ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ‘କର୍ମଚାରୀ ଭବିଷ୍ୟ ନିଧି ସଂଗଠନ’ (ଇପିଏଫଓ) ଅଧୀନରେ ବାଧ୍ୟତାମୂଳକ ଅନ୍ତର୍ଭୁକ୍ତିକରଣ ପାଇଁ ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୫,୦୦୦ ଟଙ୍କା କରିବା ସମ୍ବନ୍ଧୀୟ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା। ଏକ ଏହି ନିଷ୍ପତ୍ତି ଫଳରେ ୫୧ ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ ବାଧ୍ୟତାମୂଳକ ଇପିଏଫଓ ପରିସର ମଧ୍ୟକୁ ଆସିବେ ବୋଲି ଆଶା କରାଯାଉଛି। ଏହା ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବ।
୨୦୦୪ରୁ ୨୦୧୪ ମଧ୍ୟରେ ଇପିଏଫଓ ବେତନ ସୀମାରେ କୌଣସି ପରିବର୍ତ୍ତନ ହୋଇନଥିଲା। କିନ୍ତୁ ସେପ୍ଟେମ୍ବର ୨୦୧୪ରେ ଏହାକୁ ବୃଦ୍ଧି କରି ୧୫,୦୦୦ ଟଙ୍କା କରାଯାଇଥିଲା। ବର୍ତ୍ତମାନର ନିଷ୍ପତ୍ତି କାରଣରୁ ସେହି ପ୍ରକ୍ରିୟା ଆଗକୁ ବଢ଼ି ବେତନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ଗତ କିଛି ବର୍ଷ ମଧ୍ୟରେ ବେତନରେ ନିରନ୍ତର ବୃଦ୍ଧି, ଆୟରେ ଉନ୍ନତି ଏବଂ ଆନୁଷ୍ଠାନିକ ନିଯୁକ୍ତିର କ୍ରମାଗତ ସମ୍ପ୍ରସାରଣକୁ ପ୍ରତିଫଳିତ କରୁଛି।
ବର୍ତ୍ତମାନ, ଯଦି ଜଣେ ନୂତନ କର୍ମଚାରୀ ମାସିକ ୧୫,୦୦୦ ଟଙ୍କାରୁ ଅଧିକ ବେତନରେ ନିଯୁକ୍ତି ପାଆନ୍ତି, ତେବେ ସେମାନେ ସ୍ୱତଃ ଇପିଏଫ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୁଅନ୍ତି ନାହିଁ । ବାଧ୍ୟତାମୂଳକ ଭବିଷ୍ୟ ନିଧି, ପେନସନ୍ ଓ ଆନୁଷଙ୍ଗିକ ବୀମା ସୁରକ୍ଷା ପରିସର ବାହାରେ ରହିଯାରନ୍ତି। ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବା ଦ୍ୱାରା ୧୫,୦୦୦ ରୁ ୨୫,୦୦୦ ଟଙ୍କା ବେତନ ବର୍ଗରେ ଥିବା କର୍ମଚାରୀଙ୍କ ଏକ ବଡ଼ ଅଂଶ ଆଇନଗତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧୀନକୁ ଆସିପାରିବେ।
ଏହି ଅନୁମୋଦନ ଫଳରେ ପ୍ରଯୁଜ୍ୟ ଯୋଜନା ବ୍ୟବସ୍ଥା ଅନୁଯାୟୀ ଭବିଷ୍ୟ ନିଧି ସଞ୍ଚୟ, ‘କର୍ମଚାରୀ ପେନସନ ଯୋଜନା’ (ଇପିଏସ୍) ଅଧୀନରେ ପେନସନ ସୁରକ୍ଷା ଏବଂ ‘କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା’ (ଇଡିଏଲଆଇ) ଅଧୀନରେ ବୀମା ସୁରକ୍ଷା ପାଇବାର ସୁଯୋଗ ବୃଦ୍ଧି ପାଇବ। ଏହା ସହିତ, ଏହା ଆଇନଗତ ଅବଦାନ ଏବଂ ପେନସନ -ଯୋଗ୍ୟ ବେତନ ବ୍ୟବସ୍ଥାକୁ ବର୍ତ୍ତମାନର ବେତନ ସ୍ତର ସହିତ ଅଧିକ ଉପଯୁକ୍ତ ଭାବରେ ସମାନ୍ତରାଳ କରିବାରେ ସହାୟକ ହେବ।
