Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛତିଶଗଡ଼ର ବସ୍ତର ଜିଲ୍ଲା କରଣପୁରସ୍ଥିତ କୋବ୍ରା ଅପରେସନ୍ସ ବେସ୍‌ରେ ସୁରକ୍ଷା ବାହିନୀର ଯବାନମାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଛତିଶଗଡ଼ର ବସ୍ତର ଜିଲ୍ଲା କରଣପୁରସ୍ଥିତ କୋବ୍ରା ଅପରେସନ୍ସ ବେସ୍‌ରେ ସୁରକ୍ଷା ବାହିନୀର ଯବାନମାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ଦେଶର ପ୍ରତ୍ୟେକ ଜିଲ୍ଲା ନକ୍ସଲବାଦ ମୁକ୍ତ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି: ପ୍ରଧାନମନ୍ତ୍ରୀ

 

ଦୀର୍ଘ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଗତ ଏକ ବର୍ଷ ମଧ୍ୟରେ କାର୍ଯ୍ୟନିର୍ବାହ ସମୟରେ ଜଣେ ମଧ୍ୟ ସିଆରପିଏଫ ଯବାନଙ୍କୁ ଜୀବନ ହରାଇବାକୁ ପଡ଼ିନାହିଁ; ଏହା ଦେଶର ସୁଦୃଢ଼ ନୀତି ଏବଂ ଦୃଢ଼ ସଂକଳ୍ପର ବିଜୟ: ପ୍ରଧାନମନ୍ତ୍ରୀ

 

ସେବା ଭାବନାକୁ ଆଧାର କରି ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ; ଫଳରେ, ନକ୍ସଲବାଦର ଶିକାର ହୋଇଥିବା ଲୋକମାନେ ମଧ୍ୟ ସରକାର ଓ ସୁରକ୍ଷା ବାହିନୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି: ପ୍ରଧାନମନ୍ତ୍ରୀ

 

ଆଜି ଗୋଟିଏ ପଟେ ଦେଶର ୫୦ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବାବେଳେ ଅନ୍ୟପଟେ ଦେଶରେ ନକ୍ସଲ ହିଂସାର ମଧ୍ୟ ଅନ୍ତ ଘଟିଛି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ବସ୍ତରସ୍ଥିତ କରଣପୁରରେ ଥିବା କୋବ୍ରା ଅପରେସନ୍ସ ବେସ୍ ପରିଦର୍ଶନ କରି ସୁରକ୍ଷା ବାହିନୀର ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ବେସ୍ ବସ୍ତର ଓ ଅବୁଝମାଡ଼ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ତଥା ଅଭିଯାନ ଆରମ୍ଭର ପ୍ରମୁଖ ଆଧାର ଭାବେ କାର୍ଯ୍ୟ କରିଆସିଛି। ଏହି ଅବସରରେ ଦେଶ ଓ ବିଦେଶରେ କୋଟି କୋଟି ଭାରତୀୟ ନିଜ ପରିବାର ଓ ପ୍ରିୟଜନଙ୍କ ସହ ଆଲୋକର ପବିତ୍ର ପର୍ବ ଦୀପାବଳି ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଗିଲ୍‌ରୁ ହିମାଳୟର ଲେପ୍ଚା, ଉପକୂଳର ସାର୍ କ୍ରିକ୍‌ ଏବଂ ସମୁଦ୍ର ମଧ୍ୟରେ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ସାହସୀ ଯବାନମାନଙ୍କ ସହ ଦୀପାବଳି ପାଳନର ସ୍ମରଣୀୟ ଅନୁଭୂତିକୁ ମନେ ପକାଇଥିଲେ। ଶ୍ରୀ ମୋଦୀ କହିଥିଲେ, “ସୀମାରେ ହେଉ କିମ୍ବା ଦେଶ ଭିତରେ, ଦେଶର ସୁରକ୍ଷାରେ ନିୟୋଜିତ ପ୍ରହରୀ ତଥା ମା’ ଭାରତୀଙ୍କ ବୀର ସନ୍ତାନ ଆପଣମାନେ ସମସ୍ତେ ମୋର ନିଜ ଲୋକ ଏବଂ ମୋ ପରିବାରର ଅଂଶବିଶେଷ।”

 

୨୦୨୬ ମସିହାର ଦୀପାବଳିକୁ ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ପର୍ବ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ମାଓବାଦୀ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ବିଜୟ ଏବଂ ଦେଶର ପ୍ରତ୍ୟେକ ଜିଲ୍ଲା ନକ୍ସଲମୁକ୍ତ ହେବା ପରେ ଏହା ହେଉଛି ପ୍ରଥମ ଆଲୋକର ପର୍ବ। ଏହାଦ୍ୱାରା କୋଟି କୋଟି ନାଗରିକ ଭୟମୁକ୍ତ ଜୀବନଯାପନ କରିବାର ସୁଯୋଗ ପାଇଛନ୍ତି। ଏହି ଅସାଧାରଣ ସଫଳତାକୁ ସମ୍ଭବ କରିଥିବା ଲକ୍ଷ ଲକ୍ଷ ସୁରକ୍ଷା କର୍ମୀଙ୍କ ସହ ଏହି ଐତିହାସିକ ଉପଲବ୍ଧି ପାଳନ କରିବା ତଥା ୧୪୦ କୋଟି ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ସେ ବସ୍ତର ଆସିଥିବା ପ୍ରଧାନମନ୍ତ୍ରୀ କହିଥିଲେ। “ଆପଣମାନଙ୍କର ତ୍ୟାଗ, ସମର୍ପଣ ଓ ସେବା ମନୋଭାବ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଆଜି ମୁଁ ଏଠାକୁ ଆସିଛି” ବୋଲି କୃତଜ୍ଞତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

 

ପ୍ରାଚୀନ ସଂସ୍କୃତ ନୀତିବାକ୍ୟ ‘ଆଭ୍ୟନ୍ତରମ୍‌ ଭୟମ୍‌ ରକ୍ଷାମ୍, ଅସାରଂ ବାହ୍ୟତୋ ଭୟମ୍’ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ବୁଝାଇ କହିଥିଲେ ଯେ, ଯେଉଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼, ସେହି ଦେଶକୁ ବାହ୍ୟ ଶତ୍ରୁମାନେ କ୍ଷତି ପହଞ୍ଚାଇ ପାରନ୍ତି ନାହିଁ। କିନ୍ତୁ ଆଭ୍ୟନ୍ତରୀଣ ସୁରକ୍ଷା ଦୁର୍ବଳ ହେଲେ ଶତ୍ରୁମାନେ ମୁଣ୍ଡ ଟେକିବାର ସୁଯୋଗ ପାଆନ୍ତି। ପ୍ରଧାନମନ୍ତ୍ରୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନିୟୋଜିତ ସୁରକ୍ଷା ବାହିନୀର ଭୂମିକାକୁ ସୀମାନ୍ତରେ ମୁତୟନ ସଶସ୍ତ୍ର ବାହିନୀର ଭୂମିକା ସହ ସମାନ ବୋଲି ଅଭିହିତ କରିଥିଲେ। ଏଥିସହିତ ସିଆରପିଏଫ (CRPF), କୋବ୍ରା (CoBRA), ବିଏଫ୍‌ଏଫ (BSF),  ଆଇଟିବିପି (ITBP), ଏସ୍‌ଏସ୍‌ବି (SSB), ଆଇଆରବି (IRB), ରାଜ୍ୟ ପୋଲିସ ବାହିନୀ, ବସ୍ତର ଫାଇଟର୍ସ କମାଣ୍ଡୋ ଏବଂ ମହିଳା ଯୋଦ୍ଧାମାନଙ୍କ ଅସୀମ ବଳିଦାନ ଓ ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ। ଦେଶର ସୀମାନ୍ତ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ମଧ୍ୟ ସେ ପର୍ବର ଶୁଭେଚ୍ଛା ଜଣାଇଥିଲେ। “ଆପଣମାନଙ୍କ ସେବା ପାଇଁ ଦେଶ ଆପଣମାନଙ୍କ ନିକଟରେ ଋଣୀ ଏବଂ କୋଟି କୋଟି ଦେଶବାସୀ ଆପଣମାନଙ୍କ ପାଇଁ ଗର୍ବିତ” ବୋଲି ଶ୍ରୀ ମୋଦୀ କହିଥିଲେ।

 

ବାମପନ୍ଥୀ ଉଗ୍ରବାଦ ଦେଶର ପ୍ରାୟ ୨୦ଟି ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲାକୁ ନିଜ କବଳରେ ରଖିଥିବା ସେହି ଭୟାବହ ସମୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିହାର, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ଅନେକ ରାଜ୍ୟରେ ଭୟର ବାତାବରଣ ରହିଥିଲା। ସନ୍ଧ୍ୟା ହେଲେ ଲୋକମାନେ ଭୟରେ ଘରୁ ବାହାରିବାକୁ ସାହସ କରୁନଥିଲେ। ଲୋକଙ୍କ ମତଦାନ ଅଧିକାର ଛଡ଼ାଇ ନିଆଯାଉଥିଲା ଏବଂ ପ୍ରତିବର୍ଷ ୨,୦୦୦ ପର୍ଯ୍ୟନ୍ତ ଆକ୍ରମଣ ଘଟୁଥିଲା। କେବଳ ଛତିଶଗଡ଼ରେ ୧,୦୦୦ରୁ ଅଧିକ ସୁରକ୍ଷା କର୍ମୀ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ। ଆଇଇଡି ବିସ୍ଫୋରଣରେ ଅନେକ ଯବାନ ନିଜର ହାତ ଓ ଗୋଡ଼ ହରାଇଥିଲେ। ୨୦୧୦ ମସିହାରେ ଦନ୍ତେୱାଡ଼ାରେ ପୃଥକ୍ ପୃଥକ୍ ଆକ୍ରମଣରେ ୭୬ ଜଣ ସିଆରପିଏଫ୍‌ ଯବାନ ଏବଂ ୪୪ ଜଣ ନିରୀହ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୦୪ରୁ ୨୦୧୩ ମଧ୍ୟରେ ପ୍ରତିବର୍ଷ ନକ୍ସଲଙ୍କ ଦ୍ୱାରା ନିହତ ହେଉଥିବା ନକ୍ସଲଙ୍କ ସଂଖ୍ୟା ତୁଳନାରେ ସହିଦ ହେଉଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା ଅଧିକ ଥିଲା। ଏହା ମାଓବାଦୀ ନେତାମାନଙ୍କୁ ଅଧିକ ଉତ୍ସାହିତ ଓ ସାହସୀ କରିଥିଲା।

 

ଶତ୍ରୁମାନଙ୍କ ପ୍ରତି ନିଷ୍କ୍ରିୟ ଆଭିମୁଖ୍ୟ ଗ୍ରହଣ କରି କୌଣସି ଦେଶ ଅଗ୍ରଗତି କରିପାରିବ ନାହିଁ; ବରଂ ଉଚ୍ଚ ମନୋବଳ ସହିତ ରଣନୈତିକ ଢଙ୍ଗରେ ଶତ୍ରୁମାନଙ୍କୁ ପରାସ୍ତ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ୨୦୧୪ ପରେ ସୁରକ୍ଷା ବାହିନୀର ଅଧିକ ମୃତାହତ ହେବାର ଦୀର୍ଘଦିନର ଧାରାକୁ ବଦଳାଇ ଏକ ଐତିହାସିକ ସଫଳତା ହାସଲ କରାଯାଇଛି। ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଗତ ଏକ ବର୍ଷ ମଧ୍ୟରେ କାର୍ଯ୍ୟ ନିର୍ବାହ ସମୟରେ ଜଣେ ମଧ୍ୟ ସିଆରପିଏଫ୍‌ ଯବାନ ସହିଦ ହୋଇନାହାନ୍ତି। “ଏହା ଦେଶର ସଠିକ୍ ନୀତି ଓ ଦୃଢ଼ ଇଚ୍ଛାଶକ୍ତିର ବିଜୟ। ଏହା ଆପଣମାନଙ୍କ ବୀରତ୍ୱ, ସାହସ ଓ ସଂଯମର ବିଜୟ” ବୋଲି  ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ।

