ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବିମାନବନ୍ଦର ଭିତ୍ତିଭୂମି, ରଣନୈତିକ ସଡ଼କ ସଂଯୋଗ, ଜଳବିଦ୍ୟୁତ୍, ଐତିହ୍ୟ ସଂରକ୍ଷଣ ଓ ଜଳ ସୁରକ୍ଷା ପ୍ରକଳ୍ପ
ଲେହ ବିମାନବନ୍ଦରର ନୂତନ ଯାତ୍ରୀ ଟର୍ମିନାଲ୍ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
୨୯୮ କିମି ଦୀର୍ଘ ନିମୁ-ପଦୁମ-ଦର୍ଚା ସଡ଼କର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ; ଲଦାଖକୁ ବିକଳ୍ପ ସଡ଼କ ସଂଯୋଗ ସହ ସଶସ୍ତ୍ର ବାହିନୀର ରଣନୈତିକ ଯାତାୟାତ ସୁଗମ ହେବ
ଲଦାଖର ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଲେହରେ ଦେଶର ପ୍ରଥମ ପ୍ରାଚୀନ ଶିଳାଚିତ୍ର ସଂରକ୍ଷଣ ପାର୍କ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଅକ୍ଟୋବର ୧୫ ତାରିଖ ଦିନ ୧୨ଟା ୩୦ ମିନିଟ୍ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଲଦାଖରେ ପ୍ରାୟ ୩,୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ଟି ପ୍ରମୁଖ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଶକ୍ତି ଭିତ୍ତିଭୂମିର ବିକାଶ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଜଳ ସୁରକ୍ଷା ବୃଦ୍ଧିରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ ଲେହସ୍ଥିତ କୁଶୋକ ବକୁଲା ରିମ୍ପୋଚେ ବିମାନବନ୍ଦରରେ ୬୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଯାତ୍ରୀ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। ୨୩,୮୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଆଧୁନିକ ଟର୍ମିନାଲ୍ରେ ବାର୍ଷିକ ୩୫ ଲକ୍ଷ ଯାତ୍ରୀଙ୍କ ଯାତାୟାତ ପରିଚାଳନା କରିବାର କ୍ଷମତା ରହିଛି। ଶକ୍ତି ଦକ୍ଷତା ବୃଦ୍ଧି ଓ ଅଙ୍ଗାରକ ନିର୍ଗମନ ହ୍ରାସ ପାଇଁ ଏଥିରେ ଭୂତାପୀୟ ଶକ୍ତିର ବ୍ୟବହାର କରାଯାଇଛି। ଲଦାଖର ପରିବେଶଗତ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ଏହା ସ୍ଥାୟୀ ଭିତ୍ତିଭୂମି ବିକାଶର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆଧୁନିକ ଯାତ୍ରୀ ସୁବିଧା ସହ ଲଦାଖର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକକୁ ଏହି ଟର୍ମିନାଲ୍ରେ ସାମିଲ କରାଯାଇଛି। ଏହାଦ୍ୱାରା ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇବା ସହ ଦେଶର ଅନ୍ୟ ଅଞ୍ଚଳ ସହ ଲଦାଖର ବିମାନ ସଂଯୋଗ ଅଧିକ ସୁଦୃଢ଼ ହେବ।
ଏହାସହ ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ (ବିଆର୍ଓ) ଦ୍ୱାରା ନିର୍ମିତ ୨୯୮ କିଲୋମିଟର ଦୀର୍ଘ ନିମୁ-ପଦୁମ-ଦର୍ଚା ସଡ଼କକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହି ସଡ଼କ ଲେହର ନିମୁକୁ ହିମାଚଳ ପ୍ରଦେଶର ଦର୍ଚା ସହ ଦୁର୍ଗମ ଜାନ୍ସ୍କାର ଉପତ୍ୟକା ଦେଇ ସଂଯୋଗ କରୁଛି। ଏହା ଲଦାଖକୁ ଏକ ବିକଳ୍ପ ସଡ଼କ ସଂଯୋଗ ପଥ ଯୋଗାଇବା ସହ ଶ୍ରୀନଗର-ଲେହ ଏବଂ ମନାଲି-ଲେହ ରାଜପଥର ପରିପୂରକ ହେବ। ହିମାଳୟର ଦୁର୍ଗମ ଭୂଭାଗ ଏବଂ ଉଚ୍ଚ ପାର୍ବତ୍ୟ ଶିଙ୍କୁନ୍ ଲା ଗିରିପଥ ଦେଇ ନିର୍ମିତ ଏହି ସଡ଼କ ଏକ ଉଲ୍ଲେଖନୀୟ ବୈଷୟିକ ସଫଳତା। ଏହାର ମଧ୍ୟ ବିଶେଷ ରଣନୈତିକ ଗୁରୁତ୍ୱ ରହିଛି। ଏହି ସଡ଼କ ଦ୍ୱାରା ସଶସ୍ତ୍ର ବାହିନୀର ଯାତାୟାତ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବା ସହ ଲଜିଷ୍ଟିକ୍ସ ବ୍ୟବସ୍ଥା ସୁଦୃଢ଼ ହେବ। ଏଥିସହ ଜାନ୍ସ୍କାର ଅଞ୍ଚଳର ବାସିନ୍ଦାମାନେ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ବଜାର ଓ ଅତ୍ୟାବଶ୍ୟକ ସେବା ପାଇବାରେ ଅଧିକ ସୁବିଧା ପାଇବେ।
