Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ, 25.06.2017


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଋତୁ ବଦଳୁଛି  । ଏଥର ଗରମ ବି ଖୁବ୍ ପଡ଼ିଲା  । କିନ୍ତୁ ଭଲ କଥା ଯେ, ବର୍ଷାଋତୁ ଠିକ୍ ସମୟରେ ନିଜ ପାଦ ଚିହ୍ନ ପକାଇ ଆଗେଇ ଚାଲିଛି  । ଦେଶର ଅନେକ ଅଂଚଳରେ ଭଲ ବର୍ଷା ହୋଇଥିବା ଯୋଗୁଁ ପାଗ ବେଶ୍ ଭଲ ରହିଛି  । ଗତି କିଛି ଦିନ ଧରି ବର୍ଷା ପରେ ବହୁଥିବା ଥଣ୍ଡା ପବନ ଯୋଗୁ ଆରାମ ଲାଗୁଛି  । ଆମେ ସମସ୍ତେ ଜାଣିଛୁ ଯେ, ଜୀବନରେ ଯେତେ କର୍ମ ଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତାହା ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନରେ ହେଉ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ  ।

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶର ଅନେକ ଅଂଚଳରେ ଖୁବ୍ ଭକ୍ତି ଏବଂ ଉତ୍ସାହର ସହିତ ଦେଶବାସୀ ପାଳନ କରନ୍ତି  । ଏବେ ତ ବିଶ୍ୱର ଅନେକ ଅଂଚଳରେ ମଧ୍ୟ ଭଗବାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ପାଳନ କରାଯାଉଛି  । ଭଗବାନ ଶ୍ରୀଜଗନ୍ନାଥଙ୍କ ସହିତ ଦେଶର ଗରିବ ଯୋଡ଼ି ହୋଇ ରହିଛନ୍ତି  । ଯେଉଁମାନେ ଡା. ବାବା ସାହେବ ଆମ୍ବେଦକରଙ୍କ ଜୀବନ ସଂପର୍କରେ ଅଧ୍ୟୟନ କରିଥିବେ, ସେମାନେ ଲକ୍ଷ୍ୟ କରିଥିବେ ଯେ ସେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଏବଂ ଏହାର ପରମ୍ପରାଗୁଡ଼ିକୁ ଖୁବ୍ ପ୍ରଶଂସା କରୁଥିଲେ, କାରଣ ସେଠାରେ ସାମାଜିକ ନ୍ୟାୟ, ସାମାଜିକ ସମାନତା ଅନ୍ତର୍ନିହିତ  । ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କ ଠାକୁର  । ଖୁବ୍ କମ ଲୋକ ଜାଣିଥିବେ ଯେ, ଇଂରାଜୀରେ ଗୋଟିଏ ଶବ୍ଦ ରହିଛି, Juggernaut ଯାହାର ଅର୍ଥ ହେଉଛି ଏଭଳି ବିଶାଳ ରଥ ଯାହାକୁ କେହି ଅଟକାଇ ପାରିବେ ନାହିଁ  । ଶବ୍ଦକୋଷ ଦେଖିଲେ ଏହି Juggernaut ଶବ୍ଦର ଉତ୍ପତ୍ତି ଜଗନ୍ନାଥଙ୍କ ରଥରୁ ହିଁ ହୋଇଛି  । ଏଥିରୁ ଆମେ ବୁଝିପାରିବା ଯେ ସାରା ବିଶ୍ୱ ନିଜ ନିଜ ଢଙ୍ଗରେ ଜଗନ୍ନାଥଙ୍କ ଏହି ଯାତ୍ରାର ମାହାତ୍ମ୍ୟକୁ ସ୍ୱୀକାର କରିଛି  । ଭଗବାନ ଜଗନ୍ନାଥଙ୍କ ଏହି ଯାତ୍ରା ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରଣାମ ମଧ୍ୟ କରୁଛି  ।

ଭାରତର ବିବିଧତା ଏହାର ବିଶେଷତ୍ୱ  । ଭାରତର ବିବିଧତା, ଏହା ମଧ୍ୟ ଭାରତର ଶକ୍ତି  । ରମଜାନର ପବିତ୍ର ମାସ ସମସ୍ତେ ପ୍ରାର୍ଥନା ଏବଂ ପବିତ୍ର ଭାବନା ସହ ପାଳନ କରିଛନ୍ତି  । ଆଉ ଏବେ ଇଦ ପର୍ବ  । ଇଦ-ଉଲ୍-ଫିତର ଅବସରରେ ମୋ ତରଫରୁ ସମସ୍ତଙ୍କୁ ଇଦ୍ ର ଅନେକ ଅନେକ ଶୁଭେଚ୍ଛା  । ରମଜାନ ମାସ ଦାନ ଇତ୍ୟାଦି କରିବାର ମାସ, ଖୁସି ବାଣ୍ଟିବାର ମାସ, ଆଉ ଖୁସି ଯେତେ ବାଣ୍ଟିଲେ ସେତେ ବଢ଼େ  । ଆସନ୍ତୁ, ଆମେ ସମସ୍ତେ ମିଶି ଏହି ପବିତ୍ର ଉତ୍ସବରୁ ପ୍ରେରଣା ଲାଭକରି ଖୁସିର ଭଣ୍ଡାରକୁ ବାଣ୍ଟି ଚାଲିବା, ଦେଶକୁ ଆଗକୁ ବଢ଼ାଇ ଚାଲିବା ।

ରମଜାନର ଏହି ପବିତ୍ର ମାସରେ ଉତ୍ତରପ୍ରଦେଶର ବିଜନୌରର ମୁବାରକପୁର ଗାଁର ଗୋଟିଏ ଖୁବ୍ ପ୍ରେରଣାଦାୟକ ଘଟଣା ମୋ ଦୃଷ୍ଟିକୁ ଆସିଛି  । ସେହି ଛୋଟ ଗାଁରେ ଆମ ମୁସଲମାନ ଭାଇ-ଭଉଣୀଙ୍କର ପ୍ରାୟ ସାଢ଼େ ତିନିହଜାର ପରିବାର ବସବାସ କରନ୍ତି  । କହିବାକୁ ଗଲେ ଅଧିକ ଜନସଂଖ୍ୟା ଆମର ମୁସଲମାନ ଭାଇ ଭଉଣୀଙ୍କର  । ଏହି ରମଜାନରେ ଗ୍ରାମବାସୀ ମିଶି ଶୌଚାଳୟ ତିଆରି କରିବାର ନିଷ୍ପତ୍ତି ନେଲେ  । ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ ପାଇଁ ତ ସରକାରଙ୍କ ତରଫରୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି, ତେଣୁ ସେମାନଙ୍କୁ ପ୍ରାୟ 17 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଗଲା  । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଏବଂ ଖୁସି ମଧ୍ୟ ଲାଗିବ – ରମଜାନ୍ ର ଏହି ପବିତ୍ର ମାସରେ ସେଠାକାର ଆମର ସମସ୍ତ ମୁସଲମାନ ଭାଇ-ଭଉଣୀ ସେହି 17 ଲକ୍ଷ ଟଙ୍କା ସରକାରଙ୍କୁ ଫେରାଇ ଦେଲେ ଏବଂ କହିଲେ ଯେ ଆମେ ଆମ ଶୌଚାଳୟ ଆମ ପରିଶ୍ରମରେ, ଆମ ଟଙ୍କାରେ ତିଆରି କରିବୁ  । ଏହି 17 ଲକ୍ଷ ଟଙ୍କା ଆପଣ ଗାଁର ଅନ୍ୟାନ୍ୟ ସୁବିଧା ପାଇଁ ଖର୍ଚ୍ଚ କରନ୍ତୁ  । ରମଜାନର ଏହି ପବିତ୍ର ଅବସରକୁ ସମାଜ ମଙ୍ଗଳର ସୁଜୋଗ ଭାବେ ପରିଣତ କରିଦେଇଥିବାରୁ ମୁଁ ମୁବାରକପୁରର ସମସ୍ତ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଉଛି  । ସେମାନଙ୍କ ପ୍ରତ୍ୟେକ କଥା ଖୁବ୍ ପ୍ରେରଣାଦାୟକ  । ସବୁଠାରୁ ବଡ଼ କଥା ହେଲା ଯେ ସେମାନେ ମୁବାରକପୁରକୁ ଖୋଲା ଶୌଚମୁକ୍ତ କରିଦେଲେ । ଆମେ ଜାଣିଛୁ ଯେ, ଆମ ଦେଶର ତିନୋଟି ରାଜ୍ୟ ସିକ୍କିମ୍, ହିମାଚଳ ପ୍ରଦେଶ ଏବଂ କେରଳ ଆଗରୁ ଖୋଲା ଶୌଚମୁକ୍ତ ଘୋଷିତ ହୋଇସାରିଛନ୍ତି । ଚଳିତ ସପ୍ତାହରେ ଉତ୍ତରାଖଣ୍ଡ ଏବଂ ହରିୟାଣା ମଧ୍ୟ ODF ଘୋଷିତ ହେଲେ  । ଏହି କାର୍ଯ୍ୟ ପରିପୂର୍ଣ୍ଣ କରିଥିବାରୁ ମୁଁ ଏହି ପାଂଚଟି ରାଜ୍ୟର ପ୍ରଶାସନ, ଶାସନ ଏବଂ ଜନତା-ଜନାର୍ଦ୍ଦନଙ୍କ ପ୍ରତି ବିଶେଷ ଭାବରେ କୃତଜ୍ଞତା ପ୍ରକାଶ କରୁଛି  ।

