ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ବେଲଜିୟମ ପ୍ରଧାନମନ୍ତ୍ରୀ, ମହାମହିମ ବାର୍ଟ ଡି ୱେଭର, ୨-୪ ସେପ୍ଟେମ୍ବର ୨୦୨୬ରେ ଭାରତ ଗସ୍ତରେ ଆସିଛନ୍ତି। ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହିତ ସେଠାକାର ପ୍ରତିରକ୍ଷା ଓ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଥିଓ ଫ୍ରାଙ୍କେନ, ବହୁ ସରକାରୀ ଅଧିକାରୀ ଏବଂ ଅଗ୍ରଣୀ ବ୍ୟବସାୟୀଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଛନ୍ତି। ଫେବୃଆରୀ ୨୦୨୫ରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ଡି ୱେଭରଙ୍କର ପ୍ରଥମ ଭାରତ ଗସ୍ତ ।
ପ୍ରଧାନମନ୍ତ୍ରୀ ଡି ୱେଭର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ତାଙ୍କ ଗସ୍ତ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଡି ୱେଭର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରଥମେ ଏକ ସୀମିତ ଫର୍ମାଟରେ ଏବଂ ପରେ ପ୍ରତିନିଧିମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ସେମାନଙ୍କର ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମସ୍ତ ଦିଗ ଉପରେ ଆଧାରିତ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବେଲଜିୟମ ପ୍ରଧାନମନ୍ତ୍ରୀ ଡି ୱେଭର ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳୀ ପାଇଁ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫ୍ଲାଣ୍ଡର୍ସ ଫିଲ୍ଡସରେ ୯ ହଜାରରୁ ଅଧିକ ଭାରତୀୟ ସୈନିକଙ୍କ ସର୍ବୋଚ୍ଚ ବଳିଦାନକୁ ଦୁଇ ନେତା ମନେ ପକାଇଥିଲେ। ଦୁଇ ନେତା ଏହା ମଧ୍ୟ ମନେ ପକାଇଥିଲେ ଯେ ୧୯୪୭ରେ ଭାରତ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ବେଲଜିୟମ ପ୍ରଥମ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଥିଲା। ସେମାନେ ଉଲ୍ଲେଖ କରିଥିଲେ ଯେ ସେବେଠାରୁ ଏହି ସହଭାଗୀତା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ପାରସ୍ପରିକ ବିଶ୍ୱାସ, ଆର୍ଥିକ ପରିପୂରକତା ଏବଂ ଦୃଢ଼ ଲୋକ ସମ୍ପର୍କର ଭିତ୍ତିଭୂମି ଉପରେ ପ୍ରଗତି ହାସଲ କରିଛି । ନେତାମାନେ ଏହି ବହୁମୁଖୀ ସମ୍ପର୍କକୁ ଆହୁରି ବିସ୍ତାର ଏବଂ ଗଭୀର କରିବା ପାଇଁ ସେମାନଙ୍କର ଇଚ୍ଛା ପ୍ରକାଶ କରିଥିଲେ। ୨୦୨୭ରେ ବେଲଜିୟମ-ଭାରତ କୂଟନୀତିକ ସମ୍ପର୍କର ୮୦ତମ ବାର୍ଷିକୀ ପାଳନ କରାଯିବ । ଏହା ଭାରତ ଓ ବେଲଜିୟମକୁ ଦ୍ୱିପାକ୍ଷିକ ସମ୍ପର୍କର ଗଭୀରତା ଓ ବିସ୍ତାରକୁ ପାଳନ କରିବା ପାଇଁ ଆଉ ଏକ ଐତିହାସିକ ସୁଯୋଗ ଆଣିଦେବ ।
ଉଭୟ ନେତା ୧୫ ଜୁଲାଇ ୨୦୨୬ରେ ବ୍ରସେଲ୍ସରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ବେଲଜିୟମର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ-ଅଧ୍ୟକ୍ଷତାରେ ଭାରତ-ବେଲଜିୟମ ରଣନୀତିକ ଆଲୋଚନାର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ। ବ୍ୟାପକ ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାରେ ଆବଦ୍ଧ ହୋଇ ସେମାନେ ଉଲ୍ଲେଖ କରିଥିଲେ ଯେ ଏହି ଆଲୋଚନା ବାଣିଜ୍ୟ ଓ ନିବେଶ, ସବୁଜ ପରିବର୍ତ୍ତନ, ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ, ପ୍ରତିରକ୍ଷା, ସୁରକ୍ଷା ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଏକ ନିୟମିତ ଓ ବ୍ୟାପକ ବ୍ୟବସ୍ଥା ପ୍ରତିଷ୍ଠା କରିଛି। ଏହି ପରିପ୍ରେକ୍ଷୀରେ, ସେମାନେ ରଣନୀତିକ ଆଲୋଚନା ଅଧୀନରେ ଚିହ୍ନଟ ପ୍ରାଥମିକତାକୁ ଆଗକୁ ବଢ଼ାଇବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ଆଗାମୀ ବୈଦେଶିକ ବିଚାରବିମର୍ଶକୁ ସ୍ୱାଗତ କରିଥିଲେ।
ଦୁଇ ନେତା ମିଳିତ ଜାତିସଂଘ ଚାର୍ଟରକୁ କେନ୍ଦ୍ରରେ ରଖି ସଂସ୍କାରିତ ଏବଂ ପ୍ରଭାବଶାଳୀ ବହୁପାକ୍ଷିକତା ପାଇଁ ସେମାନଙ୍କର ଆହ୍ୱାନକୁ ଦୋହରାଇଥିଲେ । ଏହା ଦ୍ୱାରା ଏକ ସମାନ ଏବଂ ଶାନ୍ତିପୂର୍ଣ୍ଣ ଅନ୍ତର୍ଜାତୀୟ ବ୍ୟବସ୍ଥା ବଜାୟ ରହିବ । ଏଥିସହିତ ପ୍ରମୁଖ ବିଶ୍ୱ ଆହ୍ୱାନର ମୁକାବିଲା କରାଯିବ ଏବଂ ପ୍ରଯୁକ୍ତିବିଦ୍ୟା ଓ ଆର୍ଥିକ କ୍ଷେତ୍ର ସମେତ ଉଦୀୟମାନ ବିକାଶ ପାଇଁ ବିଶ୍ୱକୁ ପ୍ରସ୍ତୁତ କରାଯିବ। ଦୁଇ ନେତା ବିଶେଷକରି, ଆଜିର ବିଶ୍ୱରେ ସମାନ ପ୍ରତିନିଧିତ୍ୱ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ସଂସ୍କାରିତ ଓ ବିସ୍ତାରିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ବେଲଜିୟମ ସମର୍ଥନ କରିଛି। ଉଭୟ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ପାଇଁ ପରସ୍ପରର ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ସହମତ ହୋଇଥିଲେ। ୨୦୨୮-୨୯ ଅବଧି ପାଇଁ ଭାରତ ଏବଂ ୨୦୩୭-୨୦୩୮ ଅବଧି ପାଇଁ ବେଲଜିୟମ ଏଥିରେ ସଦସ୍ୟ ରହିବ ।
ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତା ଏବଂ ମୁକ୍ତ ବାଣିଜ୍ୟ ରାଜିନାମା
ଦୁଇ ପ୍ରଧାନମନ୍ତ୍ରୀ ଭାରତ-ବେଲଜିୟମ ସମ୍ପର୍କରେ ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଭାଗୀତାର ଗୁରୁତ୍ୱକୁ ପୁନଃ ଉପସ୍ଥାପିତ କରିଛନ୍ତି। ସେମାନେ ୨୭ ଜାନୁଆରୀ ୨୦୨୬ରେ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ସମୟରେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଆଲୋଚନାର ସଫଳ ସମାପ୍ତିକୁ ସ୍ୱାଗତ କରିଛନ୍ତି । ସେମାନେ ମଧ୍ୟ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଯଥାଶୀଘ୍ର ଇୟୁ-ଭାରତ ନିବେଶ ସୁରକ୍ଷା ଚୁକ୍ତିନାମା ଏବଂ ଭୌଗୋଳିକ ସୂଚକ ଚୁକ୍ତିନାମା ଉପରେ ଆଲୋଚନା ସାରିବାକୁ ଆହ୍ୱାନ କରିଛନ୍ତି ।
ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାକୁ ରଣନୀତିକ ସହଭାଗୀତାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ସ୍ୱାଗତ କରିଛନ୍ତି । ନେତାମାନେ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାର ବିବିଧତା ଏବଂ ନୂତନ ବଜାର ଖୋଲିବା ମାଧ୍ୟମରେ ବାଣିଜ୍ୟ ଓ ନିବେଶ ସହଯୋଗର ପ୍ରକୃତ ସମ୍ଭାବନାକୁ ସାକାର କରିବା ପାଇଁ ଏହାର ସମୟୋଚିତ କାର୍ଯ୍ୟକାରିତା ପାଇଁ ଆହ୍ୱାନ କରିଛନ୍ତି।
ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଏବଂ ପ୍ରଯୁକ୍ତି ପରିଷଦ ଅଧୀନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ଏଥିରେ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା କ୍ରମଶଃ ପରସ୍ପର ସହିତ ଜଡିତ ହେଉଥିବା ସମୟରେ ଏକ ଅଧିକ ସମନ୍ୱିତ, ସ୍ଥିର ଏବଂ ସ୍ଥାୟୀ ଆର୍ଥିକ ତଥା ପ୍ରଯୁକ୍ତିବିଦ୍ୟା ସହଭାଗୀତା ଗଠନ କରିବା ଦିଗରେ ଜୁଲାଇ ୨୦୨୬ରେ ବ୍ରସେଲ୍ସରେ ଅନୁଷ୍ଠିତ ଏହାର ମନ୍ତ୍ରୀସ୍ତରୀୟ ବୈଠକ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ, ସେମାନେ ଭାରତ, ବେଲଜିୟମ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଆର୍ଥିକ ସୁରକ୍ଷା ଏବଂ ସ୍ଥିର ଯୋଗାଣ ଶୃଙ୍ଖଳରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ଉଭୟ ପକ୍ଷ ୨୦୩୦ ପାଇଁ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ କାର୍ଯ୍ୟସୂଚୀକୁ ମଧ୍ୟ ଅନୁମୋଦନ କରିଛନ୍ତି, ଯାହାର ଲକ୍ଷ୍ୟ ଭାରତ-ୟୁରୋପୀୟ ସଂଘ ସହଯୋଗକୁ ବ୍ୟାପକ ଏବଂ ଗଭୀର କରି ରଣନୀତିକ ଭାଗୀଦାରୀକୁ ଆହୁରି ମଜବୁତ କରିବା। ଏହା ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଓ ପରିବର୍ତ୍ତନକାରୀ ଫଳାଫଳ ପ୍ରଦାନ କରିବ। ସେମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ-ୟୁରୋପୀୟ ସଂଘ ସୁରକ୍ଷା ଓ ପ୍ରତିରକ୍ଷା ସହଭାଗୀତା ସ୍ୱାକ୍ଷର କରିବା ଦ୍ୱାରା ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା, ସାଇବର ଓ ହାଇବ୍ରିଡ୍ ବିପଦ, ମହାକାଶ ଓ ଆତଙ୍କବାଦ ନିରୋଧ ସମେତ ସମାନ ହିତ କ୍ଷେତ୍ରରେ ରଣନୀତିକ ସହଯୋଗକୁ ଆହୁରି ନିବିଡ଼ କରାଯିବ।
ବାଣିଜ୍ୟ, ଆର୍ଥିକ ସହଯୋଗ ଏବଂ ନିବେଶ
ବେଲଜିୟମ ବିଶ୍ୱର ଚତୁର୍ବିଂଶତମ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଥିବା ବେଳେ ଭାରତ ଆଗାମୀ ବର୍ଷଗୁଡ଼ିକରେ ୧୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖିଛି। ଦୁଇ ନେତା ପାରସ୍ପରିକ ଲାଭଦାୟକ ସହଭାଗୀତା ପାଇଁ ଅପାର ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେମାନଙ୍କ ଅର୍ଥବ୍ୟବସ୍ଥା ମଧ୍ୟରେ ଦୃଢ଼ ପରିପୂରକତାକୁ ସ୍ୱୀକାର କରି, ଦୁଇ ପ୍ରଧାନମନ୍ତ୍ରୀ ବାଣିଜ୍ୟ, ନିବେଶ ଓ ଆର୍ଥିକ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କର ନିରନ୍ତର ପ୍ରସାର ଏବଂ ବିବିଧ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟର ପ୍ରସାରକୁ ସ୍ୱାଗତ କରିଥିଲେ। ସେମାନେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପାରସ୍ପରିକ ସ୍ୱାର୍ଥର ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୦୨୫ରେ ରାଜକୁମାରୀ ଆଷ୍ଟ୍ରିଡଙ୍କ ନେତୃତ୍ୱରେ ଭାରତକୁ ବେଲଜିୟମର ସଫଳ ଆର୍ଥିକ ମିଶନକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଏହି ମିଶନକୁ ଦ୍ଵିପାକ୍ଷିକ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା, ବ୍ୟବସାୟ ଏବଂ ପ୍ରତିଷ୍ଠାନ ମଧ୍ୟରେ ନୂତନ ସହଭାଗୀତା ବିକାଶ କରିବା, ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଆଲୋଚନା ଓ ଜୀବନ ବିଜ୍ଞାନ, ଔଷଧ ଓ ସ୍ୱାସ୍ଥ୍ୟସେବା, ଶକ୍ତି ଓ ଅକ୍ଷୟ ଶକ୍ତି, ପ୍ରତିରକ୍ଷା, ବିମାନ ଚଳାଚଳ ଏବଂ ମହାକାଶ, ଲଜିଷ୍ଟିକ୍ସ, ପରିବହନ ଓ ବନ୍ଦର, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଓ ସବୁଜ ଇଞ୍ଜିନିୟରିଂ, ରସାୟନ ବିଜ୍ଞାନ, ଉନ୍ନତ ସାମଗ୍ରୀ ଓ ଉତ୍ପାଦନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଭଳି ପ୍ରାଥମିକତା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଜୀବ ବିଜ୍ଞାନ କ୍ଷେତ୍ରରେ ଭାରତ ଓ ବେଲଜିୟମ ମଧ୍ୟରେ ସହଭାଗୀତାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ଔଷଧ, ଜୈବପ୍ରଯୁକ୍ତିବିଦ୍ୟା, କ୍ଲିନିକାଲ୍ ଗବେଷଣା, ନବସୃଜନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୁଇ ଦେଶର ପରିପୂରକ ଶକ୍ତି ଉପରେ ସେମାନେ ଆଲୋଚନା କରିଥିଲେ । ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଘନିଷ୍ଠ ସହଯୋଗକୁ ଉଭୟ ନେତା ଉତ୍ସାହିତ କରିଥିଲେ। ବେଲଜିୟମର ଆଞ୍ଚଳିକ ବାଣିଜ୍ୟ ଓ ନିବେଶ ଏଜେନ୍ସି ସମେତ ନିୟମିତ ଉଚ୍ଚସ୍ତରୀୟ ଗସ୍ତ ମାଧ୍ୟମରେ ସହଯୋଗର ନିରନ୍ତରତା ବଜାୟ ରଖିବାକୁ ଦୁଇ ନେତା ସହମତ ହୋଇଥିଲେ।
ଦୁଇ ନେତା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କର ଅଭିବୃଦ୍ଧି ଏବଂ ବିବିଧତାରେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଘରୋଇ କ୍ଷେତ୍ର ସହିତ ଜଡିତ ସହଯୋଗ ପାଇଁ ଉଦୀୟମାନ ସୁଯୋଗ ଅନୁସନ୍ଧାନ ସମେତ ସେମିକଣ୍ଡକ୍ଟର, ରାସାୟନିକ ପଦାର୍ଥ, ଔଷଧ, ପ୍ରତିରକ୍ଷା ଶିଳ୍ପ ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ବିଶୋଧନ ଏବଂ ପୁନଃଚକ୍ରଣ, ସ୍ଥାୟୀ ଶିଳ୍ପ ଏବଂ ପରମାଣୁ ଶକ୍ତି ଭଳି କ୍ଷେତ୍ରରେ ବର୍ଦ୍ଧିତ ସହଯୋଗକୁ ସ୍ୱାଗତ କରିଥିଲେ। ଦୁଇ ନେତା ଆଣ୍ଟୱର୍ପକୁ ମୁମ୍ବାଇ ଓ ସୁରଟ ସହିତ ସଂଯୋଗ କରୁଥିବା ହୀରା ବାଣିଜ୍ୟର ଦୀର୍ଘସ୍ଥାୟୀ ଗୁରୁତ୍ୱକୁ ମଧ୍ୟ ସ୍ୱୀକାର କରିଥିଲେ। ଆର୍ଥିକ ସମ୍ପର୍କ ଏବଂ ସହଭାଗୀ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ଅନୁସନ୍ଧାନ କରି ସହଭାଗୀତାକୁ ଆହୁରି ମଜବୁତ କରିବାକୁ ସେମାନେ ସହମତ ହୋଇଥିଲେ।
ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ଓ ବନ୍ଦର ସହଯୋଗର ରଣନୀତିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ବନ୍ଦର ବିକାଶ, ଲଜିଷ୍ଟିକ୍ସ, ସଂଯୋଗୀକରଣ, ଡ୍ରେଜିଂ (ବନ୍ଦର କିମ୍ବା ସମୁଦ୍ର କୂଳରୁ ମେସିନ ଦ୍ୱାରା କାଦୁଅ, ବାଲି, ଆବର୍ଜନା ଏବଂ ଅନ୍ୟାନ୍ୟ ଆବର୍ଜନା ଅପସାରଣ) ଏବଂ ସମୁଦ୍ର ଉପକୂଳ ପବନ ଶକ୍ତି ଭିତ୍ତିଭୂମିରେ ସହଯୋଗକୁ ଆହୁରି ଗଭୀର କରିବାର ସୁଯୋଗକୁ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ଅକ୍ଟୋବର ୨୦୨୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଗରମନ୍ଥନ: ମହାନ ମହାସାଗର ସଂଳାପରେ ବେଲଜିୟମର ପରିବହନ ଏବଂ ବନ୍ଦର ମନ୍ତ୍ରୀ ଆନିକ୍ ଡି ରାଇଡରଙ୍କ ନିର୍ଦ୍ଧାରିତ ଅଂଶଗ୍ରହଣକୁ ସ୍ୱାଗତ କରିଛନ୍ତି। ସେମାନେ ଭାରତୀୟ ବନ୍ଦର ଏବଂ ସାମୁଦ୍ରିକ କ୍ଷେତ୍ରରେ ପରିଚାଳନାର ସମସ୍ତ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ତାଲିମ ଆବଶ୍ୟକତା ଏବଂ କ୍ଷମତା ନିର୍ମାଣରେ ଆଣ୍ଟୱର୍ପ/ଫ୍ଲାଣ୍ଡର୍ସ ବନ୍ଦର ତାଲିମ କେନ୍ଦ୍ର ଏବଂ ଭାରତର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ ମଧ୍ୟରେ ବର୍ଦ୍ଧିତ ସହଯୋଗର ସମ୍ଭାବନାକୁ ମଧ୍ୟ ସ୍ୱାଗତ କରିଛନ୍ତି। ସେମାନେ ଭାରତର ବନ୍ଦର ଭିତ୍ତିଭୂମି ବିକାଶ ଏବଂ ସମୁଦ୍ର ଉପକୂଳ ଅକ୍ଷୟ ଶକ୍ତି ପ୍ରକଳ୍ପରେ ସହଯୋଗରେ ବେଲଜିୟମର ଡ୍ରେଜିଂ ବିଶେଷଜ୍ଞତାର ଭୂମିକାକୁ ମଧ୍ୟ ସ୍ୱୀକାର କରିଛନ୍ତି।
ଦୁଇ ପ୍ରଧାନମନ୍ତ୍ରୀ ଭାରତ ଓ ବେଲଜିୟମ ମଧ୍ୟରେ ଗବେଷଣା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ବୃଦ୍ଧି ପାଉଥିବା ସହଯୋଗକୁ ସ୍ୱାଗତ କରିଛନ୍ତି, ଯେଉଁଥିରେ ଜ୍ୟୋତିର୍ବିଜ୍ଞାନ, ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ। ଏହି ସହଯୋଗ ବେଲଜିୟମ-ଭାରତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ନେଟୱାର୍କ (ବିଆଇଏନଏ) ମାଧ୍ୟମରେ ବିକଶିତ ହେଉଛି। ସେମାନେ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିର୍ବିଜ୍ଞାନ ସୁବିଧା – ଦେବସ୍ଥଳ ଅପ୍ଟିକାଲ୍ ଟେଲିସ୍କୋପ୍, ଦେବସ୍ଥଳ ଅନ୍ତର୍ଜାତୀୟ ଲିକ୍ୟୁଡ୍ ମିରର ଟେଲିସ୍କୋପ୍, ମାଉଣ୍ଟ ଆବୁ ଟେଲିସ୍କୋପ୍ ଏବଂ ଉଦୟପୁରରେ ମଲ୍ଟି-ଆପ୍ଲିକେସନ୍ ସୋଲାର ଟେଲିସ୍କୋପରେ ବେଲଜିୟମର ଅବଦାନକୁ ପ୍ରଶଂସା କରିଛନ୍ତି।
ଦୁଇ ନେତା ଭାରତ-ବେଲଜିୟମ ନିବେଶ ତ୍ୱରିତ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ । ସେମାନେ ଏହାକୁ ଦ୍ୱିପାକ୍ଷିକ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ । ସେମାନେ କହିଥିଲେ, ଏହି ବ୍ୟବସ୍ଥା ଭାରତରେ ବେଲଜିୟମ ନିବେଶ ଏବଂ ବେଲଜିୟମରେ ଭାରତୀୟ ନିବେଶକୁ ସହଜ ଓ ବିସ୍ତାର କରିବ । ଏହା ଉଭୟ ଦେଶରେ ବ୍ୟବସାୟକୁ ସମର୍ଥନ କରିବା, ନିବେଶ ପ୍ରତିବନ୍ଧକ ଦୂର କରିବା ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଆର୍ଥିକ ସହଯୋଗ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ହେବ।
ଦୁଇ ନେତା ବେଲଜିୟମର ସାର୍ବଭୌମ ସମ୍ପତ୍ତି ପାଣ୍ଠି, ଫେଡେରାଲ୍ ହୋଲ୍ଡିଂ ଓ ନିବେଶ କମ୍ପାନୀ ଏବଂ ଭାରତର ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି ମଧ୍ୟରେ ଚାଲିଥିବା ସହଯୋଗକୁ ମଧ୍ୟ ସ୍ୱାଗତ କରିଛନ୍ତି । ଭାରତ-ବେଲଜିୟମ ଆର୍ଥିକ ଓ ନିବେଶ କରିଡର ପ୍ରତିଷ୍ଠାକୁ ସମର୍ଥନ କରିବାକୁ ଏସଏଫପିଆଇଏମ ଏବଂ ଏନଆଇଆଇଏଫ ମଧ୍ୟରେ ସହଯୋଗର ଆନୁଷ୍ଠାନିକୀକରଣ ପାଇଁ ସେମାନେ ଆଶା ପ୍ରକାଶ କରିଥିଲେ। ସେମାନେ ବିକାଶଶୀଳ ଦେଶମାନଙ୍କ ପାଇଁ ବେଲଜିୟମ ନିବେଶ କମ୍ପାନୀ ବାୟୋ ଇନଭେଷ୍ଟର ଅବଦାନକୁ ସ୍ୱାଗତ କରିଥିଲେ ଏବଂ ପାରସ୍ପରିକ ହିତ ସହ ଜଡ଼ିତ କ୍ଷେତ୍ରରେ ବାୟୋ ଇନଭେଷ୍ଟ ଏବଂ ଏନଆଇଆଇଏଫ ମଧ୍ୟରେ ସମ୍ଭାବ୍ୟ ସହଯୋଗ ଅନୁସନ୍ଧାନ କରିବାକୁ ସହମତ ହୋଇଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗ ବୃଦ୍ଧି ପାଇଁ ଏକ ପ୍ରମୁଖ ବ୍ୟବସ୍ଥା ଭାବରେ ଭାରତ-ବେଲଜିୟମ-ଲକ୍ସେମବର୍ଗ ଆର୍ଥିକ ସଂଘ (ବିଏଲଇୟୁ) ମିଳିତ ଆର୍ଥିକ କମିଶନର ଗୁରୁତ୍ୱକୁ ଦୋହରାଇଥିଲେ । ସେମାନେ କହିଥିଲେ, ଚଳିତ ବର୍ଷ ଶେଷ ଭାଗରେ ଏହାର ଉନବିଂଶତମ ଅଧିବେଶନ ନିମନ୍ତେ ଅପେକ୍ଷା କରିଛନ୍ତି।
ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ
ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ସୀମାପାର ଆତଙ୍କବାଦ ସମେତ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ବେଲଜିୟମର ସମର୍ଥନ ପ୍ରକାଶ କରିଥିଲେ। ସେ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ନାଗରିକଙ୍କ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ବେଲଜିୟମର ସମର୍ଥନକୁ ଦୋହରାଇଥିଲେ। ସେ ଆତଙ୍କବାଦ ବିରୋଧୀ ଏକ ବ୍ୟାପକ/ବ୍ୟାପୀ ଆଭିମୁଖ୍ୟ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଯେକୌଣସି ପ୍ରକାରର ଆତଙ୍କବାଦକୁ କେବେବି ଯଥାର୍ଥ କରାଯାଇପାରିବ ନାହିଁ। ସେମାନେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଆତଙ୍କବାଦର ଅପରାଧୀମାନଙ୍କୁ ଦାୟୀ କରିବାକୁ ଆହ୍ୱାନ କରିଥିଲେ। ଦୁଇ ନେତା ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଗୁରୁତ୍ୱାରୋପ କରିଥିଲେ ଯେ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ ବ୍ୟବସ୍ଥା ଅନୁଯାୟୀ ମନୋନୀତ ସଂଗଠନ, ଆତଙ୍କବାଦୀ ନେଟୱାର୍କ, ସେମାନଙ୍କର ନିରାପଦ ଆଶ୍ରୟସ୍ଥଳ ଏବଂ ସେମାନଙ୍କର ଆର୍ଥିକ ସହାୟତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯେଉଁଥିରେ ଜାତିସଂଘ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ବାହିନୀ (ଏଫଏଟିଏଫ) ଅନ୍ତର୍ଭୁକ୍ତ। ଜାତୀୟ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିବନ୍ଧକ ବ୍ୟବସ୍ଥା ମାଧ୍ୟମରେ ଆତଙ୍କବାଦକୁ ରୋକିବା ଏବଂ ମୁକାବିଲା କରିବା ପାଇଁ ଦୁଇ ପ୍ରଧାନମନ୍ତ୍ରୀ ଦୃଢ଼ ଆନ୍ତର୍ଜାତୀୟ ସହଯୋଗ ନିମନ୍ତେ ଆହ୍ୱାନ କରିଥିଲେ। ଉଦୀୟମାନ ଆତଙ୍କବାଦୀ ବିପଦକୁ ସମାଧାନ କରିବାରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଲାଗି ସେମାନେ ଏକ ବେଲଜିୟମ-ଭାରତ ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରିବାର ସମ୍ଭାବନା ଅନୁସନ୍ଧାନ କରିବାକୁ ସେମାନଙ୍କର ଅଭିପ୍ରାୟ ପ୍ରକାଶ କରିଥିଲେ।
ପ୍ରତିରକ୍ଷା ସହଯୋଗ ସମ୍ପର୍କରେ, ଦୁଇ ପ୍ରଧାନମନ୍ତ୍ରୀ ଦୁଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ଆଗ୍ରହ ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ଏହା ନିୟମିତ ସରକାରୀ ଗସ୍ତ, ପ୍ରତିରକ୍ଷା ସରକାରୀ ଆଲୋଚନା, ଶିକ୍ଷା ଏବଂ ତାଲିମ, ଗବେଷଣା ସହଯୋଗ ଏବଂ ପ୍ରତିରକ୍ଷା-ଶିଳ୍ପ ସହଭାଗୀତା ପାଇଁ ଏକ ଢାଞ୍ଚା ପ୍ରଦାନ କରେ। ସେମାନେ ଉଲ୍ଲେଖ କରିଛନ୍ତି ଯେ ଏହି ଚୁକ୍ତିନାମା ଭାରତ ଏବଂ ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ପ୍ରତିଷ୍ଠାନଗତ ଏବଂ ମଜବୁତ କରିବା ପାଇଁ ମାର୍ଚ୍ଚ ୨୦୨୫ରେ ହୋଇଥିବା ଚୁକ୍ତିନାମା ଉପରେ ନିର୍ମାଣ ହୋଇଛି। ସାମୁଦ୍ରିକ ସୁରକ୍ଷା, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ସାମରିକ ଆଦାନପ୍ରଦାନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ ଭଳି କ୍ଷେତ୍ରରେ ଦୁଇ ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ଦୁଇ ନେତା ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ୫ ରୁ ୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବେଲଜିୟମ ଫ୍ରିଗେଟ୍ ଲିଓପୋଲ୍ଡ I ଯୁଦ୍ଧପୋତର ଭାରତ ଗସ୍ତ, ବେଲଜିୟମ ପ୍ରତିରକ୍ଷା କଲେଜ ଦ୍ୱାରା ଭାରତରେ ବିଶ୍ୱ ଅଧ୍ୟୟନ ଟୁର୍ ୨୦୨୭ ଆୟୋଜନ ପାଇଁ ପ୍ରସ୍ତାବିତ ଯୋଜନା ଏବଂ ଅକ୍ଟୋବର ୨୦୨୬ରେ ସିକନ୍ଦରାବାଦର ପ୍ରତିରକ୍ଷା ପରିଚାଳନା କଲେଜର ବେଲଜିୟମ ଗସ୍ତକୁ ସ୍ୱାଗତ କରିଛନ୍ତି। ଉଭୟ ନେତା ଏହାକୁ ଦୁଇ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗ ଏବଂ ସହଯୋଗକୁ ମଜବୁତ କରିବା ପାଇଁ ଏକ ଠୋସ୍ ସୁଯୋଗ ଭାବରେ ବର୍ଣ୍ଣନା କରିଛନ୍ତି ।
ଦୁଇ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ବେଲଜିୟମର ପ୍ରତିରକ୍ଷା ଆଟାଶେଙ୍କ ନିଯୁକ୍ତି ଏବଂ ନିକଟ ଭବିଷ୍ୟତରେ ବ୍ରସେଲ୍ସରେ ଭାରତୀୟ ଦୂତାବାସରେ ସ୍ଥାୟୀ ପ୍ରତିରକ୍ଷା ଆଟାଶେ ନିଯୁକ୍ତି ପାଇଁ ଭାରତର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଦୁଇ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଓ ସହଯୋଗ ଉପରେ ଦୁଇ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି ।
ଦୁଇ ପ୍ରଧାନମନ୍ତ୍ରୀ ଭାରତ ଓ ବେଲଜିୟମ ମଧ୍ୟରେ ବର୍ଦ୍ଧିତ ପ୍ରତିରକ୍ଷା-ଶିଳ୍ପ ସହଯୋଗକୁ ସ୍ୱାଗତ କରିଛନ୍ତି, ଉଲ୍ଲେଖ କରିଛନ୍ତି ଯେ ମାର୍ଚ୍ଚ ୨୦୨୫ରେ ଭାରତକୁ ବେଲଜିୟମ ଆର୍ଥିକ ମିଶନ ସମୟରେ ଏପରି ସହଭାଗୀତା ଆହୁରି ମଜବୁତ ହୋଇଥିଲା। ପ୍ରତିରକ୍ଷା ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସହ-ବିକାଶ ଏବଂ ସହ-ଉତ୍ପାଦନରେ ଆହୁରି ସହଯୋଗର ସମ୍ଭାବନା ଉଲ୍ଲେଖ କରିଥିଲେ । ବେଲଜିୟମ ଏବଂ ଭାରତୀୟ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଅନେକ ଚୁକ୍ତିନାମା ଓ ସହଭାଗୀତା ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଛନ୍ତି। ସେମାନେ ଉଭୟ ପକ୍ଷର ଶିଳ୍ପ ମଧ୍ୟରେ ନିରନ୍ତର ସହଯୋଗକୁ ମଧ୍ୟ ଉତ୍ସାହିତ କରିଛନ୍ତି ।
ଦୁଇ ନେତା ୟୋପ୍ରେସର ଇନ ଫ୍ଲାଣ୍ଡର୍ସ ଫିଲ୍ଡସ ସଂଗ୍ରହାଳୟ ଏବଂ ନୂଆଦିଲ୍ଲୀର ସଶସ୍ତ୍ର ବାହିନୀ ଐତିହାସିକ ଗବେଷଣା କେନ୍ଦ୍ର (ସିଏଏଫଏଚଆର) ମଧ୍ୟରେ ସହଯୋଗକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ଭାରତ ଓ ବେଲଜିୟମର ସହଭାଗୀ ଐତିହାସିକ ଐତିହ୍ୟକୁ ସଂରକ୍ଷଣ ଓ ବିକାଶ କରୁଛି।
ଦୁଇ ପ୍ରଧାନମନ୍ତ୍ରୀ ଭାରତର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ବେଲଜିୟମ ଫେଡେରାଲ ପୋଲିସ ମଧ୍ୟରେ ଅନ୍ତର୍ଜାତୀୟ ସଂଗଠିତ ଅପରାଧ, ସାଇବର ଅପରାଧ ଏବଂ ସମ୍ପର୍କିତ ପ୍ରସଙ୍ଗରେ ସହଯୋଗ ପାଇଁ ବୁଝାମଣାପତ୍ର (ଏମଓୟୁ)କୁ ସ୍ୱାଗତ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ ଏହି ବୁଝାମଣାପତ୍ର ସାଂଗଠନିକ ସମ୍ପର୍କକୁ ମଜବୁତ କରିବ, ସୂଚନା ଆଦାନପ୍ରଦାନକୁ ସହଜ କରିବ, ଦକ୍ଷତା ନିର୍ମାଣ ଏବଂ ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବ । ଏଥିସହିତ ପଳାତକ ଅପରାଧୀଙ୍କ ପିଛା କରିବାରେ ସହଯୋଗ ବୃଦ୍ଧି କରିବ ଏବଂ ଆନ୍ତର୍ଜାତୀୟ ସଂଗଠିତ ଅପରାଧ, ସାଇବର ଅପରାଧ ଓ ତତସମ୍ପର୍କିତ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଇନ ପ୍ରବର୍ତ୍ତନ ସହଯୋଗକୁ ଘନିଷ୍ଠ କରିବ ।
