Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଘାନା ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ୍ ବାର୍ତ୍ତା ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ବିବୃତି

ଘାନା ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ୍ ବାର୍ତ୍ତା ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ବିବୃତି


ମହାମହୀମ ରାଷ୍ଟ୍ରପତି ଜନ୍ ମାହାମା,

ଦୁଇ ଦେଶର ପ୍ରତିନିଧିବୃନ୍ଦ,

ଗଣମାଧ୍ୟମର ସମସ୍ତ ସହଯୋଗୀଗଣ,

ଆପଣମାନଙ୍କୁ ନମସ୍କାର!

ଦୀର୍ଘ ଦିନି ଦଶନ୍ଧିର ବ୍ୟବଧାନ ପରେ ଏହା କୌଣସି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଘାନା ଗସ୍ତ ।

ମୋତେ ଏହି ସୁଯୋଗ ମିଳିଥିବାରୁ ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ଅବସର ।

ଆୟା ମୋ ଆନେଜେ ସେ ମେୱାହା!”

ଘାନା ଆଗମନ ସମୟରେ ଆମମାନଙ୍କୁ ଯେଉଁ ଉଷ୍ମତା, ଭବ୍ୟ ଏବଂ ସମ୍ମାନର ସହିତ ସ୍ୱାଗତ କରାଯାଇଛି ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ।

ଘାନା ରାଷ୍ଟ୍ରପତି ସ୍ୱୟଂ ବିମାନ ବନ୍ଦରକୁ ଆସି ମୋତେ ସ୍ୱାଗତ କରିବା ମୋ ପାଇଁ ବେଶ୍ ଗୌରବର ବିଷୟ ।

୨୦୨୪ ମସିହା ଡିସେମ୍ବର ମାସର ସାଧାରଣ ନିର୍ବାଚନରେ ରାଷ୍ଟ୍ରପତି ମାହାମା ଦ୍ୱିତୀୟ ଥର ନିମନ୍ତେ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ବିଜୟ ନିମନ୍ତେ ମୁଁ ତାଙ୍କୁ ପୁଣି ଥରେ ଅଭିନନ୍ଦନ ଜ୍ଞାପନ କରୁଛି ।

ତାଙ୍କ ନେତୃତ୍ୱ ଏବଂ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଉପରେ ଘାନାବାସୀ ଗଭୀର ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଛନ୍ତି, ଏହି ନିର୍ବାଚନ ଫଳାଫଳ ତାହାର ପ୍ରତୀକ ।

ବନ୍ଧୁଗଣ,

ଭାରତ- ଘାନା ବନ୍ଧୁତାର ମୂଳରେ ରହିଛି ଆମର ମିଳିତ ମୂଲ୍ୟବୋଧ, ସଂଗ୍ରାମ ଏବଂ ଏକ ସାମଗ୍ରିକ ଭବିଷ୍ୟତର ମିଳିତ ସ୍ୱପ୍ନ ।

ଆମ ଦେଶର ସ୍ୱାଧୀନତା ସଂଗ୍ରାମ ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ପ୍ରେରଣା ଯୋଗାଇଛି ।

ଆଜି ମଧ୍ୟ- ପଶ୍ଚିମ ଆଫ୍ରିକାରେ ଘାନା ଏକ ସ୍ପନ୍ଦିତ ତଥା ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଅନ୍ୟ ରାଷ୍ଟ୍ରମାନଙ୍କ ସକାଶେ ‘ଆଶାର ସୂର୍ଯ୍ୟାଲୋକ’ ପାଲଟିଛି ।

ଆଜି ରାଷ୍ଟ୍ରପତି ଏବଂ ମୁଁ ଆମର ଦ୍ୱିପାକ୍ଷିକ ସହଭାଗିତାକୁ ଏକ ‘ବ୍ୟାପକ ସହଭାଗିତା’ରେ ପରିଣତ କରିବାକୁ ସିଦ୍ଧାନ୍ତ ଗ୍ରହଣ କରିଛୁ ।

ଘାନାର ରାଷ୍ଟ୍ର ଗଠନର ଏହି ନିରବଚ୍ଛିନ୍ନ ଯାତ୍ରାରେ ଭାରତ କେବଳ ଅଂଶୀଦାର ନୁହେଁ ବରଂ ସହଯାତ୍ରୀ ଭାବରେ ରହିଆସିଛି ।

ଏହି ଭବ୍ୟ ଜୁବିଲି ହାଉସ, ବୈଦେଶିକ ସେବା ପ୍ରତିଷ୍ଠାନ, କୋମଣ୍ଡୋ ଚିନି କାରଖାନା, ଭାରତ- ଘାନା କୋଫି ଆନ୍ନାନ ଆଇ.ସି.ଟି କେନ୍ଦ୍ର ଏବଂ ‘ଟେମା ପକ୍ୱାନ ରେଳ ଲାଇନ’ –ଏହିସବୁ କେବଳ ଇଟା ଓ ପଥରର ସୌଧ ନୁହେଁ, ବରଂ ଏହା ଆମର ସଫଳ ଭାଗୀଦାରିତାର ପ୍ରତୀକ ।

