Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାନୁଆରୀ 11 ଓ 12ରେ କୋଲକାତାକୁ ସରକାରୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ


ଚାରିଟି ପ୍ରମୁଖ ଐତିହାସିକ ଅଟ୍ଟାଳିକା ରାଷ୍ଟ୍ରକୁ ସମର୍ପିତ କରିବେ

•    କୋଲକାତା ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ

•    ପୋର୍ଟ ଟ୍ରଷ୍ଟର ଅବସରପ୍ରାପ୍ତ ଏବଂ ବର୍ତ୍ତମାନର ଅଧିକାରୀଙ୍କ ପେନସନ ଆବଶ୍ୟକତା ପୂରଣ କରିବେ

•    ପୋର୍ଟ ଟ୍ରଷ୍ଟର ଦୁଇ ଜଣ ଶତାୟୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ କରିବେ ସମ୍ମାନିତ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 11 ଏବଂ 12, 2020ରେ କୋଲକାତାକୁ ଦୁଇ ଦିନିଆ ସରକାରୀ ଗସ୍ତରେ ଯିବେ ।

ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ

ପ୍ରଧାନମନ୍ତ୍ରୀ 11 ଜାନୁଆରୀକୁ କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ରହିଛି ପୁରୁଣା କରେନ୍ସି ଭବନ, ବେଲଭେଡିଅର ହାଉସ, ମେଟକାଫ ହାଉସ ଏବଂ ଭିକ୍ଟୋରିଆ ମେମୋରିଆଲ ହଲ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି 4ଟି ଐତିହାସିକ ଅଟ୍ଟାଳିକାର ପୁନରୁଦ୍ଧାର କରିଛି । ଏହି ପ୍ରକ୍ରିୟାରେ ଅଟ୍ଟାଳିକାଗୁଡ଼ିକର ଐତିହାସିକ ସ୍ୱରୂପକୁ ଅକ୍ଷୂର୍ଣ୍ଣ ରଖାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶର ବିଭିନ୍ନ ମହାନଗରରେ ପ୍ରମୁଖ ଐତିହାସିକ ଅଟ୍ଟାଳିକାଗୁଡ଼ିକ ଚତୁଃପାଶ୍ୱର୍ରେ ସାଂସ୍କୃତିକ ଆୟୋଜନ ଲାଗି ସ୍ଥାନ ପ୍ରସ୍ତୁତ କରାଯାଉଛି । ଏହାର ଆରମ୍ଭ କୋଲକାତା, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ବାରାଣସୀରୁ ହୋଇଛି ।

କୋଲକାତା ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସମାରୋହ ଆୟୋଜନ

ପ୍ରଧାନମନ୍ତ୍ରୀ 11 ଓ 12 ଜାନୁଆରୀରେ କୋଲକାତା ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ବର୍ତ୍ତମାନ ଏବଂ ଅବସର ପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଣ୍ଠିରେ ଅର୍ଥରାଶିର ଅଭାବ ପୂରଣ କରିବା ଲାଗି 501 କୋଟି ଟଙ୍କାର ଅର୍ଥରାଶିର ଚେକ ପ୍ରଦାନ କରିବେ ।

ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୋଲକାତା ପୋର୍ଟ ଟ୍ରଷ୍ଟର 105 ଏବଂ 100 ବର୍ଷ ବୟସର ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ନଗୀନା ଭଗତ ଏବଂ ଶ୍ରୀ ନରେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରିବେ ।

ସେ ଏହି ଅବସରରେ ପୋର୍ଟ ଟ୍ରଷ୍ଟ ସହ ଜଡ଼ିତ ଏକ ସ୍ୱତନ୍ତ୍ର ସଂଗୀତ ମଧ୍ୟ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ପୁରୁଣା ଜେଟି ସ୍ଥାନରେ ଏକ ପଟିକା ଅନାବରଣ କରିବେ । ଶ୍ରୀ ମୋଦୀ ନେତାଜୀ ସୁଭାଷ ଡ୍ରାଇ ଡକରେ ଜାହାଜ ନିର୍ମାଣ ଏବଂ ମରାମତି କେନ୍ଦ୍ର ମଧ୍ୟ ଉଦଘାଟନ କରିବେ ଯାହାକୁ ନିକଟରେ ନୂତନ ରୂପ ଦିଆଯାଇଛି ।

ସାମଗ୍ରୀର ସହଜ ପରିବହନ ଲାଗି ପୋର୍ଟରେ ଫୁଲ ରେଙ୍କ ହ୍ୟାଣ୍ଡଲିଂ ସୁବିଧାକୁ ଶ୍ରୀ ମୋଦୀ ଉଦଘାଟନ କରିବା ସହିତ ଉନ୍ନତ ରୂପରେ ନିର୍ମାଣ କରାଯାଇଥିବା ରେଳ ଭିତ୍ତିଭୂମିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ ହଳଦିଆ ଡକ ପରିସରରେ ବର୍ଥ ନଂ 3ରେ ମେସିନ ପରିଚାଳିତ ସୁବିଧା ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ ।

ଶ୍ରୀ ମୋଦୀ ସୁନ୍ଦରବନର 200 ଆଦିବାସୀ ଛାତ୍ରୀଙ୍କ ଲାଗି ଏକ ଦକ୍ଷତା ବିକାଶ କେନ୍ଦ୍ର ଏବଂ ପ୍ରୀତିଲତା ଛାତ୍ରୀ ନିବାସର ଉଦଘାଟନ କରିବେ । ପୋର୍ଟ ଟ୍ରଷ୍ଟ ପକ୍ଷରୁ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ମାନ୍ୟତା ପ୍ରାପ୍ତ ସଂସ୍ଥା ସୁନ୍ଦରବନ ଗୋସାବାର ପୂର୍ବାଞ୍ଚଳ କଲ୍ୟାଣ ଆଶ୍ରମ ସହ ମିଶି ଏହି ପ୍ରକଳ୍ପ ବିକଶିତ କରାଯାଇଛି ।

 

**********