ପିଏମଇଣ୍ଡିଆ
ମାନନୀୟା ଅଧ୍ୟକ୍ଷ ମହୋଦୟ,
ମାନନୀୟ ପ୍ରଧାନମନ୍ତ୍ରୀ ଜୀ,
ମାନନୀୟ ଉପ-ପ୍ରଧାନମନ୍ତ୍ରୀ ଜୀ,
ମାନନୀୟ ଉପାଧ୍ୟକ୍ଷ ମହୋଦୟ,
ସମ୍ମାନନୀୟ ସାଂସଦଗଣ,
ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଓମୱ ଉହଲା ପୋ ନୱା?
ନମସ୍କାର
ଗଣତନ୍ତ୍ରର ମନ୍ଦିର ଭାବରେ ପରିଚିତ-ଏହି ପବିତ୍ର ସଦନକୁ ସମ୍ବୋଧିତ କରିବା-ଏକ ବଡ଼ ସୌଭାଗ୍ୟର କଥା। ମୋତେ ଏହି ସମ୍ମାନ ଦେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
ଗଣତନ୍ତ୍ରର ଜନନୀର ପ୍ରତିନିଧି ଭାବେ ମୁଁ ଆପଣମାନଙ୍କ ସମ୍ମୁଖରେ ଠିଆ ହୋଇଛି। ଏବଂ, ମୁଁ ମୋ ସହିତ ଭାରତର 1.4 କୋଟି ଲୋକଙ୍କ ଠାରୁ ହାର୍ଦ୍ଦିକ ଶୁଭେଚ୍ଛା ଆଣିଛି।
ଦୟାକରି ମୋତେ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁମତି ଦିଅନ୍ତୁ । ଲୋକମାନେ ଆପଣଙ୍କୁ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଜନାଦେଶ ଦେଇଛନ୍ତି। ଆପଣ ସମସ୍ତେ ଜାଣନ୍ତି, ରାଜନୀତିରେ,ଏହା ଉଭୟ ଏକ ସମ୍ମାନ ଏବଂ ଏକ ବଡ଼ ଦାୟିତ୍ୱ। ମୁଁ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଆପଣଙ୍କ ସଫଳତା କାମନା କରୁଛି।
ବନ୍ଧୁଗଣ,
କିଛି ମାସ ପୂର୍ବରୁ, ଆପଣମାନେ ଏକ ଐତିହାସିକ ମୁହୂର୍ତ୍ତକୁ ପାଳନ କରିଥିଲେ। ନାମିବିଆ ଏହାର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥିଲା। ଆମେ ଆପଣଙ୍କ ଗର୍ବ ଏବଂ ଆନନ୍ଦକୁ ବୁଝି ପାରୁଛୁ ଏବଂ ଏହାକୁ ବାଣ୍ଟୁଛୁ, କାରଣ ଭାରତରେ ଆମେ ମଧ୍ୟ ଗର୍ବର ସହ କହୁଛୁ-ମ୍ୟାଡାମ୍ ପ୍ରେସିଡେଣ୍ଟ।
ଏହା ହେଉଛି ଭାରତର ସମ୍ବିଧାନ, ଯାହା ଯୋଗୁଁ ଏକ ଗରିବ ଆଦିବାସୀ ପରିବାରର ଝିଅ ଆଜି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ରାଷ୍ଟ୍ରପତି। ଏହା ସମ୍ବିଧାନର ଶକ୍ତି ଯେ ମୋ ଭଳି ଗରିବ ପରିବାରରେ ଜନ୍ମିତ ବ୍ୟକ୍ତିଙ୍କୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ମିଳିଛି। ଯାହାର କିଛି ନାହିଁ, ତା ‘ପାଖରେ ସମ୍ବିଧାନର ଗ୍ୟାରେଣ୍ଟି ରହିଛି!
