Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମ, 28.05.2017


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏ ବର୍ଷ ଯେଭଳି ଗରମ ପଡ଼ିଛି ହୁଏତ ଆମେ ଭୁଲିପାରିବା ନାହିଁ । କିନ୍ତୁ ବର୍ଷାକୁ ଅପେକ୍ଷା କରାଯାଇଛି । ଆଜି ମୁଁ ଆପଣମାନଙ୍କ ସହ କଥା ହେଲା ବେଳକୁ ପବିତ୍ର ରମଜାନ୍ ମାସ ଆରମ୍ଭ ହୋଇସାରିଛି । ପବିତ୍ର ରମଜାନ୍ ମାସର ଆଗମନ ପାଇଁ ମୁଁ ଭାରତ ଏବଂ ସାରା ବିଶ୍ୱର ଲୋକମାନଙ୍କୁ, ବିଶେଷ କରି ବିଶ୍ୱର ମୁସଲମାନ ସମୁଦାୟକୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ରମଜାନରେ ପ୍ରାର୍ଥନା, ଆଧ୍ୟାତ୍ମିକତା ଓ ଦାନକୁ ଯଥେଷ୍ଟ ମହତ୍ୱ ଦିଆଯାଇଥାଏ । ଆମେ ଭାରତବାସୀ ବହୁତ ଭାଗ୍ୟବାନ, କାରଣ ଆମର ପୂର୍ବଜମାନେ ଏପରି ପରମ୍ପରା ସୃଷ୍ଟି କରିଯାଇଛନ୍ତି ଯେଉଁଥିପାଇଁ ଆମେ ଗର୍ବ କରିପାରିବା । ଆମ 125 କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା ଯେ ବିଶ୍ୱର ସମସ୍ତ ସମ୍ପ୍ରଦାୟ ଭାରତରେ ବାସ କରନ୍ତି । ଆମ ଦେଶ ଏକ ଏଭଳି ଦେଶ ଯେଉଁଠି ଈଶ୍ୱରଙ୍କୁ ବିଶ୍ୱାସ କଲା ଲୋକ ବି ଅଛନ୍ତି ତଥା ଈଶ୍ୱରଙ୍କୁ ନ ମାନୁଥିବା ଲୋକ ମଧ୍ୟ ଅଛନ୍ତି । ଏ ଦେଶରେ ମୂର୍ତ୍ତିପୂଜା କରୁଥିବା ଲୋକ ତଥା ମୂର୍ତ୍ତିପୂଜାକୁ ବିରୋଧ କରୁଥିବା ଲୋକ ବି ଅଛନ୍ତି । ସମସ୍ତ ବିଚାରଧାରା, ସବୁ ପ୍ରକାରର ପୂଜାପଦ୍ଧତି, ବିଭିନ୍ନ ପରମ୍ପରାକୁ ଆପଣେଇ ନେଇ ବଂଚିରହିବାର କଳା ଏଠି ବିଦ୍ୟମାନ । ଅନ୍ତତଃ ଧର୍ମ ହେଉ, ସମ୍ପ୍ରଦାୟ ହେଉ, ବିଚାରଧାରା ହେଉ ବା ପରମ୍ପରା ହେଉ – ଏସବୁ ଆମକୁ ଶାନ୍ତି ଏକତା ଓ ସଦ୍ଭାବନାର ବାର୍ତ୍ତା ଦେଇଥାନ୍ତି । ଏହି ପବିତ୍ର ରମଜାନ୍ ମାସ ଶାନ୍ତି, ଏକତା ଓ ସଦ୍ଭାବନାର ମାର୍ଗକୁ ପ୍ରଶସ୍ତ କରିବ । ମୁଁ ସମସ୍ତଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି ।

ଗତଥର ଯେତେବେଳେ ମୁଁ ମନର କଥା କହିଥିଲି ସେତେବେଳେ ମୁଁ ଗୋଟିଏ କଥା କହିଥିଲି – ବିଶେଷକରି ଯୁବପିଢ଼ୀଙ୍କୁ କହିଥିଲି କି କିଛି ନୂଆକଥା କରନ୍ତୁ, Comfort Zoneରୁ ବାହାରକୁ ଆସନ୍ତୁ, ନୂଆ ଅନୁଭବ ସୃଷ୍ଟି କରନ୍ତୁ । ଜୀବନ ଜୀଇଁବାର କଳା ଶିଖିବା, ଟିକେ Risk ନେବା, କଠିନ ପରିସ୍ଥିତିକୁ ସାମନା କରିବା ପାଇଁ ଏହି ବୟସ ହିଁ ଉପଯୁକ୍ତ । ବଡ଼ ଖୁସିର କଥା ବହୁତ ଲୋକ ମୋତେ ଅଭିମତ (feedback) ଦେଇଛନ୍ତି । ବ୍ୟକ୍ତିଗତ ଭାବରେ ମୋତେ ନିଜର କଥା କହିବାକୁ ପ୍ରାୟ ସମସ୍ତେ ପ୍ରୟାସ କରିଛନ୍ତି । ମୁଁ ତ ସବୁଗୁଡ଼ିକୁ ପଢ଼ିପାରି ନାହିଁ, ସମସ୍ତଙ୍କ ବାର୍ତାକୁ ଶୁଣିବିପାରିନି ବହୁତଗୁଡ଼ିଏ କଥା ଆସିଥିଲା । କିନ୍ତୁ ମୁଁ ମୋଟାମୋଟି ଭାବରେ ଯାହା ଦେଖିଲି – କେହି ସଙ୍ଗୀତ ଶିଖିବାକୁ ଚେଷ୍ଟା କରିଛି ତ କେହି ନୂତନ ବାଦ୍ୟଯନ୍ତ୍ରରେ ହାତ ରଖିଛି । କିଛି ଲୋକ You Tube ମାଧ୍ୟମରେ ନୂଆ କଥା ଶିଖିବାର ଚେଷ୍ଟା କରିଛନ୍ତି । କେତେକ ନୂଆ ଭାଷା ଶିଖିବାକୁ ପ୍ରୟାସ କରିଛନ୍ତି, କେହି କେହି ରୋଷେଇ ଶିଖିବା ଆରମ୍ଭ କରିଛନ୍ତି, ନାଚ ଶିଖିବା, Drama ଶିଖିବା ଏମିତି କେତେ କ’ଣ । କେତେକ ତ ଲେଖିଛନ୍ତି ଯେ ସେମାନେ କବିତା ଲେଖିବା ଆରମ୍ଭ କରିଛନ୍ତି । ପ୍ରକୃତିକୁ ଜାଣିବା, ବୁଝିବା ଦିଗରେ ମଧ୍ୟ କେତେକ ଉଦ୍ୟମ କରିଛନ୍ତି । ମୋତେ ବହୁତ ଖୁସି ଲାଗିଲା – ଗୋଟିଏ ଫୋନକଲ୍ ତ ମୁଁ ଆପଣମାନଙ୍କୁ ବି ଶୁଣାଇବାକୁ ଚାହେଁ –

“ଦୀକ୍ଷା କାତ୍ୟାଲ୍ କହୁଛି । ମୋର ପଢ଼ିବା ଅଭ୍ୟାସ ପ୍ରାୟ ଛାଡ଼ିଯାଇଥିଲା । ମୁଁ ସ୍ଥିର କଲି ଏ ଛୁଟିରେ ମୁଁ ନିଶ୍ଚୟ ପଢ଼ିବି । ଯେତେବେଳେ ମୁଁ ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ିବା ଆରମ୍ଭ କଲି – ଭାରତକୁ ସ୍ୱାଧୀନତା ଆଣିବା ପାଇଁ କେତେ କଠିନ ସଂଗ୍ରାମ କରିବାକୁ ପଡ଼ିଛି, କେତେ ବଳିଦାନ ଦେବାକୁ ପଡ଼ିଛି ଆଉ କେତେ ସ୍ୱାଧୀନତା ସଂଗ୍ରାମୀ ବର୍ଷ ବର୍ଷ ଧରି ଜେଲ ଭୋଗିଛନ୍ତି ସେକଥା ଜାଣିବାକୁ ପାଇଲି । ଭଗତ ସିଂହ, ଖୁବ୍ କମ୍ ବୟସରେ ଯିଏ ଦେଶ ପାଇଁ ଯଥେଷ୍ଟ କିଛି କରିଯାଇଛନ୍ତି ତାଙ୍କ କଥାରୁ ମୋତେ ଅନେକ ପ୍ରେରଣା ମିଳିଛି । ତେଣୁ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଏ ବିଷୟରେ ଆଜିର ପିଢ଼ିକୁ ଆପଣ କିଛି ବାର୍ତ୍ତା ଦିଅନ୍ତୁ ।”