ଲଦାଖର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅକ୍ଷୟ ଶକ୍ତି ଉତ୍ପାଦନର ସମ୍ଭାବନାକୁ ଉପଯୋଗ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ୯ ମେଗାୱାଟ୍ ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ୬୬ କେଭି ଡବଲ୍ ସର୍କିଟ୍ ଦାହ-ହାନୁ-ଖାଲତ୍ସି ବିଦ୍ୟୁତ୍ ସଞ୍ଚାରଣ ଲାଇନ୍ର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଲଦାଖର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ନିର୍ଭରଯୋଗ୍ୟତା ବୃଦ୍ଧି କରିବ। ଏଥିସହ ଅଞ୍ଚଳର ଜଳବିଦ୍ୟୁତ୍ ସମ୍ପଦର ଉପଯୋଗ ଏବଂ ଶକ୍ତି ଭିତ୍ତିଭୂମିର ବିକାଶ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଲଦାଖର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ସଂରକ୍ଷଣକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଲେହର ସିନ୍ଧୁ ଘାଟଠାରେ ଭାରତର ପ୍ରଥମ ଶିଳାଚିତ୍ର ସଂରକ୍ଷଣ ପାର୍କର ଉଦ୍ଘାଟନ କରିବେ। ଲଦାଖରେ ଶହ ଶହ ପ୍ରାଗୈତିହାସିକ ଶିଳାଚିତ୍ର ସ୍ଥଳ ରହିଛି। ଏଠାରେ ବନ୍ୟଜନ୍ତୁ, ମାନବ ଆକୃତି ଓ ବିଭିନ୍ନ ପ୍ରତୀକର ଚିତ୍ର ପଥର ଉପରେ ଖୋଦିତ ହୋଇଛି। ଏହି ଚିତ୍ରଗୁଡ଼ିକ ହଜାର ହଜାର ବର୍ଷର ମାନବ ଇତିହାସ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରେ। ଏଗୁଡ଼ିକ ଅଞ୍ଚଳର ସାଂସ୍କୃତିକ ଓ ସଭ୍ୟତାଗତ ଅତୀତର ଅମୂଲ୍ୟ କୀର୍ତ୍ତି। ଏହି ସଂରକ୍ଷଣ ପାର୍କରେ ଦୁର୍ବଳ ଓ ବିପଦସଙ୍କୁଳ ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡ଼ିକର ସୁରକ୍ଷା, ଜନସଚେତନତା ବୃଦ୍ଧି ଏବଂ ଦାୟିତ୍ୱପୂର୍ଣ୍ଣ ଐତିହ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ।
ଏଥିସହ ପ୍ରଧାନମନ୍ତ୍ରୀ ‘ପ୍ରକଳ୍ପ ହିମ ସରୋବର’ ଅଧୀନରେ ୪୦ଟି ଗାଁରେ ବିକଶିତ ୪୦ଟି ଜଳାଶୟର ଉଦ୍ଘାଟନ କରିବେ। ମିଶନ ଅମୃତ ସରୋବରର ଉଦ୍ଦେଶ୍ୟ ଅନୁରୂପ ଲଦାଖର ଭୌଗୋଳିକ ଓ ଜଳବାୟୁଜନିତ ଆହ୍ୱାନର ମୁକାବିଲା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି।
ଲଦାଖରେ କୃଷି କ୍ଷେତ୍ରରେ ଜଳ ଉପଲବ୍ଧତା ଓ ଆବଶ୍ୟକତା ମଧ୍ୟରେ ଋତୁଭିତ୍ତିକ ଅସନ୍ତୁଳନ ଦେଖାଦିଏ। ଗୁରୁତ୍ୱପୂର୍ଣ୍ଣ ବୁଣାବୁଣି ସମୟରେ ଚାଷୀମାନେ ପ୍ରାୟତଃ ଜଳାଭାବର ସମ୍ମୁଖୀନ ହୁଅନ୍ତି। ଅନ୍ୟପକ୍ଷରେ, ବରଫ ତରଳିବା ଓ ହିମବାହରୁ ନିର୍ଗତ ଜଳ ଅନ୍ୟ ସମୟରେ ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ। ‘ପ୍ରକଳ୍ପ ହିମ ସରୋବର’ ମାଧ୍ୟମରେ ଜଳ ଉପଲବ୍ଧ ଥିବା ସମୟରେ ତାହାକୁ ସଂରକ୍ଷଣ କରି ଆବଶ୍ୟକ ସମୟରେ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଜଳସେଚନ ବ୍ୟବସ୍ଥାରେ ସୁଧାର ଆସିବା ସହ କୃଷିଜୀବୀଙ୍କ ଜୀବିକା ସୁରକ୍ଷିତ ହେବ ଏବଂ ଅଞ୍ଚଳର ଦୀର୍ଘମିଆଦୀ ଜଳ ସୁରକ୍ଷା ସୁଦୃଢ଼ ହେବ।
TKM