ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜିଇଏମର ପରିସର ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ମଞ୍ଜୁରି ଫଳରେ ସମବାୟ କ୍ରେତାମାନେ ଜିଇଏମ ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ଲାଗି ଅନୁମତି ପାଇପାରିବେ ।

ସରକାରୀ କ୍ରେତାମାନଙ୍କ ପାଇଁ ଏକ ମୁକ୍ତ ଓ ପାରଦର୍ଶୀ କ୍ରୟ ବ୍ୟବସ୍ଥା ଯୋଗାଇ ଦେବା ଲାଗି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ଅଗଷ୍ଟ ୯ ତାରିଖରେ ସରକାରୀ ଇ ମାର୍କେଟପ୍ଲେସ୍ (ଜିଇଏମ) ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା । ୨୦୧୭ ମେ ୧୭ ତାରିଖରେ ଜାତୀୟ ସରକାରୀ କ୍ରୟ ପୋର୍ଟାଲ ଭାବେ ଗଭର୍ଣ୍ଣମେଣ୍ଟ ଇ–ମାର୍କେଟ ପ୍ଲେସ୍ (ଜିଇଏମ ଏସପିଭି) ନାମରେ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ଗଠନ କରାଯାଇଥିଲା । ଏଥିପୂର୍ବରୁ ୨୦୧୭ ମସିହା ଏପ୍ରିଲ ୧୨ ତାରିଖରେ ଏହି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଥିଲା। ବର୍ତ୍ତମାନ ସବୁ ସରକାରୀ କ୍ରେତା ଯଥା : କେନ୍ଦ୍ର ଓ ରାଜ୍ୟ ମନ୍ତ୍ରଣାଳୟ, ବିଭାଗ, ସରକାରୀ ଉଦ୍ୟୋଗ, ସ୍ବୟଂଶାସିତ ସଂସ୍ଥା, ସ୍ଥାନୀୟ ପ୍ରଶାସନ ଆଦିଙ୍କ କ୍ରୟ ପାଇଁ ଏହି ପ୍ଲାଟଫର୍ମ ଖୋଲା ରହିଛି । ବର୍ତ୍ତମାନର ଶାସନାଦେଶ ଅନୁଯାୟୀ, ଜିଇଏମ ପୋର୍ଟାଲ ଘରୋଇ କ୍ଷେତ୍ରର କ୍ରେତାଙ୍କ ବ୍ୟବହାର ପାଇଁ ଉପଲବ୍ଧ ନାହିଁ । ତେବେ ଯୋଗାଣକାରୀ (ବିକ୍ରେତା) ବିଭିନ୍ନ କ୍ଷେତ୍ର ଯଥା : ସରକାରୀ କିମ୍ବା ଘରୋଇ ହୋଇପାରିବେ ।
4SOB.jpeg)
ହିତାଧିକାରୀଙ୍କ ସଂଖ୍ୟା:
କ୍ୟାବିନେଟଙ୍କ ଏହି ନିଷ୍ପତ୍ତି ଫଳରେ ୮ ଲକ୍ଷ ୫୪ ହଜାର ପଞ୍ଜିକୃତ ସମବାୟ ସଂସ୍ଥା ଏବଂ ସେମାନଙ୍କର ୨୭ କୋଟି ସଦସ୍ୟ ଲାଭାନ୍ବିତ ହୋଇପାରିବେ । ଜିଇଏମ ପୋର୍ଟାଲ ସାରା ଦେଶରେ ସବୁ କ୍ରେତା ଓ ବିକ୍ରେତାଙ୍କ ପାଇଁ ଖୋଲା ରହିଛି ।
ବିବରଣୀ :
କାର୍ଯ୍ୟକାରିତା ରଣନୀତି ଓ ଲକ୍ଷ୍ୟ:
ଏଥିପାଇଁ ଜିଇଏମ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଇଏମ ପୋର୍ଟାଲରେ ଆବଶ୍ୟକ ବୈଶିଷ୍ଟ ଓ କାର୍ଯ୍ୟକ୍ଷମତାକୁ ସାମିଲ କରାଯିବ, ଭିତ୍ତିଭୂମିର ଉନ୍ନତିକରଣ କରାଯିବ, ହେଲ୍ପଡେସ୍କ ଓ ପ୍ରଶିକ୍ଷଣ ଇକୋସିଷ୍ଟମକୁ ସୁଦୃଢ଼ କରାଯିବ ଏବଂ ସମବାୟ ସଂସ୍ଥାଗୁଡ଼ିକର ଅନବୋର୍ଡିଂ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ସମବାୟ ମନ୍ତ୍ରଣାଳୟର ନିଷ୍ପତ୍ତି କ୍ରମେ ନିର୍ଦ୍ଧାରିତ ସମୟ ଅବଧି ଓ ବ୍ୟବସ୍ଥାକ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ । ସମବାୟ ମନ୍ତ୍ରଣାଳୟ ଏବଂ ଜିଇଏମ (ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ) ମଧ୍ୟରେ ଆପୋସ ସମନ୍ବୟ ସ୍ଥାପନ କରାଯାଇ ମାଇଲଖୁଣ୍ଟ ଏବଂ ଲକ୍ଷ୍ୟ ତାରିଖ ନିର୍ଦ୍ଧାରଣ କରାଯିବ ।

ନିଯୁକ୍ତି ସୁଯୋଗ ସୃଷ୍ଟି ସମେତ ଅନ୍ୟାନ୍ୟ ପ୍ରଭାବ :
ସାଧାରଣରେ ବ୍ୟବହାର ହେଉଥିବା ସାମଗ୍ରୀ ଓ ସେବା କିଣିବା ପାଇଁ ଜିଇଏମକୁ ଏକ ୱାନଷ୍ଟପ୍ ପୋର୍ଟାଲ ଭାବେ ପୂର୍ବରୁ ବିକଶିତ କରାଯାଇସାରିଛି । ତେଣୁ ସମବାୟ ସଂସ୍ଥାଗୁଡ଼ିକୁ ଏହି ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ପାଇଁ ଅନୁମତି ମିଳୁ ବୋଲି ସମବାୟ ମନ୍ତ୍ରଣାଳୟ ଚାହୁଁଥିଲା । ଜିଇଏମ ପୋର୍ଟାଲ, ସ୍ବଚ୍ଛ, ପାରଦର୍ଶୀ ଓ ଦକ୍ଷ ହୋଇଥିବା ବେଳେ ଏଥିରେ ବ୍ୟାପକ ଆର୍ଥିକ କାରବାର ଏବଂ ଶୀଘ୍ର କ୍ରୟ ପାଇଁ ବ୍ୟବସ୍ଥା ରହିଛି । ଉପରୋକ୍ତ ପରିପ୍ରେକ୍ଷୀରେ, ଆବଶ୍ୟକ ସାମଗ୍ରୀ ଓ ସେବା କ୍ରୟ ଲାଗି ସମବାୟ ସମିତିଗୁଡ଼ିକୁ ଜିଇଏମ ପୋର୍ଟାଲରେ ପଞ୍ଜିକରଣ ଅନୁମତି ମିଳିବା ଫଳରେ ଏସବୁ ସଂସ୍ଥା ଏକ ମୁକ୍ତ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବିତାମୂଳକ ମୂଲ୍ୟରେ କ୍ରୟ କରିବାକୁ ସକ୍ଷମ ହୋଇପାରିବେ । ଅଧିକନ୍ତୁ, ସମବାୟ ସମିତିଗୁଡ଼ିକରେ ୨୭ କୋଟିରୁ ଅଧିକ ସଦସ୍ୟ ରହିଥିବାରୁ, ଜିଇଏମ ଜରିଆରେ ସାମଗ୍ରୀ ଓ ସେବା କ୍ରୟ କରାଯିବା ଫଳରେ କେବଳ ସାଧାରଣ ଜନତା ଆର୍ଥିକ ଦୃଷ୍ଟିରୁ ଲାଭାନ୍ବିତ ହେବେ ନାହିଁ ବରଂ ସମବାୟ ସଂସ୍ଥାଗୁଡ଼ିକର ବିଶ୍ବସନୀୟତା