Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପେଟ୍ରାପୋଲ ସମନ୍ୱିତ ସୀମାନ୍ତ ତନଖି ଫାଟକର ମିଳିତ ଲୋକାର୍ପଣ

ପେଟ୍ରାପୋଲ ସମନ୍ୱିତ ସୀମାନ୍ତ ତନଖି ଫାଟକର ମିଳିତ ଲୋକାର୍ପଣ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ୍ ହସିନା ଆଜି ମିଳିତ ଭାବେ ଭିଡିଓ କନଫେରେନ୍ସିଂ ଜରିଆରେ ପେଟ୍ରାପୋଲ ସମନ୍ୱିତ ସୀମାନ୍ତ ତନଖି ଫାଟକର ଉଦ୍ଘାଟନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମଧ୍ୟ କୋଲକାତାରୁ ଭିଡିଓ କନଫେରେନ୍ସିଂ ଯୋଗେ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭାରତ-ବାଂଲାଦେଶ ସୀମାନ୍ତରେ ରହିଛି ପେଟ୍ରାପୋଲ – ବେଣାପୋଲ ଆନ୍ତର୍ଜାତିକ ସମନ୍ୱିତ ତନଖି ଫାଟକ । ଏହି ସଡ଼କ ଦେଇ ଦୁଇ ଦେଶ ମଧ୍ୟରେ ବିପୁଳ ବ୍ୟବସାୟିକ କାରବାର ହୋଇଥାଏ । ପ୍ରତି ବର୍ଷ 15 ଲକ୍ଷ ଲୋକ ଏବଂ 1 ଲକ୍ଷ 50 ହଜାର ମାଲବାହୀ ଗାଡି ଏହି ରାସ୍ତା ଦେଇ ଚଳାଚଳ କରିଥାନ୍ତି । ଦୁଇ ଦେଶ ମଧ୍ୟରେ ପେଟ୍ରାପୋଲ ସୀମାନ୍ତ ଫାଟକ ଦେଇ 15 ହଜାର କୋଟି ଟଙ୍କାର ବେପାର ବଣିଜ ହୋଇଥାଏ । ଭାରତରେ ଥିବା ସମସ୍ତ ତନଖି ଫାଟକ ଏବଂ ବର୍ହିଶୁଳ୍କ ପଏଂଟ ମାଧ୍ୟମରେ ଯେତେ କାରବାର ହୁଏ ତାଠାରୁ ବେଶି ବ୍ୟବସାୟ କାରବାର ପେଟ୍ରାପୋଲ ଫାଟକ ଦେଇ ହୋଇଥାଏ ।

ପେଟ୍ରାପୋଲଠାରେ ସମନ୍ୱିତ ସୀମାନ୍ତ ଫାଟକ ପ୍ରତିଷ୍ଠା ଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ କାରବାର ଅଧିକ ସୁବ୍ୟବସ୍ଥିତ ହୋଇପାରିବ । ଏହା ମାଧ୍ୟମରେ ବର୍ହିଶୁଳ୍କ, ଦେଶାନ୍ତର ଗମନ, ବେଆଇନ ପ୍ରବେଶର ଅବରୋଧ ଏବଂ ନିରାପତ୍ତା ସଂକ୍ରାନ୍ତ ପରିଚାଳନା ଭଲ ଭାବେ କରାଯାଇପାରିବ ଯାହାକି ଦୁଇ ଦେଶ ମଧ୍ୟରେ ସୀମାପାର ପରିବହନ, ମାଲ ଦେଣନେଣ ଏବଂ ଆଇନସମ୍ମତ ଭାବେ ଜନ ସାଧାରଣଙ୍କ ଯାତାୟତକୁ ସୁଗମ କରିବ ।

ଭାରତ-ବାଂଲାଦେଶ ସୀମାନ୍ତରେ ପେଟ୍ରାପୋଲ ସମନ୍ୱିତ ତନଖି ଫାଟକ ହେଉଛି ଦ୍ୱିତୀୟ । ପୂର୍ବରୁ ଅଗରତାଲା(ଭାରତ) – ଆଖୌରା(ବାଂଲାଦେଶ) ସୀମାନ୍ତରେ ପ୍ରଥମ ସମନ୍ୱିତ ତନଖି ଫାଟକ ପ୍ରତିଷ୍ଠା କରାଯାଇଥିଲା । ଦକ୍ଷିଣ ଏସିଆରେ ଏହା ହେଉଛି ସର୍ବବୃହତ ସୀମାନ୍ତ ବ୍ୟବସାୟ ତନଖି ଫାଟକ (ଭୂବନ୍ଦର) ।

ପେଟ୍ରାପୋଲଠାରେ ଏବେ ଆଧୁନିକ ତଥା ସମନ୍ୱିତ ସୀମାନ୍ତ ତନଖି ଫାଟକ କାର୍ଯ୍ୟକ୍ଷମ ହେବା ଦ୍ୱାରା ବେପାର ବଣିଜର ଆକାର ଦ୍ୱିଗୁଣିତ ହେବ । ମାଲପରିବହନ ସମୟ ଓ ଖର୍ଚ୍ଚ ହ୍ରାସ ଯୋଗୁ ଆଖପାଖ ଅଞ୍ଚଳର ବ୍ୟବସାୟୀ ସମୁଦାୟ ବିଶେଷ ଭାବେ ଲାଭବାନ ହେବେ । ଏଭଳି ଅତ୍ୟାଧୁନିକ ସୀମାନ୍ତ ତନଖି ଫାଟକ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ତଥା ବ୍ୟବସାୟ ବାଣିଜ୍ୟକୁ ବଢ଼ାଇବ ସହ ଦ୍ୱିପାକ୍ଷିକ ଆର୍ଥିକ ସମନ୍ୱୟକୁ ଶକ୍ତିଶାଳୀ କରିବ ।