Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନର କଥା 2.0 (ଚତୁର୍ଥ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର


• ଭାରତ କୀ ଲକ୍ଷ୍ମୀ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ଆସିବ ଏକଜାମ୍ ୱାରିୟର୍ସ ପୁସ୍ତକର ପରବର୍ତ୍ତୀ ସଂସ୍କରଣ
• ଇ-ସିଗାରେଟ ବ୍ୟବହାର ବର୍ଜନ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ
• ଅକ୍ଟୋବର 2ରେ ଦେଶବ୍ୟାପୀ ‘ଫିଟ ଇଣ୍ଡିଆ ପ୍ଲଗିଂ ରନ’ ଅଭିଯାନ
• ପାର୍ବଣ ଋତୁ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ମୋର ପ୍ରିୟ ଦେଶବାସୀ, ନମସ୍କାର! ବନ୍ଧୁଗଣ, ଆଜି ମନ୍ କି ବାତରେ ସାମିଲ ହୋଇଛନ୍ତି ଦେଶର ଜଣେ ମହାନ ବ୍ୟକ୍ତିତ୍ୱ, ମୁଁ ତାଙ୍କ କଥା ବି କହିବି । ଆମ ସମସ୍ତ ଭାରତବାସୀଙ୍କ ହୃଦୟରେ ତାଙ୍କ ପ୍ରତି ଖୁବ୍ ସମ୍ମାନ ରହିଛି, ବହୁତ ଆନ୍ତରିକତା ରହିଛି । ଭାରତର ଏମିତି କୌଣସି ନାଗରିକ ନ ଥିବେ, ଯାହାଙ୍କ ମନରେ ତାଙ୍କ ପାଇଁ ଆଦର ବା ସମ୍ମାନ ଭାବ ନ ଥିବ । ସେ ବୟସରେ ଆମ ସମସ୍ତଙ୍କଠାରୁ ବେଶ୍ ବଡ଼ ଏବଂ ଦେଶର ଭିନ୍ନ ଭିନ୍ନ ପରିସ୍ଥିତି, ଭିନ୍ନ ଭିନ୍ନ ସମୟର ସେ ସାକ୍ଷୀ ରହିଛନ୍ତି । ଆମେ ତାଙ୍କୁ ଦିଦି କହି ଡାକୁ – ଲତା ଦିଦି । ଏଇ ସେପ୍ଟେମ୍ବର 28 ତାରିଖ ଦିନ ସେ 90 ବର୍ଷରେ ପଦାର୍ପଣ କରିଛନ୍ତି । ବିଦେଶ ଯାତ୍ରାରେ ବାହାରିବା ପୂର୍ବରୁ ଦିଦିଙ୍କ ସହ ଫୋନରେ କଥା ହେବାର ସୌଭାଗ୍ୟ ମୋତେ ମିଳିଥିଲା । ଏହି ବାର୍ତ୍ତାଳାପ ଠିକ୍ ସେମିତି ଥିଲା, ଯେମିତି ଜଣେ ସାନ ଭାଇ ସ୍ନେହରେ ନିଜ ବଡ଼ ଭଉଣୀ ସହ କଥା ହୋଇଥାଏ । ମୁଁ ଏଭଳି ବ୍ୟକ୍ତିଗତ ବାର୍ତ୍ତାଳାପ ସମ୍ପର୍କରେ କେବେ ହେଲେ ଚର୍ଚ୍ଚା କରେନି, କିନ୍ତୁ ଆଜି ଚାହୁଁଛି ଯେ, ଆପଣ ମଧ୍ୟ ଲତା ଦିଦିଙ୍କ କଥା ଶୁଣନ୍ତୁ, ଆଉ ସେହି ବାର୍ତ୍ତାଳାପଟିକୁ ଶୁଣନ୍ତୁ । ଶୁଣନ୍ତୁ, କେମିତି ବୟସର ଏ ସୋପାନରେ ବି ଲତା ଦିଦି, ଦେଶ ସହ ଜଡ଼ିତ ସବୁ କଥା ପାଇଁ ଉତ୍ସୁକ, ତତ୍ପର ଏବଂ ଭାରତର ପ୍ରଗତିରେ, ବଦଳୁଥିବା ଭାରତରେ, ନୂତନ ଶିଖରକୁ ସ୍ପର୍ଶ କରୁଥିବା ଭାରତରେ ହିଁ ତାଙ୍କ ଜୀବନର ସନ୍ତୁଷ୍ଟି ।

ମୋଦୀ ଜୀ : ଲତା ଦିଦି, ପ୍ରଣାମ! ମୁଁ ନରେନ୍ଦ୍ର ମୋଦୀ କହୁଛି ।

ଲତା ଜୀ : ପ୍ରଣାମ!

ମୋଦୀ ଜୀ : ମୁଁ ଏଥିପାଇଁ ଫୋନ କରିଛି, କାରଣ ଏଥର ଆପଣଙ୍କ ଜନ୍ମଦିନରେ …

ଲତା ଜୀ : ହଁ, ହଁ !

ମୋଦୀ ଜୀ : ମୁଁ ଉଡ଼ାଜାହାଜରେ ଯାତ୍ରା କରୁଛି ।

ଲତା ଜୀ : ଭଲ କଥା ।

ମୋଦୀ ଜୀ : ଭାବିଲି, ଯିବା ଆଗରୁ ହିଁ …

ଲତା ଜୀ : ହଁ ହଁ ।

ମୋଦୀ ଜୀ : ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଆଗୁଆ ଅଭିନନ୍ଦନ ଜଣାଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ, ଆପଣଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଥାଉ, କେବଳ ଏତିକି ପ୍ରାର୍ଥନା । ଆପଣଙ୍କୁ ପ୍ରଣାମ କରିବା ପାଇଁ ମୁଁ ଆମେରିକା ଯିବା ଆଗରୁ ହିଁ ଆପଣଙ୍କୁ ଫୋନକରିଦେଲି।

ଲତା ଜୀ : ଆପଣଙ୍କ ଫୋନ ଆସିବ – ଏ କଥା ଶୁଣି ମୁଁ ଖୁବ ଆତୁର ଥିଲି । ଆପଣ, କେବେ ଫେରିବେ ?

ମୋଦୀ ଜୀ : ମୁଁ 28 ତାରିଖ ବିଳମ୍ବିତ ରାତିରେ – 29 ତାରିଖ ସକାଳୁ ପହଞ୍ଚିବି, ଆଉ ସେତେବେଳକୁ ଆପଣଙ୍କ ଜନ୍ମଦିନ ଚାଲିଯାଇଥିବ ।

ଲତା ଜୀ : ଆଚ୍ଛା ଆଚ୍ଛା । ଜନ୍ମଦିନ କ’ଣ ପାଳନ କରିବି, କେବଳ ଘରେ ହିଁ ସମସ୍ତଙ୍କ ସହ …

ମୋଦୀ ଜୀ : ଦିଦି, ଦେଖନ୍ତୁ, ମୋତେ ତ …

ଲତା ଜୀ : ଆପଣଙ୍କ ଆଶୀର୍ବାଦ ମିଳନ୍ତା . . .

