Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉର୍ଜା ଗଙ୍ଗା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଉର୍ଜା ଗଙ୍ଗା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ  ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


  ମୁଁ ସର୍ବ ପ୍ରଥମେ କାଶୀବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି, ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଯେତେବେଳେ ମୁଁ ଟିଭିରେ ଦେଖିଲି, ସମ୍ବାଦପତ୍ର ମାନଙ୍କରେ ପଢିଲି, ଏଠାକାର କିଛି ସ୍ଥାନୀୟ ନାଗରିକ ମତେ ଫୋନ୍ କରି କହିଲେ କି, ଆମେ କାଶୀର ଲୋକମାନେ ଛୋଟି ଦିୱାଲୀ ପାଳନ କରିଲୁ । ୨୯ ସେପ୍ଟେମ୍ବରରେ ଯେତେବେଳେ ଦେଶର ସୈନିକମାନେ ପରାକ୍ରମ କରି ଦେଖାଇଲେ ସେତେବେଳେ ପୁରା କାଶୀ ନାଚି ଉଠିଥିଲା । କାଶୀର ଲୋକମାନେ ଦେଶର ସୁରକ୍ଷା ବଳମାନଙ୍କ ଯେଉଁ ଗୌରବ ଗାଥା ଶୁଣାଇଲେ ମା’ ଗଙ୍ଗାଙ୍କ ଆରତୀକୁ ଯେଭଳି ଭାବେ ସମର୍ପଣ କଲେ, ଏଠାକାର ସାଂସଦ ଭାବେ ଆପଣମାନଙ୍କ ଦ୍ଵାରା ସୈନିକମାନଙ୍କୁ ଏତେ ବଡ ସମ୍ମାନ ଅର୍ପଣ, ଗୌରବ ପ୍ରଦର୍ଶନରେ ମୋର ଖୁସିର କିଛି ଠିକଣା ରହୁ ନାହିଁ।

 

ଇଏ ଆପଣମାନେ ଯେଉଁ ଛୋଟି ଦିୱାଲୀ ପାଳନ କଲେ ସେଥିପାଇଁ ମୁଁ ଆପଣ ମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି । କେତେ ବର୍ଷ ପରେ ୧୨୫ କୋଟି ଦେଶବାସୀ ସୈନ୍ୟ ବାହିନୀର ଜବାନମାନଙ୍କୁ ବିଶ୍ଵାସ କରାଇବାରେ ସଫଳ ହେଲେ ଯେ, ଆପଣମାନେ ଏକା ନୁହନ୍ତି, ୧୨୫ କୋଟି ଦେଶବାସୀ ଆପଣଙ୍କ ପଛରେ ଛିଡା ହୋଇଛନ୍ତି । ଏବେ ଆମେ ବଡ ଦିୱାଲୀ ପାଳନ କରିବାକୁ ଯାଉଛୁ । ଆମେ ତ’ ନିଜ ପରିବାର ସହିତ ଦୀପାବଳୀ ପାଳନ କରିବା, ନିଜ ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବା, ଦୀପ ଜଳେଇବା, ଅନ୍ଧାର ଦୂର କରିବା, ରଙ୍ଗୀନ ଆଲୋକ ଜଳାଇବା, ସବୁ କିଛି କରିବା, କିନ୍ତୁ ଏହା ସେତେବେଳ ସମ୍ଭବ ହେବ ଯେତେବେଳେ କୋଉ ମା’ର ପୁଅ ସୀମାନ୍ତରେ ମୁତୟନ ହୋଇ ଆମର ସୁଖ ଶାନ୍ତି ପାଇଁ ନିଜକୁ ପ୍ରସ୍ତୁତ କରି ରଖିବ ।

 

ଏହି ଛୋଟି ଦିୱାଲୀ ପାଳନ କରି ଦେଶକୁ ଆପଣ ପଥ ଦେଖାଛନ୍ତି । ମୁଁ କାଶୀର ଲୋକମାନଙ୍କୁ, ଉତ୍ତର ପ୍ରଦେଶର ନାଗରିକମାନଙ୍କୁ, ସାରା ହିନ୍ଦୁସ୍ଥାନର ନାଗରିକମାନଙ୍କୁ, କାଶୀ ମାଟିରୁ ଆହ୍ଵାନ କରୁଛି କି ଏହି ଦୀପାବଳୀରେ ଆମେ ନିଜ ଲୋକମାନଙ୍କୁ ଯେଉଁଭଳି ଭାବେ ଶୁଭକାମନା ଦେଉ, ଠିକ୍ ସେହିପରି ଆମେ ସେନା ବାହିନୀର ଆମ ଜବାନ ମାନଙ୍କୁ, ଆମ ସୁରକ୍ଷା ବଳଙ୍କୁ, ଦୀପାବଳୀର ସନ୍ଦେଶ ପଠାଇ ତାଙ୍କ ସହିତ ଆମର ନିବିଡ ସଂପର୍କ ବିଷୟରେ ଅନୁଭବ କରାଇବା । ସିଏ ସ୍ଥଳ ସେନାର ହୁଅନ୍ତୁ, ଜଳ ସେନାର ହୁଅନ୍ତୁ, ବାୟୁ ସେନାର ହୁଅନ୍ତୁ, ତଟ ସୁରକ୍ଷା ବାହିନୀର ହୁଅନ୍ତୁ, ଇଣ୍ଡୋ-ତିବ୍ଦତ ଫୋର୍ସର ହୁଅନ୍ତୁ, ଆସାମ ରାଇଫଲ୍ସର ହୁଅନ୍ତୁ, ବିଏସ୍ଏଫର ହୁଅନ୍ତୁ, ସିଆରପିଏଫର ହୁଅନ୍ତୁ – ଯେ କେହି, ୧୨୫ କୋଟି ଦେଶବାସୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି । ଏହି ଦୀପାବଳୀରେ ଆମ ସମସ୍ତଙ୍କ ତରଫରୁ ତାଙ୍କ ପାଇଁ ଏକ ସନ୍ଦେଶ ଯିବା ଆବଶ୍ୟକ ।

 

ପଠାଇବା? କେମିତି ପଠାଇବା?

