Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଆଇନ ଦିବସ-2017ର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ଆଇନ ଦିବସ-2017 ସମାରୋହର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ ।

ସମ୍ବିଧାନକୁ ଆମ ଗଣତାନ୍ତ୍ରିକ ଢାଂଚାର ଆତ୍ମା ବୋଲି ସେ ଅଭିହିତ କରିଥିଲେ । ସେ କହିଥିଲେ ଯେ ଏହି ଦିବସ ସମ୍ବିଧାନ ନିର୍ମାତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଅବସର । ସେ କହିଥିଲେ ଯେ ଆମ ସମ୍ବିଧାନ ସମୟର ପରୀକ୍ଷାରେ ଉତୀର୍ଣ୍ଣ ହୋଇଛି ଏବଂ ସମାଲୋଚକମାନଙ୍କୁ ଭୁଲ ବୋଲି ପ୍ରମାଣିତ କରିଛି ।

ପ୍ରଧାନମନ୍ତ୍ରୀ ନିଜର ଉଦ୍ବୋଧନ ସମୟରେ ଡଃ.ବି.ଆର ଆମ୍ବେଦକର, ଡ.ସଚିଦାନନ୍ଦ ସିହ୍ନା, ଡ.ରାଜେନ୍ଦ୍ର ପ୍ରସାଦ ଏବଂ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବକ୍ତବ୍ୟର ଉଦାହରଣ ଦେଇଥିଲେ । ଏହି ବକ୍ତବ୍ୟରେ ସମ୍ବିଧାନ ଏବଂ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ପ୍ରତିଫଳିତ ହୋଇଥିଲା । ଏହି ବିଷୟବସ୍ତୁଗୁଡ଼ିକ ମଧ୍ୟରେ ସମ୍ବିଧାନର ସ୍ଥାୟୀତ୍ୱ (ବା ଅମରତ୍ୱ), ଏହାର କାର୍ଯ୍ୟକାରୀତା ଏବଂ ନମନୀୟତା ମଧ୍ୟ ରହିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ଆମ ପାଇଁ ଅଭିଭାବକ ଭାବେ କାର୍ଯ୍ୟ କରିଛି । ସେ ଗୁରୁତ୍ୱାରୋପ କରି କହିଥିଲେ, ଆମ ଅଭିଭାବକ ହେଉଛି ଆମ ସମ୍ବିଧାନ ଏବଂ ଏହା ଆମଠାରୁ ଯାହା ଆଶା କରୁଛି ସେହି ଅନୁଯାୟୀ ଆମକୁ କାର୍ଯ୍ୟ କରିବାକୁ ହେବ । ସେ କହିଥିଲେ ଯେ ଦେଶର ଆବଶ୍ୟକତା ଏବଂ ଆହ୍ୱାନଗୁଡ଼ିକୁ ଧ୍ୟାନରେ ରଖି ପ୍ରଶାସନର ବିଭିନ୍ନ ଅନୁଷ୍ଠାନ ପରସ୍ପରକୁ ସହଯୋଗ ଏବଂ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଉଚିତ । ସେ କହିଥିଲେ ଯେ ଆଗାମୀ 5 ବର୍ଷ ମଧ୍ୟରେ ନୂତନ ଭାରତ ନିର୍ମାଣ ଲାଗି ଆମେ ଆମ ଶକ୍ତିର ସଦୁପଯୋଗ କରିବା ଉଚିତ । ଫଳରେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ରାଷ୍ଟ୍ର ନିର୍ମାଣ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନକୁ ସାମାଜିକ ନଥିପତ୍ର ବୋଲି ମଧ୍ୟ କୁହାଯାଏ । ସେ କହିଥିଲେ ଯେ ସ୍ୱାଧୀନତା ପରେ ଆମ ଦେଶରେ ଚିହ୍ନଟ ହୋଇଥିବା ଦୁର୍ବଳତାଗୁଡ଼ିକ ବର୍ତ୍ତମାନସୁଦ୍ଧା ସମାଧାନ ହୋଇନପାରିବା ବାସ୍ତବରେ ଦୁର୍ଭାଗ୍ୟଜନକ । ସେ କହିଥିଲେ ଯେ ବର୍ତ୍ତମାନ ଦେଶବାସୀଙ୍କ ଆତ୍ମବିଶ୍ୱାସକୁ ଦେଖି ଏବେକାର ସମୟକୁ ସୁବର୍ଣ୍ଣ ଯୁଗ ଭାବେ ଅଭିହିତ କରାଯାଇପାରିବ । ସେ କହିଥିଲେ, ଏହି ଗଠନମୂଳକ ପରିବେଶକୁ ନୂତନ ଭାରତ ନିର୍ମାଣ ଦିଗରେ ଉପଯୋଗ କରାଯିବା ଉଚିତ ।

“ସହଜ ଜୀବନଧାରଣ” ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଭୂମିକା “ନିୟାମକ” ଅପେକ୍ଷା “ସୁବିଧାପ୍ରଦାନକାରୀ” ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଗତ ତିନି ବର୍ଷ ମଧ୍ୟରେ ହୋଇଥିବା “ସହଜ ଜୀବନଧାରଣ”ର କେତେକ ଉଦାହରଣ ଯେପରିକି ତ୍ୱରିତ ଆୟକର ରିଫଣ୍ଡ ଏବଂ ତୁରନ୍ତ ପାସପୋର୍ଟ ପ୍ରଦାନ ଆଦି କାର୍ଯ୍ୟପଦ୍ଧତି ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ଉପକ୍ରମଗୁଡ଼ିକ ସମାଜର ପ୍ରତ୍ୟେକ ବର୍ଗ ଉପରେ ସକାରାତ୍ମକ ପ୍ରଭାବ ପକାଇଛି । ସେ କହିଥିଲେ ଯେ ପାଖାପାଖି 1200 ପୁରୁଣା ଆଇନକୁ ନିରସ୍ତ୍ର କରିଦିଆଯାଇଛି । ସେ କହିଥିଲେ ଯେ “ସହଜ ଜୀବନଧାରଣ”ର ପ୍ରଭାବ “ସହଜ ବ୍ୟବସାୟିକ ବାତାବରଣ” ସୃଷ୍ଟି ଉପରେ ପଡ଼ିଛି । ସେ କହିଥିଲେ ଯେ ନ୍ୟାୟାଳୟଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି ଲୋକ ଅଦାଲତଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ । “ନ୍ୟାୟର ସହଜ ଉପଲବ୍ଧତା” ପାଇଁ ନିଆଯାଉଥିବା ଅନ୍ୟ କେତେକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭିନ୍ନ ଭିନ୍ନ ସମୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବା ଯୋଗୁ ବିପୁଳ ରାଜସ୍ୱ ବ୍ୟୟ ହେଉଛି । ସେହିପରି ସୁରକ୍ଷା କର୍ମୀ ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କ ସ୍ଥାନାନ୍ତରଣ ଭଳି ପଦକ୍ଷେପ ଯୋଗୁ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଏହାର ପ୍ରଭାବ ପଡ଼ୁଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏକକାଳୀନ ନିର୍ବାଚନ କରାଇବା ଲାଗି ଗଠନମୂଳକ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟପାଳିକା, ବ୍ୟବସ୍ଥାପକ ସଭା ଏବଂ ନ୍ୟାୟପାଳିକା ସମ୍ବିଧାନର ମେରୁଦଣ୍ଡ । ତେଣୁ ଏହି ତିନି ସ୍ତମ୍ଭ ମଧ୍ୟରେ ଭାରସାମ୍ୟ ରହିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲେଖ କରିଥିଲେ ।

**********