ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକଗୁଡ଼ିଏ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତଦନୁସାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ପରିସରକୁ ବ୍ୟାପକ ଭାବେ ବୃଦ୍ଧି କରାଯାଇଛି । କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ୱାରା ସମସ୍ତ ଯୋଗ୍ୟ କୃଷକ ସେମାନଙ୍କର ଚାଷ ଜମି ପରିମାଣ ଯାହା ହୋଇଥାଉ ନା କାହିଁକି (ଏଥିପାଇଁ ଅବଶ୍ୟ ବାଦ ସର୍ତ୍ତାବଳୀ ପ୍ରଯୁଜ୍ୟ) ସେମାନଙ୍କୁ ଏହି ଯୋଜନାର ସୁଫଳରେ ସାମିଲ କରାଯାଇଛି ।
ଅଧିକ ହିତାଧିକାରୀ, ବ୍ୟାପକ ପ୍ରଗତି:
ସଂଶୋଧିତ ଏହି ଯୋଜନାରେ ପାଖାପାଖି 2 କୋଟିରୁ ଅଧିକ କୃଷକ ସାମିଲ ହୋଇପାରିବେ ଯାହା ଫଳରେ ପିଏମ-କିଷାନ ଯୋଜନା କଭରେଜରେ ପାଖାପାଖି 14.5କୋଟି ହିତାଧିକାରୀ ସାମିଲ ହେବେ । ଏଥିପାଇଁ 2019-20ଆର୍ଥିକ ବର୍ଷରେ କେନ୍ଦ୍ର ସରକାର 87,217.50 କୋଟି ଟଙ୍କା ବ୍ୟୟ କରିବେ ।
ପ୍ରମୁଖ ପ୍ରତିଶ୍ରୁତି:
ଆଜିର କ୍ୟାବିନେଟ ବୈଠକରେ ପିଏମ- କିଷାନ ଯୋଜନାର ପରିସରକୁ ବ୍ୟାପକ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯାହାକି ପ୍ରଧାନମନ୍ତ୍ରୀ 2019 ସାଧାରଣ ନିର୍ବାଚନ ସମୟରେ ଦେଶବାସୀଙ୍କୁ ଏକ ପ୍ରମୁଖ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବିଜେପି ନିର୍ବାଚନୀ ଇସ୍ତାହାରରେ ଏହାକୁ ମଧ୍ୟ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତି ଭାବେ ସାମିଲ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ କେତେକ କାର୍ଯ୍ୟାନ୍ୱୟନ ପ୍ରସଙ୍ଗ ଯଥା ଝାଡ଼ଖଣ୍ଡରେ ସର୍ବଶେଷ ଜମି ରେକର୍ଡ଼ ଉପଲବ୍ଧ ନହେବା ଏବଂ ଆସାମ, ମେଘାଳୟ ଓ ଜାମ୍ମୁ ଓ କାଶ୍ମୀର ଭଳି ରାଜ୍ୟରେ ଆଧାର ବ୍ୟବସ୍ଥା ପହଞ୍ଚି ନଥିବାରୁ କୃଷକମାନଙ୍କୁ ଏହି ଯୋଜନାର ସୁଫଳ ପାଇବାରେ କଷ୍ଟ ହେଉଥିଲା ।
ପିଏମ-କିଷାନ: କୃଷକମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପ୍ରୋତ୍ସାହନ ବ୍ୟବସ୍ଥା:
ପିଏମ-କିଷାନ ଯୋଜନାର ଆରମ୍ଭ 2019-20ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତୀ ବଜେଟ ଉପସ୍ଥାପନ କାଳରେ ହିଁ କରାଯାଇଥିଲା ।
ପିଏମ-କିଷାନ ଯୋଜନାର ପ୍ରମୁଖ୍ୟ ବୈଶିଷ୍ଟ ହେଲା ଏହା ଯେ ସାରା ଦେଶର କ୍ଷୁଦ୍ର ଓ ନାମମାତ୍ର ଭୂମି ଥିବା କୃଷକମାନଙ୍କ ପରିବାରଙ୍କୁ ଯାହାଙ୍କର କି 2 ହେକ୍ଟର ପର୍ଯ୍ୟନ୍ତ ଚାଷଯୋଗ୍ୟ ଜମି ରହିଛି ସେମାନଙ୍କୁ 6000 ଟଙ୍କା ଆୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । (ଆଜି ଏହାର ପରିସରକୁ ବୃଦ୍ଧି କରାଯାଇଛି)
