ ଦେଇଛନ୍ତି। ଆଜି କର୍ଣ୍ଣାଟକର ଏହି ମାଟିରୁ ସେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ନିଜର ଅବଦାନ ଦେଉଛନ୍ତି। ମୁଁ ସୁଧାଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି।
ସର୍ବପ୍ରଥମେ ମୁଁ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଅନ୍ନମ୍ମା ତାଇ ଏବଂ ନାଡ଼ପ୍ରଭୁ କେମ୍ପେଗୌଡ଼ାଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି।
ଆଜିର ଦିନ ବେଙ୍ଗାଲୁରୁ ଏବଂ କର୍ଣ୍ଣାଟକର ବିକାଶ ଯାତ୍ରାକୁ ଏକ ନୂତନ ଗତି ପ୍ରଦାନ କରିବାକୁ ଯାଉଛି। ଆଜି ଏଠାରୁ ଯୋଗାଯୋଗ ଓ ଶକ୍ତି ସୁରକ୍ଷା ସହ ଜଡ଼ିତ ୧୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରାଯାଉଛି। ମେଟ୍ରୋ ଓ ରେଳ ପ୍ରକଳ୍ପଠାରୁ ଆରମ୍ଭ କରି ଶକ୍ତି ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପର୍ଯ୍ୟନ୍ତ, ଏହି ସମସ୍ତ ପ୍ରକଳ୍ପ କର୍ଣ୍ଣାଟକର ଭିତ୍ତିଭୂମିକୁ ନୂଆ ଶକ୍ତି ପ୍ରଦାନ କରିବ।
ବନ୍ଧୁଗଣ,
ଯେକୌଣସି ଦେଶର ବିକାଶ ଯାତ୍ରାରେ ଭିତ୍ତିଭୂମିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପ୍ରଗତି, ରୋଜଗାର ଓ ଶିଳ୍ପ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରେ। ଯେତେବେଳେ ବିକାଶର ଏହି ସୁଯୋଗ ସମାଜର ପ୍ରତ୍ୟେକ ବର୍ଗ ପାଖରେ ପହଞ୍ଚେ, ସେତେବେଳେ ଦାରିଦ୍ର୍ୟତା ବିରୋଧରେ ଲଢ଼େଇ ମଧ୍ୟ ଅଧିକ ଶକ୍ତିଶାଳୀ ହୁଏ। ଏହାର ପରିଣାମ ସ୍ୱରୂପ ଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରାୟ ୫୦ କୋଟି ନାଗରିକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଆଜି ଆରମ୍ଭ ହେଉଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟ ଦେଶର ଏହି ବିକାଶ ଯାତ୍ରାକୁ ଆହୁରି ଆଗକୁ ବଢ଼ାଇବ। ଏଗୁଡ଼ିକ ଏକ ବିକଶିତ କର୍ଣ୍ଣାଟକ ସୃଷ୍ଟି ପାଇଁ ନୂତନ ପ୍ରେରଣା ପ୍ରଦାନ କରିବେ, ଏବଂ ଏକ ବିକଶିତ କର୍ଣ୍ଣାଟକରୁ, ଏକ ବିକଶିତ ଭାରତ ନିର୍ମାଣକୁ ନୂଆ ଗତି ଦେବ। ଏଥିସହିତ ଟେକ୍ନୋଲୋଜି ସହର ଭାବେ ବେଙ୍ଗାଲୁରୁର ପରିଚୟକୁ ଆହୁରି ସୁଦୃଢ଼ କରିବ। ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଁ କର୍ଣ୍ଣାଟକବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।
ବନ୍ଧୁଗଣ,
