Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ


ବିଶ୍ୱ ଭାରତକୁ ଅଭିବୃଦ୍ଧି ଏବଂ ଆଶାର ଏକ ଉଜ୍ୱଳ କେନ୍ଦ୍ର ଭାବରେ ଦେଖୁଛି: ପ୍ରଧାନମନ୍ତ୍ରୀ

ଆଜି ଭାରତ ନୀତିଗତ ସ୍ତରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଏବଂ ଶାସନ ବ୍ୟବସ୍ଥା ସ୍ତରରେ ମଧ୍ୟ ସଂସ୍କାର କାର୍ଯ୍ୟକାରୀ କରୁଛି: ପ୍ରଧାନମନ୍ତ୍ରୀ

ଅତୀତରେ ଉତ୍ପାଦନ ବୃଦ୍ଧି ପାଇଁ ଦଣ୍ଡ ମିଳୁଥିଲା କିନ୍ତୁ ଆଜି, ଆମ ସରକାର ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି

ଭାରତରେ ରାଜନୈତିକ ସ୍ଥିରତା ଏବଂ ନୀତିଗତ ନିରନ୍ତରତା ରହିଛି: ପ୍ରଧାନମନ୍ତ୍ରୀ

ଅତୀତରେ ନିୟମାବଳୀର ଦୃଷ୍ଟିକୋଣ ଥିଲା ‘ଅନୁମତି ନ ମିଳିବା ପର୍ଯ୍ୟନ୍ତ ନିଷିଦ୍ଧ’; ଆମେ ଏହି ଦୃଷ୍ଟିକୋଣକୁ ପରିବର୍ତ୍ତନ କରୁଛୁ ଏବଂ ଏହାକୁ ‘ନିଷିଦ୍ଧ ନ ହେବା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ’ ଦିଗକୁ ନେଉଛୁ: ପ୍ରଧାନମନ୍ତ୍ରୀ

ସରକାର ଏବଂ ନାଗରିକଙ୍କ ମଧ୍ୟରେ ଥିବା ସମ୍ପର୍କ ସନ୍ଦେହ ଉପରେ ନୁହେଁ, ବରଂ ବିଶ୍ୱାସ ଉପରେ ଆଧାରିତ ହେବା ଉଚିତ: ପ୍ରଧାନମନ୍ତ୍ରୀ

ଆଜି ଆମେ ଏପରି ନୀତି ପ୍ରସ୍ତୁତ କରୁଛୁ ଯାହା ଜନକଲ୍ୟାଣକାରୀ, ଅଭିବୃଦ୍ଧି ଅନୁକୂଳ ଏବଂ ବିକାଶ ଅନୁକୂଳ ଅଟେ: ପ୍ରଧାନମନ୍ତ୍ରୀ

୨୧ ଅଗଷ୍ଟ ୨୦୨୬: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି । ଏହି ଫୋରମରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ନୀତି ନିର୍ଦ୍ଧାରକ ଏବଂ ବ୍ୟବସାୟିକ ନେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଗଭୀର ଖୁସି ବ୍ୟକ୍ତ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ‘ସେୟାରଡ ଫ୍ୟୁଚର୍ସ’ ବା ସାମୂହିକ ଭବିଷ୍ୟତର ଗୁରୁତ୍ୱ ଊପରେ ଆଲୋକପାତ କରି ସେ କହିଥିଲେ ଯେ, ସାମ୍ପ୍ରତିକ ବର୍ଷ ଗୁଡ଼ିକର   ବିଶ୍ୱସ୍ତରୀୟ ପରିବର୍ତ୍ତନ ଗୁଡ଼ିକ ଏହା ସ୍ପଷ୍ଟ ଭାବେ ପ୍ରମାଣ କରିଛି ଯେ ସମସ୍ତ ରାଷ୍ଟ୍ରର ଭାଗ୍ୟ ପରସ୍ପର ସହ ଅବିଚ୍ଛେଦ୍ୟ ଭାବେ ଜଡ଼ିତ । ଦେଶ ସର୍ବଦା ଏହି ଭାବନା ସହ ଆଗକୁ ବଢ଼ି ଆସିଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ଠିକ୍ ଏହି କାରଣରୁ ହିଁ ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ମନ୍ତ୍ର ରହିଥିଲା । ଶ୍ରୀ ମୋଦୀ କହିଥିଲେ, ‘ସାମୂହିକ ଭବିଷ୍ୟତର ଏହି ଭାବନା ଏବଂ ଏହା ସହିତ ଜଡ଼ିତ ଦାୟିତ୍ୱବୋଧ, ଏକବିଂଶ ଶତାବ୍ଦୀର ବିଶ୍ୱ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ପ୍ରଦାନ କରିଥାଏ’ ।

