Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅମଲାତନ୍ତ୍ରରେ କନିଷ୍ଠ-ବରିଷ୍ଠ ମାନସିକତା ଓ ପୃଥକ ଭାବନାରୁ ଊଦ୍ଧ୍ୱର୍କୁ ଯାଇ ମିଳିତ ଭାବେ କାମ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


 

କେୱଡ଼ିଆରେ ଆୟୋଜିତ ଆରମ୍ଭ ସମ୍ମିଳନୀରେ 94ତମ ପ୍ରଶାସନିକ ସେବା ପ୍ରାରମ୍ଭିକ ପାଠ୍ୟକ୍ରମର ଶିକ୍ଷାନବୀସଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ଗୁଜରାଟର କେୱଡ଼ିଆଠାରେ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ମସୁରୀ ଓ କାର୍ମିକ ଓ ତାଲିମ ବିଭାଗ ଦ୍ୱାରା ମିଳିତ ଭାବେ ଆୟୋଜିତ 94ତମ ପ୍ରଶାସନିକ ସେବା ପ୍ରାରମ୍ଭିକ ପାଠ୍ୟକ୍ରମର 430 ଜଣ ଶିକ୍ଷାନବୀସଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ବିନିମୟ କରିଛନ୍ତି ।

ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ଅଭିନବ ତଥା ବିସ୍ତୃତ ପ୍ରାରମ୍ଭିକ ପାଠ୍ୟକ୍ରମ-ଆରମ୍ଭ ସମ୍ପର୍କରେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଏକ ସକ୍ରିୟ ମତବିନିମୟ ଅଧିବେଶନରେ ପ୍ରଶାସନିକ ଶିକ୍ଷାନବୀସମାନେ 5ଟି ବିଷୟବସ୍ତୁ ଯଥା କୃଷି ଓ ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟସେବା ସଂସ୍କାର ଏବଂ ନୀତି ନିର୍ଦ୍ଧାରଣ, ସ୍ଥାୟୀ ଗ୍ରାମୀଣ ପରିଚାଳନା ଜ୍ଞାନକୌଶଳ, ସମାବେଶୀ ସହରୀକରଣ ଏବଂ ଭବିଷ୍ୟତ ଶିକ୍ଷା ଉପରେ ଉପସ୍ଥାପନା ପ୍ରଦାନ କରିଥିଲେ ।

ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ମିଃ. ଡାଭିଡ ମାଲପାସ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଇନଷ୍ଟିଚ୍ୟୁଟ ଅଫ ଫ୍ୟୁଚର ଏବଂ ୟୁନିଭର୍ସିଟି ଅଫ ଡାଇଭର୍ସିଟିର ଗବେଷକ ଓ ବିଶ୍ଳେଷକଙ୍କ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ଉପରେ ଆୟୋଜିତ ଏକାଧିକ ଅଧିବେଶନର ପ୍ରମୁଖ ପ୍ରସଙ୍ଗ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା ।

ଏହାପରେ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ 31 ଅକ୍ଟୋବର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ପ୍ରଶଂସନୀୟ କାରଣ, ତାଙ୍କୁ ଭାରତୀୟ ପ୍ରଶାସନିକ ସେବାର ପ୍ରତିଷ୍ଠାତା ଭାବେ ବିବେଚନା କରାଯାଇଥାଏ ।

ସେ କହିଥିଲେ, “ଭାରତୀୟ ପ୍ରଶାସନିକ ସେବା ସର୍ଦ୍ଦାର ପଟେଲଙ୍କ ନିକଟରେ ଋଣୀ । ଏଠାରେ, କେୱଡ଼ିଆର ଷ୍ଟାଚ୍ୟୁ ଅଫ ୟୁନିଟିରେ ଆମ ସମସ୍ତଙ୍କୁ ଆମ ଦେଶ ପାଇଁ କିଛି କରିବାର ପ୍ରେରଣା ଏବଂ ଶକ୍ତି ମିଳୁ । ଆସନ୍ତୁ ଆମେ ସମସ୍ତେ ଭାରତକୁ 5 ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗରେ ଦୃଢ଼ ଭାବେ କାର୍ଯ୍ୟ କରିବା ।