ସେପ୍ଟେମ୍ବର ୨୦୧୪ରେ ଶେଷ ଥର ପାଇଁ ବେତନ ସୀମା ସଂଶୋଧିତ ହେବା ପରଠାରୁ, ଭାରତରେ ବେତନରେ କ୍ରମାଗତ ବୃଦ୍ଧି, ଆୟରେ ଉନ୍ନତି ଏବଂ ଆନୁଷ୍ଠାନିକ ନିଯୁକ୍ତିର କ୍ରମାଗତ ସମ୍ପ୍ରସାରଣ ଦେଖିବାକୁ ମିଳିଛି। ଅନେକ ରାଜ୍ୟ ଏବଂ ବୃତ୍ତି କ୍ଷେତ୍ରରେ, ସର୍ବନିମ୍ନ ବେତନ ମଧ୍ୟ ବିଦ୍ୟମାନ ସୀମା ନିକଟତର ହୋଇଛି। ତେଣୁ, ଏହି ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବା ଦ୍ୱାରା ବଢୁଥିବା ବେତନ ସ୍ତର ଅନୁଯାୟୀ ଇପିଏଫଓ ବ୍ୟବସ୍ଥାର ଅପଡେଟ୍ ହେବ ଏବଂ କର୍ମଜୀବୀଙ୍କ ଏକ ବୃହତ୍ତର ବର୍ଗଙ୍କ ପାଇଁ ଆନୁଷ୍ଠାନିକ ସାମାଜିକ ସୁରକ୍ଷା ସୁବିଧା ଉପଲବ୍ଧ ହେବ।
ଏହି ପଦକ୍ଷେପ ଦ୍ୱାରା ନିଯୁକ୍ତିକୁ ଆନୁଷ୍ଠାନିକ ରୂପ ଦେବା, କର୍ମଚାରୀଙ୍କୁ ଅନୁଷ୍ଠାନ ସହ ବଜାୟ ରଖିବା ଏବଂ ଅବସର ପରବର୍ତ୍ତୀ ଦୀର୍ଘକାଳୀନ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସମ୍ଭବ ହେବ ବୋଲି ଆଶା କରାଯାଉଛି। ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ସ୍ୱୟଂଚାଳିତ ଭାବରେ ବୈଧାନିକ ସାମାଜିକ ସୁରକ୍ଷା ଢାଞ୍ଚାରେ ଆଣି, ଏହି ନିଷ୍ପତ୍ତି ଏହି ନୀତିକୁ ଦୃଢ଼ କରେ ଯେ ଆନୁଷ୍ଠାନିକ ନିଯୁକ୍ତି ସହିତ ପୋର୍ଟେବଲ୍ ଏବଂ ନିଶ୍ଚିତ ସାମାଜିକ ସୁରକ୍ଷା ରହିବା ଉଚିତ। ନିଯୁକ୍ତିଦାତାମାନଙ୍କ ପାଇଁ ମଧ୍ୟ, ବ୍ୟାପକ ସାମାଜିକ ସୁରକ୍ଷା କଭରେଜ୍ କର୍ମଚାରୀମାନଙ୍କୁ ବଜାୟ ରଖିବା, କର୍ମଚାରୀ ସ୍ଥିରତା ସୁନିଶ୍ଚିତ କରିବା, ମନୋବଳ ବୃଦ୍ଧି କରିବା ଏବଂ ଅଧିକ ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଚାରୀ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ।
ଏହି ପ୍ରସ୍ତାବ ଉପରେ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ବିସ୍ତୃତ ପରାମର୍ଶ କରାଯାଇଥିଲା ଏବଂ ୧୬ ଜୁନ୍ ୨୦୨୬ରେ ଅନୁଷ୍ଠିତ ବୈଠକରେ ବ୍ୟୟ ଅର୍ଥ କମିଟି ଦ୍ୱାରା ଏହାକୁ ସୁପାରିଶ କରାଯାଇଥିଲା। ବର୍ତ୍ତମାନର ବାର୍ଷିକ ବଜେଟ୍ ସହାୟତା ପ୍ରାୟ ୧୦,୨୫୦ କୋଟି ଟଙ୍କା ଥିବାବେଳେ, ସରକାରଙ୍କ ଉପରେ ପଡ଼ିବାକୁ ଥିବା ବାର୍ଷିକ ବ୍ୟୟ ପ୍ରାୟ ୧୧,୩୩୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ହେବାକୁ ଥିବା ଆକଳିତ ବ୍ୟୟ ପ୍ରାୟ ୫୬,୬୯୬ କୋଟି ଟଙ୍କା ଅଟେ।