ଭାରତ ସମ୍ବିଧାନର ଏତେ ଶକ୍ତି ଅଛି ଯେ ଏକ ଗରିବ ଆଦିବାସୀ ପରିବାରର ଝିଅ ଆଜି ଭାରତର ରାଷ୍ଟ୍ରପତି ହୋଇଛନ୍ତି । ଏହି ସମ୍ବିଧାନ ହିଁ ମୋ ଭଳି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା। ଥରେ ନୁହେଁ, ଦୁଇଥର ନୁହେଁ, ବରଂ ତିନିଥର। ଯେତେବେଳେ ଆପଣଙ୍କ ପାଖରେ କିଛି ନ ଥାଏ, ସେତେବେଳେ ସମ୍ବିଧାନ ଆପଣଙ୍କୁ ସବୁକିଛି ଦେଇଥାଏ।
ମାନନ୍ୟୟ ସଦସ୍ୟଗଣ,
ମୁଁ ଏହି ମହାନ ଗୃହରେ ଠିଆ ହୋଇ, ନାମିବିଆର ପ୍ରଥମ ରାଷ୍ଟ୍ରପତି ତଥା ପ୍ରତିଷ୍ଠାତା ପିତା, ରାଷ୍ଟ୍ରପତି ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯାହାଙ୍କର ଚଳିତ ବର୍ଷ ପ୍ରାରମ୍ଭରେ ଦେହାନ୍ତ ହୋଇଥିଲା। ସେ ଥରେ କହିଥିଲେ, ମୁଁ ତାହା ଉଦ୍ଧୃତ କରୁଛି :
“ଆମର ସ୍ୱାଧୀନତାର ଉପଲବ୍ଧି ଆମ ଉପରେ ଏକ ଭାରୀ ଦାୟିତ୍ୱ ଲଦି ଦେଇଛି, କେବଳ ଆମର କଠିନ ପରିଶ୍ରମ ଦ୍ୱାରା ଜିତିଥିବା ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ନୁହେଁ, ବରଂ ଜାତି, ଧର୍ମ କିମ୍ବା ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନତା, ନ୍ୟାୟ ଏବଂ ସୁଯୋଗର ଉଚ୍ଚ ମାନଦଣ୍ଡ ସ୍ଥାପନ କରିବା ପାଇଁ |”
ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ୱାଧୀନ ରାଷ୍ଟ୍ର ପାଇଁ ତାଙ୍କର ଦୂରଦୃଷ୍ଟି ଆମ ସମସ୍ତଙ୍କୁ ନିରନ୍ତର ପ୍ରେରଣା ଦେଉଛି। ଆମେ ଆପଣଙ୍କ ସ୍ୱାଧୀନତା ସଂଗ୍ରାମର ବୀରନାୟକମାନଙ୍କ ସ୍ମୃତିକୁ ମଧ୍ୟ ସମ୍ମାନ କରୁଛୁ- ହୋସେଆ, କୁଟାକୋ, ହେନଡ୍ରିକ ୱିଟବୁଇ, ମାଣ୍ଡୁମେୟା ଣ୍ଡେମୁଫାୟୋ ଏବଂ ଆହୁରି ଅନେକ।
ଆପଣଙ୍କ ମୁକ୍ତି ସଂଗ୍ରାମ ସମୟରେ ଭାରତର ଲୋକମାନେ ନାମିବିଆ ସହିତ ଗର୍ବର ସହ ଛିଡ଼ା ହୋଇଥିଲେ। ଆମ ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ମିଳିତ ଜାତିସଂଘରେ ଦକ୍ଷିଣ-ପଶ୍ଚିମ ଆଫ୍ରିକା ପ୍ରସଙ୍ଗ ଉଠାଇଥିଲା।
ଆପଣଙ୍କ ସ୍ୱାଧୀନତା ଅନ୍ୱେଷଣରେ ଆମେ ସ୍ୱାପୋକୁ ସମର୍ଥନ କରିଥିଲୁ। ବାସ୍ତବରେ, ନୂଆଦିଲ୍ଲୀ ବିଦେଶରେ ସେମାନଙ୍କର ପ୍ରଥମ କୂଟନୈତିକ କାର୍ଯ୍ୟାଳୟ ଆୟୋଜନ କରିଥିଲା। ଏବଂ, ଜଣେ ଭାରତୀୟ ଲେଫ୍ଟନାଣ୍ଟ ଜେନେରାଲ ଦିୱାନ ପ୍ରେମ ଚାନ୍ଦ ଥିଲେ, ଯିଏ ନାମିବିଆରେ ମିଳିତ ଜାତିସଂଘର ଶାନ୍ତିରକ୍ଷା ବାହିନୀର ନେତୃତ୍ୱ ନେଇଥିଲେ।