 

ସଫଳତା ପାଇଁ ସଠିକ୍ ଉଦ୍ଦେଶ୍ୟ ସହିତ ସଠିକ୍ ନୀତି ମଧ୍ୟ ଆବଶ୍ୟକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ଜାତୀୟ ସୁରକ୍ଷା ସମ୍ପର୍କରେ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ଏଥିମଧ୍ୟରୁ କେତେକ ନିଷ୍ପତ୍ତି ସାର୍ବଜନୀନ ଭାବେ ପ୍ରଚାର କରାଯାଇନଥିଲା। ଏହି ପଦକ୍ଷେପଗୁଡ଼ିକ ନକ୍ସଲ ଓ ବିଚ୍ଛିନ୍ନତାବାଦୀଙ୍କ ଆର୍ଥିକ ପାଣ୍ଠି ଯୋଗାଣ ଉପରେ ପ୍ରହାର କରିବା ସହ ଜାଲ୍ ନୋଟ୍ କାରବାରର ନେଟୱର୍କକୁ ଧ୍ୱଂସ କରିଥିଲା। “ଏହାଦ୍ୱାରା କେବଳ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିନଥିଲା, ବରଂ ସମଗ୍ର ଯୋଗାଣ ବ୍ୟବସ୍ଥାକୁ ଅଚଳ କରିଦିଆଯାଇଥିଲା। ଫଳରେ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହେବା ସହ ନକ୍ସଲମାନଙ୍କ ଗତିବିଧି ଓ ନୂତନ ଯୋଗଦାନ ଉପରେ ମଧ୍ୟ ଅଙ୍କୁଶ ଲାଗିଥିଲା” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ସୁରକ୍ଷା ବାହିନୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ସ୍ୱାଧୀନତା ପ୍ରଦାନ କରିଥିଲେ। କୌଣସି ମାଆ ଯେପରି ନିଜ ସନ୍ତାନକୁ ନ ହରାନ୍ତି, କୌଣସି ପରିବାର ଯେପରି ଧ୍ୱଂସ ନ ହୁଏ ଏବଂ କୌଣସି ଯୁବକ ଯେପରି ଅସ୍ତ୍ର ଉଠାଇବାକୁ ବାଧ୍ୟ ନ ହୁଏ, ଏହି ଏକମାତ୍ର ଲକ୍ଷ୍ୟ ନେଇ ସରକାର ବିନା ପ୍ରଚାର ଓ ଆଡ଼ମ୍ବରରେ ନିରନ୍ତର କାର୍ଯ୍ୟ କରିଥିଲେ। ସେ ଆହୁରି କହିଥିଲେ ଯେ, ମାଓବାଦୀ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବା ପାଇଁ ସମ୍ବେଦନଶୀଳ ଢଙ୍ଗରେ ସୁରକ୍ଷା ଅଭିଯାନ ପରିଚାଳନା କରିବା ସହ ସେବା ମନୋଭାବକୁ ଯୋଡ଼ାଯାଇଥିଲା। ଏହାଦ୍ୱାରା ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା ଏବଂ ସେମାନେ ସରକାର ଓ ସୁରକ୍ଷା ବାହିନୀଙ୍କ ସମର୍ଥନରେ ଏକଜୁଟ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ଥାନୀୟ ନାଗରିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। “ସେବା ମନୋଭାବକୁ ଆଧାର କରି ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।

