ପିଏମଇଣ୍ଡିଆ
ନମସ୍କାର,
ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମକୁ ଆପଣମାନେ ଚମତ୍କାର ଭାବରେ ଆୟୋଜନ କରିଛନ୍ତି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ପ୍ରଯୁକ୍ତି ମାଧ୍ୟମରେ, ମୁଁ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିବା କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀମାନଙ୍କୁ, ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ସଂସଦରେ ମୋର ସହକର୍ମୀମାନଙ୍କୁ ଏବଂ ମାଇଁ ଭାରତର ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଆଜି, ସାରା ଦେଶର ଖେଳାଳି ଏବଂ କ୍ରୀଡ଼ା ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଗ ଦେଇଛନ୍ତି।
ବନ୍ଧୁଗଣ, ଆପଣ ସମସ୍ତେ ଜାଣନ୍ତି,
ଦୁଇ ଦିନ ପରେ ଅଗଷ୍ଟ ୨୯ ତାରିଖରେ, ଜାତୀୟ କ୍ରୀଡା ଦିବସ ପାଳିତ ହେବ। ମୁଁ ଆପଣମାନଙ୍କୁ, ସାରା ଦେଶର ଯୁବକମାନଙ୍କୁ ଏବଂ କ୍ରୀଡା ଜଗତ ସହିତ ଜଡିତ ସମସ୍ତ ସାଥୀମାନଙ୍କୁ କ୍ରୀଡା ଦିବସର ଆଗୁଆ ଶୁଭେଚ୍ଛା ଜଣାଉଛି। ଏହି ଦିନଟି ଭାରତ ମାତାର ଜଣେ ମହାନ ପୁତ୍ର ମେଜର ଧ୍ୟାନଚାନ୍ଦ ଜୀଙ୍କୁ ମନେ ପକାଇବାର ଏକ ଅବସର। ଶହେ ବର୍ଷ ପୂର୍ବେ, ଭାରତୀୟ ସେନାର ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା, ଏବଂ ଧ୍ୟାନଚାନ୍ଦ ଜୀ ସେହି ଦଳର ଅଂଶ ଥିଲେ। ସେହି ଗସ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୦ ବର୍ଷର କ୍ରୀଡା ସମ୍ପର୍କର ମୂଳଦୁଆ ପକାଇଥିଲା। କିଛି ଦିନ ପୂର୍ବେ, ମୁଁ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲି। ସେଠାରେ ମଧ୍ୟ, ମୁଁ ତାଙ୍କୁ ମନେ ପକାଇଥିଲି। ମେଜର ଧ୍ୟାନଚାନ୍ଦ ଜୀ ଯେଉଁ ସମ୍ପର୍କର ମୂଳଦୁଆ ପକାଇଥିଲେ, ଆଜି ଭାରତ ତାହାକୁ ସମୃଦ୍ଧ କରିବା ପାଇଁ ନିରନ୍ତର କାମ କରୁଛି।
ବନ୍ଧୁଗଣ,