 

ଆପଣ ନିଜ ମୋବାଇଲରୁ ୧୯୨୨ ନମ୍ବରକୁ ମିସ୍ଡ କଲ କରନ୍ତୁ । ସେଠାରୁ ଆପଣଙ୍କ ପାଖକୁ ଏକ ବାର୍ତ୍ତା ଆସିବ । ସେହି ବାର୍ତ୍ତାରୁ ଆପଣ ନରେନ୍ଦ୍ର ମୋଦି ଆପ୍ ଡାଉନ୍-ଲୋଡ କରିପାରିବେ । ସେଠାରେ ସେନା ବାହିନୀର ଜବାନ ସନ୍ଦେଶ ବା ବାର୍ତ୍ତା ପଠାଇବା ପାଇଁ ଏକ ସ୍ଥାନ ଅଛି, ସେଠାରୁ ଆପଣ ସନ୍ଦେଶ ବା ବାର୍ତ୍ତା ପଠାଇବେ । ଦେଶର ସୁରକ୍ଷା ବାହିନୀକୁ ଆପଣଙ୍କ ସନ୍ଦେଶ ବା ବାର୍ତ୍ତା  ମିଳିବ ।

 

ଦେଶର ସୁରକ୍ଷା ବାହିନୀକୁ ସବୁ ସମୟରେ ଅନୁଭବ ହେବା ଦରକାର କି ଆମ ଯୌବନକୁ ଆମେ ଦେଶ ପାଇଁ ଲଗାଇ ଦେଉଛୁ  ତ’ ଦେଶବାସୀ ଆମ ପାଇଁ କେତେ ଗୌରବ ଅନୁଭବ କରୁଛନ୍ତି, କେତେ ଅଭିମାନ କରୁଛନ୍ତି । ତାଙ୍କୁ ପ୍ରତି କ୍ଷଣ ବା ମୁହୂର୍ତ୍ତରେ ଅନୁଭବ ହେବା ଦରକାର । ଖାଲି ବୋମା, ବନ୍ଧୁକ, ଏବଂ ଗୁଳିର ଶବ୍ଦ ମଧ୍ୟରେ ଅଛନ୍ତି ଏହା ଯଥେଷ୍ଟ ନୁହେଁ । ଦୁନିଆର କେଉଁ ଦେଶକୁ ଯଦି ସେନା ବାହିନୀର ଜବାନ ବିମାନରେ ଯାଉଛନ୍ତି, ରେଳଗାଡିରେ ଯାଉଛନ୍ତି, ଏବଂ ସେଠାରେ ଅନ୍ୟ ସମସ୍ତ ଯାତ୍ରୀ ତାଙ୍କୁ ଦେଖି ତାଳି ବଜାଇ ତାଙ୍କ ଗୌରବ ଗାଥା ଗାଉଛନ୍ତି ଓ ସେମାନେ ସେହିପଟେ ଯାଉଛନ୍ତି । ଏହା ଏକ ସାମାନ୍ୟ ସ୍ଵଭାବ ହେଉ । ଆମ ଦେଶରେ ଯେତେବେଳେ ବିଶେଷ ପରିସ୍ଥିତି ସୃଷ୍ଟି ହେଉଛି, ପରାକ୍ରମର କଥା ଆସୁଛି ସେତେବେଳେ ତ’ ଏକଦମ୍ ଦେଶଭକ୍ତିର ଭାବ ଉଛୁଳି ଉଠୁଛି, କିନ୍ତୁ ପରେ ତାହା ଥଣ୍ଡା ହୋଇଯାଉଛି । ସେନା ସହିତ, ସୁରକ୍ଷା ବଳ ସହିତ, ଏକ ଆତ୍ମୀୟ, ଗୌରବପୂର୍ଣ୍ଣ, ସମ୍ମାନଜନକ ସଂପର୍କ ଯୋଡିବାର ସଂସ୍କୃତି ସବୁ ସମୟରେ ରହିବା ଦରକାର । ବିଶେଷ ପରିସ୍ଥିତିରେ ଖାଲି ରହୁ ଏହା ଯଥେଷ୍ଟ ନୁହେଁ ।

 

ଏଥିପାଇଁ ମୁଁ ଏଥର ସେନାର ଜବାନମାନଙ୍କୁ ସନ୍ଦେଶ ବା ବାର୍ତ୍ତା ପଠାଇଛି ଏବଂ ଦେଶବାସୀଙ୍କୁ କହୁଛି କି ଆପଣମାନେ ମଧ୍ୟ ମୋ ସହିତ ଏହି ସନ୍ଦେଶରେ ଯୋଡି ହୁଅନ୍ତୁ ।

 

ଭାଇ-ଭଉଣୀମାନେ, ଆଜି ମୁଁ ସର୍ବ ପ୍ରଥମେ ଏହି ସବୁ ମନ୍ତ୍ରୀମାନଙ୍କୁ ଏବଂ ତାଙ୍କ ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଉଛି କାରଣ ମୋ ସଂସଦୀୟ କ୍ଷେତ୍ରରେ ଆଣମାନେ ଏତେ ସବୁ ଯୋଜନାଗୁଡିକ ଲାଗୁ କରିଛନ୍ତି ଏବଂ ମୋର ଏଠାକାର ମତଦାତାମାନଙ୍କର ସୁବିଧା ପାଇଁ ଆପଣମାନେ ଏତେ ବଢିଆ ବଢିଆ କାମ କରିଛନ୍ତି । ମୁଁ ପ୍ରଥମେ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ରେଳ ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି କି, ଆପଣମାନେ ମୋ ସ୍ଵଭାବକୁ ଭଲଭାବେ ବୁଝି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଶେଷ କରିଦେଇଛନ୍ତି, ନଚେତ ସରକାର ଏମିତି ହୋଇଥାନ୍ତି କି ଶିଳାନ୍ୟାସ ଗୋଟିଏ ସରକାର କରୁଥିବା ବେଳେ, ଉଦ୍ଘାଟନ ଦ୍ଵିତୀୟ ଅବା ତୃତୀୟ ସରକାରଙ୍କ ଭାଗ୍ୟରେ ଜୁଟି ଥାଏ । ସରକାର ଆସନ୍ତି ଏବଂ ଯାଆନ୍ତି, ବଦଳି ଯାଆନ୍ତି କିନ୍ତୁ  ସେହି ପଥର ପଡି ରହିଥାଏ ।

 

