Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ

ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ

ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ


  • ମୁମ୍ବାଇ-ଅହମ୍ମଦାବାଦ କରିଡର ସହିତ ବିକଶିତ ହେବ ନୂଆ ଅର୍ଥନୈତିକ ବ୍ୟବସ୍ଥା;
  • ଦ୍ରୁତ ଅଭିବୃଦ୍ଧିର କାରଣ ହେବଦ୍ରୁତଗାମୀ ରେଳ କରିଡର
  • ବୁଲେଟ ଟ୍ରେନ୍ ମାଧ୍ୟମରେ ଭାରତର ସୌନ୍ଦର୍ଯ୍ୟ, ପ୍ରଗତି ଦେଖିବାକୁ ଚାଁହେ – ଶିଞ୍ଜୋ ଆବେ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଆଜି   ମିଳିତ ଭାବେ ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଏହି ରେଳ ପ୍ରକଳ୍ପ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ନିର୍ମାଣ ହେବ  ।

ଏହି ଅବସରରେ ଅହମ୍ମଦାବାଦଠାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ “ନବ ଭାରତ”ର ଉଚ୍ଚ ଆକାଂକ୍ଷା ଏବଂ ଇଚ୍ଛାଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ  । ସେ ଏହି ଅବସରରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଆମ ବିକାଶକୁ ଗତି ଯୋଗାଇଦେବ ଏବଂ ତୁରନ୍ତ ଫଳାଫଳ  ପ୍ରଦାନ କରିବ । ସେ କହିଥିଲେ ଯେ ଦ୍ରୁତଗାମୀ ଯୋଗାଯୋଗ ବ୍ୟବସ୍ଥା ଜରିଆରେ ସରକାର ଉତ୍ପାଦକତା ବୃଦ୍ଧି କରିବା ପ୍ରତି ଗୁରୁତ୍ୱ ଦେଉଛନ୍ତି  । ଜାପାନ ଏହି ପ୍ରକଳ୍ପ ଲାଗି ଭାରତକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଶିଞ୍ଜୋ ଆବେଙ୍କୁ ଧନ୍ୟବାଦ ଜଣାଇଥିଲେ । ଏତେ କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପ ଶୁଭାରମ୍ଭ କରାଯାଇଥିବାରୁ ସେ ଜାପାନ ପ୍ରଧାନମନ୍ତ୍ରୀ ଆବେଙ୍କୁ ପ୍ରଶଂସା କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦ୍ରୁତଗାମୀ ରେଳବାଇ କେବଳ ଦୁଇଟି ସହରକୁ ଅଧିକ ନିକଟତର କରିବ ନାହିଁ, ବରଂ ଶତାଧିକ କିଲୋମିଟର ଦୂରରେ ରହୁଥିବା ଲୋକମାନଙ୍କୁ ପରସ୍ପରର ନିକଟତର କରିବ । ସେ କହିଥିଲେ ଯେ ଏକ ନୂଆ ଅର୍ଥନୈତିକ ବ୍ୟବସ୍ଥା ମୁମ୍ବାଇ-ଅହମ୍ମଦାବାଦ କରିଡର ସହିତ ବିକଶିତ ହେଉଛି ଏବଂ ସମଗ୍ର ଅଂଚଳ ଗୋଟିଏ ଅର୍ଥନୈତିକ ଜୋନ୍ ମଧ୍ୟକୁ ଚାଲି ଆସିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କୁ ଲାଭ ପହଂଚାଇ ପାରିଲେ ପ୍ରଯୁକ୍ତି  ବିକାଶ ଉପଯୋଗୀ ହୋଇଥାଏ । ସେ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ପରିକଳ୍ପିତ ପ୍ରଯୁକ୍ତି ହସ୍ତାନ୍ତର ଭାରତୀୟ ରେଳବାଇକୁ ଲାଭାନ୍ୱିତ କରିବା ସହିତ “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ । ସେ କହିଥିଲେ ଯେ ଏହି ପ୍ରକଳ୍ପ ପରିବେଶ ଅନୁକୂଳ ଏବଂ ମାନବ ଅନୁକୂଳ ହେବ  । ସେ କହିଥିଲେ ଯେ “ଦ୍ରୁତଗାମୀ କରିଡର” ଭବିଷ୍ୟତରେ ଦ୍ରୁତ ଅଭିବୃଦ୍ଧିର କାରଣ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତର ଆବଶ୍ୟକତାକୁ ଦେଖି ସରକାର ଭିତିଭୂମି ବିକାଶ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି  । ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପ ସାରିବା ଲାଗି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ଏଥିପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ କହିଥିଲେ ଯେ ଭାରତ-ଜାପାନ ସହାଭାଗୀତା ସ୍ୱତନ୍ତ୍ର, ରଣନୈତିକ ଏବଂ ବିଶ୍ୱସ୍ତରୀୟ । ସେ କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ, ସେ ବୁଲେଟ୍ ଟ୍ରେନ୍ ମାଧ୍ୟମରେ ଭାରତର ସୌନ୍ଦର୍ଯ୍ୟ ଓ ପ୍ରଗତି ଦେଖିବାକୁ ଚାହୁଁଛନ୍ତି  ।

 

**********