ଚଳିତ ବର୍ଷର ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ମୁଁ ଭାରତର କ୍ରୀଡା ଦୃଷ୍ଟିକୋଣକୁ ଦେଶ ସାମନାରେ ଉପସ୍ଥାପିତ କରିଥିଲି। ଯେତେବେଳେ ମୁଁ କ୍ରୀଡା ବିଷୟରେ କହୁଛି, ଏହା କେବଳ ପଦକ ଜିତିବା ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଭାରତର କ୍ରୀଡା ଶକ୍ତି ଏବଂ ଭାରତର ଯୁବ ଶକ୍ତିକୁ ଏକ ବିକଶିତ ଭାରତ ନିର୍ମାଣରେ ଏକାଠି କରିବା ପାଇଁ ଏକ ଅଭିଯାନ। ମୁଁ ସବୁବେଳେ କହିଆସିଛି – ଯୋ ଖେଲେଗା , ୱ ଖିଲେଗା , ଅର୍ଥାତ୍ “ଯିଏ ଖେଳିବ, ସେ ପ୍ରସ୍ଫୁଟିତ ହେବ।” ଏବଂ କ୍ରୀଡାରେ ଆଗକୁ ବଢିବା କେବଳ ପଡ଼ିଆରେ ଜିତିବା ନୁହେଁ। କ୍ରୀଡାରେ ପ୍ରସ୍ଫୁଟିତ ହେବା ଅର୍ଥ ବ୍ୟକ୍ତିତ୍ୱର ପରିପ୍ରକାଶ ହେବା, ପରିବାର ଉଲ୍ଲସିତ ହେବା ଏବଂ ଜାତିର ଗର୍ବ ବୃଦ୍ଧି କରିବା।
ବନ୍ଧୁଗଣ,
ଯେତେବେଳେ ଜଣେ ଖେଳାଳି ସଫଳ ହୁଏ, ସେହି ସଫଳତା କେବଳ ତାଙ୍କର ହୋଇନଥାଏ। ସେହି ସଫଳତା ତାଙ୍କ ପରିବାରର ପରିଚୟ ଗଢ଼ିଥାଏ, ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି କରିଥାଏ। ସେ ଯେଉଁ ସ୍କୁଲ ଏବଂ କଲେଜରେ ପାଠ ପଢ଼ିଥାନ୍ତି, ତାହାର ପ୍ରତିଷ୍ଠା ବୃଦ୍ଧି ପାଇଥାଏ। ତାଙ୍କ ଜିଲ୍ଲା ଏବଂ ରାଜ୍ୟର ପରିଚୟ ଆହୁରି ସୁଦୃଢ ହୋଇଯାଏ। ଅର୍ଥାତ୍, ବିଶ୍ୱ ସେହି ସହର କିମ୍ବା ରାଜ୍ୟକୁ ସେହି ଖେଳାଳିଙ୍କ ନାମରେ ଚିହ୍ନିବା ଆରମ୍ଭ କରେ। ଏବଂ ଯେତେବେଳେ ଏପରି ଅନେକ ସଫଳତା ଏକ ଅଞ୍ଚଳକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଉଜ୍ଜ୍ୱଳ କରିଥାଏ, ସେତେବେଳେ ସେହି ସହର ପ୍ରତି ବିଶ୍ୱର ଦୃଷ୍ଟିକୋଣ ମଧ୍ୟ ବଦଳିଯାଏ। ଆଜିର କାର୍ଯ୍ୟକ୍ରମରେ ଦେଶର ଶହ ଶହ ଜିଲ୍ଲାର ଖେଳାଳିମାନେ ଯୋଡ଼ି ହୋଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଉଦଭାସିତ ହେବାର ଶକ୍ତି ରହିଛି। ଏହି ଶକ୍ତିକୁ ବୁଝି, ଆମକୁ ଏହି ସଂଳାପ କାର୍ଯ୍ୟକ୍ରମକୁ ଆଗକୁ ବଢାଇବାକୁ ପଡିବ।
ବନ୍ଧୁଗଣ,
ଏଥର ଲାଲକିଲ୍ଲାରୁ ମୁଁ କ୍ରୀଡା ସହିତ ଜଡିତ ଏକ ବହୁତ ବଡ଼ ଆହ୍ଵାନ ପ୍ରତି ମଧ୍ୟ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଏହି ଆହ୍ଵାନ ଅଲିମ୍ପିକ୍ସ ସହିତ ଜଡିତ। ଏକ କଠୋର ସତ୍ୟ ହେଉଛି ଯେ ଅଲିମ୍ପିକ୍ସରେ, ସମସ୍ତ ପ୍ରକାରର କ୍ରୀଡା ମଧ୍ୟରୁ, ଭାରତର ଦଳଗୁଡ଼ିକ କେବଳ ଅଧା ଖେଳରେ ଅଂଶଗ୍ରହଣ କରନ୍ତି। ଏହାର ଅର୍ଥ ହେଉଛି ପଦକ ତାଲିକାର ଏକ ବହୁତ ବଡ଼ ଅଂଶ ପାଇଁ, ଆମେ ପ୍ରତିଯୋଗିତା ମଧ୍ୟ କରୁନାହୁଁ। ଏବଂ ଏହା ଦଶନ୍ଧି ଧରି ଚାଲିଆସୁଛି। ୨୦୧୨ରେ ଅନୁଷ୍ଠିତ ଅଲିମ୍ପିକ୍ସରେ, ଭାରତ କେବଳ ୧୩ ଟି ଖେଳରେ ଅଂଶଗ୍ରହଣ କରିଥିଲା। ୨୦ ରୁ ଅଧିକ ଖେଳରେ, ଭାରତ କୌଣସି ପ୍ରକାରର ଅଂଶଗ୍ରହଣ କରିନଥିଲା। ଏବଂ ସେହି ୨୦ ରୁ ଅଧିକ ଖେଳରେ, ଅନେକ ଏପରି ଯେ ଦେଶର ଲୋକମାନେ ସେସବୁର ନାମ ମଧ୍ୟ ଶୁଣି ନଥିବେ। ଅନ୍ୟ ଦେଶଗୁଡ଼ିକ ସେହି ଖେଳରେ ପଦକ ଜିତିଥାନ୍ତି, ଏବଂ ଆମେ ସେଥିରେ ଅଂଶଗ୍ରହଣ ମଧ୍ୟ କରୁନାହୁଁ। ଆମର ପଦକ ତାଲିକା ବୃଦ୍ଧି କରିବା ପାଇଁ, ଆମକୁ ସେହି କ୍ରୀଡାରେ ମଧ୍ୟ ଦକ୍ଷତା ହାସଲ କରିବାକୁ ପଡିବ। ଉଦାହରଣ ସ୍ୱରୂପ, ସର୍ଫିଂ ଏବଂ ସ୍ପୋର୍ଟ୍ସ କ୍ଲାଇମ୍ବିଂ – ଆମର ଏତେ ବଡ଼ ଉପକୂଳ ଅଛି, ଏତେ ବଡ଼ ପର୍ବତ୍ୟାଞ୍ଚଳ ଅଛି, ଯେଉଁଠାରେ ସ୍ୱାଭାବିକ ଭାବରେ ଏହି କ୍ରୀଡା ପ୍ରତି ଆଗ୍ରହ ରହିପାରିବ। ଜଳ କ୍ରୀଡା ଏବଂ ଶୀତକାଳୀନ କ୍ରୀଡା ପାଇଁ ଆମ ନିକଟରେ ଲୋକ ଅଛନ୍ତି ଏବଂ ଭୌଗୋଳିକ ସ୍ଥିତି ମଧ୍ୟ ଅଛି। ତଥାପି ଆମେ ବିଶ୍ୱ ସ୍ତରରେ ଏପରି କ୍ରୀଡାରେ ଅଂଶଗ୍ରହଣ କରୁନାହୁଁ। ତେଣୁ, ଆମକୁ ବିଭିନ୍ନ ଜିଲ୍ଲାରେ ସମ୍ଭାବନା ଅନୁସନ୍ଧାନ କରିବାକୁ ପଡିବ ଯେଉଁଠାରେ ଏକ ନିର୍ଦ୍ଦିଷ୍ଟ କ୍ରୀଡ଼ା ପାଇଁ ଏକ ପାରିବେଶିକ ବ୍ୟବସ୍ଥା ବିକଶିତ ହୋଇପାରିବ। ଏବଂ ଏଥିରେ, ଆଜିର କାର୍ଯ୍ୟକ୍ରମର ଏକ ବହୁତ ବଡ଼ ଭୂମିକା ରହିଛି।
ବନ୍ଧୁଗଣ,
ଯେତେବେଳେ ଆମେ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ବିଷୟରେ କଥା ହେଉ, ଆମର ଧ୍ୟାନ ଗୋଟିଏ କଥା ଉପରେ ରହିବା ଉଚିତ । ଆମେ ଆଜି ସେହି ଖେଳାଳିମାନଙ୍କୁ ପ୍ରସ୍ତୁତ କରିବା ଯେଉଁମାନେ ୨୦୩୬ ରେ ବିଭିନ୍ନ କ୍ରୀଡ଼ାରେ ଯୋଗ୍ୟତା ଅର୍ଜନ କରିବେ ଏବଂ ପ୍ରତିଦ୍ଵନ୍ଦ୍ଵିତା କରିବେ। ସେଥିପାଇଁ, ଲାଲକିଲ୍ଲାରୁ, ମୁଁ ୫ ରୁ ୧୫ ବର୍ଷ ବୟସର ଖେଳାଳିମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ପ୍ରମୁଖ ପ୍ରତିଭା ଖୋଜା ଅଭିଯାନ ଘୋଷଣା କରିଛି। ଏବଂ ଏଥିରେ ଆମକୁ କେଉଁ ପିଲା କେଉଁ ଖେଳରେ ଆଗ୍ରହୀ କେବଳ ତାହା ଦେଖିବା ଉଚିତ୍ ନୁହେଁ, ବରଂ କେଉଁ ପିଲା କେଉଁ ଖେଳ ପାଇଁ ଉପଯୁକ୍ତ ତାହା ଜାଣିବା ଆବଶ୍ୟକ। ଆମକୁ ସେହି ଅନୁସାରେ ପିଲାକୁ ତାଲିମ ଦେବାକୁ ପଡିବ। ଏବଂ ମୁଁ ଆପଣ ସମସ୍ତଙ୍କୁ ବିଶ୍ୱାସ ଦେଉଛି, ସରକାରଙ୍କ ଠାରୁ ଯେକୌଣସି ସହାୟତା ଆବଶ୍ୟକ ହେଲେ, ସରକାର ଆପଣଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଚାଲିବେ।
