Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀଗୁରୁ ନାନକ ଦେବଜୀଙ୍କ ପବିତ୍ର ପ୍ରକାଶ ପର୍ବ ଅବସରରେ ଶବଦ କୀର୍ତ୍ତନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

ଶ୍ରୀଗୁରୁ ନାନକ ଦେବଜୀଙ୍କ ପବିତ୍ର ପ୍ରକାଶ ପର୍ବ ଅବସରରେ ଶବଦ କୀର୍ତ୍ତନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ


ଗୁରୁପ୍ରିୟ ସାଧସଙ୍ଗତ ଜୀ, ୱାହେଗୁରୁ ଜୀ କା ଖାଲସା, ୱାହେଗୁରୁ ଜୀ କୀ ଫତେହ!

ଶିଖ ସମାଜର ପୂଜ୍ୟ ସନ୍ଥଗଣ, ଦିଲ୍ଲୀର ଉପରାଜ୍ୟପାଳ ତରନଜିତ ସିଂହ ସାନ୍ଧୁ ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, ସଂସଦରେ ମୋର ସହଯୋଗୀଗଣ, ଦିଲ୍ଲୀ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନେ,

ଏହି ପବିତ୍ର ପରିବେଶରେ ମୁଁ ଶ୍ରୀଗୁରୁ ନାନକ ଦେବଜୀଙ୍କୁ ଭକ୍ତିପୂର୍ବକ ପ୍ରଣାମ କରୁଛି। ସମସ୍ତ ଦେଶବାସୀଙ୍କୁ ପ୍ରକାଶ ପର୍ବର ଅଶେଷ ଶୁଭେଚ୍ଛା ଜଣାଉଛି। ଗୁରୁ ପୂରବର ଏହି ପବିତ୍ର ଅବସରରେ ମୋତେ ଶବଦ କୀର୍ତ୍ତନରେ ସାମିଲ ହେବାର ସୁଯୋଗ ଦେଇଥିବାରୁ ମୁଁ ତରନଜିତ ସିଂହ ସାନ୍ଧୁ ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ସାଥୀଗଣ,

ଗୁରୁବାଣୀର ପ୍ରତ୍ୟେକ ଶବ୍ଦ ଏବଂ କୀର୍ତ୍ତନର ପ୍ରତ୍ୟେକ ସ୍ୱର କେବଳ ସଙ୍ଗୀତ ନୁହେଁ। ଏହା ସ୍ବୟଂ ଏକ ସାଧନା। ଏହା ଜ୍ଞାନର ସାଗରରେ ବୁଡ଼ ପକାଇବା ସଦୃଶ। ସେଥିପାଇଁ ଯେତେବେଳେ ମୋତେ ଏଭଳି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳେ, ଯେତେବେଳେ ବି ସୁଯୋଗ ମିଳେ, ମୁଁ ସଙ୍ଗତ ଓ କୀର୍ତ୍ତନରେ ନିଶ୍ଚିତ ଭାବେ ଯୋଗଦିଏ।

 

ସାଥୀଗଣ,

ଗୁରୁ ନାନକ ଦେବଜୀ କହୁଥିଲେ- କିରତ କରୋ, ୱଣ୍ଡ ଛକୋ, ନାମ ଜପୋ। ଅର୍ଥାତ୍ ପରିଶ୍ରମ କରି ଜୀବିକା ଅର୍ଜନ କର, ମିଳିମିଶି ବାଣ୍ଟି ଖାଅ ଏବଂ ଈଶ୍ୱରଙ୍କ ନାମ ସ୍ମରଣ କର। ଏହା ମୋ ଜୀବନର ଏକ ସ୍ୱାଭାବିକ ଅଂଶ ହୋଇ ରହିଛି। ଗୁରୁଦ୍ୱାରରେ ମଥା ନୁଆଁଇବା, ଗୁରୁବାଣୀରେ ନିମଗ୍ନ ହୋଇ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିବା, ସେବାର ସୁଖ ଅନୁଭବ କରିବା ଏବଂ ଲଙ୍ଗରର ପ୍ରସାଦ ଗ୍ରହଣ କରିବା- ପିଲାଦିନରୁ ଆରମ୍ଭ କରି ସଂଗଠନର କର୍ମୀ ହେବା ପର୍ଯ୍ୟନ୍ତ ଏହି ଧାରା ନିରନ୍ତର ଜାରି ରହିଛି। ଅନେକ ଥର ଶ୍ରୀ ହରମନ୍ଦିର ସାହିବରେ ମଥା ନୁଆଁଇବାର ସୌଭାଗ୍ୟ ମୋତେ ମିଳିଛି। ପୁରୁଣା ସାଥୀମାନେ ଜାଣିଥିବେ, ମୁଁ ପଞ୍ଜାବରେ ମଧ୍ୟ ଦୀର୍ଘ ସମୟ ବିତାଇଛି। ସେହି ସମୟ ମୋ ଜୀବନର ସବୁଠାରୁ ସ୍ମରଣୀୟ ଅନୁଭୂତି ମଧ୍ୟରୁ ଅନ୍ୟତମ।