ମୁଁ ଖୁସି ଯେ ଦେଶର ଯୁବପିଢ଼ି ଆମ ଇତିହାସ, ଆମର ସ୍ୱାଧୀନତା ସଂଗ୍ରାମୀ ଆଉ ଏ ଦେଶ ପାଇଁ ବଳିଦାନ ଦେଇଥିବା ଲୋକମାନଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଅଗଣିତ ମହାପୁରୁଷ ଜେଲରେ ତାଙ୍କର ଯୁବାବସ୍ଥା କଟେଇ ଦେଲେ, କେତେ ନବଯୁବକ ଫାଶିଖୁଂଟରେ ଝୁଲିଗଲେ, ସେମାନେ କେତେ କ’ଣ ନ ସହିଲେ – ତା’ର ଫଳସ୍ୱରୂପ ଆଜି ଆମେ ଭାରତର ସ୍ୱାଧୀନତାକୁ ଉପଭୋଗ କରୁଛେ । ଗୋଟିଏ କଥା ଆମେମାନେ ଦେଖିପାରିବା ଯେ ଯେଉଁ ମହାପୁରୁଷମାନେ ଜେଲରେ ସମୟ କାଟିଲେ, ସେମାନେ ଲିଖନ ଓ ଅଧ୍ୟୟନ କ୍ଷେତ୍ରରେ ବହୁତ ବଡ଼ କାମ କରିଗଲେ । ତାଙ୍କର ଲେଖାଗୁଡ଼ିକ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମରେ ବିଶେଷ ସହାୟକ ହୋଇଥିଲା ।

ବହୁତ ବର୍ଷ ତଳେ ମୁଁ ଆଣ୍ଡାମାନ ନିକୋବର ଯାଇଥିଲି । ସେଲ୍ୟୁଲାର ଜେଲ ଦେଖିବାକୁ ଯାଇଥିଲି । ଆଜି ହେଉଛି ବୀର ସାବରକରଙ୍କ ଜୟନ୍ତୀ । ବୀର ସାବରକର୍ ଜେଲରେ ଥିଲାବେଳେ “ମାଝି ଜନ୍ମଠେ” ନାମକ ପୁସ୍ତକ ରଚନା କରିଥିଲେ । କବିତା ବି ଲେଖୁଥିଲେ, ଜେଲର କାନ୍ଥରେ କବିତା ଲେଖୁଥିଲେ । ଗୋଟିଏ ଛୋଟ କୋଠରୀ ଭିତରେ ତାଙ୍କୁ ବନ୍ଦକରି ରଖାଯାଇଥିଲା । ସେହି ଦେଶପ୍ରେମୀମାନେ କେତେ ଯାତନା ଭୋଗିଥିବେ । ମୁଁ ଯେତେବେଳେ ବୀର ସାବରକରଙ୍କ “”ମାଝି ଜନ୍ମଠେ” ପୁସ୍ତକ ପଢ଼ିଲି, ମୋର ସେଲ୍ୟୁଲାର ଜେଲ୍ ଦେଖିବାର ପ୍ରବଳ ଇଚ୍ଛା ହେଲା । ସେଠି ଗୋଟିଏ ଆଲୋକ ଓ ଧ୍ୱନି କାର୍ଯ୍ୟକ୍ରମ (Light and Sound Show) ହୁଏ, କାର୍ଯ୍ୟକ୍ରମଟି ବଡ଼ ହୃଦୟସ୍ପର୍ଶୀ ହୁଏ । ହିନ୍ଦୁସ୍ଥାନର କୌଣସି ଏମିତି ରାଜ୍ୟ ନାହିଁ, କୌଣସି ଭାଷା ନ ଥିବ ଯେଉଁ ଭାଷାର ଲୋକ ସ୍ୱାଧୀନତା ପାଇଁ କଳାପାଣି ସଜା ପାଇ ଆଣ୍ଡାମାନର ସେଲ୍ୟୁଲାର ଜେଲ୍ ରେ ଜୀବନ କଟାଇନାହିଁ । ସମସ୍ତ ଭାଷାଭାଷୀ, ସମସ୍ତ ପ୍ରଦେଶ ଆଉ ସବୁ ପିଢ଼ିର ଲୋକମାନେ କଳାପାଣିର ଜେଲ୍ ଯନ୍ତ୍ରଣା ସହିଥିଲେ । ଆଜି ବୀର ସାବରକରଙ୍କ ଜନ୍ମଦିନ । ମୁଁ ଦେଶର ଯୁବ ସମୁଦାୟକୁ କହିବାକୁ ଚାହେଁ ଯେ ଆମକୁ ଯେଉଁ ସ୍ୱାଧୀନତା ମିଳିଛି ତା’ପାଇଁ ଲୋକମାନେ କେତେ କଷ୍ଟ ସ୍ୱୀକାର କରିଛନ୍ତି, କେତେ ଯାତନା ସହିଛନ୍ତି, ଆପଣ ଯଦି ସେଲ୍ୟୁଲାର ଜେଲ୍ ଦେଖିବେ ଜାଣିପାରିବେ । ଆଉ ଏକଥା ବି ଜାଣିପାରିବେ ତାକୁ କାହିଁକି କଳାପାଣି ବୋଲି କୁହାଯାଏ । ସେଲ୍ୟୁଲାର ଜେଲ ଆମ ସ୍ୱାଧୀନତା ସଂଗ୍ରାମର ତୀର୍ଥକ୍ଷେତ୍ର । ସୁଯୋଗ ମିଳିଲେ ନିଶ୍ଚୟ ଯାଇ ଦେଖନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଜୁନ୍ ମାସ 5 ତାରିଖ, ମାସର ପ୍ରଥମ ସୋମବାର ପଡ଼ୁଛି । ଏମିତି ତ ଏହା ଏକ ସାଧାରଣ କଥା କିନ୍ତୁ ଜୁନ 5 ତାରିଖର ଏକ ସ୍ୱତନ୍ତ୍ର ମହତ୍ୱ ହେଲା ଏହି ଦିନକୁ “ବିଶ୍ୱ ପରିବେଶ ଦିବସ’ ଭାବରେ ପାଳନ କରାଯାଉଛି । ଏ ବର୍ଷ ପାଇଁ ମିଳିତ ଜାତିସଂଘ ଏକ ବିଷୟବସ୍ତୁ (Theme) ରଖିଛନ୍ତି – ‘Connecting People to Nature’,- ଲୋକମାନଙ୍କୁ ପ୍ରକୃତି ସହ ଯୋଡ଼ିବା । ଅନ୍ୟ ଶବ୍ଦରେ କହିଲେ back to basics । ପ୍ରକୃତି ସହିତ ଯୋଡ଼ିହେବା ବା ସଂଯୁକ୍ତ ହେବାର ଅର୍ଥ କ’ଣ? ମୋ ମତରେ ଏହା ହେଉଛି ନିଜେ ନିଜ ସହିତ ଯୋଡ଼ିହେବା । ପ୍ରକୃତି ସହିତ ଯୋଡ଼ିହେବାର ଅର୍ଥ ହେଲା – ଏକ ଶ୍ରେଷ୍ଠତର ବିଶ୍ୱକୁ ପ୍ରତିପାଳିତ କରିବା – ଏକଥାକୁ ମହାତ୍ମାଗାନ୍ଧୀଙ୍କଠାରୁ ଭଲଭାବରେ ଆଉ କିଏ କହିପାରେ । ମହାତ୍ମାଗାନ୍ଧୀ ଅନେକ ଥର କହିଛନ୍ତି “One must care about a world one will not see”-. ତା’ର ଅର୍ଥ ହେଲା ଆମେ ସେ ଦୁନିଆ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ ଯାହାକୁ ଆମେ ଦେଖିପାରିବାନି । ଆମେ ତା’ର ଯତ୍ନ ନେବା ବି ଉଚିତ । ପ୍ରକୃତିର ଗୋଟିଏ ଶକ୍ତି ଅଛି, ଆପଣ ଅନୁଭବ କରିଥିବେ ଯେ – ଆପଣ ବହୁତ କ୍ଳାନ୍ତ ହୋଇଆସିଛନ୍ତି ଆଉ ଗୋଟିଏ ଗ୍ଲାସ ପାଣିରେ ମୁହଁ ଧୋଇଦେଲେ ଆପଣଙ୍କୁ ବହୁତ ଆରାମ ଲାଗେ । ଏକ ସତେଜତା ଆସିଯାଏ । ସେହିଭଳି ବହୁତ କ୍ଳାନ୍ତ ହୋଇଆସିଛନ୍ତି – ଘରର ଝରକା କବାଟ ଖୋଲିଦିଅନ୍ତୁ ଆଉ ତାଜା ପବନରେ ଟିକେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ – ଗୋଟିଏ ନୂଆ ସତେଜତା ଓ ଚେତନା ଅନୁଭୂତ ହୁଏ । ଯେଉଁ ପଞ୍ଚଭୂତରେ ଶରୀର ସୃଷ୍ଟି ହୋଇଛି ଯେତେବେଳେ ସେହି ପଞ୍ଚଭୂତର ସଂସ୍ପର୍ଶରେ ଶରୀର ଆସେ ସେତେବେଳେ ଏକ ନୂତନ ଚେତନା ଆଉ ନୂତନ ଶକ୍ତିର ସଂଚାର ହୋଇଥାଏ । ଆମେ ସମସ୍ତେ ଏକଥା ଅନୁଭବ କରୁ କିନ୍ତୁ ତାକୁ ଗୋଟିଏ ସୂତ୍ରରେ ଗୁନ୍ଥିନଥାଉ । ୟା ପରେ ଆପଣ ଦେଖିବେ – ଯେତେବେଳେ ଆପଣ ପ୍ରାକୃତିକ ଅବସ୍ଥା ସହ ଜଡ଼ିତ ହେବେ ସେତେବେଳେ ଆପଣଙ୍କ ଭିତରେ ଏକ ନୂତନ ଚେତନା ଜାଗ୍ରତ ହେବ । ଏଥିପାଇଁ ଜୁନ୍ 5 ତାରିଖରେ ପ୍ରକୃତି ସହ ସଂଯୁକ୍ତ ହେବାର ଯେଉଁ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ ହେଉଛି ତାହା ଆମମାନଙ୍କର ନିଜର ଅଭିଯାନରେ ପରିଣତ ହେବା ଉଚିତ । ଆମ ପୂର୍ବପୁରୁଷମାନେ ଯେଉଁ ପରିବେଶର ରକ୍ଷା କରିଥିଲେ ତା’ର ଲାଭ ଆମମାନଙ୍କୁ ମିଳୁଛି । ଆଉ ଆମେ ଯଦି ପରିବେଶର ରକ୍ଷା କରିବା ତା’ହେଲେ ତାହା ଆମର ଆଗାମୀ ପିଢ଼ି ପାଇଁ ନିଶ୍ଚୟ ଲାଭଦାୟକ ହେବ । ବେଦରେ ପୃଥିବୀ ଆଉ ପରିବେଶକୁ ଶକ୍ତିର ମୂଳଉତ୍ସ ବୋଲି କୁହାଯାଇଛି । ବେଦରେ ଏହାର ବର୍ଣ୍ଣନ ଦେଖିବାକୁ ମିଳେ । ଆଉ ଅଥର୍ବବେଦ ତ ସମ୍ପୂର୍ଣ୍ଣ ରୂପେ ପରିବେଶ ବିଷୟରେ ମାର୍ଗଦର୍ଶକ ଗ୍ରନ୍ଥ ଯାହା ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଛି । ଏଠାରେ କୁହାଯାଇଛି – “ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ’ । ବେଦରେ କୁହାଯାଇଛି ଆମଠାରେ ଯେଉଁ ପବିତ୍ରତା ଅଛି ତାହା ପୃଥିବୀ ଯୋଗୁଁ ସମ୍ଭବ ହୋଇଛି । ପୃଥିବୀ ଆମର ମାତା ଏବଂ ଆମେ ତା’ର ପୁତ୍ର ଅଟୁ । ଯଦି ଆମେ ଭଗବାନ ବୁଦ୍ଧଙ୍କୁ ମନେ ପକାଇବା ତେବେ ଦେଖିବା ଯେ ଭଗବାନ ବୁଦ୍ଧଙ୍କର ଜନ୍ମ, ଜ୍ଞାନପ୍ରାପ୍ତି ତଥା ମହାନିର୍ବାଣ ତିନୋଟି ଯାକ ଘଟଣା ତିନୋଟି ବୃକ୍ଷ ମୂଳରେ ହୋଇଥିଲା । ଆମ ଦେଶରେ ମଧ୍ୟ ଅନେକ ପର୍ବପର୍ବାଣୀ, ପୂଜା ପଦ୍ଧତି ଅଛି ଯେଉଁଠି ପ୍ରକୃତିର ପୂଜା ହୋଇଥାଏ । ଶିକ୍ଷିତ, ଅଶିକ୍ଷିତ, ସହରୀ, ଗ୍ରାମୀଣ ଅଥବା ବନବାସୀ ଆଦିବାସୀ-ସମାଜ ହେଉ ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତିର ପୂଜା ବା ପ୍ରକୃତି ପ୍ରେମ ଏକ ସହଜ ସାମାଜିକ ଜୀବନର ଅଙ୍ଗ ହୋଇରହିଛି । କିନ୍ତୁ ତାକୁ ଆଧୁନିକ ଶବ୍ଦରେ, ଆଧୁନିକ ତର୍କ ଦ୍ୱାରା, ଆଧୁନିକ ଜୀବନ ସହ ଯୋଡ଼ିବାର ଆବଶ୍ୟକତା ଅଛି ।

ଆଜିକାଲି ମୋ ପାଖକୁ ରାଜ୍ୟଗୁଡ଼ିକରୁ ଖବର ଆସୁଛି । ପ୍ରାୟ ସବୁ ରାଜ୍ୟରେ ବର୍ଷା ଆସିବା ସଙ୍ଗେ ସଙ୍ଗେ ବୃକ୍ଷରୋପଣର ଗୋଟିଏ ବଡ଼ ଅଭିଯାନ ଆରମ୍ଭ ହେଉଛି । କୋଟି କୋଟି ସଂଖ୍ୟାରେ ଗଛ ଲଗାଯାଉଛି । ସ୍କୁଲର ପିଲାମାନେ ବି ସାମିଲ ହେଉଛନ୍ତି, ସାମାଜିକ ସଂଠଗନ, NGO ମାନେ ବି ଯୋଗ ଦେଉଛନ୍ତି । ସରକାର ନିଜେ ବି ପଦକ୍ଷେପ ନେଉଛନ୍ତି । ଆମେମାନେ ବି ଏ ବର୍ଷାଋତୁରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ ଦେବା ।