କିଛି ସମୟ ପୂର୍ବରୁ ବେଙ୍ଗାଲୁରୁ ମେଟ୍ରୋର ନୂଆ ପିଙ୍କ୍ ଲାଇନ୍କୁ ବେଙ୍ଗାଲୁରୁବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହି ନୂଆ ମେଟ୍ରୋ ଲାଇନ୍ ଦ୍ୱାରା ଆଇଆଇଏମ୍ ବେଙ୍ଗାଲୁରୁ ସମେତ ଅନେକ ଶିକ୍ଷାନୁଷ୍ଠାନର ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବ। ଏହା ବ୍ୟତୀତ ବେଙ୍ଗାଲୁରୁର ଅନେକ ପ୍ରମୁଖ ବ୍ୟବସାୟିକ, ପ୍ରଯୁକ୍ତିବିଦ୍ୟା ଓ ବାଣିଜ୍ୟିକ କେନ୍ଦ୍ର ଭାବେ ପରିଚିତ ଅଞ୍ଚଳଗୁଡ଼ିକ ମଧ୍ୟ ମେଟ୍ରୋ ସେବା ସହ ଯୋଡ଼ି ହେବ। ଅର୍ଥାତ୍ ବେଙ୍ଗାଲୁରୁର ଲକ୍ଷ ଲକ୍ଷ ଲୋକଙ୍କ ଯାତାୟତ କେବଳ ସୁବିଧାଜନକ ହେବ ନାହିଁ, ବରଂ ସେମାନଙ୍କର ସମୟ ଓ ଅର୍ଥ ମଧ୍ୟ ସଞ୍ଚୟ ହେବ।
ବନ୍ଧୁଗଣ,
ଗତକାଲି ସ୍ୱର୍ଗତ ଅନନ୍ତ କୁମାରଙ୍କର ପୁଣ୍ୟତିଥି ଥିଲା। ଏହି ଅଞ୍ଚଳ ସହିତ ତାଙ୍କର ବିଶେଷ ଆତ୍ମୀୟତା ଥିଲା। ଆଜି ଏହି ମେଟ୍ରୋ ଲାଇନ୍କୁ ଦେଖି ତାଙ୍କ ଆତ୍ମାକୁ ମଧ୍ୟ ନିଶ୍ଚୟ ଆନନ୍ଦ ମିଳିଥିବ। ମୁଁ ତାଙ୍କୁ ମୋର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ବନ୍ଧୁଗଣ,
ବେଙ୍ଗାଲୁରୁ ହେଉଛି ଭାରତର ସିଲିକନ୍ ଭ୍ୟାଲି। ଦେଶର ଆଇଟି ରପ୍ତାନିରେ ଏହି ସହରର ଅବଦାନ ଏକ-ତୃତୀୟାଂଶରୁ ଅଧିକ। ଏହି ସହର ଭାରତର ନବସୃଜନ ଓ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକଶକ୍ତି। ତେଣୁ ସମଗ୍ର ବେଙ୍ଗାଲୁରୁ ଅଞ୍ଚଳର ଦ୍ରୁତ ବିକାଶ ଏବଂ ଆଧୁନିକ ସାର୍ବଜନୀନ ପରିବହନ ବ୍ୟବସ୍ଥାର ସମ୍ପ୍ରସାରଣ କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା। ଏହି ଚିନ୍ତାଧାରା ଅନୁଯାୟୀ କେନ୍ଦ୍ର ସରକାର ନମ୍ମା ମେଟ୍ରୋର ସମ୍ପ୍ରସାରଣରେ ସହଯୋଗ କରୁଛନ୍ତି। ୨୦୧୪ ମସିହାରେ ନମ୍ମା ମେଟ୍ରୋର ନେଟୱର୍କ ମାତ୍ର ୧୭ କିଲୋମିଟର ଥିଲା। ଆଜି ଏହାର ମୋଟ ନେଟୱର୍କ ୧୦୦ କିଲୋମିଟରରୁ ଅଧିକ ହୋଇଛି। ଆମେ ଲଗାତାର ଶତକ ହାସଲ କରୁଛୁ। ଶିବକୁମାର , ମୁଁ ଆପଣଙ୍କୁ କହୁଥିଲି, ଆପଣ ନିକଟରେ ଶୁଣିଥିବେ ଯେ ଗ୍ରାଣ୍ଡମାଷ୍ଟର ଚେସ୍ରେ ଭାରତ ଶତକ ହାସଲ କରିଛି। ଭାରତରେ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ହିଁ ଏହି ସଫଳତା ମିଳିଛି।
ବନ୍ଧୁଗଣ,
