ପିଏମଇଣ୍ଡିଆ
ଝାଡଖଣ୍ଡରେ ଚଳିତ ଦ୍ୱାଦଶ ଯୋଜନା କାଳରେ ଏକ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯିବ । କେନ୍ଦ୍ର ସରକାରଙ୍କ କୃଷି ଗବେଷଣା ଓ ସଂପ୍ରସାରଣ ବିଭାଗର ପ୍ଲାନ ସ୍କମ୍ ଅଧିନରେ ଏହି ପ୍ରତିଷ୍ଠାନ ନିର୍ମାଣ କରାଯିବ । ଏଥିଲାଗି ଝାଡଖଣ୍ଡ ସରକାର ହଜାରିବାଗର ବାରୀ ବ୍ଲକ ଅନ୍ତର୍ଗତ ଗୌରୀଆ କର୍ମା ଗ୍ରାମ ନିକଟରେ 1000 ଏକର ଜମି ଯୋଗାଇ ଦେବେ । ଏହି କୃଷି ପ୍ରକଳ୍ପ ଲାଗି 200.78 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନୂଆଦିଲ୍ଳୀର ଆଇ.ଏ. ଆର. ଆଇ ଢାଂଚାରେ ଝାଡଖଣ୍ଡରେ ଅନୁରୂପ ଏକ ଅନୁଷ୍ଠାନ ଗଢାଯିବ । ଏହି ଅନୁଷ୍ଠାନ ମାଧ୍ୟମରେ ବିଭିନ୍ନ ସଶ୍ୟ, ଉଦ୍ୟାନ କୃଷି, କୃଷି-ବନୀକରଣ, ପଶୁ ପାଳନ, ମତ୍ସ୍ୟ ଉନ୍ନୟନ, କୁକୁଡା ଓ ଘୁଷୁରୀ ପାଳନ, ରେଷମ ଓ ଲାଖ ଚାଷ , ମହୁଚାଷ ଆଦି କୃଷି ଉପରେ ଗବେଷଣା କରାଯିବ । ଗବେଷଣା ବ୍ୟତୀତ ଉଚ୍ଚତର ଶିକ୍ଷା ଓ କୃଷି ସଂପ୍ରସାରଣ କାର୍ଯ୍ୟକ୍ରମ, କୃଷି ସଂଲଗ୍ନ ମାନବ ସମ୍ବଳର ବିକାଶ, କୃଷକମାନଙ୍କୁ ସୁହାଇବା ଭଳି ଟେକ୍ନୋଲଜିର ବିକାଶ ଦିଗରେ ମଧ୍ୟ ଏହି ପ୍ରସ୍ତାବିତ ଅନୁଷ୍ଠାନ କାର୍ଯ୍ୟକରିବ । ଆଇ.ଏ.ଆର.ଆଇ. ନୂଆଦିଲ୍ଲୀର ଏକ ଅଫ୍- କ୍ୟାମ୍ପସ ଭାବେ ମଧ୍ୟ ଏହା କାମ କରିବ ।