ଭାଇ ଓ ଭଉଣୀମାନେ,

ଗୁରୁକୃପାରୁ ମୋତେ ଶିଖ ସନ୍ଥମାନଙ୍କ ସଙ୍ଗତ ମିଳିଆସିଛି। ପ୍ରଧାନମନ୍ତ୍ରୀ ଆବାସରେ ମଧ୍ୟ ଅନେକ ଶିଖ ସନ୍ଥ ଓ ଜ୍ଞାନୀଙ୍କୁ ଆତିଥ୍ୟ ପ୍ରଦାନ କରିବାର ସୌଭାଗ୍ୟ ମୋତେ ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ମଧ୍ୟ ଆମ ସନ୍ଥମାନଙ୍କ ଉପସ୍ଥିତି ଏକ ଭିନ୍ନ ଆଧ୍ୟାତ୍ମିକ ଶକ୍ତିର ଅନୁଭବ ଦେଉଛି। ଏହି ଅବସରରେ ମୁଁ ସମସ୍ତ ସନ୍ଥ ଓ ଜ୍ଞାନୀମାନଙ୍କୁ ପ୍ରଣାମ କରୁଛି। ସମସ୍ତ ଶିଖ ଭାଇ ଓ ଭଉଣୀଙ୍କୁ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

ଚଳିତ ବର୍ଷର ପ୍ରକାଶ ପର୍ବ ସହିତ ଆଉ ଏକ ପବିତ୍ର ସ୍ମୃତି ଯୋଡ଼ି ହୋଇଛି। ଚଳିତ ବର୍ଷ ଶ୍ରୀଗୁରୁ ତେଗ ବାହାଦୁର ଜୀଙ୍କ ବଳିଦାନର ୩୫୦ ବର୍ଷ ପୂରଣ ହୋଇଛି। ଦିଲ୍ଲୀର ଏହି ମାଟିରେ ଦେଶର ପରିଚୟ, ଆସ୍ଥା, ବିଶ୍ୱାସ ଓ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ସାହିବ ନିଜର ବଳିଦାନ ଦେଇଥିଲେ। ସେହି ଘଟଣାକୁ ୩୫୦ ବର୍ଷ ବିତିଗଲାଣି, କିନ୍ତୁ ଭାରତର ମାଟିରେ ଏବଂ ଦେଶର ପ୍ରତ୍ୟେକ କଣିକାରେ ସେହି ବଳିଦାନର ପ୍ରେରଣା ଆଜି ମଧ୍ୟ ନିହିତ ରହିଛି। ଦେଶବାସୀ ସର୍ବଦା ତାଙ୍କ ପ୍ରତି କୃତଜ୍ଞ ରହିବେ।