ଇଏ ହେଉଛି ଏମିତି ସରକାର ନିଜେ ଶିଳାନ୍ୟାସ କରନ୍ତି ଏବଂ ନିଜେ ମଧ୍ୟ ଉଦ୍ଘାଟନ କରିବାକୁ ଆଶା ରଖନ୍ତି । ଯୋଜନାଗୁଡିକ ସମୟ ସୀମା ମଧ୍ୟରେ ହେବା ଆବଶ୍ୟକ । ନିର୍ଦ୍ଧାରିତ ବଜେଟରେ ହେବା ଦରକାର । ଆବଶ୍ୟକ ପଡିଲେ ସମୟ ବଞ୍ଚିବା ଦରକାର ଏବଂ ଉତ୍ତମ ବା ଭଲ ମାନର କାମ ହେବା ଆବଶ୍ୟକ । ଏହି ସଂସ୍କୃତି ବିକଶିତ କରିବାର ପ୍ରୟାସ ଦିଲ୍ଲୀରେ ଆପଣ ଯେଉଁ ସରକାର ବସାଇଛନ୍ତି ସେମାନେ ଏହି ଉଦ୍ୟମ ଚଳାଇଛନ୍ତି ଏବଂ ମୁଁ ଆପଣମାନଙ୍କୁ ବିଶ୍ଵାସ କରିବାକୁ କହୁଛି ଯେ, ପ୍ରତି କ୍ଷେତ୍ରରେ ଏହା ହେବାକୁ ଯାଉଛି ।

 

ଆପଣମାନେ ଦେଖିଥିବେ ଆମର ଯେତେ ମନ୍ତ୍ରୀ ଏଠାରେ ଆପଣମାନଙ୍କୁ ଯାହା କହିଲେ କାର୍ଯ୍ୟକ୍ରମର ଯୋଜନା ବିଷୟରେ କହିଲେ, ତା’ ସହିତ ସମୟ କଥା ମଧ୍ୟ କହିଲେ । କାରଣ ମୋର ଇଚ୍ଛା ଥାଏ, ମୁଁ କାର୍ଯ୍ୟକ୍ରମ କିମ୍ବା କିଛି ଫାଇଲରେ ଦସ୍ତଖତ କରେ ତ, ପଚାରିଥାଏ ଟିକେ କୁହନ୍ତୁ କେବେ ସରିବ? ଯୋଜନାଗୁଡିକ କେବଳ ଖବରକାଗରେ ଛାପିବା ପାଇଁ ନୁହେଁ, ଖାଲି ବାହା ବାଃ… ନେବା ପାଇଁ ନୁହେଁ, ଯୋଜନାଗୁଡିକ ସାଧାରଣ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣୁ ଏହାକୁ କାର୍ଯ୍ୟନ୍ୱିତ କରିବା ପାଇଁ ହୋଇଥାଏ । ଏବଂ ଏହି ସରକାରଙ୍କ ଇଚ୍ଛା ଯେ, ଆମେ ଯେଉଁ ଯୋଜନାଗୁଡିକୁ ଆଣିବୁ ତାକୁ ନିଶ୍ଚୟ ଲାଗୁ କରିବୁ ।

 

ଏବେ ଆପଣ ଏଠି ଦେଖିଲେ ସୁକନ୍ୟା ସମୃଦ୍ଧି ଯୋଜନା । ଯେଉଁଦିନ ଆମେ ଏହି ଯୋଜନା ଘୋଷଣା କରିଥିଲୁ, ସମ୍ବାଦପତ୍ରରେ ମଧ୍ୟ ଆସିଥିଲା, କିଛି ଲୋକ ଜାଣିଲେ, କିଛି ଲୋକ ଜାଣି ପାରିଲେ ନାହିଁ, ଏବଂ କଥା ଆରମ୍ଭ ହେଲା ସରିଗଲା  କିନ୍ତୁ ଆମେ ଏମିତି କରୁ ନାହୁଁ, ପଛେ ପଛେ ଲାଗି ରହିଥାଉ କି ଭାଇ କୁହନ୍ତୁ କରୁଛନ୍ତି ନା ନାହିଁ? ସବୁ ଝିଅମାନଙ୍କ ପାଖରେ ଲାଭ ପହଞ୍ଚୁଛି ନା ନାହିଁ? ପଛରେ ଲାଗୁଛ ନା ନାହିଁ, ଲାଗୁଛ ତ? ତେବେ ଦେଖା କରୁଛ, କରିଛନ୍ତି ।

 

ଏଠାରେ ଆପଣମାନେ ଦେଖିଲେ, ମତେ କିଛି ପରିବାରକୁ ଗ୍ୟାସ୍ ସିଲିଣ୍ଡର ଦେବାର ସୁଯୋଗ ମିଳିଲା । ଆମକୁ ଜଣା ଅଛି ଗ୍ୟାସ୍ ସିଲିଣ୍ଡର ପାଇବା ପ୍ରଥମେ କେତେ କଷ୍ଟକର କାର୍ଯ୍ୟ ହୋଇଥିଲା । ସୁପାରିସ୍ କରିବାକୁ ପଡୁଥିଲା । ସାଂସଦଙ୍କ ଆଖପାଖରେ ବୁଲିବାକୁ ପଡୁଥିଲ।, ବଡ଼ ବଡ଼ ଅଫିସର ମଧ୍ୟ ସାଂସଦମାନଙ୍କୁ ଧରୁଥିଲେ କି ସାର, ମୋର ଏଠିକି ବଦଳି ହୋଇଛି ମୁଁ ଏଠିକି ଆସିଛି ଗ୍ୟାସ୍ ସଂଯୋଗ ଟିକେ ମତେ ମିଳିଯାଉ, ଦେଖନ୍ତୁ ନା ବହୁତ କଷ୍ଟରେ ଅଛି । ସାଂସଦମାନଙ୍କୁ ୨୫ଟି କୁପନ୍ ମିଳୁଥିଲା ଗ୍ୟାସ୍ ସଂଯୋଗ ଦେବା ପାଇଁ । ଏବଂ ସେହି ସାଂସଦ ୨୫ଟି କୁପନ୍ ନେଇ ଘୁରି ବୁଲୁଥିଲେ କି ତାଙ୍କ ପଛରେ ୨୦୦-୨୦୦ ଲୋକ ବୁଲୁଛନ୍ତି କି ସାହେବ, ଗୋଟିଏ କୁପନ୍ ମୋତେ ମଧ୍ୟ ଦିଅନ୍ତୁ । ଏ ସବୁ ଚାଲିଗଲା, ସରକାର ଆଗେ ଗରିବଙ୍କୁ ଖୋଜୁଛନ୍ତି, ଗରିବଙ୍କ ଘରକୁ ଖୋଜୁଛନ୍ତି ।

