Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶ ମାର୍ଗରୁ ଓଡିଶାରେ ଫନୀ ଝଡ ପ୍ରଭାବିତ ଅଞ୍ଚଳର ସର୍ଭେକ୍ଷଣ କଲେ ପ୍ରଧାନମନ୍ତ୍ରୀ, ପରିସ୍ଥିତିର ସମୀକ୍ଷା କଲେ


2019 ମେ 3ରେ ଝଡ ଫନୀ ଯୋଗୁ ଓଡିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ରାଜ୍ୟକୁ ଆକାଶ ମାର୍ଗରୁ ସର୍ଭେକ୍ଷଣ କରିଥିଲେ । ସେ ପିପିଲି, ପୁରୀ, କୋଣାର୍କ, ନିମାପଡା ଓ ଭୁବନେଶ୍ୱର ଆଦି ଅଞ୍ଚଳ ଆକାଶମାର୍ଗରୁ ସର୍ଭେକ୍ଷଣ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସର୍ଭେକ୍ଷଣରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗ ଦେଇଥିଲେ ।

ଏହାପରେ ଝଡ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ । ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଥିଲେ । ସେ 1000 କୋଟି ଟଙ୍କାର ତୁରନ୍ତ ସହାୟତା ଘୋଷଣା କରିଥିଲେ । ଏହା ହେଉଛି 2019 ଏପ୍ରିଲ 29ରେ ପ୍ରଦାନ କରାଯାଇଥିବା 341 କୋଟି ଟଙ୍କା ବ୍ୟତୀତ ଅତିରିକ୍ତ ସହାୟତା । ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳର ଆକଳନ ପରେ ଆହୁରି ଅଧିକ ସହାୟତା ପ୍ରଦାନ କରିବା ନେଇ ସେ ଆଶ୍ୱାସନା ପ୍ରଦାନ କରିଥିଲେ ।

ଓଡିଶା ଜନସାଧାରଣଙ୍କ ସହ ସମ୍ପୂର୍ଣ୍ଣ ଭାବେ ରହିଥିବା ନେଇ ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ କହିଲେ ଯେ କେବଳ ତୁରନ୍ତ ସହାୟତା ପ୍ରଦାନ କରିବା ନୁହେଁ ବରଂ ରାଜ୍ୟର ପୁନଃନିର୍ମାଣ ନିଶ୍ଚିତ କରିବା ନେଇ ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ । ଜୀବନ ହାନୀ ହ୍ରାସ କରିବାରେ ବୈଷୟିକ ଜ୍ଞାନର ଭୂମିକା ବିଶେଷ କରି ଉପଗ୍ରହ ଛବି ଏବଂ ଅତ୍ୟାଧୁନିକ ପାଣିପାଗ ସୂଚନା ଜ୍ଞାନକୌଶଳକୁ ସେ ପ୍ରଶଂସା କରିଥିଲେ । ସେ କହିଲେ ଯେ ବୈଷୟିକ ଜ୍ଞାନକୌଶଳର ସାମର୍ଥ୍ୟ ଏବଂ ମାନବୀୟ ଇଂଟରଫେସର ସଂଯୋଗ ପ୍ରଭାବିତ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗକୁ ସମ୍ଭବ କରିପାରିଛି । 10 ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କୁ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତରିତ କରାଇବାରେ ରାଜ୍ୟ ସରକାରଙ୍କ ପ୍ରୟାସ ଏବଂ ସଠିକ ପାଣିପାଗ ସୂଚନା ପ୍ରଦାନ କରିବାରେ ଆଇଏମଡିର ପ୍ରୟାସକୁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ପ୍ରଶଂସା କରିଥିଲେ ।

ଉପକୂଳ ଅଂଚଳରେ ବାସକରୁଥିବା ମତ୍ସ୍ୟଜୀବିମାନଙ୍କ ଜୀବନଧାରଣର ସଂଗ୍ରାମକୁ ସେ ପ୍ରଶଂସା କରିଥିଲେ । ଜୀବନ ହାନୀ ହ୍ରାସ କରିବାରେ ସହାୟତା କରିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚମକ୍ରାର ସହଯୋଗକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଝଡ କେଉଁ ପରିମାଣରେ ଧ୍ୱଂସ ଓ କ୍ଷୟକ୍ଷତି କରିଥାଏ ସେ ଜାଣିଛନ୍ତି ଯେହେତୁ ସେ ମଧ୍ୟ ଏକ ଉପକୂଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ।

ଭିତିଭୂମି, ଗୃହ, ମତ୍ସ୍ୟଜୀବି ଓ କୃଷିକ୍ଷେତ୍ର ଆଦି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ରାଜ୍ୟକୁ ପ୍ରଦାନ କରାଯିବାକୁ ଥିବା ସହାୟତା ନେଇ ଖୁବ ଶୀଘ୍ର ଏକ କେନ୍ଦ୍ରୀୟ ଦଳ ରାଜ୍ୟ ଗସ୍ତରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଥିଲେ । ଶକ୍ତି, ଟେଲିକମ ଓ ରେଳସେବାକୁ ଯଥାଶୀଘ୍ର ପୁନର୍ବାହାଲ କରିବା ପାଇଁ ସେ ରାଜ୍ୟ ଏବଂ କେନ୍ଦ୍ର ପଦାଧିକାରୀମାନଙ୍କୁ ଆଦେଶ ପ୍ରଦାନ କରିଥିଲେ । ଖରାପ ହୋଇଥିବା ରାସ୍ତାର ମରାମତି କାର୍ଯ୍ୟ ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ଏବଂ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ ଗମନାଗମନ ଓ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କୃଷକମାନଙ୍କ କୃଷି ବୀମା ଜନିତ ଦାବିର ଆକଳନ କରିବା ଏବଂ ଖୁବ ଶୀଘ୍ର ସେମାନଙ୍କୁ ସହାୟତା ପ୍ରଦାନ କରିବା ନେଇ ତୁରନ୍ତ ସେମାନଙ୍କ ପର୍ଯ୍ୟବେକ୍ଷକମାନଙ୍କୁ ବନ୍ୟା ପ୍ରପୀଡିତ ଅଂଚଳକୁ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଝଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନିକଟତମ ସମ୍ପର୍କୀୟମାନଙ୍କ ପାଇଁ 2 ଲକ୍ଷ ଟଙ୍କାର ସହାୟତା ରାଶି ଓ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । କେନ୍ଦ୍ର ସରକାର ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିବାର ପ୍ରଧାନମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ।

**************