କେବଳ ଶବ୍ଦରେ ନୁହେଁ, କାର୍ଯ୍ୟରେ ମଧ୍ୟ ଆପଣଙ୍କ ସହିତ ଛିଡ଼ା ହୋଇଥିବାରୁ ଭାରତ ଗର୍ବିତ। ଯେପରି ନାମିବିଆର ଜଣାଶୁଣା କବି ମଭୁଲା ୟା ନାଙ୍ଗୋଲୋ ଲେଖିଛନ୍ତି, ଏବଂ ମୁଁ ଉଦ୍ଧୃତ କରୁଛିଃ
“ଯେତେବେଳେ ଆମ ଦେଶକୁ ସ୍ୱାଧୀନତା ଆସିବ, ଆମେ ଗର୍ବର ସହ ସ୍ମୃତିରେ ସର୍ବୋତ୍ତମ ସ୍ମାରକୀ ନିର୍ମାଣ କରିବୁ”।
ଆଜି, ଏହି ସଂସଦ, ମୁକ୍ତ ଏବଂ ଗର୍ବିତ ନାମିବିଆ, ଜୀବନ୍ତ ସ୍ମାରକୀ।
ମାନନୀୟ ସଦସ୍ୟଗଣ,
ଭାରତ ଏବଂ ନାମିବିଆରେ ମଧ୍ୟରେ ବହୁତ ସମାନତା ରହିଛି। ଆମେ ଦୁହେଁ ଉପନିବେଶବାଦୀ ଶାସନ ବିରୋଧରେ ଲଢ଼ିଥିଲୁ। ଆମେ ଉଭୟ ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଗୁରୁତ୍ୱ ଦେଉଛୁ। ଆମର ସମ୍ବିଧାନ ଆମକୁ ସମାନତା, ସ୍ୱାଧୀନତା ଏବଂ ନ୍ୟାୟକୁ ବଜାୟ ରଖିବା ପାଇଁ ମାର୍ଗଦର୍ଶନ ଦେଇଥାଏ। ଆମେ ବିଶ୍ୱ-ଦକ୍ଷିଣର ଅଂଶବିଶେଷ ଏବଂ ଆମର ଲୋକମାନେ ଆଶା ଓ ସ୍ୱପ୍ନ ବାଣ୍ଟିଥାନ୍ତି ।
ଆଜି, ଆମ ଲୋକମାନଙ୍କ ମଧ୍ୟରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ନାମିବିଆର ସର୍ବୋଚ୍ଚ ନାଗରିକ ପୁରସ୍କାର ଗ୍ରହଣ କରି ମୁଁ ଅତ୍ୟନ୍ତ ସମ୍ମାନିତ ଅନୁଭବ କରୁଛି। ନାମିବିଆର କଠିନ ଏବଂ ସୁନ୍ଦର ଉଦ୍ଭିଦ ପରି, ଆମର ବନ୍ଧୁତା, ସମୟର ପରୀକ୍ଷାରେ ଛିଡ଼ା ହୋଇଛି | ଏପରିକି ସବୁଠାରୁ ଶୁଷ୍କ ଋତୁରେ ମଧ୍ୟ ଏହା ଶାନ୍ତ ଭାବରେ ବୃଦ୍ଧି ପାଇଥାଏ | ଏବଂ, ଆପଣଙ୍କ ଜାତୀୟ ଉଦ୍ଭିଦ ୱେଲୱିଟସିଆ ମିରାବିଲିସ୍ ପରି, ଏହା କେବଳ ବୟସ ଏବଂ ସମୟ ସହିତ ଶକ୍ତିଶାଳୀ ହୁଏ | ଏହି ସମ୍ମାନ ପାଇଁ ମୁଁ ପୁଣି ଥରେ ଭାରତର 1.4 କୋଟି ଜନତାଙ୍କ ତରଫରୁ ରାଷ୍ଟ୍ରପତି, ସରକାର ଏବଂ ନାମିବିଆର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି।
ବନ୍ଧୁଗଣ,
ଭାରତ ନାମିବିଆ ସହିତ ନିଜର ଐତିହାସିକ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାଏ। ଆମେ କେବଳ ଆମର ଅତୀତର ସମ୍ପର୍କକୁ ଗୁରୁତ୍ୱ ଦେଉ ନାହୁଁ, ବରଂ ଆମର ମିଳିତ ଭବିଷ୍ୟତର ସମ୍ଭାବନାକୁ ହୃଦୟଙ୍ଗମ କରିବା ଉପରେ ମଧ୍ୟ ଧ୍ୟାନ ଦେଉଛୁ। ନାମିବିଆର ଭିଜନ 2030 ଏବଂ ହରାମ୍ବୀ ସମୃଦ୍ଧି ଯୋଜନା ଉପରେ ମିଳିତ ଭାବେ କାର୍ଯ୍ୟ କରିବାରେ ଆମେ ବହୁତ ମୂଲ୍ୟ ଦେଖୁଛୁ।