ଆମେ ଭଲ ଭାବେ ଜାଣୁ ଯେ, ବ୍ୟକ୍ତିର ଜୀବନରେ, ସମାଜର ଜୀବନରେ କିଛି ଭଲ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ  । ଯଦି ଆମ ହାତଲେଖା ଖରାପ, ତା’ହେଲେ ତାକୁ ସୁଧାରିବା ପାଇଁ ଦୀର୍ଘ ଦିନ ଧରି ଖୁବ୍ ସତର୍କତାର ସହିତ ଚେଷ୍ଟା କରିବାକୁ ପଡ଼େ  । ପରିଶ୍ରମ ଦ୍ୱାରା ହିଁ ଶରୀର ଏବଂ ମନର ଅଭ୍ୟାସରେ ପରିବର୍ତ୍ତନ ହୁଏ  । ସ୍ୱଚ୍ଛତାର ବିଷୟ ମଧ୍ୟ ଏହିଭଳି  । ଏଭଳି ବଦଭ୍ୟାସ ଆମର ସ୍ୱଭାବର ଅଂଶ ପାଲଟିଯାଇଛି  । ଆମର ଅଭ୍ୟାସରେ ପରିଣତ ହୋଇଯାଇଛି  । ଏଥିରୁ ମୁକ୍ତ ହେବାପାଇଁ ଆମକୁ ଅନବରତ ଭାବେ ଚେଷ୍ଟା କରିବାକୁ ପଡ଼ିବ  । ପ୍ରତ୍ୟେକଙ୍କ ଧ୍ୟାନ ଆକର୍ଷିତ କରିବାକୁ ପଡ଼ିବ  । ଭଲ ପ୍ରେରଣାଦାୟୀ ଘଟଣାଗୁଡ଼ିକୁ ବାରମ୍ବାର ମନେ ପକାଇବାକୁ ପଡ଼ିବ  । ମୋତେ ଖୁସି ଲାଗୁଛି ଯେ ସ୍ୱଚ୍ଛତା ଆଜି କେବଳ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ  । ଏହା ସମାଜର, ଜନସାଧାରଣଙ୍କର ଗୋଟିଏ ଆନ୍ଦୋଳନ ହୋଇଚାଲିଛି  । ପ୍ରଶାସନରେ ବସିଥିବା ଲୋକେ ଯେତେବେଳେ ଜନ ସହଯୋଗ ଦ୍ୱାରା ଏହି କାର୍ଯ୍ୟକୁ ଆଗେଇ ନେଉଛନ୍ତି, ସେତେବେଳେ ଏହାର ଶକ୍ତି କେତେ କ’ଣ ବୃଦ୍ଧି ପାଉଛି  ।

ବିଗତ ଦିନରେ ଗୋଟିଏ ଖୁବ୍ ଉତ୍ତମ ଘଟଣା ମୋ ଦୃଷ୍ଟିକୁ ଆସିଲା, ଯାହା ମୁଁ ଆପଣମାନଙ୍କ ଆଗରେ ନିଶ୍ଚୟ କହିବାକୁ ଚାହିଁବି  । ଏହା ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଘଟଣା  । ସେଠାକାର ପ୍ରଶାସନ ଜନ ସହଯୋଗରେ ଗୋଟିଏ ଖୁବ୍ ବଡ଼ କାମ ହାତକୁ ନେଲେ  । ମାର୍ଚ୍ଚ 10 ତାରିଖ ସକାଳ 6ଟାରୁ ମାର୍ଚ୍ଚ 14 ତାରିଖ ସକାଳ 10ଟା ପର୍ଯ୍ୟନ୍ତ 100 ଘଣ୍ଟାର ନିରବଚ୍ଛିନ୍ନ ଅଭିଯାନ  । ହେଲେ ଲକ୍ଷ୍ୟ କ’ଣ ଥିଲା ? ଶହେ ଘଣ୍ଟାରେ 71ଟି ଗ୍ରାମ ପଞ୍ଚାୟତରେ ଦଶ ହଜାର ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ  । ମୋର ପ୍ରିୟ ଦେଶବାସୀଗଣ ! ଆପଣମାନେ ଜାଣି ଖୁସି ହୋଇଯିବେ ଯେ, ଜନତା-ଜନାର୍ଦ୍ଦନ ଏବଂ ପ୍ରଶାସନ ମିଶି ଶହେ ଘଣ୍ଟାରେ 10,000ଶୌଚାଳୟ ନିର୍ମାଣ କାମ ସଫଳତାର ସହ ଶେଷ କରିଦେଲେ  । 71 ଟି ଗାଁ ODF (Open Defecation Free) ହୋଇଗଲା  । ମୁଁ ଶାସନରେ ଥିବା ଲୋକଙ୍କୁ, ସରକାରୀ ଅଧିକାରୀମାନଙ୍କୁ ଏବଂ ବିଜୟନଗରମ୍ ଜିଲ୍ଲାର ସେହି ଗ୍ରାମଗୁଡ଼ିକର ନାଗରିକମାନଙ୍କୁ ନିଜ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କରି ଗୋଟିଏ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଥିବାରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି  ।

ଆଜିକାଲି “ମନ୍ କି ବାତ୍” ପାଇଁ ଜନତା ଜନାର୍ଦ୍ଦନଙ୍କ ତରଫରୁ ନିରନ୍ତର ଭାବେ ମୋ ପାଖକୁ ପ୍ରସ୍ତାବମାନ ଆସୁଛି  । NarendraModiApp ରେ ଆସୁଛି  । MyGov.in ରେ ଆସୁଛି  । ଚିଠିରେ ଆସୁଛି  । ଆକାଶବାଣୀ ମାଧ୍ୟମରେ ଆସୁଛି  ।