ଦିଲ୍ଲୀ-ଏନ୍ସିଆର୍ ଏବଂ ମୁମ୍ବାଇ ମହାନଗର ଅଞ୍ଚଳ ପରେ ବେଙ୍ଗାଲୁରୁ ଦେଶର ତୃତୀୟ ସହର ହୋଇଛି, ଯେଉଁଠାରେ ମେଟ୍ରୋ ନେଟୱର୍କ ୧୦୦ କିଲୋମିଟର ଅତିକ୍ରମ କରିଛି। ନମ୍ମା ମେଟ୍ରୋର ଏହି ସଫଳତା କେବଳ ଗୋଟିଏ ପ୍ରକଳ୍ପ ମଧ୍ୟରେ ସୀମିତ ନୁହେଁ। ଏହା ଜୀବନଧାରଣର ସହଜତା ଏବଂ ଯାତାୟତର ସୁବିଧାକୁ ନେଇ ଦେଶର ନୂଆ ଚିନ୍ତାଧାରାର ପରିଣାମ। ମଧ୍ୟବିତ୍ତ ପରିବାରଗୁଡ଼ିକର ଜୀବନକୁ ଉନ୍ନତ କରିବା ପାଇଁ ଦେଶର ପ୍ରତିବଦ୍ଧତାର ଏହା ଏକ ଉଦାହରଣ।
ବନ୍ଧୁଗଣ,
ଆଜି ଭାରତୀୟ ରେଳବାଇ ଦାସତ୍ୱ ଯୁଗର ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ଅଗ୍ରସର ହେଉଛି। ଦେଶର ରେଳବାଇ ଏବେ ଏକ ନୂଆ ଐତିହ୍ୟ ଓ ନୂଆ ପରିଚୟ ସୃଷ୍ଟି କରୁଛି। ଆମର ରେଳ ଷ୍ଟେସନ, ରେଳ ଇଞ୍ଜିନ୍ ଏବଂ ରେଳ ଡବା ପ୍ରତ୍ୟେକ କ୍ଷେତ୍ରରେ ଏବେ ଭାରତର ନିଜସ୍ୱ ଛାପ ଓ ପରିଚୟ ଦେଖିବାକୁ ମିଳୁଛି। ବନ୍ଦେ ଭାରତ ଟ୍ରେନ୍ ଏବଂ ଅମୃତ ଭାରତ ଷ୍ଟେସନଗୁଡ଼ିକ ବିକଶିତ ଭାରତର ରେଳ ସେବାର ଏକ ଜ୍ୱଳନ୍ତ ଉଦାହରଣ ।
କର୍ଣ୍ଣାଟକର ୬୦ରୁ ଅଧିକ ରେଳ ଷ୍ଟେସନକୁ ମଧ୍ୟ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯାଇଛି। ଏଥିମଧ୍ୟରେ ଚାମରାଜନଗର, ଚିକ୍କମଗଳୁରୁ, ସକଲେଶପୁର ଏବଂ ସୁବ୍ରହ୍ମଣ୍ୟ ରୋଡ୍ ଷ୍ଟେସନ ଅନ୍ତର୍ଭୁକ୍ତ। ଏହି ଷ୍ଟେସନଗୁଡ଼ିକରେ ସମ୍ବେଦନଶୀଳତା ସହିତ ଆଧୁନିକତାର ମଧ୍ୟ ସମନ୍ୱୟ ରହିଛି। ବୟସ୍କ ନାଗରିକ ହୁଅନ୍ତୁ କି ଦିବ୍ୟାଙ୍ଗ, ପ୍ରତ୍ୟେକଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ସୁବିଧା ରହିଛି। ପୂର୍ବରୁ ଯେଉଁ ସୁବିଧା କେବଳ ବିମାନବନ୍ଦରରେ ମିଳୁଥିଲା, ଏବେ ସେହି ସୁବିଧା ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରେଳ ଷ୍ଟେସନରେ ଉପଲବ୍ଧ କରାଇବାକୁ ପ୍ରୟାସ କରାଯାଉଛି।
ବନ୍ଧୁଗଣ,
ଗତ ୧୦ରୁ ୧୨ ବର୍ଷ ମଧ୍ୟରେ ଭାରତୀୟ ରେଳବାଇର ବଜେଟ୍ ଅନେକ ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ତେଜସ୍ୱୀ ଯେପରି କହିଲେ, କର୍ଣ୍ଣାଟକର ରେଳ ବଜେଟ୍ ମଧ୍ୟ ୯ ଗୁଣ ବୃଦ୍ଧି ପାଇଛି। ଆଜି ମଧ୍ୟ କର୍ଣ୍ଣାଟକକୁ ୪ଟି ଅମୃତ ଭାରତ ଷ୍ଟେସନ, ରେଳପଥ ଦୋହରୀକରଣ ଏବଂ ବିଦ୍ୟୁତୀକରଣ ସମ୍ବନ୍ଧୀୟ ଦୁଇଟି ପ୍ରକଳ୍ପ ମିଳିଛି।
କିଛି ଦିନ ପୂର୍ବରୁ କର୍ଣ୍ଣାଟକକୁ ରାଜ୍ୟର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ର ଶୁଭାରମ୍ଭ ହୋଇଥିଲା । ଆଜି କର୍ଣ୍ଣାଟକକୁ ଗୋଆ ସହ ଯୋଡ଼ୁଥିବା ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଟ୍ରେନ୍ ଦ୍ୱାରା ମେଙ୍ଗାଲୁରୁ ସମେତ କର୍ଣ୍ଣାଟକର ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଅର୍ଦ୍ଧ-ଦ୍ରୁତଗତି ସମ୍ପନ୍ନ ରେଳଯାତ୍ରାର ଏକ ନୂଆ ଅନୁଭୂତି ପାଇବେ।