ଏବଂ, ଆମର ସହ ଭାଗୀତାର ମୂଳରେ ଆମର ଲୋକମାନେ ଅଛନ୍ତି । ଭାରତରେ 1700ରୁ ଅଧିକ ନାମିବିଆବାସୀ ଛାତ୍ରବୃତ୍ତି ଏବଂ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଛନ୍ତି। ନାମିବିଆର ପରବର୍ତ୍ତୀ ପିଢ଼ିର ବୈଜ୍ଞାନିକ, ଡାକ୍ତର ଏବଂ ନେତାମାନଙ୍କୁ ସମର୍ଥନ କରି ଆମେ ଉତ୍ସାହିତ। ଆଇଟିରେ ଉତ୍କର୍ଷତା କେନ୍ଦ୍ର, ନାମିବିଆ ବିଶ୍ୱବିଦ୍ୟାଳୟର ଜେଇଡିଏସ୍ କ୍ୟାମ୍ପସରେ ଭାରତ ୱିଙ୍ଗ, ଏବଂ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ତାଲିମ-ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଆମର ସମାନ ବିଶ୍ୱାସକୁ ପ୍ରତିଫଳିତ କରୁଛି ଯେ କ୍ଷମତା ହେଉଛି ସର୍ବୋତ୍ତମ ମୁଦ୍ରା।
ମୁଦ୍ରା ବିଷୟରେ କହିବାକୁ ଗଲେ, ଆମେ ଆନନ୍ଦିତ ଯେ ଭାରତର ୟୁପିଆଇ.-ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍ ଗ୍ରହଣ କରିବାରେ ନାମିବିଆ ଏହି କ୍ଷେତ୍ରର ପ୍ରଥମ ଦେଶମାନଙ୍କ ମଧ୍ୟରେ ରହିଛି। ଖୁବ ଶୀଘ୍ର, ଲୋକମାନେ “ଟାଙ୍ଗି ଉନେନେ” କହିବା ଅପେକ୍ଷା ଶୀଘ୍ର ଟଙ୍କା ପଠାଇବାରେ ସକ୍ଷମ ହେବେ। ଖୁବ୍ ଶୀଘ୍ର, କୁନେନର ଜଣେ ହିମ୍ବା ଜେଜେମା, କିମ୍ବା କାଟୁଟୁରାର ଜଣେ ଦୋକାନୀ, କେବଳ ଗୋଟିଏ ଟ୍ୟାପ୍ ସହିତ ଡିଜିଟାଲ୍ କରିବାକୁ ସକ୍ଷମ ହେବେ-ଏକ ସ୍ପ୍ରିଙ୍ଗବକ୍ ଠାରୁ ଦ୍ରୁତ |
ଆମର ଦ୍ୱିପାକ୍ଷିକ ବାଣିଜ୍ୟ 800 ନିୟୁତ ଡଲାର ଅତିକ୍ରମ କରିଛି। କିନ୍ତୁ, କ୍ରିକେଟ୍ ପଡ଼ିଆ ପରି, ଆମେ କେବଳ ୱର୍ମଅପ ହେଉଛୁ। ଆମେ ଶୀଘ୍ର ସ୍କୋର କରିବୁ ଏବଂ ଅଧିକ ସ୍କୋର କରିବୁ।
ନୂତନ ଉଦ୍ୟୋଗୀତା ବିକାଶ କେନ୍ଦ୍ର ମାଧ୍ୟମରେ ନାମିବିଆର ଯୁବକମାନଙ୍କୁ ସମର୍ଥନ କରି ଆମେ ଗର୍ବିତ। ଏହା ଏପରି ଏକ ସ୍ଥାନ ହେବ ଯେଉଁଠାରେ ବ୍ୟବସାୟିକ ସ୍ୱପ୍ନକୁ ପରାମର୍ଶଦାତା, ପାଣ୍ଠି ଏବଂ ବନ୍ଧୁ ମଧ୍ୟ ମିଳିପାରିବ।