ଶ୍ରୀଯୁକ୍ତ ପ୍ରକାଶ ତ୍ରିପାଠୀ Emergency ବା ଜରୁରୀକାଳିନ ପରିସ୍ଥିତିକୁ ମନେ ପକାଇ ଲେଖିଛନ୍ତି ଯେ, ଜୁନ୍ 25 ତାରିଖ ଗଣତନ୍ତ୍ରର ଇତିହାସରେ ଗୋଟିଏ କଳା ଦିନ  । ଶ୍ରୀମାନ ପ୍ରକାଶ ତ୍ରିପାଠୀଙ୍କ ଗଣତନ୍ତ୍ର ପ୍ରତି ଏହି ସଚେତନତା ପ୍ରଶଂସନୀୟ  । ଗଣତନ୍ତ୍ର କେବଳ ଗୋଟିଏ ବ୍ୟବସ୍ଥା ନୁହେଁ, ଏହା ଗୋଟିଏ ସଂସ୍କାର  । “Internal Vigilance is Price of Liberty”  । ଗଣତନ୍ତ୍ର ପ୍ରତି ନିତ୍ୟ ସଚେତନତା ଜରୁରୀ  । ତେଣୁ ଗଣତନ୍ତ୍ରକୁ ଆଘାତ କରୁଥିବା କଥାଗୁଡ଼ିକୁ ମଧ୍ୟ ମନେ ପକାଇ ଗଣତନ୍ତ୍ରର ଭଲ ଦିଗ ପ୍ରତି ଅଗ୍ରସର ହେବାକୁ ହୋଇଥାଏ  । 1975 ମସିହା ଜୁନ୍ 25 ତାରିଖ ଏଭଳି ଏକ କାଳରାତ୍ରୀ ଥିଲା, ଯାହାକୁ କୌଣସି ଗଣତନ୍ତ୍ରପ୍ରେମୀ ଭୁଲି ପାରିବେନି  । କୌଣସି ଭାରତବାସୀ ଭୁଲି ପାରିବେନି  । ଦେଶକୁ ଏକ ପ୍ରକାର ପାଇଖାନାରେ ପରିବର୍ତ୍ତିତ କରିଦିଆଯାଇଥିଲା  । ବିରୋଧୀ ସ୍ୱରକୁ ଦମନ କରି ଦିଆଯାଇଥିଲା  । ଜୟପ୍ରକାଶ ନାରାୟଣଙ୍କ ସମେତ ଦେଶର ଗଣ୍ୟମାନ୍ୟ ନେତାମାନଙ୍କୁ ଜେଲ୍ ରେ ବନ୍ଦୀ କରି ଦିଆଯାଇଥିଲା  । ନ୍ୟାୟ ବ୍ୟବସ୍ଥା ମଧ୍ୟ ସେହି ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ରୂପର ଛାୟାରୁ ରକ୍ଷା ପାଇପାରି ନଥିଲା  । ସମ୍ବାଦପତ୍ର ଗୁଡ଼ିକ ତ ସମ୍ପୂର୍ଣ୍ଣ ରୂପେ ବେକାର କରି ଦିଆଯାଇଥିଲା  । ଆଜିର ଗଣମାଧ୍ୟମର ଛାତ୍ରଛାତ୍ରୀ, ଗଣତନ୍ତ୍ରରେ କାର୍ଯ୍ୟ କରୁଥିବା ଲୋକ, ସେହି କଳା ସମୟକୁ ବାରମ୍ବାର ମନେ ପକାଇ ଗଣତନ୍ତ୍ର ପ୍ରତି ସଚେତନତା ବୃଦ୍ଧି କରିବାକୁ ଅନବରତ ଭାବରେ ଚେଷ୍ଟା ଚଳାଇ ଆସିଛନ୍ତି ଏବଂ ଆଗକୁ କରିଚାଲିବା ଉଚିତ  ।

ସେତେବେଳେ ଅଟଳ ବିହାରୀ ବାଜପେୟୀ ଜୀ ମଧ୍ୟ ଜେଲ୍ ରେ ଥିଲେ  । ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ଏକ ବର୍ଷ ପୁର୍ତ୍ତି ବେଳେ ଅଟଳଜୀ ଗୋଟିଏ କବିତା ଲେଖିଥିଲେ ଏବଂ ନିଜର ସେହି କବିତାରେ ସେ ସମୟର ମନର ସ୍ଥିତିକୁ ବର୍ଣ୍ଣନା କରିଛନ୍ତି  ।

“ଦେହ ଜାଳିଦିଏ ଜ୍ୟେଷ୍ଠ ମାସ

ଶରତର ଜହ୍ନ ଦିଶେ ହତାଶ

ଦେହ ଜାଳିଦିଏ ଜ୍ୟେଷ୍ଠ ମାସ

ଶରତର ଜହ୍ନ ଦିଶେ ହତାଶ

କୋହଭରା ଶ୍ରାବଣର

ଅନ୍ତର୍ମନ ଭିଜିଗଲା

ଗୋଟିଏ ବରଷ ବିତିଗଲା

ଗୋଟିଏ ବରଷ ବିତିଗଲା ।

ସଂସାର ତେଣେ ବନ୍ଦୀ କାରାଗାରେ

ବିହଙ୍ଗ ପ୍ରାଣ ବିକଳେ ଝୁରେ

ସଂସାର ତେଣେ ବନ୍ଦୀ କାରାଗାରେ

ବିହଙ୍ଗ ପ୍ରାଣ ବିକଳେ ଝୁରେ

ଧରା ପୃଷ୍ଠରୁ ଗଗନକୁ

ମୁକ୍ତିଗୀତ ଗୁଞ୍ଜରିତ ହେଲା

ଗୋଟିଏ ବରଷ ବିତିଗଲା

ଗୋଟିଏ ବରଷ ବିତିଗଲା ।

ବାଟ ଚାହିଁ ରହିଥିବା ନୟନ

ଗଣୁଥା‘ନ୍ତି ବାକି ଦିନ-କ୍ଷଣ

ବାଟ ଚାହିଁ ରହିଥିବା ନୟନ

ଗଣୁଥା‘ନ୍ତି ବାକି ଦିନ-କ୍ଷଣ

ଚାହିଁ ରହିଥାନ୍ତି ଫେରିବା ବାଟକୁ

ମନର ମଣିଷ ଯିଏ ଗଲା

ଗୋଟିଏ ବରଷ ବିତିଗଲା

ଗୋଟିଏ ବରଷ ବିତିଗଲା ।”

ଗଣିତନ୍ତ୍ରପ୍ରେମୀମାନେ ବହୁତ ସଂଗ୍ରାମ କଲେ  । ଭାରତ ଭଳି ଦେଶ, ଏତେ ବିଶାଳ ଦେଶ, ଯେତେବେଳେ ବି ସୁଯୋଗ ମିଳିଲା, ସେତେବେଳେ ଭାରତର ଜନ ଜନଙ୍କ ଶିରା ପ୍ରଶିରାରେ ଗଣତନ୍ତ୍ର କିଭଳି ପରିବ୍ୟାପ୍ତ, ନିର୍ବାଚନ ମାଧ୍ୟମରେ ସେମାନେ ସେହି ଶକ୍ତିକୁ ପ୍ରଦର୍ଶନ କରିଛନ୍ତି  । ଜନ ଜନଙ୍କ ଶିରା ପ୍ରଶିରାରେ ପରିବ୍ୟାପ୍ତ ଗଣତନ୍ତ୍ରର ଏହି ଭାବନା ଆମର ପରମ୍ପରା  । ଏହି ପରମ୍ପରାକୁ ଆହୁରି ସଶକ୍ତ କରିବାକୁ ହେବ  ଆମକୁ ।