ଅଭିବୃଦ୍ଧି, ସମ୍ବଳର ଅସ୍ତ୍ର ଭାବେ ବ୍ୟବହାର ଏବଂ ବୃଦ୍ଧି ପାଉଥିବା ଅବିଶ୍ୱାସ ସମ୍ବନ୍ଧୀୟ ବିଶ୍ୱବ୍ୟାପୀ ଚିନ୍ତାଧାରାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆନ୍ତର୍ଜାତିକ ସମ୍ପ୍ରଦାୟ ଭାରତକୁ ଅଭିବୃଦ୍ଧି ଏବଂ ଆଶାର ଏକ ଉଜ୍ୱଳ କେନ୍ଦ୍ର ଭାବରେ ଦେଖୁଛି । ୨୫ କୋଟି ନାଗରିକଙ୍କୁ ଦରିଦ୍ର ସୀମାରୁ ଉଦ୍ଧାର କରିବା ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତି ବଜାୟ ରଖିବା କ୍ଷେତ୍ରରେ ଦେଶର ସଫଳତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ‘ସପ୍ତଧାରା’ ଉପରେ ଥିବା ବିଶେଷ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ; ଏହି ‘ସପ୍ତଧାରା’ ହେଉଛି ସାତୋଟି ପ୍ରମୁଖ କ୍ଷେତ୍ର ଯେଉଁଥିରେ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ସବୁଜ ଅର୍ଥନୀତି ଅନ୍ତର୍ଭୁକ୍ତ ଏବଂ ଏହା ତାଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ଘୋଷଣା କରାଯାଇଥିଲା । ତେଣୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ନୀତିଗତ ସ୍ତରରେ ପରବର୍ତ୍ତୀ ପିଢ଼ିର ସଂସ୍କାର କାର୍ଯ୍ୟକାରୀ କରୁଛି, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣୁଛି, ଏବଂ ଜୀବନଯାତ୍ରାକୁ ସହଜ କରିବା ପାଇଁ ସଂସ୍କାର କାର୍ଯ୍ୟକାରୀ କରୁଛି । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, ‘ସଂସ୍କାର ଆମ ପାଇଁ କୌଣସି ବାଧ୍ୟବାଧକତା ନୁହେଁ; ଏହା ଆମର ଚୂଡ଼ାନ୍ତ ପ୍ରତିଶ୍ରୁତି ଏବଂ ଦୃଢ଼ ବିଶ୍ୱାସ ।’

ବର୍ତ୍ତମାନର ଅର୍ଥନୈତିକ ପରିବେଶକୁ ଅତୀତର ପ୍ରତିବନ୍ଧକମୂଳକ ନୀତିଗୁଡିକ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ ହାସ୍ୟରସପୂର୍ଣର୍ ଭାବରେ ‘ପ୍ରଡକ୍ସନ୍ ଲିଙ୍କ୍‌ଡ୍ ପନିଶ୍‌ମେଣ୍ଟ’ (ପିଏଲ୍‌ପି)ର ଅବଧାରଣାକୁ ବୁଝାଇଥିଲେ । ସେ କହିକଥିଲେ, ସେହି ସମୟରେ କମ୍ପାନୀଗୁଡିକୁ ନିର୍ଦ୍ଦାରିତ ସୀମାରୁ ଅଧିକ ଉତ୍ପାଦନ କରିବା ପାଇଁ ଦଣ୍ଡିତ କରାଯାଉଥିଲା କିମ୍ବା ସାମଗ୍ରୀ ନଷ୍ଟ କରିବାକୁ ବାଧ୍ୟ କରାଯାଉଥିଲା । ସେ ପୂର୍ବ ସରକାରଙ୍କର ମାନସିକତାକୁ ସମାଲୋଚନା କରିଥିଲେ, ଯେଉଁମାନେ ଜାଣିଶୁଣି ଅଭାବ ବଜାୟ ରଖୁଥିଲେ ଯାହାଫଳରେ ନାଗରିକମାନଙ୍କୁ ତାଙ୍କ ଉପରେ ନିର୍ଭରଶୀଳ ରହିବେ । ଏହା ଫଳରେ ନିଯୁକ୍ତି ସୁଯୋଗ ଗୁରୁତର ଭାବରେ ପ୍ରଭାବିତ ହେଉଥିଲା । ଶ୍ରୀ ମୋଦୀ କହିଥିଲେ, “ଏହି ମାନସିକତା ଥିବା ଲୋକମାନେ ସର୍ବଦା ଚାହୁଁଥିଲେ ଯେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଗମ୍ଭୀର ଅଭାବ ଜାରି ରହୁ । ନାଗରିକମାନଙ୍କୁ ବଞ୍ଚିତ ରଖିବା ସେମାନଙ୍କର ସୁଚିନ୍ତିତ ନୀତି ଥିଲା ।”