ଆମର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପ୍ରାୟ ୩ ନିୟୁତ ଡଲାରକୁ ପାର କରିଛି ।

ଭାରତୀୟ କମ୍ପାନୀମାନେ ଘାନାରେ  ପ୍ରାୟ ୯୦୦ଟି କମ୍ପାନୀରେ ପ୍ରାୟ ୨ ବିଲିୟନ ଡଲାର ପୁଂଜି ନିବେଶ କରିଛନ୍ତି ।

ଆଜି ଆମେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ ।

ଫିନଟେକ୍ କ୍ଷେତ୍ରରେ ଭାରତ – ଘାନା ସହ ୟୁ.ପି.ଆଇ. ଡିଜିଟାଲ ପେମେଣ୍ଟର ଅଭିଜ୍ଞତା ବାଣ୍ଟିବାକୁ ନିଜକୁ ପ୍ରସ୍ତୁତ କରୁଛି ।

ବନ୍ଧୁଗଣ,

ବିକାଶ ଭାଗିଦାରୀ କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ ହେଉଛି ଏକ ମୌଳିକ ସ୍ତମ୍ଭ ।

ଆମେ ରାଷ୍ଟ୍ରପତି ମାହାମାଙ୍କ ‘ଆର୍ଥିକ ପୁନର୍ଗଠନ’ ପ୍ରୟାସରେ ଭାରତର ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରୁଛୁ ।

ଆଜି ଆମେ ଘାନା ପାଇଁ ଆଇ.ଟି.ଇ.ସି. ଏବଂ ଆ.ସି.ସି.ଆର. ବୃତ୍ତିକୁ ଦୁଇ ଗୁଣ କରିବାକୁ ସିଦ୍ଧାନ୍ତ ଗ୍ରହଣ କରିଛୁ ।

ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରାଯିବ ।

କୃଷି କ୍ଷେତ୍ରରେ ରାଷ୍ଟ୍ରପତି ମାହାମାଜୀଙ୍କ ‘ଫିଡ୍ ଘାନା’ କାର୍ଯ୍ୟକ୍ରମରେ ସହଯୋଗ କଲେ ଆମେ ଖୁସି ଅନୁଭବ କରିବୁ ।

ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଭାରତ ଘାନାର ନାଗରିକମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା, ବିଶ୍ୱସନୀୟ ସେବା ପ୍ରଦାନ କରିବା ନିମନ୍ତେ ପ୍ରସ୍ତାବ ଦେଇଛୁ ।

ଟିକା ଉତ୍ପାଦନରେ ସହଯୋଗ କରିବା ନିମନ୍ତେ ଆମେ ଆଲୋଚନା କରିଥିଲୁ ।

ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଆମେ  ‘ନିରାପତ୍ତା ମାଧ୍ୟମରେ ଦୃଢ଼ତା’ ମନ୍ତ୍ରର ସହ ଆଗକୁ ଅଗ୍ରସର ହେବୁ ।

ସଶସ୍ତ୍ର ବାହିନୀ ପ୍ରଶିକ୍ଷଣ, ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ଏବଂ ସାଇବର ନିରାପତ୍ତା ଭଳି କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି କରାଯିବ ।

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ ଓ ଖନନରେ ଭାରତୀୟ କମ୍ପାନୀମାନେ ଘାନାକୁ ସହଯୋଗ କରିବେ ।

ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ଭାରତ ଓ ଘାନା ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଭଳି ମଞ୍ଚରେ ସହଯୋଗ କରିସାରିଛନ୍ତି ।

ଅକ୍ଷୟ ଶକ୍ତି, ବିଶେଷ ଭାବରେ ସ୍ୱଚ୍ଛ ରୋଷେଇ ବାଷ୍ପ ନିମନ୍ତେ ଘାନାର ପ୍ରୟାସକୁ ସମର୍ଥନ କରିବା ଲାଗି ଆମେ ସେମାନଙ୍କୁ ବୈଶ୍ୱିକ ଜୈବ ଇନ୍ଧନ ସହଯୋଗିତାରେ ଯୋଗ ଦେବାକୁ ଆମନ୍ତ୍ରଣ ଜଣାଇଥିଲୁ ।

ବନ୍ଧୁଗଣ,

ଆମେ ଦୁଇ ରାଷ୍ଟ୍ର ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ସଦସ୍ୟ ଏବଂ ଏହାର ପ୍ରାଥମିକତା ପ୍ରତି ସମ୍ପୂର୍ଣ୍ଣ ବଚନବଦ୍ଧ ।