ମୋର ପ୍ରିୟ ଦେଶବାସୀଗଣ ! ପ୍ରତ୍ୟେକ ଭାରତୀୟ ଆଜି ବିଶ୍ୱରେ ମୁଣ୍ଡ ଟେକି ଗର୍ବ ଅନୁଭବ କରୁଛି  । 21 ଜୁନ୍ 2017 ସଂପୂର୍ଣ୍ଣ ବିଶ୍ୱ ଯୋଗମୟ ହୋଇଗଲା  । ପାଣିରୁ ପର୍ବତଯାଏ ଲୋକେ ସକାଳେ ସକାଳେ ସୂର୍ଯ୍ୟ କିରଣର ସ୍ୱାଗତ ଯୋଗ ମାଧ୍ୟମରେ କରିଥିଲେ  । କେଉଁ ଭାରତୀୟ ବା ଏଥିରେ ଗର୍ବିତ ନ ହେବ  । ଏକଥା ନୁହେଁ ଯେ, ଆଗରୁ ଯୋଗ ହେଉ ନଥିଲା, କିନ୍ତୁ ଆଜି ଯେତେବେଳେ ଯୋଗସୂତ୍ରରେ ବନ୍ଧା ହୋଇଯାଇଛୁ, ଯୋଗ ବିଶ୍ୱକୁ ଯୋଡ଼ିବାର କାରଣ ପାଲଟିଯାଇଛି  । ପ୍ରାୟତଃ ବିଶ୍ୱର ସମସ୍ତ ଦେଶ ଯୋଗର ଏହି ଅବସରକୁ ନିଜର ଅବସରରେ ପରିଣତ କରିଦେଲେ  । ଚୀନର The Great Wall ଉପରେ ଲୋକେ ଯୋଗାଭ୍ୟାସ କଲେ ତ ପେରୁରେ ବିଶ୍ଵ ଐତିହ୍ୟ ସ୍ଥଳୀ “ମାଚୁ ପିଚ୍ଚୁ”ରେ ସମୁଦ୍ର ପତନର 2400 ମିଟର ଉର୍ଦ୍ଧ୍ଵରେ ଲୋକେ ଯୋଗାଭ୍ୟାସ କଲେ  । ଫ୍ରାନ୍ସର ଆଇଫେଲ୍ ଟାୱାର ପାଦଦେଶରେ ଲୋକେ ଯୋଗାଭ୍ୟାସ କଲେ  । ସଂଯୁକ୍ତ ଆରବ ଅମିରତନ୍ତ୍ରର ଆବୁଧାବୀଠାରେ 4000 ରୁ ଅଧିକ ଲୋକ ମିଳିତ ଭାବରେ ଯୋଗାଭ୍ୟାସ କଲେ  । ଆଫଗାନିସ୍ଥାନର ହେରାତ୍ ଠାରେ ଭାରତ-ଆଫଗାନ ମୈତ୍ରୀ ଡେମ – ସଲମା ବନ୍ଧ ଉପରେ ଯୋଗାଭ୍ୟାସ କରି ଭାରତର ବନ୍ଧୁତ୍ୱକୁ ଗୋଟିଏ ନୂଆ ରୂପ ପ୍ରଦାନ କଲେ  । ସିଙ୍ଗାପୁର ଭଳି ଛୋଟ ସ୍ଥାନରେ 70ଟି ଜାଗାରେ କାର୍ଯ୍ୟକ୍ରମ ଆୟୋଜିତ ହେଲା ଏବଂ ସେମାନେ ଗୋଟିଏ ସପ୍ତାହବ୍ୟାପୀ ଅଭିଯାନ ଚଳାଇଛନ୍ତି  । ମିଳିତ ଜାତିସଂଘ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ 10ଟି ଡାକଟିକଟ ଜାରି କରିଛନ୍ତି  । ମିଳିତ ଜାତିସଂଘର ମୁଖ୍ୟାଳୟରେ Yoga Session with Yoga Masters ର ଆୟୋଜନ କରାଗଲା  । ମିଳିତ ଜାତିସଂଘର କର୍ମଚାରୀମାନେ, ବିଶ୍ୱର କୂଟନୀତିଜ୍ଞ ପ୍ରତ୍ୟେକେ ଏଥିରେ ସାମିଲ ହେଲେ  ।

ଏଥର ପୁଣିଥରେ ଯୋଗ ବିଶ୍ୱରେକର୍ଡ଼ ସୃଷ୍ଟି କରିବାରେ ସହାୟକ ହୋଇଛି  । ଗୁଜରାଟର ଅହମ୍ମଦାବାଦରେ ପ୍ରାୟ 55,000 ଲୋକ ଏକ ସଙ୍ଗେ ଯୋଗ କରି ବିଶ୍ୱରେକର୍ଡ଼ ସୃଷ୍ଟି କରିଛନ୍ତି  । ମୋତେ ମଧ୍ୟ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା  । କିନ୍ତୁ ପ୍ରଥମଥର ମୋତେ ବର୍ଷାରେ ଯୋଗ କରିବାର ସୌଭାଗ୍ୟ ମିଳିଲା  । ଆମର ସୈନିକମାନେ, ଯେଉଁଠି ତାପମାତ୍ରା ବିଯୁକ୍ତ (minus) 20, 25, 40, ଡିଗ୍ରୀ ସେଲସିଅସ ହୋଇଥାଏ, ସେହି ସିଆଚିନରେ ମଧ୍ୟ ଯୋଗାଭ୍ୟାସ କଲେ । ଆମର ସେନା ବାହିନୀ ହୁଅନ୍ତୁ, BSF ହୁଅନ୍ତୁ, ITBP ହୁଅନ୍ତୁ, CRPF ହୁଅନ୍ତୁ, CISF ହୁଅନ୍ତୁ, ପ୍ରତ୍ୟେକେ ନିଜର ଡ୍ୟୁଟି ସହ ଯୋଗକୁ ନିଜର ଏକ ଅଂଶ କରି ଦେଇଛନ୍ତି  । ଏହି ଯୋଗ ଦିବସ ଉପଲକ୍ଷେ ମୁଁ କହିଥିଲି ଯେ, ତିନି ପିଢ଼ି କାରଣ ଏହା ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଥିଲା  । ସେଥିପାଇଁ ମୁଁ କହିଥିଲି ଯେ ପରିବାରର ତିନି ପିଢ଼ି ଏକାଠି ଯୋଗ କରୁଥିବା ଫଟୋ Share କରନ୍ତୁ  । କିଛି ଟି.ଭି. ଚ୍ୟାନେଲ ମଧ୍ୟ ଏ କଥାକୁ ଆଗକୁ ବଢ଼ାଇଥିଲେ  । ଏଥିରେ ମୋତେ ଅନେକ ଫଟୋ ମିଳିଲା  । ସେଥିରୁ କିଛି ବଛା ବଛା ଫଟୋ NarendraModiApp ରେ ସଂକଳିତ କରି ରଖାଯାଇଛି  । ସମଗ୍ର ବିଶ୍ୱରେ ଯୋଗ ବିଷୟରେ ଯେମିତି ଆଲୋଚନା, ସେଥିରୁ କିଛି ଭଲ କଥା ଆଗକୁ ଆସୁଛି ଯେ, ଯୋଗ ଦ୍ୱାରା ଆଜିର ସ୍ୱାସ୍ଥ୍ୟ ସଚେତନଶୀଳ ସମାଜ, ଏବେ Fitness ରୁ Wellness ଦିଗକୁ ପାଦ ବଢ଼ାଉଛି, Fitness ର ଗୁରୁତ୍ୱ ତ ନିଶ୍ଚୟ ରହିଛି, କିନ୍ତୁ Wellness ପାଇଁ ଯୋଗ ଉତ୍ତମ ମାର୍ଗ  ।

