Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ହରିୟାଣା ଗସ୍ତ, ଉନ୍ମୋଚନ କଲେ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି, ରେଳଡବା ମରାମତି କାରଖାନା ପାଇଁ ରଖିଲେ ଆଧାରଶିଳା


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ସାମ୍ପଲା ଏବଂ ରୋହତକ ଗସ୍ତ କରିଥିଲେ ।

ଗସ୍ତ କାଳରେ ସେ ଦୀନବନ୍ଧୁ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ସୋନିପତଠାରେ ଫଳକ ଉନ୍ମୋଚନ ପୂର୍ବକ ଏକ ରେଳ ଡବା ମରାମତି କାରଖାନା ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ସମ୍ପୂର୍ଣ୍ଣ ହେବାପରେ ଏହା ଉତ୍ତରାଂଚଳରେ ରେଳଡବା ମରାମତି ଏବଂ ରକ୍ଷଣାବେକ୍ଷଣ କେନ୍ଦ୍ରରେ ପରିଣତ ହେବ । ଏହା ମୋଡ୍ୟୁଲାର ଏବଂ ପ୍ରିଫେବ୍ରିକେଟେଡ ନିର୍ମାଣ କୌଶଳ, ଅତ୍ୟାଧୁନିକ ଯନ୍ତ୍ରାଂଶ ଏବଂ ପରିବେଶ ଉପଯୋଗୀ ବୈଶିଷ୍ଟ୍ୟ ସହ ନିର୍ମାଣ କରାଯାଉଛି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚୌଧରୀ ଛୋଟୁ ରାମ ଜୀ ସେହି ସମାଜ ସଂସ୍କାରକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଯିଏ ଭାରତ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଦଳିତ ଏବଂ ବଂଚିତଙ୍କ ପାଇଁ ସାର ଛୋଟୁରାମ ସର୍ବଦା ଦୃଢ଼ ଭାବେ ସ୍ୱର ଉତ୍ତୋଳନ କରୁଥିବା ସେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳ ଡବା ମରାମତି କାରଖାନା କେବଳ ସୋନିପତ ନୁହେଁ ବରଂ ସମ୍ପୂର୍ଣ୍ଣ ହରିୟାଣା ରାଜ୍ୟର ବିକାଶରେ ଯୋଗଦାନ କରିବ । ଏହା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ପହଁଚାଇବା ସହିତ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସାର ଛୋଟୁରାମଙ୍କ ଦୂରଦୃଷ୍ଟିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଭାକ୍ରା ନଦୀବନ୍ଧ ବିଷୟରେ ଉଲ୍ଲେଖ କରିଥିଲେ । କୃଷକମାନଙ୍କୁ ପାରିଶ୍ରମିକ ଯୋଗାଇ ଦେବା ଲାଗି ସାର ଛୋଟୁରାମଙ୍କ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ର ସରକାର ଏ ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ଆୟୁଷ୍ମାନ ଭାରତ ଯୋଜନାର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାର ପ୍ରଥମ ହିତାଧିକାରୀ ହରିୟାଣା ରାଜ୍ୟର । ମାତ୍ର 2 ସପ୍ତାହ ମଧ୍ୟରେ ଏହି ଯୋଜନାରୁ 50,000 ଲୋକ ଲାଭାନ୍ୱିତ ହୋଇଥିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ବେଟୀ ବଚାଓ, ବେଟୀ ପଢ଼ାଓଯୋଜନା ଅଧୀନରେ ହାସଲ ହୋଇଥିବା ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ହରିୟାଣା ଗାଁର ଝିଅମାନେ ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରୁଛନ୍ତି, ଏବଂ ହରିୟାଣାର ଯୁବକମାନେ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଶକ୍ତି ଭାବେ ଗଢ଼ି ତୋଳୁଛନ୍ତି । ସାର ଛୋଟୁ ରାମଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶ ଅଗ୍ରସର ହେଉଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ସେ କହିଥିଲେ ।