ବନ୍ଧୁଗଣ,
ଆମ ସରକାର ଭାରତରେ ଏକବିଂଶ ଶତାବ୍ଦୀର ଏକ ଆଧୁନିକ କ୍ରୀଡା ପାରିବେଶିକ ବ୍ୟବସ୍ଥା ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆଜି, କ୍ରୀଡା ବିଶ୍ୱବିଦ୍ୟାଳୟଠାରୁ ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ , ଦେଶରେ ଏକ ବ୍ୟବସ୍ଥା ସୃଷ୍ଟି କରାଯାଉଛି, ଯେଉଁଠାରେ ପ୍ରତିଭା ଚିହ୍ନଟ କରିବା ଠାରୁ ଆରମ୍ଭ କରି ବିଶ୍ୱ ସ୍ତରରେ ପହଞ୍ଚାଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସହାୟତା ଉପଲବ୍ଧ। ଆମେ କ୍ରୀଡା ବିଜ୍ଞାନ, ତାଲିମ, ପ୍ରଶିକ୍ଷଣ ଏବଂ ଅଭିଜ୍ଞତା ବାଣ୍ଟିବା ପାଇଁ ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ମଧ୍ୟ ସହଯୋଗ ବୃଦ୍ଧି କରୁଛୁ।
ବନ୍ଧୁଗଣ,
ସରକାର କ୍ରୀଡ଼ା ପ୍ରତି କେତେ ଗମ୍ଭୀର, ଏହି କାର୍ଯ୍ୟକ୍ରମ ହିଁ ତାହାର ଏକ ଉଦାହରଣ। ଖେଲୋ ଇଣ୍ଡିଆ ସମ୍ବାଦ କେବଳ କ୍ରୀଡ଼ା ବିଷୟରେ ଆଲୋଚନା କରିବାର ଏକ କାର୍ଯ୍ୟକ୍ରମ ନୁହେଁ। ଏହା ଆଲୋଚନାର ଏକ ମଞ୍ଚ ଯେଉଁଠାରେ ପ୍ରତ୍ୟେକ ବିଚାର ଦେଶର କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗଦର୍ଶନ ଦେଇପାରେ। ଏବଂ ଏହା ସହିତ, ଏଠାରେ ହେଉଥିବା ଯୁବ ଆଲୋଚନା ଆପଣଙ୍କ ଚିନ୍ତାଧାରା ଏବଂ ଆକାଂକ୍ଷାକୁ ରାଷ୍ଟ୍ରର ସ୍ୱପ୍ନ ସହିତ ଯୋଡ଼ିବାର ଏକ ମହାନ ମାଧ୍ୟମ। ଏହି କାର୍ଯ୍ୟକ୍ରମରେ, ଯୁବପିଢ଼ି କ୍ରୀଡ଼ା ପରିବେଶ, ପ୍ରତିଭା ବିକାଶ, ଶାସନ ଏବଂ ବିକଶିତ ଭାରତ ବିଷୟରେ କ’ଣ ଭାବନ୍ତି, ସେମାନଙ୍କର ପରାମର୍ଶ କ’ଣ – ଏସବୁ ଶୁଣାଯିବ ଏବଂ ନୀତିଗତ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ। ତେଣୁ, ମୁଁ ଆପଣ ସମସ୍ତଙ୍କୁ ଏହି ମଞ୍ଚର ସର୍ବାଧିକ ଅର୍ଥପୂର୍ଣ୍ଣ ବ୍ୟବହାର କରିବାକୁ, ନୂତନ ଚିନ୍ତାଧାରା ଆଣିବାକୁ ଅନୁରୋଧ କରୁଛି। ଯୁବଶକ୍ତିର ଏହି ନୂତନ ଚିନ୍ତାଧାରା ଏକ ବିକଶିତ ଭାରତ ହାସଲ ପାଇଁ ଶକ୍ତି ପାଲଟିବ।
ବନ୍ଧୁଗଣ,