ଶାସନ ଦୃଷ୍ଟିକୋଣରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ ବିନାଶକାରୀ ପିଏଲ୍‌ପି ମଡେଲକୁ ବର୍ତ୍ତମାନର ପ୍ରଡକ୍ସନ୍ ଲିଙ୍କଡ୍ ଇନ୍‌ସେଣ୍ଟିଭ୍ (ପିଏଲ୍‌ଆଇ) ଯୋଜନା ସହିତ ତୁଳନା କରିଥିଲେ । ସେ ବିଭିନ୍ନ ତଥ୍ୟ ଜରିଆରେ କିପରି ଚିନ୍ତାଧାରାରେ ସଂସ୍କାର ଆର୍ଥିକ ଫଳାଫଳକୁ ମୌଳିକ ଭାବରେ ପରିବର୍ତ୍ତନ କରିଥାଏ ତାହା ସ୍ପଷ୍ଟ କରିଥିଲେ । ସେ ପିଏଲ୍‌ଆଇ ଯୋଜନାର ଆଶ୍ଚର୍ଯ୍ୟଜନକ ସଫଳତାକୁ ଗର୍ବର ସହିତ ଉପସ୍ଥାପନ କରି କହିଥିଲେ ଯେ, ଏହା୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆକର୍ଷିତ କରିଛି, ୨୨ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଓ ବିକ୍ରି କରିଛି, ୧୫ ଲକ୍ଷ କୋଟି ଟଙ୍କାର ରପ୍ତାନି ସୃଷ୍ଟି କରିଛି ଏବଂ ୧୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ କରିଛି । ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ, “ପୂର୍ବ ଲାଇସେନ୍ସ ରାଜ୍‌ର ଦଣ୍ଡ ମଡେଲ ବେକାରୀ ବୃଦ୍ଧି କରିଥିଲା, କିନ୍ତୁ ଆଜି ଆମର ପ୍ରୋତ୍ସାହନ ମଡେଲ ସକ୍ରିୟ ଭାବରେ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି ।”

ରାଜନୈତିକ ସ୍ଥିରତା ଏବଂ ନୀତି ନିରନ୍ତରତା ଯୋଗୁଁ ଦେଶର ଦ୍ରୁତ ବିକାଶର ହୋଇଛି ବୋଲି କହି ପ୍ରଧାନମନ୍ତ୍ରୀ ଶାସନ ସ୍ତରୀୟ ସଂସ୍କାର ଉପରେ ଗୁରୁତ୍ୱାରୋପ କରି ଏକ ସ୍ପଷ୍ଟ ରୋଡ୍‌ମ୍ୟାପ ରୂପରେଖ ପ୍ରଦାନ କରିଥିଲେ । ସେ ଏକ ପ୍ରତିବନ୍ଧକ ‘ଅନୁମତି ନ ମିଳିବା ପର୍ଯ୍ୟନ୍ତ ନିଷିଦ୍ଧ’(ପ୍ରୋହିବିଟେଡ୍ ଅନ୍‌ଲେସ୍ ପର୍‌ମିଟେଡ୍‌) ପଦ୍ଧତିରୁ ଏକ ପ୍ରଗତିଶୀଳ ‘ନିଷିଦ୍ଧ ନ ହେବା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ’(ପର୍‌ମିଟେଡ୍ ଅନ୍‌ଲେସ୍ ପ୍ରୋହିବିଟେଡ୍‌)ର ଆଧୁନିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ, ଯାହା ନିରନ୍ତର ପ୍ରଶାସନିକ ଅନୁମତିର ଆବଶ୍ୟକତାକୁ ହ୍ରାସ କରିଥିଲା । ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ସରକାର ଏବଂ ନାଗରିକଙ୍କ ମଧ୍ୟରେ ସମ୍ପର୍କର ମୌଳିକ ଆଧାର ସନ୍ଦେହ ନୁହେଁ, ଗଭୀର ବିଶ୍ୱାସ ହେବା ଉଚିତ୍ ।”

ଏହି ଦର୍ଶନକୁ ପ୍ରତିଫଳିତ କରୁଥିବା ନିର୍ଦ୍ଦିଷ୍ଟ ଆଇନଗତ ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଜନ ବିଶ୍ୱାସ ବିଲ୍ ପ୍ରତି ଇଙ୍ଗିତ କରିଥିଲେ । ଯାହା ଅନେକ ଛୋଟ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରିବା ସହ ଜେଲ ଦଣ୍ଡକୁ ଆର୍ଥିକ ଦଣ୍ଡ ସହିତ ବଦଳାଇଥିଲା । ସେ ଶିଳ୍ପଗୁଡିକ ଉପରେ ବୋଝକୁ ଯଥେଷ୍ଟ କମ କରିବା ପାଇଁ ୪୦,୦୦୦ରୁ ଅଧିକ ଅନୁପାଳନର ପଦ୍ଧତିଗତ ଅପସାରଣ ଏବଂ ୧୫୦୦ରୁ ଅଧିକ ପୁରୁଣା ଆଇନର ଉଚ୍ଛେଦ ଉପରେ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, “ଯେତେବେଳେ ଆମେ ଏହି ସମସ୍ତ ପ୍ରମୁଖ ସଂସ୍କାରକୁ ଏକାଠି ଦେଖୁ, ସେତେବେଳେ ଆମେ ସ୍ପଷ୍ଟ ଧାରଣା ପାଇଥାଉ ଯେ ଆମ ବ୍ୟବସାୟର କାନ୍ଧରୁ କେତେ ବଡ ବୋଝ ହ୍ରାସ ପାଇଛି ।”