ମୋଦୀ ଜୀ : ଆରେ, ଆମେ ଆପଣଙ୍କ ଆଶୀର୍ବାଦ ଭିକ୍ଷା କରୁଛୁ । ଆପଣ ତ ଆମଠାରୁ ବଡ଼ ।

ଲତା ଜୀ : ବୟସରେ ତ ବହୁତ ଲୋକ ବଡ଼ ହୋଇଥାନ୍ତି, କିନ୍ତୁ ନିଜ କାମକୁ ନେଇ ଯିଏ ବଡ଼ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ଖୁବ ବଡ଼ କଥା ।

ମୋଦୀ ଜୀ : ଦିଦି, ଆପଣ ବୟସରେ ବି ବଡ଼, ଆଉ କାମରେ ବି ବଡ଼ । ଆଉ, ଆପଣ ଯେଉଁ ସଫଳତା ହାସଲ କରିଛନ୍ତି, ତା’ ନିଜ ସାଧନା ଆଉ ତପସ୍ୟା ବଳରେ ପାଇଛନ୍ତି ।

ଲତା ଜୀ : ଆଜ୍ଞା, ମୁଁ ତ ଭାବୁଛି, ଇଏ ମୋ ପିତା-ମାତାଙ୍କ ଆଶୀର୍ବାଦ ଆଉ ମୋ ଶ୍ରୋତାମାନଙ୍କ ଆଶୀର୍ବାଦ । ମୁଁ କିଛି ନୁହଁ ।

ମୋଦୀ ଜୀ : ଆଜ୍ଞା, ଆପଣଙ୍କର ଏଇ ନମ୍ରତା ହିଁ, ଆମ ନୂଆ ପିଢ଼ିର ସମସ୍ତଙ୍କ ପାଇଁ ବହୁତ ବଡ଼ ଶିକ୍ଷା, ଆମ ପାଇଁ ବହୁତ ବଡ଼ ପ୍ରେରଣା । ଜୀବନରେ ଆପଣ ଏତେ ସବୁ ହାସଲ କରିବା ପରେ ମଧ୍ୟ ପିତା-ମାତାଙ୍କ ସଂସ୍କାର ଆଉ ନମ୍ରତାକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି ।

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : ଆଉ ମୋତେ ଖୁସି ଲାଗେ, ଯେତେବେଳେ ଗର୍ବର ସହ ଆପଣ କହନ୍ତି ଯେ, ମା’ ଗୁଜରାଟୀ ଥିଲେ . . .

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : ଆଉ, ମୁଁ ଯେବେ ବି ଆପଣଙ୍କ ପାଖକୁ ଯାଇଛି

ଲତା ଜୀ : ଆଜ୍ଞା,

ମୋଦୀ ଜୀ : ଆପଣ ମୋତେ କିଛି ନା କିଛି ଗୁଜରାଟୀ ବ୍ୟଞ୍ଜନ ଖୁଆଇଛନ୍ତି ।

ଲତା ଜୀ : ଆଜ୍ଞା । ଆପଣ କ’ଣ, ତାହା ଆପଣ ନିଜେ ଜାଣିନାହାନ୍ତି । ମୁଁ ଜାଣିଛି ଯେ, ଆସିବାରୁ ଭାରତର ଚିତ୍ର ବଦଳୁଛି । ଆଉ, ସେଥିରେ ମୋତେ ବହୁତ ଖୁସି ଲାଗୁଛି । ବହୁତ ଭଲ ଲାଗୁଛି ।

ମୋଦୀ ଜୀ : ହଉ ଦିଦି, ଆପଣଙ୍କ ଆଶୀର୍ବାଦ ରହିଥାଉ, ସମଗ୍ର ଦେଶ ଉପରେ ଆପଣଙ୍କ ଆଶୀର୍ବାଦ ରହିଥାଉ । ଆମଭଳି ଲୋକ କିଛି ନା କିଛି ଭଲ କାମ କରୁଥାନ୍ତୁ । ମୋତେ ଆପଣ ସବୁବେଳେ ପ୍ରେରଣା ଦେଇଛନ୍ତି । ଆପଣଙ୍କ ଚିଠିଗୁଡ଼ିକ ବି ମୋତେ ମିଳୁଛି । ଆପଣଙ୍କର କିଛି ନା କିଛି ଉପହାର ମଧ୍ୟ ମୋତେ ମିଳୁଛି । ଏ ଯେଉଁ ଆନ୍ତରିକତା, ଯେମିତି ଗୋଟିଏ ପାରିବାରିକ ସମ୍ପର୍କ ରହିଛି ତାହା ମୋତେ ବିଶେଷ ଆନନ୍ଦ ଦେଉଛି ।

ଲତା ଜୀ : ଆଜ୍ଞା ଆଜ୍ଞା । ନା! ମୁଁ ଆପଣଙ୍କୁ ଅଧିକ କଷ୍ଟ ଦେବାକୁ ଚାହୁଁନି । କାରଣ, ମୁଁ ଦେଖୁଛି, ଜାଣୁଛି, ଆପଣଙ୍କର କେତେ କାମ ରହୁଛି, ଆପଣ କେତେ ବ୍ୟସ୍ତ ରହୁଛନ୍ତି । କେତେ କ’ଣ ଭାବିବାକୁ ପଡ଼ୁଛି । ଆପଣ ଯେତେବେଳେ ଯାଇ ନିଜ ମା’ଙ୍କ ପାଦ ଛୁଇଁ ଆସିଲେ, ଏହାଦେଖି ମୁଁ ମଧ୍ୟ ଜଣଙ୍କୁ ତାଙ୍କ ପାଖକୁ ପଠାଇ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲି ।

ମୋଦୀ ଜୀ : ହଁ, ମୋ ମା’ଙ୍କର ସେ କଥା ମନେଥିଲା । ସେ ମୋତେ କହୁଥିଲେ ।

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : ହଁ ।

ଲତା ଜୀ : ସେ ଫୋନରେ ଯେତେବେଳେ ମୋତେ ଆଶୀର୍ବାଦ କଲେ, ମୋତେ ଖୁବ୍ ଭଲ ଲାଗିଲା ।

ମୋଦୀ ଜୀ : ଆପଣଙ୍କ ସ୍ନେହ ପାଇ ମୋ ମା’ ବି ଖୁବ ଖୁସି ଥିଲେ ।

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : ଆପଣ ସବୁବେଳେ ମୋ କଥା ଚିନ୍ତା କରୁଛନ୍ତି ସେଥିପାଇଁ ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ । ମୁଁ ପୁଣିଥରେ ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା ଦେଉଛି ।

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : ଏଥର ମୁମ୍ବାଇ ଯାଇଥିଲି, ଇଚ୍ଛା ହେଉଥିଲା, ନିଜେ ଯାଇ ଆପଣଙ୍କୁ ଦେଖାକରିବି

ଲତା ଜୀ : ଆଜ୍ଞା, ନିଶ୍ଚୟ ।

ମୋଦୀ ଜୀ : କିନ୍ତୁ ସମୟ ଏତେ କମ୍ ଥିଲା ଯେ, ମୁଁ ଆସିପାରିଲିନି ।

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : କିନ୍ତୁ ମୁଁ ଖୁବ କମ୍ ଦିନରେ ଯିବି ।