ମୋର ପ୍ରିୟ ଦେଶବାସୀଗଣ, ଜୁନ୍ 21 ତାରିଖ, ଆଜି ସାରା ବିଶ୍ୱରେ ଜୁନ୍ 21 ଏକ ଜଣାଶୁଣା ଦିନ ହୋଇଗଲାଣି । ସାରା ବିଶ୍ୱ ଏହାକୁ ବିଶ୍ୱ ଯୋଗ ଦିବସ ରୂପରେ ପାଳନ କରୁଛି । ଖୁବ୍ କମ୍ ଦିନ ଭିତରେ 21 ଜୁନ୍ ଅର୍ଥାତ୍ ବିଶ୍ୱଯୋଗ ଦିବସ ବିଶ୍ୱର ସବୁ କୋଣରେ ପହଂଚିଗଲାଣି । ଗୋଟିଏ ଦିଗରେ ଅନେକ ବିଘଟନବାଦୀ ଶକ୍ତି ବିଶ୍ୱକୁ ନିଜର ବିକୃତ ରୂପ ଦେଖାଉଥିବା ବେଳେ ବିଶ୍ୱ ଯୋଗଦିବସ ବିଶ୍ୱକୁ ଭାରତର ଏକ ବହୁତ ବଡ଼ ଦାନ । ଆମେ ଯୋଗ ଦ୍ୱାରା ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଛୁ । ଯୋଗ ଯେଉଁଭଳି ଭାବେ ଶରୀର, ମନ, ବୁଦ୍ଧି ଓ ଆତ୍ମାକୁ ଯୋଡ଼ିଥାଏ ସେହିଭଳି ଆଜି ବିଶ୍ୱକୁ ମଧ୍ୟ ଯୋଡ଼ିପାରିଛି । ଆମର ଆଜିକାର ଜୀବନଶୈଳୀ, ଧାଁ-ଦୌଡ଼, ବଢ଼ିଯାଉଥିବା ଉତ୍ତରଦାୟିତ୍ୱ ଆଦି ଯୋଗୁଁ ଚାପମୁକ୍ତ ଜୀବନଯାପନ ଅସମ୍ଭବ ହୋଇପଡ଼ୁଛି । ଏଣୁ ତେଣୁ ଔଷଧ ଖାଇ ଦିନ କଟେଇବାକୁ ପଡ଼ୁଛି । ଏଭଳି ସମୟରେ ଚାପମୁକ୍ତ ଜୀବନ ପାଇଁ ଯୋଗର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୋଗ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାରୀରିକ ଦକ୍ଷତା ଉଭୟ ପାଇଁ ଗ୍ୟାରେଣ୍ଟି ଦେଇଥାଏ । ଯୋଗ କେବଳ ଗୋଟିଏ ବ୍ୟାୟାମ ନୁହେଁ । ଶରୀର, ମନ, ଆଚାର-ବିଚାରରେ ସୁସ୍ଥତାର ଏକ ଅର୍ନ୍ତଯାତ୍ରାକୁ ଅନୁଭବ କରିବା କେବଳ ଯୋଗ ଦ୍ୱାରା ସମ୍ଭବ । ଏଇ ଦୁଇଦିନ ଆଗରୁ ମୁଁ ଯୋଗଦିବସ ସମ୍ପର୍କରେ ବିଶ୍ୱର ସମସ୍ତ ସରକାର ଓ ନେତାମାନଙ୍କୁ ପତ୍ର ଲେଖିଛି ।

ବିଗତ ବର୍ଷ ମୁଁ ଯୋଗ ସମ୍ବନ୍ଧୀୟ କେତେକ ପ୍ରତିଯୋଗିତା ଘୋଷଣା କରିଥିଲି କିଛି ପୁରସ୍କାର ମଧ୍ୟ ଘୋଷଣା କରିଛି । ଧୀରେ ଧୀରେ ସେ ଦିଗରେ କାମ ଆଗେଇ ଚାଲିବ । ମୋତେ ଗୋଟିଏ ପରାମର୍ଶ ମିଳିଛି ଏବଂ ଏହି ମୌଳିକ ପରାମର୍ଶ ଦେଇଥିବା ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବଡ଼ କୌତୁହଳପୂର୍ଣ୍ଣ ପରାମର୍ଶ ।

ସେମାନେ କହିଲେ ଯେ ଏହା ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ମୋତେ କହିଲେ ଯେ ଆପଣ ଅପିଲ/ନିବେଦନ କରନ୍ତୁ ଯେ ଏଥର ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଦିନ ପରିବାରର ତିନି ପିଢ଼ି ଏକାଠି ଯୋଗ କରନ୍ତୁ । ଜେଜେ ବାପା – ଜେଜେ ମା’ ହୁଅନ୍ତୁ କିମ୍ବା ଅଜା-ଆଈ ହୁଅନ୍ତୁ, ବାପା-ମାଆ ହୁଅନ୍ତୁ, ପୁଅ-ଝିଅ ହୁଅନ୍ତୁ, ତିନୋଟି ପିଢ଼ି ଏକା ସାଥିରେ ଯୋଗ କରନ୍ତୁ ଏବଂ ଏହାର ଫଟୋ ଅପଲୋଡ କରନ୍ତୁ । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଗୋଟିଏ ଏଭଳି ସୁନ୍ଦର ସଂଯୋଗ ହେବ ଯେ, ଯୋଗକୁ ଗୋଟିଏ ନୂତନ ଦିଗ ମିଳିବ । ଏହି ପ୍ରସ୍ତାବ ପାଇଁ ମୁଁ ଧନ୍ୟବାଦ ଅର୍ପଣ କରୁଛି ଏବଂ ମୁଁ ମଧ୍ୟ ଅନୁଭବ କରୁଛି ଯେ ଆମେ ଯେମିତି Selfie with daughter ଅଭିଯାନ ଚଳାଇଥିଲୁ ଏବଂ ଏହାର ଯେମିତି ଏକ ଚିତାକର୍ଷକ ଅନୁଭୂତି ହୋଇଥିଲା, ସେହିପରି ଏହି ତିନି ପିଢ଼ି ଏକାଠି ଯୋଗ କରୁଥିବାର ଫଟୋଚିତ୍ର ମଧ୍ୟ ଦେଶ ଏବଂ ଦୁନିଆର ଲୋକଙ୍କ ମନରେ କୌତୁହଳ ଜାଗ୍ରତ କରିବ । ଏଭଳି ତିନିପିଢ଼ି ଏକାଠି ଯୋଗ କରୁଥିବାର ଫଟୋ ଆପଣ ନିଶ୍ଚୟ ମୋତେ NarendraModiApp କିମ୍ବା MyGov ମାଧ୍ୟମରେ ପଠାନ୍ତୁ । ଏସବୁ ଅତୀତ, ବର୍ତମାନ ଏବଂ ଭବିଷ୍ୟତର ଫଟୋ ହେବ, ଯାହା ଏକ ସୁନ୍ଦର ଭବିଷ୍ୟତର ଗ୍ୟାରେଣ୍ଟି ହେବ । ମୁଁ ଆପଣ ସମସ୍ତଙ୍କୁ ନିମନ୍ତ୍ରିତ କରୁଛି । ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଆମ ହାତରେ ପ୍ରାୟ ତିନି ସପ୍ତାହର ସମୟ ରହିଛି । ଆଜିଠାରୁ ହିଁ ଅଭ୍ୟାସ ଆରମ୍ଭ କରିଦିଅନ୍ତୁ । ମୁଁ ଜୁନ୍ 1 ତାରିଖରୁ twitter ରେ ପ୍ରତିଦିନ ଯୋଗ ସମ୍ପର୍କରେ କିଛି ନା କିଛି Post କରିବି, 21 ଜୁନ୍ ପର୍ଯ୍ୟନ୍ତ ଲଗାତାର ଭାବରେ କରିଚାଲିବି, ଆପଣଙ୍କ ସହିତ share କରିବି । ଆପଣ ମଧ୍ୟ ଏହି ତିନି ସପ୍ତାହ କ୍ରମାଗତ ଭାବେ ଯୋଗ ସମ୍ପର୍କରେ ପ୍ରଚାର କରନ୍ତୁ । ଲୋକମାନଙ୍କୁ ଏହା ସହ ଜଡ଼ିତ କରାନ୍ତୁ । କହିବାକୁ ଗଲେ ଏହା ଏକ ପ୍ରକାର Preventive Health Care ଆନ୍ଦୋଳନ । ଏଥିରେ ସାମିଲ ହେବାପାଇଁ ମୁଁ ଆପଣ ସମସ୍ତଙ୍କୁ ନିମନ୍ତ୍ରିତ କରୁଛି ।