 

ମୋର ସ୍ଵପ୍ନ ଅଛି କି, ୩ ବର୍ଷରେ ହିନ୍ଦୁସ୍ଥାନର ଗରିବ ପରିବାରରେ ଯେଉଁଠି କାଠ ଚୁଲି ଜଳୁଛି, ଯେଉଁଠି ଖାଦ୍ୟ ତିଆରି କରିବା ପାଇଁ ପ୍ରତ୍ୟେକ ମା’ର ଦେହ ଭିତରକୁ ବହୁତ ଧୂଆଁ ଯାଉଛି, ସେହି ମା’ ମାନଙ୍କୁ ଧୂଆଁରୁ ରକ୍ଷା କରିବାକୁ ହେବ । ଗରିବର ଘରେ ଗ୍ୟାସ ଚୁଲି ଜଳାଇବାକୁ ହେବ । ଏହି ଉଦ୍ୟମ କରୁଛି ।

 

କିନ୍ତୁ ତା ସହିତ ବାରଣାସୀରେ ଗ୍ୟାସ୍ ପାଇପ୍ ଲାଇନ୍ କାର୍ଯ୍ୟକ୍ରମର ଆଜି ଶିଳାନ୍ୟାସ ହେଉଛି । ରୋଷେଇ ଘରକୁ ମଧ୍ୟ ନଳରେ ପାଣି ଆସୁଥିବ ନା ନାହିଁ ସେ କଥା ମତେ ଜଣା ନାହିଁ । ଏବେ ମଧ୍ୟ ଘର ବାହାରେ ପାଣି ଆଣିବା ପାଇଁ ଲୋକମାନଙ୍କୁ ବୋଧହୁଏ ଯିବାକୁ ପଡୁଥିବ । ମୋର ଚେଷ୍ଟା ହେଉଛି ଏବଂ ବିଶେଷକରି କାଶୀର ମା’ ଭଉଣୀମାନେ ମତେ ଆଶୀର୍ବାଦ ଦିଅନ୍ତୁ  ରୋଷେଇ ଘରେ ନଳ ଖୋଲିବା ମାତ୍ରେ ଗ୍ୟାସ୍ ଆସି ଯାଉ, ଖାଦ୍ୟ ରୋଷେଇ କରିବା ଆରମ୍ଭ ହୋଇଯାଉ । ନିର୍ଦ୍ଧାରିତ ସମୟରେ ଶହେ କୋଟି ଖର୍ଚ୍ଚ କରି ଗ୍ୟାସ୍ ପାଇପ୍ ଲାଇନ ବିଛାଇବା ଦିଗରେ ଆଜି କାର୍ଯ୍ୟ ଆରମ୍ଭ ହେଉଛି ।

 

ଅର୍ଥବ୍ୟବସ୍ଥାରେ ଉର୍ଜା ବା ଶକ୍ତିର ବଡ ମହତ୍ଵ ରହିଛି । ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା, ସାର ଉତ୍ପାଦନ କ୍ଷେତ୍ରରେ ଗ୍ୟାସର ଆବଶ୍ୟକତା ରହିଛି । ସେଥିପାଇଁ ଜଗଦିଶପୁର-ହଳଦିଆ ପାଇପ୍ ଲାଇନର ଯେଉଁ କାମ ଥିଲା ତାହା ତ ହେବ, କିନ୍ତୁ ତା’ ସହିତ ଆମେ ଦେଶର ସାତୋଟି ସହର ବିଶେଷ କରି ପୂର୍ବ ହିନ୍ଦୁସ୍ଥାନରେ ପାଇପ୍ ଲାଇନ ମାଧ୍ୟମରେ ଗ୍ୟାସ୍ ଦେବା ପାଇଁ ସ୍ଥିର କରିଛୁ । ସେହି ସବୁ ସହର ହେଉଛି ବାରଣାସୀ, ରାଞ୍ଚି, କଟକ, ପାଟଣା, ଜାମସେଦପୁର, ଭୁବନେଶ୍ଵର ଓ କୋଲକାତା । ସେହି ଅନୁସାରେ ଆଜି ମୋ ସଂସଦୀୟ କ୍ଷେତ୍ରରେ ଘରଗୁଡିକୁ ପାଇପ୍ ଲାଇନ ମାଧ୍ୟମରେ ଗ୍ୟାସ୍ ପହଞ୍ଚାଇବା ଦିଗରେ କାର୍ଯ୍ୟ ଚାଲିଛି ।

 

ଯାତାୟାତ ପାଇଁ ମଧ୍ୟ ଆପଣ ଯେଉଁ ପେଟ୍ରୋଲ ଓ ଡିଜେଲ ଗାଡି ଚଲାଉଛନ୍ତି, ଏବେ ସିଏନଜିରେ ଗାଡି ଚଳାଇ ପାରିବେ । ପେଟ୍ରୋଲ ଓ ଡିଜେଲ ଅପେକ୍ଷା ସିଏନଜି ଶସ୍ତା ମଧ୍ୟ ହେବ, ପରିବେଶ ପାଇଁ ମଧ୍ୟ ଲାଭବାନ ହେବ । ଏଠାରେ ପ୍ରାୟ ୨୦ ଲକ୍ଷ ବାହାନ ଅଛି ଯାହାକୁ ଉପକାର ମିଳିବ, ଯେତେବେଳେ ସିଏନଜି ଷ୍ଟେସନ ଖୋଲିଯିବ । ଏବଂ ଏହି ସାତୋଟି ସହରରେ ବହୁତ ଅଧିକ ସଂଖ୍ୟାରେ ଯାନବାହନ ଅଛି, ତେଣୁ ପରିବେଶକୁ ବହୁତ ବଡ ଲାଭ ମିଳିବ ।  ଦେଶକୁ ବିଦେଶରୁ ପେଟ୍ରୋଲିୟମ ଆଣିବାକୁ ପଡୁଛି, ସେଥିରେ ମଧ୍ୟ ଆର୍ଥିକ ଭାବେ ଦେଶର ସଞ୍ଚୟ ହେବ। ତ ଏମିତି ଏକ ଯୋଜନା ଯାହା ଲୋକଙ୍କ ସୁବିଧା ପାଇଁ ହେବ ଏବଂ ଆଗାମୀ ପିଢୀର ଭବିଷ୍ୟତ ପାଇଁ ପରିବେଶକୁ ମଧ୍ୟ ରକ୍ଷା କରି ପାରିବ ।

