Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନ୍ କି ବାତ୍ ର 51ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2018 ମସିହା ଶେଷ ହେବାକୁ ଯାଉଛି । ଆମେ 2019ରେ ପ୍ରବେଶ କରିବାକୁ ଯାଉଛୁ । ଏଭଳି ସମୟରେ ବିତିଯାଉଥିବା ବର୍ଷ ସମ୍ପର୍କରେ ଆଲୋଚନା ହେବା ସାଙ୍ଗକୁ ଆଗାମୀ ବର୍ଷର ସଂକଳ୍ପର ଚର୍ଚ୍ଚା ହେବା ସ୍ୱାଭାବିକ । ବ୍ୟକ୍ତିଗତ ଜୀବନ ହେଉ, ସାମାଜିକ ଜୀବନ ହେଉ, ରାଷ୍ଟ୍ରର ଜୀବନ ହେଉ – ପ୍ରତ୍ୟେକଙ୍କୁ ପଛକୁ ଫେରି ଦେଖିବାକୁ ହୁଏ । ଆଗକୁ ଯେତେ ଦୂର ଦୃଶ୍ୟମାନ, ତାହା ଦେଖିବାକୁ ଚେଷ୍ଟା ମଧ୍ୟ କରିବାକୁ ହୋଇଥାଏ । ଆଉ ସେତେବେଳେ ଅନୁଭୂତିରୁ ଲାଭ ମଧ୍ୟ ମିଳିଥାଏ ଏବଂ ନୂଆ କରିବାର ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହୋଇଥାଏ । ଆମେ ଏଭଳି କ’ଣ କରିବା ଯାହାଦ୍ୱାରା ନିଜ ଜୀବନରେ ପରିବର୍ତ୍ତନ ଆଣିପାରିବା ଆଉ ତା’ ସଙ୍ଗେ ସଙ୍ଗେ ଦେଶ ଏବଂ ସମାଜକୁ ଆଗକୁ ବଢ଼ାଇବାରେ ନିଜର ଯୋଗଦାନ ଦେଇପାରିବା । ଆପଣ ସମସ୍ତଙ୍କୁ 2019 ପାଇଁ ଅନେକ ଅନେକ ଶୁଭେଚ୍ଛା । ଆପଣମାନେ ସମସ୍ତେ ଚିନ୍ତା କରିଥିବେ ଯେ, 2018କୁ କିଭଳି ମନେ ରଖାଯାଇପାରିବ । 2018କୁ ଭାରତ ଗୋଟିଏ ଦେଶ ଭାବରେ ନିଜର ଶହେ ତିରିଶ କୋଟି ଜନତାର ସାମର୍ଥ୍ୟ ରୂପରେ କିଭଳି ମନେରଖିବ ଏହା ସ୍ମରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହା ଆମକୁ ଗୌରବର ଅନୁଭୂତିରେ ପରିପୂର୍ଣ୍ଣ କରିଦେବ ।

2018ରେ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା “ଆୟୁଷ୍ମାନ ଭାରତ”ର ଶୁଭାରମ୍ଭ ହେଲା । ଦେଶର ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଂଚିଗଲା । ବିଶ୍ୱର ମାନ୍ୟଗଣ୍ୟ ସଂସ୍ଥା ଏହାକୁ ସ୍ୱୀକାର କରିଛନ୍ତି ଯେ, ଭାରତ ରେକର୍ଡ ଗତିରେ ଦାରିଦ୍ର୍ୟରୁ ମୁକ୍ତିଲାଭ କରୁଛି । ଦେଶବାସୀଙ୍କ ଦୃଢ଼ସଂକଳ୍ପ ଯୋଗୁଁ ସ୍ୱଚ୍ଛତା ଉକ୍ଟଙ୍ଖରକ୍ସବଶର 95 ପ୍ରତିଶତକୁ ପାର କରିବା ଦିଗରେ ଅଗ୍ରସର ହେଉଛି ।

ସ୍ୱାଧୀନତା ପରେ ଲାଲକିଲ୍ଲାରେ ପ୍ରଥମ ଥର, ଆଜାଦ ହିନ୍ଦ ସରକାରର 75ତମ ବାର୍ଷିକୀରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରାଗଲା । ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ମାନରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା “Statue of Unity” ଦେଶକୁ ମିଳିଲା । ସାରା ବିଶ୍ୱରେ ଦେଶର ସୁନାମ ବୃଦ୍ଧି ପାଇଲା । ଦେଶକୁ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମିଳିତ ଜାତିସଂଘର ସର୍ବୋଚ୍ଚ ପୁରସ୍କାର “Champions of the Earth”ରେ ସମ୍ମାନିତ କରାଗଲା । ସୌରଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ ଭାରତର ପ୍ରଚେଷ୍ଟାକୁ ବିଶ୍ୱରେ ସ୍ଥାନ ମିଳିଲା । ଭାରତରେ ଆନ୍ତର୍ଜାତିକ ସୌର ସଂଗଠନର ପ୍ରଥମ ମହାସଭା “International Solar Alliance”ର ଆୟୋଜନ ହେଲା । ଆମର ସାମୁହିକ ପ୍ରଚେଷ୍ଟାର ପରିଣାମ ସ୍ୱରୂପ ଆମ ଦେଶର Ease Of Doing Business ବା ବ୍ୟବସାୟିକ ସୁଗମତା ରେ ଅଭୂତପୂର୍ବ ଉନ୍ନତି ହୋଇଛି । ଦେଶର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି । ଚଳିତ ବର୍ଷ ଆମ ଦେଶ ସଫଳତାର ସହ Nuclear Triad ବା ତ୍ରିମୁଖୀ ପରମାଣୁ ପ୍ରତିରୋଧି ସାମରିକ କ୍ଷମତାକୁ ସମ୍ପୂର୍ଣ୍ଣ କରିଛି । ଅର୍ଥାତ ଏବେ ଆମେ ଜଳ, ସ୍ଥଳ ଏବଂ ଆକାଶ – ତିନୋଟି ଯାକରେ ପରମାଣୁ ଶକ୍ତିସମ୍ପନ୍ନ ହୋଇଯାଇଛୁ । ଦେଶର ଝିଅମାନେ ନାବିକା ସାଗର ପରିକ୍ରମା ମାଧ୍ୟମରେ ସମଗ୍ର ବିଶ୍ୱଭ୍ରମଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ବାରାଣସୀରେ ଭାରତର ପ୍ରଥମ ଜଳମାର୍ଗ ଆରମ୍ଭ ହୋଇଛି । ଏହାଦ୍ୱାରା ଜଳପଥ କ୍ଷେତ୍ରରେ ଗୋଟିଏ ନୂତନ କ୍ରାନ୍ତିର ସୂତ୍ରପାତ ହୋଇଛି । ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ବୋଗିବିଲ ସେତୁର ଲୋକାର୍ପଣ ହେଲା । ସିକ୍କିମର ପ୍ରଥମ ଏବଂ ଦେଶର ଶହେତମ ଏୟାରପୋର୍ଟ ପେକ୍ୟୋଙ୍ଗ କାର୍ଯ୍ୟକ୍ଷମ ହେଲା । ଅଣ୍ଡର-19 କ୍ରିକେଟ ବିଶ୍ୱକପ ଏବଂ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପରେ ଭାରତ ବିଜୟଲାଭ କଲା । ଏଥର ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ବହୁସଂଖ୍ୟାରେ ପଦକ ଜିତିଲା । ପରା ଏସିଆନ ଗେମ୍ସରେ ମଧ୍ୟ ଭାରତ ଖୁବ ଭଲ ପ୍ରଦର୍ଶନ କରିଛି । ସେହିପରି ପ୍ରତ୍ୟେକ ଭାରତୀୟଙ୍କ ପୁରୁଷାର୍ଥ, ଆମର ସାମୁହିକ ପ୍ରଚେଷ୍ଟା କଥା ଯଦି କହିବି ତା’ହେଲେ ଆମ “ମନ କି ବାତ୍” ଏତେ ଦୀର୍ଘ ସମୟ ଧରି ଚାଲିବ ଯେ, ହୁଏତ 2019 ଆସିଯିବ । ଏସବୁ 130  କୋଟି ଦେଶବାସୀଙ୍କ ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହୋଇପାରିଛି । ମୁଁ ଆଶା କରୁଛି ଯେ, 2019ରେ ମଧ୍ୟ ଭାରତର ଉନ୍ନତି ଏବଂ ପ୍ରଗତିର ଏହି ଯାତ୍ରା ଏହିଭଳି ଜାରି ରହିବ ଏବଂ ଆମ ଦେଶ ଆହୁରି ଦୃଢ଼ତାର ସହ ନୂତନ ଶିଖରକୁ ସ୍ପର୍ଶ କରିବ ।