ସବୁଜ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ସହଯୋଗ ଏବଂ ଷ୍ଟାର୍ଟଅପ୍ସ
ଭାରତ ଓ ବେଲଜିୟମ ମଧ୍ୟରେ ଅକ୍ଷୟ ଶକ୍ତି ସହଯୋଗ ଉପରେ ଅକ୍ଷୟ ବୁଝାମଣା ସ୍ୱାକ୍ଷରକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ ନୂତନ ବୁଝାମଣାପତ୍ର ୨୦୧୫ ଫ୍ରେମୱାର୍କ ଚୁକ୍ତିନାମା ଓ ଅକ୍ଷୟ ଶକ୍ତି ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର କାର୍ଯ୍ୟ ଅଧୀନରେ ପ୍ରତିଷ୍ଠିତ ସହଯୋଗ ଉପରେ ନିର୍ମାଣ କରାଯାଇଛି । ଏହା ସବୁଜ ହାଇଡ୍ରୋଜେନ, ସୌର ଶକ୍ତି, ଶକ୍ତି ସଂରକ୍ଷଣ, ଅଫଶୋର ପବନ ଶକ୍ତି, ଜୈବଶକ୍ତି, କ୍ଷୁଦ୍ର ଜଳବିଦ୍ୟୁତ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ ସମେତ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିଥାଏ।
ଦୁଇ ଦେଶ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ଭାରତ ଓ ବେଲଜିୟମ ମଧ୍ୟରେ ବର୍ଦ୍ଧିତ ସହଯୋଗକୁ ସ୍ୱାଗତ କରିଛନ୍ତି । ଏଥିରେ ଶିଳ୍ପ ସହଭାଗୀତା ଓ ଜ୍ଞାନ ବଣ୍ଟନ ଅନ୍ତର୍ଭୁକ୍ତ। ସେମାନେ ଜିଏଚ୍ ଟୁ ଭାରତ, ବେଲଜିୟମ ହାଇଡ୍ରୋଜେନ ପରିଷଦ ଏବଂ ଫ୍ଲାଣ୍ଡର୍ସ ନିବେଶ ଓ ବାଣିଜ୍ୟ ମଧ୍ୟରେ ବୁଝାମଣାପତ୍ରକୁ ସ୍ୱାଗତ କରିଛନ୍ତି । ବ୍ରସେଲ୍ସରେ ଏଗମଣ୍ଟ ଇନଷ୍ଟିଚ୍ୟୁଟର ସବୁଜ ହାଇଡ୍ରୋଜେନ ବିନିମୟ କାର୍ଯ୍ୟକ୍ରମରେ ଭାରତୀୟ ଅଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଉଭୟ ଦେଶର ସରକାର, ଶିଳ୍ପ ଓ ଗବେଷଣା ପ୍ରତିନିଧିଙ୍କ ପାରସ୍ପରିକ ଗସ୍ତକୁ ସ୍ୱୀକାର କରିଛନ୍ତି । ସେମାନେ ଉତ୍ପାଦନ, ପରିବହନ, ସଂରକ୍ଷଣ ଏବଂ ଶେଷ ବ୍ୟବହାର ପାଇଁ ସବୁଜ ହାଇଡ୍ରୋଜେନ ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବାରେ ଭାରତ ଓ ବେଲଜିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି । ଏହାଦ୍ୱାରା କାର୍ବନ ନିର୍ଗମନ ହ୍ରାସ, ନବସୃଜନକୁ ପ୍ରୋତ୍ସାହିତ କରିବା, ଏବଂ ଶକ୍ତି ସୁରକ୍ଷାକୁ ବୃଦ୍ଧି କରିବା ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ସହାୟତା ମିଳିପାରିବ ।
ବେଲଜିୟମ ଓ ଭାରତ ପ୍ୟାରିସ ଚୁକ୍ତିନାମା, ତାପମାତ୍ରା ହ୍ରାସ ସମେତ ଏହାର ଦୀର୍ଘକାଳୀନ ଲକ୍ଷ୍ୟ ଓ ସମାନତା ଏବଂ ସାଧାରଣ କିନ୍ତୁ ପୃଥକ ଦାୟିତ୍ୱ ଓ ପ୍ରାସଙ୍ଗିକ ଜାତୀୟ ପରିସ୍ଥିତି ପ୍ରତି ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ସେମାନେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍ ୩୧ର ସଫଳତାକୁ ସମର୍ଥନ କରିଛନ୍ତି, ଯାହା କାର୍ଯ୍ୟକାରୀତା ଗତି ଏବଂ ଭୂମିରେ ଉତ୍ତମ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ। ସେମାନେ ସମସ୍ତ ଉତ୍ସରୁ ପର୍ଯ୍ୟାପ୍ତ, ପୂର୍ବାନୁମାନଯୋଗ୍ୟ ଏବଂ ସୁଲଭ ଜଳବାୟୁ ପାଣ୍ଠି ସଂଗ୍ରହ, ଜଳବାୟୁ ପ୍ରଯୁକ୍ତିବିଦ୍ୟା ବିକାଶ ଓ ପ୍ରସାର, କ୍ଷମତା ନିର୍ମାଣ, ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଏହି କ୍ଷେତ୍ରଗୁଡ଼ିକରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବା, ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଜଳବାୟୁ ଅନୁକୂଳନ, ସ୍ଥିରତା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେମାନେ ଜଳବାୟୁ ସ୍ଥିରତା, ଦୀର୍ଘସ୍ଥାୟୀ ବିକାଶ ଏବଂ ଉପକୂଳ ସମ୍ପ୍ରଦାୟର କଲ୍ୟାଣରେ ମହାସାଗର ଓ ଉପକୂଳୀୟ ପରିସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସ୍ୱୀକାର କରିଛନ୍ତି। ଦୀର୍ଘସ୍ଥାୟୀ ବିକାଶ ଓ ଜଳବାୟୁ ସ୍ଥିରତାର ଏକ ଅଂଶ ଭାବରେ ମହାସାଗର ଶାସନକୁ ମଜବୁତ କରିବାର ଗୁରୁତ୍ୱକୁ ସ୍ୱୀକାର କରି, ସେମାନେ ଜାତୀୟ କ୍ଷେତ୍ରାଧିକାର ବାହାରେ ସାମୁଦ୍ରିକ ପ୍ରସଙ୍ଗରେ ଜୈବବିବିଧତା ଚୁକ୍ତିନାମା ଏବଂ ବ୍ୟାପକ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଦୁଇ ନେତା ଭାରତୀୟ ମାଇକ୍ରୋଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ମଧ୍ୟରେ ସହଯୋଗକୁ ଉତ୍ସାହିତ କରିଥିଲେ, ଯେଉଁଥିରେ ସେମିକଣ୍ଡକ୍ଟର କମ୍ପାନୀ, ଚିପ୍ଇନ୍ ସେଣ୍ଟର, ସି-ଡ୍ୟାକ୍, ବିଶ୍ୱବିଦ୍ୟାଳୟ ଏବଂ ବେଲଜିୟମର ଆଇଏମଇସି ଅନ୍ତର୍ଭୁକ୍ତ। ସେମାନେ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ଗଭୀର ସହଭାଗୀତା ବିକଶିତ କରିବା ପାଇଁ ପାରସ୍ପରିକ କାର୍ଯ୍ୟକ୍ରମ ସମର୍ଥନ ପ୍ରକାଶ କରିଥିଲେ, ଯାହା ଉଭୟ ଦେଶରେ ଏକ ଦୃଢ଼ ଓ ଉନ୍ନତ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ ଗଠନ କରିବ ।