ସ୍ୱାସ୍ଥ୍ୟ ହେଉଛି ଆମର ସହଭାଗୀ ପ୍ରାଥମିକତାର ଆଉ ଏକ ସ୍ତମ୍ଭ। ଭାରତର ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ପ୍ରାୟ 50 କୋଟି ଲୋକଙ୍କୁ ଅନ୍ତର୍ଭୁକ୍ତ କରିଥାଏ। କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଭାରତର ଚିନ୍ତା କେବଳ ଭାରତୀୟମାନଙ୍କ ମଧ୍ୟରେ ସୀମିତ ନୁହେଁ।
ଭାରତର ମିଶନ-“ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” ସ୍ୱାସ୍ଥ୍ୟକୁ ମିଳିତ ବିଶ୍ଵ ଦାୟିତ୍ୱ ଭାବେ ବିବେଚନା କରେ।
ମହାମାରୀ ସମୟରେ, ଆମେ ଆଫ୍ରିକା ସହିତ ଛିଡ଼ା ହୋଇଥିଲୁ,-ଟିକା ଏବଂ ଔଷଧ ଯୋଗାଇଥିଲୁ, ଯଦିଓ ଅନ୍ୟମାନେ ବାଣ୍ଟିବାକୁ ମନା କରିଦେଇଥିଲେ। ଆମର “ଆରୋଗ୍ୟ ମୈତ୍ରୀ” ପଦକ୍ଷେପ ଆଫ୍ରିକାକୁ ଡାକ୍ତରଖାନା, ଉପକରଣ, ଔଷଧ ଏବଂ ତାଲିମ ସହିତ ସମର୍ଥନ କରେ | ଉନ୍ନତ କର୍କଟ ଚିକିତ୍ସା ପାଇଁ ନାମିବିଆକୁ ଭାଭାଟ୍ରନ୍ ରେଡିଓଥେରାପି ମେସିନ୍ ଯୋଗାଇବା ପାଇଁ ଭାରତ ପ୍ରସ୍ତୁତ ଅଛି। ଭାରତରେ ବିକଶିତ ହୋଇଥିବା ଏହି ମେସିନ୍ 15ଟି ଦେଶରେ ନିୟୋଜିତ ହୋଇଛି ଏବଂ ବିଭିନ୍ନ ଦେଶରେ ଗୁରୁତର କର୍କଟ ଚିକିତ୍ସା ଥିବା ପ୍ରାୟ ପାଞ୍ଚ ଲକ୍ଷ ରୋଗୀଙ୍କୁ ସାହାଯ୍ୟ କରିଛି।
ସୁଲଭ ମୂଲ୍ୟରେ ଏବଂ ଗୁଣାତ୍ମକ ମାନର ଔଷଧ ପାଇବା ପାଇଁ ଜନଔଷଧି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆମେ ନାମିବିଆକୁ ମଧ୍ୟ ନିମନ୍ତ୍ରଣ କରୁଛୁ। ଏହି କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଔଷଧର ମୂଲ୍ୟ 50 ରୁ 80 ପ୍ରତିଶତ ହ୍ରାସ କରାଯାଇଛି। ଏହା ଦୈନିକ 10 ଲକ୍ଷରୁ ଅଧିକ ଭାରତୀୟଙ୍କୁ ସାହାଯ୍ୟ କରୁଛି। ଏବଂ ଏ ପର୍ଯ୍ୟନ୍ତ ଏହା ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ ପ୍ରାୟ 4.5 କୋଟି ଆମେରିକୀୟ ଡଲାର ସଞ୍ଚୟ କରିବାରେ ସାହାଯ୍ୟ କରିଛି।
ବନ୍ଧୁଗଣ,
ଭାରତ ଏବଂ ନାମିବିଆରେ ସହଯୋଗ, ସଂରକ୍ଷଣ ଏବଂ ସହାନୁଭୂତିର ଏକ ଶକ୍ତିଶାଳୀ କାହାଣୀ ରହିଛି, ଯେତେବେଳେ ଆପଣମାନେ ଆମ ଦେଶରେ ଚିତା ଗୁଡ଼ିକୁ ପୁନଃପ୍ରଚଳନ କରିବାରେ ଆମକୁ ସାହାଯ୍ୟ କରିଥିଲେ। ଆପଣଙ୍କ ଉପହାର ପାଇଁ ଆମେ ଅତ୍ୟନ୍ତ କୃତଜ୍ଞ। କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ମୁକ୍ତ କରିବାର ସୌଭାଗ୍ୟ ମୋତେ ମିଳିଥିଲା।