ମୋର ପ୍ରିୟ ଦେଶବାସୀଗଣ, ଏହି ଡିସେମ୍ବରରେ ଆମେ କିଛି ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ହରାଇଛୁ । ଡିସେମ୍ବର 19 ତାରିଖ ଦିନ ଚେନ୍ନାଇର ଡକ୍ଟର ଜୟାଚନ୍ଦ୍ରନଙ୍କ ପରଲୋକ ହୋଇଗଲା । ଡକ୍ଟର ଜୟାଚନ୍ଦ୍ରନଙ୍କୁ ଆଦରରେ ଲୋକେ “ମକ୍କଲ ମାରୁଥୁୱର” କହୁଥିଲେ କାରଣ ସେ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିପାରିଥିଲେ । ଡକ୍ଟର ଜୟାଚନ୍ଦ୍ରନ ଗରିବ ଲୋକଙ୍କୁ ଅତିକମ୍ ଖର୍ଚ୍ଚରେ ଚିକିତ୍ସା ଉପଲବ୍ଧ କରାଇବା ଯୋଗୁଁ ବେଶ୍ ଜଣାଶୁଣା ଥିଲେ । ଲୋକେ କହନ୍ତି ଯେ ସେ ରୋଗୀମାନଙ୍କ ଚିକିତ୍ସା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଏପରିକି ତାଙ୍କ ପାଖକୁ ଚିକିତ୍ସା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଏପରିକି ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ବୟୋଜ୍ୟେଷ୍ଠ ରୋଗୀଙ୍କୁ ସେ ଯିବା ଆସିବା ଖର୍ଚ୍ଚ ମଧ୍ୟ ଦେଉଥିଲେ । ମୁଁ thebetterindia.com ୱେବସାଇଟରେ ସମାଜକୁ ପ୍ରେରଣା ଦେଉଥିବା ତାଙ୍କର ଏଭଳି ଅନେକ କାର୍ଯ୍ୟ ସମ୍ପର୍କରେ ପଢ଼ିଛି ।

ସେହିପରି ଡିସେମ୍ବର 25 ତାରିଖ ଦିନ କର୍ଣ୍ଣାଟକର ସୁଲାଗିଟ୍ଟି ନର୍ସମ୍ମାଙ୍କ ପରଲୋକ ଖବର ମିଳିଲା । ସୁଲାଗିଟ୍ଟି ନରସମ୍ମା ଗର୍ଭବତୀ ମା-ଭଉଣୀମାନଙ୍କୁ ପ୍ରସବ ସମୟରେ ସାହାଯ୍ୟ କରୁଥିବା ସହାୟିକା ଥିଲେ । ସେ କର୍ଣ୍ଣାଟକରେ ବିଶେଷକରି ସେଠାକାର ଦୁର୍ଗମ ଅଂଚଳରେ ହଜାର ହଜାର ମା-ଭଉଣୀଙ୍କୁ ନିଜର ସେବା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ତାଙ୍କୁ “ପଦ୍ମଶ୍ରୀ”ରେ ସମ୍ମାନିତ କରାଯାଇଥିଲା । ଡକ୍ଟର ଜୟାଚନ୍ଦ୍ରନ ଏବଂ ସୁଲାଗିଟ୍ଟି ନର୍ସମ୍ମାଙ୍କ ଭଳି ଅନେକ ପ୍ରେରଣାଦାୟୀ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ସମାଜରେ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି । ଆମେ ଯେତେବେଳେ ସ୍ୱାସ୍ଥ୍ୟରକ୍ଷା କଥା କହୁଛୁ, ସେତେବେଳେ ମୁଁ ଉତ୍ତରପ୍ରଦେଶର ବିଜନୌରରେ ଡାକ୍ତରମାନଙ୍କ ସାମାଜିକ ପ୍ରଚେଷ୍ଟା ସମ୍ପର୍କରେ ମଧ୍ୟ କହିବାକୁ ଚାହୁଁଛି । ବିଗତ ଦିନରେ ଆମ ଦଳର କିଛି କର୍ମକର୍ତାମାନେ ମୋତେ ସୂଚାଇ ଦେଲେ ଯେ, ସହରର କିଛି ଡାକ୍ତର ଶିବିର ଆୟୋଜନ କରି ଗରିବମାନଙ୍କ ମାଗଣା ଚିକିତ୍ସା କରୁଛନ୍ତି । ଏଠାକାର Heart Lungs Critical Centre ତରଫରୁ ପ୍ରତି ମାସରେ ଏଭଳି ମେଡିକାଲ କ୍ୟାମ୍ପ୍ସର ଆୟୋଜନ କରାଯାଉଛି । ଯେଉଁଠାରେ ଅନେକ ରୋଗର ମାଗଣା ପରୀକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ପ୍ରତିମାସରେ ଶହ ଶହ ଗରିବ ରୋଗୀ ଏହି କ୍ୟାମ୍ପ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ନିଃସ୍ୱାର୍ଥ ଭାବେ ସେବାରେ ଲାଗିଥିବା ଏହି ଡାକ୍ତର ବନ୍ଧୁଙ୍କର ଉତ୍ସାହ ପ୍ରକୃତରେ ପ୍ରଶଂସନୀୟ । ଆଜି ମୁଁ ଏକଥା ବହୁତ ଗର୍ବର ସହ ଜଣାଉଛି ଯେ, ସାମୁହିକ ପ୍ରଚେଷ୍ଟା ଦ୍ୱାରା “ସ୍ୱଚ୍ଛ ଭାରତ ମିଶନ” ଗୋଟିଏ ସଫଳ ଅଭିଯାନ ପାଲଟିଯାଇଛି । କିଛି ଲୋକ ମୋତେ ସୂଚନା ଦେଲେ ଯେ, କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ଜବଲପୁରରେ ଏକ ସଙ୍ଗେ ତିନି ଲକ୍ଷରୁ ଅଧିକ ଲୋକ ସଫେଇ ଅଭିଯାନରେ ଯୋଗଦେଲେ । ସ୍ୱଚ୍ଛତାର ଏହି ମହାଯଜ୍ଞରେ ନଗର ନିଗମ, ସ୍ୱେଚ୍ଛାସେବୀ ସଂଗଠନ, ସ୍କୁଲ କଲେଜର ଛାତ୍ରଛାତ୍ରୀ, ଜବଲପୁରର ଜନସାଧାରଣ, ସମସ୍ତେ ଉତ୍ସାହର ସହ ଅଂଶଗ୍ରହଣ କଲେ । ଏହି କିଛିକ୍ଷଣ ଆଗରୁ ମୁଁ thebetterindia.com ସମ୍ପର୍କରେ କହୁଥିଲି, ଯେଉଁଥିରେ ମୁଁ ଡକ୍ଟର ଜୟାଚନ୍ଦ୍ରନଙ୍କ ସମ୍ପର୍କରେ ପଢ଼ିବାକୁ ପାଇଲି । ଆଉ ଯେତେବେଳେ ମୋତେ ସୁଯୋଗ ମିଳେ ସେତେବେଳେ ମୁଁ ନିଶ୍ଚୟ thebetterindia.com ୱେବସାଇଟକୁ ଯାଇ ଏଭଳି ପ୍ରେରଣାଦାୟୀ ବିଷୟଗୁଡ଼ିକ ଜାଣିବାକୁ ଚେଷ୍ଟା କରିଥାଏ ।