ଭାରତ ଦ୍ୱାରା ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଫ୍ଲେଣ୍ଡର୍ସ ସରକାରଙ୍କ ମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଅଂଶଗ୍ରହଣକୁ ଦୁଇ ନେତା ସ୍ୱାଗତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ଗସ୍ତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଓ ନୂତନ ଉଦ୍ଭାବନ କ୍ଷେତ୍ରରେ ବର୍ଦ୍ଧିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛି ।
ଉଭୟ ପକ୍ଷ ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ କ୍ଷେତ୍ରରେ ସହଯୋଗକୁ ସ୍ୱାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଷ୍ଟାର୍ଟଅପ୍ ହବ୍ ଓ ହବ୍ ବ୍ରୁସେଲ୍ସ, ଏବଂ ଅନ୍ୟାନ୍ୟ ଷ୍ଟାର୍ଟଅପ୍ ହବ୍ ଓ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟରେ ସହଯୋଗ ଜାରି ରଖିବାକୁ ରାଜି ହୋଇଥିଲେ। ଏହାର ଲକ୍ଷ୍ୟ ହେଉଛି ନବସୃଜନ-ଆଧାରିତ ଉଦ୍ୟୋଗକୁ ସମର୍ଥନ କରି ଡିଜିଟାଲ୍ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ବିକଶିତ କରିବା।
ଯୋଗାଯୋଗ, ଗମନାଗମନ, ଶିକ୍ଷା, ସଂସ୍କୃତି, ଏବଂ ଲୋକ-ଲୋକ ସମ୍ପର୍କ
ଭିସା ସେବାରେ ଉନ୍ନତି ଆଣି ଦୁଇ ଦେଶ ମଧ୍ୟରେ ଲୋକ ସମ୍ପର୍କ ବୃଦ୍ଧି କରିବାର ଗୁରୁତ୍ୱକୁ ଦୁଇ ନେତା ସ୍ୱୀକାର କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ସୁଗମ ଏବଂ ତ୍ୱରିତ ପ୍ରକ୍ରିୟାର ଆବଶ୍ୟକତାକୁ ସ୍ୱୀକାର କରିଛନ୍ତି। ଭାରତ ଏବଂ ବେଲଜିୟମ ମଧ୍ୟରେ ଗମନାଗମନ ବୃଦ୍ଧି ସହିତ, ବେଲଜିୟମ ଏବଂ ଭାରତରେ କୂଟନୈତିକ ମିଶନର ଭିସା ପ୍ରକ୍ରିୟାକରଣ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି, ଦୁଇ ନେତା ଭାରତରେ ବେଲଜିୟମର ଭିସା ସେବା ଉନ୍ନତ କରିବା ପାଇଁ ପ୍ରୟାସକୁ ସ୍ୱାଗତ କରିଛନ୍ତି।
ଗମନାଗମନ ଉପରେ ଏକ ବ୍ୟାପକ ସହଯୋଗ ଢାଞ୍ଚା ଉପରେ ୟୁରୋପୀୟ ସଂଘର ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଭାରତରେ ଏକ ପାଇଲଟ୍ ଇୟୁ ଆଇନଗତ ପ୍ରବେଶ ପଥ କାର୍ଯ୍ୟାଳୟ ଆରମ୍ଭକୁ ଦୁଇ ନେତା ସ୍ୱାଗତ କରିଛନ୍ତି । ସେମାନେ ପେସାଦାର, ଦକ୍ଷ କର୍ମଚାରୀ ଏବଂ ଛାତ୍ରଙ୍କ ଗତିବିଧି ପାଇଁ ଆଇନଗତ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ଭାରତ- ଇୟୁ ମଧ୍ୟରେ ଲୋକ ସମ୍ପର୍କକୁ ସୁଦୃଢ଼ କରିବାରେ ଏହାର ଭୂମିକାକୁ ଗୁରୁତ୍ୱାରୋପ କରିଛନ୍ତି। ସେମାନେ ବାଣିଜ୍ୟ, ନିବେଶ ଓ ଲୋକସମ୍ପର୍କକୁ ନିରନ୍ତର ଗଭୀର କରିବା ସହିତ ଦକ୍ଷ ପେସାଦାର, ଛାତ୍ରଛାତ୍ରୀ, ଗବେଷକ ଏବଂ ବ୍ୟବସାୟିକ ଯାତ୍ରୀଙ୍କ ଗତିବିଧି ଉପରେ ସହମତ ହୋଇଛନ୍ତି। ଦୁଇ ନେତା ଯୋଗାଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ବେଲଜିୟମ ଏବଂ ଭାରତ ମଧ୍ୟରେ ସିଧାସଳଖ ବିମାନ ସେବା ପ୍ରଦାନକାରୀମାନଙ୍କୁ ସିଧାସଳଖ ବିମାନ ସେବା ପ୍ରଦାନ କରିବାର ସମ୍ଭାବନା ଅନୁସନ୍ଧାନ କରିବାକୁ ସେମାନେ ଉତ୍ସାହିତ କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ସେମାନେ ବେଲଜିୟମର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଏବଂ ଭାରତ ମଧ୍ୟରେ ଚାଲିଥିବା ସହଯୋଗକୁ ସ୍ୱାଗତ କରିଥିଲେ । ଏଥିରେ ଭାରତରୁ ବେଲଜିୟମକୁ ଦକ୍ଷ ନର୍ସଙ୍କ ପରିବହନକୁ ସହଜ କରିବା ପାଇଁ ଏକ ପଦକ୍ଷେପ ଅନ୍ତର୍ଭୁକ୍ତ । ଏଥିରେ ମଧ୍ୟ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ ବେଲଜିୟମ ଓ ଭାରତ ମଧ୍ୟରେ ବ୍ୟାପକ ନାଗରିକ ସମାଜ ସହଯୋଗ ଅନ୍ତର୍ଭୁକ୍ତ। ସେମାନେ ଏକ ଗମନାଗମନ ଏବଂ ପ୍ରବାସନ ବୁଝାମଣାପତ୍ର ସ୍ୱାକ୍ଷର ପାଇଁ ନିରନ୍ତର ଆଲୋଚନାକୁ ମଧ୍ୟ ଉତ୍ସାହିତ କରିଥିଲେ।
