Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ ଗୁରୁଦାସପୁରର କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକ ଉଦଘାଟନ କରିବା ସହିତ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

କର୍ତାରପୁର କରିଡର ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁ ନାନକ ଦେବଜୀଙ୍କ ଜୀବନୀ ଆଧାରିତ ଏକ ଡିଜିଟାଲ ପ୍ରଦର୍ଶନୀ ଏବଂ ଯାତ୍ରୀ ଟର୍ମିନାଲ ବିଲ୍ଡିଂକୁ ବୁଲି ଦେଖିଥିଲେ ।

ଯାତ୍ରା ପୂର୍ବରୁ ସେ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ସହିତ ମତ ବିନିମୟ କରିଥିଲେ ।

କରତାରପୁର କରିଡର ଚେକପୋଷ୍ଟ ଆରମ୍ଭ ହେବା ଫଳରେ ପାକିସ୍ତାନସ୍ଥିତ ଗୁରୁଦ୍ୱାରା କର୍ତାରପୁର ସାହେବ ଯିବା ଲାଗି ଭାରତୀୟ ଶ୍ରଦ୍ଧାଳୁମାନଙ୍କୁ ସୁବିଧା ମିଳିପାରିବ ।

ଉଲ୍ଲେଖଯୋଗ୍ୟ ଯେ ଡେରା ବାବା ନାନକ ନିକଟରେ ଅନ୍ତର୍ଜାତୀୟ ସୀମାସ୍ଥିତ ଜିରୋ-ପଏଂଟରେ କର୍ତାରପୁର ସାହେବ କରିଡର ନିର୍ମାଣ କରିବା ଲାଗି ଭାରତ ଅକ୍ଟୋବର 24, 2019ରେ ପାକିସ୍ତାନ ସହିତ ବୁଝାମଣା କରିଥିଲା ।

ସାରା ଦେଶ ଏବଂ ବିଶ୍ୱବ୍ୟାପୀ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଐତିହାସିକ 550ତମ ପ୍ରକାଶ ପର୍ବ ମହାସମାରୋହରେ ଆୟୋଜନ କରିବା ଲାଗି 22 ନଭେମ୍ବର, 2018ରେ କେନ୍ଦ୍ର କ୍ୟାବିନେଟ ଏକ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା ।

କେନ୍ଦ୍ର କ୍ୟାବିନେଟ ଡେରା ବାବା ନାନକରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ କର୍ତାରପୁର କରିଡର ନିର୍ମାଣ ଏବଂ ବିକାଶକୁ ମଞ୍ଜୁରି ଦେଇଥିଲା । ଯାହାଦ୍ୱାରା ବର୍ଷସାରା ଭାରତୀୟ ଶ୍ରଦ୍ଧାଳୁମାନେ ଗୁରୁଦ୍ୱାରା ଦରବାର ସାହେବ ଯିବା ଲାଗି ସୁବିଧା ପାଇପାରିବେ ।

ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା :

ଡେରା ବାବା ନାନକକୁ ଅମୃତସର-ଗୁରୁଦାସପୁର ରାଜପଥ ସହ ଯୋଡ଼ିବା ଲାଗି 120 କୋଟି ଟଙ୍କା ବ୍ୟୟରେ ଚାରି ଲେନ ବିଶିଷ୍ଟ 4.2 କିମି ଲମ୍ବ ରାଜପଥ ନିର୍ମାଣ କରାଯାଇଛି ।

15 ଏକର ଜମିରେ ଭବ୍ୟ ଯାତ୍ରୀ ଟର୍ମିନାଲ ଭବନ ନିର୍ମାଣ କରାଯାଇଛି, ଏହି ଭବନ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ଏବଂ ଏହାର ନିର୍ମାଣ ବିମାନ ବନ୍ଦର ଭଳି କରାଯାଇଛି । ଏଠାରେ 50ଟି ଇମିଗ୍ରେସନ କାଉଂଟର ରହିଛି, ଯେଉଁଠି ଦୈନିକ 5 ହଜାର ଶ୍ରଦ୍ଧାଳୁଙ୍କୁ ସେବା ପ୍ରଦାନ କରାଯାଇପାରିବ ।

ମୁଖ୍ୟ ଅଟ୍ଟାଳିକାରେ ଶୌଚାଳୟ, ସହାୟତା କେନ୍ଦ୍ର, ଶିଶୁଙ୍କ ପାଇଁ ସୁବିଧା, ପ୍ରାଥମିକ ଚିକିତ୍ସା ସୁବିଧା, ପ୍ରାର୍ଥନା କକ୍ଷ, ସ୍ୱଳ୍ପାହାର କାଉଂଟର ଆଦି ରହିଛି ।

ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ଏବଂ ଜନସୂଚନା ପ୍ରଣାଳୀର ବ୍ୟବସ୍ଥା ହୋଇଛି । ଅନ୍ତର୍ଜାତୀୟ ସୀମାରେ 300 ଫୁଟ ଉଚ୍ଚ ଜାତୀୟ ପତାକା ଉଡ଼ାଯାଇଛି ।

24 ଅକ୍ଟୋବରରେ ପାକିସ୍ତାନ ସହିତ ସ୍ୱାକ୍ଷରିତ ରାଜିନାମାରେ କର୍ତାରପୁର ସାହିବ କରିଡର କାର୍ଯ୍ୟକ୍ଷମ କରିବା ଲାଗି ଔପଚାରିକ ବ୍ୟବସ୍ଥା ରହିଛି ।

ଏହି ରାଜିନାମାର ବିଶେଷତ୍ୱ ହେଲା

ବୁଝାମଣାର ମୁଖ୍ୟ ବିଶେଷତ୍ୱ :

•   ସବୁ ଧର୍ମର ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବ ଶ୍ରଦ୍ଧାଳୁ ଏହି କରିଡର ଉପଯୋଗ କରିପାରିବେ ।

•   ଯାତ୍ରା ପାଇଁ ଭିସା ଆବଶ୍ୟକ ହେବ ନାହିଁ ।

•   ଶ୍ରଦ୍ଧାଳୁଙ୍କ ନିକଟରେ କେବଳ ବୈଧ ପାସପୋର୍ଟ ଥିବା ଆବଶ୍ୟକ ।

•   ଭାରତୀୟ ବଂଶୋଦ୍ଭବ ଶ୍ରଦ୍ଧାଳୁ ନିଜ ଦେଶର ପାସପୋର୍ଟ ସହିତ ଓସିଆଇ କାର୍ଡ ରଖିବା ଜରୁରି ।

•   କରିଡର ସୂର୍ଯ୍ୟ ଉଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖୋଲା ରହିବ । ସକାଳୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ସେହି ଦିନ ହିଁ ଫେରିବାକୁ ପଡ଼ିବ ।

•   କେବଳ ବିଜ୍ଞପିତ ଦିନଗୁଡ଼ିକୁ ଛାଡ଼ି ଦେଲେ କରିଡର ସାରାବର୍ଷ ଖୋଲା ରହିବ । ବିଜ୍ଞପିତ ଦିନ ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ ।

•   ଶ୍ରଦ୍ଧାଳୁମାନଙ୍କୁ ଏକାକୀ କିମ୍ବା ଦଳଗତ ଭାବେ ଅଥବା ପାଦରେ ଚାଲି ଚାଲି ଯିବା ପାଇଁ ଅନୁମତି ମିଳିବ ।

•   ଯାତ୍ରା ତାରିଖର 10 ଦିନ ପୂର୍ବରୁ ଭାରତ ଶ୍ରଦ୍ଧାଳୁଙ୍କ ତାଲିକା ପାକିସ୍ତାନକୁ ଅର୍ପଣ କରିବ । ଯାତ୍ରା ତାରିଖର 4 ଦିନ ପୂର୍ବରୁ ଶ୍ରଦ୍ଧାଳୁମାନଙ୍କୁ ଯାତ୍ରା ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯିବ ।

•   ‘ଲଙ୍ଗରପ୍ରସାଦବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ କରାଯିବ ବୋଲି ପାକିସ୍ତାନ ପକ୍ଷରୁ ଭାରତକୁ ଆଶ୍ୱାସନା ଦିଆଯାଇଛି ।

ପଞ୍ଜିକରଣ ପାଇଁ ପୋର୍ଟାଲ :

ଶ୍ରଦ୍ଧାଳୁମାନଙ୍କୁ ନିଜ ଯାତ୍ରା ବିଷୟରେ prakashpurb550.mha.gov.in ରେ ପଞ୍ଜିକରଣ କରିବାକୁ ପଡ଼ିବ । ଯାତ୍ରା ତାରିଖ ଠାରୁ 3ରୁ 4 ଦିନ ପୂର୍ବରୁ ପଞ୍ଜିକରଣ ଚୁଡ଼ାନ୍ତ ହେବା ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ଏସଏମଏସ କିମ୍ବା ଇ-ମେଲ ଜରିଆରେ ଦିଆଯିବ । ଏଥିସହିତ ଇଲେକ୍ଟ୍ରୋନିକ ଟ୍ରାଭେଲ ଅଥରାଇଜେସନ (ଇଟିଏ) ମଧ୍ୟ ପ୍ରସ୍ତୁତ ହୋଇଯିବ । ଶ୍ରଦ୍ଧାଳୁଙ୍କୁ ପାସପୋର୍ଟ ସହିତ ଇଟିଏ ସାଙ୍ଗରେ ନେବାକୁ ହେବ ।

 

**********