(ଡଃ ଅନିଲ ସୋନାରାଙ୍କ ସ୍ଵର)

“Respected Prime Minister Sir, ଅହମ୍ମଦାବାଦ, ଗୁଜରାଟରୁ ମୁଁ ଡଃ ଅନୀଲ ସୋନାରା କହୁଛି । ସାର୍ ମୋର ଗୋଟିଏ ପ୍ରଶ୍ନ ଅଛି । ନିକଟରେ କେରଳରେ ଆପଣ କହିଥିଲେ ଯେ ବିଭିନ୍ନ ସ୍ଥାନରେ ଉପହାର ସ୍ୱରୂପ ଆମେ ଯେଉଁ ଫୁଲତୋଡ଼ା ଦେଉଛୁ, ତା ବଦଳରେ ଆମେ ଭଲ ବହିଟିଏ ଦେଲେ ଠିକ୍ ହୁଅନ୍ତା । ଆପଣ ଗୁଜୁରାଟରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ସାର୍, ଆଜିକାଲି ଆଉ ସେମିତି ଦେଖିବାକୁ ମିଳୁନି । ଆମେ କ‘ଣ ଏ ଦିଗରେ କିଛି କରିପାରିବାନି – ଯାହାଫଳରେ ସାରାଦେଶରେ ଏହାର ପ୍ରଚଳନ ହୋଇପାରନ୍ତା ?”

କିଛିଦିନ ତଳେ ମୋତେ ମୋର ଏକ ଅତି ପ୍ରିୟ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଲା  । କେରଳରେ ଗତ କିଛିବର୍ଷ ହେଲା ଗୋଟିଏ ଭଲ କାର୍ଯ୍ୟକ୍ରମ ଚାଲିଛି  । ସେଠାରେ ଏହି କାର୍ଯ୍ୟକ୍ରମ P.N. Panicker Foundation ପ୍ରତିଷ୍ଠାନ ଦ୍ୱାରା ଚାଲିଛି  । ଲୋକମାନଙ୍କ ମଧ୍ୟରେ ବହି ପଢ଼ିବାର ଅଭ୍ୟାସ ବଢ଼ାଇବା ତଥା ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ reading day, reading month celebration (ପଠନ ଦିବସ, ପଠନ ମାସ) ପାଳନ କରାଯାଉଛି  । ମୋତେ ତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯିବାକୁ ସୁଯୋଗ ମିଳିଥିଲା  । ଆଉ ମତେ ସେଠି କୁହାଗଲା ଯେ ଆମେ ଫୁଲତୋଡ଼ା ନୁହେଁ, ପୁସ୍ତକ ଦେଉଛୁ  । ମୋତେ ଭଲ ଲାଗିଲା  । ଏ ଯେଉଁ କଥା ମୋ ମନରୁ ଉଭେଇ ଯାଇଥିଲା, ଏବେ ମୋର ପୁଣି ମନେ ପଡ଼ିଗଲା  । କାରଣ ଯେତେବେଳେ ମୁଁ ଗୁଜରାଟରେ ଥିଲି, ସେତେବେଳେ ଆମେ ଗୋଟିଏ ପରମ୍ପରା ସୃଷ୍ଟି କରିଥିଲୁ ଯେ ଆମେ ଫୁଲତୋଡ଼ା ବଦଳରେ ବହିଟିଏ କିମ୍ବା ରୁମାଲଟିଏ ଦେଇ ସ୍ୱାଗତ କରିବା  । ସେ ମଧ୍ୟ ଖଦିର ରୁମାଲ ହୋଇଥିବ, ଯାହାଦ୍ୱାରା ଖଦି ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ  । ଯେ ପର୍ଯ୍ୟନ୍ତ ମୁଁ ଗୁଜରାଟରେ ଥିଲି ସେ ପର୍ଯ୍ୟନ୍ତ ଏହା ଆମମାନଙ୍କର ଅଭ୍ୟାସ ହୋଇଯାଇଥିଲା  । କିନ୍ତୁ ଏଠିକି ଆସିବା ପରେ ମୋର ସେ ଅଭ୍ୟାସ ଛାଡ଼ିଯାଇଥିଲା  । କିନ୍ତୁ କେରଳ ଗଲାପରେ ସେ ଅଭ୍ୟାସ ପୁଣିଥରେ ଜାଗ୍ରତ ହୋଇଗଲା  । ଆଉ ଏବେ ତ ମୁଁ ପୁଣି ସରକାରୀ ସ୍ତରରେ ସୂଚନା ଦେବା ଆରମ୍ଭ କରିଛି  । ଆମେ ବି ଧିରେ ଧିରେ ଅଭ୍ୟାସ କରିପାରିବା  । ଫୁଲତୋଡ଼ାର ଆୟୁଷ ବହୁତ କମ୍  । ଥରେ ହାତରେ ନେଲେ ଆଉ ପୁଣି ତାକୁ ସେଇଠି ପକେଇଦେଲେ  । କିନ୍ତୁ ଯଦି ବହିଟିଏ ଦିଆଯାଏ, ତେବେ ସେ ଘରର ବା ପରିବାରର ଅଙ୍ଗ ହୋଇ ରହିଯାଏ  । ଖଦିର ରୁମାଲଟିଏ ଦେଇ ଯଦି ସ୍ୱାଗତ କରାଯାଏ, ତେବେ ପ୍ରକାରାନ୍ତରେ କେତେ ଗରିବ ଲୋକ/ବୁଣାକାରଙ୍କୁ ମଧ୍ୟ ସାହାଯ୍ୟ ମିଳିବ  । ଖର୍ଚ୍ଚ ବି କମ୍ ହେବ ଆଉ ଜିନିଷର ପ୍ରକୃତ ଉପଯୋଗ ବି ହୋଇପାରିବ  । ମୁଁ ଯେତେବେଳେ ଏକଥା କହୁଛି ତ ଏହି ଜିନିଷର ଏକ ଐତିହାସିକ ମହତ୍ୱ ଆସିଯାଉଛି  । ମୁଁ ଗତବର୍ଷ ଯେତେବେଳେ ବ୍ରିଟେନ ଯାଇଥିଲି, ବ୍ରିଟେନର ରାଣୀ ଏଲିଜାବେଥ ମୋତେ ଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ  । ଗୋଟିଏ ମାତୃସୁଲଭ ବାତାବରଣ ଥିଲା  । ଅତି ଆଦରର ସହିତ ସେ ଭୋଜନ କରେଇଲେ  । ତା‘ପରେ ସେ ଅତ୍ୟନ୍ତ ଭାବପ୍ରବଣ ସ୍ୱରରେ ଏବଂ ଅତି ଆଦର ଭାବରେ ଖଦିରେ ବୁଣା ହୋଇଥିବା ଗୋଟିଏ ଛୋଟ ରୁମାଲ ମତେ ଦେଖେଇଲେ  । ତାଙ୍କ ଆଖିରେ ଚମକ ଥିଲା  । ରୁମାଲଟି ଦେଖାଇ ସେ ମୋତେ କହିଲେ ଯେ, “ଯେତେବେଳେ ତାଙ୍କର ବିଭାଘର ହୋଇଥିଲା, ମହାତ୍ମାଗାନ୍ଧୀ ବିବାହର ଶୁଭ କାମନା ସହ ତାଙ୍କୁ ଏହି ଖଦି ରୁମାଲଟି ଉପହାର ଦେଇଥିଲେ  । କେତେବର୍ଷ ହୋଇଗଲାଣି  । କିନ୍ତୁ ମହାରାଣୀ ଏଲିଜାବେଥ୍, ଗାନ୍ଧୀଙ୍କ ଠାରୁ ପାଇଥିବା ସେଇ ରୁମାଲଟିକୁ ସାଇତି ରଖିଛନ୍ତି  । ଆଉ ମୁଁ ଯେତେବେଳେ ଗଲି ବଡ଼ ଆନନ୍ଦର ସହିତ ମୋତେ ସେ ଦେଖାଇଲେ  । ମୁଁ ଯେତେବେଳେ ତାକୁ ଦେଖୁଥିଲି, ସେ ମତେ ରୁମାଲଟିକୁ ଛୁଇଁକରି ଦେଖିବାର ଆଗ୍ରହ ପ୍ରକାଶ କଲେ  । ମହାତ୍ମା ଗାନ୍ଧୀଙ୍କର ଏଇ ଛୋଟିଆ ଉପହାରଟି ତାଙ୍କ ଜୀବନର ଗୋଟିଏ ଅଙ୍ଗ ହୋଇଗଲା, ତାଙ୍କ ଜୀବନ ଇତିହାସରେ ସ୍ମୃତିର ଏକ ଖିଅ ହୋଇ ରହିଗଲା  । ମୁଁ ଜାଣେ ଯେ ପ୍ରଚଳିତ ଅଭ୍ୟାସ ରାତାରାତି ବଦଳି ପାରିବନି – ଆଉ ଯେତେବେଳେ ପରମ୍ପରାଟିଏ ବଦଳାଇବାର କଥା ହୁଏ, ସେତେବେଳେ ସମାଲୋଚନାର ଶିକାର ହେବାକୁ ପଡ଼େ  । ଏବେ ମୁଁ ତ ଏକଥା କହିପାରିବିନି ଯେ ମୁଁ ଯେଉଁଠିକି ଯିବି ଯଦି କେହି ଫୁଲତୋଡ଼ାଟିଏ ଦେଲା ମୁଁ ତାକୁ ଗ୍ରହଣ କରିବିନି ବୋଲି  । ଫୁଲତୋଡ଼ା ନେବାକୁ ତାକୁ ମନା କରିଦେବି – ଏକଥା ତ ମୁଁ କରିପାରିବିନି  । କିନ୍ତୁ ସମାଲୋଚନା ହେଲେ ମଧ୍ୟ ଏ ବିଷୟରେ ଚର୍ଚ୍ଚା ଜାରି ରଖିଲେ ଧିରେ ଧିରେ ପରିବର୍ତ୍ତନ ବି ହେବ  ।