ଲତା ଜୀ : ଆଜ୍ଞା ।

ମୋଦୀ ଜୀ : ଆଉ, ଘରେ ପହଞ୍ଚି ଆପଣଙ୍କ ହାତ ରନ୍ଧା କିଛି ଗୁଜରାଟୀ ଖାଦ୍ୟ ଖାଇବି।

ଲତା ଜୀ : ଆଜ୍ଞା, ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ । ଇଏ ତ ମୋର ସୌଭାଗ୍ୟ ହେବ ।

ମୋଦୀ ଜୀ : ପ୍ରଣାମ ଦିଦି ।

ଲତା ଜୀ : ପ୍ରଣାମ ।

ମୋଦୀ ଜୀ : ଆପଣଙ୍କୁ ଅନେକ ଶୁଭକାମନା ।

ଲତା ଜୀ : ବହୁତ ବହୁତ ପ୍ରଣାମ ।

ମୋଦୀ ଜୀ : ପ୍ରଣାମ ଆଜ୍ଞା ।

ମୋର ପ୍ରିୟ ଦେଶବାସୀଗଣ! ନବରାତ୍ର ସହ ଆଜିଠାରୁ ପାର୍ବଣର ପରିବେଶ ପୁଣିଥରେ, ନୂତନ ଶକ୍ତି, ନୂଆ ଉତ୍ସାହ, ନୂଆ ଉଦ୍ଦୀପନା, ନୂଆ ସଂକଳ୍ପରେ ଭରିଯିବ । ଯେତେହେଲେ, ପାର୍ବଣ ଋତୁ ନା! ଆଗକୁ କିଛି ସପ୍ତାହ ଧରି ସାରା ଦେଶରେ ଉତ୍ସବର ଜାକଜମକ ରହିବ । ଆମେ ସମସ୍ତେ ନବରାତ୍ରୀ ମହୋତ୍ସବ, ଗର୍ବା, ଦୂର୍ଗାପୂଜା, ଦଶହରା, ଦୀପାବଳୀ, ଭାତୃ-ଦ୍ୱିତୀୟା, ଛଠପୂଜା ଭଳି ଅଗଣିତ ପର୍ବ ପାଳନ କରିବା । ଆସୁଥିବା ପର୍ବଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ପର୍ବପର୍ବାଣୀରେ ପରିବାରର ସମସ୍ତ ଲୋକ ଏକାଠି ଥିବେ । ଘର ଖୁସିରେ ପରିପୂର୍ଣ୍ଣ ଥିବ । କିନ୍ତୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆମ ଆଖପାଖରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ଏହି ପର୍ବପର୍ବାଣୀର ଆନନ୍ଦରୁ ବଞ୍ଚିତ ରହିଯାଆନ୍ତି । ଆଉ ଏହାକୁ ହିଁ ତ କହନ୍ତି – ଦୀପ ତଳ ଅନ୍ଧାର । ଏହା କେବଳ ଏକ ଉକ୍ତି ନୁହେଁ, ଆମମାନଙ୍କ ପାଇଁ ଗୋଟିଏ ଆଦେଶ, ଗୋଟିଏ ଦର୍ଶନ, ଗୋଟିଏ ପ୍ରେରଣା । ଚିନ୍ତା କରନ୍ତୁ, …. ଗୋଟିଏ ପଟେ, କିଛି ଘର ଆଲୋକମାଳାରେ ଝଲମଲ ହେଉଥିଲା ବେଳେ ଅନ୍ୟପକ୍ଷରେ ସେହିଠାରେ ତା’ରି ସାମନା ଓ ଆଖପାଖ କିଛି ଲୋକଙ୍କ ଘରେ ଅନ୍ଧକାର ଛାଇ ହୋଇରହୁଛି । କିଛି ଘରେ ମିଷ୍ଟାନ୍ନ ନଷ୍ଟ ହେଉଛି, ତ କିଛି ଘରର ପିଲାମାନେ ମିଷ୍ଟାନ୍ନ ଖାଇବାକୁ ପାଉନାହାନ୍ତି । କେଉଁଠି ଆଲମାରୀରେ ଲୁଗାପଟା ରଖିବାକୁ ଜାଗା ହେଉନି, ତ କେଉଁଠି, ଦେହ ଢାଙ୍କିବା ପାଇଁ ବି ସଂଘର୍ଷ ଦେଖିବାକୁ ମିଳୁଛି । ଏହାକୁ କ’ଣ ଦୀପ ତଳ ଅନ୍ଧାର ବୋଲି କହିବାନି ? – ଏହା ହିଁ ତ’ ଦୀପ ତଳ ଅନ୍ଧାର । ଏହି ପର୍ବର ପ୍ରକୃତ ଆନନ୍ଦ ସେତେବେଳେ ମିଳିବ, ଯେତେବେଳେ ଏହି ଅନ୍ଧାର ଦୂର ହେବ – ଆଲୋକ ପ୍ରସାରିତ ହେବ । ଆମେ ସେଇଠି ଖୁସି ବାଣ୍ଟିବା ଯେଉଁଠି ଅଭାବ ରହିଛି । ଏହା ଆମର ସ୍ୱଭାବ ହେଉ । ଆମ ଘରକୁ ଯେତେବେଳେ ମିଠେଇ ଆସିବ, ନୂଆ ପୋଷାକ ଆସିବ, ଉପହାର ଆସିବ ସେତେବେଳେ କ୍ଷଣକ ପାଇଁ ଏହା କେଉଁଠିକୁ ଯିବ ସେ ବିଷୟରେ ବି ଟିକିଏ ଚିନ୍ତା କରିବା । ଅତି କମରେ ସେହି ଜିନିଷଗୁଡ଼ିକ ଯାହା ଆମ ପାଖରେ ଅଧିକ ପରିମାଣରେ ଅଛି ଏବଂ ଆମର କିଛି କାମରେ ଲାଗୁନି, ଏଭଳି ଜିନିଷଗୁଡ଼ିକୁ ଫୋପାଡ଼ିଦେବା । କେତେକ ସହରରେ କିଛି ଏନ.ଜି.ଓର ଯୁବବନ୍ଧୁମାନଙ୍କ ଷ୍ଟାର୍ଟ-ଅପ୍ ଏହି କାମ କରୁଛନ୍ତି । ସେମାନେ ଲୋକଙ୍କ ଘରୁ ଲୁଗାପଟା, ମିଠେଇ, ଖାଦ୍ୟ, ସବୁକିଛି ଏକତ୍ର କରି ଅଭାବୀ ଲୋକମାନଙ୍କୁ ଖୋଜି ଖୋଜି ସେମାନଙ୍କ ନିକଟରେ ପହଞ୍ଚାଉଛନ୍ତି, ବିନା କୌଣସି ପ୍ରଚାର ପ୍ରସାରରେ ସେମାନେ ଏହି କାମ କରୁଛନ୍ତି । କ’ଣ? ଏଥର, ଏହି ପାର୍ବଣ ଋତୁରେ, ସମ୍ପୂର୍ଣ୍ଣ ସଚେତନତା ଓ ସଂକଳ୍ପ ସହ ଦୀପ ତଳର ଏହି ଅନ୍ଧାରକୁ ଦୂର କରିପାରିବା ତ’? ଅନେକ ଗରିବ ପରିବାରର ଚେହେରାରେ ଝଲସୁଥିବା ହସ-ଖୁସି, ପର୍ବପର୍ବାଣୀରେ ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିଦେବ । ଆପଣଙ୍କ ମୁଖମଣ୍ଡଳ ଆହୁରି ଝଲସି ଉଠିବ । ଆପଣଙ୍କ ଦୀପଟି ଆହୁରି ଜାଜ୍ଜ୍ୱଲ୍ୟମାନ ହୋଇଉଠିବ, ଆପଣଙ୍କ ଦୀପାବଳି ଆହୁରି ଆଲୋକିତ ହୋଇଯିବ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଦୀପାବଳିରେ ସୌଭାଗ୍ୟ ଏବଂ ସମୃଦ୍ଧି ରୂପରେ ଘରେ ଘରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ପାରମ୍ପରିକ ଭାବେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଇଥାଏ । ଏଥର ଆମେ ଲକ୍ଷ୍ମୀଙ୍କୁ ନୂତନ ରୂପରେ ସ୍ୱାଗତ କରିପାରିବା କି? ଆମ ସଂସ୍କୃତିରେ ଝିଅମାନଙ୍କୁ ଲକ୍ଷ୍ମୀ ରୂପେ ବିବେଚନା କରାଯାଇଛି, କାରଣ ଝିଅ ସୌଭାଗ୍ୟ ଓ ସମୃଦ୍ଧି ନେଇ ଆସିଥାଏ । ଏଥର ଆମେ ଆମ ସମାଜରେ, ଗାଁରେ, ସହରରେ, ଝିଅମାନଙ୍କ ସମ୍ମାନାର୍ଥେ କିଛି କାର୍ଯ୍ୟକ୍ରମ ଆୟୋଜନ କରିପାରିବା କି ? ସାର୍ବଜନୀନ କାର୍ଯ୍ୟକ୍ରମ ରଖାଯାଇପାରେ । ଆମମାନଙ୍କ ଗହଣରେ ଏମିତି ଅନେକ ଝିଅ ଥିବେ, ଯେଉଁମାନେ ନିଜ ପରିଶ୍ରମ, ଅଧ୍ୟବସାୟ ଏବଂ ପ୍ରତିଭା ବଳରେ ନିଜ ପରିବାରର, ସମାଜର, ଦେଶର ସୁନାମ ବୃଦ୍ଧି କରୁଛନ୍ତି । ଏଥର ଦୀପାବଳିରେ ଭାରତର ଏହି ଲକ୍ଷ୍ମୀଙ୍କ ସମ୍ମାନ ପାଇଁ ଆମେ କିଛି କାର୍ଯ୍ୟକ୍ରମର ଆୟୋଜନ କରିପାରିବା କି ? ଆମ ଆଖପାଖରେ ଏଭଳି ଅନେକ ଝିଅ-ବୋହୂ ଥିବେ, ଯେଉଁମାନେ କିଛି ନା କିଛି ଅସାଧାରଣ କାର୍ଯ୍ୟ କରୁଥିବେ । କେହି ଗରିବ ପିଲାମାନଙ୍କୁ ପାଠ ପଢ଼ାଉଥିବ, କେହି ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରୁଥିବ ତ’ କେହି ଡାକ୍ତର, ଇଞ୍ଜିନିୟର ହୋଇ ସମାଜର ସେବା କରୁଥିବ । କେହି ପୁଣି ଓକିଲ ହୋଇ କାହାର ନ୍ୟାୟ ପ୍ରାପ୍ତି ପାଇଁ ପ୍ରୟାସରତ ଥିବ । ଆମ ସମାଜରେ ଏଭଳି ଝିଅଙ୍କୁ ଚିହ୍ନଟ କରନ୍ତୁ, ସେମାନଙ୍କୁ ସମ୍ବର୍ଦ୍ଧିତ କରନ୍ତୁ ଏବଂ ସେମାନଙ୍କୁ ନେଇ ଗର୍ବ ଅନୁଭବ କରନ୍ତୁ । ସମଗ୍ର ଦେଶରେ ଏମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମମାନ ଆୟୋଜିତ ହେଉ । ଗୋଟିଏ କାମ ଆହୁରି କରିପାରିବା ଯେ, ଏହି ଝିଅମାନଙ୍କ ଉପଲବ୍ଧି ସମ୍ପର୍କରେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ଶେୟାର କରିବା, ଆଉ ହାଶଟ୍ୟାଗ ବ୍ୟବହାର କରିବା, #‘ଭାରତ କୀ ଲକ୍ଷ୍ମୀ’ – ଯେମିତି ଆମେ ସମସ୍ତେ ମିଶି ସେଲ୍ଫି ୱିଥ୍ ଡଟର୍ ନାମରେ ଗୋଟିଏ ମହା ଅଭିଯାନ ଚଳାଇଥିଲୁ ଆଉ ପରେ ତାହା ସାରା ଦୁନିଆକୁ ବ୍ୟାପିଯାଇଥିଲା, ସେହିଭଳି ଏଥର ଆମେ ‘ଭାରତ କି ଲକ୍ଷ୍ମୀ’ ନାଁ ରେ ଅଭିଯାନଟିଏ ଚଳାଇବା । ଭାରତର ଲକ୍ଷ୍ମୀକୁ ପ୍ରୋତ୍ସାହନର ଅର୍ଥ ହେଉଛି ଦେଶ ଏବଂ ଦେଶବାସୀଙ୍କ ସମୃଦ୍ଧିର ପଥକୁ ମଜଭୁତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଗରୁ ମଧ୍ୟ କହିଛି ଯେ, ମନ୍ କି ବାତର ବହୁତ ବଡ଼ ଲାଭ ହେଉଛି ଯେ, ମୋତେ ଅନେକ ଜଣା-ଅଜଣା ଲୋକଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଭାବବିନିମୟ କରିବାର ସୁଯୋଗ ମିଳି ଯାଉଛି । ବିଗତ ଦିନରେ ସୁଦୂର ଅରୁଣାଚଳରୁ ଜଣେ ଛାତ୍ରୀ ଅଲିନା ତାୟଙ୍ଗ୍ ମୋତେ ବହୁତ ଋଚିପୂର୍ଣ୍ଣ ଚିଠି ପଠେଇଛନ୍ତି । ଆଉ ସେଥିରେ ସେ ଯାହା ଲେଖିଛନ୍ତି – ମୁଁ ଆପଣଙ୍କ ଆଗରେ ଚିଠିଟି ପଢ଼ିଦେଉଛି . . . ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ! ମୋ ନା ଅଲୀନା ତାୟଙ୍ଗ । ମୁଁ ଅରୁଣାଚଳ ପ୍ରଦେଶର ରୋଇଙ୍ଗଠାରେ ରହୁଛି । ଏଥର ଯେତେବେଳେ ମୋର ପରୀକ୍ଷା ଫଳ ବାହାରିଲା ସେତେବେଳେ ମୋତେ କିଛି ଲୋକ ପଚାରିଲେ ଯେ, ତୁମେ Exam Warriors ବହିଟି ପଢ଼ିଛ କି ? ମୁଁ କହିଲି, ଏଇ ବହିଟି ମୁଁ ପଢ଼ିନି । କିନ୍ତୁ ଫେରିବା ପରେ ମୁଁ ଏହି ବହିଟି କିଣିଲି ଆଉ ତାକୁ 2-3 ଥର ପଢ଼ିଦେଲି । ତା ପରେ ମୋ ଅନୁଭୁତି ଖୁବ ଭଲ ହେଲା । ମୋତେ ଲାଗିଲା ଯେ, ଯଦି ଏହି ବହିଟି ମୁଁ ପରୀକ୍ଷା ପୂର୍ବରୁ ପଢ଼ିଥାନ୍ତି, ତା’ ହେଲେ ମୋତେ ଯଥେଷ୍ଟ ଲାଭ ମିଳିଥାନ୍ତା । ମୋତେ ଏହି ବହିର ଅନେକ ଦିଗ ଭଲ ଲାଗିଲା । କିନ୍ତୁ ମୁଁ ଏ କଥା ମଧ୍ୟ ଲକ୍ଷ୍ୟ କଲି ଯେ ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁଗୁଡ଼ିଏ ମନ୍ତ୍ର ରହିଛି । କିନ୍ତୁ ଅଭିଭାବକ ଓ ଶିକ୍ଷକମାନଙ୍କ ପାଇଁ ଏହି ବହିରେ ବେଶୀ କିଛି ନାହିଁ । ଯଦି ଆପଣ ଏହି ବହିର ନୂଆ ସଂସ୍କରଣ ବିଷୟରେ କିଛି ଚିନ୍ତା କରୁଛନ୍ତି ତା ହେଲେ ସେଥିରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଅଧିକ କିଛି ମନ୍ତ୍ର, ଆହୁରି କିଛି ବିଷୟବସ୍ତୁ ନିଶ୍ଚୟ ସାମିଲ କରନ୍ତୁ ।”