ଏକଥା ଜାଣି ମୋତେ ଖୁସି ଲାଗୁଛି ଯେ, ଆଜିକାଲି ଏଭଳି ଅନେକ ୱେବସାଇଟ ରହିଛି ଯାହା ଏଭଳି ଅସାଧାରଣ ଲୋକଙ୍କ ଜୀବନରୁ ଅନେକ ପ୍ରେରଣାଦାୟୀ କାହାଣୀ ସହିତ ଆମକୁ ପରିଚିତ କରାଉଛନ୍ତି । ଯେମିତିକି, thepositiveindia.com ୱେବସାଇଟ ସମାଜରେ ସକାରାତ୍ମକତାର ପ୍ରଚାର କରିବା ଏବଂ ସମାଜକୁ ଅଧିକ ସମ୍ବେଦନଶୀଳ କରିବାର କାର୍ଯ୍ୟ କରୁଛି ସେହିପରି yourstory.com ରେ ଯୁବ ନବସୃଜନକାରୀ ଏବଂ ଉଦ୍ୟମୀମାନଙ୍କ ସଫଳତାର କାହାଣୀ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଥାଏ । ସେହିପରି samskritabharati.in ମାଧ୍ୟମରେ ଆପଣ ଘରେ ବସି ସରଳ ଢଙ୍ଗରେ ସଂସ୍କୃତ ଭାଷା ଶିଖିପାରିବେ । ଆମେ ଗୋଟିଏ କାମ କରିପାରିବା କି? ଏଭଳି ୱେବସାଇଟଗୁଡ଼ିକ ବିଷୟରେ ପରସ୍ପର ମଧ୍ୟରେ ଆଦାନ-ପ୍ରଦାନ କରିବା । ସମସ୍ତେ ମିଶି ସକାରାତ୍ମକ ଭାବନାକୁ ସଂକ୍ରମିତ (Viral) କରିବା । ଏହାଦ୍ୱାରା ଅଧିକରୁ ଅଧିକ ଲୋକ ସମାଜରେ ପରିବର୍ତ୍ତନ ଆଣୁଥିବା ଆମ ନାୟକମାନଙ୍କ ସମ୍ପର୍କରେ ଜାଣିପାରିବେ ବୋଲି ମୋର ବିଶ୍ୱାସ । ନକାରାତ୍ମକତାର ପ୍ରଚାର କରିବା ଖୁବ୍ ସହଜ ହୋଇଥାଏ କିନ୍ତୁ ଆମ ସମାଜରେ ଆମ ଆଖପାଖରେ ଅନେକ ଭଲକାମ ହେଉଛି ଆଉ ଏସବୁ 130  କୋଟି ଭାରତବାସୀଙ୍କ ସାମୁହିକ ପ୍ରଚେଷ୍ଟା ଦ୍ୱାରା ହେଉଛି ।

