Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସାମ, ଛତିଶଗଡ, ଝାଡଖଣ୍ଡ, ତାମିଲନାଡୁ, ତ୍ରିପୁରା, ପୁଡୁଚେରୀରେ ଆଦିବାସୀ ତାଲିକା ସଂଶୋଧନ ହେବ


ସମ୍ବିଧାନ (ତଫସିଲଭୁକ୍ତ ଉପଜାତି) ଆଦେଶ, ୧୯୫୦ର ସଂଶୋଧନ ପ୍ରସ୍ତାବକୁ ପିଛିଲା ଭାବେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଆସାମ, ଛତିଶଗଡ, ଝାଡଖଣ୍ଡ, ତାମିଲନାଡୁ, ତ୍ରିପୁରା ରାଜ୍ୟରେ ଅନୁସୁଚିତ ଜନଜାତି ତାଲିକାରେ ପରିବର୍ତ୍ତନ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏହି ତାଲିକା ପାଇଁ ନୂତନ ଜାତି ଚିହ୍ନଟ ଉଦ୍ଦେଶ୍ୟରେ ସମ୍ବିଧାନ (ଅନୁସୁଚିତ ଜନଜାତି) ଆଦେଶ, ୧୯୫୦ରେ ସଂଶୋଧନ କରାଯିବ । ଏଥିପାଇଁ ସଂସଦରେ ଦୁଇଟି ବିଲ୍ ଉପସ୍ଥାପନ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ନିୟମାନୁଯାୟୀ ନିମ୍ନଲିଖିତ ଜାତିଗୁଡିକ ତାଲିକାଭୁକ୍ତ ହେବା, ତାଲିକାରୁ ବାଦ୍ ଦିଆଯିବା ଏବଂ ଅନ୍ୟାନ୍ୟ ପରିବର୍ତ୍ତନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଆସାମରେ ବୋରୋ, ବୋରୋ କାଚାରି, ବୋଡୋ, ବୋଡୋ କାଚାରି ଏବଂ କାର୍ବି(ମିକିର୍) ଜାତିଗୁଡିକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି, ଛତିଶଗଡରେ ଭୂଇଁୟା, ଭୁଇୟାଁ, ଭୂୟାଁ, ଧନୁହର, ଧନୁୱାର, କିସାନ, ସଉଁରା, ସାଓଁରା ଏବଂ ଧଙ୍ଗଡ ଜାତି, ଝାଡଖଣ୍ଡରେ ଭୋଗତା, ଦେଶ୍ୱରୀ, ଗାଞ୍ଝୁ, ଦୌତଲ୍ୱନ୍ଦି (ଦ୍ୱାଲ୍ବନ୍ଦି), ପାଟବନ୍ଦି, ରାଉତ, ମାଝିଆ, ଖବରି(ଖେରି) ଏବଂ ପୁରାନ୍ ଜାତି, ତାମିଲନାଡୁରେ ମଲୟାଲି ଗୌଣ୍ଡର୍, ନାରିକୋରାଭାନ୍, କୁରିଭିକ୍କାରାନ୍, ତ୍ରିପୁରାରେ ଦାରଲଙ୍ଗ ଜାତିଗୁଡିକୁ ତାଲିକାଭୁକ୍ତ କରାଯାଇଛି । ପୁଡୁଚେରୀରେ ଇରୁଲାର, ଭିଲ୍ଲି ଏବଂ ଭେଟ୍ଟାଇକରନ୍ ଜାତିକୁ ତାଲିକାଭୁକ୍ତ କରିବା ପାଇଁ ଚିହ୍ନଟ କରାଯାଇଛି ।