ଆମେ ପ୍ରାୟତଃ ଶୁଣିଥାଉ ଯେ ଏକ ସୁସ୍ଥ ସମାଜ ପାଇଁ, ଏକ ଭଲ ପରିବାର ବ୍ୟବସ୍ଥା ପାଇଁ, ଏକ ଭଲ କାର୍ଯ୍ୟ ସଂସ୍କୃତି ପାଇଁ, ଖେଳୁଆଡ୍ ମନୋଭାବ ଅତ୍ୟନ୍ତ ଆବଶ୍ୟକ। ଏବଂ କ୍ରୀଡ଼ା କ୍ଷେତ୍ରକୁ ନ ଯାଇ ଏହି ଖେଳୁଆଡ୍ ମନୋଭାବ ଶିଖିବା ବହୁତ କଷ୍ଟକର। କ୍ରୀଡ଼ା ଆମକୁ କେବଳ ଚାମ୍ପିଅନ୍ ହେବା ଶିଖାଏ ନାହିଁ, ବରଂ ଭଲ ପ୍ରତିଯୋଗୀ ହେବା ମଧ୍ୟ ଶିଖାଏ। କ୍ରୀଡ଼ା ଆମ ଭିତରେ ଉଠିବା, ପଡ଼ିବା, ପତନ ପରେ ପୁଣି ଉଠିବା ଭଳି ମନୋଭାବ ସୃଷ୍ଟି କରିଥାଏ।
ବନ୍ଧୁଗଣ,
ଖେଳ ଜୀବନକୁ କିପରି ପରିବର୍ତ୍ତନ କରେ ତାହାର ଏକ ବଡ଼ ଉଦାହରଣ ହେଉଛନ୍ତି ଆମର ପାରା -ଆଥଲେଟ୍। ଯେତେବେଳେ କେହି ପଡ଼ିଆରେ ପାରାଆଥଲେଟ୍ ମାନଙ୍କୁ ଦେଖନ୍ତି, ଜୀବନ ପ୍ରତି ସେମାନଙ୍କର ଦୃଷ୍ଟିକୋଣ ବଦଳିଯାଏ। ଏବଂ ଯେତେବେଳେ ସେମାନେ କିଛି ହାସଲ କରନ୍ତି, ସେହି ଆଥଲେଟ୍ ସହିତ, ସେମାନଙ୍କର ସମଗ୍ର ପରିବାର ଏକ ନୂତନ ଜୀବନ ପାଆନ୍ତି। ପିତାମାତା, ଭାଇ, ଭଉଣୀ, ଯେଉଁମାନେ ପ୍ରାରମ୍ଭିକ ଦିନରେ ସେମାନଙ୍କ ପିଲାକୁ ସଂଘର୍ଷ କରୁଥିବାର ଦେଖିଥାନ୍ତି – ସେମାନଙ୍କ ପାଇଁ, ସେହି ଭିନ୍ନକ୍ଷମ ଆଥଲେଟ୍ଙ୍କ ସଫଳତା ସେମାନଙ୍କର ସ୍ୱପ୍ନ ଏବଂ ସାହସକୁ ଏକ ନୂତନ ଉଚ୍ଚତା ପ୍ରଦାନ କରେ।
ବନ୍ଧୁଗଣ,
ମୁଁ ନିଜେ ସବୁବେଳେ ଏପରି ଖେଳାଳିମାନଙ୍କ ଦ୍ୱାରା ପ୍ରେରିତ ହୋଇଆସିଛି। ଉଦାହରଣ ସ୍ୱରୂପ, ଆପଣମାନେ ସମସ୍ତେ ତୀରନ୍ଦାଜୀରେ, ଆମର ଝିଅ ଶୀତଲ, ଯିଏ କି ଜଣେ ଚମତ୍କାର ଖେଳାଳି, ନିଶ୍ଚୟ ତାଙ୍କ ନାମ ଶୁଣିଥିବେ। ଯେତେବେଳେ ସେ ପାରାଅଲିମ୍ପିକ୍ସରେ ପଦକ ଜିତିଥିଲେ, ସମଗ୍ର ଜାମ୍ମୁ-କାଶ୍ମୀର, ସମଗ୍ର ହିନ୍ଦୁସ୍ତାନ ଗର୍ବରେ ପରିପୂର୍ଣ ହୋଇ ଯାଇଥିଲା। ସେହିପରି, ଆଉ ଜଣେ ହେଉଛନ୍ତି , ଆମର ଝିଅ ଅବନୀ ଲେଖାରା, ଯିଏ ପାରାଅଲିମ୍ପିକ୍ସରେ ଦୁଇ ଥର ପଦକ ଜିତିଛନ୍ତି। ଯେତେବେଳେ ମୁଁ ଝିଅ ଅବନୀଙ୍କୁ ଭେଟେ, ମୁଁ ବହୁତ ଗର୍ବ ଅନୁଭବ କରେ। ସେ ସୁମିତ ଅଣ୍ଟିଲ ହୁଅନ୍ତୁ, ନିତେଶ କୁମାର ହୁଅନ୍ତୁ, କିମ୍ବା ବର୍ତ୍ତମାନ ଆପଣ ଆମର ଝାଣ୍ଡୁ କୁମାରଙ୍କ ନାମ ନିଶ୍ଚୟ ଶୁଣିଥିବେ – ଏପରି ପାରା -ଆଥଲେଟ୍, ଏପରି ସାଥୀ, ଆମକୁ ମଧ୍ୟ ପ୍ରେରଣା ଦିଅନ୍ତି।
ବନ୍ଧୁଗଣ,
