ପିଏମଇଣ୍ଡିଆ
କେନ୍ଦ୍ରୀୟ ସଡକ ପାଣ୍ଠି 2000ରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତଥା ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ମିଳିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ଫଳରେ କେନ୍ଦ୍ରୀୟ ସଡକ ପାଣ୍ଠିରୁ 2.5 ପ୍ରତିଶତ ଅର୍ଥ ଜାତୀୟ ଜଳପଥଗୁଡିକର ବିକାଶ ଓ ରକ୍ଷଣାବେକ୍ଷଣ ଲାଗି ଦିଆଯିବ । ତା’ଛଡା ଜାତୀୟ ରାଜପଥର ବିକାଶ ଲାଗି ଏହି ପାଣ୍ଠିରୁ ଦିଆଯାଉଥିବା ସହାୟତା ଅଂଶକୁ ସାମାନ୍ୟ ପରିମାଣରେ ହ୍ରାସ କରାଯିବ । ସମ୍ଭାବ୍ୟ ଜାତୀୟ ଜଳପଥ ପ୍ରକଳ୍ପଗୁଡିକର ରୂପାୟନ ବେଳେ ସମ୍ପୃକ୍ତ ମନ୍ତ୍ରଣାଳୟ ପ୍ରଥମେ ସରକାରୀ-ଘରୋଇ ଭାଗୀଦାରିତା (ପିପିପି) ମୋଡେଲକୁ ଗ୍ରହଣ କରିବେ । ତେବେ ଏହି ଢାଞ୍ଚା ବା ଘରୋଇ ପୁଞ୍ଜି ନିବେଶ ଉପଲବ୍ଧ ନହେଲେ ସରକାରୀ ପାଣ୍ଠିର ଉପଯୋଗ କରାଯିବ ।
ସଂସଦର ଆଗାମୀ ମୌସୁମୀ ଅଧିବେଶନ କାଳରେ କେନ୍ଦ୍ରୀୟ ସଡକ ପାଣ୍ଠି ସଂଶୋଧନ ବିଲ-2017 ଆଗତ କରାଯିବ ।
ବର୍ତ୍ତମାନର ହିସାବ ଅନୁଯାୟୀ କେନ୍ଦ୍ରୀୟ ସଡକ ପାଣ୍ଠିର 2.5 ପ୍ରତିଶତ ଅର୍ଥର ପାଖାପାଖି ମୂଲ୍ୟ 2000 କୋଟି ଟଙ୍କା ହେବ । ବାର୍ଷିକ ଏହି ଅର୍ଥ ରାଶି ଜଳପଥ ବିକାଶ ଓ ସଂରକ୍ଷଣ ଦିଗରେ ବିନିଯୋଗ ହେବ । ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଏକ ଆକଳନ ଅନୁଯାୟୀ ଚିହ୍ନିତ ହୋଇଥିବା ଜଳପଥ ପ୍ରକଳ୍ପଗୁଡିକର ବିକାଶ ଲାଗି 2022-23 ଆର୍ଥିକ ବର୍ଷ ସୁଦ୍ଧା ପାଖାପାଖି 25000 କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଜାତୀୟ ଜଳମାର୍ଗ ବିକାଶ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଗଙ୍ଗା ନଦୀରେ ଆରମ୍ଭ କରାଯାଇଛି । ଇତି ମଧ୍ୟରେ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ 24ଟି ଜାତୀୟ ଜଳପଥକୁ ଆଗାମୀ 3 ବର୍ଷ ମଧ୍ୟରେ ବିକଶିତ କରିବା ଲାଗି ଯୋଜନା କରିଛନ୍ତି । ଏହାଛଡା ବହୁମୂଖୀ ଟର୍ମିନାଲ, ନୂତନ ନେଭିଗେସନ ଲକ୍, ନଦୀ ଜଳ ସୂଚନା ବ୍ୟବସ୍ଥା ଓ ଜଳମାର୍ଗ ବିକାଶ ବ୍ୟବସ୍ଥା ମଧ୍ୟ ଏହିସବୁ ଜଳପଥ ପ୍ରକଳ୍ପଗୁଡିକ ମଧ୍ୟରେ ସ୍ଥାନ ପାଇଛି ।
ଆଭ୍ୟନ୍ତରୀଣ ଜଳପଥ ପରିବହନ ଉଦ୍ୟୋଗର ବ୍ୟାପକ ବିକାଶ ଦ୍ୱାରା ଆଗାମୀ 5 ବର୍ଷ ମଧ୍ୟରେ ଦେଶର ପ୍ରାୟ 1.8 ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁବିଧା ମିଳିବ । ବିଶେଷକରି ଜଳମାର୍ଗ ବ୍ୟବସ୍ଥା ପରିଚାଳନା, ଟର୍ମିନାଲ ବ୍ୟବସ୍ଥା, ନେଭିଗେସନ ଲାଗି ସହାୟତା, ବର୍ଜ ବ୍ୟବସ୍ଥା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ମଧ୍ୟ ନୂଆ ନୂଆ ନିଯୁକ୍ତି ସୁବିଧା ସୃଷ୍ଟି ହେବ । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଆଉ 106ଟି ଜାତୀୟ ଜଳପଥର ବିକାଶ ଦ୍ୱାରା ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
**********