ଏହି ବିଲ୍ ଆଇନରେ ପରିଣତ ହେବା ପରେ ଏହି ତାଲିକାଭୁକ୍ତ ଜାତିର ଲୋକମାନେ ବିଭିନ୍ନ ଯୋଜନାରେ ଅନୁସୂଚିତ ଜନଜାତିର ଲୋକଙ୍କ ପାଇଁ ଉପଲବ୍ଧ ଲାଭଗୁଡିକ ପାଇପାରିବେ । ଏହି ଯୋଜନାଗୁଡିକ ମଧ୍ୟରେ ପ୍ରମୁଖ ହେଲା ମେଟ୍ରିକ ପରବର୍ତ୍ତି ଛାତ୍ରବୃତ୍ତି, ଜାତୀୟ ବୈଦେଶିକ ଛାତ୍ରବୃତ୍ତି, ଜାତୀୟ ଫେଲୋସିପ୍, ଶ୍ରେଷ୍ଠତମ ଶିକ୍ଷା, ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଏବଂ ବିକାଶ ନିଗମରୁ ରିହାତି ହାରରେ ଋଣ, ଅନୁସୂଚିତ ଜନଜାତିର ବାଳକ ବାଳିକାମାନଙ୍କ ପାଇଁ ହଷ୍ଟେଲ ସୁବିଧା ଇତ୍ୟାଦି । ଏହାଛଡା ସେମାନେ ଚାକିରି ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବା କ୍ଷେତ୍ରରେ ଥିବା ସଂରକ୍ଷଣ ସୁବିଧା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ । ପରିଣାମତଃ ଝାଡଖଣ୍ଡର ଅନୁସୂଚିତ ଜାତି ତାଲିକା ଏବଂ କେନ୍ଦ୍ର ତଥା ରାଜ୍ୟର ଅନ୍ୟାନ୍ୟ ପଛୁଆବର୍ଗ ତାଲିକା, ଅତିପଛୁଆବର୍ଗ ତାଲିକାରେ ସଂଶୋଧନ ହେବ ।

ଉଲ୍ଲେଖନୀୟ ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୪୨ରେ ସ୍ଥାନ ପାଇଥିବା ଅନୁସୂଚିତ ଜନଜାତିର ଲୋକଙ୍କୁ କିଛି ବିଶେଷ ସୁବିଧା ସୁଯୋଗ ଦିଆଯାଇଛି । କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୁଚିତ ଜନଜାତିର ପ୍ରଥମ ତାଲିକା ରାଷ୍ଟ୍ରପତିଙ୍କ ଦ୍ୱାରା ଅଧିସୂଚିତ ଆଦେଶ ପରେ ସଂପୃକ୍ତ ରାଜ୍ୟର ପରାମର୍ଶ ଅନୁଯାୟୀ ଜାରି କରାଯାଏ । ସମ୍ବିଧାନର ଅନୁଚ୍ଛେଦ ୩୪୨ର ଉପଧାରା (୨) ଅନୁଯାୟୀ ସଂସଦରେ ଆଇନ ପ୍ରଣୟନ ମାଧ୍ୟମରେ ହିଁ ତାଲିକାରେ ଯୋଗ କରିବା କିମ୍ବା ବାଦ୍ ଦିଆଯିବା ପ୍ରକ୍ରିୟା ସମ୍ଭବ ହୁଏ ।

ଅନୁସୂଚିତ ଜାତି ଏବଂ ଜନଜାତି ତାଲିକାରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଗ୍ରହଣ ପ୍ରକ୍ରିୟାକୁ ସରକାର ୧୯୯୯ରେ ମଞ୍ଜୁରି ଦେଇଥିଲେ ଏବଂ ଜୁନ ୨୦୦୨ରେ ସଂଶୋଧିତ କରିଥିଲେ । ମଞ୍ଜୁରିପ୍ରାପ୍ତ ପ୍ରକ୍ରିୟା ଅନୁଯାୟୀ, ସାମ୍ବିଧାନିକ ଆଦେଶର ପରିବର୍ତ୍ତନ ପାଇଁ କେବଳ ସଂପୃକ୍ତ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନର ସେହି ପ୍ରସ୍ତାବ ଦିଆଯାଏ ଯେଉଁଗୁଡିକ ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ ଏବଂ ଜାତୀୟ ଅନୁସୂଚିତ ଜନଜାତି କମିଶନ ଉଭୟଙ୍କ ଦ୍ୱାରା ମଞ୍ଜୁରିପ୍ରାପ୍ତ ହୋଇଥାଏ ।


**********