ପ୍ରତ୍ୟେକ ସମାଜରେ କ୍ରୀଡ଼ାର ନିଜସ୍ୱ ଗୁରୁତ୍ୱ ରହିଛି । ଯେତେବେଳେ ଖେଳଟି ଖେଳାଯାଉଥାଏ ସେତେବେଳେ ଦର୍ଶକମାନଙ୍କ ମନ ମଧ୍ୟ ଶକ୍ତିରେ ଭରିଯାଏ । ଖେଳାଳିମାନଙ୍କ ନାଁ, ପରିଚୟ, ସମ୍ମାନ, ଏମିତି ଅନେକ କିଛି ଆମେ ଅନୁଭବ କରିଥାଉଁ । କିନ୍ତୁ ଏହା ପଛରେ ଏଭଳି ଅନେକ କଥା ରହିଥାଏ, ଯାହା କ୍ରୀଡ଼ାଜଗତଠାରୁ ବହୁ ଉର୍ଦ୍ଧ୍ଵରେ । ମୁଁ କାଶ୍ମୀରର ଗୋଟିଏ ଝିଅ ହାନାୟା ନିସାର ସମ୍ପର୍କରେ କହିବାକୁ ଚାହୁଁଛି । ଯିଏ କୋରିଆର କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ହାସଲ କରିଛି । ହାନାୟାର ବୟସ ମାତ୍ର 12 ବର୍ଷ । ସେ କାଶ୍ମୀରର ଅନନ୍ତନାଗରେ ରହୁଛି । ହାନାୟା ପରିଶ୍ରମ ଓ ନିଷ୍ଠାର ସହ କରାଟି ଅଭ୍ୟାସ କଲା, ସୂକ୍ଷ୍ମତା ସହ ଏହାକୁ ଅନୁଧ୍ୟାନ କଲା ଏବଂ ନିଜକୁ ପ୍ରମାଣିତ କରି ଦେଖାଇଲା । ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ହାନାୟାକୁ ଅନେକ ଶୁଭେଚ୍ଛା ଏବଂ ଆଶୀର୍ବାଦ । ସେହିପରି 16 ବର୍ଷର ଝିଅ ରଜନୀ ସମ୍ପର୍କରେ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହେଲା । ଆପଣମାନେ ମଧ୍ୟ ନିଶ୍ଚୟ ପଢ଼ିଥିବେ । ରଜନୀ ଜୁନିୟର ମୁଷ୍ଟିଯୁଦ୍ଧ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ରଜନୀ ପଦକ ଜିତିବା ମାତ୍ରେ ନିକଟସ୍ଥ ଗୋଟିଏ କ୍ଷୀର ଷ୍ଟଲକୁ ଯାଇ ଗିଲାସେ କ୍ଷୀର ପିଇଥିଲା । ତା’ପରେ ରଜନୀ ନିଜ ପଦକକୁ ଗୋଟିଏ କନାରେ ଗୁଡ଼ାଇ ନିଜ ବ୍ୟାଗରେ ରଖିଦେଇଥିଲା । ଆପଣମାନେ ଭାବୁଥିବେ ଯେ, ରଜନୀ ଗିଲାସେ କ୍ଷୀର କାହିଁକି ପିଇଲା? ଏହା ସେ ନିଜ ପିତା ଜସମେର୍ ସିଂହଙ୍କ ସମ୍ମାନରେ କଲା, ଯିଏ ପାନିପତର ଗୋଟିଏ ଷ୍ଟଲରେ ଲସୀ ବିକ୍ରି କରନ୍ତି । ରଜନୀ କହିଲା ଯେ, ତା’ର ବାପା ତାକୁ ସେ ଯାଏ ପହଂଚାଇବା ପାଇଁ ବହୁତ ତ୍ୟାଗ କରିଛନ୍ତି । ଅନେକ କଷ୍ଟ ସହିଛନ୍ତି । ଜସମେର୍ ସିଂ ସବୁଦିନ ସକାଳେ ରଜନୀ ଓ ତା’ର ଭାଇଭଉଣୀମାନଙ୍କ ଉଠିବା ଆଗରୁ ହିଁ କାମକୁ ଚାଲିଯାଆନ୍ତି । ନିଜର ବକ୍ସିଂ ଶିଖିବାର ଇଚ୍ଛା ଯେତେବେଳେ ସେ ନିଜ ପିତାଙ୍କ ଆଗରେ ପ୍ରକାଶ କଲା ସେତେବେଳେ ତା’ର ପିତା ଏହାପାଇଁ ଯଥାସମ୍ଭବ ଉପାୟ କରି ତା’ର ଉତ୍ସାହ ବର୍ଦ୍ଧନ କରିଥିଲେ । ରଜନୀକୁ ମୁଷ୍ଟିଯୁଦ୍ଧର ଅଭ୍ୟାସ ପୁରୁଣା ଗ୍ଲୋଭ୍ସ ସହ ଆରମ୍ଭ କରିବାକୁ ପଡ଼ିଥିଲା କାରଣ ସେ ସମୟରେ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନ ଥିଲା । ଏତେସବୁ ବାଧାବିଘ୍ନ ସତ୍ତ୍ୱେ ରଜନୀ ଧୈର୍ଯ୍ୟ ନ ହରାଇ ମୁଷ୍ଟିଯୁଦ୍ଧ ଶିଖିଚାଲିଲା । ସେ ସର୍ବିୟାରେ ମଧ୍ୟ ଗୋଟିଏ ପଦକ ଜିତିଛି । ମୁଁ ରଜନୀକୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ କରୁଛି ଏବଂ ରଜନୀକୁ ସହଯୋଗ କରିବା ଓ ପ୍ରୋତ୍ସାହିତ କରିଥିବା ଯୋଗୁଁ ତା’ର ପିତାମାତା ଜସମେର ସିଂ ଏବଂ ଉଷାରାଣୀଙ୍କୁ ଅଭିନନ୍ଦନ ଜଣାଉଛି । ଏହି ମାସରେ ହିଁ ପୁଣେର ଜଣେ 20  ବର୍ଷ ବୟସ୍କ ଝିଅ ବେଦାଙ୍ଗୀ କୁଲକର୍ଣ୍ଣୀ ସାଇକେଲରେ ବିଶ୍ୱପରିକ୍ରମା କରିଥିବା ଏସିଆର ସବୁଠାରୁ ଦ୍ରୁତ ସାଇକେଲଚାଳକ ହୋଇପାରିଛି । ସେ 159 ଦିନ ଧରି ପ୍ରତିଦିନ ପ୍ରାୟ 300  କିଲୋମିଟର ସାଇକେଲ ଚଳାଉଥିଲା । ଆପଣ କଳ୍ପନା କରିପାରୁଥିବେ ଦିନକୁ 300  କିଲୋମିଟର ସାଇକେଲ ଚାଳନା ପ୍ରତି ତାଙ୍କର ଆବେଗ ପ୍ରକୃତରେ ପ୍ରଶଂସନୀୟ । ଏଭଳି ଉପଲବ୍ଧି ବିଷୟରେ ଶୁଣିଲେ ଆମକୁ ପ୍ରେରଣା ମିଳୁନି କି? ବିଶେଷ କରି ମୋର ଯୁବବନ୍ଧୁଗଣ, ଏଭଳି ଘଟଣା ସମ୍ପର୍କରେ ଶୁଣିଲେ ଆମକୁ ବାଧାବିଘ୍ନ ସତ୍ୱେ କିଛି କରିବାର ପ୍ରେରଣା ମିଳିଥାଏ । ଯଦି ସଂକଳ୍ପରେ ସାମର୍ଥ୍ୟ ରହିଛି, ଦୃଢ଼ ମନୋବଳ ରହିଛି ତେବେ ବିଘ୍ନ ସ୍ୱୟଂ ଅଟକିଯିବ । ଅସୁବିଧା କେବେହେଲେ ପ୍ରତିବନ୍ଧକ ସାଜେନି । ଏଭଳି ଉଦାହରଣ ଶୁଣିଲେ ଆମକୁ ମଧ୍ୟ ନିଜ ଜୀବନର ପ୍ରତି ମୁହୂର୍ତ୍ତରେ ଗୋଟିଏ ନୂତନ ପ୍ରେରଣା ମିଳେ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀରେ ଉତ୍ସାହ ଏବଂ ଉଦ୍ଦୀପନାଭରା ଅନେକ ପର୍ବପର୍ବାଣୀ ଆସୁଛି  ଯଥା – ଲୋହଡ଼ି, ପୋଙ୍ଗଲ, ମକର ସଂକ୍ରାନ୍ତି, ଉତ୍ତରାୟଣ, ମାଘ ବିହୁ, ମାଘୀ ଇତ୍ୟାଦି । ଏହି ପର୍ବମାନଙ୍କରେ ସାରା ଭାରତରେ କେଉଁଠି ପାରମ୍ପରିକ ନୃତ୍ୟର ରଙ୍ଗରେ ରଙ୍ଗୀନ ହେବ ତ କେଉଁଠି ଫସଲ ଆମଦାନୀର ଖୁସିରେ ଲୋହଡ଼ୀ ପ୍ରଜ୍ଜ୍ୱଳିତ କରାଯିବ । କେଉଁଠି ଆକାଶରେ ଗୁଡ଼ି ଉଡୁଥିବାର ଦେଖିବାକୁ ମିଳିବ ତ କେଉଁଠି କେଉଁଠି ମେଳାର ଆଲୋକମାଳା ବିଚ୍ଛୁରିତ ହେବ । କେଉଁଠି ଖେଳରେ ଜନସମାଗମ ହେବ ତ କେଉଁଠି ପରସ୍ପର ମଧ୍ୟରେ ତିଳ-ଗୁଡ଼ ଖୁଆଖୋଇ ହୋଇ ପରସ୍ପର କୁହାକୁହି ହେବେ – “ତିଲ୍ ଗୁଡ୍ ଘ୍ୟା – ଆଣି ଗୋଡ଼ – ଗୋଡ଼ ବୋଲା” – ଏହି ଉତ୍ସବଗୁଡ଼ିକର ନାମ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ତା’ପଛରେ ନିହିତ ଭାବନା କିନ୍ତୁ ଗୋଟିଏ । ଏହି ଉତ୍ସବଗୁଡ଼ିକ କେଉଁଠି ନାଁ କେଉଁଠି ଚାଷବାସ ସହିତ ସମ୍ପୃକ୍ତ, କୃଷକ ସହିତ ଜଡ଼ିତ, ଗାଁ ଏବଂ କୃଷିକ୍ଷେତ୍ର ସହିତ ଜଡ଼ିତ । ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିରେ ପ୍ରବେଶ କରନ୍ତି । ଏହିଦିନ ପରେ ଦିନ ଧୀରେ ଧୀରେ ବଡ଼ ହେବାକୁ ଆରମ୍ଭ କରେ ଏବଂ ଶୀତଦିନିଆ ଫସଲ ଅମଳ ଆରମ୍ଭ ହୋଇଯାଏ । ଆମର ଅନ୍ନଦାତା କୃଷକ ଭାଇଭଉଣୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି । ଆମ ପର୍ବପର୍ବାଣୀଗୁଡ଼ିକରେ ମଧ୍ୟ ବିବିଧତାରେ ଏକତା ତଥା ଏକ୍ ଭାରତ ଶ୍ରେଷ୍ଠ ଭାରତର ଭାବ ନିହିତ ହୋଇ ରହିଛି । ଆମର ପର୍ବପର୍ବାଣୀଗୁଡ଼ିକ ପ୍ରକୃତି ସହିତ କେତେ ମାତ୍ରାରେ ଯୋଡ଼ି ହୋଇ ରହିଛନ୍ତି ତାହା ଆମେ ଜାଣିପାରିବା । ଭାରତୀୟ ସଂସ୍କୃତିରେ ସମାଜ ଏବଂ ପ୍ରକୃତିକୁ ଅଲଗା କରି ଦେଖାଯାଇ ନଥାଏ । ଏଠାରେ ବ୍ୟକ୍ତି ଏବଂ ସମଷ୍ଟି ପରସ୍ପର ଅଭିନ୍ନ । ଉତ୍ସବଗୁଡ଼ିକ ଆଧାରିତ କ୍ୟାଲେଣ୍ଡର ହେଉଛି ପ୍ରକୃତି ସହିତ ଆମର ନିକଟ ସମ୍ବନ୍ଧର ଏକ ଭଲ ଉଦାହରଣ । ଏଥିରେ ସାରାବର୍ଷର ପର୍ବପର୍ବାଣୀ ସହିତ ଗ୍ରହନକ୍ଷତ୍ରଙ୍କ ସମ୍ବନ୍ଧିତ ତଥ୍ୟ ମଧ୍ୟ ସନ୍ନିବେଶିତ ହୋଇଥାଏ । ପ୍ରାକୃତିକ ଏବଂ ଜ୍ୟୋତିର୍ବିଜ୍ଞାନ ସହିତ ଆମର ସମ୍ପର୍କ କେତେ ପ୍ରାଚୀନ ତାହା ଏହି ପାରମ୍ପରିକ କ୍ୟାଲେଣ୍ଡରରୁ ଆମେ ଜାଣିପାରିବା । ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କର ଗତି ଉପରେ ଆଧରିତ ଚନ୍ଦ୍ର ଏବଂ ସୌର କ୍ୟାଲେଣ୍ଡର ଅନୁସାରେ ଆମର ପର୍ବ ଓ ଉତ୍ସବମାନଙ୍କର ଦିନ ନିର୍ଦ୍ଧାରିତ ହୋଇଥାଏ । ଯିଏ ଯେଉଁ କ୍ୟାଲେଣ୍ଡରକୁ ମାନୁଛି ସେଇ ଅନୁସାରେ ପର୍ବର ତିଥି ନିର୍ଭର କରେ । କେତେକ କ୍ଷେତ୍ରରେ ଗ୍ରହ ନକ୍ଷତ୍ରର ସ୍ଥିତି ଅନୁସାରେ ମଧ୍ୟ ପର୍ବପର୍ବାଣୀ ପାଳନ କରାଯାଏ । ଗୁଡ଼ି ପଡ଼ୱା, ଚେଟିଚାନ୍ଦ୍, ଉଗାଦି ଆଦି ପର୍ବଗୁଡ଼ିକ ଚନ୍ଦ୍ର କ୍ୟାଲେଣ୍ଡର ଅନୁସାରେ ପାଳନ କରାଯାଏ । ସେହିଭଳି ତମିଲ୍ ପୁଥାଣ୍ଡୁ, ବିଶୁ, ବୈଶାଖ୍, ବୈଶାଖୀ, ପୋଇଲା ବୈଶାଖ, ବିହୁ ଆଦି ସୌର କ୍ୟାଲେଣ୍ଡର ଅନୁସାରେ ପାଳିତ ହୋଇଥାଏ । ଆମର ଅନେକ ପର୍ବ ମଧ୍ୟରେ ନଦୀ ଓ ପାଣିକୁ ସଂରକ୍ଷିତ କରିବାର ବାର୍ତା ସମାହିତ ହୋଇଥାଏ । ଛଟ୍ ପୂଜା ଉତ୍ସବଟି ନଦୀ ଓ ପୁଷ୍କରିଣୀର ସୂର୍ଯ୍ୟପୂଜା ସହ ଜଡ଼ିତ । ମକର ସଂକ୍ରାନ୍ତିରେ ମଧ୍ୟ ଲକ୍ଷ ଲକ୍ଷ, କୋଟି କୋଟି ଲୋକ ପବିତ୍ର ନଦୀଗୁଡ଼ିକରେ ବୁଡ଼ ପକାଇଥାନ୍ତି । ଆମର ପର୍ବପର୍ବାଣୀଗୁଡ଼ିକ ଆମମାନଙ୍କୁ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥାଏ । ଏକପକ୍ଷରେ ଏଗୁଡ଼ିକର ପୌରାଣିକ ମହତ୍ୱ ଥିଲାବେଳେ ଅନ୍ୟପକ୍ଷରେ ଏଥିରୁ ଭ୍ରାତୃଭାବ ଏବଂ ପରସ୍ପର ମିଳିମିଶି ରହିବାର ଜୀବନଶିକ୍ଷା ମଧ୍ୟ ଲାଭ ହୋଇଥାଏ । ମୁଁ ଆପଣମାନଙ୍କୁ 2019 ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ କାମନା କରୁଛି କି ଆଗାମୀ ପର୍ବପର୍ବାଣୀଗୁଡ଼ିକରୁ ଆପଣମାନେ ଭରପୁର ଆନନ୍ଦପ୍ରାପ୍ତ କରନ୍ତୁ । ଏହି ଉତ୍ସବରେ ଉଠେଇଥିବା ଫଟୋଗୁଡ଼ିକୁ ଆପଣମାନେ ସମସ୍ତଙ୍କ ସହ ସେୟାର କରନ୍ତୁ । ଫଳରେ ଭାରତର ବିବିଧତା ଏବଂ ଭାରତୀୟ ସଂସ୍କୃତିର ସୁନ୍ଦରତାକୁ ସମସ୍ତେ ଦେଖିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଆମ ସଂସ୍କୃତିରେ ଏଭଳି ଜିନିଷ ଭରପୁର ହୋଇ ରହିଛି ଯେଉଁଥିପାଇଁ ଆମେ ଗର୍ବ କରିପାରିବା ଏବଂ ସ୍ୱାଭିମାନର ସହିତ ଅନ୍ୟମାନଙ୍କୁ ମଧ୍ୟ ଦେଖାଇପାରିବା । ଆଉ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା କୁମ୍ଭମେଳା । ଆପଣମାନେ କୁମ୍ଭ ବିଷୟରେ ବହୁତ କିଛି ଶୁଣିଥିବେ । ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ତା’ର ଭବ୍ୟତା ଏବଂ ବିଶାଳତାକୁ ଆପଣମାନେ ଦେଖିଥିବେ ଏବଂ ତାହା ମଧ୍ୟ ସତ୍ୟ । କୁମ୍ଭମେଳାର ସ୍ୱରୂପ ଅତି ବିରାଟ ହୋଇଥାଏ – ଯେତିକି ଦିବ୍ୟ ସେତିକି ଭବ୍ୟ ମଧ୍ୟ । ଦେଶ ତଥା ସାରା ଦୁନିଆର ଲୋକ ଆସନ୍ତି ଏବଂ କୁମ୍ଭମେଳାରେ ସମ୍ମିଳିତ ହୋଇଯାନ୍ତି । କୁମ୍ଭମେଳାରେ ଆସ୍ଥା ଏବଂ ଶ୍ରଦ୍ଧାର ଜନସମୁଦ୍ର ମାଡ଼ିଆସେ । ଏକାସାଥିରେ ଗୋଟିଏ ସ୍ଥାନରେ ଦେଶବିଦେଶର ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଏକତ୍ରିତ ହୁଅନ୍ତି । କୁମ୍ଭର ସଂସ୍କୃତି ଆମର ମହାନ ସାଂସ୍କୃତିକ ପରମ୍ପରାରୁ ପଲ୍ଲବିତ ଏବଂ ପୁଷ୍ପିତ ହୋଇଛି । ଏ ବର୍ଷ ଜାନୁୟାରୀ 15 ତାରିଖରୁ ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା ଆୟୋଜିତ ହେବାକୁ ଯାଉଛି । ହୁଏତ ଆପଣ ବି ଖୁବ୍ ଉତ୍ସୁକତାର ସହିତ ଏହି ମେଳାକୁ ଅପେକ୍ଷା କରିଥିବେ । କୁମ୍ଭମେଳା ପାଇଁ ଏବେଠାରୁ ସନ୍ଥ ମହାତ୍ମାମାନଙ୍କର ଆଗମନ ଆରମ୍ଭ ହୋଇଗଲାଣି । ବିଶ୍ୱରେ ଏହାର ମହତ୍ୱକୁ ଆପଣ ଏଇଥିରୁ ଅନୁମାନ କରିପାରିବେ ଯେ ଗତବର୍ଷ ୟୁନେସ୍କୋ ଦ୍ୱାରା କୁମ୍ଭମେଳାକୁ “ମାନବ ସଭ୍ୟତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ” (Intangible Cultural Heritage of Humanity) ସୂଚୀରେ ଚିହ୍ନିତ କରାଯାଇଛି । କିଛିଦିନ ତଳେ ଅନେକ ଦେଶର ରାଷ୍ଟ୍ରଦୂତମାନେ କୁମ୍ଭର ପ୍ରସ୍ତୁତିର ଅନୁଧ୍ୟାନ କଲେ । ସେଠାରେ ଏକସାଥେ ଅନେକ ଦେଶର ଜାତୀୟ ପତାକା ଉତୋଳନ କରାଗଲା । ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଥିବା ଏହି କୁମ୍ଭ ମେଳାକୁ ଶହେପଚାଶରୁ ଅଧିକ ଦେଶରୁ ଲୋକମାନେ ଆସିବାର ସମ୍ଭାବନା ରହିଛି । କୁମ୍ଭର ଦିବ୍ୟତାଠାରୁ ଭାରତର ଭବ୍ୟତା ସାରା ବିଶ୍ୱରେ ନିଜର ରଙ୍ଗୀନ ଆଭା ପ୍ରଦର୍ଶନ କରିବ । କୁମ୍ଭମେଳା ଆତ୍ମ ଅନ୍ୱେଷଣର ଏକ ବଡ଼ ମାଧ୍ୟମ ଯେଉଁଠି ପ୍ରତ୍ୟେକ ଆଗନ୍ତୁକକୁ ଭିନ୍ନ ଭିନ୍ନ ଅନୁଭୂତି ମିଳେ । ସାଂସାରିକ ବସ୍ତୁଗୁଡ଼ିକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବୁଝିବାର ଅବସର ମିଳେ । ବିଶେଷକରି ଯୁବବର୍ଗ ପାଇଁ ଏହା ଏକ ବହୁତ ବଡ଼ ଶିକ୍ଷଣୀୟ ଅନୁଭୂତି ହୋଇପାରେ । ମୁଁ ନିଜେ କିଛିଦିନ ପୂର୍ବେ ପ୍ରୟାଗରାଜ ଯାଇଥିଲି । ମୁଁ ଦେଖିଲି ଯେ କୁମ୍ଭମେଳା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରୟାଗରାଜର ଲୋକମାନେ କୁମ୍ଭ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ମୁଁ ସେଠାରେ ସମନ୍ୱିତ କମାଣ୍ଡ ଓ କଂଟ୍ରୋଲ ସେଂଟରକୁ ଲୋକାର୍ପଣ କଲି । ଶ୍ରଦ୍ଧାଳୁମାନଙ୍କୁ ଏଥିରୁ ଖୁବ୍ ସାହାଯ୍ୟ ମିଳିବ । ଏ ବର୍ଷ କୁମ୍ଭରେ ସ୍ୱଚ୍ଛତା ଉପରେ ବି ବିଶେଷ ଜୋର ଦିଆଯାଇଛି । ଆୟୋଜନରେ ଶ୍ରଦ୍ଧା ସଙ୍ଗେ ସଙ୍ଗେ ସ୍ୱଚ୍ଛତା ମଧ୍ୟ ରହିବ । ଯାହା ଦୁନିଆର ଦୂରଦୂରାନ୍ତକୁ ଏକ ସୁସନ୍ଦେଶ ଦେବ ।