ବୃଦ୍ଧି ପାଇବ । ଆବଶ୍ୟକ କାର୍ଯ୍ୟକ୍ଷମତା ବଢ଼ାଇବା, ବୈଷୟିକ ଭିତ୍ତିଭୂମି ପରିଚାଳନା କରିବା ଏବଂ ଏକାଧିକ ଅଂଶୀଦାରଙ୍କ ସମ୍ପୃକ୍ତି ସହିତ କାର୍ଯ୍ୟ କରିବା କ୍ଷେତ୍ରରେ ଜିଇଏମ ଏକ ଅତ୍ୟାଧୁନିକ କ୍ରୟ ପୋର୍ଟାଲ ଭାବେ ନିଜକୁ ବିକଶିତ କରିପାରିଛି । ଦେଶରେ ଏକ ପାରଦର୍ଶୀ କ୍ରୟ ଇକୋସିଷ୍ଟମ ବିକଶିତ କରିବାରେ ଜିଇଏମର ସମୃଦ୍ଧ ଅଭିଜ୍ଞତା ରହିଛି । ସମବାୟ ସମିତି ପାଇଁ କ୍ରୟ ପ୍ରକ୍ରିୟାରେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିବା ଲାଗି ଏହି ଅଭିଜ୍ଞତାକୁ ବିନିଯୋଗ କରାଯାଇପାରିବ । ଏହା ସମବାୟ ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ଭାବେ ‘‘ବ୍ୟବସାୟିକ ସୁଗମତା’’ ବଢ଼ାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଜିଇଏମରେ ପଞ୍ଜିକୃତ ବିକ୍ରେତାମାନଙ୍କ ପାଇଁ ଏହା ଏକ ବଡ଼ କ୍ରେତା ଆଧାର ଯୋଗାଇ ଦେବ ।
WEIV.jpeg)
ସମ୍ପୃକ୍ତ ବ୍ୟୟ ଭାର :
ପ୍ରସ୍ତାବିତ ସମ୍ପ୍ରସାରଣ ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ଜିଇଏମ–ଏସପିଭି ବର୍ତ୍ତମାନର ପ୍ଲାଟଫର୍ମ ଏବଂ ସଂଗଠନକୁ ଉପଯୋଗ କରିବା ଜାରି ରଖିବ । ଏହା ବ୍ୟତୀତ ବୈଷୟିକ ଭିତ୍ତିଭୂମି, ଅତିରିକ୍ତ ପ୍ରଶିକ୍ଷଣ ଏବଂ ସହାୟକ ସମ୍ବଳ ପାଇଁ କିଛି ପରିମାଣରେ ନିବେଶ ଆବଶ୍ୟକ ହୋଇପାରେ । ଏହି ବର୍ଦ୍ଧିତ ଖର୍ଚ୍ଚ ଭରଣା ପାଇଁ, ସମବାୟ ସଂସ୍ଥାଗୁଡ଼ିକ ଠାରୁ ଜିଇଏମ ପକ୍ଷରୁ ଉପଯୁକ୍ତ କାରବାର ଶୁଳ୍କ ବା ଟ୍ରାଞ୍ଜାକ୍ସନ ଫି’ ନିଆଯିବ, ତେବେ ସମବାୟ ମନ୍ତ୍ରଣାଳୟ ସହିତ ଆପୋସ ବିଚାରବିମର୍ଶ କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଜିଇଏମ ଅନ୍ୟ ସରକାରୀ କ୍ରେତାମାନଙ୍କ ଠାରୁ ନେଉଥିବା ଶୁଳ୍କ ଠାରୁ ଏହି ଶୁଳ୍କ ଅଧିକ ହେବ ନାହିଁ । ଜିଇଏମ ପରିଚାଳନାର ଦୀର୍ଘସ୍ଥାୟିତ୍ବ ସୁନିଶ୍ଚିତ କରିବା ଲାଗି ଏହାର ଯୋଜନା କରାଯିବ । ତେଣୁ ସରକାରଙ୍କୁ କୌଣସି ଅତିରିକ୍ତ ଆର୍ଥିକ ବ୍ୟୟଭାର ବହନ କରିବାକୁ ପଡ଼ିବ ନାହିଁ ।
YRBM.jpeg)
*****
P.S.