 

‘ରାଷ୍ଟ୍ର ପ୍ରଥମ’ ମନୋଭାବକୁ ନେଇ କାର୍ଯ୍ୟ କଲେ ଦେଶରେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ ହେବା ସହ ଦେଶ ନୂତନ ବିକାଶର ଶିଖରରେ ପହଞ୍ଚିଥାଏ ଏବଂ ଜାତୀୟ ପ୍ରଗତିରେ ଗରିବ ଓ ବଞ୍ଚିତ ବର୍ଗଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଗତ ୧୨ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ଦ୍ୱିମୁଖୀ ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ, “ଗତ ୧୨ ବର୍ଷ ମଧ୍ୟରେ ଦେଶ କେବଳ ନକ୍ସଲବାଦ ଓ ବିଚ୍ଛିନ୍ନତାବାଦ ବିରୋଧୀ ଲଢ଼େଇରେ ବିଜୟ ହାସଲ କରିନାହିଁ, ବରଂ ଦାରିଦ୍ର୍ୟ ବିରୋଧରେ ମଧ୍ୟ ଏକ ବଡ଼ ଲଢ଼େଇରେ ବିଜୟୀ ହୋଇଛି।”

 

ଦୀପାବଳି ପୂର୍ବରୁ ପ୍ରକାଶିତ ଏବଂ ବ୍ୟାପକ ଭାବେ ଚର୍ଚ୍ଚିତ ବିଶ୍ୱ ବ୍ୟାଙ୍କର ରିପୋର୍ଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଗତ ୧୨ ବର୍ଷ ମଧ୍ୟରେ ଦେଶର ୫୦ କୋଟି ଭାରତୀୟ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି।

 

ବିଗତ ୧୨ ବର୍ଷ ମଧ୍ୟରେ ଦେଶର କଲ୍ୟାଣମୂଳକ ଯୋଜନାଗୁଡ଼ିକର ସମନ୍ୱିତ ପ୍ରଭାବକୁ ଦୀପାବଳିର ରଙ୍ଗୋଲି ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେପରି ଛୋଟ ଛୋଟ ପୃଥକ ପୃଥକ ରେଖା ମିଶି ଏକ ସୁନ୍ଦର ରଙ୍ଗୋଲିର ରୂପ ନିଏ, ସେହିପରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମିଳିତ ଭାବେ ଦେଶର ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସେ କହିଥିଲେ ଯେ, ଜନଧନ ଯୋଜନା ମାଧ୍ୟମରେ ବ୍ୟାଙ୍କିଂ ସେବା, ପିଏମ୍ ଆବାସ ଯୋଜନାରେ ପକ୍କା ଘର, ବିନା ବନ୍ଧକରେ ମୁଦ୍ରା ଋଣ, ରାସ୍ତାକଡ଼ ବ୍ୟବସାୟୀଙ୍କ ପାଇଁ ସ୍ୱନିଧି ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ସ୍ୱାସ୍ଥ୍ୟସେବା, ପ୍ରତି ମାସରେ ମାଗଣା ରାସନ, ଶିଶୁ ଶିକ୍ଷା ସମ୍ପର୍କିତ ନୀତି, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ହର ଘର ଜଳ ଭଳି ଯୋଜନାଗୁଡ଼ିକ ମିଳିତ ଭାବେ ଲୋକଙ୍କୁ ମାଗଣା ଔଷଧ, ମାଗଣା ଶିକ୍ଷା ଓ ଖାଦ୍ୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇପାରିଛି। ଏହି ଯୋଜନାଗୁଡ଼ିକ ଲୋକଙ୍କ ମୌଳିକ ଆବଶ୍ୟକତା ସମ୍ପର୍କିତ ଚିନ୍ତା ଦୂର କରିବା ସହ ପିଢ଼ି ପରେ ପିଢ଼ି ଦାରିଦ୍ର୍ୟରେ ଜୀବନ ବିତାଉଥିବା ପରିବାରଗୁଡ଼ିକୁ ଏକ ସୁଦୃଢ଼ ଭବିଷ୍ୟତର ଆଶା ପ୍ରଦାନ କରିଛି। “ଯେଉଁ ଗରିବ ପରିବାରଗୁଡ଼ିକର ସମଗ୍ର ଜୀବନ କେବଳ ଚିନ୍ତା ଓ ଅଭାବ ମଧ୍ୟରେ ବିତିଯାଉଥିଲା, ସେମାନେ ଏବେ ସରକାରଙ୍କ ଆଶ୍ୱାସନା ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିଛି” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

