Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଲିମେଟାଲିକ୍ ସଲଫାଇଡର ସନ୍ଧାନ ଓ ଉତ୍ତୋଳନ ପାଇଁ ଭାରତ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ଶଯ୍ୟା ପ୍ରାଧିକରଣ ମଧ୍ୟରେ ଠିକା ହସ୍ତାକ୍ଷର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ଆବଣ୍ଟିତ 10,000 ବର୍ଗ କିଲୋମିଟର ଅଞ୍ଚଳରେ ପଲିମେଟାଲିକ୍ ସଲଫାଇଡର ଅନୁସନ୍ଧାନ ଏବଂ ତତସଂଲଗ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେବା ପାଇଁ ଭାରତର ଭୂ-ତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ ଏବଂ ଆନ୍ତର୍ଜାତିକ ସମୁଦ୍ରପୃଷ୍ଠ ପ୍ରାଧିକରଣ (ISA) ସହିତ ଏକ 15ବର୍ଷିଆ ଚୁକ୍ତି ସ୍ୱାକ୍ଷର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହା ଭାରତ ମହାସାଗର ମଧ୍ୟରେ ଅବସ୍ଥିତ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଭାରତୀୟ ଶୈଳମାଳା (SWIR)ରେ କରାଯିବ ।

ଏହି 15ବର୍ଷିଆ ଚୁକ୍ତି ସ୍ୱାକ୍ଷର ଦ୍ୱାରା ଆମ ଦେଶ ଭାରତ ମହାସାଗର ମଧ୍ୟରେ ଅବସ୍ଥିତ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଭାରତୀୟ ଶୈଳମାଳା (SWIR)ରେ ପଲିମେଟାଲିକ୍ ସଲଫାଇଡର ଅନୁସନ୍ଧାନ ପାଇଁ ଏକଚାଟିଆ ଅଧିକାର ପାଇବ । ପୁନଶ୍ଚ ଏହା ଚୀନ୍, କୋରିଆ ଏବଂ ଜର୍ମାନୀ ଭଳି ଦେଶ ଆଗରୁ ସକ୍ରିୟ ଥିବା ଭାରତ ମହାସାଗରରେ ଆମର ଉପସ୍ଥିତିକୁ ବୃଦ୍ଧି କରିବ । ଏହି କାର୍ଯ୍ୟକ୍ରମ ଭାରତର ଭୂ-ତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ ଏବଂ ଏଥିରେ ବିଭିନ୍ନ ଜାତୀୟ ଅନୁଷ୍ଠାନ ଗବେଷଣା ପ୍ରୟୋଗଶାଳା ଏବଂ ସଂସ୍ଥାମାନେ ଅଂଶଗ୍ରହଣ କରିବେ ।

ପୃଷ୍ଠଭୂମି –

ଗଭୀର ସମୁଦ୍ରରୁ ଧାତବ ଚିମ୍ନୀ ମାଧ୍ୟମରେ ଉପରକୁ ଉଠୁଥିବା ମାଗ୍ମାରୁ ଜାତ ଉତ୍ତପ୍ତ ତରଳ ପଦାର୍ଥର ଅବକ୍ଷିପ୍ତ ଅଂଶ ହୋଇଥିବାରୁ ପଲିମେଟାଲିକ୍ ସଲଫାଇଡ (PMS)ରେ ଲୌହ, ତାମ୍ର, ଜିଙ୍କ୍, ରୂପା, ସୁନା, ପ୍ଲାଟିନମ ପରି ଧାତୁ ବିଭିନ୍ନ ମାତ୍ରାରେ ଥାଏ । ଶୈଳମାଳାରେ ଥିବା PMS ଏହାର ବହୁମୂଲ୍ୟତା ଏବଂ ଦୀର୍ଘକାଳୀନ ବ୍ୟବସାୟିକ ଉପାଦେୟତା ଯୋଗୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

ମିଳିତ ଜାତିସଂଘର ସମୁଦ୍ର ନିୟମାବଳୀ ଚୁକ୍ତି (UNCLOS) ଅଧିନରେ ଆନ୍ତର୍ଜାତିକ ସମୁଦ୍ରପୃଷ୍ଠ ପ୍ରାଧିକରଣ (ISA) ପୂର୍ବରୁ ଭାରତ ମହାସାଗର ମଧ୍ୟରେ ଅବସ୍ଥିତ 10,000 ବର୍ଗ କିଲୋମିଟର ପରିମିତ କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଭାରତୀୟ ଶୈଳମାଳା (SWIR)ରେ ପଲିମେଟାଲିକ୍ ସଲଫାଇଡର ଅନୁସନ୍ଧାନ ପାଇଁ 15 ବର୍ଷର କାର୍ଯ୍ୟଯୋଜନା ନିମନ୍ତେ ଭାରତର ଭୂ-ତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ କରିଥିବା ଆବେଦନକୁ ଅନୁମୋଦନ କରିସାରିଛି । ଆନ୍ତର୍ଜାତିକ ଜଳଭାଗରେ ସମୁଦ୍ରଶଯ୍ୟାରେ ଥିବା ନିର୍ଜୀବ ଉପାଦାନର ନିୟନ୍ତ୍ରଣ ଆନ୍ତର୍ଜାତିକ ସମୁଦ୍ରପୃଷ୍ଠ ପ୍ରାଧିକରଣ (ISA) ହାତରେ ରହିଥାଏ ।