ବନ୍ଧୁଗଣ,
ବିକଶିତ ଭାରତ ନିର୍ମାଣରେ ଯୋଗାଯୋଗ ବ୍ୟବସ୍ଥା ସହିତ ଶକ୍ତି ସୁରକ୍ଷାର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଇରାନ ଓ ଉପସାଗରୀୟ ଦେଶଗୁଡ଼ିକ ଆଖପାଖରେ ଚାଲିଥିବା ଯୁଦ୍ଧ ଆମକୁ ଦେଖାଇ ଦେଇଛି ଯେ ଶକ୍ତି ସୁରକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ। ଭାରତ ପାଇଁ ମଧ୍ୟ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ ରହିଛି। କିନ୍ତୁ ଗତ ଏକ ଦଶନ୍ଧି ମଧ୍ୟରେ ଶକ୍ତି ସୁରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପ ଆମକୁ ଏହି ସଙ୍କଟକୁ ଦୃଢ଼ତାର ସହ ମୁକାବିଲା କରିବାରେ ସହାୟତା କରିଛି।
ଆମେ ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ଉତ୍ପାଦନ କ୍ଷମତା ବୃଦ୍ଧି କରିଛୁ, ଅଶୋଧିତ ତୈଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ବିକଶିତ କରିଛୁ, ସୌର, ଜଳବିଦ୍ୟୁତ୍ ଓ ପବନ ଶକ୍ତିର ସମ୍ପ୍ରସାରଣ କରିଛୁ, ରେଳପଥର ପ୍ରାୟ ଶତ ପ୍ରତିଶତ ବିଦ୍ୟୁତୀକରଣ କରିଛୁ ଏବଂ ମେଟ୍ରୋ ଭଳି ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିଛୁ। ଆଜି କର୍ଣ୍ଣାଟକରେ ଯେଉଁ ତିନୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି, ସେଗୁଡ଼ିକ ମଧ୍ୟ ଭାରତର ଶକ୍ତି ସୁରକ୍ଷାକୁ ନୂଆ ଶକ୍ତି ପ୍ରଦାନ କରିବ। ମେଙ୍ଗାଲୁରୁର ଏଲ୍ପିଜି ପ୍ରକଳ୍ପ ଦେଶରେ ୮୦ ହଜାର ମେଟ୍ରିକ୍ ଟନ୍ ଏଲ୍ପିଜି ସଂରକ୍ଷଣ କ୍ଷମତା ବୃଦ୍ଧି କରିବ। ଦେବନଗୋଣ୍ଡି ମାର୍କେଟିଂ ଟର୍ମିନାଲ୍ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନର ଯୋଗାଣକୁ ଅଧିକ ସୁସଂଗଠିତ ଓ ନିର୍ଭରଯୋଗ୍ୟ କରିବ। ସେହିପରି ବେଙ୍ଗାଲୁରୁର ସିବିଜି ପ୍ଲାଣ୍ଟରେ ପ୍ରତିଦିନ ପ୍ରାୟ ୧୩ ଟନ୍ ବାୟୋଗ୍ୟାସ୍ ଉତ୍ପାଦନ ହେବ। ଏହାଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ପ୍ରାକୃତିକ ଗ୍ୟାସ୍ ଆମଦାନି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ମଧ୍ୟ ସଞ୍ଚୟ ହେବ।
ବନ୍ଧୁଗଣ ,