ରାଜନୈତିକ ବିରୋଧେ ସତ୍ତ୍ୱେ ଆଇନଗତ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରୟାସର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସମୟରେ ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍‌’ ପାରିତ ହେବାକୁ ସ୍ୱାଗତ କରିଥିଲେ । ସେ ବୁଝାଇଥିଲେ ଯେ ୧୯ଶ ଶତାବ୍ଦୀର ବ୍ରିଟିଶ ଆଇନକୁ ହଟାଇ ଡିଜିଟାଲ ବ୍ୟାଙ୍କିଙ୍ଗ ରେକର୍ଡକୁ ଆଇନଗତ ମାନ୍ୟତା ପ୍ରଦାନ କରୁଥିବା ଏକ ଆଧୁନିକ ଆଇନ ଲାଗୁ କରିବା ଦ୍ୱାରା ଜଟିଳତା ବହୁଳ ଭାବରେ ହ୍ରାସ ପାଇବ ଏବଂ ବ୍ୟବସାୟ ସୁଗମତା ବୃଦ୍ଧି ପାଇବ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଏହା ଆଇନଗତ ଜଟିଳାତକୁ ସକ୍ରିୟ ଭାବରେ ହ୍ରାସ କରିବ, ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ବ୍ୟବସାୟ ସୁଗମତା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ।”

ମାନବ-କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇରେ କରାଯାଇଥିବା ବ୍ୟାପକ ସୁରକ୍ଷା ଉନ୍ନତିକରଣ କାର୍ଯ୍ୟକୁ ଉପସ୍ଥାପନ କରିଥିଲେ । ଯେଉଁଥିରେ ୬୫୦୦ରୁ ଅଧିକ ଷ୍ଟେସନ ଏବଂ ୧୦,୦୦୦ ଲେଭଲ୍ କ୍ରସିଂରେ ‘ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ’ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ପ୍ରାୟ ୯୦୦୦ ମାନବ-ବିହୀନ ଲେଭଲ୍ କ୍ରସିଂକୁ ହଟାଇବା ଫଳରେ ୨୦୧୪ ପୂର୍ବ ସ୍ଥିତି ତୁଳନାରେ ଟ୍ରେନ୍ ଦୁର୍ଘଟଣା ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ବ୍ୟବସ୍ଥାଗୁଡିକୁ ଏପରି ଭାବରେ ଗଠନ କରାଯିବା ଉଚିତ ଯେଉଁଥିରେ ପ୍ରତ୍ୟେକ ମଣିଷର ଜୀବନ ଏବଂ ସେମାନଙ୍କର ମୂଲ୍ୟବାନ ସମୟ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ରହିବ ।”

ଆଧୁନିକ ଶାସନ ବ୍ୟବସ୍ଥାର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ରେଳବାଇ ପରିମଳ ବ୍ୟବସ୍ଥାରେ ହୋଇଥିବା ବଡ଼ ଧରଣର ପରିବର୍ତ୍ତନକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ରୁ ଟ୍ରେନଗୁଡିକରେ ୩.୬ ଲକ୍ଷରୁ ଅଧିକ ବାୟୋ-ଟଏଲେଟ୍ ସ୍ଥାପନ କରାଯାଇଛି, ଯାହା ଫଳରେ ରେଳ ଧାରଣା ଉପରେ ମାନବ ବର୍ଜ୍ୟବସ୍ଥୁ ପଡ଼ିବାର ସମସ୍ୟା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇପାରିଛି । ଏହି ବୃହତ ପରିବର୍ତ୍ତନ କେବଳ ସଫେଇ ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ ଯାତ୍ରୀମାନଙ୍କ ସମ୍ମାନ, ସ୍ୱଚ୍ଛତା ଏବଂ ଆଧୁନିକ ଶାସନ ବ୍ୟବସ୍ଥା ସହିତ ଜଡ଼ିତ ବୋଲି ଶ୍ରୀ ମୋଦୀ କହିଥିଲେ ।