ସାଥୀଗଣ,

ରାଷ୍ଟ୍ର ଓ ଏହାର ସଂସ୍କୃତି ପାଇଁ ସବୁକିଛି ଉତ୍ସର୍ଗ କରିବାର ଭାବନା ସମଗ୍ର ଶିଖ ପରମ୍ପରାର ପରିଚୟ ହୋଇ ରହିଛି। ଭାଇ ମତି ଦାସ ଜୀ, ଭାଇ ସତି ଦାସ ଜୀ ଓ ଭାଇ ଦୟାଲା ଜୀଙ୍କ ବଳିଦାନ ମଧ୍ୟ ଆମକୁ ଏହା ମନେ ପକାଇ ଦିଏ। ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ଏହି ପରମ୍ପରା ନିରନ୍ତର ଜାରି ରହିଥିଲା। ଏବେ ଆମ ଉପରାଜ୍ୟପାଳ ଏ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି। ସର୍ଦ୍ଦାର ତେଜା ସିଂହ ସମୁନ୍ଦରୀ ଜୀ ଏହାର ଏକ ଉଜ୍ଜ୍ୱଳ ଉଦାହରଣ। ଗୁରୁଦ୍ୱାର ସଂସ୍କାର ଆନ୍ଦୋଳନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ନିଜର ସମଗ୍ର ଜୀବନ ସେବା ପାଇଁ ସମର୍ପିତ କରିଥିଲେ। ଚଳିତ ବର୍ଷ ତାଙ୍କ ବଳିଦାନର ମଧ୍ୟ ଶହେ ବର୍ଷ ପୂରଣ ହେଉଛି। ଏହି ଅବସରରେ ମୁଁ ତାଙ୍କୁ ମଧ୍ୟ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି।

ସାଥୀଗଣ,

ଭାରତ ଶହ ଶହ ବର୍ଷ ଧରି ପରାଧୀନତାର ଯନ୍ତ୍ରଣା ସହିଛି। ଭାରତର ଇତିହାସର ସବୁଠାରୁ କଠିନ ସମୟରେ ମଧ୍ୟ ଆମ ଗୁରୁମାନେ ଦେଶର ସୁରକ୍ଷାର ଜ୍ୟୋତି ଜଳାଇ ରଖିଥିଲେ। ଆଜି ଯେତେବେଳେ ଆମ ସମ୍ମୁଖରେ ରାଷ୍ଟ୍ରର ବଡ଼ ବଡ଼ ସଂକଳ୍ପ ରହିଛି ଏବଂ ବିକଶିତ ଭାରତର ଲକ୍ଷ୍ୟ ଆମ ସମ୍ମୁଖରେ ରହିଛି, ସେତେବେଳେ ଆମ ଗୁରୁମାନଙ୍କ ପ୍ରେରଣା ଓ ସେମାନଙ୍କ ଆଦର୍ଶର ଶକ୍ତି ବଳରେ ହିଁ ଏହି ଯାତ୍ରା ସଫଳ ହୋଇପାରିବ। ତେଣୁ ଶିଖ ପରମ୍ପରା ଓ ଶିଖ ଐତିହ୍ୟକୁ ଆଲୋକବର୍ତ୍ତିକା ଭାବେ ଆଗକୁ ବଢ଼ାଇବା ଆମ ସମସ୍ତଙ୍କ ଦାୟିତ୍ୱ।

ସାଥୀଗଣ,

ଗତ ୧୨ ବର୍ଷ ଧରି ଆମେ ପୂର୍ଣ୍ଣ ଆସ୍ଥାର ସହ ଏହି ଦାୟିତ୍ୱ ନିର୍ବାହ କରିବାକୁ ପ୍ରୟାସ କରିଆସୁଛୁ। ଆମେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ୩୫୦ତମ ପ୍ରକାଶ ପର୍ବ ପାଳନ କରିଛୁ। ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ପ୍ରକାଶ ପର୍ବ ପାଳନ କରିଛୁ। ସମଗ୍ର ଭାରତ ଓ ବିଦେଶରେ ଅନେକ ସମାରୋହ ଆୟୋଜନ କରାଯାଇଛି। ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଜାରି କରାଯାଇଛି। ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଛି ଏବଂ ଦେଶବ୍ୟାପୀ ଗୁରୁବାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିପରି ଗୁରୁ ତେଗ ବାହାଦୁର ଜୀଙ୍କ ୪୦୦ତମ ପ୍ରକାଶ ପର୍ବ ଅବସରରେ ଲାଲକିଲ୍ଲାରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଭାବନା ସହିତ ଆମେ ଏବେ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ମଧ୍ୟ ପାଳନ କରୁଛୁ।