 

ଏହା ମୋର ସ୍ପଷ୍ଟ ମତ ଯେ, ଯଦି ଆମେ ଭାବିବା ଯେ ଭାରତର କେଉଁ ଅଞ୍ଚଳ ଆଗେଇ ଗଲେ ଦେଶ ଆଗକୁ ବଢି ଯିବ ତାହା ସମ୍ଭବ ନୁହେଁ । ଦେଶ ସେତେବେଳେ ଆଗେଇବ ଯେତେବେଳେ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ବିକାଶ ହେବ, ବିଶେଷକରି ହିନ୍ଦୁସ୍ଥାନର ପୂର୍ବାଞ୍ଚଳରେ ବିକାଶ ହେଉ । ସେ ପୂର୍ବ ଉତ୍ତର ପ୍ରଦେଶ ହେଉ, ବିହାର ହେଉ, ବଙ୍ଗଳା ହେଉ, ଝାଡଖଣ୍ଡ ହେଉ, ଓଡ଼ିଶା ହେଉ, ପୂର୍ବୋତ୍ତର ପ୍ରଦେଶ ହେଉ, ଆସାମ ହେଉ – ଏହି ସମସ୍ତ କ୍ଷେତ୍ର ଆର୍ଥିକ ଗତିବିଧିର କେନ୍ଦ୍ର ହେବ ତ ଆମକୁ ଏହି ପ୍ରକାରର ସୁବିଧା ସହିତ ତାକୁ ଯୋଡିବାକୁ ପଡିବ ।

 

ବିଗତ ଦିନରେ ଆପଣମାନେ ଦେଖିଥିବେ କାଶୀର ସଙ୍ଗୀତକୁ ଦୁନିଆର ଐତିହ୍ୟ ଜଗତରେ ସ୍ଥାନ ମଳିଲା । ଏହା କାଶୀ ପାଇଁ ଥିଲା ଗୌରବର ବିଷୟ । ଏହା ସର୍ବ ବିଦ୍ୟାର କେନ୍ଦ୍ର । ସଂଙ୍ଗୀତ କ୍ଷେତ୍ରରେ କାଶୀ ଦେଶ ଓ ଦୁନିଆକୁ ବହୁତ କିଛି ଦେଇଛି । ସେହି ପରମ୍ପରାକୁ ଐତିହ୍ୟ ରୂପରେ  ଦୁନିଆ ମଧ୍ୟରେ ସ୍ଥାନ ମିଳିଲା । ସେଥିରୁ ପ୍ରେରଣା ନେଇ ଆଜି କାଶୀର ପୋଷ୍ଟାଲ ଷ୍ଟାମ୍ପ…ଏବଂ ମୁଁ ଚାହିଁବି କାଶୀର ଲୋକ ନିଜ ଡାକ କାର୍ଯ୍ୟରେ କାଶୀର ପୋଷ୍ଟାଲ ଷ୍ଟାମ୍ପକୁ ହିଁ ଲଗାଇବାର ଅଭ୍ୟାସ ରଖନ୍ତୁ । ତାହା ନିଜସ୍ଵ ଭାବେ ଆପଣଙ୍କ ପରିଚୟ ବଢାଇବ । ଥରେ ଡାକ ଟିକଟ ଯାଉଛି ତ ଦୁନିଆରେ ତାହା ପର୍ଯ୍ୟଟନର କାରଣ ହୋଇଥାଏ । ସେଥିରୁ ଏକ ପ୍ରକାର ପରିଚୟ ମିଳିଥାଏ । କାଶୀର ଗୌରବ ଗାନ ହୋଇଥାଏ । ବହୁତ ପୂର୍ବରୁ ଆମ ଦେଶରେ ସହରଗୁଡିକର ଡାକ ଟିକଟର କଳ୍ପନା ହୋଇଥିଲା, କିନ୍ତୁ ସେହି ମାମଲା ଆଗକୁ ବଢୁ ନ ଥିଲା । ଆମେ କାଶୀକୁ ଏହି କାମ ପାଇଁ ବାଛିଲୁ । ପୁଣି ଆଉ ଥରେ ଶୁଭାରମ୍ଭ ହେଲା ଏବଂ  ଏଥିପାଇଁ ଆମର ଏହି ପୁରାତନ ସହରକୁ ଏକ ନୂଆ ରୂପରେ ଦୁନିଆ ସାମ୍ନାରେ ପହଞ୍ଚାଇବାରେ ଏକ କାମ ହେବ ।

 

ଆଜି ଏଠାରେ କୃଷକମାନଙ୍କ ପାଇଁ ଏକ ବହୁତ ବଡ ତଥା ମହତ୍ଵପୂର୍ଣ୍ଣ ରାଜା ଜଳାଶୟ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଆମ କୃଷକମାନେ ବଡ ସହରର ଅଖପାଖରେ ପନିପରିବା ଚାଷ କରିଥାନ୍ତି । ଏହି ରାଜା ଜଳାଶୟ ଏମିତି ଏକ ଜାଗା ଯାହା ହେଉଛି ପୂର୍ବ, ପଶ୍ଚିମ, ଉତ୍ତରରେ ସଡକ ଏବଂ ରେଳପଥକୁ ଯୋଗାଯୋଗ କରିବାର କେନ୍ଦ୍ର ବିନ୍ଦୁ । ଏହା ସେହି ଅଞ୍ଚଳ ଯେଉଠି ଆମ କୃଷକ ସବୁଠାରୁ ଅଧିକ ପନିପରିବା, ଫଳ ଓ ଫୁଲ ଚାଷ କରନ୍ତି । ଯଦି ସେମାନଙ୍କୁ ଏହି ପ୍ରକାରର ସୁବିଧା ମିଳେ ଏବଂ ସେମାନଙ୍କ ଫସଲ ନଷ୍ଟକୁ ରୋକି ହୁଏ ଏବଂ ପରିବହନର ସୁବିଧା ମିଳେ ତେବେ ଆମ କୃଷକମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳିବ । ଏବଂ ଏହି ବ୍ୟବସ୍ଥା ଏମିତି ଯେ ଏହି ଅଞ୍ଚଳର କୃଷକମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ସେମାନେ ନିଜ ଇଚ୍ଛାରେ ଯେତେବେଳେ ମୂଲ୍ୟ ମିଳିବ ସେତେବେଳେ ମାଲ୍ ବିକ୍ରି କରି ପାରିବେ ନ ହେଲେ ସେତେବେଳ ପର୍ଯ୍ୟନ୍ତ ନିଜ ମାଲ୍ ସୁରକ୍ଷିତ କରି ରଖି ପାରିବେ । ସୁବିଧା ମିଳିଯାଏ, ବ୍ୟବସ୍ଥା ମିଳିଯାଏ, ପରିବହନ ବ୍ୟବସ୍ଥା ମାଧ୍ୟମରେ ସେ ଯୋଡି ହୋଇ ଯାଏ ତ ନା କେବଳ ଏହି ଅଞ୍ଚଳ ସେ କୋଲକାତାରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଏବଂ କେଉଁଠିକି ମଧ୍ୟ ନିଜ ପନିପରିବା ବିକ୍ରି କରିବା ପାଇଁ ନେଇ ପହଞ୍ଚି ଯିବ । ଏଠାକାର ଫୁଲକୋବି ତ ବହୁତ ପ୍ରସିଦ୍ଧ । ଏଠାକାର ଜିନିଷ ବଡ ସ୍ଵାଦିଷ୍ଟ ମଧ୍ୟ । ଏଠାକାର କୃଷି ଉତ୍ପାଦନ ଉପରେ ମା’ ଗଙ୍ଗାଙ୍କ ଆଶୀର୍ବାଦ ଅଛି । ଏହାର ଏକ ସ୍ଵତନ୍ତ୍ର ସ୍ଵାଦ ଅଛି ତ ଏଥି ପାଇଁ ବଜାରରେ ଏହାର ଏକ ପରିଚୟ ସୃଷ୍ଟି ହେବ ।