ଦେଖନ୍ତୁ, ମୋ ଯୁବବନ୍ଧୁମାନଙ୍କର ବି ବିଶ୍ୱାସ ରହିଛି ଯେ, ଦେଶର ପ୍ରଧାନ ସେବକକୁ କିଛି କାମ ଦେଲେ ତାହା ନିଶ୍ଚୟ ପୂର୍ଣ୍ଣ ହୋଇଯିବ ।

ମୋର କୁନି ଛାତ୍ରୀବନ୍ଧୁ ! ଚିଠି ଲେଖିଥିବାରୁ ପ୍ରଥମେ ଆପଣଙ୍କୁ ଧନ୍ୟବାଦ । Exam Warriors ବହିଟିକୁ 2-3 ଥର ପଢ଼ିବା ପାଇଁ ଧନ୍ୟବାଦ । ଆଉ, ପଢ଼ିବା ସମୟରେ ସେଥିରେ କ’ଣ ଊଣା ରହିଛି ତାହା ମଧ୍ୟ ମୋତେ ସୂଚାଇ ଥିବାରୁ ବହୁତ ବହୁତ ଧନ୍ୟବାଦ । ଏଥି ସହ ମୋର ଏହି କୁନି ବନ୍ଧୁଜଣକ ମୋତେ ଗୋଟିଏ ଦାୟିତ୍ୱ ମଧ୍ୟ ଦେଇଛନ୍ତି । କିଛି କରିବା ପାଇଁ ଆଦେଶ ଦେଇଛନ୍ତି । ମୁଁ ନିଶ୍ଚୟ ଆପଣଙ୍କ ଆଦେଶକୁ ପାଳନ କରିବି । ଆପଣ ଯେମିତି କହିଛନ୍ତି, ଯଦି ମୁଁ ନୂଆ Edition ପାଇଁ ସମୟ ବାହାର କରିପାରିଲି, ତା’ହେଲେ ସେଥିରେ ମୁଁ ଅଭିଭାବକ, ଶିକ୍ଷକମାନଙ୍କ ପାଇଁ, ନିଶ୍ଚୟ କିଛି ଲେଖିବି । କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ, ଆପଣମାନେ ମୋତେ ସାହାଯ୍ୟ କରିପାରିବେ କି ? ଦୈନନ୍ଦିନ ଜୀବନରେ ଆପଣ କ’ଣ ଅନୁଭବ କରୁଛନ୍ତି ? ଦେଶର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକମାନଙ୍କୁ ମୋର ଅନୁରୋଧ ଯେ, ଆପଣ ଚିନ୍ତାମୁକ୍ତ ପରୀକ୍ଷା ସହ ଜଡ଼ିତ ସମସ୍ତ ଦିଗକୁ ନେଇ ନିଜର ଅନୁଭୂତି ମୋତେ ଜଣାନ୍ତୁ, ନିଜର ପରାମର୍ଶ ଦିଅନ୍ତୁ । ମୁଁ ନିଶ୍ଚୟ ସେଗୁଡ଼ିକୁ ପଢ଼ିବି । ତା’ ଉପରେ ଚିନ୍ତା କରିବି । ଆଉ ସେଥିରୁ ମୋତେ ଯାହା ଠିକ୍ ଲାଗିବ ତାକୁ ମୁଁ ମୋ ନିଜ ଭାଷାରେ, ନିଜ ଢଙ୍ଗରେ ନିଶ୍ଚୟ ଲେଖିବାକୁ ଚେଷ୍ଟା କରିବି । ଆଉ, ଯଦି ଆପଣଙ୍କର ପ୍ରସ୍ତାବ ବହୁ ମାତ୍ରାରେ ଆସେ, ତେବେ ମୋର ନୂଆ ସଂସ୍କରଣ କଥା ପକ୍କା ହୋଇଯିବ । ତେଣୁ ମୁଁ ଆପଣଙ୍କ ମତକୁ ଅପେକ୍ଷା କରିବି । ଅରୁଣାଚଳର ଆମର କୁନି ବନ୍ଧୁ, ଛାତ୍ରୀ ଅଲୀନା ତାୟଙ୍ଗଙ୍କ ପ୍ରତି ପୁଣି ଥରେ କୃତଜ୍ଞତା ପ୍ରକାଶ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ଖବରକାଗଜ, ଟେଲିଭିଜନ ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତି ଆଉ ବ୍ୟସ୍ତତା ସମ୍ପର୍କରେ ଆଲୋଚନା ମଧ୍ୟ କରନ୍ତି । କିନ୍ତୁ, ଆପଣମାନେ ଜାଣିଛନ୍ତି କି ନାହିଁ, ମୁଁ ବି ଆପଣଙ୍କ ଭଳି ଜଣେ ସାଧାରଣ ମଣିଷ । ଜଣେ ସାଧାରଣ ନାଗରିକ । ତେଣୁ ଗୋଟିଏ ସାଧାରଣ ଜୀବନ ଉପରେ ଯେଉଁ ସବୁ କଥାର ପ୍ରଭାବ ପଡ଼ିଥାଏ, ସେହିଭଳି ପ୍ରଭାବ ମୋ ଜୀବନ ଉପରେ, ମୋ ମନ ଉପରେ ବି ପଡ଼ିଥାଏ, କାରଣ ମୁଁ ବି ଆପଣଙ୍କ ଭିତରୁ ହିଁ ବାହାରିଛି । ଦେଖନ୍ତୁ, ଏଥର ୟ.ଏସ୍. ଓପନରେ ବିଜୟୀଙ୍କ ସମ୍ପର୍କରେ ଯେତିକି ଆଲୋଚନା ହେଉଥିଲା, ରନର୍ସଅପ ଡାନିଲ ମେଡଭେଡେଭଙ୍କ ବକ୍ତବ୍ୟକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆରେ ଏହା ବହୁଳ ଭାବେ ପ୍ରସାରିତ ହୋଇଥିଲା, ତେଣୁ ମୁଁ ବି ସେହି ଭାଷଣଟିକୁ ଶୁଣିଲି ଆଉ ମ୍ୟାଚ ବି ଦେଖିଲି । 23 ବର୍ଷୀୟ ଡାନିଲ ମେଡଭେଡେଭ ତାଙ୍କ ସରଳତା ଆଉ ତାଙ୍କ ପରିପକ୍ୱତା ସମସ୍ତଙ୍କୁ ପ୍ରଭାବିତ କରିପାରିବା ଭଳି ଥିଲା । ମୁଁ ନିଜେ ମଧ୍ୟ ପ୍ରଭାବିତ ହେଲି । ଏହି ବକ୍ତବ୍ୟର ମାତ୍ର କିଛି ସମୟ ପୂର୍ବରୁ ସେ 19ଥର ଗ୍ରାଣ୍ଡ ସ୍ଲାମ୍ ବିଜେତା ଏବଂ ଟେନିସ୍ କିମ୍ବଦନ୍ତୀ ରାଫେଲ ନାଡାଲଙ୍କ ଠାରୁ ଫାଇନାଲରେ ହାରି ଯାଇଥିଲେ । ଏହି ଅବସରରେ ଅନ୍ୟ କେହି ହୋଇଥିଲେ ସେ, ଉଦାସ ଓ ହତାଶ ହୋଇଯାଇଥାନ୍ତା । କିନ୍ତୁ ତାଙ୍କ ଚେହେରା ମଳିନ ପଡ଼ି ନ ଥିଲା । ବରଂ ସେ ନିଜ କଥା ଦ୍ୱାରା ଅନ୍ୟମାନଙ୍କ ମୁଖମଣ୍ଡଳରେ ହସ ଫୁଟାଇଦେଲେ । ତାଙ୍କର ବିନମ୍ରତା, ସରଳତା ଏବଂ ବାସ୍ତବରେ କହିବାକୁ ଗଲେ ଯେଉଁ ଖେଳୁଆଡ଼ ମନୋଭାବ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କ ମନ ମୋହି ନେଲା । ତାଙ୍କ କଥାକୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଉତ୍ସାହର ସହିତ ସ୍ୱାଗତ କରିଥିଲେ । ଡାନିଲ୍ ଚାମ୍ପିୟନ ନାଡାଲଙ୍କର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ । ନାଡାଲ୍ ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଟେନିସ୍ ଖେଳ ପାଇଁ କିଭଳି ପ୍ରେରିତ କରିଛନ୍ତି, ତାହା ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ ଏ କଥା ମଧ୍ୟ କହିଲେ ଯେ, ତାଙ୍କ ସହ ଖେଳିବା କେତେ କଷ୍ଟକର ଥିଲା । ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ମଧ୍ୟ ସେ ନିଜ ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କ ପ୍ରଶଂସା କରି ଖେଳୁଆଡ଼ ମନୋଭାବର ଜୀବନ୍ତ ପ୍ରମାଣ ଦେଲେ । ଅବଶ୍ୟ, ଚାମ୍ପିୟନ ନାଡାଲ୍ ମଧ୍ୟ ଡାନିଲଙ୍କ ଖେଳର ଖୁବ୍ ପ୍ରଶଂସା କଲେ । ଗୋଟିଏ ମ୍ୟାଚରେ ପରାଜିତ ଖେଳାଳୀଙ୍କ ଉତ୍ସାହ ଏବଂ ବିଜୟୀ ଖେଳାଳୀଙ୍କ ବିନମ୍ରତା, ଉଭୟ ଦେଖିଲା ଭଳି ଥିଲା । ଆପଣ ଯଦି ଡାନିଲ ମେଡଭେଡଭଙ୍କ ବକ୍ତବ୍ୟ ଶୁଣିନାହାନ୍ତି, ତା’ହେଲେ ଏହାର ଭିଡିଓଟି ଦେଖିବା ପାଇଁ ମୁଁ ଆପଣଙ୍କୁ, ବିଶେଷ କରି ଯୁବବର୍ଗଙ୍କୁ ଅନୁରୋଧ କରୁଛି । ଏଥିରେ ସବୁ ଶ୍ରେଣୀ ଓ ସବୁ ବୟସର ଲୋକଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି । ଏହା ସେହି ମୁହୂର୍ତ୍ତ, ଯାହା ଜୟ-ପରାଜୟଠାରୁ ଅନେକ ଉର୍ଦ୍ଧ୍ଵରେ । ଏଠାରେ ଜୟ-ପରାଜୟର କୌଣସି ଅର୍ଥ ନାହିଁ । ଜୀବନ ବିଜୟ ଲାଭ କରେ । ସେହି କଥାକୁ ଆମ ଶାସ୍ତ୍ରରେ ତ’ ବହୁତ ଭଲ ଢଙ୍ଗରେ କୁହାଯାଇଛି । ଆମ ପୂର୍ବପୁରୁଷମାନଙ୍କ ଚିନ୍ତାଧାରା ପ୍ରକୃତରେ ପ୍ରଶଂସନୀୟ । ଆମ ଶାସ୍ତ୍ରରେ କୁହାଯାଇଛି –