ଏଥର ଶ୍ରଦ୍ଧାଳୁମାନେ ସଙ୍ଗମରେ ସ୍ନାନ କରିବା ପରେ ଅକ୍ଷୟବଟ ମଧ୍ୟ ଦର୍ଶନ କରି ପୂଣ୍ୟ ଅର୍ଜନ କରିପାରିବେ । ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଏହି ଅକ୍ଷୟବଟ ଶହ ଶହ ବର୍ଷ ଧରି ଦୁର୍ଗ ଭିତରେ ବନ୍ଦ ହୋଇ ରହିଥିଲା । ଫଳରେ ଶ୍ରଦ୍ଧାଳୁମାନେ ଇଚ୍ଛାଥାଇ ମଧ୍ୟ ଏହାର ଦର୍ଶନ କରିପାରୁ ନ ଥିଲେ । ଏବେ ଅକ୍ଷୟବଟର ଦ୍ୱାର ସମସ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ, ଯଦି ଆପଣ କୁମ୍ଭମେଳାକୁ ଯାଆନ୍ତି ତେବେ କୁମ୍ଭମେଳାର ଭିନ୍ନ ଭିନ୍ନ ବିଷୟ ଓ ଦୃଶ୍ୟସବୁକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବେ ଆଦାନ-ପ୍ରଦାନ କରନ୍ତୁ । ଫଳରେ ଅଧିକରୁ ଅଧିକ ଲୋକଙ୍କୁ କୁମ୍ଭମେଳା ଯିବାର ପ୍ରେରଣା ମିଳିବ ।