ବେଲଜିୟମ ଆର୍ଥିକ ମିଶନ ସମୟରେ ସ୍ଥାପିତ ଅନେକ ଶିକ୍ଷାଗତ ସହଭାଗୀତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ନୂତନ ଶିକ୍ଷା ନୀତି ଅନୁଯାୟୀ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ବେଲଜିୟମର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆମନ୍ତ୍ରଣ କରିଥିଲେ। ଦୁଇ ନେତା ଉଭୟ ଦେଶର ପ୍ରାସଙ୍ଗିକ ଅଧିକାରୀ, ପ୍ରତିଷ୍ଠାନ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ଭାରତ ଓ ବେଲଜିୟମ ଦକ୍ଷତା ବିକାଶ ଏବଂ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ତଥା ତାଲିମ ବ୍ୟବସ୍ଥା ମଧ୍ୟରେ ସହଯୋଗର ବିଭିନ୍ନ କ୍ଷେତ୍ର ବିକଶିତ କରିବାକୁ ଉତ୍ସାହିତ କରିଥିଲେ। ଏଥିରେ ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନ, ଶିଳ୍ପ-ଅନୁକୂଳ ତାଲିମ, ପ୍ରଶିକ୍ଷକ ଓ ମୂଲ୍ୟାଙ୍କନକାରୀଙ୍କ କ୍ଷମତା ନିର୍ମାଣ, ଶିକ୍ଷାନବିସ ଏବଂ କାର୍ଯ୍ୟ-ଆଧାରିତ ଶିକ୍ଷା, ଉଦୀୟମାନ ଓ ଭବିଷ୍ୟତ-ମୁଖୀ ଦକ୍ଷତା ସହଯୋଗ, ଶିକ୍ଷାଗତ ଯୋଗ୍ୟତାର ସମନ୍ୱୟ ଏବଂ ସ୍ୱୀକୃତି ଉପରେ ଆଲୋଚନା ଅନ୍ତର୍ଭୁକ୍ତ । ଏହାଦ୍ୱାରା ନିଯୁକ୍ତି କ୍ଷମତା ବୃଦ୍ଧି ପାଇବ ଏବଂ ପରସ୍ପରର ଦେଶରେ ଦକ୍ଷ ପେସାଦାରଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇବ। ଭାରତୀୟ ଅଂଶୀଦାରମାନଙ୍କ ସହିତ ଗବେଷଣା ସହଯୋଗ, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାରେ ଫ୍ଲେମିଶ୍ ପ୍ରଯୁକ୍ତିବିଦ୍ୟା ଗବେଷଣା ପ୍ରତିଷ୍ଠାନର ଅବଦାନକୁ ମଧ୍ୟ ଦୁଇ ନେତା ସ୍ୱୀକାର କରିଛନ୍ତି। ସେମାନେ ସୁଷମା ସ୍ୱରାଜ ବୈଦେଶିକ ସେବା ପ୍ରତିଷ୍ଠାନ ଏବଂ ବେଲଜିୟମ ଫେଡେରାଲ୍ ପବ୍ଲିକ୍ ସର୍ଭିସ୍ ମନ୍ତ୍ରଣାଳୟ ମଧ୍ୟରେ କୂଟନୈତିକ ତାଲିମ ସହଯୋଗକୁ ସ୍ୱାଗତ କରିଛନ୍ତି।
ଅନ୍ତର୍ଜାତୀୟ ପ୍ରସଙ୍ଗ
ଦୁଇ ପ୍ରଧାନମନ୍ତ୍ରୀ ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ସମେତ ପ୍ରମୁଖ ଅନ୍ତର୍ଜାତୀୟ ଘଟଣାବଳୀ ଉପରେ ଆଲୋଚନା କରିଥିଲେ। ୟୁକ୍ରେନରେ ସଂଘର୍ଷ ସମ୍ପର୍କରେ, ଉଭୟ ପକ୍ଷ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ନୀତି ଅନୁଯାୟୀ ଆଲୋଚନା ଓ କୂଟନୀତି ମାଧ୍ୟମରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ହାସଲ କରିବା ପାଇଁ ପ୍ରୟାସକୁ ସମର୍ଥନ କରିଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ସମ୍ପର୍କରେ ସେମାନେ ଏହି ଅଞ୍ଚଳର ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ଆଲୋଚନା କରିଥିଲେ। ଏହାସହିତ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ଆଲୋଚନା ଏବଂ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ସାମୁଦ୍ରିକ ପଥଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅବାଧ ସାମୁଦ୍ରିକ ନୌବହନ ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ପାରସ୍ପରିକ ବିଶ୍ୱାସ, ଶାନ୍ତି, ସମୃଦ୍ଧି ଏବଂ ବିକାଶର ଏକ ସମାନ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ବିଭିନ୍ନ କ୍ଷେତ୍ରରେ ଭାରତ-ବେଲଜିୟମ ସହଭାଗୀତାକୁ ଆହୁରି ଗଭୀର ଓ ବିସ୍ତାର କରିବା ପାଇଁ ସେମାନଙ୍କର ସମାନ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ବିସ୍ତାରିତ ଦ୍ୱିପାକ୍ଷିକ ସହଭାଗୀତା ଗଣତନ୍ତ୍ର, ଆଇନର ଶାସନ, ମାନବାଧିକାର ପ୍ରତି ସମ୍ମାନ, ଲିଙ୍ଗ ସମାନତା ଏବଂ ଏକ ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ଏକ ସମାନ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହେବ। ସେମାନେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି ନୀତି ଉପରେ ଆଧାରିତ, ଭାରତ-ବେଲଜିୟମ ସହଭାଗୀତା ଉଭୟ ଦେଶ ଏବଂ ବିଶ୍ୱର ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ଏବଂ ସାଧାରଣ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା କରିବାରେ ଭାରତ ଏବଂ ୟୁରୋପ ମଧ୍ୟରେ ସହଯୋଗକୁ ମଜବୁତ କରିବାରେ ସାହାଯ୍ୟ କରିବ।
ବିଭିନ୍ନ କ୍ଷେତ୍ରରେ ଭାରତ-ବେଲଜିୟମ ସହଭାଗୀତାକୁ ମଜବୁତ ଓ ବିସ୍ତାର କରିବା ଏବଂ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଆହୁରି ମଜଭୁତ ତଥା ଗଭୀର କରିବା ପାଇଁ ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାରସ୍ପରିକ ସୁବିଧାଜନକ ତାରିଖରେ ବେଲଜିୟମକୁ ଦ୍ୱିପାକ୍ଷିକ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ।
*******
PS