ପ୍ରଧାନମନ୍ତ୍ରୀ ଆରମ୍ଭ’-ପ୍ରାରମ୍ଭିକ ପାଠ୍ୟକ୍ରମକୁ ଭବିଷ୍ୟତ ଉପରେ କେନ୍ଦ୍ରିତ ଏପରି ଏକ ପାଠ୍ୟକ୍ରମ ଭାବେ ଅଭିହିତ କରିଥିଲେ, ଯେଉଁଥିରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଅପାର କ୍ଷମତା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପାଠ୍ୟକ୍ରମ ଆରମ୍ଭରାଷ୍ଟ୍ର-କୈନ୍ଦ୍ରିକ ଏବଂ ଭବିଷ୍ୟତ କୈନ୍ଦ୍ରିକ । ଏହା ପ୍ରଶାସନରେ ଏପରି ବ୍ୟାପକ ପରିବର୍ତ୍ତନ ଆଣିବାର ମାର୍ଗକୁ ପ୍ରଶସ୍ତ କରିବ ଯାହାଫଳରେ ଲୋକମାନେ ପୃଥକ ଭାବେ ରହି କାମ କରିବା ବନ୍ଦ କରିଦେବେ । ଅନ୍ୟପଟେ ଲୋକମାନେ ମିଳିତ ଭାବେ ଏବଂ ବ୍ୟାପକ ଢଙ୍ଗରେ କାମ କରିବେ ।

ପ୍ରଧାନମନ୍ତ୍ରୀ ଶିକ୍ଷାନବୀସମାନଙ୍କୁ ଆହ୍ୱାନ କରି କହିଥିଲେ ଯେ ସେମାନେ ନିଜର ଦୃଷ୍ଟିକୋଣ ବଦଳାଇବା ଆବଶ୍ୟକ । ବେଳେ ବେଳେ ଶବ୍ଦାବଳୀରେ ପରିବର୍ତ୍ତନ ମଧ୍ୟ ଦୃଷ୍ଟିକୋଣକୁ ବଦଳାଇବାରେ ସହାୟକ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତୁ ଆମେ ସମସ୍ତେ ନିଜ ଦୃଷ୍ଟିକୋଣକୁ ବଦଳାଇବା । ଏପରିକି ବେଳେ ବେଳେ ବଦଳିଥିବା ଶବ୍ଦାବଳୀରୁ ମଧ୍ୟ ସହାୟତା ମିଳିଥାଏ । ଏଥିପୂର୍ବରୁ, ଲୋକମାନେ ପଛୁଆ ଜିଲ୍ଲାକହୁଥିଲେ । ଏବେ ଆମେ କହୁଛୁ-ଆକାଂକ୍ଷୀ ଜିଲ୍ଲା । କୌଣସି ପୋଷ୍ଟିଂକୁ ଦଣ୍ଡ ଆକାରରେ ଗ୍ରହଣ କରାଯିବା ଅନୁଚିତ । ଏହାକୁ କାହିଁକି ଆମେ ସୁଯୋଗ ପାଇବାର ପୋଷ୍ଟିଂ ଭାବେ ଦେଖିବା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କ ପ୍ରତିବଦ୍ଧତା ଏବଂ ସେମାନଙ୍କ ନୂତନ ବିଚାରର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ଯେ ସର୍ବୋତମ ବୈଶ୍ୱିକ ପ୍ରଚଳନ ଏବଂ ପ୍ରଯୁକ୍ତି ଉପରେ ଆୟୋଜିତ ଏହି ଅଭିନବ ପ୍ରଶିକ୍ଷଣ ପାଠ୍ୟକ୍ରମରୁ ମିଳିଥିବା ସଠିକ ସୂଚନା ନୀତି ନିର୍ମାଣ ଏବଂ ଲୋକ ପ୍ରଶାସନରେ ଭବିଷ୍ୟତର କ୍ୟାରିଅର ପାଇଁ ଲାଭଦାୟକ ହେବ ।

ସେ କହିଥିଲେ ଯେ କନିଷ୍ଠ-ବରିଷ୍ଠ ମାନସିକତା ଓ ପୃଥକ ଭାବନା ଦୂର କରି ଦାୟିତ୍ୱ ନିର୍ବାହ କରିବା ଲାଗି ସେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୃଥକ ଭାବନା ଓ ପଦବୀରେ କନିଷ୍ଠ-ବରିଷ୍ଠ ମାନସିକତା ଦ୍ୱାରା ଆମ ପ୍ରଶାସନିକ ପ୍ରଣାଳୀକୁ କୌଣସି ଲାଭ ମିଳିବ ନାହିଁ । ଆମେ ଯିଏ ହୋଇଥାଉ ପଛେ, ଯେଉଁଠି ଥାଉ ପଛେ, ଆମକୁ ଦେଶ ପାଇଁ ମିଳିମିଶି କାମ କରିବାକୁ ହେବ ।

 

**********