ଆଧ୍ୟାତ୍ମର ଏ କୁମ୍ଭ ଭାରତୀୟ ଦର୍ଶନର ମହାକୁମ୍ଭ ହେଉ ।

ଆସ୍ଥାର ଏ କୁମ୍ଭ ରାଷ୍ଟ୍ରୀୟତାର ମହାକୁମ୍ଭ ହେଉ ।

ଜାତୀୟ ଏକତାର ମହାକୁମ୍ଭ ବି ହେଉ ।

ଶ୍ରଦ୍ଧାଳୁମାନଙ୍କର ଏ କୁମ୍ଭ ବିଶ୍ୱପର୍ଯ୍ୟଟନର ମହାକୁମ୍ଭ ହେଉ ।

କଳାତ୍ମକତାର ଏ କୁମ୍ଭ ସୃଜନଶକ୍ତିର ମଧ୍ୟ ମହାକୁମ୍ଭ ହେଉ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସକୁ ନେଇ ଆମେ ଦେଶବାସୀମାନଙ୍କ ମନରେ ବହୁତ ଉତ୍ସୁକତା ରହିଥାଏ । ସେଦିନ ଆମେ ଆମର ସେହି ମହାନ ବିଭୂତିମାନଙ୍କୁ ସ୍ମରଣ କରିଥାଉ ଯେଉଁମାନେ ଆମକୁ ଆମର ସମ୍ବିଧାନ ଦେଇଛନ୍ତି ।