କ୍ରୀଡା ହେଉଛି ଏକ ଉନ୍ନତ ଜୀବନର ଗ୍ୟାରେଣ୍ଟି। କ୍ରୀଡା ଆମକୁ ଏକ ଉନ୍ନତ ଜୀବନଯାପନ ପାଇଁ ଉପଯୁକ୍ତ କରିଥାଏ, ଆମର ଜୀବନର ଗୁଣବତ୍ତା ଉନ୍ନତ କରିଥାଏ। ଆମେ ସମସ୍ତେ ଫୌଜା ସିଂହ ଜୀ’ ଙ୍କ ବିଷୟରେ ଜାଣୁ। ଗତ ବର୍ଷ, ୧୦୦ ବର୍ଷରୁ ଅଧିକ ବୟସରେ, ଫୌଜା ସିଂହ ଜୀ’ ଙ୍କର ଦେହାନ୍ତ ହୋଇଥିଲା। କ୍ରୀଡା ପ୍ରତି ପ୍ରେମ, ଫିଟନେସ୍ – ଏହା କିପରି ଜୀବନବ୍ୟାପୀ ଜାରି ରହେ, ଫୌଜା ସିଂହ ଜୀ ଏହାର ଏକ ଉଦାହରଣ ଥିଲେ। ତାଙ୍କ ଜୀବନ ଏକ ମହାନ ପ୍ରେରଣା, ଯାହା ଦର୍ଶାଏ ଯେ କ୍ରୀଡା ଏବଂ ଜୀବନର ଗୁଣବତ୍ତା କିପରି ଭାବେ ପରସ୍ପର ସହିତ ଜଡିତ।
ବନ୍ଧୁଗଣ,
କ୍ରୀଡାର ଆଉ ଏକ ବହୁତ ବଡ଼ ଲାଭ ହେଉଛି ଯେ ପ୍ରକୃତ ଖେଳାଳିମାନେ ମାଦକ ଦ୍ରବ୍ୟ ଏବଂ ନିଶାଠାରୁ ଦୂରେଇ ରହିବା ପାଇଁ ଇଚ୍ଛାଶକ୍ତି ବିକଶିତ କରନ୍ତି। ଆଜି ଯେତେବେଳେ ଯୁବପିଢ଼ି ସମ୍ମୁଖରେ ନିଶାଖୋର ନହେବା ପାଇଁ ଏତେ ବଡ଼ ଆହ୍ଵାନ ରହିଛି, କ୍ରୀଡା ଏଥିରେ ମଧ୍ୟ ଏକ ବହୁତ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ବନ୍ଧୁଗଣ,
ମୁଁ ଖୁସି ଯେ ଆଜି ଭାରତରେ କ୍ରୀଡ଼ା ଏକ ଚମତ୍କାର ବୃତ୍ତି ଭାବରେ ଉଭା ହୋଇଛି। କ୍ରୀଡ଼ା ପ୍ରତି ସମାଜର ଦୃଷ୍ଟିକୋଣ ବଦଳି ଯାଇଛି। ଆଜି ଆପଣ ଦେଖିପାରିବେ, ଆମ ଦେଶରେ ଲୋକମାନେ ଟ୍ରାଇଥଲନରେ ଅଂଶଗ୍ରହଣ କରୁଛନ୍ତି, ୫ ହଜାର କିଲୋମିଟର ଏବଂ ୧୦ ହଜାର କିଲୋମିଟର ଦୌଡ଼ ଦୌଡ଼ୁଛନ୍ତି। ବନ୍ଧୁମାନେ ହାଇରକ୍ସ ଭଳି ଚ୍ୟାଲେଞ୍ଜ ପୂରଣ କରିବା ପାଇଁ ଏକାଠି ହେଉଛନ୍ତି । କେହି ପ୍ରଥମ ଥର ପାଇଁ ହେଡଷ୍ଟାଣ୍ଡ (ମୁଣ୍ଡ ଉପରକୁ କରି ରହିବା) କରି ଉତ୍ସବ ପାଳନ କରୁଛନ୍ତି, କେହି ବନ୍ଧୁ ଏବଂ ପରିବାର ସହିତ ପିକଲ୍ ବଲ୍ ଏବଂ ବ୍ୟାଡମିଣ୍ଟନ୍ ଖେଳୁଛନ୍ତି। ଏଗୁଡ଼ିକ ଛୋଟ ଛୋଟ କଥା, କିନ୍ତୁ ଯଦି ଆପଣ ଏଗୁଡ଼ିକୁ ଏକ ବ୍ୟାପକ ଦୃଷ୍ଟିକୋଣରୁ ଦେଖନ୍ତି, ତେବେ ଆପଣ ଏକ ବଡ଼ ପରିବର୍ତ୍ତନ ଦେଖିପାରିବେ। ପରିବର୍ତ୍ତନ ହେଉଛି ଯେ କ୍ରୀଡ଼ା ଏବେ ଆମ ଜୀବନର ଏକ ଅଂଶ ହୋଇଯାଉଛି। ଯଦି ଅଧ୍ୟୟନ ଏବଂ କ୍ୟାରିଅର ପାଇଁ ସମୟସାରଣୀ ତିଆରି କରାଯାଉଛି, ତେବେ କ୍ରୀଡ଼ା ମଧ୍ୟ ଦୈନନ୍ଦିନ କାର୍ଯ୍ୟରେ ସ୍ଥାନ ପାଉଛି। ଏବଂ ଏହା ହେଉଛି ପରିବର୍ତ୍ତନ, ଏହା ହେଉଛି ରୂପାନ୍ତରଣ, ଯେଉଁ କାରଣରୁ ଭାରତର କ୍ରୀଡ଼ା ଭବିଷ୍ୟତ ପ୍ରତି ବିଶ୍ୱାସ ବୃଦ୍ଧି ପାଉଛି।