ସେମାନେ ଆପଣଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି: ଇନିମା ଆଇଶେ ଓୟଅଇଲି ନାୱା ସବୁକିଛି ଠିକ୍ ଅଛି।
ସେମାନେ ଖୁସିରେ ଅଛନ୍ତି ଏବଂ ନିଜ ନୂଆ ଘରେ ଭଲ ଭାବେ ରହିପାରୁଛନ୍ତି । ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହା ସ୍ପଷ୍ଟ ଯେ ସେମାନେ ଭାରତରେ ଆନନ୍ଦ ପୂର୍ବକ’ ସମୟ ବିତାଉଛନ୍ତି ।
ବନ୍ଧୁଗଣ,
ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ପାଇଁ ମେଣ୍ଟ ଭଳି ପଦକ୍ଷେପ ମାଧ୍ୟମରେ ମିଳିତ ଭାବେ କାର୍ଯ୍ୟ କରୁଛୁ। ଆଜି ନାମିବିଆ ଗ୍ଲୋବାଲ୍ ବାୟୋଫୁଏଲ୍ ଆଲାଏନ୍ସ ଏବଂ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ସ ଆଲାଏନ୍ସରେ ସାମିଲ ହୋଇଯାଇଛି।
ଆମେ ଭବିଷ୍ୟତକୁ ଚାହିଁ, ଆସନ୍ତୁ ଆମେ ନାମିବିଆର ଜାତୀୟ ପକ୍ଷୀ, ଆଫ୍ରିକୀୟ ମାଛ ଇଗଲ ଦ୍ୱାରା ପରିଚାଳିତ ହେବା। ଏହାର ତୀକ୍ଷ୍ଣ ଦୃଷ୍ଟି ଏବଂ ଚମତ୍କାର ଉଡ଼ାଣ ପାଇଁ ଜଣାଶୁଣା, ଏହା ଆମକୁ ଶିକ୍ଷା ଦେଇଥାଏ ଏ: ଏକାଠି ଉଡ଼ନ୍ତୁ,
ଦିଗନ୍ତଙ୍କୁ ଦେଖନ୍ତୁ,
ଏବଂ ସାହସ ପୂର୍ବକ ସୁଯୋଗ ପାଇଁ ହାତ ବଢାଇ ଦିଅନ୍ତୁ !
ବନ୍ଧୁଗଣ,
2018ରେ ମୁଁ ଆଫ୍ରିକା ସହିତ ଆମର ସମ୍ପର୍କର 10ଟି ନୀତି ନିର୍ଦ୍ଧାରଣ କରିଥିଲି। ଆଜି ମୁଁ ସେମାନଙ୍କ ପ୍ରତି ଭାରତର ସମ୍ପୂର୍ଣ୍ଣ ପୁନଃ ସ୍ଥାପନ କରୁଛି । ସେଗୁଡ଼ିକ ସମ୍ମାନ, ସମାନତା ଏବଂ ପାରସ୍ପରିକ ଲାଭ ଉପରେ ଆଧାରିତ। ଆମେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନୁହେଁ, ବରଂ ସହଯୋଗ କରିବାକୁ ଚାହୁଁଛୁ। ଆମର ଲକ୍ଷ୍ୟ ହେଉଛି ମିଳିତ ଭାବେ ନିର୍ମାଣ କରିବା। ନେବା ପାଇଁ ନୁହେଁ, ବରଂ ଏକାଠି ବଢ଼ିବା ପାଇଁ।
ଆଫ୍ରିକାରେ ଆମର ବିକାଶ ଭାଗିଦାରୀର ମୂଲ୍ୟ 12 ବିଲିୟନ ଡଲାରରୁ ଅଧିକ। କିନ୍ତୁ ଏହାର ପ୍ରକୃତ ମୂଲ୍ୟ ହେଉଛି ସହଭାଗୀ ଅଭିବୃଦ୍ଧି ଏବଂ ସହଭାଗୀ ଉଦ୍ଦେଶ୍ୟ। ଆମେ ସ୍ଥାନୀୟ କୌଶଳ ନିର୍ମାଣ କରିବା, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବା ଏବଂ ସ୍ଥାନୀୟ ନବସୃଜନକୁ ସମର୍ଥନ କରିବା ଜାରି ରଖିଛୁ।
