Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜଙ୍କ ପରଲୋକରେ କ୍ୟାବିନେଟର ଶୋକ


ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜଙ୍କର ନୂଆଦିଲ୍ଲୀର ଏଆଇଆଇଏମଏସଠାରେ ଅଗଷ୍ଟ 6, 2019ରେ ପରଲୋକ ଘଟିଥିବାରୁ କ୍ୟାବିନେଟ ତରଫରୁ ଶୋକ ପ୍ରକାଶ କରାଯାଇଛି । ତାଙ୍କ ବିୟୋଗ ଫଳରେ ଦେଶ ଜଣେ ବିଶିଷ୍ଟ ନେତ୍ରୀ ଏବଂ ଅସାଧାରଣ ସାଂସଦଙ୍କୁ ହରାଇଛି । ତାଙ୍କ ବିୟୋଗରେ ନିମ୍ନଲିଖିତ ଶୋକପ୍ରସ୍ତାବ ଆଗତ କରାଯାଇଥିଲା ।

“ହରିୟାନାର ଅମ୍ବାଲାଠାରେ ଫେବୃଆରୀ 14, 1952ରେ ଜନ୍ମଗ୍ରହଣ କରିଥିବା ଶ୍ରୀମତି ସୁଷମା ସ୍ୱରାଜ ଆମ୍ବାଲା କ୍ୟାଂଟରେ ଅବସ୍ଥିତ ସନାତନ ଧର୍ମ କଲେଜରୁ ସ୍ନାତକ ପାଶ କରିଥିଲେ ଏବଂ ଚଣ୍ଡିଗଡର ପଞ୍ଜାବ ବିଶ୍ୱ ବିଦ୍ୟାଳୟରୁ ଆଇନରେ ସ୍ନାତକ ପାଶ କରିଥିଲେ । କାନପୁରର କୃଷି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । 1973ରେ ସେ ସୁପ୍ରିମକୋର୍ଟର ଆଡଭୋକେଟ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ । ଶ୍ରୀମତି ସୁଷମା ସ୍ୱରାଜ ଅତି କମ ବୟସରୁ ସାର୍ବଜନୀନ ଜୀବନରେ ପ୍ରବେଶ କରିଥିଲେ ଏବଂ 1977ରେ ମାତ୍ର 25 ବର୍ଷ ବୟସରେ ହରିୟାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭାବେ କ୍ୟାବିନେଟରେ ସାମିଲ ହୋଇଥିଲେ । 1987ରୁ 1990 ମଧ୍ୟରେ ସେ ପୁଣି ଥରେ ହରିୟାନା ବିଧାନସଭାକୁ ନିର୍ବାଚିତ ହେବା ସହିତ ଶିକ୍ଷା, ଖାଦ୍ୟ, ସାଧାରଣ ଯୋଗାଣ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସରକାରରେ ସାମିଲ ହୋଇଥିଲେ ।

1990ରେ ସେ ରାଜ୍ୟସଭା ଏବଂ 1996ରେ 11ତମ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ଏବଂ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । 1998ରେ ସେ ପୁଣିଥରେ 12ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସୂଚନା ଓ ପ୍ରସାରଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଅତିରିକ୍ତ ଦାୟିତ୍ୱ ଭାବେ ତାଙ୍କୁ ଟେଲି ଯୋଗାଯୋଗ ବିଭାଗ ମଧ୍ୟ ପ୍ରଦାନ କରାଯାଇଥିଲା । 1998 ଅକ୍ଟୋବରରେ ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ଏପ୍ରିଲ 2000ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେପ୍ଟେମ୍ବର 2000ରୁ ଜାନୁଆରୀ ୨୦୦୩ ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ ଏବଂ ଜାନୁଆରୀ 2003ରୁ ମେ 2004 ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ହୋଇଥିଲେ । ଏପ୍ରିଲ 2006ରେ ସେ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଥିଲେ । 2009ରେ ସେ 15ତମ ଲୋକସଭାକୁ ନିର୍ବାଚିତ ହେବା ସହ ଡିସେମ୍ବର 2009ରୁ ମେ 2014 ପର୍ଯ୍ୟନ୍ତ ବିରୋଧି ଦଳର ନେତ୍ରୀ ହୋଇଥିଲେ । 2014ରେ ସେ 16ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମେ 2014ରୁ ମେ 2019 ପର୍ଯ୍ୟନ୍ତ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଶ୍ରୀମତି ସୁଷମା ସ୍ୱରାଜ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ଓ କରୁଣାପୂର୍ଣ୍ଣ ଭାବନା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ଥିଲେ ଜଣେ ଦକ୍ଷ ପ୍ରଶାସିକା ଏବଂ ତାଙ୍କର ସ୍ନେହୀ ଓ ଦରଦୀ ଭାବନା ଯୋଗୁ ସେ ବିଦେଶରେ ଅସହାୟ ଭାବେ ରହିଥିବା ଭାରତୀୟମାନଙ୍କୁ ସହାୟତା ପ୍ରଦାନ କରି ସମସ୍ତଙ୍କ ହୃଦୟ ଜିତି ପାରିଥିଲେ । ଏହି ଗୁଣ ଗୁଡିକ ପାଇଁ ତାଙ୍କୁ 2017ରେ ଆମେରିକାର ଦୈନିକ ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ “ସର୍ବାଧିକ ଭାରତୀୟ ଭଲ ପାଉଥିବା ରାଜନୀତିଜ୍ଞ” ଭାବେ ଅଭିହିତ କରିଥିଲା ।

ବିଭିନ୍ନ କ୍ଷେତ୍ରରେ ସୁଷମା ସ୍ୱରାଜ ଦେଶକୁ ପ୍ରଦାନ କରିଥିବା ସେବା ସମ୍ବନ୍ଧରେ କ୍ୟାବିନେଟ ତାଙ୍କୁ ପ୍ରଶଂସା କରିବା ସହ ଏହାକୁ ରେକର୍ଡ ଭୁକ୍ତ କରାଯାଇଛି । ସରକାର ଏବଂ ସମଗ୍ର ଦେଶ ତରଫରୁ ମଧ୍ୟ କ୍ୟାବିନେଟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସହାନୁଭୂତି ଜଣାଇଛି ।

**********