ପିଏମଇଣ୍ଡିଆ
2018-19ବର୍ଷ ଠାରୁ 7 ବର୍ଷର ଅବଧି ନିମନ୍ତେ 1650 କୋଟି ଟଙ୍କାର ମୋଟ ବ୍ୟୟରେ “ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋଜ୍ (ପିଏମଆରଏଫ)” ଯୋଜନା କାର୍ଯ୍ୟକାରୀ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଦେଶର ପ୍ରଗତି ଏବଂ ବିକାଶ ନିମନ୍ତେ ଅଭିନବ ପ୍ରୟୋଗ ଏବଂ ପ୍ରଯୁକ୍ତିର ଗୁରୁତ୍ୱ ପ୍ରତି ପ୍ରଧାନମନ୍ତ୍ରୀ ଜୋର ଦେଇ ଆସିଛନ୍ତି । ଏହି ଫେଲୋଶିପ ଯୋଜନା ନବସୃଜନ ମାଧ୍ୟମରେ ବିକାଶ ଲାଗି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଯୋଜନାର ଘୋଷଣା 2018-19ବଜେଟ ଅଭିଭାଷଣ ସମୟରେ କରାଯାଇଥିଲା ।
ଏହି ଯୋଜନା ଅନ୍ତର୍ଗତ ଆଇଆଇଏସସି, ଆଇଆଇଟି, ଏନଆଇଟି, ଆଇଆଇଏଇଆର, ଆଇଆଇଆଇଟିରୁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଷୟରେ ବି.ଟେକ କିମ୍ବା ସମନ୍ୱିତ ଏମଟେକ କିମ୍ବା ଏମଏସସି ପାସ କରିଥିବା କିମ୍ବା ଶେଷ ବର୍ଷର ସର୍ବୋତ୍ତମ ଛାତ୍ରଛାତ୍ରୀଙ୍କୁ ଆଇଆଇଟି/ଆଇଆଇଏସସିରେ ପିଏଚଡି କାର୍ଯ୍ୟକ୍ରମରେ ସିଧାସଳଖ ପ୍ରବେଶ ମିଳିପାରିବ ।
ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଏବଂ ପିଏମଆରଏଫ ନିୟମ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଜରିଆରେ ବଛାଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମ ଦୁଇ ବର୍ଷ ପାଇଁ ମାସିକ 70 ହଜାର ଟଙ୍କା, ତୃତୀୟ ବର୍ଷ ଲାଗି ମାସିକ 75 ହଜାର ଟଙ୍କା ଏବଂ ଚତୁର୍ଥ ଓ ପଞ୍ଚମ ବର୍ଷ ଲାଗି ମାସିକ 80 ହଜାର ଟଙ୍କାର ଫେଲୋଶିପ ପ୍ରଦାନ କରାଯିବ । ଏହାବ୍ୟତୀତ ପ୍ରତ୍ୟେକ ଫେଲୋ (ଗବେଷକ)ଙ୍କ ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ସେମିନାରେ ଅନୁସନ୍ଧାନ ପତ୍ର ଉପସ୍ଥାପନ କରିବା ନିମନ୍ତେ ତାଙ୍କର ବିଦେଶ ଯାତ୍ରା ସମ୍ବନ୍ଧୀୟ ଖର୍ଚ୍ଚ ପୂରଣ ଲାଗି 5 ବର୍ଷର ଅବଧି ନିମନ୍ତେ ଦୁଇ ଲକ୍ଷ ଟଙ୍କାର ଗବେଷଣା ଅନୁଦାନ ଦିଆଯିବ । 2018-19 ଠାରୁ ଆରମ୍ଭ ହେଉଥିବା ପ୍ରାରମ୍ଭିକ 3 ବର୍ଷରେ ସର୍ବାଧିକ 3 ହଜାର ଫେଲୋଙ୍କୁ ଚୟନ କରାଯିବ ।
ଏହି ଯୋଜନା ବିଜ୍ଞାନ ଏବଂ ପ୍ରଯୁକ୍ତିର ଅଗ୍ରଣୀ କ୍ଷେତ୍ରରେ ସ୍ୱଦେଶୀ ଭାବେ ଗବେଷଣା କରିବା ଲାଗି ଦେଶରେ ଉପଲବ୍ଧ ପ୍ରତିଭା ବିକାଶରେ ସହାୟକ ହୋଇପାରିବ । ଏହି ଯୋଜନା ଅନ୍ତର୍ଗତ ଗବେଷଣା ଗୋଟିଏ ପଟେ ଜାତୀୟ ପ୍ରାଥମିକତାର ସମାଧାନ କରିବ ଓ ଅନ୍ୟପଟେ ଦେଶର ପ୍ରମୁଖ ଶିକ୍ଷା ପ୍ରତିଷ୍ଠାନରେ ଉନ୍ନତମାନର ଶିକ୍ଷକଙ୍କ ଅଭାବ ଦୂର କରିବ ।
**********