ବନ୍ଧୁଗଣ,
ଦେଶରେ ଏକ କ୍ରୀଡା ସଂସ୍କୃତି ସେତେବେଳେ ଗଢ଼ି ଉଠିଥାଏ ଯେତେବେଳେ ସାଧାରଣ ଲୋକମାନେ ଏହା ସହିତ ଯୋଡ଼ି ହୋଇଥାନ୍ତି। ଯେତେବେଳେ ସ୍କୁଲଗୁଡ଼ିକ କ୍ରୀଡା ସମୟକୁ ସହ- ପାଠ୍ୟକ୍ରମ ଭାବରେ ନୁହେଁ, ବରଂ ଜୀବନର ଏକ ଅଂଶ ଭାବରେ ବିବେଚନା କରନ୍ତି। ଯେତେବେଳେ ଏହା ଘଟେ, ପ୍ରତିଭା ବୃଦ୍ଧି ପାଏ, ଏବଂ ଯେଉଁମାନେ କ୍ରୀଡାକୁ କ୍ୟାରିୟର ଭାବରେ ନେବାକୁ ଚାହାଁନ୍ତି ସେମାନଙ୍କ ପରିବାରରୁ ମଧ୍ୟ ସମର୍ଥନ ପାଆନ୍ତି। ସେଥିପାଇଁ ମୁଁ କହେ – ସ୍କ୍ରିନ୍ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ରୀଡା କେନ୍ଦ୍ର । ପ୍ଲେଷ୍ଟେସନ୍ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଖେଳ ପଡ଼ିଆ। ଏବଂ ଏହା ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତ ଯୁବ ସାଥୀ ଏହି ପ୍ରକ୍ରିୟାକୁ ଆଗକୁ ବଢାଇବେ।
ବନ୍ଧୁଗଣ,
ଭାରତର ଯୁବଶକ୍ତିର ଦକ୍ଷତା ଏବଂ ସଫଳତା ଉପରେ ମୋର ବହୁତ ବିଶ୍ୱାସ ଅଛି। ମୁଁ ଦେଶର ପ୍ରତ୍ୟେକ ଯୁବକଙ୍କୁ କହିବାକୁ ଚାହୁଁଛି – କ୍ରୀଡ଼ା କ୍ଷେତ୍ରରେ ହେଉ କିମ୍ବା ସମାଜରେ, ଆପଣଙ୍କର ଅଂଶଗ୍ରହଣ ହେଉଛି ଭାରତର ଶକ୍ତି। ଯଦି ଆପଣ କ୍ରୀଡ଼ାକୁ ଭଲ ପାଆନ୍ତି, ତେବେ ଏହା ସହିତ ଯୋଡ଼ି ହେବା ପାଇଁ ଅନେକ ରାସ୍ତା ସୃଷ୍ଟି ହେଉଛି। ଏବେ ନୂତନ କ୍ରୀଡ଼ା ଉପକରଣ ଆସିଛି , ନୂତନ ପ୍ରଯୁକ୍ତି ବିଦ୍ୟା ଆସିଛି। ତାଲିମ ଏବଂ ପ୍ରଶିକ୍ଷଣ ପଦ୍ଧତି ବଦଳି ଯାଇଛି। କ୍ରୀଡ଼ା ଆୟୋଜନର ଆବଶ୍ୟକତା, ପ୍ରତିଯୋଗିତାର ଆବଶ୍ୟକତା, ଶୃଙ୍ଖଳା ବଦଳି ଯାଇଛି। କ୍ରୀଡ଼ା ଉପକରଣ ଡିଜାଇନ୍, କ୍ରୀଡ଼ା ପ୍ରଯୁକ୍ତି, କ୍ରୀଡ଼ା ଔଷଧ, ପୁଷ୍ଟି, ମନସ୍ତତ୍ତ୍ୱ, ବିଶ୍ଳେଷଣ – ଏହି ସମସ୍ତ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି। ଆପଣମାନେ ଏହି ସୁଯୋଗଗୁଡ଼ିକୁ ହାତଛଡ଼ା କରିବା ଉଚିତ୍ ନୁହେଁ। ତେଣୁ, ଏହି ଆଲୋଚନାରେ, ଖୋଲାଖୋଲି ଭାବରେ ନିଜର ଚିନ୍ତାଧାରା ଉପସ୍ଥାପନ କରନ୍ତୁ। ଯୁବଶକ୍ତିର ଏହି ଅଂଶଗ୍ରହଣ ହେଉଛି ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ପୁଣି ଥରେ, ମୁଁ ଆପଣ ସମସ୍ତ ଯୁବ ସାଥୀମାନଙ୍କୁ ମୋର ଶୁଭକାମନା ଜଣାଉଛି।