ଭଏସ ଅଫ୍ ଗ୍ଲୋବାଲ୍ ସାଉଥ (ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର) ଶିଖର ସମ୍ମିଳନୀରେ ସକାରାତ୍ମକ ଅଂଶଗ୍ରହଣ ପାଇଁ ଆମେ ଘାନାକୁ ଆମର ହୃଦୟର କୃତଜ୍ଞତା ଜଣାଉଛୁ ।

ଏହା ଭାରତ ନିମନ୍ତେ ଗର୍ବର ବିଷୟ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ଅବସରରେ ଆଫ୍ରିକୀୟ ସଂଘ ଜି-୨୦ ସଂଗଠନର ସ୍ଥାୟୀ ସଦସ୍ୟତା ହାସଲ କରିଛି ।

ଆମେ ସାହେଲ କ୍ଷେତ୍ର ସମେତ ଅନ୍ୟାନ୍ୟ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ ।

ଆତଙ୍କବାଦ ମାନବିକତାର ଶତ୍ରୁ ବୋଲି ଆମେ ମିଳିତ ଭାବରେ ସହମତ ପୋଷଣ କରିଛୁ ।

ଆତଙ୍କବାଦ ବିରୋଧରେ ସଂଗ୍ରାମ ନିମନ୍ତେ ସହଯୋଗ କରିଥିବାରୁ ଆମେ ଘାନାକୁ ଆମର ଧନ୍ୟବାଦ ଜ୍ଞାପନ କରୁଛୁ ।

ଏହି ପରିପ୍ରେକ୍ଷୀରେ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଆମର ସହଯୋଗକୁ ଅଧିକ ମଜଭୁତ କରିବା ନିମନ୍ତେ ଆମେ ସିଦ୍ଧାନ୍ତ ଗ୍ରହଣ କରିଛୁ ।

ମିଳିତ ଜାତିସଂଘ ସଂଘ ପ୍ରତି ଆମର ଦୁଇ ଦେଶର ଆଭିମୁଖ୍ୟ ସମାନ ।

ପଶ୍ଚିମ ଏସିଆ ଏବଂ ୟୁରୋପରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଆମେ ଦୁହେଁ ଗଭୀର ଉଦବେଗ ପ୍ରକଟ କରିଛୁ ।

ଆମର ଦୃଢ଼ ବିଶ୍ୱାସ ଯେ ଏହା ଯୁଦ୍ଧର କାଳ ନୁହେଁ ।

କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ହେବା ଏକାନ୍ତ ଜରୁରି ।

ସାଥୀଗଣ,

ଘାନାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଏବଂ ଭାରତୀୟ ଲୋକଙ୍କ ମଧ୍ୟରେ ସମ୍ପର୍କର ଏକ ସ୍ୱତନ୍ତ୍ର ସଂଯୋଗ ରହିଛି ।

ଦୀର୍ଘ ଦିନ ଧରି ଘାନାରେ ଭାରତୀୟ ଶିକ୍ଷକ, ଡାକ୍ତର ଏବଂ ଇଞ୍ଜିନିୟରମାନେ କାର୍ଯ୍ୟ କରିଆସୁଛନ୍ତି ।

ଭାରତୀୟ ସମୁଦାୟ ଘାନାର ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ମଧ୍ୟ ଗଠନମୂଳକ ଯୋଗଦାନ ଦେଇ ଆସୁଛନ୍ତି ।

ମୁଁ ଆସନ୍ତାକାଲି ଭାରତୀୟ ସମୁଦାୟଙ୍କ ସହିତ ମୋର ସାକ୍ଷାତ ଓ ଭାବ ବିନିମୟକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛି ।

ରାଷ୍ଟ୍ରପତି ମହୋଦୟ,

ଆପଣ ଭାରତର ଜଣେ ଘନିଷ୍ଠ ବନ୍ଧୁ । ଆପଣ ଭାରତ ସହିତ ଉତ୍ତମ ଭାବରେ ପରିଚିତ ।

ମୁଁ ଆପଣଙ୍କ ଆଗାମୀ ଭାରତ ଗସ୍ତ ପାଇଁ ଆପଣଙ୍କୁ ଆମନ୍ତ୍ରଣ ଜଣାଉଛି । ମୋର ଦୃଢ଼ ବିଶ୍ୱାସ ଯେ ଆପଣମାନେ ଆମକୁ ଭାରତରେ ଆପଣଙ୍କୁ ଭବ୍ୟ ସ୍ୱାଗତ କରିବାର ସୁଯୋଗ ପ୍ରଦାନ କରିବେ ।

ପୁଣି ଥରେ ମୁଁ ଆପଣମାନଙ୍କୁ ଏବଂ ଘାନାର ସମସ୍ତ ଜନସାଧାରଣଙ୍କୁ ଆପଣଙ୍କ ଆତିଥେୟତା ନିମନ୍ତେ ହୃଦୟରୁ କୃତଜ୍ଞତା ଜଣାଉଛି ।

 

************