Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଡିଓ କନଫରେନ୍ସ ମାଧ୍ୟମରେ ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଆଧାରଶୀଳା ରଖିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ଉତ୍ତର-ପୂର୍ବାଞ୍ଚଳରେ ସ୍ମାର୍ଟ ଗଭର୍ଣ୍ଣାନ୍ସର ଏହି ନୂତନ ପଦକ୍ଷେପ ନେଇ ମୁଁ ଆନନ୍ଦିତ । ଗାଙ୍ଗଟକ, ନାମଚି, ପାଶିଘାଟ, ଇଟାନଗର ଓ ଅଗରତାଲାରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଶୁଭାରମ୍ଭ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଦକ୍ଷ ମାନବ ସମ୍ବଳ ଯୁକ୍ତ ଉତ୍ତର-ପୂର୍ବର ସହରାଞ୍ଚଳ ଗୁଡ଼ିକ ସମଗ୍ର ଅଞ୍ଚଳର ପ୍ରଗତିର ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛନ୍ତି ।

ସହରମାନଙ୍କୁ ସେମାନଙ୍କ ଶକ୍ତି ଏବଂ ଆହ୍ୱାନକୁ ଚିହ୍ନଟ କରାଇବାରେ ସ୍ମାର୍ଟ ସିଟି ମିଶନ ସମର୍ଥ।

ବିଭିନ୍ନ ସେବା ନେଟୱର୍କ ଗୁଡ଼ିକୁ ସମନ୍ୱିତ କରାଇବା ପାଇଁ ସ୍ମାର୍ଟ ସିଟି କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ଡିଜିଟାଲ ଜ୍ଞାନକୌଶଳର ବ୍ୟବହାର କରିଥାଏ । ସେମାନେ ପୁଲିସ, ପରିବହନ, ଶକ୍ତି, ଜଳ, ପରିମଳ ଏବଂ ସାର୍ବଜନୀନ ସୁରକ୍ଷା ବ୍ୟବହାର ଆଦି ବିଭାଗ ଗୁଡ଼ିକୁ ସଠିକ ସମୟରେ ସମନ୍ଵିତ କରାଇବାରେ ସମର୍ଥ ହୋଇଥା’ନ୍ତି ।

ମୁଁ ବିଶ୍ୱାସ କରେ ଯେ ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଶାସକମାନେ ସହରର କାର୍ଯ୍ୟଧାରାକୁ ଭଲ ଭାବେ ପରିଚାଳିତ କରିବାରେ ସମର୍ଥ ହେବେ ଏବଂ ଆବଶ୍ୟକ ସମୟରେ ଉପଯୁକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିପାରିବେ ।

ସମନ୍ୱିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ରର କାର୍ଯ୍ୟକାରିତା ଭାରତ ବ୍ୟାପୀ ତ୍ୱରାନ୍ୱିତ ହେଉଛି । 2019 ମାର୍ଚ୍ଚ 1 ସୁଦ୍ଧା ଏହି କେନ୍ଦ୍ରଗୁଡ଼ିକ 15ଟି ସ୍ମାର୍ଟ ସହରଗୁଡିକରେ କାର୍ଯ୍ୟକ୍ଷମ ହୋଇସାରିଲେଣି । 50ଟି ଅନ୍ୟାନ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ କାମ ଆଗେଇ ଚାଲିଛି ।

ମୋର ହସ୍ତଗତ ଖବର ଅନୁସାରେ 2019 ଅକ୍ଟୋବର ସୁଦ୍ଧା ଉତ୍ତର-ପୂର୍ବ ଭାରତ ଏହାର ପ୍ରଥମ ସମ୍ପୂର୍ଣ୍ଣ ସ୍ମାର୍ଟ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ପାଇବ ।

ଏହି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ନାଗରିକମାନଙ୍କ ସୁରକ୍ଷା ପାଇଁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା । ଅପରାଧ ନିୟନ୍ତ୍ରଣ କରିବା ପାଇଁ ଏହି ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି ।

ଟ୍ରାଫିକ ପ୍ରବାହକୁ ସହଜ କରିବା ପାଇଁ ଚତୁର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ସହାୟତା କରିବ ।

କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ରରେ କଠିନ ଆବର୍ଜନା ପରିଚାଳନା ବ୍ୟବସ୍ଥା ଏହି ସହରମାନଙ୍କରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ବଳ ଦେବ । ସ୍ମାର୍ଟ ସହର ଲାଇଟିଂ ବ୍ୟବସ୍ଥା ଦ୍ୱାରା ଆମ ସହରାଞ୍ଚଳର ରାସ୍ତାଗୁଡ଼ିକ ନାଗରିକମାନଙ୍କ ପାଇଁ ସୁଗମ ଏବଂ ନିରାପଦ ହେବ । ଏଲଇଡି ପ୍ରକ୍ରିୟାକୁ ପରିବର୍ତ୍ତିତ କରାଯିବା ଦ୍ୱାରା ଏହା ଶକ୍ତି ସାମର୍ଥ୍ୟକୁ ମଧ୍ୟ ବୃଦ୍ଧି କରିବ । ଗୁରୁତ୍ୱପୂର୍ଣ୍ଣ ନାଗରିକ ସୂଚନା ସରବରାହ ପାଇଁ ସ୍ମାର୍ଟ ସହରଗୁଡ଼ିକ ମଧ୍ୟ ସାର୍ବଜନୀନ-ସମ୍ବୋଧନ ପ୍ରକ୍ରିୟା ଏବଂ ଭ୍ୟାରିଏବୁଲ ମେସେଜ ସାଇନ ଲଗାଇବାର ବ୍ୟବସ୍ଥା କରୁଛନ୍ତି ।

ଡିଜିଟାଲ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ଡିଜିଟାଲ ପହଞ୍ଚ । ସାର୍ବଜନୀନ ୱାଇ-ଫାଇ ପ୍ରକ୍ରିୟା ନାଗରିକମାନଙ୍କୁ ମୁକ୍ତ ଇଣ୍ଟରନେଟ ସୁବିଧା ପ୍ରଦାନ କରିବ ।

ଉତ୍ତର-ପୂର୍ବାଞ୍ଚଳ ହେଉଛି ପରିବେଶ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ଅଞ୍ଚଳ । ପରିବେଶ ପରିଚାଳନା ପ୍ରକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ମାପଦଣ୍ଡ ନାଗରିକ ଓ ସରକାରଙ୍କୁ ସଠିକ ସମୟରେ ସୂଚନା ପ୍ରଦାନ କରିବ । ଏହା ନାଗରିକମାନଙ୍କର ସାମଗ୍ରୀକ ଗୁଣାତ୍ମକ ମାନ ଅଭିବୃଦ୍ଧି କରିବାରେ ସହାୟକ ହେବ ।

ଏହି ପ୍ରକ୍ରିୟାର ବିଭିନ୍ନ ଉପାଦାନ ଗୁଡ଼ିକୁ ସହରଗୁଡ଼ିକ କାର୍ଯ୍ୟକାରୀ କରିବା ଏବଂ ପ୍ରସାରିତ କରିବା ଆରମ୍ଭ କରିବା ଦ୍ୱାରା ସେମାନେ ସେମାନଙ୍କ ନାଗରିକମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବାରେ ସହାୟକ ହେବେ ।

ମୋତେ କୁହାଯାଇଛି ଯେ ଉତ୍ତର-ପୂର୍ବାଞ୍ଚଳର 10ଟି ସ୍ମାର୍ଟ ସହରମାନଙ୍କରେ ପାଖାପାଖି ମୋଟ 15,000 କୋଟି ଟଙ୍କାର 500ରୁ ଉର୍ଦ୍ଧ୍ଵ ପ୍ରକଳ୍ପ ରହିଛି । ଏହିଭଳି 59ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ସାରିଛି ।