 

ଆଜି ଆମର ମନୋଜ ସିହ୍ନାଜୀ କାଶୀ ପାଇଁ ଆଉ ଏକ ଗୌରବ ଆଣି ଦେଇଛନ୍ତି । ଡାକ ବିଭାଗ ଆମର ଏଠାକାର ବହୁତ ପୁରାତନ ବ୍ୟବସ୍ଥା । ଯେ ପର୍ଯ୍ୟନ୍ତ ଟେକ୍ନାଲୋଜି ବା ବୈଷୟିକ ଜ୍ଞାନ ଆସି ନଥିଲା ଡାକବାଲା ସମସ୍ତଙ୍କ ଘରେ ପ୍ରତୀକ୍ଷାର କାରଣ ପାଲଟିଥିଲା । ଡାକ ଆସୁ ବା ନ ଆସୁ  କିନ୍ତୁ  ପ୍ରତି ପରିବାର ତା’ ଆସିବା ବାଟକୁ ଚାହିଁ ରହୁଥିଲେ କି ଡାକବାଲା ଆସି ଚାଲି ଯାଇ ନାହିଁ ତ? ଯଦି ପୁଅ ବାହାରେ ରହୁଛି ତେବେ ତ’ ସେମାନେ ପ୍ରତିଦିନ ଡାକବାଲାକୁ ମନେ ପକାଉ ଥିଲେ । ଡାକର ଏକ ନିଜସ୍ଵ ମହତ୍ଵ ରହିଛି ।

 

ନୂଆ ସମୟରେ ଡାକର ସ୍ଵରୂପ ବଦଳି ଯାଇଛି । ଆମେ ଡାକକୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପରିବର୍ତ୍ତନ କରୁଛୁ । ଡାକଘର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଇବ । ଦେଶରେ ଆଜି ଯେତେ ବ୍ୟାଙ୍କଗୁଡିକର ଶାଖାସବୁ ରହିଛି କେବଳ ଡାକ ବିଭାଗର ଏକା ସେତିକି ଶାଖା ରହିଛି । ଦେଢ ଲକ୍ଷରୁ ଅଧିକ । ସେଗୁଡିକ ସବୁ ବ୍ୟାଙ୍କିଙ୍ଗ କାମ କରିବେ । ସେଗୁଡିକ ଯେବେ ନୂଆ ଜୋନ୍ ହେବେ ତ,ଏଠାକାର ସୁବିଧାସବୁ ଉପରେ ସ୍ଵତନ୍ତ୍ର ଦୃଷ୍ଟି ରହିବ, କୁଶଳତା ଆସେ ଏବଂ ପରିଣାମ ମିଳିଥାଏ । ସେହିସବୁ କାମକରିବା ପାଇଁ ଏକ କ୍ଷେତ୍ରୀୟ ବ୍ୟବସ୍ଥା କାଶୀର ଆଖପାଖ ଜିଲ୍ଲାକୁ ମିଶାଇ କରାଯାଉଛି । ଏକ ନୂଆ ଜୋନ୍  ନିର୍ମାଣ କରାଯାଇଛି ।

 

ଆଜିକାଲି ଇ-କମର୍ସ ବା ଇ-ବାଣିଜ୍ୟର କାରବାର ବହୁତ ବଢି ଯାଇଛି । ଲୋକେ ଅନ୍ ଲାଇନରେ ନିଜ ଜିନିଷ କିଣୁଛନ୍ତି । କିନ୍ତୁ ସେହି ସମୟ ବେଶି ଦୂର ନୁହେଁ, ଯେତେବେଳେ ଡାକଘର ଏହି ସବୁ ଜିନିଷ ଦେବା ଏ କ୍ଷେତ୍ରର ବଡ କେନ୍ଦ୍ର ହେବ । ଆଜି ମନରେଗାର ପଇସା ଦେବାକୁ ହେଉ, ଛାତ୍ରବୃତ୍ତିର ପଇସା ହେଉ, ଭତ୍ତା ପଇସା ଦେବା ହେଉ – ବ୍ୟାଙ୍କର ଶାଖା କମ୍ ଅଛି । ଏହି ସୁବିଧା ବଢିବା କାରଣରୁ ଯେଉଁ ବୟସ୍କ ଲୋକ ଅଛନ୍ତି, ବିଦ୍ୟାର୍ଥୀ, ବିଧବା, ଅଛନ୍ତି ତାଙ୍କୁ ଡାକ ଓ ବ୍ୟାଙ୍କ ସେବା ସହ ଯୋଡିବା କରଣରୁ ଏହି ସୁବିଧାଗୁଡିକ ସରଳ ଭାବେ ଉପଲବ୍ଧ ହେବ । ଏହା ହେବା ଦ୍ଵାରା ବ୍ୟବସାୟୀ ବର୍ଗ, ବିଶେଷକରି ଛୋଟ ଛୋଟ ବ୍ୟବସାୟୀଙ୍କୁ ନିଜ କାରବାର ଚଳାଇବାରେ ଏକ ନୂଆ ସୁବିଧା ଉପଲବ୍ଧ ହେବ । ଏହି କାମକୁ ମଧ୍ୟ ଆଜି ଆପଣମାନଙ୍କ ସମ୍ନାରେ ପ୍ରସ୍ତୁତ କରାଗଲା ।