ଧନ୍ୟବାଦ।
ବନ୍ଦେ ମାତରମ୍ ।
****
SSP
Khelo India has become a wonderful platform for nurturing sporting talent across the country. It is providing young athletes with opportunities and support to pursue their dreams.@kheloindia
— Narendra Modi (@narendramodi) August 27, 2026
https://t.co/hj8qEJRj09
मैंने इस 15 अगस्त को लाल किले से भारत का स्पोर्ट्स विजन देश के सामने रखा है।
— PMO India (@PMOIndia) August 27, 2026
जब मैं स्पोर्ट्स की बात करता हूं... तो ये केवल मेडल जीतने तक सीमित नहीं है।
ये विकसित भारत के निर्माण में... भारत की खेलशक्ति और युवाशक्ति को एक साथ जोड़ने का अभियान है: PM @narendramodi
दुनिया के दूसरे देश उन खेलों में मेडल जीतते हैं और हम उनमें हिस्सा ही नहीं लेते।
— PMO India (@PMOIndia) August 27, 2026
हमें मेडल टैली बढ़ाने के लिए इन खेलों में भी महारत हासिल करनी ही होगी: PM @narendramodi
ओलंपिक्स में जितने अलग-अलग स्पोर्ट्स होते हैं... भारत की टीमें उसमें से आधे स्पोर्ट्स में हिस्सा ही नहीं लेती।
— PMO India (@PMOIndia) August 27, 2026
यानि मेडल टैली के एक बहुत बड़े हिस्से के लिए तो हम कंपीट ही नहीं करते।
और दशकों से ऐसा ही चला आ रहा है: PM @narendramodi
खेल हमें केवल champion बनना नहीं सिखाता... बल्कि खेल हमें एक बेहतर competitor बनना भी सिखाता है।
— PMO India (@PMOIndia) August 27, 2026
उठना, गिरना... गिरकर फिर से उठना... Sports, ये ज़ज्बा हमारे भीतर लाता है: PM @narendramodi
Screens से ज्यादा... Sports centres की अहमियत है।
— PMO India (@PMOIndia) August 27, 2026
Play station से ज्यादा... Playgrounds की अहमियत है: PM @narendramodi