Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶାଖପାଟଣାମରେ ଭାରତୀୟ ପେଟ୍ରୋଲିୟମ ଓ ଶକ୍ତି ପ୍ରତିଷ୍ଠାନ ସ୍ଥାପନା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ଆନ୍ଧ୍ରପ୍ରଦେଶର ବିଶାଖପାଟଣାମଠାରେ ଭାରତୀୟ ପେଟ୍ରୋଲିୟମ ଓ ଶକ୍ତି ପ୍ରତିଷ୍ଠାନ ସ୍ଥାପନା କରାଯିବ । ଏହାକୁ ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ଏକ ଅନୁଷ୍ଠାନ ରୂପେ ବିବେଚନା କରାଯିବ । ଏଥିଲାଗି ସଂସଦରେ ଏକ ଆଇନ ପ୍ରଣୟନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଆଇଆଇଟିମାନଙ୍କ ଭଳି ଏହି ସଂସ୍ଥା ଡିଗ୍ରୀ ଉପାଧି ପ୍ରଦାନ କରିବ ଯେଉଁଥିପାଇଁ ବୈଧାନିକ ସମର୍ଥନ ରହିବ । ପେଟ୍ରୋଲିୟମ ଓ ଶକ୍ତି କ୍ଷେତ୍ରରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ଲାଗି ବିଶାଖପାଟଣାର ପେଟ୍ରୋଲିୟମ ଅନୁଷ୍ଠାନ ଏକ ସେଂଟର ଅଫ ଏକ୍ସଲେନ୍ସ ରୂପେ ଗଣ୍ୟ ହେବ ।

ବିଶାଖପାଟଣାରେ ଭାରତୀୟ ପେଟ୍ରୋଲିୟମ ଓ ଶକ୍ତି ପ୍ରତିଷ୍ଠାନ ସ୍ଥାପନା ଲାଗି ପ୍ରଥମେ 655.46 କୋଟି ଟଙ୍କାର ମୂଳଧନୀ ପୁଞ୍ଜି ବିନିଯୋଗ କରାଯିବ । ପ୍ରସ୍ତାବିତ ସଂସ୍ଥାର ଏଣ୍ଡାଓମେଂଟ ପାଣ୍ଠି ଲାଗି ସରକାର 200 କୋଟି ଟଙ୍କା ଏବଂ ତୈଳ ସଂସ୍ଥାମାନେ ସମ ପରିମାଣର ଅର୍ଥ ରାଶି ପ୍ରଦାନ କରିବେ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ 2014ର ତ୍ରୟୋଦଶ ଅନୁଚ୍ଛେଦ ଆଧାରରେ ବିଶାଖପାଟଣାଠାରେ ଏହି ପ୍ରତିଷ୍ଠାନ ନିର୍ମାଣ କରାଯିବ । ଦେଶର ପେଟ୍ରୋଲିୟମ ଉଦ୍ୟୋଗକୁ ଆବଶ୍ୟକ ହେଉଥିବା ଉଚ୍ଚ ଦକ୍ଷତା ଯୁକ୍ତ ମାନବ ସମ୍ବଳ ଏହି ଅନୁଷ୍ଠାନରୁ ଉପଲବ୍ଧ ହେବ । ଏହାଛଡା ପେଟ୍ରୋଲିୟମ ଓ ଶକ୍ତି କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣା ଲାଗି ପ୍ରସ୍ତାବିତ ଅନୁଷ୍ଠାନ ଅଗ୍ରାଧିକାର ଦେବ । କ୍ରୀଷ୍ଣା-ଗୋଦାବରୀ ନଦୀ ଅବବାହିକା, ବିଶାଖପାଟଣା ତୈଳ ବିଶୋଧନାଗାର ଏବଂ କାକିନାଡାଠାରେ ପ୍ରତିଷ୍ଠା ହେବାକୁ ଥିବା ପେଟ୍ରୋରସାୟନ ପ୍ରକଳ୍ପ ଭାରତୀୟ ପେଟ୍ରୋଲିୟମ ଓ ଶକ୍ତି ପ୍ରତିଷ୍ଠାନ ଲାଗି ଅଧ୍ୟୟନ ଓ ଗବେଷଣାର ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବ ।

ପ୍ରସ୍ତାବିତ ଅନୁଷ୍ଠାନ ଲାଗି ଆନ୍ଧ୍ରପ୍ରଦେଶ ସରକାର ବିନା ମୂଲ୍ୟରେ 200 ଏକର ଜମି ସବ୍ୱାଭରମ ମଣ୍ଡଳରେ ଯୋଗାଇ ଦେଇଛନ୍ତି । ଇତି ମଧ୍ୟରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏହି ଅନୁଷ୍ଠାନର ଅସ୍ଥାୟୀ କେମ୍ପସ ଖୋଲାଯାଇ 2016-17 ଶିକ୍ଷା ବର୍ଷରୁ ପାଠ ପଢ଼ା ଆରମ୍ଭ ହୋଇଯାଇଛି । ଏବେ ଏହି ଅନୁଷ୍ଠାନରେ ପେଟ୍ରୋଲିୟମ ଇଞ୍ଜିନିୟରିଂ ଓ କେମିକାଲ ଇଞ୍ଜିନିୟରିଂରେ ନାମଲେଖା ଓ ପାଠ ପଢ଼ା ହେଉଛି । ପ୍ରତ୍ୟେକ ପାଠ୍ୟକ୍ରମରେ 50ଟି ଲେଖାଁଏ ସିଟ୍ ରହିଥିବା ବେଳେ ଆଇଆଇଟି ଖଡଗପୁର, ବିଶାଖପାଟଣା ଅନୁଷ୍ଠାନର ଶୈକ୍ଷିକ ପୃଷ୍ଠପୋଷକତା କରୁଛି ।