Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ; ନୂଆ-ରାୟପୁରରେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ; ରାଷ୍ଟ୍ରକୁ ଉତ୍ସର୍ଗ କଲେ ସଂପ୍ରସାରିତ ଭିଲାଇ ଇସ୍ପାତ କାରଖାନା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି । ଏହି ଅବସରରେ ସେ ନୂଆ-ରାୟପୁର ସ୍ମାର୍ଟ ସିଟି ଲାଗି ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ ।

ପରେ ପ୍ରଧାନମନ୍ତ୍ରୀ ଭିଲାଇ ଇସ୍ପାତ କାରଖାନାର 8 ନମ୍ବର ବ୍ଲାଷ୍ଟଫର୍ଣ୍ଣେସ ବୁଲି ଦେଖିଥିଲେ ଏବଂ ତାଙ୍କୁ କାରଖାନାର ଅଧିକାରୀମାନେ ପ୍ଳାଣ୍ଟର ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ ଅବସରରେ ସଡ଼କର ଉଭୟ ପାଶ୍ୱର୍ରେ ଲୋକମାନେ ଠିଆହୋଇ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ସଂପ୍ରସାରିତ ତଥା ଅଧୁନିକୀକରଣ ହୋଇଥିବା ଭିଲାଇ ଇସ୍ପାତ କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନୂଆ-ରାୟପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ । ଏଥିସହ ସେ ଆଇଆଇଟି ଭିଲାଇର ଶିଳାନ୍ୟାସ ମଧ୍ୟ କରିଥିଲେ । ସେହିଭଳି ଭାରତ-ନେଟର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ ଫଳକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଜଗଦଲପୁର ଏବଂ ରାୟପୁର ମଧ୍ୟରେ ବିମାନ ସେବାକୁ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ଲାପଟପ୍, ସାର୍ଟିଫିକେଟ ଏବଂ ଚେକ୍ ବଣ୍ଟନ କରିଥିଲେ ।

ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସବୁପ୍ରକାର ହିଂସାର ସଫଳ ଉତ୍ତର ହେଉଛି ବିକାଶ । ଦେଶ ଗଠନରେ ଭିଲାଇ ଇସ୍ପାତ କାରଖାନାର ବିଶେଷ ଅବଦାନ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କାରଖାନାର ଆଧୁନିକୀକରଣ ତଥା ସଂପ୍ରସାରଣ ପରେ ଏହା ଏବେ ନୂତନ ଭାରତର ମୂଳଦୁଆକୁ ଅଧିକ ସୁଦୃଢ଼ କରିବ । ସରକାର ଆଜି ପ୍ରବର୍ତ୍ତନ କରିଥିବା ବିଭିନ୍ନ କଲ୍ୟାଣକର ଯୋଜନାର ସୁଫଳ ସଂପର୍କରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ହିତାଧିକାରୀମାନଙ୍କୁ ସୂଚୀତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ଦୁଇ ମାସ ମଧ୍ୟରେ, ଗ୍ରାମ ସ୍ୱରାଜ ଅଭିଯାନ ଲୋକମାନଙ୍କ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇଛି । ଏହି ଅଭିଯାନ ଏବେ ଦେଶର 115ଟି ଅଭିଳାଷୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ଏବଂ ସେଥିମଧ୍ୟରୁ 12ଟି ଜିଲ୍ଲା ଛତିଶଗଡ଼ରେ ରହିଛି । ଜନ ଧନ ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା, ଫସଲ ବୀମା ଯୋଜନା ଏବଂ ସୌଭାଗ୍ୟ ଯୋଜନା ରାଜ୍ୟରେ କେବଳ କାର୍ଯ୍ୟକାରୀ ହେଉନାହିଁ ଏହା ଲୋକମାନଙ୍କୁ କି ପ୍ରକାର ସୁବିଧା ପ୍ରଦାନ କରୁଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସୂଚୀତ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ଜନଜାତି ବର୍ଗର ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି । ସରକାର ଆଦିବାସୀ ଲୋକମାନଙ୍କ ସାମଗ୍ରିକ କଲ୍ୟାଣ ସକାଶେ କାର୍ଯ୍ୟ କରୁଛନ୍ତି ଏବଂ ଦେଶବ୍ୟାପୀ ଏକଲବ୍ୟ ବିଦ୍ୟାଳୟମାନ ସ୍ଥାପନ କରାଯାଉଛି ବୋଲି ସେ ସୂଚାଇଥିଲେ ।

**********