 

ଦାରିଦ୍ର୍ୟ ବିରୋଧୀ ଏହି ସଫଳତା ନକ୍ସଲବାଦ ବିରୋଧୀ ଲଢ଼େଇ ସହ ଗଭୀର ଭାବେ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପୂର୍ବରୁ ନକ୍ସଲବାଦ ଯୋଗୁଁ ଲକ୍ଷ ଲକ୍ଷ ନିରୀହ ନାଗରିକ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଥିଲେ। ନକ୍ସଲମାନେ ସ୍କୁଲ, ହସ୍ପିଟାଲ, ଔଷଧ ଦୋକାନ, ପୋଲିଓ ଟିକାକରଣ, ମୋବାଇଲ ଟାୱାର ଓ ଶିଳ୍ପ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ସହିତ ରେଳଧାରଣାକୁ ବିସ୍ଫୋରଣରେ ଉଡ଼ାଇ ଦେଉଥିଲେ। ପ୍ରଧାନମନ୍ତ୍ରୀ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ବିକାଶ ଅଭିଯାନ ସମ୍ପର୍କରେ କହିଥିଲେ ଯେ, ଏହି ଅଭିଯାନ ଅଧୀନରେ ୧୫,୦୦୦ କିଲୋମିଟରରୁ ଅଧିକ ରାସ୍ତା, ୯,୫୦୦ରୁ ଅଧିକ ମୋବାଇଲ ଟାୱାର, ପ୍ରାୟ ୧୭୫ଟି ଏକଲବ୍ୟ ବିଦ୍ୟାଳୟ, ପ୍ରାୟ ୫୦ଟି ଆଇଟିଆଇ ଏବଂ ୫୦ଟି ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରାଯାଇଛି। ଏଥିସହ ହଜାର ହଜାର ଡାକଘର, ବ୍ୟାଙ୍କ ଶାଖା ଓ ଏଟିଏମ୍ ପ୍ରତିଷ୍ଠା କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କର ଥଇଥାନ ସହିତ ପିଏମ୍ ଜନମନ ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ଦୁର୍ଗମ ଆଦିବାସୀ ଗ୍ରାମଗୁଡ଼ିକୁ ପାନୀୟ ଜଳ, ବିଦ୍ୟୁତ୍ ଓ ସଡ଼କ ସୁବିଧା ଯୋଗାଇ ଦିଆଯାଇଛି। “ଯେତେବେଳେ ଆମେ ନକ୍ସଲବାଦ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲୁ, ସେହି ସମୟରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲୁ” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

 