ଶକ୍ତି ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିଦ୍ୟୁତ୍ ଉତ୍ପାଦନ। ଆଜି ଭାରତ ଚିପ୍ଠାରୁ ଜାହାଜ ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିମତ୍ତା ଓ ଡାଟା ସେଣ୍ଟରଠାରୁ ଆରମ୍ଭ କରି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ନୂଆ ନୂଆ ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଏଥିପାଇଁ ଦେଶରେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଉପଲବ୍ଧ କରାଇବା ଦିଗରେ ମଧ୍ୟ ନିରନ୍ତର କାର୍ଯ୍ୟ ଚାଲିଛି। ଆଜି ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୩୦୦ ଗିଗାୱାଟ୍ରୁ ଅଧିକ ହୋଇଛି। ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ନିଜର ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି କରୁଛି।
ବନ୍ଧୁଗଣ ,
କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଆଜି ଭାରତର ନାଗରିକମାନେ କେବଳ ବିଦ୍ୟୁତ୍ ଉପଭୋକ୍ତା ହୋଇ ରହିନାହାନ୍ତି, ବରଂ ବିଦ୍ୟୁତ୍ ଉତ୍ପାଦକ ମଧ୍ୟ ହେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶର ୬୦ ଲକ୍ଷରୁ ଅଧିକ ପରିବାର ନିଜ ଘର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରିଛନ୍ତି। ଏଥିରେ କର୍ଣ୍ଣାଟକର ୪୦ ହଜାରରୁ ଅଧିକ ପରିବାର ମଧ୍ୟ ସାମିଲ ଅଛନ୍ତି। ପ୍ରତ୍ୟେକ ପରିବାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୮୦ ହଜାର ଟଙ୍କାର ସହାୟତା ମିଳିଛି। ସେହିପରି ପିଏମ୍-କୁସୁମ୍ ଯୋଜନା ଅଧୀନରେ କର୍ଣ୍ଣାଟକରେ କୃଷକମାନଙ୍କ ପାଇଁ ୮ ଲକ୍ଷରୁ ଅଧିକ ସୌର ପମ୍ପ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଛି। ଅର୍ଥାତ୍ କର୍ଣ୍ଣାଟକର ଅନ୍ନଦାତା କୃଷକମାନେ ଏବେ ଶକ୍ତିଦାତା ମଧ୍ୟ ହେଉଛନ୍ତି। ଏହି ଯୋଜନାଗୁଡ଼ିକ ଦ୍ୱାରା ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଉଛି। ଏଥିସହିତ ଆୟ ଓ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।
ବନ୍ଧୁଗଣ ,
ଯେତେବେଳେ ଦେଶ ଏକ ମିଶନ୍ ନେଇ ଆଗକୁ ବଢ଼େ, ପ୍ରତ୍ୟେକ ଦେଶବାସୀ ବିକାଶ ସହ ଯୋଡ଼ି ହୁଅନ୍ତି ଏବଂ କରଦାତାଙ୍କଠାରୁ ମିଳୁଥିବା ଅର୍ଥକୁ ଉପଯୁକ୍ତ ଭାବେ ବିକାଶ କାର୍ଯ୍ୟରେ ବିନିଯୋଗ କରାଯାଏ, ସେତେବେଳେ ଏହାର ପରିଣାମ ମଧ୍ୟ ସୁଖଦ ଓ ଅର୍ଥପୂର୍ଣ୍ଣ ହୋଇଥାଏ। ୨୦୧୪ ମସିହାରେ ଆମେ ‘ସବ୍କା ସାଥ୍, ସବ୍କା ବିକାଶ’କୁ ନିଜର ସଂକଳ୍ପ କରି କାର୍ଯ୍ୟ ଆରମ୍ଭ କରିଥିଲୁ। ଆଜି ଏହି ପ୍ରୟାସଗୁଡ଼ିକ ଯୋଗୁଁ ଦେଶରେ ମଧ୍ୟବିତ୍ତ ବର୍ଗର ସମ୍ପ୍ରସାରଣ ହେଉଛି ଏବଂ ଏକ ନୂଆ ଆକାଂକ୍ଷୀ ବର୍ଗ ସୃଷ୍ଟି ହେଉଛି। ଏହି ବର୍ଗର ଲୋକମାନଙ୍କ ଆଶା ଓ ଆକାଂକ୍ଷା ବଢ଼ୁଛି। ସେମାନେ ନିଜ ଘରେ ଫ୍ରିଜ୍, ୱାଶିଂ ମେସିନ୍ ଚାହୁଁଛନ୍ତି। ପରିବାର ପାଇଁ ସ୍କୁଟର ଓ ମୋଟରସାଇକେଲ୍ କିଣିବାକୁ ଚାହୁଁଛନ୍ତି। ନିଜ ପିଲାମାନଙ୍କୁ ଉନ୍ନତ ଶିକ୍ଷା, ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଚାହୁଁଛନ୍ତି। ସେମାନେ ପର୍ଯ୍ୟଟନ ପାଇଁ ଖର୍ଚ୍ଚ କରିବା ସହ ନୂଆ ନୂଆ ଅନୁଭୂତି ହାସଲ କରିବାକୁ ଚାହୁଁଛନ୍ତି।
ଏହି ବର୍ଦ୍ଧିତ ଆକାଂକ୍ଷା ଦେଶରେ ନୂଆ ଚାହିଦା ସୃଷ୍ଟି କରୁଛି। ଅଟୋମୋବାଇଲ୍ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନଠାରୁ ଆରମ୍ଭ କରି ସେବା କ୍ଷେତ୍ର ପର୍ଯ୍ୟନ୍ତ, ନୂଆ ଶିଳ୍ପ, କାରଖାନା ଓ ରୋଜଗାରର ସୁଯୋଗ ସୃଷ୍ଟି ହେଉଛି। ଅର୍ଥାତ୍ ଏହି ନୂତନ ମଧ୍ୟବିତ୍ତ ବର୍ଗ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ଏକ ବଡ଼ ଚାଳକଶକ୍ତି ପାଲଟିଛି। କର୍ଣ୍ଣାଟକ ଏବଂ ବେଙ୍ଗାଲୁରୁରେ ମଧ୍ୟ ଏହି ନୂତନ ମଧ୍ୟବିତ୍ତ ବର୍ଗର ବହୁ ସଂଖ୍ୟକ ଲୋକ ବସବାସ କରୁଛନ୍ତି। ସେମାନଙ୍କ ସ୍ୱାର୍ଥ ଓ କଲ୍ୟାଣ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିଛି।
ବନ୍ଧୁଗଣ ,
ମଧ୍ୟବିତ୍ତ ପରିବାରଗୁଡ଼ିକର ସଞ୍ଚୟ ବୃଦ୍ଧି କରିବା ଏବଂ ସେମାନଙ୍କ ହାତରେ ଅଧିକ ଅର୍ଥ ରଖିବା ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଆମେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକରମୁକ୍ତ କରିଛୁ। ଟିଡିଏସ୍ ନିୟମରେ ପରିବର୍ତ୍ତନ କରି ବରିଷ୍ଠ ନାଗରିକ ଏବଂ ଭଡ଼ାରୁ ଆୟ କରୁଥିବା ବ୍ୟକ୍ତିମାନଙ୍କୁ ଆଶ୍ୱସ୍ତି ଦିଆଯାଇଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ମାଧ୍ୟମରେ ଦୈନନ୍ଦିନ ବ୍ୟବହାରର ସାମଗ୍ରୀଗୁଡ଼ିକୁ ଶସ୍ତା କରାଯାଇଛି। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରୁ ଜିଏସ୍ଟି ହଟାଇ ବୀମା ସେବାକୁ ଅଧିକ ସୁଲଭ କରାଯାଇଛି।
ବନ୍ଧୁଗଣ ,
ଆମର ପ୍ରୟାସ ହେଉଛି ମଧ୍ୟବିତ୍ତ ପରିବାରଗୁଡ଼ିକର ସଞ୍ଚୟ ବୃଦ୍ଧି ପାଉ, ସେମାନଙ୍କର କ୍ରୟ କ୍ଷମତା ସୁଦୃଢ଼ ହେଉ ଏବଂ ସେମାନେ ନିଜ ପରିବାରର ସ୍ୱପ୍ନ ପୂରଣ କରିବା ସହ ଦେଶର ଆର୍ଥିକ ପ୍ରଗତିରେ ମଧ୍ୟ ଭାଗୀଦାର ହୁଅନ୍ତୁ।