ଆମେ ବିଶ୍ୱାସ କରୁ ଯେ ଆଫ୍ରିକା କେବଳ କଞ୍ଚାମାଲର ଉତ୍ସ ହେବା ଉଚିତ ନୁହେଁ। ଆଫ୍ରିକା ମୂଲ୍ୟ ସୃଷ୍ଟି ଏବଂ ସ୍ଥାୟୀ ଅଭିବୃଦ୍ଧିରେ ନେତୃତ୍ୱ ନେବା ଆବଶ୍ୟକ। ସେଥିପାଇଁ ଆମେ ଶିଳ୍ପାୟନ ପାଇଁ ଆଫ୍ରିକାର ଏଜେଣ୍ଡା 2063 କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆମେ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛୁ। ବିଶ୍ୱ ବ୍ୟାପାରରେ ଆଫ୍ରିକାର ଭୂମିକାକୁ ଭାରତ ଗୁରୁତ୍ୱ ଦେଇଥାଏ। ଆମର ଜି-20 ଅଧ୍ୟକ୍ଷତା ସମୟରେ ଆମେ ଆଫ୍ରିକାର ସ୍ୱରକୁ ସମର୍ଥନ କରିଥିଲୁ। ଏବଂ ଆମେ ଜି-20ର ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଙ୍ଘକୁ ଗର୍ବର ସହ ସ୍ୱାଗତ କରୁଛୁ।
ବନ୍ଧୁଗଣ,
ଆଜି ଭାରତ ନିଜର ବିକାଶ ସହିତ ବିଶ୍ୱର ସ୍ୱପ୍ନକୁ ମଧ୍ୟ ଦିଶା ଦେଉଛି। ଏବଂ ଏଥିରେ ମଧ୍ୟ, ଆମର ଗୁରୁତ୍ୱ ଗ୍ଲୋବାଲ ସାଉଥ୍ ଉପରେ ରହିଛି।
ବିଂଶ ଶତାବ୍ଦୀରେ, ଭାରତର ସ୍ୱାଧୀନତା ଏକ ଆଲୋକିତ କରିଥିଲା-ଯାହା ଆଫ୍ରିକା ସମେତ ସମଗ୍ର ବିଶ୍ୱରେ ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଦେଇଥିଲା। ଏକବିଂଶ ଶତାବ୍ଦୀରେ, ଭାରତର ବିକାଶ ଏକ ପଥକୁ ଆଲୋକିତ କରୁଛି, ଯାହା ଦର୍ଶାଉଛି ଯେ ଗ୍ଲୋବାଲ୍ ସାଉଥ୍ ଉଠି ପାରିବ, ନେତୃତ୍ୱ ନେଇପାରିବ ଏବଂ ନିଜର ଭବିଷ୍ୟତକୁ ରୂପ ଦେଇପାରିବ। ବାର୍ତ୍ତା ହେଉଛି-ଆପଣ ସଫଳ ହୋଇପାରିବେ-ନିଜ ସର୍ତ୍ତରେ, ନିଜର ପରିଚୟ ନ ହରାଇ।
ଏହା ହେଉଛି ଭାରତର ବାର୍ତ୍ତା-ଯେ ନିଜ ରାସ୍ତାରେ ଚାଲି ନିଜ ସଂସ୍କୃତି ଏବଂ ଗୌରବ ସହିତ ସଫଳତା ପାଇପାରିବେ।
ଏହି ବାର୍ତ୍ତାକୁ ଆହୁରି ଅଧିକ ପ୍ରଚାର କରିବା ପାଇଁ, ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଆସନ୍ତୁ ଆମେ ଏକ ଏମିତି ପରିଭାଷିତ ଭବିଷ୍ୟତ ସୃଷ୍ଟି କରିବା, ;ଜୟା ପରିଭାଷିତ ଥିବା:
-କ୍ଷମତା ଦ୍ୱାରା ନୁହେଁ, ବରଂ ଭାଗିଦାରୀ ଦ୍ୱାରା।
-ଆଧିପତ୍ୟ ଦ୍ୱାରା ନୁହେଁ, ବରଂ ବାର୍ତ୍ତାଳାପ ଦ୍ୱାରା।
-ବହିଷ୍କାର ଦ୍ୱାରା ନୁହେଁ, ବରଂ ସମତା ଦ୍ୱାରା।
ଏହା ଆମର ସହଭାଗୀ ଦୂରଦୃଷ୍ଟିର ଭାବନା ହେବ
“ସ୍ୱାଧୀନତାରୁ ଭବିଷ୍ୟତ ପର୍ଯ୍ୟନ୍ତ”- ସ୍ଵତନ୍ତ୍ରତାରୁ ସମୃଦ୍ଧି, ସଂକଳ୍ପରୁ ସିଦ୍ଧି ।