ଏ ବର୍ଷ ଆମେ ଆମର ପୂଜ୍ୟ ବାପୁଜୀଙ୍କର ଶହେ ପଚାଶତମ ଜୟନ୍ତୀ ବର୍ଷ ପାଳନ କରୁଛୁ । ଆମପାଇଁ ସୌଭାଗ୍ୟର କଥା ଯେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ୍ ରାମାଫୋସ୍ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଭାବରେ ଯୋଗଦାନ କରୁଛନ୍ତି । ପୂଜ୍ୟବାପୁ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅବିଚ୍ଛିନ୍ନ ସମ୍ପର୍କ ଥିଲା । ସେ ଦକ୍ଷିଣ ଆଫ୍ରିକା ହିଁ ଥିଲା ଯେଉଁଠି ମୋହନ ମହାତ୍ମାରେ ପରିଣତ ହେଲେ । ଦକ୍ଷିଣ ଆଫ୍ରିକାରେ ହିଁ ମହାତ୍ମା ଗାନ୍ଧୀ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଏବଂ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଦୃଢ଼ଭାବରେ ସ୍ୱର ଉତୋଳନ କରିଥିଲେ । ସେ ଫିନିକ୍ସ ଏବଂ ଟଲଷ୍ଟୟ ଫାର୍ମର ସ୍ଥାପନା କରିଥିଲେ ଯେଉଁଠାରୁ ସାରାବିଶ୍ୱରେ ଶାନ୍ତି ପାଇଁ ଏବଂ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ ହୋଇଥିଲା ।

2018 ବର୍ଷଟିକୁ ନେଲସନ୍ ମଣ୍ଡେଲାଙ୍କ ଜନ୍ମଶତାବ୍ଦୀ ବର୍ଷଭାବରେ ମଧ୍ୟ ପାଳନ କରାଯାଉଛି । ସେ ‘ମାଦିବା’ ନାମରେ ମଧ୍ୟ ପରିଚିତ । ଆମେ ସମସ୍ତେ ଜାଣୁ ଯେ ନେଲସନ୍ ମଣ୍ଡେଲା ସମଗ୍ର ବିଶ୍ୱରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ସଂଗ୍ରାମର ଏକ ଉଦାହରଣ ଥିଲେ । ମଣ୍ଡେଲାଙ୍କ ପାଇଁ ପ୍ରେରଣା ସ୍ରୋତ କିଏ ଥିଲେ ତାହା ମଧ୍ୟ ଆମେ ଜାଣୁ । ତାଙ୍କୁ ଏତେବର୍ଷ ଜେଲରେ କାଟିବାର ସହନଶକ୍ତି ଏବଂ ପ୍ରେରଣା ପୂଜ୍ୟ ବାପୁଙ୍କଠାରୁ ହିଁ ମିଳିଥିଲା । ମଣ୍ଡେଲା ଥରେ ବାପୁଜୀଙ୍କ ବିଷୟରେ କହିଥିଲେ – “ମହାତ୍ମା ଆମ ଇତିହାସର ଅଭିନ୍ନ ଅଙ୍ଗ, କାରଣ ଏହିଠାରେ ସେ ସତ୍ୟକୁ ନେଇ ନିଜର ପ୍ରଥମ ପ୍ରୟୋଗ କରିଥିଲେ; ଏହିଠାରେ ସେ ନ୍ୟାୟପ୍ରତି ନିଜର ଦୃଢ଼ତାର ବିଲକ୍ଷଣ ପ୍ରଦର୍ଶନ କରିଥିଲେ; ଏହିଠାରେ ସେ ନିଜର ସତ୍ୟାଗ୍ରହର ଦର୍ଶନ ଏବଂ ସଂଘର୍ଷର କୌଶଳକୁ ବିକଶିତ କରିଥିଲେ ।” ସେ ବାପୁଙ୍କୁ ତାଙ୍କ ଆଦର୍ଶ ମାନୁଥିଲେ । ବାପୁ ଏବଂ ମଣ୍ଡେଲା ଉଭୟ ସମଗ୍ର ବିଶ୍ୱ ପାଇଁ ଖାଲି ପ୍ରେରଣାର ସ୍ରୋତ ଥିଲେ ତା’ନୁହେଁ, ବରଂ ତାଙ୍କ ଆଦର୍ଶ ଆମକୁ ସର୍ବଦା ପ୍ରେମ ଓ କରୁଣା ଭରା ସମାଜ ଗଠନ ଦିଗରେ ପ୍ରୋତ୍ସାହିତ କରିଆସିଛି ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପୂର୍ବେ ଗୁଜରାଟର ନର୍ମଦା ନଦୀକୂଳରେ କେବଡ଼ିଆଠାରେ ପୁଲିସ ମହାନିର୍ଦେଶକମାନଙ୍କର ସମ୍ମେଳନ ହେଲା, ଯେଉଁଠାରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅଛି, ସେଠି ଶୀର୍ଷସ୍ଥ ପୁଲିସ ଅଧିକାରୀମାନଙ୍କ ସହିତ ସାର୍ଥକ ଆଲୋଚନା ହୋଇଥିଲା । ଦେଶ ତଥା ଦେଶବାସୀମାନଙ୍କର ସୁରକ୍ଷାକୁ ଆହୁରି ମଜବୁତ୍ କରିବା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ ସେ ବିଷୟରେ ସବିସ୍ତାର ଆଲୋଚନା ହେଲା । ସେହି ସମ୍ମେଳନରେ ମୁଁ ଜାତୀୟ ଏକତା ପାଇଁ ସର୍ଦ୍ଦାର ପଟେଲ ପୁରସ୍କାର ଆରମ୍ଭ କରିବାର ଘୋଷଣା କଲି । ଯିଏ କୌଣସି ଭାବରେ ଜାତୀୟ ଏକତା ପାଇଁ ଉଲ୍ଲେଖନୀୟ କାମ କରିଥିବ ଏ ପୁରସ୍କାର ତାଙ୍କୁ ଦିଆଯିବ । ସର୍ଦ୍ଦାର ପଟେଲ ତାଙ୍କର ସମଗ୍ର ଜୀବନ ଦେଶର ଏକତା ପାଇଁ ସମର୍ପିତ କରିଦେଇଥିଲେ । ସେ ଭାରତର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ସର୍ବଦା ଲାଗିରହିଥିଲେ । ସର୍ଦ୍ଦାର ସାହେବଙ୍କ ମତରେ ଭାରତର ଶକ୍ତି ତାର ବିବିଧତା ମଧ୍ୟରେ ହିଁ ନିହିତ ଅଛି । ସର୍ଦ୍ଦାର ପଟେଲଙ୍କର ସେହି ଭାବନାକୁ ସମ୍ମାନ ଜଣାଇ ଏହି ପୁରସ୍କାର ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛୁ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 13 ତାରିଖ ଗୁରୁ ଗୋବିନ୍ଦ ସିଂହଙ୍କ ପବିତ୍ର ଜୟନ୍ତୀର ପର୍ବ । ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମ ପାଟନାରେ ହେଇଥିଲା । ଜୀବନର ଅଧିକାଂଶ ସମୟ ଧରି ଉତ୍ତର ଭାରତ ତାଙ୍କର କର୍ମଭୂମି ଥିଲା । ମହାରାଷ୍ଟ୍ରର ନାନ୍ଡ଼େଡ଼ଠାରେ ସେ ପ୍ରାଣତ୍ୟାଗ କରିଥିଲେ । ଜନ୍ମଭୂମି ପାଟନା, କର୍ମଭୂମି ଉତ୍ତର ଭାରତ ଏବଂ ଜୀବନର ଶେଷ ମୁହୂର୍ତ୍ତ ନାନ୍ଡ଼େଡ଼ରେ । କହିବାକୁ ଗଲେ, ସାରା ଭାରତବର୍ଷ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିଥିଲା । ତାଙ୍କର ଜୀବନ କାଳକୁ ଦେଖିଲେ ସେଥିରେ ସମ୍ପୂର୍ଣ୍ଣ ଭାରତର ଝଲକ ଦେଖିବାକୁ ମିଳେ । ନିଜ ପିତା ଶ୍ରୀ ଗୁରୁ ତେଗ୍ ବାହାଦୂରଜୀ ଶହୀଦ ହେବାପରେ ଗୁରୁ ଗୋବିନ୍ଦ ସିଂହଜୀ ମାତ୍ର 9 ବର୍ଷ ବୟସରେ ଗୁରୁ ପଦପ୍ରାପ୍ତ କରିଥିଲେ । ଗୁରୁ ଗୋବିନ୍ଦ ସିଂଙ୍କୁ ନ୍ୟାୟ ସପକ୍ଷରେ ସଂଗ୍ରାମ କରିବାର ସାହସ ଶିଖ ଗୁରୁମାନଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ତାଙ୍କ ବ୍ୟକ୍ତିତ୍ୱ ଶାନ୍ତ ଏବଂ ସରଳ ଥିଲା । କିନ୍ତୁ ଯେତେବେଳେ ବି ଗରିବ ଓ ଦୁର୍ବଳମାନଙ୍କ ସ୍ୱରକୁ ଚାପିଦେବାର ଚେଷ୍ଟା କରାଗଲା, ସେମାନଙ୍କ ପ୍ରତି ଅନ୍ୟାୟ କରାଗଲା, ସେତେବେଳେ ଗୁରୁ ଗୋବିନ୍ଦ ସିଂ ଗରିବ ଓ ଦୁର୍ବଳମାନଙ୍କ ପାଇଁ ଦୃଢ଼ଭାବେ ସ୍ୱର ଉତୋଳନ କରିଥିଲେ । ସେଥିପାଇଁ ତ କୁହାଯାଏ –