ଇପିଏଫଓ ବର୍ତ୍ତମାନ ବିଶ୍ୱର ଅନ୍ୟତମ ବୃହତ୍ତମ ସାମାଜିକ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଛି, ଯାହା ଅଧୀନରେ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍), କର୍ମଚାରୀ ପେନ୍ସନ୍ ଯୋଜନା (ଇପିଏସ୍) ଏବଂ କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା (ଇଏଲଡିଆଇ) କାର୍ଯ୍ୟକାରୀ ହେଉଛି। ଇପିଏଫଓର ସର୍ବଶେଷ ତଥ୍ୟ ଅନୁଯାୟୀ, ପ୍ରାୟ ୭.୬୮ ଲକ୍ଷ ଅବଦାନକାରୀ ପ୍ରତିଷ୍ଠାନରେ ପ୍ରାୟ ୭.୯୮ କୋଟି ସଦସ୍ୟ ଅବଦାନ ଦେଉଛନ୍ତି। ଇପିଏସ୍ ମାଧ୍ୟମରେ ପ୍ରାୟ ୮୨ ଲକ୍ଷ ପେନ୍ସନ୍ଭୋଗୀଙ୍କୁ ପେନ୍ସନ୍ ସୁବିଧା ପ୍ରଦାନ କରାଯାଉଛି। ଇଏଲଡିଆଇ ଯୋଜନା ଇପିଏଫ୍ ସଦସ୍ୟତା ସହିତ ସଂଯୁକ୍ତ ବୀମା ସୁରକ୍ଷା ପ୍ରଦାନ କରିଥାଏ।
ଭାରତର କର୍ମଜୀବୀ ଗୋଷ୍ଠୀ ଏହାର ବିକାଶ ଯାତ୍ରାର ମୂଳାଧାର ଅଟନ୍ତି। ବେତନ ବୃଦ୍ଧି, ଆୟରେ ଉନ୍ନତି ଏବଂ ଆନୁଷ୍ଠାନିକ ନିଯୁକ୍ତିର ସମ୍ପ୍ରସାରଣ ସହିତ, ନିଯୁକ୍ତି ସୃଷ୍ଟି ଓ ଆନୁଷ୍ଠାନିକୀକରଣ ଉପରେ ସରକାରଙ୍କ ନିରନ୍ତର ଗୁରୁତ୍ୱ ଶ୍ରମିକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଇପିଏଫଓ ବେତନ ସୀମାରେ ବୃଦ୍ଧି ସୁନିଶ୍ଚିତ କରେ ଯେ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏହି ଅଗ୍ରଗତି ସହିତ ତାଳମେଳ ରଖିବ ଏବଂ ଅଧିକ ସଂଖ୍ୟକ ଆନୁଷ୍ଠାନିକ କର୍ମଚାରୀ ଆଇନଗତ ସାମାଜିକ ସୁରକ୍ଷା ସୁରକ୍ଷା ପାଇପାରିବେ।
ଏହି ଅନୁମୋଦନ ଏକ ଅନ୍ତର୍ଭୁକ୍ତମୂଳକ, ସୁଦୃଢ଼ ଏବଂ ଭବିଷ୍ୟତ – ପ୍ରସ୍ତୁତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଭାରତ ‘ବିକଶିତ ଭାରତ @୨୦୪୭’ ଆଡ଼କୁ ଅଗ୍ରସର ହେଉଥିବାରୁ, ଯେପରି ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧି, ବେତନ ବୃଦ୍ଧି ଏବଂ ଆନୁଷ୍ଠାନିକ ନିଯୁକ୍ତିର ସମ୍ପ୍ରସାରଣ ସହିତ ସମାନ୍ତରାଳ ଭାବେ ଆଗକୁ ବଢ଼ିବ ଏହା ସୁନିଶ୍ଚିତ କରେ।
ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଇପିଏଫଓ ଏହି ନିଷ୍ପତ୍ତିର କାର୍ଯ୍ୟକାରିତା ପାଇଁ ଆବଶ୍ୟକୀୟ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବେ।
****
SSP