ସାଥୀଗଣ,

ଆଉ ଏକ ମାସ ପରେ, ଡିସେମ୍ବର ୨୬ ତାରିଖରେ ଦେଶ ପୁଣିଥରେ ବୀର ବାଲ ଦିବସ ପାଳନ କରିବାକୁ ଯାଉଛି। ଆମେ ଏହି ଦିନକୁ ଜାତୀୟସ୍ତରରେ ପାଳନ କରିବା ଆରମ୍ଭ କରିଛୁ। କାରଣ ବୀର ସାହିବଜାଦାମାନଙ୍କ ବଳିଦାନ, ମାତା ଗୁଜରୀଙ୍କ ସଂକଳ୍ପଶକ୍ତି, ସାହସ ଓ ବୀରତ୍ୱର ସେହି ଅମର ଗାଥାକୁ ଦେଶର ନୂଆ ପିଢ଼ି ପାଖରେ ପହଞ୍ଚାଇବା ଆମର ଦାୟିତ୍ୱ। ଆମ ପିଲାମାନେ ଯେତେବେଳେ ସେହି ସମୟର ପରିସ୍ଥିତି ସମ୍ପର୍କରେ ଜାଣିବେ, ସାହିବଜାଦା ଓ ଗୁରୁମାନେ କିପରି ବଳିଦାନ ଦେଇଥିଲେ ଏବଂ ସେମାନଙ୍କ ତ୍ୟାଗ ଯୋଗୁଁ ଆମର ଆସ୍ଥା କିପରି ସୁରକ୍ଷିତ ରହିଥିଲା, ସେ ସମ୍ପର୍କରେ ଜାଣିଲେ ଏହି ପ୍ରେରଣା ଦେଶ ପାଇଁ ସମର୍ପିତ ଯୁବପିଢ଼ି ଗଢ଼ିବାରେ ସହାୟକ ହେବ।

ଗୁରୁମାନଙ୍କ ଗୌରବଗାଥାକୁ ପ୍ରଚାର କରିବା ପାଇଁ ଆମର ପ୍ରୟାସ କେବଳ ଭାରତ ମଧ୍ୟରେ ସୀମିତ ନୁହେଁ। କିଛି ଦିନ ପୂର୍ବରୁ ମୁଁ ଫିଲିପାଇନ୍ସ ଗସ୍ତରେ ଥିଲି। ସେଠାରେ ମଧ୍ୟ ମୁଁ ଫିଲିପାଇନ୍ସର ସବୁଠାରୁ ପୁରୁଣା ଗୁରୁଦ୍ୱାର ଖାଲସା ଦିୱାନ ଯାଇଥିଲି। ଖାଲସା ଦିୱାନ ଗୁରୁଦ୍ୱାରର ପୁନଃବିକାଶରେ ମଧ୍ୟ ଭାରତ ସରକାର ସହଯୋଗ କରୁଛନ୍ତି। ଆମର ଉଦ୍ୟମ ହେଉଛି, ଆମ ଗୁରୁମାନଙ୍କ ଆଲୋକ ପ୍ରତ୍ୟେକ ମଣିଷଙ୍କ ପାଖରେ ପହଞ୍ଚୁ। ସେମାନଙ୍କ ଆଶୀର୍ବାଦରେ ଭାରତ ନୂଆ ନୂଆ ଉଚ୍ଚତା ହାସଲ କରୁ।

ସାଥୀଗଣ,

ଆମେ ଆମର ଆରଦାସରେ କହୁ- ‘ନାନକ ନାମ ଚଢ଼ଦୀ କଳା, ତେରେ ଭାଣେ ସରବତ ଦା ଭଲା’। ଅର୍ଥାତ୍ ନାନକଙ୍କ ନାମରେ ସର୍ବଦା ଉନ୍ନତି ଓ ଆଶାର ଭାବନା ଜାଗ୍ରତ ରହୁ ଏବଂ ଈଶ୍ୱରଙ୍କ ଇଚ୍ଛାରେ ସମସ୍ତଙ୍କ ମଙ୍ଗଳ ହେଉ। ସମସ୍ତଙ୍କ ମଙ୍ଗଳ କାମନା କରିବାର ଏହି ଶିକ୍ଷା ଆମକୁ ଗୁରୁବାଣୀରୁ ମିଳିଥାଏ। ଆଉ ସମସ୍ତଙ୍କ ମଙ୍ଗଳ ଚାହିଁବାର ଭାବନା ଆମ ମନରେ ସେତେବେଳେ ଜାଗ୍ରତ ହୁଏ, ଯେତେବେଳେ ଆମେ ସମସ୍ତଙ୍କୁ ନିଜର ବୋଲି ଭାବିବାକୁ ଶିଖୁ।