‘ସବକା ସାଥ୍, ସବକା ବିକାଶ’ ଅଭିଯାନ ଦାରିଦ୍ର୍ୟ ବିରୋଧୀ ଲଢ଼େଇକୁ ନୂତନ ଶକ୍ତି ପ୍ରଦାନ କରିବା ସହ ୫୦ କୋଟି ଲୋକଙ୍କୁ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ କରିପାରିଛି ଏବଂ ନକ୍ସଲ ହିଂସାର ଅନ୍ତ ଘଟାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅଞ୍ଚଳରେ ଆସିଥିବା ପରିବର୍ତ୍ତନର ଏକ ପ୍ରତୀକ ଭାବେ ସେ ଚାଲିଥିବା ବସ୍ତର ଅଲିମ୍ପିକ୍ସର ଉଦାହରଣ ଦେଇଥିଲେ। “ଆଜି ଏହି ବସ୍ତରରେ ହିଁ ବସ୍ତର ଅଲିମ୍ପିକ୍ସ ଆୟୋଜିତ ହେଉଛି ଏବଂ ପିଲାମାନେ ବନ୍ଧୁକ ବଦଳରେ କ୍ରୀଡ଼ାରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

 

ଆଜି ହାସଲ କରାଯାଇଥିବା ସଫଳତାଗୁଡ଼ିକ ଯାତ୍ରାର ଶେଷ ନୁହେଁ, ବରଂ ଏକ ନୂତନ ଯାତ୍ରାର ଆରମ୍ଭ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଏହି ନୂତନ ଉଡ଼ାଣ ସ୍ୱାଧୀନତା ସଂଗ୍ରାମୀ, ସୀମାରେ ମୁତୟନ ଯବାନ ଏବଂ ନକ୍ସଲବାଦ ଓ ଆତଙ୍କବାଦ ବିରୋଧରେ ଲଢ଼ି ପ୍ରାଣବଳି ଦେଇଥିବା ଯବାନମାନଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନକୁ ସାକାର କରିବ। ‘ତେରା ଗୌରବ ଅମର ରହେ ମାଁ, ହମ୍ ଦିନ ଚାର୍ ରହେଁ ନା ରହେଁ’ ମନ୍ତ୍ରରେ ଜୀବନ ବିତାଉଥିବା ସୁରକ୍ଷା ବାହିନୀର ଯବାନମାନଙ୍କୁ ନିଜ ଉତ୍ସାହ ଓ ଆତ୍ମବିଶ୍ୱାସକୁ ଏକ ନୂତନ ଦିଗରେ ଉପଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ। “ବର୍ତ୍ତମାନ ସମୟ ହେଉଛି ଦେଶ ପାଇଁ ବଞ୍ଚିବା ଏବଂ ଦେଶକୁ ଏକ ନୂତନ ଉଚ୍ଚତାକୁ ନେଇଯିବାର ସମୟ” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ।

 

ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ, ପ୍ରତ୍ୟେକ ପରିବାର ପାଇଁ ଶୌଚାଳୟ ନିର୍ମାଣ ଏବଂ ଟିକାକରଣର ସମ୍ପ୍ରସାରଣ ଭଳି ପ୍ରମୁଖ ସଂକଳ୍ପକୁ ସଫଳତାର ସହ ପୂରଣ କରିବାରେ ଦେଶର ଉପଲବ୍ଧିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଦାରିଦ୍ର୍ୟ ଦୂରୀକରଣ ସହିତ ନିଶାମୁକ୍ତ, ଆତ୍ମନିର୍ଭର ଏବଂ ବିକଶିତ ଭାରତ ଗଠନର ଲକ୍ଷ୍ୟ ମଧ୍ୟ ନିଶ୍ଚିତ ଭାବେ ହାସଲ କରିବ। ଏହି ଦିଗରେ ସୁରକ୍ଷା ବାହିନୀ ଓ ଦେଶବାସୀଙ୍କ ଉପରେ ସେ ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିବା ସହ ଏହି ସ୍ୱପ୍ନଗୁଡ଼ିକୁ ବାସ୍ତବରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆପଣମାନଙ୍କର ତ୍ୟାଗ ଓ କଠିନ ପରିଶ୍ରମ ବିକଶିତ ଭାରତର ଭବ୍ୟ ଭିତ୍ତିଭୂମି ପାଇଁ ଏକ ସୁଦୃଢ଼ ମୂଳଦୁଆ ସାଜିବ।’’ ଶେଷରେ ସେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

 

*****

MT