ସ୍ୱାଧୀନତାର ସେହି ଛୋଟ ଆଲୋକ ଠାରୁ ଆରମ୍ଭ କରି ସହଭାଗୀ ପ୍ରଗତିର ଆଲୋକ ପର୍ଯ୍ୟନ୍ତ। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ପଥରେ ଚାଲିବା। ଯେତେବେଳେ ଦୁଇ ଦେଶ ସ୍ୱାଧୀନତାର ନିଆଁରେ ଜଳୁଛନ୍ତି, ଆସନ୍ତୁ ବର୍ତ୍ତମାନ ଆମେ ସ୍ୱପ୍ନ ଦେଖିବା ଏବଂ ମର୍ଯ୍ୟାଦା, ସମାନତା ଏବଂ ସୁଯୋଗର ଭବିଷ୍ୟତ ନିର୍ମାଣ କରିବା। କେବଳ ଆମ ଲୋକମାନଙ୍କ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ।
ଆସନ୍ତୁ ଆମେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଅଂଶୀଦାର ଭାବରେ ଆଗକୁ ବଢ଼ିବା। ଆମର ପିଲାମାନେ କେବଳ ଆମେ ଲଢିଥିବା ସେହି ସ୍ୱାଧୀନତାର ଉତ୍ତରାଧିକାରୀ ନ ହେଉ ହୁଅନ୍ତୁ, ବରଂ ଆମେ ଏକାଠି ନିର୍ମାଣ କରୁଥିବା ଭବିଷ୍ୟତର ଅଧିକାରୀ ହୁଅନ୍ତୁ, ଆଜି ଯେତେବେଳେ ମୁଁ ଏଠାରେ ଠିଆ ହୋଇଛି, ମୁଁ ଆଶାରେ ପରିପୂର୍ଣ୍ଣ। ଭାରତ-ନାମିବିଆ ସମ୍ପର୍କର ସର୍ବୋତ୍ତମ ଦିନ ଆମ ଆଗରେ ରହିଛି।
ବନ୍ଧୁଗଣ,
ମୁଁ ୨୦୨୭ କ୍ରିକେଟ ବିଶ୍ୱକପ୍ ସହ ଆୟୋଜନରେ ନାମିବିଆର ବିପୁଳ ସଫଳତା କାମନା କରି ମୁଁ ମୋର ବକ୍ତବ୍ୟ ଶେଷ କରୁଛି ଏବଂ କ୍ରିକେଟ ସହ ଜଡିତ କୌଣସି ସୂଚନା ଆବଶ୍ୟକ ହୁଏ, ତେବେ ଆପଣ ଜାଣନ୍ତି ଯେ ଆପଣଙ୍କୁ କାହା ସହିତ ସମ୍ପର୍କ କରିବାକୁ ହେବ ।
ଏହି ସମ୍ମାନ ପାଇଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ। ତାଙ୍ଗି ୟୁନେନ୍ !
****
NS/SLP
Addressing the Joint Session of the Parliament of the Republic of Namibia. https://t.co/DvfaaKDYVX
— Narendra Modi (@narendramodi) July 9, 2025
It was an honour to speak on India-Namibia friendship, our bond with Africa and India’s efforts for global good, during my address to the Namibian Parliament. pic.twitter.com/GQmB6CPDAX
— Narendra Modi (@narendramodi) July 9, 2025
Interacted with MPs from Namibia after my address to their Parliament. Their positivity towards India is clearly visible! pic.twitter.com/Bxa8pR6bey
— Narendra Modi (@narendramodi) July 9, 2025