ନର ଗୁଣବତ୍ତା ପାଇଁ ସମୟାନୁବର୍ତ୍ତିତାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାପକାଠି ଭାବରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗର୍ବର ସହ ଦିଲ୍ଲି-ମିରଟ ‘ନମୋ ଭାରତ ରାପିଡ୍ ରେଲ୍‌’ ଏବଂ ଦିଲ୍ଲୀ ମେଟ୍ରୋର ଉଦାହରଣ ଦେଇଥିଲେ । ଉଭୟ ସେବା ୯୯.୯ ପ୍ରତିଶତ ସମୟାନୁବର୍ତ୍ତିତା ରେକର୍ଡ ସହିତ ପରିଚାଳିତ ହେଉଛି, ଯାହା ନ୍ୟୁୟର୍କ, ହଂକଂ ଏବଂ ପ୍ୟାରିସ୍ ଭଳି ସହରର ବ୍ୟବସ୍ଥା ସହିତ ସମକକ୍ଷ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଲେ, “ଏହା କେବଳ ସମୟାନୁସାରେ ଚାଲୁଥିବା ମେଟ୍ରୋ ଏବଂ ନମୋ ରାପିଡ୍ ରେଲ୍‌ର କାହାଣୀ ନୁହେଁ, ବରଂ ଏହା ସମୟ ସହିତ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ଭାରତର ଏକ ଗୌରବମୟ ପରିଚୟ ।

ନୀତିଗତ ସଂସ୍କାର ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ବୁଝାଇଲେ ଯେ, ଦେଶକୁ କୌଣସି କଠୋର କିମ୍ବା ପ୍ରତିବନ୍ଧକପୂର୍ଣ୍ଣ ନିୟମ ମାନିବାକୁ ବାଧ୍ୟ କରିବା ପରିବର୍ତ୍ତେ, ସରକାର ଦେଶର ଆବଶ୍ୟକତା ଅନୁଯାୟୀ ସକ୍ରିୟ, ଜନ-କଲ୍ୟାଣକାରୀ ଏବଂ ବିକାଶ-ଅନୁକୂଳ ନୀତି ପ୍ରସ୍ତୁତ କରୁଛନ୍ତି, ଯାହା ଭବିଷ୍ୟତ ଦୃଷ୍ଟିକୋଣ ସହ ଜନତାଙ୍କ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ । ସେ ଏକ ଐତିହାସିକ ଅସଂଗତିର ଉଦାହରଣ ଦେଲେ ଯେଉଁଥିରେ ନିଜ ନାଗରିକମାନଙ୍କ ପାଇଁ ଦେଶର ମାନଚିତ୍ର ପ୍ରସ୍ତୁତ କରିବା ବେଆଇନ ଥିଲା । ସେ ଦର୍ଶାଇଲେ ଯେ କିପରି ଭାବରେ ଭୂ-ସ୍ଥାନୀୟ ତଥ୍ୟ ଉପରୁ କଟକଣା ହଟାଇବା ଫଳରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିପୁଳ ଅଭିବୃଦ୍ଧି ଘଟିଛି । ଶ୍ରୀ ମୋଦୀ ଦୃଢ଼ତାର ସହ କହିଲେ, ନୀତିଗୁଡିକ ନିଶ୍ଚିତ ଭାବରେ ଦେଶ ଏବଂ ଦେଶବାସୀଙ୍କ ପ୍ରକୃତ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯିବା ଉଚିତ୍ ।

କଟକଣା ମୁକ୍ତ କରିବାର ପ୍ରଭାବକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କୃଷି, ପ୍ରତିରକ୍ଷା ଏବଂ ବିଷୟବସ୍ତୁ ନିର୍ମାଣ ଭଳି କ୍ଷେତ୍ରରେ ଭାରତର ଡ୍ରୋନ ଶିଳ୍ପର ଦ୍ରୁତ ଅଭିବୃଦ୍ଧିକୁ ଉଲ୍ଲେଖ କଲେ, ଯାହା ପୂର୍ବର କଠୋର ନିୟମାବଳୀ ଅଧୀନରେ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା । ଶ୍ରୀ ମୋଦୀ କହିଲେ, “ଆମେ ଡ୍ରୋନ୍ ଉଡାଣକୁ ସମସ୍ତ ପ୍ରକାର ବନ୍ଧନରୁ ସମ୍ପୂର୍ଣ୍ଣ ମୁକ୍ତ କଲୁ ଏବଂ ଆଜି ଭାରତର ଡ୍ରୋନ୍ ଶିଳ୍ପ ଅଭୂତପୂର୍ବ ଉଚ୍ଚତା ଆଡକୁ ଅଗ୍ରସର ହେଉଛି ।”

ପ୍ରଧାନମନ୍ତ୍ରୀ ସୀମାନ୍ତ ଭିତ୍ତିଭୂମିକୁ ଏକ ଦୁର୍ବଳତା ବଦଳରେ ଏକ ବିଶାଳ ରଣନୈତିକ ଶକ୍ତି ଭାବରେ ବିଚାର କରି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି । ସେ ଗର୍ବର ସହ ଉଲ୍ଲେଖ କରିଛନ୍ତି ଯେ, କେବଳ ୨୦୨୪ ଏବଂ ୨୦୨୫ରେ ‘ବର୍ଡର ରୋଡ୍ସ ଅର୍ଗାନାଇଜେସନ୍‌’ (ବିଆର୍‌ଓ) ଦେଶ ଉଦ୍ଦେଶ୍ୟରେ ୨୫୦ଟି ଭିତ୍ତିଭୂମି ପ୍ରକଳ୍ପ ଉତ୍ସର୍ଗ କରିଛି । ଶ୍ରୀ ମୋଦୀ ଦୃଢ଼ତାର ସହ କହିଛନ୍ତି, “ଯେତେବେଳେ ପ୍ରତିରକ୍ଷା ସମ୍ବନ୍ଧୀୟ ଚିନ୍ତାଧାରାରେ ମୌଳିକ ପରିବର୍ତ୍ତନ ଆସିଲା, ସେତେବେଳେ ସୀମାନ୍ତ ଭିତ୍ତିଭୂମିର ସମଗ୍ର ଚିତ୍ର ମଧ୍ୟ ବଦଳିଗଲା ।”

