ପିଏମଇଣ୍ଡିଆ
ମୋର କ୍ୟାବିନେଟ୍ ସହଯୋଗୀ ଶ୍ରୀ ମନସୁଖ ମାଣ୍ଡଭିୟ ମହୋଦୟ, ଭଉଣୀ ଶୋଭା ମହୋଦୟା, ଦେଶର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଜଡ଼ିତ ସମସ୍ତ ବିଶିଷ୍ଟ ବ୍ୟକ୍ତିତ୍ୱ, ଏବଂ ସଞ୍ଚାଳକ ଜଣକ ଏବେ ଯେଭଳି କହିଲେ, ଏହି ମୁହୂର୍ତ୍ତରେ ୨୦୦ଟି ସ୍ଥାନରେ ପ୍ରାୟ ଦୁଇ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି – ମୁଁ ଦୂରରୁ ହେଲେ ମଧ୍ୟ ସେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ମୁଁ ଆଜି ଏଠାରେ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଉପସ୍ଥିତ ଥିବାର ଦେଖୁଛି, ଏବଂ ନିଶ୍ଚିତ ଭାବରେ, ଏତେ ବଡ଼ ସଂଖ୍ୟାରେ ଯୁବ ସାଥୀମାନଙ୍କର ଉତ୍ସାହ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି।
ଆଜି, ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ଯୁବ ସାଥୀମାନଙ୍କ ମଧ୍ୟରେ ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଛି। ଅଳ୍ପ କିଛି ସମୟ ପୂର୍ବରୁ ମୁଁ ମୋର ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରୁ ଫେରିଛି। ମୁଁ ଜି-୭ରେ ବିକଶିତ ଦେଶଗୁଡ଼ିକର ନେତାମାନଙ୍କୁ ଭେଟିଥିଲି। ଆଜି ସମଗ୍ର ବିଶ୍ୱ ଭାରତର ଯୁବ ଶକ୍ତି ବିଷୟରେ ଆଲୋଚନା କରୁଛି। ସବୁଠି ଭାରତର ପ୍ରତିଭା, ଦକ୍ଷତା ଏବଂ ସାମର୍ଥ୍ୟକୁ ନେଇ ଚର୍ଚ୍ଚା ଚାଲିଛି। ବିଶ୍ୱ ଭାରତୀୟ ଯୁବପିଢ଼ିଙ୍କ କ୍ଷମତାକୁ ପ୍ରକୃତରେ ଚିହ୍ନିବା ଆରମ୍ଭ କରିଛି। ଏବଂ ଏଭଳି ଏକ ସମୟରେ, ଭାରତର ପ୍ରତ୍ୟେକ ଯୁବକ ନିଜ ସାମର୍ଥ୍ୟକୁ ସୁଯୋଗରେ ପରିଣତ କରିପାରନ୍ତୁ ବୋଲି ଆମର ପ୍ରୟାସ ଜାରି ରହିଛି। ଏହି ଦୂରଦୃଷ୍ଟି ସହିତ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଆରମ୍ଭ କରାଯାଇଛି। ଏହି ରୋଜଗାର ଯୋଜନା ଏକ ସାଧାରଣ ରୋଜଗାର ପ୍ରକଳ୍ପର ଚିନ୍ତାଧାରାଠାରୁ ବହୁ ଉର୍ଦ୍ଧ୍ୱରେ – ଏହା ଏଭଳି ଏକ ଯୋଜନା ଯାହା ନିଜର ପ୍ରଥମ ଚାକିରି ପାଉଥିବା ଯୁବପିଢ଼ିଙ୍କ ସ୍ୱପ୍ନକୁ ସଶକ୍ତ କରିଥାଏ। ଏହା ଏଭଳି ଏକ ଯୋଜନା ଯାହା ଯୁବପିଢ଼ି ଏବଂ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ଏକ ମଜବୁତ ସେତୁ ନିର୍ମାଣ କରିଥାଏ।
ବନ୍ଧୁଗଣ,
ସାଧାରଣତଃ, ଯୋଜନାଗୁଡ଼ିକ କର୍ମଚାରୀ କିମ୍ବା ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଏହା ଏଭଳି ଏକ ଯୋଜନା ଯାହା ଉଭୟଙ୍କୁ – ମୋର ଦକ୍ଷ ଯୁବପିଢ଼ି, ସମୃଦ୍ଧ ଯୁବପିଢ଼ିଙ୍କୁ ଭବିଷ୍ୟତ ଆଡ଼କୁ ଏବଂ ଶିଳ୍ପ ବିକାଶ ଆଡ଼କୁ ଏକାଠି ନେଇ ଚାଲିବ। ଯେତେବେଳେ ଜଣେ ଯୁବକ ନିଜର ପ୍ରଥମ ଚାକିରି ଆରମ୍ଭ କରନ୍ତି, ସରକାର ସେମାନଙ୍କ ସହିତ ଛିଡ଼ା ହୁଅନ୍ତି। ଏବଂ ସେଥିପାଇଁ, ଶିଳ୍ପପତି ମଧ୍ୟ ଅନୁଭବ କରନ୍ତି ଯେ ଏହି ବ୍ୟକ୍ତି ଜଣକ ଏକା ଆସିନାହାଁନ୍ତି, ସମଗ୍ର ସରକାର ସେମାନଙ୍କ ପଛରେ ଛିଡ଼ା ହୋଇଛନ୍ତି। ଏହି କାରଣରୁ, ଏଭଳି ଯୁବକମାନଙ୍କ ପ୍ରତି ଶିଳ୍ପପତିଙ୍କ ଦୃଷ୍ଟିକୋଣ ବଦଳିଯାଏ। ପୁଣି ଏହି ଯୋଜନା ମାଧ୍ୟମରେ ଯେଉଁ ଅନୁଷ୍ଠାନଗୁଡ଼ିକ ନୂତନ ରୋଜଗାର ସୃଷ୍ଟି