Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚାଟାର୍ଡ ଏକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଚାଟାର୍ଡ ଏକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଚାଟାର୍ଡ ଏକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଚାଟାର୍ଡ ଏକାଉଣ୍ଟାଣ୍ଟ ଦିବସରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ତାଙ୍କର ଏହି ଉଦ୍ବୋଧନ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ସାରା ଦେଶରେ ପ୍ରସାରିତ ହୋଇଥିଲା । ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହେବାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ସମାଜର ଅର୍ଥନୈତିକ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ଡାକ୍ତର ଭାବେ କାମ କରୁଥିବା ବର୍ଣ୍ଣନା କରିଥିଲେ । ସେ ମଧ୍ୟ ସେମାନଙ୍କୁ ଅର୍ଥନୈତିକ ବିଶ୍ୱର ଋଷି ଏବଂ ସନ୍ଥଙ୍କ ଭଳି କାର୍ଯ୍ୟ କରୁଥିବା କହିଥିଲେ । ସେ କହିଥିଲେ ଯେ ଭାରତୀୟ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ସାରା ବିଶ୍ୱରେ ସେମାନଙ୍କ ଚମତ୍କାର ଆର୍ଥିକ ପରିଚାଳନା ଦକ୍ଷତା ପାଇଁ ପରିଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ପ୍ରକାରର ଝଟ୍କାରୁ ଉର୍ଦ୍ଧ୍ଵକୁ ଉଠିବା ଲାଗି ଦେଶ ନିକଟରେ ସାମର୍ଥ୍ୟ ରହିଛି । ହେଲେ ଅଳ୍ପ କିଛି ଲୋକ ଭ୍ରଷ୍ଟାଚାରରେ ଲିପ୍ତ ହେଲେ ଦେଶର ବିକାଶ ଗୁରୁତର ଭାବେ ପ୍ରଭାବିତ ହୋଇଥାଏ ।

କେନ୍ଦ୍ର ସରକାର ବିଗତ ତିନି ବର୍ଷ ମଧ୍ୟରେ କଳାଧନ ବିରୋଧରେ ବିମୁଦ୍ରୀକରଣ ଭଳି ପଦକ୍ଷେପ ନେବା ଏବଂ ଦୁର୍ନୀତିରେ ଲିପ୍ତ ରହୁଥିବା ଲୋକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ବିଭିନ୍ନ ପଦକ୍ଷେପ ନେଇଥିବା ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମୁଦ୍ରୀକରଣ ପରେ ହସ୍ତଗତ ହୋଇଥିବା ତଥ୍ୟରୁ ତିନି ଲକ୍ଷ କମ୍ପାନୀ ସରକାରଙ୍କ ସ୍କାନରରେ ରହିଛନ୍ତି । ସେ କହିଥିଲେ ଯେ ଏକ ଲକ୍ଷ କମ୍ପାନୀ ଆଇନ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିବା ପରେ ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରିଛନ୍ତି । ରାଷ୍ଟ୍ର ହିତରେ କେନ୍ଦ୍ର ସରକାର ସାହସିକ ପଦକ୍ଷେପ ନେଇଥିବା ସେ ଦୋହରାଇଥିଲେ ।

ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ସେମାନଙ୍କ କ୍ଷେତ୍ରରେ ଭ୍ରଷ୍ଟ କାର୍ଯ୍ୟକଳାପ ଏବଂ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ବାଦ୍ ଦେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଆୟ ଘୋଷଣା ସମ୍ପର୍କରେ ତଥ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରିଟର୍ଣ୍ଣ ଫାଇଲ୍ କରିବା ସମୟରେ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ଦେଶ ହିତକୁ ପ୍ରାଥମିକତା ଦେଇ ସେମାନଙ୍କ ଗ୍ରାହକମାନଙ୍କୁ ପରାମର୍ଶ ଦେବା ଉଚିତ୍ । ବହୁସଂଖ୍ୟକ ପେଶାଦାର, ଆଇନଜୀବୀଙ୍କୁ ସମ୍ବୋଧିତ କରି ସେ ସ୍ମରଣ କରାଇ ଦେଇଥିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସଂଗ୍ରାମୀମାନେ ରାଷ୍ଟ୍ର ହିତ ପାଇଁ କାର୍ଯ୍ୟ କରିଥିଲେ, ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଆବଶ୍ୟକ । ବସ୍ତୁ ଓ ସେବା କର ସହିତ ଦେଶ ଏକ ନୂଆ ଅର୍ଥନୈତିକ ଏକୀକରଣ ଦିଗରେ ଅଗ୍ରସର ହେଉଥିବାରୁ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ସେମାନଙ୍କ ଗ୍ରାହକଙ୍କୁ ସଚ୍ଚୋଟତାର ମାର୍ଗ ଚୟନ କରିବା ଲାଗି ପରାମର୍ଶ ଦେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଚାଟାର୍ଡା ଏକାଉଣ୍ଟାଣ୍ଟମାନେ ପ୍ରାମାଣିକତା ଉପରେ ସାରା ଦେଶ ବିଶ୍ୱାସ ରଖିଛି ଏବଂ ଏହି ବିଶ୍ୱାସ କେବେ ହେଲେ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ । ଟିକସଦାତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟିକସ କିଭଳି ସମାଜ କଲ୍ୟାଣ ଏବଂ ରାଷ୍ଟ୍ରର ବିକାଶ ଲାଗି ବିନିଯୋଗ ହୋଇଥାଏ ତାହା ସେ ବର୍ଣ୍ଣନା କରିଥିଲେ ।

2022 ରେ ଭାରତ ସ୍ୱାଧୀନତାରର 75 ବର୍ଷ ପୂରଣ ହେବାକୁ ଯାଉଛି, ଏଥିପାଇଁ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ସେମାନଙ୍କ ପେଶାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସାର ବିଶ୍ୱରେ 4ଟି ବୃହତ ଅଡିଟ୍ ଫାର୍ମ ସମ୍ପର୍କରେ ଉଲ୍ଲେଖ କରି ସେ ଭାରତୀୟ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ଆଉ 4ଟି ବିଶ୍ୱସ୍ତରୀୟ ବୃହତ ଅଡିଟ୍ ଫାର୍ମ ଗଠନ କରିବା ଲାଗି ପରାମର୍ଶ ଦେଇଥିଲେ ।

ଚାଣକ୍ୟଙ୍କ ଉପଦେଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଚାଟାର୍ଡ ଏକାଉଣ୍ଟାଣ୍ଟମାନେ ଏହି ସୁଯୋଗକୁ ହାତଛଡ଼ା ନକରି ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ ।