Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


  • ଆଜି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବାର ସୁଯୋଗ ମିଳିଲା, ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହୋଇ ମୁଁ ବହୁତ ଖୁସି: ପ୍ରଧାନମନ୍ତ୍ରୀ
  • ତାଙ୍କ ଜୀବନ ଯାତ୍ରା ଜନସେବା ଏବଂ ଦେଶର ପ୍ରଗତି ପାଇଁ ସମର୍ପିତ ଏକ ଜୀବନକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
  • କୋବିନ୍ଦ ଜୀଙ୍କ ସହ ମୋର ଦୀର୍ଘଦିନର ପରିଚୟ ଏବଂ ମୋ ପ୍ରତି ତାଙ୍କର ସ୍ନେହ ଓ ଆଦର ମୋର ସବୁଠାରୁ ବଡ଼ ସମ୍ପତ୍ତି: ପ୍ରଧାନମନ୍ତ୍ରୀ
  • ମହାତ୍ମା ଗାନ୍ଧୀ, ବାବାସାହେବ ଆମ୍ବେଦକର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଈ ଫୁଲେ ଏକ ନୂତନ ଭାରତ ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ଯେଉଁଠାରେ ନିହାତି ଗରିବ ଓ ସବୁଠାରୁ ବଞ୍ଚିତ ଲୋକ ମଧ୍ୟ ଶୀର୍ଷରେ ପହଞ୍ଚିବାର ସୁଯୋଗ ପାଇପାରିବେ: ପ୍ରଧାନମନ୍ତ୍ରୀ
  • କୋବିନ୍ଦ ଜୀଙ୍କ ପରି ବ୍ୟକ୍ତିବିଶେଷ କେବଳ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ନିଜ ଜୀବନକୁ ବଦଳାଇ ନାହାନ୍ତି, ବରଂ ସେହି ଶତାବ୍ଦୀ ପୁରୁଣା ସ୍ୱପ୍ନ ଏବଂ ଦୂରଦୃଷ୍ଟିକୁ ସାକାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି: ପ୍ରଧାନମନ୍ତ୍ରୀ
  • ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ମଧ୍ୟ, ସେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଉପରେ କାମ କରୁଛନ୍ତି; ଏହି ସଂକଳ୍ପ ଗଣତନ୍ତ୍ର ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିପାରେ: ପ୍ରଧାନମନ୍ତ୍ରୀ

 

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ “ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସ”କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି ଆମକୁ ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବାର ସୁଯୋଗ ମିଳିଛି ଏବଂ ମୁଁ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି।”

ପୂର୍ବତନ ରାଷ୍ଟ୍ରପତିଙ୍କ ସହ ନିଜର ଗଭୀର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବର୍ଷ ବର୍ଷ ଧରି କୋବିନ୍ଦ ଜୀଙ୍କ ଦିଗଦର୍ଶନ ଏବଂ ସ୍ନେହ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଛନ୍ତି, “କୋବିନ୍ଦ ଜୀଙ୍କ ସହ ମୋର ଦୀର୍ଘଦିନର ପରିଚୟ, ତାଙ୍କୁ ନିକଟରୁ ଜାଣିବାର ସୌଭାଗ୍ୟ, ରାଷ୍ଟ୍ରପତି ଭାବରେ ତାଙ୍କର ଦିଗଦର୍ଶନ ଏବଂ ସର୍ବୋପରି ମୋ ପ୍ରତି ତାଙ୍କର ବିଶେଷ ସ୍ନେହ ଓ ଆନ୍ତରିକତା-ଏହିସବୁ ମୋର ସବୁଠାରୁ ବଡ଼ ସମ୍ପତ୍ତି।’’

ପୂର୍ବତନ ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ୱ ଏବଂ ଦକ୍ଷତାର ଗଭୀରତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସାହିତ୍ୟିକ କୃତି ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଚିରସ୍ଥାୟୀ ପ୍ରମାଣ ଭାବରେ କାର୍ଯ୍ୟ କରିବ। ଶ୍ରୀ ମୋଦୀ କହିଛନ୍ତି, “ମୁଁ ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ କହିପାରେ ଯେ ରାମନାଥ କୋବିନ୍ଦଜୀଙ୍କ ଆତ୍ମଜୀବନୀ ନିଜେ ଭାରତୀୟ ଗଣତନ୍ତ୍ର ଏବଂ ଭାରତୀୟ ସମାଜ ପାଇଁ ଏକ ଐତିହ୍ୟ ପାଲଟିଯିବ।

ଦେଶପ୍ରତି କୋବିନ୍ଦ ଜୀଙ୍କ ଆଜୀବନ ଯୋଗଦାନର ବିଶାଳତାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ, ଅତ୍ୟଧିକ ବିବରଣୀ ଦେବାରୁ ନିବୃତ୍ତ ରହି, ଶ୍ରୋତାମାନଙ୍କୁ ନିଜେ ଏହି କାହାଣୀ ପଢ଼ି ଆବିଷ୍କାର କରିବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଗୋଟିଏ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କେବଳ ଏକ ‘କର୍ଟେନ୍ ରାଇଜର୍’ (ପ୍ରାରମ୍ଭିକ ଆଭାସ) ରହିବା ଉଚିତ୍, ଏବଂ ଆପଣ ସମସ୍ତେ ଏହି ପୁସ୍ତକଟିକୁ ପଢ଼ି ଏହାର ସମ୍ପୂର୍ଣ୍ଣ ଲାଭ ଆହରଣ କଲେ ହିଁ ଅଧିକ ଭଲ ହେବ!’’

ଯୁବପିଢ଼ି ପାଇଁ ଏହି ଆତ୍ମଜୀବନୀର ଶିକ୍ଷାଣୀୟ ମୂଲ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଗାମୀ ପିଢ଼ି ପୂର୍ବତନ ରାଷ୍ଟ୍ରପତିଙ୍କ ଶବ୍ଦରୁ ପ୍ରେରଣା ଲାଭ କରନ୍ତୁ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲେ। ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଦେଶର ନୂତନ ପିଢ଼ି ମଧ୍ୟ ତାଙ୍କର ଲେଖା ଏବଂ ଅନୁଭୂତି ପଢ଼ିବା ଉଚିତ୍, ଯାହାଫଳରେ ପ୍ରତ୍ୟେକଙ୍କୁ ଅନେକ କିଛି ଶିଖିବାକୁ ମିଳିବ।’’

ପୁସ୍ତକର ଶୀର୍ଷକ, “ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସ”ର ବିଶ୍ଳେଷଣ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ସଂଘର୍ଷ ଏବଂ ଜାତୀୟ ଗଣତାନ୍ତ୍ରିକ ସଫଳତା ସମ୍ବନ୍ଧରେ ଏହାର ଦ୍ୱିବିଧ ମହତ୍ତ୍ୱର ବ୍ୟାଖ୍ୟା କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଜୀବନର ସଂଘର୍ଷଗୁଡ଼ିକ ତାଙ୍କର ବ୍ୟକ୍ତିଗତ, କିନ୍ତୁ ସେହି ସଂଘର୍ଷ ଫଳରେ ମିଳିଥିବା ବିଜୟ ଭାରତ ଏବଂ ଏହାର ଗଣତନ୍ତ୍ରର ଅଟେ।

ସାଧାରଣ ମାନବୀୟ ପ୍ରବୃତ୍ତି ସହିତ ପୂର୍ବତନ ରାଷ୍ଟ୍ରପତିଙ୍କ ମହାନତାକୁ ତୁଳନା କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଅନେକ ଲୋକ ନିଜର ଦୁଃଖକଷ୍ଟ ପାଇଁ ସମାଜକୁ ଦୋଷ ଦେଉଥିବା ବେଳେ, ଭାରତୀୟ ମୂଲ୍ୟବୋଧରେ ଗଭୀର ଭାବେ ପରିପୃଷ୍ଟ କୋବିନ୍ଦଜୀଙ୍କ ଉଦାର ହୃଦୟ ସମାଜକୁ ନିଜ ସଫଳତାର ସମାନ ଭାଗୀଦାର ଭାବେ ଦେଖେ। ଶ୍ରୀ ମୋଦୀ କହିଥିଲେ, “ଯେତେବେଳେ ହୃଦୟ ଉଦାର ହୋଇଥାଏ ଏବଂ ଭାରତୀୟ ମୂଲ୍ୟବୋଧ ଥାଏ, ସେତେବେଳେ ଜଣେ ବ୍ୟକ୍ତି ସମାଜରେ ତ୍ରୁଟି ଖୋଜିବାରେ ସମୟ ନଷ୍ଟ କରେ ନାହିଁ, ବରଂ ଏହାର ସକାରାତ୍ମକ ଦିଗ ଉପରେ ମନୋନିବେଶ କରେ।”

ଆତ୍ମଜୀବନୀରୁ ଏକ ଅତ୍ୟନ୍ତ ମାର୍ମିକ ଶୈଶବ ଘଟଣା ସ୍ମରଣ କରି ପ୍ରଧାନମନ୍ତ୍ରୀ କାନପୁର ଗ୍ରାମାଞ୍ଚଳରେ ଘରୋଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଘରେ ନିଆଁ ଲାଗି କୋବିନ୍ଦ ଜୀଙ୍କ ମା’ ପ୍ରାଣ ହରାଇବାର ହୃଦୟବିଦାରକ କାହାଣୀ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆପଣ କଳ୍ପନା କରିପାରିବେ ଯେ ଅଳ୍ପ ବୟସରେ ଏପରି ଏକ ଦୁର୍ଘଟଣା ଏବଂ ଏହିପରି ଭାବରେ ମା’ଙ୍କୁ ହରାଇବା କେତେ କଷ୍ଟଦାୟକ ହୋଇଥିବ”।

ଏହି ଦୁଃଖଦ ଘଟଣା ମାଧ୍ୟମରେ ଗଢ଼ିଉଠିଥିବା ସହନଶୀଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ କିପରି ଜଣେ ପଡ଼ୋଶୀ ମା’ କୋବିନ୍ଦ ଜୀଙ୍କ ପାଳନପୋଷଣରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ, ଯାହା ସାମାଜିକ ସଦ୍ଭାବନା ବିଷୟରେ ତାଙ୍କର ଧାରଣାକୁ ଗଭୀର ଭାବରେ ସମୃଦ୍ଧ କରିଥିଲା। ଶ୍ରୀ ମୋଦୀ କହିଥିଲେ, “ଏହିଠାରୁ ସେ ସମାଜର ଏକତା ଏବଂ ସଦ୍ଭାବନାର ଶକ୍ତି ବୁଝିପାରିଥିଲେ, ଏବଂ ସେହି କଠିନ ପରିସ୍ଥିତିଗୁଡ଼ିକ କୋବିନ୍ଦ ଜୀଙ୍କୁ ଆହୁରି ମଜବୁତ କରିଥିଲା।’’

ଏହି ଦୁଃଖଦ ଘଟଣା ପରେ ବାପାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କିପରି କୋବିନ୍ଦ ଜୀଙ୍କ ବାପା ପ୍ରଶଂସନୀୟ ଭାବେ ପରିବାରକୁ ସମ୍ଭାଳିଥିଲେ ଏବଂ ସନ୍ତାନମାନଙ୍କ ମଧ୍ୟରେ ଦୃଢ଼ ମୂଲ୍ୟବୋଧ ଭରିଦେଇଥିଲେ। ଶ୍ରୀ ମୋଦୀ କହିଥିଲେ, “ସେ ଯେଉଁଭଳି ଭାବରେ ନିଜ ପରିବାରକୁ ସମ୍ଭାଳିଥିଲେ ଏବଂ ପିଲାମାନଙ୍କୁ ସଂସ୍କାର ଦେଲେ, ସେଥିପାଇଁ କୋବିନ୍ଦ ଜୀ ନିଜ ବାପାଙ୍କୁ ନିଜର ହିରୋ (ଆଦର୍ଶ) ବୋଲି ମାନନ୍ତି।”

ଆର୍ଥିକ ଅଭାବକୁ ଦୂର କରିବା ପାଇଁ କୋବିନ୍ଦ ଜୀଙ୍କ ଶିକ୍ଷା ଉପରେ ନିର୍ଭରଶୀଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ତାଙ୍କର ଅସାଧାରଣ ଆରୋହଣକୁ ରେଖାଙ୍କିତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ସେ କଠିନ ପରିଶ୍ରମ କରିଥିଲେ ଏବଂ ଆର୍ଥିକ ଅଭାବକୁ ନିଜର ଦୁର୍ବଳତା ହେବାକୁ ଦେଇନଥିଲେ, ଫଳରେ ସେ ଏପରି ଏକ ପଦବୀରେ ପହଞ୍ଚିପାରିଥିଲେ ଯାହା ସେତେବେଳେ ଲୋକମାନେ କଳ୍ପନା ସୁଦ୍ଧା କରିନଥିଲେ।”

ପୂର୍ବତନ ରାଷ୍ଟ୍ରପତିଙ୍କ ନିରନ୍ତର ନମ୍ରତାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେହି ଅତ୍ୟନ୍ତ ଭାବପୂର୍ଣ୍ଣ ସାର୍ବଜନୀନ ମୁହୂର୍ତ୍ତକୁ ସ୍ମରଣ କରିଥିଲେ, ଯେତେବେଳେ କୋବିନ୍ଦଜୀ ନିଜ ଗାଁ ପରୌଙ୍ଖ ଗସ୍ତ କରି ମାଟିକୁ ପ୍ରଣାମ କରିବା ସହ ନିଜର ପୂର୍ବତନ ଶିକ୍ଷକମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଶ୍ରୀ ମୋଦୀ କହିଥିଲେ, “ତାଙ୍କର ଏହି ଆଚରଣ ବିଶ୍ୱ ସମ୍ମୁଖରେ ଭାରତୀୟ ମୂଲ୍ୟବୋଧର ଏପରି ଏକ ଚିତ୍ର ଉପସ୍ଥାପନ କରିଥିଲା, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିପାରିବେ।’’

ଶତାବ୍ଦୀ ଶତାବ୍ଦୀର ପରାଧୀନତା ଦ୍ୱାରା ହୋଇଥିବା ଐତିହାସିକ ସାମାଜିକ-ଅର୍ଥନୈତିକ କ୍ଷତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ, ବାବାସାହେବ ଆମ୍ବେଦକର ଏବଂ ଜ୍ୟୋତିବା ଫୁଲେଙ୍କ ଭଳି ଐତିହାସିକ ବ୍ୟକ୍ତିତ୍ୱଙ୍କ ଅବିରତ ସଂଘର୍ଷ ଓ ଦୂରଦୃଷ୍ଟିସମ୍ପନ୍ନ ସ୍ୱପ୍ନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏପରି ଅନେକ ମହାନ ବ୍ୟକ୍ତିତ୍ୱ ଏପରି ଏକ ଭାରତର ପୁନଃନିର୍ମାଣର ସ୍ୱପ୍ନ ଦେଖିଥିଲେ, ଯେଉଁଠାରେ ଗରିବରୁ ଗରିବତମ ବ୍ୟକ୍ତି ମଧ୍ୟ ଶୀର୍ଷରେ ପହଞ୍ଚିବାର ସୁଯୋଗ ପାଇପାରିବ!”

ଏହି ଐତିହାସିକ ସ୍ବପ୍ନଗୁଡ଼ିକୁ ଆଧୁନିକ ସଫଳତା ସହିତ ଯୋଡ଼ି ପ୍ରଧାନମନ୍ତ୍ରୀ କୋବିନ୍ଦ ଜୀଙ୍କ ଭଳି ବ୍ୟକ୍ତିତ୍ୱମାନଙ୍କୁ ନିଜର କଠିନ ପରିଶ୍ରମ ମାଧ୍ୟମରେ ଏକ ସମାନତାବାଦୀ ସମାଜର ଶତାବ୍ଦୀ ପୁରୁଣା ଦୂରଦୃଷ୍ଟିକୁ ସାକାର କରିଥିବାର ଶ୍ରେୟ ଦେଇଥିଲେ। ଶ୍ରୀ ମୋଦୀ କହିଥିଲେ, “କୋବିନ୍ଦ ଜୀଙ୍କ ଭଳି ବ୍ୟକ୍ତିତ୍ୱ ନିଜର କଠିନ ପରିଶ୍ରମ ଏବଂ ଯୋଗ୍ୟତା ବଳରେ କେବଳ ନିଜ ଜୀବନ ବଦଳାଇ ନାହାନ୍ତି, ବରଂ ଶତାବ୍ଦୀ ଶତାବ୍ଦୀର ସେହି ସ୍ୱପ୍ନକୁ ସାକାର କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।”

ଏହି ମିଶନକୁ ଆଗକୁ ନେବା ପାଇଁ ସମର୍ପିତ ଯୁବପିଢ଼ିର କ୍ରମାଗତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏପରି ଏକ ପିଢ଼ି ପାଇଁ ଆହ୍ୱାନ ଦେଇଥିଲେ, ଯିଏ ବାଧାବିଘ୍ନରେ ବିଚଳିତ ନହୋଇ ଜାତୀୟ ଆତ୍ମନିର୍ଭରଶୀଳତା ଆଡ଼କୁ ପଥ ପରିଷ୍କାର କରିବାର ସାହସ ରଖିବ। ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଏହି ପରିବର୍ତ୍ତନ ସହିତ ହିଁ ଏକ ସଶକ୍ତ ଭାରତ ଗଠନର ସଂକଳ୍ପ ପୂରଣ ହେବ, ଏବଂ ଏକ ଆତ୍ମନିର୍ଭରଶୀଳ ତଥା ବିକଶିତ ଭାରତର ପଥ ପ୍ରଶସ୍ତ ହେବ।”

ଏହି ଆତ୍ମଜୀବନୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣାଦାୟୀ ମାଧ୍ୟମ ଭାବରେ ସ୍ଥାନିତ କରି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ ଯେ କୋବିନ୍ଦଜୀଙ୍କ ଜୀବନର ଏହି ବିସ୍ତୃତ ବିବରଣୀ ଏହି ଆବଶ୍ୟକୀୟ ଯୁବଶକ୍ତି ଗଠନ ପାଇଁ ଏକ ନିଶ୍ଚିତ ଦିଗଦର୍ଶକ ଭାବେ କାର୍ଯ୍ୟ କରିବ। ଶ୍ରୀ ମୋଦୀ କହିଥିଲେ, “ଏପରି ଯୁବଶକ୍ତି ନିର୍ମାଣ ପାଇଁ ଯେଉଁ ପ୍ରେରଣା ଆବଶ୍ୟକ, କୋବିନ୍ଦ ଜୀଙ୍କର ଏହି ଆତ୍ମଜୀବନୀ ତାହାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିବ।”

କୋବିନ୍ଦଜୀଙ୍କ ରାଜନୈତିକ ଯାତ୍ରାର ଆରମ୍ଭ ବିଷୟରେ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କିପରି ମୋରାରଜୀ ଦେଶାଈଙ୍କ ସହ କାର୍ଯ୍ୟ କରିବା ଫଳରେ ତାଙ୍କ ଭିତରେ ଥିବା ଜାତୀୟ ସେବାର ମନୋଭାବ ରାଜନୀତିରେ ଏକ ସମର୍ପିତ କ୍ୟାରିୟରର ରୂପ ନେଇଥିଲା। ଶ୍ରୀ ମୋଦୀ କହିଥିଲେ, “କୋବିନ୍ଦଜୀଙ୍କ ମନରେ ଯେଉଁ ଜାତୀୟ ସେବାର ଭାବନା ଥିଲା, ମୋରାରଜୀ ଜୀଙ୍କ ସହ କାମ କରି ସେ ସେହି ସେବା ପାଇଁ ଏକ ମାର୍ଗ ପାଇଥିଲେ।”

ସେବାର ଏକ ନିରନ୍ତର ସଫଳ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସଂସଦ, ରାଜ୍ୟପାଳ ଏବଂ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭାବରେ ବିଭିନ୍ନ ଭୂମିକାରେ କୋବିନ୍ଦ ଜୀଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ୍ ସମର୍ପଣର ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ସେ ସେବାକୁ ହିଁ ନିଜର ଲକ୍ଷ୍ୟ କରି କାର୍ଯ୍ୟ କରିଥିଲେ, ଏବଂ ସଂସଦରେ ତାଙ୍କର କାର୍ଯ୍ୟକାଳ ଏହାର ପ୍ରତ୍ୟକ୍ଷ ସାକ୍ଷୀ।”

ରାଷ୍ଟ୍ରପତି ପଦବୀରୁ ଅବସର ନେବା ପରେ ମଧ୍ୟ ଦେଶ ପାଇଁ କୋବିନ୍ଦଜୀଙ୍କର ଅବିରତ ଅବଦାନକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ‘ଏକ ଦେଶ, ଏକ ନିର୍ବାଚନ’ ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ତାଙ୍କର ନିରନ୍ତର ନେତୃତ୍ୱର ପ୍ରଶଂସା କରିଥିଲେ, ଯାହାକି ଦେଶର ଗଣତାନ୍ତ୍ରିକ ଢାଞ୍ଚାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ରଖିଛି। ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ମୋର ବିଶ୍ୱାସ ଯେ ଦେଶବାସୀ କୋବିନ୍ଦଜୀଙ୍କର ଏହି କର୍ତ୍ତବ୍ୟନିଷ୍ଠା ଏବଂ ସେବା ମନୋଭାବରୁ ଅନେକ କିଛି ଶିଖିପାରିବେ।”

ସାର୍ବଜନୀନ ଜୀବନରେ ଅତ୍ୟନ୍ତ ସକ୍ରିୟ ରହିବା ସହ ଗୋଟିଏ ଆତ୍ମଜୀବନୀ ରଚନା କରିବାର କଠିନତାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅବଦାନକୁ ପୂର୍ଣ୍ଣ କରିଥିବାରୁ କୋବିନ୍ଦଜୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “କୋବିନ୍ଦଜୀ ଆମ ସମସ୍ତଙ୍କ ପାଇଁ ଏହି କାର୍ଯ୍ୟ କରିଛନ୍ତି, କାରଣ ତାଙ୍କ ଜୀବନରେ ଏପରି ଅନେକ କଥା ରହିଛି ଯେଉଁଥିରେ ଗରିବ ଓ ବଞ୍ଚିତ ବର୍ଗରୁ ଆସୁଥିବା ସମସ୍ତ ଲୋକ ନିଜ ଜୀବନର ପ୍ରତିବିମ୍ବ ଦେଖିପାରିବେ।”

ଏହି ପୁସ୍ତକରେ ନିହିତ ବ୍ୟାପକ ନୈତିକ ଶିକ୍ଷା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କିପରି ପୂର୍ବତନ ରାଷ୍ଟ୍ରପତିଙ୍କ କାହାଣୀ ସବୁଠାରୁ କଠିନ ସମୟରେ ମଧ୍ୟ ପବିତ୍ରତା ଓ ସଚ୍ଚୋଟତା ବଜାୟ ରଖିବାର ଅବିରତ ଶକ୍ତିକୁ ପ୍ରଦର୍ଶିତ କରେ। ଶ୍ରୀ ମୋଦୀ କହିଥିଲେ, “ବିଭିନ୍ନ ପଦବୀର ଦାୟିତ୍ୱ ତୁଲାଉଥିବା ବେଳେ ଏହି ପବିତ୍ରତା କିପରି ଆମକୁ ଜାତୀୟ ସେବା ପାଇଁ ଶକ୍ତି ପ୍ରଦାନ କରେ, କୋବିନ୍ଦଜୀ ସମାଜକୁ ସେହି ପ୍ରେରଣା ନିରନ୍ତର ଦେଇଆସିଛନ୍ତି।”

ପୁସ୍ତକର ଐତିହାସିକ ମୂଲ୍ୟକୁ ଦୃଢ଼ ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷ କରିବା ସହ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ସାହିତ୍ୟିକ କୃତି ବ୍ୟକ୍ତିଗତ ଏବଂ ଜାତୀୟ ସଫଳତାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକ ପାଇଁ ଏକ ଅପରିହାର୍ଯ୍ୟ ଅଭିଲେଖ ଭାବରେ କାର୍ଯ୍ୟ କରିବ। ଶ୍ରୀ ମୋଦୀ କହିଥିଲେ, “ମୁଁ ଦୃଢ଼ ନିଶ୍ଚିତ ଯେ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ କେବଳ ତାଙ୍କ ଜୀବନର ନୁହେଁ, ବରଂ ଆମ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ମୃତିସବୁକୁ ମଧ୍ୟ ସୁରକ୍ଷିତ ଭାବେ ସାଉଁଟି ରଖିବ।”

TKM