 

ରେଳ ହେଉଛି ଆମ ଦେଶର ବହୁତ ପୁରୁଣା ବ୍ୟବସ୍ଥା । ଯେତେବେଳେ ସଂସଦରେ ବଜେଟ୍  ଆଗତ ହେଉଥିଲା ଏବଂ ରେଳ ମନ୍ତ୍ରୀ ହଜାରେ, ଲକ୍ଷ, କୋଟିର ଘୋଷଣାମାନ କରନ୍ତି, କୌଣସି ସାଂସଦ ତାଙ୍କୁ ଶୁଣନ୍ତି ନାହିଁ, କିନ୍ତୁ ଯେତେବେଳେ ସେ କହିବା ଆରମ୍ଭ କରନ୍ତି କି ଅମୁକ ସହର ସହିତ ଅମୁକ ସହରକୁ ଏକ ଡବା ଯୋଡି ଦିଆଯିବ, ତ ତୁରନ୍ତ ସାଂସଦ ତାଳି ବଜେଇବା ଆରମ୍ଭ କରି ଦିଅନ୍ତି । ଅମୁକ ଜାଗାରେ ଟ୍ରେନ ରହିବା ପାଇଁ ଷ୍ଟପେଜ ହେବ, ତାଳି ବାଜୁଥିଲା । ଅମୁକ ଜାଗାକୁ ନୂଆ ଟ୍ରେନ ଦିଆଯିବ ତ, ତାଳି ବାଜୁ ଥିଲା । ରେଳ ବଜେଟ୍ ଏହାରି ଉପରେ ସିମୀତ ଥିଲା କି  କେଉଁ ସାଂସଦଙ୍କ କେଉଁ ଇଲାକାରେ ଟ୍ରେନ ରହିବ, ଯିବ ନା ଯିବ ନାହିଁ । ଏହାରି ଉପରେ ରେଳ ସିମୀତ ହୋଇଗଲା ।

 

ରେଳ ଭାରତର ଏତେ ବଡ ନେଟୱାର୍କ, କିନ୍ତୁ ତାର ହାଲଚାଲ, ରୂପ, ରଙ୍ଗ ହେଉଛି ବିଗତ ଶତାବ୍ଦୀର । ଆମେ ସ୍ଵପ୍ନ ଦେଖିଛୁ କି, ରେଳକୁ ଆଧୁନିକ କରିବାର ଆବଶ୍ୟକତା ରହିଛି । ରେଳର ବେଗ ବଢାଇବାର ଆବଶ୍ୟକତା ରହିଛି । ରେଳ ବିଦ୍ୟୁତକରଣକୁ ପରିବର୍ତ୍ତିତ ହେବାର ଆବଶ୍ୟକତା ରହିଛି । ଗେଜ୍ ପରିବର୍ତ୍ତନର ଆବଶ୍ୟକତା ରହିଛି ।  ଦୂର-ସୂଦୁର ଅଞ୍ଚଳ ସହିତ ଯୋଡିବାର ଆବଶ୍ୟକତା ରହିଛି ଏବଂ ସେଥି ପାଇଁ  ବହୁତ ବଡ ଯୋଜନା ଯାହା ଆମ ରେଳ ମନ୍ତ୍ରୀ କହୁଥିଲେ, ସ୍ଵାଧୀନତା ପରେ ଯେତେ ଟଙ୍କା ଖର୍ଚ୍ଚ କରାଯାଇଛି, ଯେତିକି କାମ ନ ହୋଇଥିଲା ବିଗତ ଅଢେଇ ବର୍ଷରେ ଏବଂ ପୂର୍ବ ମାସରେ ଆମେ ଏତେ କାମ କରିଛୁ । ଏବଂ ସେହି କାମ ମଧ୍ୟରେ ଯେତେବେଳେ ଆହ୍ଲାବାଦ ଦୁଇ ଲାଇନ୍ ବିଶିଷ୍ଟ ହୋଇଯିବ, ନୂଆ ପୋଲ ହୋଇଯିବ, ବେଗ ମଧ୍ୟ ବଢିବ, ବ୍ୟବସାୟକୁ ମଧ୍ୟ ଳାଭ ମିଳିବ । ଥରେ ଏହିଭଳି ଗତିଶୀଳ ଭିତ୍ତିଭୂମୀର ଢାଞ୍ଚା ଉପଲବ୍ଧ ହେବ ତ, ଆର୍ଥିକ ଗତିବିଧି ବୃଦ୍ଧି ପାଇବ । ଏହା କେବଳ ରେଳ ଧାରଣାର ଖେଳ ନୁହେଁ, ଏହା ମଧ୍ୟ ଗୋଟିଏ ଟ୍ରେନ ଦୌଡିବାର କାମ ନୁହେଁ, ଏହା ପୁରା ଅର୍ଥବ୍ୟବସ୍ଥାକୁ ବଦଳାଇ ଦିଏ । ଏହି କାମ ପାଇଁ ଆମେ ଆଜି ଏଠି ଏକ ବଡ ପଦକ୍ଷେପ ନେଇଛୁ । ଏହାର ଲାଭ ମଧ୍ୟ ଆପଣମାନଙ୍କୁ ମିଳିବ ।

 