ମୋର ପ୍ରିୟ ଦେଶବାସୀଗଣ ! ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋର ଅନେକ କାମ ଥାଏ  । ଫାଇଲ ଗଦା ଭିତରେ ବୁଡ଼ି ରହିବାକୁ ପଡ଼େ  । କିନ୍ତୁ ମୁଁ ଗୋଟିଏ ଅଭ୍ୟାସ ସୃଷ୍ଟି କରିଛି, ମୋ ପାଖକୁ ଯେତେ ଚିଠି ଆସେ, ତା ଭିତରୁ ପ୍ରତିଦିନ କିଛି ଚିଠି ମୁଁ ପଢ଼େ  । ଫଳସ୍ୱରୂପ ମୋତେ ସାଧାରଣ ଜନତାଙ୍କ ସହ ସଂପୃକ୍ତ ହେବାର ଅବସର ମିଳେ  । ବିଭିନ୍ନ ପ୍ରକାରର ଚିଠି ଆସେ  । ଭିନ୍ନ ଭିନ୍ନ ପ୍ରକାରର ଲୋକମାନେ ଚିଠି ଲେଖନ୍ତି  । ଏଇ କେତେଦିନ ତଳେ ମୋତେ ଏଭଳି ଏକ ଚିଠି ମିଳିଲା – ମୁଁ ଭାବୁଛି ମୋର ସେଇଟା ଆପଣମାନଙ୍କୁ ଜଣାଇଦେବା ଉଚିତ  । ସୁଦୂର ଦକ୍ଷିଣରେ ତାମିଲନାଡ଼ୁ ରାଜ୍ୟ ମଦୁରାଇର ଜଣେ ଗୃହିଣୀ ଅରୁଲମୋଝି ଶରବଣନ୍ – ସେ ମୋତେ ଗୋଟିଏ ଚିଠି ଲେଖିଲେ  । ଚିଠିଟି କ’ଣ ଥିଲା – ସେ ମତେ ଲେଖିଲେ ଯେ ମୁଁ ପରିବାରରେ ପିଲାମାନଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବା ସଂଗେ ସଂଗେ କିଛି ନା କିଛି ଆର୍ଥିକ ଦୃଷ୍ଟିରୁ ଲାଭପ୍ରଦ କରିବାକୁ ଭାବିଲି ଯାହାଫଳର ପରିବାରକୁ କିଛି କିଛି ଆର୍ଥିକ ସାହାଯ୍ୟ ହୋଇପାରିବ  । ମୁଁ ମୁଦ୍ରା ଯୋଜନାରେ ବ୍ୟାଙ୍କରୁ କିଛି ଟଙ୍କା ନେଲି ଏବଂ ବଜାରରୁ କିଛି ଜିନିଷ କିଣି ସପ୍ଲାଇ ଦିଗରେ କାମ ଆରମ୍ଭ କଲି  । ଏଇ ଭିତରେ ମୁଁ ଜାଣିଲି ଯେ ଭାରତ ସରକାର Government E-Marketplace ନାମରେ ଯୋଜନାଟିଏ ଆରମ୍ଭ କରିଛନ୍ତି  । ଏଇଟା କ’ଣ ଜାଣିବାକୁ ମୁଁ ଚେଷ୍ଟା କଲି, କିଛି ଲୋକଙ୍କୁ ବି ପଚାରିଲି  । ତା’ପରେ ମୁଁ ନିଜକୁ ସେଥିରେ ପଂଜୀକୃତ କରିନେଲି  । ମୁଁ ଦେଶବାସୀମାନଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କୁ ଯଦି ସୁବିଧା ମିଳେ, ତେବେ ଆପଣ ଇଣ୍ଟରନେଟ ରେ E-GEM ଦେଖନ୍ତୁ  । ଗୋଟେ ନୂଆ ପ୍ରକାରର ବ୍ୟବସ୍ଥା  । ଯିଏ ବି ସରକାରଙ୍କୁ କୌଣସି ଜିନିଷ ସପ୍ଲାଇ କରିବାକୁ ଚାହାଁନ୍ତି – ବିଜୁଳି ବଲ୍ବ ବିକିବାକୁ ଚାହାଁନ୍ତି, ଡଷ୍ଟବିନ୍ ପଠାଇବାକୁ ଚାହାଁନ୍ତି, ଝାଡ଼ୁ, ଚେୟାର, ଟେବୁଲ ଆଦି ସପ୍ଲାଇ କରିବାକୁ ଚାହାଁନ୍ତି, ସେ ସେଥିରେ ନିଜ ନାମ ପଂଜୀକୃତ କରିପାରନ୍ତି  । କେଉଁ କ୍ୱାଲିଟିର ମାଲ ସେ କେତେ ଦାମ୍ ରେ ଦେଇପାରିବେ, ସେଗୁଡ଼ିକ ସେଥିରେ ସେ ଉଲ୍ଲେଖ କରି ରଖିବେ  । ସରକାରୀ ବିଭାଗଗୁଡ଼ିକ ପାଇଁ ଏଇ ସାଇଟ୍ E-GEM ଦେଖିବା ବାଧ୍ୟତାମୂଳକ ଅଟେ  । ସେମାନେ ଦେଖିବେ ଯେ ଗୁଣବତ୍ତା ଠିକ୍ ଥାଇ କେଉଁ ସପ୍ଲାଏର କେଉଁ ଜିନିଷ ଶସ୍ତାରେ ଦେଇପାରୁଛି  । ତାକୁ ସପ୍ଲାଇ ପାଇଁ ଅର୍ଡ଼ର ଦେବାକୁ ହେବ  । ଏଥିଯୋଗୁଁ ଦଲାଲି ଶେଷ ହୋଇଯିବ, ଆଉ ପାରଦର୍ଶିତା ଆସିଯିବ  । ତେଣୁ E-GEM ରେ ଯେଉଁମାନେ ପଂଜୀକୃତ ହୁଅନ୍ତି, ସମସ୍ତ ସରକାରୀ ବିଭାଗ ତାକୁ ଦେଖୁଥାନ୍ତି  । ମଝିରେ ଦଲାଲ ନ ହେବା ଯୋଗୁଁ ଜିନିଷ ବହୁ ଶସ୍ତାରେ ମିଳେ  । ଅରୁଲମୋଝି ମାଡ଼ାମ ସରକାରଙ୍କ ଏହି ସାଇଟ୍ ରେ ଯାହା ଯାହା ଦେଇପାରିବେ, ସେସବୁ ପଞ୍ଜିକରଣ କରିଦେଲେ  । କିନ୍ତୁ ମଜାର କଥା ହେଲା, ସେ ମୋତେ ଯେଉଁ ଚିଠି ଲେଖିଛନ୍ତି, ସେଇଟା ବଡ଼ ଆଗ୍ରହପ୍ରଦ  । ସେ ଲେଖିଛନ୍ତି – ଏକ ପକ୍ଷରେ ମୋତେ ମୁଦ୍ରା ଯୋଜନାରେ ପଇସା ମିଳିଗଲା, ମୋର କାରବାର ଆରମ୍ଭ ହୋଇଗଲା – E-GEM ରେ ମୁଁ କ’ଣ ଦେଇପାରିବି, ତା’ର ସୂଚୀ ଦେଇଦେଲି ଏବଂ ମୋତେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅର୍ଡର ମିଳିଗଲା PMO ରୁ  । ମୋ ପାଇଁ ଇଏ ଗୋଟିଏ ନୂଆ ଖବର ଥିଲା, PMO ମୋ ଠାରୁ କ’ଣ ମଗେଇଥିବ – ସେ ଲେଖିଛନ୍ତି ଯେ PMO ତାଙ୍କ ଠାରୁ ଦୁଇଟି ଥର୍ମୋସ୍ କିଣିଲା, ଆଉ ତା’ର ଦାମ୍ 1600 ଟଙ୍କା । ମୋତେ ଦେୟ ମଧ୍ୟ ମିଳିଗଲା  । ଇଏ ହେଉଛି ସଶକ୍ତିକରଣ  । ଇଏ ହେଉଛି ଉଦଯୋଗକୁ ପ୍ରୋତ୍ସାହିତ କରିବାର ଅବସର  । ଯଦି ଅରୁଲ-ମୋଝି ମାଡ଼ାମ୍ ମୋତେ ଚିଠି ଲେଖିନଥାନ୍ତେ, ହୁଏତ ମୁଁ ବି ଜାଣିପାରି ନଥାନ୍ତି ଯେ E-GEM ବ୍ୟବସ୍ଥାରେ ଦୂରଦୂରାନ୍ତର ଗୃହିଣୀ ଛୋଟିଆ କାମଟିଏ କରିପାରୁଛି ଆଉ ତାଙ୍କ ମାଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବି କିଣିପାରୁଛି  । ଏହାହିଁ ହେଉଛି ଦେଶର ଶକ୍ତି  । ଏଥିରେ ସ୍ଵଚ୍ଛତା ଅଛି, ଏଥିରେ ସଶକ୍ତିକରଣ ବି ଅଛି ଆଉ ଏଥିରେ ଉଦଯୋଗ ବି ଅଛି  । Minimum Government and Maximum Governance । ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଯେଉଁମାନେ ସରକାରଙ୍କୁ ନିଜର ମାଲ୍ ବିକିବାକୁ ଚାହାଁନ୍ତି, ସେମାନେ ଏହା ସହିତ ଅଧିକରୁ ଅଧିକ ସଂଯୁକ୍ତ ହୁଅନ୍ତୁ  । ମୋ ମତରେ ୟାର ଲକ୍ଷ୍ୟ ହେଉଛି ସର୍ବନିମ୍ନ ମୂଲ୍ୟ ଓ ସର୍ବାଧିକ ସୁବିଧାର ଏହାହିଁ ପ୍ରକୃଷ୍ଟ ଉଦାହରଣ  । ତା ସହିତ ପାରଦର୍ଶିତା ଓ ସ୍ଵଚ୍ଛତା ମଧ୍ୟ ଯୋଡି ହୋଇ ରହିଛି ।