କରନ୍ତି, ସରକାର ସେମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତି। ପୂର୍ବରୁ ଏଠାରେ କିଛି ନିୟମ ଏବଂ ବ୍ୟବସ୍ଥା ଏଭଳି ଥିଲା ଯେ ଲୋକମାନେ ବଡ଼ ହେବାକୁ ଅଥବା ବ୍ୟବସାୟ ବଢ଼ାଇବାକୁ ଭୟ କରୁଥିଲେ। ସେମାନେ ଭାବୁଥିଲେ ଯେ ଯଦି ସେମାନେ ବଡ଼ ହେବେ, ତେବେ ସେମାନେ କଟକଣା ଜାଲରେ ଛନ୍ଦି ହୋଇଯିବେ। ତେଣୁ ସେମାନେ ଛୋଟ ହୋଇ ରହିବା ହିଁ ଭଲ ବୋଲି ଭାବୁଥିଲେ। ଏବଂ ଯଦି ଅଭିବୃଦ୍ଧିର ସମ୍ଭାବନା ଥିଲା, ସେମାନେ ଭାବୁଥିଲେ ଯେ ସେହି ବ୍ୟବସାୟକୁ ସମ୍ପ୍ରସାରଣ କରିବା ବଦଳରେ, ଆଉ ଏକ ଛୋଟ ବ୍ୟବସାୟ ଆରମ୍ଭ କରିବା ଭଲ। ଆଜି ସେହି ମାନସିକତା ବଦଳିଯାଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ବଡ଼ ହେବାର ସାହସ ମିଳିବା ଉଚିତ, ସେମାନଙ୍କ ଆଶାକୁ ଡେଣା ମିଳିବା ଉଚିତ, ଏବଂ ଶିଳ୍ପସଂସ୍ଥାଗୁଡ଼ିକୁ ମଧ୍ୟ ଏହାର ଆବଶ୍ୟକତା ରହିଛି। ଏହି ଯୋଜନା ସେହି ଦ୍ୱାର ଖୋଲିଦେଇଛି, ଏବଂ ଏହା ହିଁ ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ। ମାତ୍ର କିଛି ସମୟ ପୂର୍ବରୁ, ମୁଁ କିଛି ହିତାଧିକାରୀ ଯୁବକମାନଙ୍କ ସହ ବସି ସେମାନଙ୍କ ଅନୁଭବ ଶୁଣୁଥିଲି। କିଛି ସେଭଳି ଯୁବକ ଥିଲେ ଯେଉଁମାନେ ସେମାନଙ୍କର ପ୍ରଥମ ଚାକିରି ପାଇଥିଲେ, ଏବଂ ଆଉ କିଛି ଯେଉଁମାନେ ଏହି ଯୋଜନା ଅଧୀନରେ ଅନ୍ୟମାନଙ୍କୁ ଚାକିରି ଦେଇଥିଲେ। ସତ କହିବାକୁ ଗଲେ, ସେହି ଯୁବକମାନଙ୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସ ଅଭୂତ ଥିଲା, ଏହା ଅନୁଭବ ହେଉଥିଲା ଯେମିତି ସେମାନେ ସମଗ୍ର ବିଶ୍ୱକୁ ଜୟ କରିଛନ୍ତି। ସେମାନଙ୍କର ସ୍ୱପ୍ନ, ସେମାନଙ୍କର ବିଶ୍ୱାସ – ଏହା ହିଁ ପ୍ରକୃତରେ ଆମର ସବୁଠାରୁ ବଡ଼ ପୁଞ୍ଜି।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ସହାୟତାରେ ଏପର୍ଯ୍ୟନ୍ତ ପ୍ରାୟ ୭୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଅର୍ଥାତ୍ ପ୍ରଥମ ଥର ଚାକିରି କରୁଥିବା କର୍ମଚାରୀ ସାମାଜିକ ସୁରକ୍ଷାର କବଚ ପାଇଛନ୍ତି। ପ୍ରାୟ ୨୦ ଲକ୍ଷ ଯୁବକ ସେମାନଙ୍କର ପ୍ରଥମ ଚାକିରିରେ ଛଅ ମାସ ପୂରଣ କରିସାରିଛନ୍ତି। ଏବଂ ଆଜି, ଏହି ଯୁବ ସାଥୀମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ଯୁବକ, ସେମାନଙ୍କର ପ୍ରଥମ ଚାକିରିରେ ଛଅ ମାସ ପୂରଣ କରିବା ପରେ, ହିତାଧିକାରୀ ଭାବରେ ଏହି ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ଗ୍ରହଣ କରିଛନ୍ତି। ୨,୦୦୦ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପହଞ୍ଚିଛି। ଏହି ସଂଖ୍ୟା କେବଳ ଆର୍ଥିକ ସହାୟତା ନୁହେଁ – ଏହା ସେମାନଙ୍କ କଠିନ ପରିଶ୍ରମ ପ୍ରତି ସମ୍ମାନ। ଏହା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଦେଶର ବିଶ୍ୱାସର ପ୍ରତିଫଳନ।
ବନ୍ଧୁଗଣ,
ମୁଁ ସେହି ଅନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସମାନ ଭାବରେ ଆନନ୍ଦିତ ଯେଉଁମାନେ ଆମର ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଲୁଚି ରହିଥିବା ସାମର୍ଥ୍ୟକୁ ଚିହ୍ନିଛନ୍ତି, ଏବଂ ସେଥିପାଇଁ, ଯେଉଁମାନେ ଏହି ସୁଯୋଗ ପ୍ରଦାନ କରିଛନ୍ତି ସେମାନେ ମଧ୍ୟ ସମାନ ଭାବେ ପ୍ରଶଂସାର ପାତ୍ର। ଏହି ଅନୁଷ୍ଠାନଗୁଡ଼ିକ ହିଁ କିଛି ମାସ ଭିତରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରିଛନ୍ତି। ଏବଂ ବର୍ତ୍ତମାନ, ମନସୁଖ ଭାଇ ଯେଭଳି ପରିସଂଖ୍ୟାନ ଉପସ୍ଥାପନ କଲେ, ମୁଁ ଆଶା କରୁଛି ଗଣମାଧ୍ୟମ ଏହି ସଂଖ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେବ। ଏଭଳି ଏକ ବ୍ୟାପକ ପ୍ରୟାସ ଚାଲିଛି ବୋଲି ଜାଣି ଦେଶବାସୀ ଆନନ୍ଦିତ ହେବେ। ଏହି ସଂଖ୍ୟା ଏବଂ ଅନୁଭବ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଯେତେବେଳେ ସରକାର, ଯୁବପିଢ଼ି ଏବଂ ଶିଳ୍ପସଂସ୍ଥା ଏକାଠି ହୋଇ ଆଗକୁ ବଢ଼ନ୍ତି, ସେତେବେଳେ ରୋଜଗାର ସୃଷ୍ଟିର ଗତି ଅନେକ ଗୁଣ ବଢ଼ିଯାଏ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ହେଉଛି ଏହି ନୂତନ ଭାରତର ପରିଚୟ – ଏକ ଏଭଳି ଭାରତ ଯେଉଁଠାରେ ଯୁବପିଢ଼ି ସୁଯୋଗ ପାଆନ୍ତି, ଶିଳ୍ପସଂସ୍ଥାଗୁଡ଼ିକ ପ୍ରୋତ୍ସାହନ ପାଆନ୍ତି, ଏବଂ ରୋଜଗାର ସୃଷ୍ଟି ଏକ ଜାତୀୟ ଅଭିଯାନରେ ପରିଣତ ହୁଏ।
ବନ୍ଧୁଗଣ,
ଭାରତ ବିଶ୍ୱର ସବୁଠାରୁ ଯୁବବହୁଳ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେଣୁ, ଏକ ବିକଶିତ ଭାରତ ଆଡ଼କୁ ଯିବାର ରାସ୍ତା ମଧ୍ୟ ଆମର ଯୁବପିଢ଼ିଙ୍କ ସ୍ୱପ୍ନ, ଦକ୍ଷତା ଏବଂ ସାମର୍ଥ୍ୟ ମାଧ୍ୟମରେ ହିଁ ଅଗ୍ରସର ହେଉଛି। ଆମର ପ୍ରୟାସ ହେଉଛି ଦେଶର ପ୍ରତ୍ୟେକ ଯୁବକ ନିଜ ଯୋଗ୍ୟତା ଅନୁସାରେ ଯେତେ ଦୂର ସମ୍ଭବ ପ୍ରଗତି କରନ୍ତୁ। ଯାହା ପାଖରେ ପ୍ରତିଭା ଅଛି, ସେ ସୁଯୋଗ ପାଇବା ଉଚିତ। ଯାହା ପାଖରେ ଚିନ୍ତାଧାରା ଅଛି, ସେ ନୂତନ ଉଦ୍ଭାବନ ପାଇଁ ଏକ ମଞ୍ଚ ପାଇବା ଉଚିତ। ଏବଂ ଯିଏ ନିଜ ଦମରେ କିଛି ହାସଲ କରିବାକୁ ଚାହୁଁଛି, ସେ ସମ୍ପୂର୍ଣ୍ଣ ସହଯୋଗ ପାଇବା ଆବଶ୍ୟକ। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାରତ ଭଳି ଏକ ଯୁବବହୁଳ ଦେଶରେ ସୁଯୋଗର ଉତ୍ସ ଯେତେ ଅଧିକ ହେବ, ଯୁବ ସ୍ୱପ୍ନର ସେତିକି ଉଡ଼ାଣ ହେବ। ଏହି ଦୂରଦୃଷ୍ଟି ସହିତ, ବିଗତ ୧୨ ବର୍ଷ ମଧ୍ୟରେ, ରୋଜଗାରର ପ୍ରତ୍ୟେକ ମାଧ୍ୟମକୁ ମଜବୁତ କରାଯାଇଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ନୂତନ ଉଦ୍ଭାବନ, ଉତ୍ପାଦନ (ମ୍ୟାନୁଫ୍ୟାକଚରିଂ) ଠାରୁ ଡିଜିଟାଲ୍ ଅର୍ଥନୀତି, ମହାକାଶ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ – ପ୍ରତ୍ୟେକ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରାଯାଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ, ‘ଭୋକାଲ୍ ଫର୍ ଲୋକାଲ୍’, ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନେବାର ମିଶନ, ‘ମିଶନ ମ୍ୟାନୁଫ୍ୟାକଚରିଂ’ – ଏହି ସମସ୍ତ ପଦକ୍ଷେପ ଦେଶରେ ଚାକିରି ଏବଂ ସ୍ୱରୋଜଗାର ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଆଜି କାର୍ଠାରୁ ଆରମ୍ଭ କରି ମେଟ୍ରୋ କୋଚ୍, ଟ୍ରେନ୍ ବଗିଠାରୁ ପ୍ରତିରକ୍ଷା ସରଞ୍ଜାମ ପର୍ଯ୍ୟନ୍ତ, ଅନେକ କ୍ଷେତ୍ରରେ ରପ୍ତାନି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏଥିପାଇଁ ସମ୍ଭବ ହେଉଛି କାରଣ ଭାରତରେ ଉତ୍ପାଦନ ବଢ଼ୁଛି, କାରଖାନା ସଂଖ୍ୟା ବୃଦ୍ଧି ପାଉଛି ଏବଂ ସେଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।
ବନ୍ଧୁଗଣ,
ବିଗତ ୧୨ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ନୀତି ଏବଂ ନିଷ୍ପତ୍ତିଗୁଡ଼ିକ ଦେଶରେ ନିରନ୍ତର ଭାବେ ରୋଜଗାରର ନୂତନ କ୍ଷେତ୍ର ସୃଷ୍ଟି କରିଛି। ଆଜି ଭିତ୍ତିଭୂମି କ୍ଷେତ୍ରରେ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ମୂଳଦୁଆ ସାଜୁଛି। ମୁଦ୍ରା ଯୋଜନା ଅଧୀନରେ ୩୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତା କୋଟି କୋଟି ଯୁବକଙ୍କୁ ନିଜର କାମ ଆରମ୍ଭ କରିବାର ସୁଯୋଗ ଦେଇଛି। ୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସହିତ ଜଡ଼ିତ ଅଛନ୍ତି ଏବଂ ୩ କୋଟିରୁ ଅଧିକ ମହିଳା “ଲକ୍ଷପତି ଦିଦି” ହୋଇପାରିଛନ୍ତି। ସ୍ୱନିଧି ଏବଂ ପିଏମ୍ ବିଶ୍ୱକର୍ମା ଭଳି ପଦକ୍ଷେପ ଛୋଟ ଉଦ୍ୟୋଗୀ, ଉଠାଦୋକାନୀ ଏବଂ ପାରମ୍ପରିକ କାରିଗରମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା, ନୂତନ ଆର୍ଥିକ ସହାୟତା ଏବଂ ନୂତନ ଶକ୍ତି ପ୍ରଦାନ କରିଛି। ମୁଁ ନିକଟରେ ଯେଉଁ ଯୁବକମାନଙ୍କ ସହ କଥା ହେଉଥିଲି, ସେମାନଙ୍କ ମଧ୍ୟରୁ ଆଇଟିଆଇ ପାସ୍ କରିଥିବା ଜଣେ ଯୁବକ ଅତ୍ୟନ୍ତ ଉତ୍ସାହର ସହିତ ଡ୍ରୋନ୍ ତିଆରି କାମରେ ଲାଗିଥିଲେ। ମୁଁ ଆପଣଙ୍କୁ କେବଳ ଡ୍ରୋନ୍ କ୍ଷେତ୍ରର ଏକ ଉଦାହରଣ ଦେଉଛି। ଔଷଧ ଯୋଗାଣ ହେଉ, କୀଟନାଶକ ସିଞ୍ଚନ ହେଉ, ‘ସ୍ୱାମିତ୍ୱ’ ଯୋଜନା ଅଧୀନରେ ମ୍ୟାପିଂ ହେଉ କିମ୍ବା ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେଉ – ଦେଶରେ ଡ୍ରୋନର ବ୍ୟବହାର ନିରନ୍ତର ବୃଦ୍ଧି ପାଉଛି। ଏବଂ ଡ୍ରୋନର ଏହି ବଢ଼ୁଥିବା ବ୍ୟବହାର ଯୁବପିଢ଼ିଙ୍କ ପାଇଁ ନୂତନ ଚାକିରି ସୃଷ୍ଟି କରୁଛି। ସେହି ଯୁବକ ଜଣକ, ଆଇଟିଆଇରୁ ସଦ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କହିଥିଲେ: “କେବଳ ଭିଡିଓରେ ଡ୍ରୋନ୍ ଦେଖନ୍ତୁ ନାହିଁ, ନିଜେ ଡ୍ରୋନ୍ ତିଆରି କରିବା ଆରମ୍ଭ କରନ୍ତୁ – ଆପଣ ଏହା କରିପାରିବେ।” ସେ ଏତେ ଆତ୍ମବିଶ୍ୱାସର ସହ କଥା ହୋଇଥିଲେ। ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ପାଇଁ ଆମ ସରକାରଙ୍କ ନିଷ୍ପତ୍ତି ମଧ୍ୟ ଯୁବପିଢ଼ିଙ୍କୁ ବହୁତ ଲାଭାନ୍ୱିତ କରିଛି।
ବନ୍ଧୁଗଣ,
ବିଗତ ଦଶନ୍ଧି ମଧ୍ୟରେ ଡିଜିଟାଲ୍ ଅର୍ଥନୀତି ମଧ୍ୟ ସୁଯୋଗର ଏକ ସମ୍ପୂର୍ଣ୍ଣ ନୂତନ ଦୁନିଆ ସୃଷ୍ଟି କରିଛି। ଗିଗ୍ ଇକୋନୋମି, ପ୍ଲାଟଫର୍ମ ଇକୋନୋମି, କଣ୍ଟେଣ୍ଟ କ୍ରିଏସନ କିମ୍ବା ବୈଷୟିକ ସେବା ହେଉ – ରୋଜଗାରର ନୂତନ କ୍ଷେତ୍ରଗୁଡ଼ିକ ଦ୍ରୁତ ଗତିରେ ଉଭା ହେଉଛି। ଯେଉଁ ସୁଯୋଗଗୁଡ଼ିକ ଦିନେ କଳ୍ପନା ବାହାରେ ଥିଲା, ତାହା ଆଜି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ମଧ୍ୟ ସମାନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଗୋଟିଏ ସମୟରେ ଦେଶରେ ପ୍ରାୟ ୫୦୦ଟି ଷ୍ଟାର୍ଟଅପ୍ ଥିଲା। ଆଜି ଦେଶରେ ୨,୦୦, ୦୦୦ରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ରହିଛି ଏବଂ ଆପଣ ଦେଶର ପ୍ରତ୍ୟେକ ଜିଲ୍ଲାରେ ଷ୍ଟାର୍ଟଅପ୍ ଦେଖିବାକୁ ପାଇବେ। ଏହି ପରିସଂଖ୍ୟାନ ବିଶ୍ୱାସ ଜନ୍ମାଉଛି ଯେ ଆଗାମୀ ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ଅଭିବୃଦ୍ଧି, ନୂତନ ଉଦ୍ଭାବନ ଏବଂ ଉଦ୍ୟୋଗିତା (ଏଣ୍ଟ୍ରପ୍ରିନରସିପ୍) କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବେ।
ବନ୍ଧୁଗଣ,
ଆଜି ସମଗ୍ର ବିଶ୍ୱ ଭାରତର ଭବିଷ୍ୟତକୁ ନେଇ ଉତ୍ସାହିତ ଅଛି। ଭାରତର ଯୁବ ଶକ୍ତି ଉପରେ ସମସ୍ତଙ୍କର ଭରସା ଅଛି। ଆପଣ ନିଶ୍ଚିତ ଭାବେ ଫ୍ରାନ୍ସରେ ଆୟୋଜିତ ଭବ୍ୟ “ଇଣ୍ଡିଆ ଇନୋଭେଟ୍ସ” କାର୍ଯ୍ୟକ୍ରମ ଦେଖିଥିବେ। ଏଆଇ, ମହାକାଶ, ସବୁଜ ଶକ୍ତି, ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ଭାରତର ଷ୍ଟାର୍ଟଅପ୍ ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକମାନେ ଏକ ନୂତନ ଶକ୍ତି ଭାବରେ ଉଭା ହେଉଛନ୍ତି ଏବଂ ଏକାଠି କାମ କରିବାକୁ ଆଗକୁ ଆସୁଛନ୍ତି। ଆଜି ଭାରତ ବିଶ୍ୱ ସହିତ ନୂତନ ବାଣିଜ୍ୟ ଚୁକ୍ତି କରୁଛି – ଏଭଳି ଚୁକ୍ତି ଯାହା ଭାରତର ଶିଳ୍ପଗୁଡ଼ିକ ପାଇଁ ନୂତନ ବଜାର ଖୋଲୁଛି, ଏଭଳି ଚୁକ୍ତି ଯାହା ଭାରତର ବୃତ୍ତିଗତମାନଙ୍କ (ପ୍ରଫେସନାଲ୍ସ) ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ସାମ୍ପ୍ରତିକ ମାସଗୁଡ଼ିକରେ ଅନେକ ୟୁରୋପୀୟ ଦେଶ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିଗୁଡ଼ିକ ଦେଶରେ ଲକ୍ଷ ଲକ୍ଷ ନୂତନ ଚାକିରି ସୃଷ୍ଟି କରିବାର ମାଧ୍ୟମ ପାଲଟୁଛି।
ବନ୍ଧୁଗଣ,
ବିଶ୍ୱ ଆଗାମୀ ଭବିଷ୍ୟତର ଅର୍ଥନୀତି ପାଇଁ ପ୍ରସ୍ତୁତ ହେଉଛି ଏବଂ ଭାରତ ଭବିଷ୍ୟତର ଅର୍ଥନୀତିରେ ନେତୃତ୍ୱ ନେବାକୁ ଯାଉଛି। ବିଶ୍ୱ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆଡ଼କୁ ଗତି କରୁଛି ଏବଂ ଭାରତ ନିଜର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛି। ଭାରତର ଯୁବପିଢ଼ିଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ଼ ସୁଯୋଗ ଏବଂ ଆମକୁ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ହେବ।
ବନ୍ଧୁଗଣ,
ବିଗତ ୧୨ ବର୍ଷ ମଧ୍ୟରେ ଭାରତର ରୋଜଗାର କ୍ଷେତ୍ରରେ ଆଉ ଏକ ବଡ଼ ପରିବର୍ତ୍ତନ ଆସିଛି। ଏହା ବିଷୟରେ ପ୍ରାୟତଃ କମ୍ ଆଲୋଚନା ହୋଇଥାଏ, କିନ୍ତୁ ଏକ ବିକଶିତ ଭାରତର ଯାତ୍ରାରେ ଏହାର ଗୁରୁତ୍ୱ ଅପରିସୀମ। ଏହି ପରିବର୍ତ୍ତନ ହେଉଛି ରୋଜଗାରକୁ ସୁରକ୍ଷା ଏବଂ ସମ୍ମାନ ସହିତ ଯୋଡ଼ିବା। ଆମର ଦୂରଦୃଷ୍ଟି ହେଉଛି ସୁରକ୍ଷିତ ରୋଜଗାର। ଆମର ଦୂରଦୃଷ୍ଟି ହେଉଛି ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା। ସେଥିପାଇଁ ଆଜି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଇପିଏଫ୍ଓ ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଛି। ପେନସନ୍ ବ୍ୟବସ୍ଥାକୁ ଅଧିକ ସରଳ ଏବଂ ସହଜ କରାଯାଇଛି। ଲକ୍ଷ ଲକ୍ଷ ନୂତନ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ବୀମା ଏବଂ ଶସ୍ତା ଚିକିତ୍ସା ସୁବିଧା ସହିତ ମଧ୍ୟ ଯୋଡ଼ା ଯାଇଛି।