ସୱା ଲାଖ୍ ସେ ଏକ୍ ଲଡ଼ାଉଁ

ଚିଡ଼ିୟୋଁ ସୋଁ ମେଁ ବାଜ୍ ତୁଡ଼ାଉଁ,

ତବେ ଗୋବିନ୍ଦ ସିଂ ନାମ କହାଉଁ ।

ସେ କହୁଥିଲେ ଯେ, ଦୁର୍ବଳ ଶ୍ରେଣୀର ଲୋକଙ୍କ ସାଙ୍ଗରେ ଲଢ଼ି ଶକ୍ତି ପ୍ରଦର୍ଶନ କରାଯାଏନି । ମାନବୀୟ ଦୁଃଖକୁ ଦୂର କରିବା ହିଁ ସବୁଠାରୁ ବଡ଼ ସେବା ବୋଲି ଗୁରୁ ଗୋବିନ୍ଦ ସିଂ ବିଶ୍ୱାସ କରୁଥିଲେ । ସେ ବୀରତ୍ୱ, ଶୌର୍ଯ୍ୟ, ତ୍ୟାଗ ଏବଂ ଧର୍ମପରାୟଣତାରେ ପରିପୂର୍ଣ୍ଣ ଦିବ୍ୟପୁରୁଷ ଥିଲେ ଯାହାଙ୍କର ଶସ୍ତ୍ର ଏବଂ ଶାସ୍ତ୍ର ଉଭୟ ସମ୍ପର୍କରେ ଅଲୌକିକ ଜ୍ଞାନ ଥିଲା । ସେ ଜଣେ ତୀରଚାଳକ ତ ଥିଲେ, ତା’ସଙ୍ଗେ ସଙ୍ଗେ ଗୁରୁମୁଖି, ବ୍ରଜଭାଷା, ସଂସ୍କୃତ, ପାର୍ସି, ହିନ୍ଦୀ ଏବଂ ଉର୍ଦ୍ଦୁ ସହ ଅନେକ ଭାଷା ଜାଣିଥିଲେ । ମୁଁ ପୁଣିଥରେ ଗୁରୁ ଗୋବିନ୍ଦ ସିଂଙ୍କୁ ପ୍ରଣାମ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଦେଶରେ ଏମିତି ଅନେକ ଭଲ କାମ ହେଉଛି, ଯାହା ସମ୍ପର୍କରେ ବିଶେଷ ଆଲୋଚନା ହୋଇନଥାଏ । ଏଭଳି ଗୋଟିଏ ନିଆରା ପ୍ରଚେଷ୍ଟା FSSAI ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ ଦ୍ୱାରା ହେଉଛି । ମହାତ୍ମାଗାନ୍ଧୀଙ୍କର 150 ତମ ଜୟନ୍ତୀ ବର୍ଷ ଉପଲକ୍ଷେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଶୃଙ୍ଖଳାରେ FSSAI ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ଲାଗିଛି । “Eat Right India” ଅଭିଯାନ ଅନ୍ତର୍ଗତ ସାରା ଦେଶରେ ସୁସ୍ଥ ଭାରତ ଯାତ୍ରାମାନ ଆୟୋଜିତ କରାଯାଉଛି । ଏହି ଅଭିଯାନ ଜାନୁୟାରୀ 27 ତାରିଖ ପର୍ଯ୍ୟନ୍ତ ଚାଲିବ । ବେଳେବେଳେ ସରକାରୀ ସଂସ୍ଥାମାନଙ୍କ ପରିଚୟ ଗୋଟିଏ ନିୟନ୍ତ୍ରକ ଭଳି ହୋଇଥାଏ, କିନ୍ତୁ FSSAI ପାଦେ ଆଗେଇଯାଇ ଜନସଚେତନତା ଏବଂ ଲୋକଶିକ୍ଷାର କାର୍ଯ୍ୟ କରିବା ପ୍ରଶଂସନୀୟ, ଭାରତ ସ୍ୱଚ୍ଛ ସୁସ୍ଥ ହେଲେ ସମୃଦ୍ଧ ହେବ । ଉତମ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଆବଶ୍ୟକ ହେଲା ପୁଷ୍ଟିକର ଖାଦ୍ୟ । ଏହି ପ୍ରସଙ୍ଗରେ ଏହି କାର୍ଯ୍ୟକ୍ରମ ପାଇଁ ମୁଁ FSSAIକୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହି ଅଭିଯାନରେ ସାମିଲ ହେବାକୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଆପଣ ମଧ୍ୟ ଏଥିରେ ଅଂଶଗ୍ରହଣ କରନ୍ତୁ ଏବଂ ବିଶେଷକରି ପିଲାମାନଙ୍କୁ ଏହା ନିଶ୍ଚୟ ଦେଖାନ୍ତୁ । ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ପିଲାଦିନରୁ ମିଳିବା ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀଗଣ, ଏହା 2018ର ଶେଷ କାର୍ଯ୍ୟକ୍ରମ । 2019ରେ ଆମେ ପୁଣି ଏକାଠି ହେବା । ପୁଣି ମନର କଥା ହେବା । ବ୍ୟକ୍ତିର ଜୀବନ ହେଉ, ରାଷ୍ଟ୍ରର ଜୀବନ ହେଉ, ସମାଜର ଜୀବନ ହେଉ, ପ୍ରେରଣା ଉନ୍ନତିର ଆଧାର ହୋଇଥାଏ । ଆସନ୍ତୁ ନୂଆ ପ୍ରେରଣା, ନୂତନ ଉତ୍ସାହ, ନୂଆ ସଂକଳ୍ପ, ନୂତନ ସିଦ୍ଧି, ନୂତନ ଶିଖର ଆଗକୁ ଯିବା, ବଢ଼ିଚାଲିବା, ନିଜେ ବଦଳିବା, ଦେଶକୁ ମଧ୍ୟ ବଦଳାଇବା । ଅନେକ ଅନେକ ଧନ୍ୟବାଦ ।

**********