ଅତ୍ୟନ୍ତ ନିୟନ୍ତ୍ରିତ କ୍ଷେତ୍ରଗୁଡିକରେ ହୋଇଥିବା ଯୁଗାନ୍ତକାରୀ ଗଠନମୂଳକ ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ‘ଶାନ୍ତି ବିଲ୍‌’ (ଯାହା ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ସଫଳତାର ସହ ଉନ୍ମୁକ୍ତ କରିଥିଲା) ଏବଂ ୪୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ କାରଖାନାକୁ ୭ଟି ଆଧୁନିକ କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାର ଐତିହାସିକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ସେ ଏହି ସାହସିକ ପଦକ୍ଷେପଗୁଡିକୁ ଦେଶର ଆତ୍ମନିର୍ଭରଶୀଳତାକୁ ତ୍ୱାରାନ୍ୱିତ କରିବା ଏବଂ ୨୦୧୪ ତୁଳନାରେ ପ୍ରତିରକ୍ଷା ରପ୍ତାନିକୁ ୫୫ ଗୁଣ ବୃଦ୍ଧି କରିବାର ଶ୍ରେୟ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, “ଆଜି ଭାରତ ନିଜର ପ୍ରତିରକ୍ଷା ଆବଶ୍ୟକତା ପାଇଁ ମଧ୍ୟ ସକ୍ରିୟ ଭାବରେ ଆତ୍ମନିର୍ଭରଶୀଳ ହେଉଛି ଏବଂ ଆମର ପ୍ରତିରକ୍ଷା ରପ୍ତାନିରେ ବ୍ୟାପକ ବୃଦ୍ଧି ହୋଇଛି ।”

ଜୀବନ ଯାପନକୁ ସହଜ କରିବା ପାଇଁ କରାଯାଇଥିବା ସଂସ୍କାରଗୁଡିକ ଦୈନନ୍ଦିନ ଜୀବନରେ କିପରି ସାମିଲ ହୋଇଛି, ସେ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଡିଜିଟାଲ ଅଗ୍ରଗତି – ଯେପରିକି ଘରୋଇ ସାମଗ୍ରୀ ଅର୍ଡର କରିବା, କ୍ୟୁଆର୍ କୋଡ୍ ସ୍କାନ କରିବା ଏବଂ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବା –ଭାରତୀୟଙ୍କ ଜୀବନର ଏକ ସାଧାରଣ କିନ୍ତୁ ବୈପ୍ଳବିକ ଅଂଶ ପାଲଟିଯାଇଛି । ଶ୍ରୀ ମୋଦୀ କହିଲେ, “ଏହି ବିଷୟଗୁଡିକ ବାସ୍ତବରେ ଉଲ୍ଲେଖନୀୟ, କିନ୍ତୁ ବର୍ତ୍ତମାନ ଏଗୁଡିକ ଭାରତର ସାଧାରଣ ମଣିଷର ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତର ମଧ୍ୟବିତ୍ତ ଶ୍ରେଣୀ ଯେଉଁ ପ୍ରମୁଖ ପରିବର୍ତ୍ତନଗୁଡିକ ଦେଖିଛନ୍ତି ତାହା ଅନେକ ବିକଶିତ ଦେଶ ପାଇଁ ମଧ୍ୟ ସ୍ୱପ୍ନ ହୋଇ ରହିଛି । ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ, “ଭାରତରେ କରାଯାଇଥିବା ସଂସ୍କାର ଯୋଗୁଁ ଲୋକଙ୍କ ଜୀବନରେ ଯେଉଁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି, ତାହା ଆଜି ମଧ୍ୟ ଅନେକ ବିକଶିତ ଦେଶ ପାଇଁ ଏକ ଦୂର ସ୍ୱପ୍ନ ହୋଇ ରହିଛି ।”