ବନ୍ଧୁଗଣ,
ଆମେ ଏହି ଦୂରଦୃଷ୍ଟି ସହିତ ଶ୍ରମ ସଂସ୍କାରକୁ ମଧ୍ୟ ଆଗକୁ ବଢ଼ାଇଛୁ। ନୂତନ ଶ୍ରମ କୋଡ୍ (labor codes) ର ଉଦ୍ଦେଶ୍ୟ ହେଉଛି ଶ୍ରମିକମାନଙ୍କୁ ଅଧିକ ସୁରକ୍ଷା, ଅଧିକ ସ୍ୱଚ୍ଛତା ଏବଂ ଅଧିକ ଅଧିକାର ପ୍ରଦାନ କରିବା। ନିଯୁକ୍ତି ପତ୍ରକୁ (appointment letters) ଆଇନଗତ ମାନ୍ୟତା ଦେବା ହେଉ, ନିର୍ଦ୍ଦିଷ୍ଟ ଅବଧିର (fixed-term) କର୍ମଚାରୀଙ୍କ ପାଇଁ ସମାନ ସୁବିଧା ସୁନିଶ୍ଚିତ କରିବା ହେଉ କିମ୍ବା ସର୍ବନିମ୍ନ ମଜୁରୀର ପରିସରକୁ ସମ୍ପ୍ରସାରିତ କରିବା ହେଉ – ପ୍ରତ୍ୟେକ ପ୍ରୟାସର ଲକ୍ଷ୍ୟ ହେଉଛି ଶ୍ରମିକମାନଙ୍କ ସମ୍ମାନ ଏବଂ ସୁରକ୍ଷା ଉଭୟକୁ ମଜବୁତ କରିବା।
ବନ୍ଧୁଗଣ,
ଆମର ନାରୀ ଶକ୍ତି ଆଜି ପ୍ରତ୍ୟେକ କ୍ଷେତ୍ରରେ ନୂତନ ଉଚ୍ଚତା ଛୁଉଁଛି। ତେଣୁ, ମହିଳାମାନଙ୍କ ପାଇଁ ଏଭଳି ଏକ ପରିବେଶ ସୃଷ୍ଟି କରାଯାଉଛି ଯାହା ସୁରକ୍ଷିତ, ସମ୍ମାନଜନକ ଏବଂ ସୁଯୋଗରେ ପରିପୂର୍ଣ୍ଣ। ନାଇଟ୍ ସିଫ୍ଟ (ରାତ୍ରିକାଳୀନ କାର୍ଯ୍ୟ) ସହିତ ଜଡ଼ିତ ପୁରୁଣା କଟକଣା ବଦଳାଇବା ହେଉ, ଘରୁ ରହି କାମ କରିବା ସୁବିଧା ପ୍ରଦାନ କରିବା ହେଉ କିମ୍ବା ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୁନିଶ୍ଚିତ କରିବା ହେଉ – ଆମେ ମହିଳାମାନଙ୍କ ଅଂଶଗ୍ରହଣକୁ ଆହୁରି ମଜବୁତ କରୁଛୁ।
ବନ୍ଧୁଗଣ,
ଆଜି ଶିଳ୍ପ ଜଗତର ମୋର ଅନେକ ସାଥୀ ମଧ୍ୟ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ଆପଣ ସମସ୍ତଙ୍କୁ ମୋର ଏକ ଅନୁରୋଧ ଅଛି। ଏକବିଂଶ ଶତାବ୍ଦୀରେ, ସୁଯୋଗ ସେହି ଦେଶଗୁଡ଼ିକୁ ମିଳିବ ଯେଉଁମାନଙ୍କ ପାଖରେ ଦକ୍ଷ ପ୍ରତିଭା, ନୂତନ ଉଦ୍ଭାବନ ଏବଂ ଗୁଣବତ୍ତା (କ୍ୱାଲିଟି) ଥିବ। ଏବଂ ଆଜି, ଏହି ତିନୋଟି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ପାଖରେ ଏକ ଅଭୂତପୂର୍ବ ସାମର୍ଥ୍ୟ ରହିଛି। ସେଥିପାଇଁ ମୁଁ ଭାରତର ଶିଳ୍ପ ଜଗତକୁ କହିବାକୁ ଚାହେଁ – ଆଜି ଆମ ସାମ୍ନାରେ ଥିବା ସୁଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଶକ୍ତିର ସହ ଆପଣେଇବାକୁ ହେବ। ଆମକୁ ନୂତନ ବଜାରରେ ପହଞ୍ଚିବାକୁ ହେବ। ଆମକୁ ନୂତନ ଉତ୍ପାଦ ପ୍ରସ୍ତୁତ କରିବାକୁ ହେବ। ଆମକୁ ବିଶ୍ୱର ସର୍ବୋତ୍ତମ କମ୍ପାନୀଗୁଡ଼ିକ ସହିତ ପ୍ରତିଯୋଗିତା କରିବାକୁ ହେବ। କାରଣ ଆଜି ବିଶ୍ୱ ଭାରତ ପାଇଁ ନିଜର ଦ୍ୱାର ଖୋଲୁଛି। ବନ୍ଧୁଗଣ, ପୂର୍ବରୁ ଆମ ପାଇଁ ଗୋଟିଏ କବାଟ ତ ଦୂରର କଥା, ଝରକାଟିଏ ବି ଖୋଲୁ ନଥିଲା – ଆଜି ସମ୍ପୂର୍ଣ୍ଣ ଦ୍ୱାର ଖୋଲିଯାଉଛି। ଭାରତ ପ୍ରାୟ ୪୦ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି (ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ) ସ୍ୱାକ୍ଷର କରିଛି ଏବଂ ଆମକୁ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ହେବ। ଏହି ଚୁକ୍ତିଗୁଡ଼ିକ ନୂତନ ବଜାର ସୃଷ୍ଟି କରୁଛି, ନୂତନ ବଜାରକୁ ସହଜମୟ କରୁଛି ଏବଂ ସମଗ୍ର ବିଶ୍ୱରେ ‘ମେକ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡ୍ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ତେଣୁ ବନ୍ଧୁଗଣ, ଆମେ ଏହି ସୁଯୋଗଗୁଡ଼ିକୁ ହାତଛଡ଼ା କରିବା ଉଚିତ ନୁହେଁ।
