Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନଭେମ୍ବର ୧୫ରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୬ ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ୨୪୬ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଦେଶବ୍ୟାପୀ ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ନିର୍ବାହ ଏବଂ ସାମୁଦାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।

 

ପ୍ରଧାନମନ୍ତ୍ରୀ ୧୭୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୩୮ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମ୍‌ଆରଏସ୍‌) ଏବଂ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍‌-ଜନମନ) ଅଧୀନରେ ୧୦୦ଟି ବହୁମୁଖୀ କେନ୍ଦ୍ର ଅନ୍ତର୍ଭୁକ୍ତ। ଏହି କେନ୍ଦ୍ରଗୁଡ଼ିକ ସେବା ପ୍ରଦାନ ଏବଂ ସାମୁଦାୟିକ କାର୍ଯ୍ୟକଳାପର ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ’ ପିଏମ୍‌-ଜନମନ ଏବଂ ଧରତୀଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜେଜିୟୁଏ) ଅଧୀନରେ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିବେ।

 

ଉଦ୍‌ଘାଟନ ହେବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ଜନଜାତି ଗବେଷଣା ପ୍ରତିଷ୍ଠାନ (ଟିଆରଆଇ)ର ନୂତନ କୋଠା ଏବଂ ମିଜୋରାମର ଆଇଜଲଠାରେ ରୋପୁଇଲିଆନି ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଅନ୍ତର୍ଭୁକ୍ତ। ଜନଜାତୀୟ ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ କରାଯାଇଛି। ଏହି ସଂଗ୍ରହାଳୟରେ ମିଜୋ ଜନଜାତିର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାହସ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରାଯିବା ସହିତ ମିଜୋ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଐତିହାସିକ ଗୌରବ ଓ ଐତିହ୍ୟକୁ ପ୍ରଦର୍ଶିତ କରାଯିବ। ଏହି ସଂଗ୍ରହାଳୟର ନାମ ଊନବିଂଶ ଶତାବ୍ଦୀର ମିଜୋ ଜନଜାତିର ମହିଳା ମୁଖିଆ ରୋପୁଇଲିଆନିଙ୍କ ନାମରେ ରଖାଯାଇଛି। ସେ ବ୍ରିଟିଶ ଔପନିବେଶିକ ଶାସନ ବିରୋଧରେ ସାହସିକତାର ସହ ପ୍ରତିରୋଧ କରିଥିଲେ। ଜନଜାତୀୟ ପ୍ରତିରୋଧ ଓ ବଳିଦାନର ଏକ ପ୍ରତୀକ ଭାବେ ଆଜି ମଧ୍ୟ ତାଙ୍କୁ ସ୍ମରଣ କରାଯାଏ।

 

ଜନଜାତି ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ୧୯ଟି ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମ୍‌ଆରଏସ୍‌)ର ଶିଳାନ୍ୟାସ କରିବେ। ଏଥିସହିତ, ଜନଜାତୀୟ ଉତ୍ପାଦକମାନଙ୍କ ପାଇଁ ବଜାର ସୁବିଧା ଓ ପ୍ରବେଶକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୧୨ଟି ଜନଜାତୀୟ ବହୁମୁଖୀ ବିପଣନ କେନ୍ଦ୍ର (ଟିଏମ୍‌ଏମ୍‌ସି)ର ମଧ୍ୟ ଶିଳାନ୍ୟାସ କରିବେ। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ପିଏମ୍‌-ଜନମନ ଏବଂ ଡିଏଜେଜିୟୁଏ ଅଧୀନରେ ଅନ୍ୟ ୪୨ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ।

 

ଏହି କାର୍ଯ୍ୟକ୍ରମ ସାରା ଦେଶରେ ୧ ନଭେମ୍ବରରୁ ୧୫ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଥିବା ‘ଜନଜାତୀୟ ଗୌରବ ପକ୍ଷ’ର ସମାପନୀ ଉତ୍ସବ ଭାବେ ଆୟୋଜିତ ହେବ। ଏହି ପକ୍ଷ ପାଳନ ଅବସରରେ ଜାତୀୟ ତଥା ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମ୍‌ଆରଏସ୍‌)ର ଛାତ୍ରଛାତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କ ଭାବ ବିନିମୟ, ଜାତୀୟ ଜନଜାତୀୟ ସାହିତ୍ୟ ମହୋତ୍ସବ, ଜନଜାତୀୟ ପାରମ୍ପରିକ ଚିକିତ୍ସକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଶିବିର ଏବଂ ‘ଧରତୀ ଆବା ଜନଭାଗିଦାରୀ ଅଭିଯାନ’ ଅଧୀନରେ ଜନଜାତି ଗ୍ରାମଗୁଡ଼ିକରେ ସାମୁଦାୟିକ ସେବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ।

 

*****

MT