ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୧ ନଭେମ୍ବର ୨୦୨୬ରେ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ। ସକାଳ ପ୍ରାୟ ୯:୪୫ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହା ପରେ ସେ ବୈଶାଳୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ପାଇଁ ବିହାର ଗସ୍ତ କରିବେ। ତତ୍ପରେ, ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୫:୩୦ ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌର ଗୋମତୀ ନଗରସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନଠାରେ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ଖଡ଼ଗପୁରରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ଅଂଶଗ୍ରହଣ କରିବେ। ସେ ଏହି ପ୍ରତିଷ୍ଠାନର ୭୫ ବର୍ଷର ଯାତ୍ରାର ପ୍ରତୀକ ସ୍ୱରୂପ ଆଇଆଇଟି ଖଡ଼ଗପୁରର ୭୫ ଜଣ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଭାବ ବିନିମୟ କରିବା କାର୍ଯ୍ୟକ୍ରମ ରହିଛି।
୧୯୫୧ ମସିହାରେ ପ୍ରତିଷ୍ଠିତ ଖଡ଼ଗପୁରସ୍ଥିତ ଆଇଆଇଟି ହେଉଛି ଦେଶରେ ସ୍ଥାପିତ ହୋଇଥିବା ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ। ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ ମାନ୍ୟତା ପାଇଥିବା ଏହି ଅନୁଷ୍ଠାନ ଭାରତରେ ବୈଷୟିକ ଶିକ୍ଷା, ଗବେଷଣା ଏବଂ ନବସୃଜନକୁ ଆଗକୁ ନେବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।
ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ଅଂଶଗ୍ରହଣ କରିବେ। ୨୦୨୧-୨୨ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା କୌଶଳ ଦୀକ୍ଷାନ୍ତ ସମାରୋହ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷକୁ ସ୍ୱୀକୃତି ଦେବା ଏବଂ ତାଲିମରୁ କର୍ମକ୍ଷେତ୍ରକୁ କୁଶଳୀ ଯୁବକଯୁବତୀଙ୍କ ପ୍ରବେଶକୁ ଉତ୍ସବ ଭାବେ ପାଳନ କରିବା ପାଇଁ ଏକ ବାର୍ଷିକ ଜାତୀୟ ମଞ୍ଚ ଭାବରେ ଉଭା ହୋଇଛି। ଏହାର ଆରମ୍ଭରୁ ହିଁ ଏହି ସମାରୋହ ଦକ୍ଷତା ବିକାଶ ଇକୋସିଷ୍ଟମର ସର୍ବଭାରତୀୟ ଟପ୍ପର ଏବଂ ଉଚ୍ଚ ସଫଳତା ହାସଲକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଆସୁଛି, ଯାହା ଧନ୍ଦାମୂଳକ ଶିକ୍ଷା ଏବଂ କୁଶଳୀ ବୃତ୍ତି ପ୍ରତି ଗର୍ବ, ସଫଳତା ଏବଂ ଆକାଂକ୍ଷାର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି।
ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ପାଇଁ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ), ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନଏସଟିଆଇ) ଏବଂ ପ୍ରଶିକ୍ଷକ ତାଲିମ ପ୍ରତିଷ୍ଠାନ (ଆଇଟିଓଟି)ର ୫୨ ଜଣ ଜାତୀୟ ସ୍ତରୀୟ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯିବ।
/HP