ମୁଁ ଖୁସି ଯେ ସିକିମର ନାମଚି ଏହାର ସମନ୍ୱିତ ଜଳ ଯୋଗାଣ ପ୍ରକଳ୍ପ, ଏଲଇଡି ଷ୍ଟ୍ରିଟ ଲାଇଟ ଏବଂ ପାଦଚଲା ରାସ୍ତା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିସାରିଛି । ଆମ ପାର୍ବତ୍ୟାଞ୍ଚଳ ସହରମାନଙ୍କରେ ଜଳ ଏକ ବଡ ଆହ୍ୱାନରେ ପରିଣତ ହେଉଛି । ବୃଷ୍ଟି ଜଳ ଅମଳ କ୍ଷେତ୍ରରେ ଗାଙ୍ଗଟକ କାର୍ଯ୍ୟ ଆରମ୍ଭ କରି ସାରିଛି । ଟ୍ରାଫିକ ଗହଳିକୁ ସୁଗମ କରିବା ପାଇଁ ଏହା ସ୍ମାର୍ଟ ପାର୍କିଂ ସୁବିଧା ଥିବା ବହୁସ୍ତରୀୟ କାର ପାର୍କ ନିର୍ମାଣ ପାଇଁ ମଧ୍ୟ ପ୍ରକଳ୍ପ ଆରମ୍ଭ କରିଛି ।

ଥାଳି ଆକୃତିର ଭୌଗୋଳିକ ଅବସ୍ଥିତି ଯୋଗୁ ଅଗରତାଲା ପ୍ରତି ସବୁବେଳେ ବନ୍ୟା ବିପଦ ରହିଥାଏ ଏବଂ ଏଥିନେଇ ଏହାର ବିଶେଷ ଆହ୍ୱାନ ରହିଛି । ସ୍ମାର୍ଟ ସିଟି ମିଶନ ଅଧୀନରେ ଏହାର ପରିଚାଳନା ପାଇଁ ସହର ପ୍ରଶାସନ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି ।

ସ୍ମାର୍ଟ ରାସ୍ତା ଓ ଚତୁର ଟ୍ରାଫିକ ଏବଂ ପରିବହନ ପରିଚାଳନା ପ୍ରକ୍ରିୟା ମାଧ୍ୟମରେ ସହରର ରାସ୍ତା ନେଟୱର୍କକୁ ଉନ୍ନତ କରିବା ପାଇଁ ଇଟାନଗରର ଯୋଜନା ରହିଛି । ପ୍ରମୁଖ ସ୍ମାର୍ଟ ସହର ପ୍ରକଳ୍ପ ମାଧ୍ୟମରେ ଗୃହ, ଶକ୍ତି ପରିଚାଳନା ଏବଂ ବ୍ୟାବସାୟିକ ପ୍ରଗତି ଆଦି ସମସ୍ୟାର ସମାଧାନ କରିବା ନେଇ ପାଶିଘାଟ ପ୍ରୟାସ କରୁଛି ।

ତେଣୁ ପ୍ରତ୍ୟେକ ସହର ଏହାର ପ୍ରମୁଖ ସମସ୍ୟା ଗୁଡ଼ିକୁ ଚିହ୍ନଟ କରିଛି ଏବଂ ଏଗୁଡ଼ିକର ସମାଧାନ ନେଇ ଆଗକୁ ବଢ଼ୁଛି ।

ମୁଁ ଏହା ପ୍ରକାଶ କରି ଖୁସି ଯେ ଗୌହାଟୀ, ଆଇଜଲ କୋହିମା, ଇମ୍ପାଲ ଓ ସିଲଙ୍ଗ ଆଦି ଅନ୍ୟ 5ଟି ଉତ୍ତର-ପୂର୍ବାଞ୍ଚଳ ସହର ମଧ୍ୟ ଏ ଦିଗରେ ଆଗକୁ ବଢ଼ୁଛନ୍ତି ।

ସ୍ମାର୍ଟ ସିଟି ମିଶନ ଅଧୀନରେ ପ୍ରକଳ୍ପ ପରିଚାଳନା ଏବେ ଗତି ଲାଭ କରୁଛି ।

ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆମେ ଆମର ଉତ୍ତର-ପୂର୍ବାଞ୍ଚଳ ସହରମାନଙ୍କର ରୂପାନ୍ତରଣ ପାଇଁ ଦ୍ରୂତ ଗତିରେ ଆଗକୁ ବଢ଼ୁଛୁ । ଏହା ଜୀବନ ଧାରଣର ମାନ ଉନ୍ନତ କରିବା ସହ ଏହି ଅଞ୍ଚଳରେ ଆର୍ଥିକ ପ୍ରଗତିକୁ ବଳ ଦେବ ।

 

********************

 

1