ଏହି ରାଶିକୁ ତିନିଟି 2000 ଟଙ୍କିଆ ମାସିକ କିସ୍ତିରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ କିସ୍ତି ଗୋଟିଏ ବର୍ଷ ଭିତରେ ପ୍ରଦାନ କରାଯିବ ଏବଂ ତାହା ହିତାଧିକାରୀଙ୍କ ବ୍ୟାଙ୍କ୍ ଜମାଖାତାରେ ସିଧାସଳଖ ପୈଠ କରାଯିବ । ଏହା ଡ଼ିବିଟି ମୋଡ଼ରେ ସଂପାଦନ କରାଯିବ ।
ଏହି ଯୋଜନା ରେକର୍ଡ଼ ମାତ୍ର ତିନି ସପ୍ତାହ ଭିତରେ ଆରମ୍ଭ କରାଯାଇଥିଲା । ଫେବୃଆରୀ 24 ତାରିଖ ଦିନ ଉତ୍ତର ପ୍ରଦେଶର ଗୋରଖପୁରଠରେ ଏକ ବିଶାଳ କାର୍ଯ୍ୟକ୍ରମରେ ଅନେକ କୃଷକଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ରାଶି ପ୍ରଦାନ କରାଯାଇଥିଲା ।
ଏଯାବତ୍ ଦେଶର 3.11କୋଟି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ରାଶି ଯୋଗାଇ ଦିଆଯାଇଥିବା ବେଳେ 2.66 କୋଟି ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ରାଶି ପ୍ରଦାନ କରାଯାଇଛି । ହିତାଧିକାରୀ କୃଷକଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ଏହି ରାଶି ଜମା କରାଯାଇଛି ।
ନୂତନ ଉତ୍ସାହର ସହ ଦେଶର ଅନ୍ନଦାତାଙ୍କ ସେବା:
ବାରମ୍ବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକଥା ସସମ୍ମାନେ ଦୋହରାଇ ଆସିଛନ୍ତି ଯେ ଭାରତର କୃଷକମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଉଚିତ । ଦେଶର କୃଷକମାନଙ୍କୁ ସେ ଅନ୍ନଦାତା ବୋଲି ଅଭିହିତ କରିଛନ୍ତି ଯେଉଁମାନେ କି କଠିନ ଶ୍ରମ ସ୍ୱୀକାର କରି 1.3 ବିଲିୟନ ଭାରତୀୟଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରୁଛନ୍ତି ।
2014 ଠାରୁ 2019 ମଧ୍ୟରେ ଦେଶର କୃଷକମାନଙ୍କୁ ସଶକ୍ତ କରିବା ସକାଶେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ସେଥିମଧ୍ୟରେ 22 ପ୍ରକାର କୃଷିଜାତ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ରାଶି (ଏମଏସପି) ବୃଦ୍ଧି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା, ଇ-ନାମ୍ ଭଳି ବଜାର ଯୋଜନା ଆଦି ସାମିଲ । ଏହିସବୁ ପଦକ୍ଷେପ କୃଷିକୁ ଅଧିକ ସମୃଦ୍ଧ କରିବା ସହ କୃଷକମାନଙ୍କ ଉତ୍ପାଦନ ଓ ଉପାର୍ଜନ ବୃଦ୍ଧିରେ ସହାୟକ ହୋଇଛି । ଏହା 2022 ମସିହା ସୁଦ୍ଧା ସ୍ୱାଧୀନତାର 75ତମ ବାର୍ଷିକୀ ଅବସରରେ ଦେଶର କୃଷକମାନଙ୍କ ଉପାର୍ଜନକୁ ଦ୍ୱିଗୁଣିତ କରିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ବିଶେଷ ଭାବେ ସହାୟକ ହେବ ।