ଆପଣମାନେ ଯେବେଠାରୁ ମୋତେ ପ୍ରଧାନସେବକ ରୂପେ କାର୍ଯ୍ୟ କରିବାର ଦାୟିତ୍ୱ ଦେଇଛନ୍ତି ଏବଂ ଅଗଷ୍ଟ 15 ଦିନ ପ୍ରଥମ ଥର ମୁଁ ଯେବେ ଲାଲକିଲ୍ଲାର ପ୍ରାଚୀର ଉପରୁ ଉଦ୍ବୋଧନ ଦେବାର ସୁଯୋଗ ପାଇଥିଲି ସେତେବେଳେ ମୁଁ ସ୍ୱଚ୍ଛତା ସମ୍ପର୍କରେ କହିଥିଲି । ସେଦିନଠାରୁ ଆଜିପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନକୁ ମୁଁ ଯାତ୍ରା କରିଛି । ହେଲେ ମୁଁ ଲକ୍ଷ୍ୟ କରିଛି ଯେ, କିଛି ଲୋକ ମୋଦୀ କ’ଣ କରୁଛନ୍ତି? ମୋଦୀ କେଉଁଠିକୁ ଯାଉଛନ୍ତି? ମୋଦୀ କ’ଣ କ’ଣ କଲେ? ଏସବୁ ସୂକ୍ଷ୍ମତାର ସହ ଅନୁଧ୍ୟାନ କରି ଏହାକୁ ଅନୁଗମନ (follow) କରନ୍ତି । ମୋ ପାଖକୁ ଗୋଟିଏ ଖୁବ୍ କୌତୁହଳଜନକ ଫୋନକଲ୍ ଆସିଲା, ମୁଁ ମଧ୍ୟ ଏଭଳି ଚିନ୍ତା କରିନଥିଲି । କିନ୍ତୁ ସେ ଯେଉଁକଥା ଧରିଛନ୍ତି ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଏହି ଫୋନ କଲ ଶୁଣିଲେ ଆପଣ ମଧ୍ୟ ଜାଣିପାରିବେ ।

“ପ୍ରଣାମ ମୋଦିଜୀ, ମୁଁ ନୈନା, ମୁମ୍ବାଇରୁ କହୁଛି । ମୋଦିଜୀ ଆଜିକାଲି ମୁଁ ସବୁବେଳେ TV ଏବଂ Social Media ରେ ଦେଖୁଛି – ଆପଣ ଯେଉଁଠିକୁ ଯାଉଛନ୍ତି ସେଠି ଲୋକମାନେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ମୁମ୍ବାଇ ହେଉ କିମ୍ବା ସୁରତ୍, ଆପଣଙ୍କ ଆହ୍ୱାନରେ ଲୋକେ ମିଳିତ ଭାବରେ ସ୍ୱଚ୍ଛତାକୁ ଗୋଟିଏ Mission ରୂପରେ ଗ୍ରହଣ କରିଛନ୍ତି । କେବଳ ବଡ଼ମାନଙ୍କ ମଧ୍ୟରେ ନୁହେଁ, ପିଲାମାନଙ୍କ ମଧ୍ୟରେ ବି ସ୍ୱଚ୍ଛତାକୁ ନେଇ ସଚେତନତା ସୃଷ୍ଟି ହୋଇଛି । ଅନେକଥର ବଡ଼ମାନେ ଅଳିଆ ପକାଇବା ବେଳେ ପିଲାମାନେ ସେମାନଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି । କାଶୀର ଘାଟରୁ ଆପଣ ସ୍ୱଚ୍ଛତା ସମ୍ପର୍କରେ ଯେଉଁ ପ୍ରଚାର ଆରମ୍ଭ କରିଥିଲେ ତାହା ଆପଣଙ୍କ ପ୍ରେରଣା ଯୋଗୁଁ ଏକ ଆନ୍ଦୋଳନର ରୂପ ନେଇସାରିଛି ।”

ଆପଣଙ୍କ କଥା ଠିକ, ମୁଁ ଯେଉଁଆଡ଼େ ବି ଯାଉଛି, ସେଠି ସରକାରୀ କଳ ତ ସ୍ୱଚ୍ଛତା କାମ କରୁଛନ୍ତି କିନ୍ତୁ ଆଜିକାଲି ସମାଜରେ ମଧ୍ୟ ସ୍ୱଚ୍ଛତାର ଏକ ଉତ୍ସବ ପାଲଟିଯାଉଛି । ମୋ ଗସ୍ତର ପାଂଚଦିନ, ସାତଦିନ, ଦଶଦିନ ଆଗରୁ ଯଥେଷ୍ଟ ମାତ୍ରାରେ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଗଣମାଧ୍ୟମ ମଧ୍ୟ ଏହାକୁ ଖୁବ୍ ଗୁରୁତ୍ୱ ଦେଉଛି । କିଛିଦିନ ପୂର୍ବେ ମୁଁ ଗୁଜରାଟର କଚ୍ଛକୁ ଯାଇଥିଲି । ସେଠାରେ ବହୁତ ବଡ଼ ସ୍ୱଚ୍ଛତା ଅଭିଯାନ ଚାଲିଲା । ଏହାକୁ ମୁଁ ମଧ୍ୟ ଲକ୍ଷ୍ୟ କରିନଥିଲି । କିନ୍ତୁ ଏହି ଫୋନକଲ୍ ଆସିବା ପରେ ମୁଁ ମଧ୍ୟ ଭାବିଲି ଏବଂ ଲକ୍ଷ୍ୟକଲି ଯେ ଏକଥା ଠିକ୍ । ଏକଥା ଜାଣି ମୋତେ କେତେ ଖୁସି ଲାଗୁଛି ତାହା ଆପଣ କଳ୍ପନା କରିପାରୁଥିବେ ଏବଂ ସାରା ଦେଶ ମଧ୍ୟ ଏକଥାକୁ ସୁନ୍ଦର ଭାବରେ ଲକ୍ଷ୍ୟ କରୁଛି । ମୋ ଗସ୍ତ ସହିତ ସ୍ୱଚ୍ଛତା ଜଡ଼ିତ ହୋଇଯାଇଛି ଏହାଠାରୁ ବଳି ଖୁସିର କଥା ମୋ’ ପାଇଁ ଆଉ କ’ଣ ହୋଇପାରେ? ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆଉ ଯାହାସବୁ ପ୍ରସ୍ତୁତି ଆବଶ୍ୟକ, ସେସବୁ ତ ହେବ କିନ୍ତୁ ସ୍ୱଚ୍ଛତା ମୁଖ୍ୟ ପ୍ରସଙ୍ଗ ହେବ । ଏହା ଯେକୌଣସି ସ୍ୱଚ୍ଛତାପ୍ରେମୀଙ୍କ ପାଇଁ ଆନନ୍ଦଦାୟକ ଏବଂ ପ୍ରେରଣାଦାୟକ । ଏହି ସ୍ୱଚ୍ଛତା କାର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । କେହି ଜଣେ ମୋତେ ଗୋଟିଏ ପ୍ରସ୍ତାବ ଦେଇଛନ୍ତି । ତାହା ବି ଏକ ମଜାଦାର ପ୍ରସ୍ତାବ । ମୁଁ ଜାଣିନି, ମୁଁ ଏହାକୁ କରିପାରିବି କି ନାହିଁ । ସେ କହିଛନ୍ତି ଯେ, ମୋଦିଜୀ ଏଥର ଆପଣ ନିଜ ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରିବା ସମୟରେ ଆପଣଙ୍କୁ ନିମନ୍ତ୍ରଣ କରୁଥିବା ଲୋକଙ୍କୁ କହନ୍ତୁ, ଯେ ଭାଇ, ମୋତେ ଡାକିବାକୁ ହେଲେ ସ୍ୱଚ୍ଛତାର ସ୍ତର କିଭଳି ହେବା ଦରକାର? ଆପଣ କେତେ ଟନ୍ ଅଳିଆ ଆବର୍ଜନା ମୋତେ ଉପହାରରେ ଦେବେ? ଏହାକୁ ଭିତ୍ତିକରି ମୁଁ ମୋର ଗସ୍ତ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବି । ବିଚାର ବା Idea ଟି ଖୁବ ସୁନ୍ଦର କିନ୍ତୁ ମୋତେ ଚିନ୍ତା କରିବାକୁ ପଡ଼ିବ । କିନ୍ତୁ ଏକଥା ଠିକ୍ ଯେ ଏହା ଏକ ଆନ୍ଦୋଳନରେ ପରିଣତ ହେବା