ଆଜି ମଧ୍ୟ ବିଜୁଳି ପାଇଁ ଗୋଟିଏ ଲୋକାର୍ପଣ ହେଲା । ବିଜୁଳି ରହିଛି କିନ୍ତୁ ଅଧିକାଂଶ ଲୋକଙ୍କୁ ଜଣା ନାହିଁ ଯେ,  ବିଜୁଳି କାରଖାନାରେ ବିଜୁଳି ଉତ୍ପାଦନ ହେଲେ ମଧ୍ୟ ବିଜୁଳି ମିଳେ ନାହିଁ । ବିଜୁଳି କାରଖାନା ମଧ୍ୟ ପ୍ରତିଷ୍ଠା ହେଲା, ତାର ମଧ୍ୟ ଲାଗିଲା, କିନ୍ତୁ ତାହା ଦ୍ଵାରା ବିଜୁଳି ଆସେ ନାହିଁ । ଯେମିତି ପ୍ରବାହମାନ ପାଣିକୁ ପହଞ୍ଚାଇବା ପାଇଁ ବନ୍ଧ ଆବଶ୍ୟକ ହୁଏ, କିମ୍ବା ନଳକୂପ ମାଧ୍ୟମରେ ପାଣି ଉପରକୁ ନେଇ ଟାଙ୍କିରେ ଭରିବା ପରେ ତଳେ ପହଞ୍ଚି ଥାଏ, ସେହିପରି ବିଜୁଳିକୁ ମଧ୍ୟ ଏହି ପ୍ରକାରର ସବ୍ ଷ୍ଟେସନର ଆବଶ୍ୟକତା ପଡିଥାଏ ଯାହାଦ୍ଵାରା ବିଜୁଳିକୁ ଆଗକୁ ପହଞ୍ଚିବା ପାଇଁ ଧକ୍କା ଲାଗିଥାଏ ।

 

ଏହି କାମ ବେଶ ବ୍ୟୟ ବହୁଳ, କିନ୍ତୁ ସବ୍ ଷ୍ଟେସନ ନ ହେଲେ ମଧ୍ୟ ବିଜୁଳି ଆସିଥାଏ, ଯାଇ ଥାଏ, କେବେ ଟିଭି ଜଳି ଯାଇଥାଏ, କେବେ ମୋଟର ଜଳି ଯାଇଥାଏ, କେବେ ଏସି ଜଳି ଯାଇଥାଏ, ସ୍ଥିରତା ରହି ନ ଥାଏ । କ୍ଵାଲିଟି ପାୱାର ମିଳି ନ ଥାଏ । ଏଥିପାଇଁ ଭିତ୍ତିଭୂମିର ଆବଶ୍ୟକତା ଥାଏ । କିନ୍ତୁ ଅଧିକାଂଶ ସରକାରଙ୍କୁ ଏହି ପ୍ରକାର ଖର୍ଚ୍ଚ କରିବାକୁ ଡର ଲାଗିଥାଏ । ତାଙ୍କୁ ଲାଗିଥାଏ ଠିକ୍ ଅଛି ଲୋକ ଚଳେଇ ନେବେ, ବିଜୁଳି ଆସୁ ନ ଆସୁ  ସେମିତି କିଛି ଦିନ ଚାଲିଥାଉ । କ୍ଵାଲିଟି ବିଜୁଳି ନ ରହିଲେ ତ, ଆର୍ଥିକ ବିକାଶ ଏକ ବହୁତ ବଡ ସରଳ ରାସ୍ତା ହୋଇଯାଏ । ଉଦ୍ୟୋଗପତି ମଧ୍ୟ ସେତେବେଳେ ପଇସା ଖର୍ଚ୍ଚ କରିଥାନ୍ତି ଯେତେବେଳେ କ୍ଵାଲିଟି ବିଜୁଳି ମିଳିଥାଏ । ଆସୁଥାଏ, ଯାଉଥାଏ, ପଚାରୁଥାନ୍ତି, କରୁଥାନ୍ତି, ହେଲା, ହେଲା ନାହିଁ, ଏହିଭଳି କଥାରେ କେବେ ବିକାଶ ହୁଏ ନାହିଁ । ଏହି ଯେଉଁ ପାୱାର ସବ୍ ଷ୍ଟେସନ ବସା ଯାଇଛି ଯାହାର ଉଦ୍ଘାଟନ ହେଲା, ତାହା କ୍ଵାଲିଟି ପାୱାରର ଗ୍ୟାରେଣ୍ଟି ଦେଉଛି ।

 

ଏହିପରି ଆଜି କୌଣସି ଗୋଟିଏ ସମାରୋହରେ ପାଖାପାଖି ୫୦୦୦ କୋଟି ଟଙ୍କାର କାର୍ଯ୍ୟ କାଶୀର ମାଟିକୁ ଅର୍ପଣ ହେଉଛି ।

 

ଇଏ ଛୋଟ କାମ ନୁହେଁ । ଏବଂ ବଡ ବଡ ଯୋଜନା ଗୁଡିକ, ମୁଁ କହିବି କି ଆଜି ସାତୋଟି ଯୋଜନା ମୋ କାଶୀବାସୀଙ୍କ ସାମ୍ନାରେ ଲୋକାର୍ପଣ ରୂପରେ ଅବା ଶିଳାନ୍ୟାସ ରୂପରେ ରଖାଯାଇଛି । ଗୋଟିଏ ପଟେ ଏହି ସପ୍ତର୍ଷି ଅଛନ୍ତି । ଯେମିତି ଆକାଶରେ ସପ୍ତର୍ଷି ଦିଗର କାମ କରୁଛନ୍ତି, ସପ୍ତର୍ଷିଙ୍କୁ ଦେଖି ସମୁଦ୍ରରେ ନାବିକ ନିଜ ଦିଗ ଚିହ୍ନଟ କରିଥାଏ, ପୂର୍ବ କାଳରେ ଜଙ୍ଗଲରେ ଯାଉଥିବା ଲୋକ ସପ୍ତର୍ଷିଙ୍କୁ ଦେଖି ନିଜ ରାସ୍ତା ସ୍ଥିର କରିଥାନ୍ତି । କାଶୀର ବିକାଶ ରାସ୍ତା ତିଆରି କରିଲାବାଲା ଏହି ସପ୍ତର୍ଷି ଆଜି ମତେ ଏଠାକାର ମାଟିକୁ ଦେବାର ସୁଯୋଗ ମିଳିଛି ।

 

କାଶୀର ବିରଳ ପ୍ରେମ ମତେ ମିଳୁଛି । ବହୁତ ଅଧିକ ପ୍ରେମ ମିଳୁଛି । ମୁଁ ଆପଣମାନଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି ଏବଂ ମୋର ବିଶ୍ଵାସ ଅଛି କି ବିକାଶର ଯାତ୍ରା ଦ୍ରୁତ ଗତିରେ ପୂର୍ବ ଭାରତକୁ ବଦଳେଇବାର କାମ କରିବ ଏବଂ କାଶୀ ନିଜର ଶକ୍ତି ଦେଖାଇବ ଏହି ବିଶ୍ଵାସର ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

**********