ଭାରତର ଡିଜିଟାଲ ବିପ୍ଳବରୁ ମୂଳଦୁଆ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦେଶର ସ୍ଥିତି ଉପରେ ଜୋର୍ ଦେଇ କହିଲେ ଯେ, ଦେଶରେ ବିଶ୍ୱର ସବୁଠାରୁ ଶସ୍ତା ଡାଟା ଏବଂ ଦ୍ରୁତତମ ୫ଜି ସେବା ଉପଲବ୍ଧ ରହିଛି । ସେ ମୋବାଇଲ ଏବଂ ବ୍ୟାଙ୍କିଙ୍ଗ ସେବା ସହିତ ଆଧାର ସଂଯୋଗକୁ ପ୍ରଶଂସା କରିଥିଲେ, ଯାହା ସୁରୁଖୁରୁରେ ଇ-କେୱାଇସି ଏବଂ ଡିଜିଟାଲ ପ୍ରମାଣୀକରଣକୁ ସମ୍ଭବ କରିପାରିଛି ଏବଂ ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆୟକର ରିଟର୍ଣ୍ଣ ଦାଖଲ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଶ୍ରୀ ମୋଦୀ କହିଲେ, “ଆଜି ଯଦି ଆପଣଙ୍କୁ ଏକ ବ୍ୟାଙ୍କ ଖାତା ଖୋଲିବାକୁ ପଡେ, ତେବେ ସରକାର ବାସ୍ତବରେ ବ୍ୟାଙ୍କକୁ ସିଧାସଳଖ ଆପଣଙ୍କ ନିକଟକୁ ନେଇ ଆସିଛନ୍ତି ।”

ଟେଲିମେଡିସିନର ବ୍ୟାପକ ପ୍ରଭାବକୁ ପ୍ରଦର୍ଶନ କରି, ପ୍ରଧାନମନ୍ତ୍ରୀ ଇ-ସଂଜୀବନୀ ପ୍ଲାଟଫର୍ମର ପ୍ରଶଂସା କରିଥିଲେ । ଏହି ପ୍ଲାଟଫର୍ମ ପ୍ରାୟ ୫୦ କୋଟି ଟେଲି-ପରାମର୍ଶ (ଡାକ୍ତରଙ୍କ ସହିତ ଅନ୍‌ଲାଇନ୍ ପରାମର୍ଶ)କୁ ସଫଳ କରିପାରିଥିଲା ଏବଂ ଦୂରରୁ ଯାତ୍ରା କରୁଥିବା ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସିଧାସଳଖ ସୁବିଧାରେ ଯୋଗାଇଥିଲା । ପୂର୍ବରୁ ସେମାନଙ୍କୁ ବହୁ ଦୂରରୁ ଆସିବାକୁ ପଡୁଥିଲା । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, “ଆଜି ଡାକ୍ତର ସିଧାସଳଖ ଭାବରେ ସେମାନଙ୍କ ସ୍କ୍ରିନ୍‌ରେ ଅତ୍ୟନ୍ତ ସୁଲଭ ଏବଂ ଉପଲବ୍ଧ ।”

ଜାତୀୟ  ଯାତ୍ରା ଅଭିଜ୍ଞତାର ଆଧୁନିକୀକରଣକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ଡିଜି ଯାତ୍ରାର ବ୍ୟାପକ ଗ୍ରହଣ ଏବଂ ରାଜପଥରେ ‘ଫାଷ୍ଟଟ୍ୟାଗ୍‌’ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ, ଯାହା ସୁଗମ ଅବିଚଳିତ ପରିବହନ ସୁନିଶ୍ଚିତ କରିଥାଏ । ଶ୍ରୀ ମୋଦୀ କହିଥିଲେ ଯେ, ଏହା ଦ୍ୱାରା ସମୟ ସଞ୍ଚୟ ହେଉଛି, ଜୀବନ ଯଥେଷ୍ଟ ସହଜ ହେଉଛି, ଏବଂ କୋଟି କୋଟି ଲୋକ ସୁରକ୍ଷିତ ଭାବରେ ସେମାନଙ୍କର ପ୍ରଗତି ଉପରେ ଧ୍ୟାନ ଦେଇପାରୁଛନ୍ତି ।”

ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ ଯେ, ଦେଶରେ ବାସ୍ତବିକ ପରିବର୍ତ୍ତନ ପାଇଁ ତୁରନ୍ତ ନିର୍ବାଚନୀ ଲାଭ ଅପେକ୍ଷା ଦୀର୍ଘକାଳୀନ ପ୍ରଭାବ ଉପରେ ଆଧାରିତ ନିଷ୍ପତ୍ତି ତ୍ତ ଆବଶ୍ୟକ । ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, “ଦେଶକୁ ମୌଳିକ ଭାବରେ ପରିବର୍ତ୍ତନ କରୁଥିବା ନିଷ୍ପତ୍ତି ହେଉଛି ଯାହାର ପ୍ରଭାବ ଭୂମିରେ ସ୍ପଷ୍ଟ ଭାବରେ ଦେଖାଯାଏ ଏବଂ ବର୍ତ୍ତମାନ ତଥା ଭବିଷ୍ୟତ ଉଭୟକୁ ଧ୍ୟାନରେ ରଖି ନିଆଯାଇଥାଏ ।”