ଆଜି କର୍ଣ୍ଣାଟକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଶର ଏହି ବିକାଶ ଯାତ୍ରାକୁ ନୂଆ ଗତି ପ୍ରଦାନ କରିବ। ଏହି ନୂତନ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭକାମନା। ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ!
*****
SPD
A major boost to Karnataka's growth! Projects worth over ₹15,000 crore are being launched today to strengthen connectivity and energy security. https://t.co/jfMwD06wCK
— Narendra Modi (@narendramodi) November 13, 2026
किसी भी देश की विकास यात्रा में infrastructure की बहुत बड़ी भूमिका होती है। बेहतर connectivity तरक्की, रोजगार और उद्योग सबकी नई संभावनाएं बनाती है। और जब विकास के ये अवसर समाज के हर वर्ग तक पहुंचते हैं, तो गरीबी के खिलाफ लड़ाई भी मजबूत होती है। इसी का परिणाम है कि बीते वर्षों में देश के करीब 50 करोड़ नागरिक भीषण गरीबी से बाहर आए हैं: PM @narendramodi
— PMO India (@PMOIndia) November 13, 2026
दिल्ली-NCR और मुंबई-मेट्रोपॉलिटन रीजन के बाद बेंगलुरू, देश का तीसरा शहर बना है जहां मेट्रो नेटवर्क की सेंचुरी लगी है। नम्मा मेट्रो की ये सफलता केवल एक प्रोजेक्ट तक सीमित नहीं है। ये Ease of Living को लेकर, Ease of Travel को लेकर देश की नई सोच का परिणाम है: PM @narendramodi
— PMO India (@PMOIndia) November 13, 2026
कुछ दिन पहले कर्नाटका को राज्य की पहली वंदे भारत स्लीपर ट्रेन मिली थी और आज कर्नाटका को गोवा से जोड़ने वाली वंदे भारत ट्रेन मिली है: PM @narendramodi
— PMO India (@PMOIndia) November 13, 2026
आज भारत chip से लेकर ship तक, AI, data centres से लेकर quantum computing तक... नई technology में नेतृत्व का लक्ष्य लेकर आगे बढ़ रहा है: PM @narendramodi
— PMO India (@PMOIndia) November 13, 2026