ସାଥୀଗଣ,

ଆଜି ବିଶ୍ୱର ଅନେକ ସ୍ଥାନରେ ସଂଘର୍ଷ ଜାରି ରହିଛି। ଅନେକ ନିରୀହ ଲୋକ ଓ ପରିବାର ହିଂସା ଏବଂ ଅଶାନ୍ତିର ସାମ୍ନା କରୁଛନ୍ତି। ଏଭଳି ସମୟରେ ବିଶ୍ୱର ପ୍ରତ୍ୟେକ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା, ପ୍ରତ୍ୟେକ ପରିବାରର ସୁରକ୍ଷା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ପାଇଁ ‘ସରବତ ଦା ଭଲା’ର ଭାବନା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ସାଥୀଗଣ,

ଗୁରୁ ସାହିବ ଆମକୁ ଯେଉଁ ଜୀବନମୂଲ୍ୟ ପ୍ରଦାନ କରିଛନ୍ତି, ତାହାର ସବୁଠାରୁ ବଡ଼ ପରୀକ୍ଷା ଆମର ଦୈନନ୍ଦିନ ଜୀବନରେ ହିଁ ହୋଇଥାଏ। ଆଜି ଆମ ସମାଜ ସମ୍ମୁଖରେ ଏଭଳି ଏକ ଆହ୍ୱାନ ରହିଛି- ତାହା ହେଉଛି ନିଶାଦ୍ରବ୍ୟର ସମସ୍ୟା। କାରଣ ଜଣେ ଯୁବକ ଯେତେବେଳେ ନିଶା କବଳରେ ପଡ଼େ, ସେତେବେଳେ ତାଙ୍କ ସହିତ ସମଗ୍ର ପରିବାରର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଏ।

ସାଥୀଗଣ,

ଦେଶର ପ୍ରତ୍ୟେକ ଯୁବକ ନିଶାମୁକ୍ତ ହୁଅନ୍ତୁ। ସେମାନେ ନିଜ ସ୍ୱପ୍ନ ପୂରଣ କରନ୍ତୁ। ଅଧିକ ପାଠ ପଢ଼ନ୍ତୁ, ଜୀବନରେ ଆଗକୁ ବଢ଼ନ୍ତୁ ଏବଂ ନିଜ ପରିବାର ଓ ଦେଶର ଗୌରବ ବଢ଼ାନ୍ତୁ। ଏହି ପ୍ରୟାସରେ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ସଙ୍ଗତ, ଆମ ଗୁରୁଦ୍ୱାର ଏବଂ ଆମ ସାମାଜିକ ସଂଗଠନଗୁଡ଼ିକ ମିଳିତ ଭାବେ ଯୁବପିଢ଼ିକୁ ସଠିକ୍ ଦିଗ ଦେଖାଇପାରିବେ ଏବଂ ସଠିକ୍ ରାସ୍ତା ବାଛିବା ପାଇଁ ସେମାନଙ୍କୁ ସାହସ ଦେଇପାରିବେ। ମୋର ବିଶ୍ୱାସ, ଗୁରୁ ସାହିବଙ୍କ କୃପା ଓ ସମାଜର ସାମୂହିକ ପ୍ରୟାସ ବଳରେ ଆମେ ଆମର ନୂଆ ପିଢ଼ିକୁ ଏକ ସୁରକ୍ଷିତ ଓ ଉଜ୍ଜ୍ୱଳ ଭବିଷ୍ୟତ ଦେଇପାରିବା।

ଏହି ଭାବନା ସହିତ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଶ୍ରୀଗୁରୁ ନାନକ ଦେବ ମହାରାଜଙ୍କ ପବିତ୍ର ପ୍ରକାଶ ପର୍ବର ଅଶେଷ ଶୁଭେଚ୍ଛା ଜଣାଉଛି।

ୱାହେଗୁରୁ ଜୀ କା ଖାଲସା, ୱାହେଗୁରୁ ଜୀ କୀ ଫତେହ!

ଆସନ୍ତୁ, ମୋ ସହିତ ମିଶି ଜୟଧ୍ୱନି ଦିଅନ୍ତୁ- ବୋଲେ ସୋ ନିହାଲ! ସତ୍ ଶ୍ରୀ ଅକାଲ!

ବହୁତ ବହୁତ ଧନ୍ୟବାଦ!

 

TKM