ବନ୍ଧୁଗଣ,
ଯେତେବେଳେ ଲକ୍ଷ୍ୟ ବଡ଼ ହୁଏ, ସେତେବେଳେ ସଫଳତା ମଧ୍ୟ ବଡ଼ ହୋଇଥାଏ। ଯେତେବେଳେ ଦୂରଦୃଷ୍ଟି ବିଶ୍ୱସ୍ତରୀୟ ହୁଏ, ସେତେବେଳେ ସଫଳତା ଏବଂ ସୀମା ସ୍ୱାଭାବିକ ଭାବେ ସମ୍ପ୍ରସାରିତ ହୋଇଥାଏ। ସେଥିପାଇଁ ତାଲିମ (ଟ୍ରେନିଂ), ମାର୍ଗଦର୍ଶନ (ମେଣ୍ଟରସିପ୍) ଏବଂ ଇଣ୍ଟର୍ନସିପ୍ ଏବେ ଆଉ ଇଚ୍ଛାଧୀନ ନୁହେଁ – ଏଗୁଡ଼ିକ ଏକବିଂଶ ଶତାବ୍ଦୀର ଆବଶ୍ୟକତା। ଭାରତର ଶିଳ୍ପ କ୍ଷେତ୍ର ନିଜ ପାଇଁ ଏକ ଦକ୍ଷ ଶ୍ରମଶକ୍ତି ପ୍ରସ୍ତୁତ କରିବା ସହ ଭବିଷ୍ୟତ ପାଇଁ ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିବା ଆବଶ୍ୟକ। କାରଣ ଏକ ବିକଶିତ ଭାରତର ରାସ୍ତା କେବଳ ପୁଞ୍ଜିନିବେଶ ଦ୍ୱାରା ନିର୍ମିତ ହେବ ନାହିଁ, ଏହା ପ୍ରତିଭା, ଦକ୍ଷତା ଏବଂ ନୂତନ ଉଦ୍ଭାବନର ଶକ୍ତି ଦ୍ୱାରା ନିର୍ମିତ ହେବ। ଏବଂ ଏହି ସମଗ୍ର ଯାତ୍ରାର ସବୁଠାରୁ ବଡ଼ ପରୀକ୍ଷା ହେଉଛି କେବଳ ଗୋଟିଏ ଜିନିଷ, ଯାହା ମୁଁ ଶିଳ୍ପ ଜଗତର ମୋର ସାଥୀମାନଙ୍କୁ ବାରମ୍ବାର ଦୋହରାଇଥାଏ – ଏହି ସମସ୍ତ ପରିସ୍ଥିତିର ଲାଭ ଉଠାଇବା ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହେଉଛି ଗୁଣବତ୍ତା ବା କ୍ୱାଲିଟି। ଶିକ୍ଷାର ଗୁଣବତ୍ତା। ଦକ୍ଷତାର ଗୁଣବତ୍ତା। ସେବାର ଗୁଣବତ୍ତା। ଉତ୍ପାଦର ଗୁଣବତ୍ତା। ଏପରିକି ପ୍ୟାକେଜିଂର ଗୁଣବତ୍ତା। ଯଦି ଆମକୁ ବିଶ୍ୱରେ ତିଷ୍ଠି ରହିବାକୁ ହେବ, ତେବେ ଆମକୁ ସର୍ବୋଚ୍ଚ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବାକୁ ହେବ। ଯଦି ଆମେ ବିଶ୍ୱରେ ଆଗକୁ ବଢ଼ିବାକୁ ଚାହୁଁ, ତେବେ ଉତ୍କର୍ଷ ହିଁ ଆମର ପରିଚୟ ହେବା ଉଚିତ। ଆଜି ଭାରତ ପ୍ରତି ବିଶ୍ୱର ବହୁତ ବଡ଼ ଆଶା ରହିଛି। କିନ୍ତୁ ମୋର ଦୃଢ଼ ବିଶ୍ୱାସ ଯେ ଭାରତର ଯୁବପିଢ଼ି କେବଳ ସେହି ଆଶା ପୂରଣ କରିବେ ନାହିଁ, ବରଂ ସେଗୁଡ଼ିକୁ ଅତିକ୍ରମ କରି ସମଗ୍ର ବିଶ୍ୱକୁ ଗର୍ବ ଓ ସାହସର ସହିତ ଦେଖାଇଦେବେ। ଏହା ହିଁ ଏକ ବିକଶିତ ଭାରତର ଶକ୍ତି। ଏହା ହିଁ ମୋର ଯୁବ ସାଥୀମାନଙ୍କର, ଆମ ଯୁବପିଢ଼ିଙ୍କର, ସେମାନଙ୍କ ସାମର୍ଥ୍ୟ ଓ ସେମାନଙ୍କ ଶକ୍ତିର ପରିଚୟ।
ବନ୍ଧୁଗଣ,
ସ୍ୱପ୍ନ କେବଳ ସେଇଠି ବଢ଼ିଥାଏ, ଯେଉଁଠି ତାହା ସାକାର ହୁଏ। ଗୋଟିଏ ସ୍ୱପ୍ନର ପୂରଣ ଆଉ ଏକ ବଡ଼ ସ୍ୱପ୍ନ ପାଇଁ ରାସ୍ତା ଖୋଲିଦେଇଥାଏ। ଏବଂ ଆଜି ଭାରତରେ ଠିକ୍ ଏୟା ହିଁ ଘଟୁଛି। ମୁଁ ଭାରତର ଯୁବପିଢ଼ିଙ୍କ ବ୍ୟାକୁଳତାକୁ ବୁଝିପାରୁଛି, ଏବଂ ମୁଁ ସେମାନଙ୍କୁ ଗୋଟିଏ କଥା କହିବାକୁ ଚାହେଁ – ଆପଣଙ୍କ ସ୍ୱପ୍ନ, ମୁଁ ପୁଣି ଦୋହରାଉଛି ମୋର ଯୁବ ସାଥୀମାନେ, ଆପଣଙ୍କ ସ୍ୱପ୍ନ ହିଁ ମୋଦୀର ସଂକଳ୍ପ! ସଫଳତା ଆଡ଼କୁ ଆପଣଙ୍କର ପ୍ରତ୍ୟେକ ପାଦ ମୋ ପାଇଁ ପ୍ରେରଣା। ଏବଂ ହଁ, ବିଫଳତା ମିଳିଲେ ମଧ୍ୟ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ପ୍ରତ୍ୟେକ ବିଫଳତା ଆମକୁ କିଛି ନା କିଛି