ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ ପାଇଁ ପଞ୍ଜାବ ସରକାରଙ୍କ ଲିଗାସି ଫୁଡ୍ କ୍ୟାସ୍ କ୍ରେଡିଟ୍ ଏକାଉଣ୍ଟ (2014-15 ଫସଲ ଋତୁ ପର୍ଯ୍ୟନ୍ତ)ର ସମାଧାନ ପାଇଁ ଅନୁମୋଦନ ମିଳିଛି । ପିଛିଲା ଭାବେ ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଟ୍ରାଞ୍ଜାକସନ୍ ଅଫ ବିଜନେସ୍ ରୁଲସ୍-1961 ର ରୁଲ୍-12 ଆଧାରରେ ବ୍ୟୟ ବିଭାଗ ଦେଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ 2017 ଜାନୁୟାରୀ 2 ତାରିଖରେ ଅନୁମୋଦନ କରିଥିଲେ ।
ଏହି ଲିଗାସୀ ପ୍ରସଙ୍ଗର ସମାଧାନ ଦ୍ୱାରା ବ୍ୟାଙ୍କଗୁଡ଼ିକ ପାଇଁ ଫୁଡ୍ କ୍ରେଡିଟ୍ ପ୍ରଦାନରେ ସହାୟକ ହେବ । ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମକୁ ନିରବଚ୍ଛିନ୍ନ ଜାରି ରଖିବା ଓ ରାଜ୍ୟର ବହୁପରିମାଣର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଲିଗାସୀ ସମସ୍ୟାର ତୁରନ୍ତ ସମାଧାନ ହୋଇଛି । ବକେୟା ଥିବା କ୍ୟାସ୍ କ୍ରେଡିଟକୁ ପଞ୍ଜାବ ସରକାର ଦୀର୍ଘ ଅବଧିର ଋଣ ଭାବେ ଉପଯୋଗ କରିବେ, ଯାହାଫଳରେ ସୁଧ ପ୍ରଦାନରେ ସଂଚୟ ହୋଇପାରିବ । ଏହା ପଞ୍ଜାବ ସରକାରଙ୍କୁ ପୁଞ୍ଜି ବ୍ୟୟ କ୍ଷେତ୍ରରେ ଅତିରିକ୍ତ ସମ୍ବଳ ସୃଷ୍ଟିରେ ସହାୟକ ହେବ । 2014-15 ଖରିଫ ଋତୁ ପର୍ଯ୍ୟନ୍ତ ପଞ୍ଜାବ ସରକାରଙ୍କ କ୍ୟାସ୍ କ୍ରେଡିଟ୍ ଏକାଉଣ୍ଟରେ ପ୍ରାୟ 31ହଜାର କୋଟି ଟଙ୍କା ବକେୟା ରହିଛି । ଯାହା ଏବେ ଦୀର୍ଘକାଳୀନ ଋଣ ଭାବେ ପରିବର୍ତ୍ତିତ ହୋଇଛି । ଏହି ବକେୟାକୁ ପଞ୍ଜାବ ସରକାର 20ବର୍ଷ ଅବଧିରେ ପ୍ରତି ଛଅମାସରେ କିସ୍ତି ଆକାରରେ ପରିଶୋଧ କରିବେ । ରିଜର୍ଭ ବ୍ୟାଙ୍କ ଓ ଋଣପ୍ରଦାନକାରୀ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ଏହି ଋଣର ସର୍ତ୍ତାବଳୀ ନିର୍ଦ୍ଧାରଣ କରାଯାଇଛି । 2015 ମାର୍ଚ୍ଚ 31ତାରିଖ ପର୍ଯ୍ୟନ୍ତ ଥିବା ଋଣ ବକେୟାକୁ ଏହି ସୁବିଧା ମିଳିବ ।