ଉଚିତ ଯେ ଅନ୍ୟାନ୍ୟ ବସ୍ତୁ ଉପହାରରେ ଦେବା ଅପେକ୍ଷା ଏତେ ଟନ୍ ଅଳିଆ-ଆବର୍ଜନା ସଫା କରିଦେବାର ଉପହାର ଦେବା ଭଲ ହେବ । ଏହାଦ୍ୱାରା କେତେ ଲୋକଙ୍କୁ ଆମେ ରୋଗାକ୍ରାନ୍ତ ହେବାରୁ ରକ୍ଷା କରିପାରିବା । ଏହା କେତେ ବଡ଼ ମାନବିକତାର କାର୍ଯ୍ୟ ହେବ । ଗୋଟିଏ କଥା ମୁଁ ନିଶ୍ଚୟ କହିବି ଯେ, ଏହି ଅଳିଆ ଆବର୍ଜନାକୁ ଆମେ Waste ମନେ କରିବା ଉଚିତ ନୁହେଁ, ଏହା ପ୍ରକୃତରେ ସମ୍ପଦ ବା Wealth, ଗୋଟିଏ ସାଧନ ବା Reasource । ଏହାକୁ କେବଳ ଅଳିଆ ଆବର୍ଜନା ରୂପରେ ଦେଖାଯିବା ଉଚିତ ନୁହେଁ । ଥରେ ଏହି ଅଳିଆ ଆବର୍ଜନାକୁ ଆମେ ଯଦି ସମ୍ପଦ ମନେ କରିନେବା ତେବେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅନେକ ନୂଆ ନୂଆ ଉପାୟ ଆମ ସମ୍ମୁଖକୁ ଆସିବ । Start up ସହିତ ଜଡ଼ିତ ଯୁବଗୋଷ୍ଠୀ ମଧ୍ୟ ନୂଆ ନୂଆ ଯୋଜନା ସହ ଆସିବେ । ନୂଆ ନୂଆ ଯନ୍ତ୍ରପାତି ନେଇ ଆସିବେ । ଭାରତ ସରକାର ରାଜ୍ୟ ସରକାରମାନଙ୍କ ସାହାଯ୍ୟ ସହ ସହରାଂଚଳର ଲୋକପ୍ରତିନିଧିମାନଙ୍କ ସହାୟତାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବା ପାଇଁ ସ୍ଥିର କରିଛନ୍ତି । ଜୁନ୍ 5 ତାରିଖ, ବିଶ୍ୱ ପରିବେଶ ଦିନଠାରୁ ଦେଶର ପ୍ରାୟ 4,000 ସହରରେ କଠିନ ବର୍ଜ୍ୟବସ୍ତୁ ଓ ତରଳ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପାତ୍ର ଉପଲବ୍ଧ ହେବାକୁ ଯାଉଛି । ଦୁଇ ପ୍ରକାରର Dustbin ଉପଲବ୍ଧ ହେବ । ଗୋଟିଏ ସବୁଜ ରଙ୍ଗର, ଗୋଟିଏ ନୀଳ ରଙ୍ଗର । ଦୁଇ ପ୍ରକାରର ବର୍ଜ୍ୟବସ୍ତୁ ବାହାରେ, ଗୋଟିଏ କଠିନ ବର୍ଜ୍ୟବସ୍ତୁ, ଆଉ ଗୋଟିଏ ତରଳ ବା ଓଦାଳିଆ ବର୍ଜ୍ୟବସ୍ତୁ । ଯଦି ଆମେ ଟିକିଏ ଶୃଙ୍ଖଳା ଅନୁସରଣ କରିବା ଏବଂ ଏହି 4,000 ସହରରେ ଉପଲବ୍ଧ ହେବାକୁ ଥିବା ଏହି Dustbin ଗୁଡ଼ିକ ମଧ୍ୟରୁ ଜଳୀୟଅଂଶ ଥିବା ଅଳିଆ ସବୁଜ Dustbin ରେ ଏବଂ ଶୁଖିଲା ବର୍ଜ୍ୟବସ୍ତୁ ନୀଳରଙ୍ଗର Dustbin ରେ ପକାଇବା, ଯେମିତିକି ରୋଷେଇ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ, ପନିପରିବା ଚୋପା, ବଳକା ଖାଦ୍ୟପଦାର୍ଥ, ଅଣ୍ଡା ଖୋଳପା, ଗଛପତ୍ର ଆଦି ଏସବୁ ଜଳୀୟଅଂଶଯୁକ୍ତ ବର୍ଜ୍ୟବସ୍ତୁ । ତେଣୁ ଏସବୁ ସବୁଜ ରଙ୍ଗର Dustbin ରେ ପକାଇବା । ଏଗୁଡ଼ିକ ଏଭଳି ପଦାର୍ଥ ଯାହା କୃଷିକ୍ଷେତ୍ରରେ କାମରେ ଲାଗେ । କୃଷିକ୍ଷେତ୍ରର ରଙ୍ଗ ସବୁଜ, କେବଳ ସେତିକି ମନେ ରଖିଲେ ସବୁଜ Dustbin ରେ କ’ଣ ସବୁ ପକାଇବେ ତାହା ମନେ ରହିଯିବ । ଅନ୍ୟ ବର୍ଜ୍ୟବସ୍ତୁ ସବୁ ହେଲା ଅଦରକାରୀ କାଗଜ, କାର୍ଡବୋର୍ଡ, ଲୁହା, କାଚ, ଲୁଗାପଟା, ପ୍ଲାଷ୍ଟିକ, ପଲିଥିନ, ଭଙ୍ଗା ଡବା, ରବର, ଅନ୍ୟାନ୍ୟ ଧାତୁ, ଏମିତି ଅନେକ କିଛି । ଏସବୁ ପ୍ରାୟତଃ ଶୁଖିଲା ବର୍ଜ୍ୟବସ୍ତୁ, ଯାହାକୁ ମେସିନ ସାହାଯ୍ୟରେ ପୁନଃପ୍ରକ୍ରିୟାକରଣ ବା Recycle କରିବାକୁ ପଡ଼ିଥାଏ । ଅନ୍ୟଥା ଏହା କେବେହେଲେ କାମରେ ଲାଗେନାହିଁ । ଏସବୁ ନୀଳରଙ୍ଗର Dustbin ରେ ପକାଇବାକୁ ଅଛି । ଆମେ ଗୋଟିଏ ଅଭ୍ୟାସ ବା ମାର୍ଜିତ ସଂସ୍କୃତି ସୃଷ୍ଟି କରିପାରିବା ବୋଲି ମୋର ବିଶ୍ୱାସ । ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ଥର ଆମକୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ତେବେ ଯାଇ ଆମେ ଗାନ୍ଧିଜୀ ଯେଉଁ ସ୍ୱପ୍ନ ଦେଖୁଥିଲେ, ସେହି ସ୍ୱଚ୍ଛତାର ସ୍ୱପ୍ନ ଆମେ ପୂରଣ କରିପାରିବା । ଆଜି ମୁଁ ଗର୍ବର ସହିତ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ଜଣେ ମଣିଷ ଯଦି ମନରେ ସ୍ଥିର କରିନିଏ ତେବେ କେତେ ବଡ଼ ଜନ ଆନ୍ଦୋଳନ ସୃଷ୍ଟି କରିପାରିବ । ସ୍ୱଚ୍ଛତାର କାର୍ଯ୍ୟ ସେହିଭଳି । ବିଗତ ଦିନରେ ଗୋଟିଏ ଖବର ଆପଣମାନଙ୍କ କାନରେ ବାଜିଥିବ । ମୁମ୍ବାଇରେ ଅପରିଷ୍କାର ମନେ କରାଯାଉଥିବା ବର୍ସୋବା ବିଚ୍ ଆଜି ଏକ ସ୍ୱଚ୍ଛ ସୁନ୍ଦର ବର୍ସୋବା ବେଳାଭୂମିରେ ପରିଣତ ହୋଇଛି । ଏହା ହଠାତ୍ ହୋଇନି । ପ୍ରାୟ 80-90 ସପ୍ତାହ ଧରି ନାଗରିକମାନେ ଅନବରତ ପରିଶ୍ରମ କରି ଏହା ବର୍ସୋବା ବେଳାଭୂମିର କାୟାକଳ୍ପ କରିଦେଇଛନ୍ତି । ହଜାର ହଜାର ଟନ୍ ଅଳିଆ-ଆବର୍ଜନା ବାହାର କରାଗଲା । ତେବେ ଯାଇ ଆଜି ବର୍ସୋବା ବେଳାଭୂମି ନିର୍ମଳ ଏବଂ ସୁନ୍ଦର ହୋଇପାରିଲା । ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବର୍ସୋବା ରେସିଡେନ୍ସ ଭଲ୍ୟୁଣ୍ଟିଅର (VRV)ର ସଭ୍ୟମାନେ ତୁଲାଇଥିଲେ । ଜଣେ ଭଦ୍ରବ୍ୟକ୍ତି ଶ୍ରୀଯୁକ୍ତ ଅଫରୋଜ ଶାହ ଅକ୍ଟୋବର 2015ରୁ ମନପ୍ରାଣ ଦେଇ ଏହି କାମରେ ଲାଗିଲେ । ଧୀରେ ଧୀରେ ଲୋକେ ତାଙ୍କୁ ସହଯୋଗ କରିବା ଆରମ୍ଭ କରିଦେଲେ ଏବଂ ଏହା ଏକ ଜନଆନ୍ଦୋଳନରେ ପରିଣତ ହେଲା ଏବଂ ଏହି କାର୍ଯ୍ୟ ପାଇଁ ଶ୍ରୀଯୁକ୍ତ ଅଫରୋଜ ଶାହଙ୍କୁ United Nations Environment Programme (UNEP), ତାଙ୍କୁ ଗୋଟିଏ ବହୁତ ବଡ଼ ପୁରସ୍କାର ପ୍ରଦାନ କରିଛନ୍ତି । Champions of the Earth Award – ଏହି ପୁରସ୍କାର ପାଇବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ମୁଁ ଶ୍ରୀଯୁକ୍ତ ଅଫରୋଜ ଶାହଙ୍କୁ ଅଭିନନ୍ଦନ ଜଣାଉଛି, ଏହି ଆନ୍ଦୋଳନକୁ ଅଭିନନ୍ଦନ ଜଣାଉଛି । ସେ ଯେଭଳି ଭାବରେ ଜନ-ଏକତ୍ରୀକରଣ କାର୍ଯ୍ୟକରି ଏହି ଅଂଚଳର ଲୋକମାନଙ୍କୁ ଏକାଠି କରି ଏହାକୁ ଜନ ଆନ୍ଦୋଳନରେ ପରିଣତ କଲେ ତାହା ଏକ ପ୍ରେରଣାଦାୟୀ ଉଦାହରଣ ।

ଭାଇ ଓ ଭଉଣୀମାନେ, ଆଜି ମୁଁ ଆଉ ଗୋଟିଏ ଆନନ୍ଦର କଥା ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ସ୍ୱଚ୍ଛ ଭାରତ ଅଭିଯାନ ପ୍ରସଙ୍ଗରେ ଜାମ୍ମୁ-କାଶ୍ମୀରର ରିୟାସୀ ବ୍ଲକ । ମୋତେ ସୂଚନା ଦିଆଯାଇଛି ଯେ, ରିୟାସୀ ବ୍ଲକ ଙକ୍ଟ୍ରରଦ୍ଭ ଊରଲବମବଗ୍ଧସକ୍ଟଦ୍ଭ ୠକ୍ସରର ଅର୍ଥାତ୍ ଖୋଲାରେ ଶୌଚମୁକ୍ତ ହୋଇଯାଇଛି । ମୁଁ ରିୟାସୀ ବ୍ଲକର ସମସ୍ତ ନାଗରିକଙ୍କୁ, ସେଠାକାର ପ୍ରଶାସକମାନଙ୍କୁ, ଜାମ୍ମୁ-କାଶ୍ମୀର ଏହି ଉତମ ଉଦାହରଣ ପ୍ରସ୍ତୁତ କରିଥିବା ଯୋଗୁଁ ଅଭିନନ୍ଦନ ଜଣାଉଛି । ଆଉ ମଧ୍ୟ ମୋତେ ସୂଚନା ଦିଆଯାଇଛି ଯେ, ଏହି ସମଗ୍ର ଆନେ୍ଦାଳନର ପ୍ରମୁଖ ନେତୃତ୍ୱ ଗ୍ରହଣ କଲେ ସ୍ଥାନୀୟ ମହିଳାମାନେ । ସଚେତନତା ସୃଷ୍ଟି ପାଇଁ ସେମାନେ ମଶାଲ ଶୋଭାଯାତ୍ରା ବାହାର କଲେ । ଘର-ଘର, ସାହି ସାହି ବୁଲି ସେମାନେ ଲୋକଙ୍କୁ ପ୍ରେରିତ କଲେ । ମୁଁ ସେହି ମା’-ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେଠାକାର ପ୍ରଶସକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେଉଁମାନେ ଜାମ୍ମୁ କାଶ୍ମୀର ମାଟିରେ ଗୋଟିଏ ବ୍ଲକକୁ Open Defacation Free କରିଦେଇ ଗୋଟିଏ ଉତ୍ତମ ଶୁଭାରମ୍ଭ କରିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଗତ ପନ୍ଦର ଦିନ ବା ମାସେ ହେବ, ଅନବରତ ଭାବେ ଖବରକାଗଜ ହେଉ, ଟିଭି ଚ୍ୟାନେଲ ହେଉ, Social Media ହେଉ ସବୁଠି ବର୍ତ୍ତମାନର ସରକାରଙ୍କ 3 ବର୍ଷର କାର୍ଯ୍ୟକାଳର ହିସାବ ନିକାଶ ଚାଲିଛି । 3 ବର୍ଷ ପୂର୍ବେ ଆପଣ ମୋତେ ପ୍ରଧାନସେବକର ଦାୟିତ୍ୱ ଅର୍ପଣ କରିଥିଲେ । ଅନେକଗୁଡ଼ିଏ ସର୍ଭେ ହୋଇଛି, ଅନେକଗୁଡ଼ିଏ ଜନମତ ସର୍ଭେ ବା Opinion Poll ଆସିଛି । ମୁଁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକ ସୁସ୍ଥ ସଂକେତ ରୂପରେ ଦେଖୁଛି । ଏହି 3 ବର୍ଷର କାର୍ଯ୍ୟକାଳକୁ ପ୍ରତ୍ୟେକ ଦିଗରୁ ପରୀକ୍ଷା କରାଯାଇଛି । ସମାଜର ପ୍ରତ୍ୟେକ ବର୍ଗର ଲୋକ ଏହାକୁ ବିଶ୍ଳେଷଣ କରିଛନ୍ତି । ଗଣତନ୍ତ୍ରରେ ଏହା ଏକ ଉତ୍ତମ ପ୍ରକ୍ରିୟା । ମୋର ସ୍ପଷ୍ଟ ମତ ଯେ, ଗଣତନ୍ତ୍ରରେ ସରକାରମାନେ ଉତ୍ତରଦାୟୀ ହେବା ଉଚିତ୍ । ଜନସାଧାରଣଙ୍କୁ ନିଜର କାର୍ଯ୍ୟକଳାପର ହିସାବ ଦେବା ଉଚିତ । ମୁଁ ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରୁଛି, ଯେଉଁମାନେ ସମୟ ବାହାର କରି, ଆମର କାର୍ଯ୍ୟର ଗଭୀରତା ସହ ସମୀକ୍ଷା କଲେ । କେଉଁଠି ପ୍ରଶଂସା ହେଲା, କେଉଁଠି ସମର୍ଥନ ମିଳିଲା, କେଉଁଠି ଦୋଷ-ତ୍ରୁଟି ବାହାର କରାଗଲା, ମୁଁ ଏସବୁ କଥାକୁ ଖୁବ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଯେଉଁମାନେ ସମାଲୋଚନାମୂଳକ ଏବଂ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି । ଦୋଷତ୍ରୁଟି ଜଣାପଡ଼ିଲେ ଏସବୁକୁ ସୁଧାରିବାର ସୁଯୋଗ ମିଳେ । ଭଲକଥା ହେଉ କିମ୍ବା ମନ୍ଦକଥା ହେଉ ସେଥିରୁ ହିଁ ଶିଖିବାକୁ ପଡ଼ିବ, ତାକୁ ହିଁ ପାଥେୟ କରି ଅଗ୍ରସର ହେବାକୁ ପଡ଼ିବ । ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ । ଏକ ସଚେତନ ରାଷ୍ଟ୍ର ପାଇଁ, ଏକ ଚୈତନ୍ୟପୂର୍ଣ୍ଣ ରାଷ୍ଟ୍ର ପାଇଁ ଏହି ମନ୍ଥନ ଅତ୍ୟନ୍ତ ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ମଧ୍ୟ ଆପଣମାନଙ୍କ ଭଳି ଜଣେ ସାମାନ୍ୟ ନାଗରିକ ଏବଂ ସାମାନ୍ୟ ନାଗରିକ ଭାବରେ ପ୍ରତି ଭଲ-ମନ୍ଦ କଥାର ପ୍ରଭାବ ମୋ ଉପରେ ମଧ୍ୟ ଠିକ୍ ସେହିଭଳି ପଡ଼େ ଯେମିତିକି କୌଣସି ସାଧାରଣ ନାଗରିକର ମନ ଉପରେ ପଡ଼େ । “ମନ୍ କି ବାତ୍”କୁ କେହି ଏକତରଫା ବାର୍ତ୍ତାଳାପ ରୂପରେ ଦେଖୁଛନ୍ତି । କିଛି ଲୋକ ରାଜନୈତିକ ଦୃଷ୍ଟିକୋଣରୁ ଏହାର ସମାଲୋଚନା ମଧ୍ୟ କରୁଛନ୍ତି । କିନ୍ତୁ ଏତେ ଦୀର୍ଘ ଅନୁଭୂତି ପରେ ମୁଁ ଅନୁଭବ କରୁଛି ଯେ, ମୁଁ ଯେତେବେଳେ “ମନ୍ କି ବାତ୍” ଆରମ୍ଭ କରିଥିଲି ସେତେବେଳେ ମୁଁ ଭାବିନଥିଲି ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ମୋତେ ଭାରତର ପ୍ରତ୍ୟେକ ପରିବାରର ଏକ ସଭ୍ୟ କରିଦେଇଛି । ଏମିତି ଲାଗୁଛି, ଯେମିତିକି ମୁଁ ପରିବାରର ଲୋକଙ୍କ ଗହଣରେ ଘର ମଧ୍ୟରେ ବସି ଘରର କଥା କହୁଛି । ଶହ ଶହ ପରିବାର ଏଭଳି କଥା ମୋତେ ଲେଖି ପଠାଇଛନ୍ତି । ଯାହା ମୁଁ କହିଲି ଯେ, ଜଣେ ସାମାନ୍ୟ ମାନବ ରୂପରେ ମୋ ମନ ମଧ୍ୟ ପ୍ରଭାବିତ ହୋଇଥାଏ । ଦୁଇଦିନ ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମହୋଦୟ, ଉପରାଷ୍ଟ୍ରପତି ମହୋଦୟ, ବାଚସ୍ପତି ମହୋଦୟା, ସମସ୍ତେ ମନ୍ କି ବାତ୍ ର ଏକ ସମୀକ୍ଷା ପୁସ୍ତକ (Analytical Book) ଉନ୍ମୋଚନ କରିଛନ୍ତି । ଜଣେ ବ୍ୟକ୍ତି ଭାବରେ, ସାଧାରଣ ନାଗରିକ ଭାବରେ, ଏହି ଘଟଣା ମୋ ପାଇଁ ଉତ୍ସାହବର୍ଦ୍ଧକ । ଏତେ ବରିଷ୍ଠ ପଦ ଅଳଙ୍କୃତ କରିଥିବା ସତ୍ତ୍ୱେ ସମୟ ବାହାର କରି ମନ୍ କି ବାତ୍ କୁ ଏତେ ଗୁରୁତ୍ୱ ପ୍ରଦାନ କରିଥିବାରୁ ମୁଁ ରାଷ୍ଟ୍ରପତି ମହୋଦୟ, ଉପରାଷ୍ଟ୍ରପତି ମହୋଦୟ, ବାଚସ୍ପତି ମହୋଦୟାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ସେମାନେ ମନ୍ କି ବାତ୍ କୁ ଏକ ନୂତନ ଦିଗ ପ୍ରଦାନ କରିଛନ୍ତି । ମୋର କିଛି ବନ୍ଧୁ ଯେତେବେଳେ ଏହି ମନ୍ କି ବାତ୍ ପୁସ୍ତକ ଉପରେ କାର୍ଯ୍ୟ ଚଳାଇଥିଲେ, ସେତେବେଳେ ମୋ ସହିତ ମଧ୍ୟ କିଛି ଆଲୋଚନା କରିଥିଲେ । କିଛିଦିନ ଆଗରୁ ଏ କଥା ଲୋକଲୋଚନକୁ ଆସିବା ସମୟରେ ମୁଁ ଆଶ୍ୱର୍ଯ୍ୟାନ୍ୱିତ ହୋଇଗଲି । ଆବୁଧାବିରେ ରହୁଥିବା ଜଣେ କଳାକାର ହେଉଛନ୍ତି ଆକବର ସାହେବ୍ । ଆକବର ସାହେବ୍ ତାଙ୍କ ତରଫରୁ ପ୍ରସ୍ତାବ ଦେଲେ ଯେ, ମନ୍ କି ବାତ୍ ରେ ଯେଉଁସବୁ ବିଷୟ ଉପରେ ଆଲୋଚନା ହୋଇଛି, ସେସବୁ ଉପରେ ସେ ନିଜ କଳା ମାଧ୍ୟମରେ ସ୍କେଚ (Sketch) ତିଆରି କରି ଦେବାକୁ ଚାହୁଁଛନ୍ତି ଏବଂ ଟଙ୍କାଟିଏ ମଧ୍ୟ ନ ନେଇ, ନିଜର ସ୍ନେହର ପରିପ୍ରକାଶ ସ୍ୱରୂପ ଆକବର ସାହେବ ମନ୍ କି ବାତ୍ କୁ କଳାର ରୂପ ଦେଇଦେଲେ । ମୁଁ ଆକବର ସାହେବଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆର ଥରକୁ ଭେଟିବା ସମୟରେ ଦେଶର କୋଣ-ଅନୁକୋଣରେ ବର୍ଷାଋତୁ ଆସିଯାଇଥିବ । ଋତୁ ବଦଳିଯାଇଥିବ, ପରୀକ୍ଷାଗୁଡ଼ିକର ଫଳ ବାହାରିସାରିଥିବ, ନୂଆକରି ବିଦ୍ୟା-ଜୀବନ ଆରମ୍ଭ ହେବାକୁ ଥିବ । ଆଉ ବର୍ଷାଦିନ ଆସିଲେ ଏକ ନୂଆ ଆନନ୍ଦ, ଏକ ନୂଆ ମହକ, ଏକ ନୂଆ ସୁଗନ୍ଧ । ଆସନ୍ତୁ ଆମେ ସମସ୍ତେ ଏହି ପରିବେଶରେ ପ୍ରକୃତିକୁ ଭଲପାଇ ଆଗକୁ ବଢ଼ିଚାଲିବା । ମୋର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।

*****