ଶିଖାଇଥାଏ। ମୁଁ ସଦାସର୍ବଦା କ୍ରୀଡ଼ା ଜଗତର ଲୋକଙ୍କୁ କହିଥାଏ – ଯେତେବେଳେ ଆପଣ ପଡ଼ିଆକୁ ଓହ୍ଲାନ୍ତି, ସେତେବେଳେ କେହି ହାରନ୍ତି ନାହିଁ। ଜଣେ ଜିତେ ଏବଂ ଅନ୍ୟ ଜଣକ ଶିଖେ। କେହି ହାରନ୍ତି ନାହିଁ। ଏକ ଯୁବ ମନର ପ୍ରକୃତ ପରିଚୟ ହେଉଛି ବିଫଳତାରୁ ନିରନ୍ତର ଶିଖିବା, ସ୍ୱପ୍ନକୁ ସାକାର କରିବା ଏବଂ ପ୍ରତ୍ୟେକ ସଫଳତା ପରେ ନୂତନ ସ୍ୱପ୍ନକୁ ଜନ୍ମ ଦେବା। ଭାରତର ଯୁବ ଶକ୍ତି ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଭାରତର ଉଦ୍ୟୋଗିକତା ଉପରେ ମୋର ଭରସା ଅଛି। ଏହି ବିଶ୍ୱାସ ସହିତ, ମୁଁ ଆଉ ଥରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଜଣାଉଛି ଏବଂ ୨୦୪୭ ସୁଦ୍ଧା, ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ଭାରତ ଏକ ବିକଶିତ ରାଷ୍ଟ୍ର ହେବ। ଏହା ଆମର ସ୍ୱପ୍ନ, ଏହା ଆମର ସଂକଳ୍ପ। ଏବଂ ମୁଁ ବିଶ୍ୱାସ କରେ, ମୋର ଯୁବ ସାଥୀମାନେ, ଆମେ ଏହାକୁ ନିଜ ଆଖିରେ ଦେଖିବା – ଆମେ ନିଜେ ଏକ ବିକଶିତ ଭାରତ ଦେଖିବା। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।
—
ସୂଚନା – ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଏକ ମର୍ମ ଅନୁବାଦ। ମୂଳ ଅଭିଭାଷଣଟି ହିନ୍ଦୀ ଭାଷାରେ ପ୍ରଦତ୍ତ ହୋଇଥିଲା।
Through PM Viksit Bharat Rozgar Yojana, we are supporting employment generation, empowering youth and building a stronger workforce for the future.
— Narendra Modi (@narendramodi) June 19, 2026
https://t.co/UzweKrA6nk
PM Viksit Bharat Rozgar Yojana is about empowering first-time employees and building a bridge between youth and industry. pic.twitter.com/hlhr9u9Xh8
— PMO India (@PMOIndia) June 19, 2026
The aspirations, skills and potential of our youth shape the path to a Viksit Bharat. pic.twitter.com/wmWpy7GtnS
— PMO India (@PMOIndia) June 19, 2026
India's youth will be at the forefront of driving global growth, innovation and entrepreneurship in the years to come. pic.twitter.com/C96TwqjWjL
— PMO India (@PMOIndia) June 19, 2026
India is set to lead from the front. pic.twitter.com/WkZZoTHbh3
— PMO India (@PMOIndia) June 19, 2026
In the 21st century, opportunities will belong to nations that nurture skilled talent, foster innovation and uphold the highest standards of quality. pic.twitter.com/aU2GZ7HKu9
— PMO India (@PMOIndia) June 19, 2026
To compete globally, we must meet the highest quality standards. pic.twitter.com/GzHwzUnJXb
— PMO India (@PMOIndia) June 19, 2026