ଏହି ସ୍ଥାୟୀ ପଦ୍ଧତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ‘ପିଏମ୍ କୁସୁମ’ ଯୋଜନା ଏବଂ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି’ ଯୋଜନା ଉପରେ ଆଲୋକପାତ କରିଥିଲେ, ଯାହା ଚାଷୀ ଏବଂ ମଧ୍ୟବିତ୍ତ ବର୍ଗକୁ ବ୍ୟାପକ ଦୀର୍ଘକାଳୀନ ଲାଭ ପ୍ରଦାନ କରିଥାଏ । ସେ ଉଲ୍ଲେଖ କରିଥିଲେ ଯେ, କେବଳ ମାଗଣା ବିଦ୍ୟୁତ ଘୋଷଣା କରିବା ଦ୍ୱାରା ବ୍ୟାପକ ପ୍ରଶଂସା ମିଳିଥାନ୍ତା, କିନ୍ତୁ ସରକାର ୫୦ ଲକ୍ଷରୁ ଅଧିକ ପରିବାର ପାଇଁ ଛାତ ଉପରେ ସୌର ପ୍ଲାଣ୍ଟ ସବସିଡି ଦେବାର ସଶକ୍ତୀକରଣ ପଥ ବାଛିଛନ୍ତି । ଶ୍ରୀ ମୋଦୀ କହିଥିଲେ, “ବିପୁଳ ସ୍ଥାୟୀ ଶକ୍ତି ପ୍ରଦାନ କରିବା ପାଇଁ ପ୍ରତ୍ୟେକ ଘରର ଛାତ ଉପରେ ସୌର ଶକ୍ତି ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ ।”

ସୂର୍ଯ୍ୟଘର ଯୋଜନାର ଗଭୀର ସାମାଜିକ-ଆର୍ଥିକ ପ୍ରଭାବ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବ୍ୟାଖ୍ୟା କରିଥିଲେ ଯେ, କିପରି ପରିବାରଗୁଡିକ ଏହା ଫଳରେ କେବଳ ସେମାନଙ୍କ ବିଦ୍ୟୁତ ବିଲ୍ ହଟାଇବା ସହ ଗ୍ରୀଡକୁ ଅତିରିକ୍ତ ବିଦ୍ୟୁତ ବିକ୍ରି କରି ଆୟ ମଧ୍ୟ କରୁଛନ୍ତି । ଆଧୁନିକ ଉପକରଣ କିଣିବାକୁ ସକ୍ଷମ ହେଉଛନ୍ତି ଏବଂ ପିଲାମାନଙ୍କ ପାଇଁ ବିଦ୍ୟୁତ କାଟ ବିନା ଶାନ୍ତିରେ ଶୋଇବା ସୁନିଶ୍ଚିତ କରୁଛନ୍ତି ।” ନିର୍ବାଚନ ହେଉ କି ନହେଉ, ଏହି ସୂର୍ଯ୍ୟ ଘର ଏବଂ ଏହାର ଆଲୋକ ସ୍ଥାୟୀ ଭାବରେ ଦେଶର ପରିବାରଗୁଡିକୁ ବର୍ଷ ବର୍ଷ ଧରି ଲାଭ ପହଞ୍ଚାଇବ ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ।

ଯୁବବର୍ଗ, ମହିଳା, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଜୀବନଯାପନର ସହଜତା ଓ ବ୍ୟବସାୟ କରିବାର ସହଜତାର କ୍ରମାଗତ ସମ୍ପ୍ରସାରଣର ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ନିଶ୍ଚିତ କଲେ ଯେ, ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନର ‘ସଂସ୍କାର ଏକ୍ସପ୍ରେସ୍‌’ ଅତି ଦ୍ରୁତ ଗତିରେ ଆଗେଇବ । ଦେଶର ଆଭ୍ୟନ୍ତରୀଣ ଶକ୍ତିର ବିଶ୍ୱସ୍ତରୀୟ ପ୍ରଭାବ ଉପରେ ଗୁରୁତ୍ୱାରୋପ କରି ସେ କହିଲେ ଯେ, ଦେଶର ଅଗ୍ରଗତିକୁ ସୁରକ୍ଷିତ କରିବା ଦ୍ୱାରା ଅନ୍ତର୍ଜାତୀୟ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ ସ୍ଥିରତା ଆସିବ; ଏହା ପରେ ସେ କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇ ନିଜର ଅଭିଭାଷଣ ଶେଷ କରିଥିଲେ । ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, “ଭାରତ ଯେତେ ଅଧିକ ସ୍ଥିର ଏବଂ ଏହାର ଭବିଷ୍ୟତ ଯେତେ ଅଧିକ ସୁରକ୍ଷିତ ହେବ, ସେତେ ଅଧିକ ପରିମାଣରେ ବିଶ୍ୱକୁ ସୁରକ୍ଷାର ଅନୁଭବ ପ୍ରଦାନ କରିବାର ଶକ୍ତି ଏହିଠାରୁ ହିଁ ସୃଷ୍ଟି ହେବ ।”

 

SR