ମୋର ପ୍ରିୟ ଦେଶବାସୀଗଣ ! ଗୋଟିଏ ପକ୍ଷରେ ଆମେ ଯୋଗକୁ ନେଇ ଗର୍ବ କରୁଛୁ ତ ଅନ୍ୟପକ୍ଷରେ ମହାକାଶ ବିଜ୍ଞାନକୁ ନେଇ ଆମର ଯେଉଁ ଉପଲବ୍ଧି ଅଛି, ତା ପାଇଁ ମଧ୍ୟ ଗର୍ବ କରିପାରିବା  । ଆଉ ଇଏ ହେଉଛି ଭାରତର ବିଶେଷତ୍ୱ  । ଆମର ପାଦ ଯୋଗ ସହିତ ଜଡ଼ିତ ଭୂମି ଉପରେ ଅଛି, ତ ଦୂର ଆକାଶର ସୁଦୂର ଦିଗ୍ବଳୟ ପାର କରିବାର ସ୍ୱପ୍ନ ବି ଆମର ଅଛି  । ଅତୀତରେ ଖେଳରେ ଆଉ ବିଜ୍ଞାନରେ ମଧ୍ୟ ଭାରତ ବହୁତ କିଛି କରି ଦେଖାଇଛି  । ଆଜି ଭାରତ କେବଳ ପୃଥିବୀ ପୃଷ୍ଠରେ ନୁହେଁ, ଦୂର ଅନ୍ତରୀକ୍ଷରେ ବି ନିଜର ବିଜୟ ପତାକା ଉଡ଼ାଇ ଚାଲିଛି  । ଏହି ଦୁଇଦିନ ପୂର୍ବରୁ ଇସ୍ରୋ ଦ୍ୱାରା କାର୍ଟୋସାଟ-2 ଶୃଙ୍ଖଳାର ଉପଗ୍ରହ ସହିତ 30 ଟି ଅତି କ୍ଷୁଦ୍ର ଉପଗ୍ରହ  ପ୍ରକ୍ଷେପଣ କରାଗଲା  । ଆଉ ଏହି ଉପଗ୍ରହଗୁଡ଼ିକ ମଧ୍ୟରେ ଭାରତ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ୍, ଆମେରିକା ଭଳି ପ୍ରାୟ 14ଟି ଦେଶର ସାଟେଲାଇଟ୍ ସାମିଲ ଅଛି  । ଭାରତର ଏହି ନାନୋ ସାଟେଲାଇଟ୍ (କ୍ଷୁଦ୍ର ଉପଗ୍ରହ) ଅଭିଯାନ ଦ୍ୱାରା ଚାଷବାସ କ୍ଷେତ୍ରରେ, କୃଷକଙ୍କ କାମରେ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁତ କିଛି ହିତ ସାଧନ ହେବ  । ଆମର ମନେଅଛି, ଇସ୍ରୋ କିଛିଦିନ ପୂର୍ବେ GSAT-19 ର ସଫଳ ପ୍ରକ୍ଷେପଣ କରିଥିଲା  । ଆଉ ଆଜିଯାଏ ଭାରତ ଯେତେ ଉପଗ୍ରହ ପ୍ରେରଣ କରିଛି, ଇଏ ସବୁଠାରୁ ଓଜନଦାର ଉପଗ୍ରହ ଥିଲା  । ଆମ ଦେଶର ସମ୍ବାଦପତ୍ର ଗୁଡ଼ିକ ଏହାକୁ ହାତୀ ସହିତ ତୁଳନା କରିଛନ୍ତି  । ଏଇଥିରୁ ଅନୁମାନ କରିପାରୁଥିବେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଇଏ ଆମର କେତେବଡ଼ ସଫଳତା – ଯାହା ଆମର ବୈଜ୍ଞାନିକମାନେ କରି ଦେଖାଇଛନ୍ତି  । ଜୁନ୍ 19 ତାରିଖରେ ମଙ୍ଗଳ ଅଭିଯାନ (Mars Mission) ପାଇଁ ଆମେମାନେ ମଙ୍ଗଳ ଗ୍ରହର କକ୍ଷରେ ସ୍ଥାନଟିଏ ଦଖଲ କଲେ, ସେତେବେଳେ ଏହା ଛଅମାସ ପାଇଁ କରାଯାଇଥିଲା ଅର୍ଥାତ୍ ତା’ର ପରମାୟୁ 6 ମାସ ପାଇଁ ଥିଲା  । କିନ୍ତୁ ମୁଁ ଖୁସି ଯେ ଆମ ବୈଜ୍ଞାନିକମାନଙ୍କ ପ୍ରୟାସ ଏତେ ଶକ୍ତିଶାଳୀ ଥିଲା ଯେ – 6 ମାସ ତ ପାରିହୋଇଗଲା – ଆଜି ହଜାର ଦିନ ବିତିଗଲା ପରେ ବି “ମଙ୍ଗଳଯାନ” କାମ କରୁଛି, ଫଟୋ ପଠାଉଛି, ସୂଚନା ଦେଉଛି ଏବଂ ବୈଜ୍ଞାନିକ ତଥ୍ୟ ଆସୁଛି  । ଏହା ଧାର୍ଯ୍ୟ ସମୟ ଠାରୁ ବି ଅଧିକ, ନିଜ ପରମାୟୁ ଠାରୁ ବି ଅଧିକ ଦିନ କାମ କରୁଛି । ହଜାର ଦିନ ପୂରଣ ହେବା ଆମ ବୈଜ୍ଞାନିକ ଯାତ୍ରା, ଆମ ଅନ୍ତରୀକ୍ଷ ଯାତ୍ରା ପଥରେ ଏକ ମହତ୍ୱପୂର୍ଣ୍ଣ ଘଟଣା  ।

ଆଜିକାଲି ଦେଖାଯାଉଛି – ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମ ଯୁବକଯୁବତୀମାନଙ୍କର ରୁଚି ବଢ଼ିଚାଲିଛି  । ଏବେ ଦେଖାଯାଉଛି ଯେ ପାଠପଢ଼ା ସାଥେ ସାଥେ ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମର ଯୁବପିଢ଼ି ଭବିଷ୍ୟତ ଦେଖିବା ଆରମ୍ଭ କଲାଣି  । ଆଉ ଆମ ଖେଳାଳିମାନଙ୍କ ଯୋଗୁଁ, ସେମାନଙ୍କ ପୁରୁଷାର୍ଥ ଯୋଗୁଁ ତଥା ତାଙ୍କର ସିଦ୍ଧି ଯୋଗୁଁ ଦେଶର ସୁନାମ ବଢ଼ୁଛି  । ଏହି କେତେଦିନ ତଳେ ବ୍ୟାଡ଼ମିଂଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ ଜିତି ଦେଶର ସୁନାମ ବଢ଼ାଇଛନ୍ତି  । ଏହି ଉପଲବ୍ଧି ପାଇଁ ମୁଁ ତାଙ୍କୁ ତଥା ତାଙ୍କର କୋଚ୍ ଙ୍କୁ ଅଭିନନ୍ଦନ ଜଣାଉଛି  । ମୋତେ କିଛିଦିନ ପୂର୍ବେ ଆଥଲେଟ୍ ପି.ଟି. ଉଷାଙ୍କର “Usha School of Athletics” ର “Synthetic Track” ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାର ଅବସର ମିଳିଥିଲା  । ଆମେ ଖେଳକୁ ଯେତେ ପ୍ରୋତ୍ସାହିତ କରିବା, ତାହା କ୍ରୀଡା ଆଉ କ୍ରୀଡା ଉତ୍ସାହ ନେଇ ଆସିବ  । ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ବହୁତ ଖେଳର ମହତ୍ୱପୂର୍ଣ୍ଣ ଭୂମିକା ରହିଛି  । ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ମଧ୍ୟ ଖେଳର ମାହାତ୍ମ୍ୟ ରହିଛି  । ଦେଶରେ ପ୍ରତିଭାର ଅଭାବ ନାହିଁ, ଯଦି ଆମ ପରିବାରରେ ପିଲାଙ୍କର ଖେଳପ୍ରତି ଆଗ୍ରହ ଅଛି, ତେବେ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ  । ସେମାନଙ୍କୁ ଖେଳପଡ଼ିଆରୁ ଉଠାଇ ଆଣି, କୋଠରୀରେ ବନ୍ଦ କରି ପାଠ ପଢ଼ିବାକୁ ବାଧ୍ୟ କରିବା ଉଚିତ ନୁହେଁ  । ସେମାନେ ପଢ଼ନ୍ତୁ, ସେଥିରେ ବି ଉନ୍ନତି କରନ୍ତୁ  । କିନ୍ତୁ ଯଦି ଖେଳରେ ବି ସେମାନଙ୍କ ସାମର୍ଥ୍ୟ ରହିଛି, ଆଗ୍ରହ ରହିଛି, ତେବେ ସ୍କୁଲ, କଲେଜ, ପରିବାର, ଆଖପାଖର ଲୋକ ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ  । ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ  । ଆଗାମୀ ଅଲମ୍ପିକ୍ ଖେଳ ପାଇଁ ସମସ୍ତେ ସ୍ୱପ୍ନ ଦେଖିବା ଉଚିତ  ।

ମୋର ପ୍ରିୟ ଦେଶବାସୀଗଣ, ବର୍ଷାଋତୁ, ଲଗାତାର ଉତ୍ସବର ପରିବେଶ, ଏ ସମୟର ଅନୁଭୂତିରେ ଏକ ନୂତନତ୍ୱ ଥାଏ  । ମୁଁ ପୁଣିଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି  । ଆଗାମୀ “ମନ୍ କି ବାତ୍”ରେ ପୁଣି କିଛି ନୂଆ କଥା କହିବି  । ନମସ୍କାର  ।

 

**********