ବିଦ୍ୟା ବିନୟ ଉପେତା ହରତି

ନ ଚେତାଂସି କସ୍ୟ ମନୁଜସ୍ୟ ।

ମଣି କାଞ୍ଚନ ସଂଯୋଗଃ

ଜନୟତି ଲୋକସ୍ୟ ଲୋଚନ ଆନନ୍ଦମ୍ ।

ଅର୍ଥାତ୍, ଯେତେବେଳେ କୌଣସି ବ୍ୟକ୍ତି ମଧ୍ୟରେ ଯୋଗ୍ୟତା ଓ ବିନମ୍ରତା ଏକାଠି ସମାହିତ ହୋଇଯାଏ, ତା’ହେଲେ ସେ ସମସ୍ତଙ୍କ ହୃଦୟ ଜିଣିପାରେ । ପ୍ରକୃତରେ ଏହି ଯୁବ କ୍ରୀଡ଼ାବିତ୍ ଜଣକ ସାରା ଦୁନିଆର ଲୋକଙ୍କ ହୃଦୟ ଜିଣି ପାରିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ବିଶେଷ କରି ମୋ ଯୁବବନ୍ଧୁଗଣ, ଏଥର ମୁଁ ଯାହା କହିବାକୁ ଯାଉଛି ତାହା ସିଧା ସିଧା ଆପଣଙ୍କ ଭଲ ପାଇଁ କହୁଛି । ତର୍କ-ବିତର୍କ ତ ଚାଲିଥିବ, ସପକ୍ଷ-ବିରୋଧ ମଧ୍ୟ ଚାଲିବ, କିନ୍ତୁ, କିଛି କଥାକୁ ବଢ଼ିବା ଆଗରୁ ଅଟକାଇ ଦିଆଗଲେ ବହୁତ ବଡ଼ ଲାଭ ହୋଇଥାଏ । ଯାହା ବହୁତ ବଢ଼ିଯାଏ, ବହୁଳ ପ୍ରସାରିତ ହୋଇଯାଏ, ପରେ ତାକୁ ଅଟକାଇବା ଖୁବ୍ କଷ୍ଟକର ହୁଏ । କିନ୍ତୁ, ଯଦି ଆରମ୍ଭରୁ ହିଁ ଆମେ ସଚେତନ ହୋଇ ତାକୁ ରୋକିଦେବା, ତା’ ଅନେକ କିଛି ରକ୍ଷା କରିହେବ । ଏହି ଭାବନାକୁ ନେଇ ଆଜି ମୋର ଇଚ୍ଛା ହେଉଛି, ବିଶେଷ କରି ମୋ ଯୁବବନ୍ଧୁମାନଙ୍କ ସହିତ କିଛି କଥା ହେବା ପାଇଁ । ଆମେ ସମସ୍ତେ ଜାଣିଛୁ ଯେ ତମାଖୁର ନିଶା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଆଉ ଏହି ବଦଭ୍ୟାସକୁ ଛାଡ଼ିବା ବି ଖୁବ କଷ୍ଟକର ହୋଇଥାଏ । ତମାଖୁ ସେବନ କରୁଥିବା ଲୋକଙ୍କୁ କ୍ୟାନସର, ଡାଏବେଟିସ, ବ୍ଲଡ ପ୍ରେସର୍ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଖୁବ ବଢ଼ିଯାଏ । ଏ କଥା ସମସ୍ତେ କହନ୍ତି । ତମାଖୁରେ ରହିଥିବା ନିକୋଟିନ୍ ଯୋଗୁଁ ନିଶା ହୋଇଥାଏ । କିଶୋରାବସ୍ଥାରେ ଏହାର ସେବନ ଯୋଗୁଁ ମସ୍ତିଷ୍କର ବିକାଶ ମଧ୍ୟ ପ୍ରଭାବିତ ହୋଇଥାଏ । କିନ୍ତୁ, ଆଜି ମୁଁ ଗୋଟିଏ ନୂଆ ବିଷୟରେ ଆପଣମାନଙ୍କ ସହ କଥା ହେବାକୁ ଚାହୁଁଛି । ଆପଣମାନେ ଜାଣିଥିବେ, ନିକଟରେ ଭାରତରେ ଇ-ସିଗାରେଟ୍ ଉପରେ ନିଷେଧାଦେଶ ଜାରି କରାଗଲା । ସାଧାରଣ ସିଗାରେଟଠାରୁ ଭିନ୍ନ ଇ-ସିଗାରେଟ୍ ଗୋଟିଏ ପ୍ରକାରର ଇଲେକ୍ଟ୍ରୋନିକ ଉପକରଣ । ଇ-ସିଗାରେଟରେ ନିକୋଟିନ୍ ଯୁକ୍ତ ତରଳ ପଦାର୍ଥକୁ ଗରମ କଲେ ଏକ ପ୍ରକାର ରାସାୟନିକ ଧୂଆଁ ସୃଷ୍ଟି ହୋଇଥାଏ । ଏହା ମାଧ୍ୟମରେ ନିକୋଟିନ୍ ସେବନ କରାଯାଇଥାଏ । ସାଧାରଣ ସିଗାରେଟର ବିପଦକୁ ଆମେ ସମସ୍ତେ ଭଲ ଭାବେ ଜାଣିଥିବା ବେଳେ ଇ-ସିଗାରେଟ୍ ବିଷୟରେ ଗୋଟିଏ ଭ୍ରମ ଧାରଣା ସୃଷ୍ଟି କରାଯାଇଛି । ଇ-ସିଗାରେଟ୍ ଦ୍ୱାରା କୌଣସି କ୍ଷତି ହୁଏନି ବୋଲି ଏକ ବିଭ୍ରାନ୍ତିକର ପ୍ରଚାର କରାଯାଇଛି । ଅନ୍ୟ ସିଗାରେଟ୍ ଭଳି ଦୁର୍ଗନ୍ଧ ସୃଷ୍ଟି ନ ହେବା ପାଇଁ ଏଥିରେ ସୁଗନ୍ଧିତ ରାସାୟନିକ ଦ୍ରବ୍ୟ ମିଶାଯାଉଥିଲା । ଆଖପାଖରେ ଆମେ ଦେଖିଛୁ, ଘରେ ବାପା ଯଦି ଚେନ୍ ସ୍ମୋକର୍ ହୋଇଥିବେ, ତଥାପି, ଘରର ଅନ୍ୟ ଲୋକମାନଙ୍କୁ ସେ ସିଗାରେଟ୍ ଟାଣିବାରୁ ବିରତ କରୁଥିଲେ, ତାଗିଦ୍ କରୁଥିଲେ । ଏବଂ ନିଜ ପିଲାମାନଙ୍କୁ ସିଗାରେଟଠାରୁ ଦୂରରେ ରଖିବାକୁ ଚାହୁଁଥିଲେ । ସବୁବେଳେ ତାଙ୍କର ଏହି ପ୍ରଚେଷ୍ଟା ରହୁଥିଲା ଯେ, ପରିବାରର କେହି ଧୂମପାନ ନ କରନ୍ତୁ । ସେ ଜାଣନ୍ତି ଯେ, ଧୂମପାନ, ତମାଖୁ ସେବନ ଦ୍ୱାରା, ଶରୀରର ଭୟଙ୍କର କ୍ଷତି ହୋଇଥାଏ । ସିଗାରେଟର ବିପଦକୁ ନେଇ କୌଣସି ପ୍ରକାର ବିଭ୍ରାନ୍ତି ନାହିଁ । ଏହା କ୍ଷତି କରିଥାଏ, ଏ କଥା ଏହାକୁ ବିକ୍ରି କରିବା ଲୋକ ମଧ୍ୟ ଜାଣେ, ଟାଣିବା ବାଲା ବି ଜାଣେ ଆଉ ଦେଖିବା ଲୋକ ବି ଜାଣେ । କିନ୍ତୁ ଇ-ସିଗାରେଟ୍ କଥା ବହୁତ ଭିନ୍ନ । ଇ-ସିଗାରେଟକୁ ନେଇ ଲୋକଙ୍କ ମଧ୍ୟରେ ସେତେଟା ସଚେତନତା ନାହିଁ । ସେମାନେ ଏହାର ବିପଜ୍ଜନକ ପରିଣାମ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅଜ୍ଞ । ଏଥିଯୋଗୁ ବେଳେବେଳେ କୌତୁହଳବଶତଃ ଇ-ସିଗାରେଟ୍ ଚୁପଚାପ୍ ଘର ଭିତରେ ପ୍ରବେଶ କରିଯାଇଥାଏ । ପିଲାମାନେ, ଜଣେ ଆର ଜଣକୁ ବେଳେ ବେଳେ ମ୍ୟାଜିକ ଦେଖାଉଛି କହି ଏହାର ପ୍ରୟୋଗ କରି ଦେଇଥାନ୍ତି । ପରିବାରରେ ବାପା-ମା ଙ୍କ ଆଗରେ ବି – ଦେଖନ୍ତୁ, ଗୋଟିଏ ନୂଆ ଯାଦୁଖେଳ ଦେଖାଉଛି, ବିନା ଦିଆସିଲି, ବିନା ନିଆଁରେ କେମିତି ପାଟିରୁ ଧୂଆଁ ବାହାର କରିପାରୁଛି କହି ଏହାର ପ୍ରୟୋଗ କରିଥାନ୍ତି । ଆଉ ଯାଦୁ ଖେଳ ଦେଖିବା ପରି ଖୁସି ହୋଇ ପରିବାର ଲୋକ ମଧ୍ୟ ତାଳି ମାରିଥାନ୍ତି । ଏହା ହେଉଛି ସୂଚନା ଅଭାବର ପରିଣାମ । ଘରର କିଶୋର କିମ୍ବା ଯୁବକ ଯଦି ଥରେ ଏହି କୁଚକ୍ରରେ ଫସିଯାଆନ୍ତି, ଧିରେ ଧିରେ ସେମାନେ ଏହି ନିଶାରେ ଅଭ୍ୟସ୍ତ ହୋଇଯାଆନ୍ତି । ଏହି କୁଅଭ୍ୟାସର ଶୀକାର ହୋଇଯାଆନ୍ତି । ଆମର ଯୁବ-ସମ୍ପଦ ବିନାଶର ମାର୍ଗରେ ବାହାରି ପଡୁଛନ୍ତି । ଅଜାଣତରେ ଚାଲିଯାଉଛନ୍ତି ସେହି ରାସ୍ତାରେ । ପ୍ରକୃତରେ, ଇ-ସିଗାରେଟରେ କିଛି କ୍ଷତିକାରକ ରାସାୟନିକ ଦ୍ରବ୍ୟ ମିଶାଯାଏ, ଯାହା ସ୍ୱାସ୍ଥ୍ୟ ଉପରେ ବହୁତ କୁପ୍ରଭାବ ପକାଇଥାଏ । ଆପଣମାନେ ତ ଜାଣନ୍ତି, ଯେତେବେଳେ ଆମ ଆଖପାଖରେ କେହି ଧୂମପାନ କରୁଥାଏ, ତା ଗନ୍ଧରେ ଆମକୁ ଏହା ଜଣାପଡ଼ିଯାଏ । ତା’ପକେଟରେ ସିଗାରେଟ୍ ପ୍ୟାକେଟଟିଏ ଥିଲେ ବି ଗନ୍ଧରୁ ଜଣାପଡ଼ିଯାଏ । କିନ୍ତୁ ଇ-ସିଗାରେଟ୍ କ୍ଷେତ୍ରରେ ଏଭଳି ହୁଏନି । ଏଭଳି ପରିସ୍ଥିତିରେ, ଅନେକ କିଶୋର, ଯୁବବର୍ଗ, ନିଜ ଜାଣତରେ କିମ୍ବା ଅଜାଣତରେ ଆଉ ପୁଣି କେତେବେଳେ fashion statement ରୂପେ ଏହାକୁ ବହୁତ ଗର୍ବରେ ନିଜ ବହିପତ୍ର ସାଙ୍ଗରେ, ନିଜ ଅଫିସରେ, ନିଜ ପକେଟରେ, ବେଳେ ବେଳେ ନିଜ ହାତରେ ଧରି ବୁଲୁଥିବା ନଜରକୁ ଆସୁଛି । ସେମାନେ ଏହାର ଶିକାର ହୋଇଯାଉଛନ୍ତି । ଯୁବ ପିଢ଼ି ଦେଶର ଭବିଷ୍ୟତ । ଇ-ସିଗାରେଟ୍ ଉପରେ ନିଷେଧାଦେଶ ଜାରି କରାଯାଇଛି, ଯାହା ଫଳରେ ନିଶା ସେବନର ଏହି ନୂଆ ପଦ୍ଧତି ଆମ ଯୁବ ଦେଶକୁ ନଷ୍ଟ କରି ନଦେଉ । ଆମ ପରିବାରର ସ୍ୱପ୍ନକୁ ଦଳି ମକଚି ନଦେଉ । ପିଲାଙ୍କ ଜୀବନ ନଷ୍ଟ ହୋଇ ନଯାଉ । ଏହି ରୋଗ, ଏହି ବଦଭ୍ୟାସ ସମାଜକୁ କବଳିତ କରିନଦେଉ ।

ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ତମାଖୁ ସେବନର ଅଭ୍ୟାସକୁ ତ୍ୟାଗ କରିଦିଅନ୍ତୁ ଆଉ ଇ-ସିଗାରେଟ୍ ବିଷୟରେ କୌଣସି ବିଭ୍ରାନ୍ତିକର ତଥ୍ୟ ମୁଣ୍ଡରେ ନ ରଖନ୍ତୁ । ଆସନ୍ତୁ, ଆମେ ସମସ୍ତେ ମିଶି ଏକ ସୁସ୍ଥ ଭାରତର ନିର୍ମାଣ କରିବା ।

ହଁ, ଆପଣଙ୍କର ଫିଟ୍ ଇଣ୍ଡିଆ କଥା ମନେଅଛି ନା ? ଫିଟ୍ ଇଣ୍ଡିଆ କହିଲେ ସାଧାରଣତଃ ବୁଝୁଥିବେ କି ସକାଳେ ସଞ୍ଜରେ ଦୁଇଘଣ୍ଟା ଲେଖାଏଁ ଜିମକୁ ଯାଇ ଗୋଡ଼ହାତ ହଲାଇବା ନୁହେଁ । ଫିଟ୍ ଇଣ୍ଡିଆ ପାଇଁ ଏ ସବୁଥିରୁ ଦୂରେଇ ରହିବା । ମୋର ବିଶ୍ୱାସ ମୋ କଥା ଆପଣମାନଙ୍କୁ ଖରାପ ଲାଗିବନି, ନିଶ୍ଚୟ ଭଲ ଲାଗିବ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମମାନଙ୍କ ପାଇଁ ଗୌରବର କଥା ଯେ ଆମ ଭାରତବର୍ଷ ଏଭଳି ଅସାଧାରଣ ଲୋକମାନଙ୍କର ଜନ୍ମଭୂମି ଆଉ କର୍ମଭୂମି, ଯେଉଁମାନେ ନିଜପାଇଁ ନୁହେଁ ବରଂ ପର ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି ।

ଆମ ଦେଶ, ଆମର ଏଇ ଭାରତମାତା ହେଉଛି ରତ୍ନଗର୍ଭା ବସୁନ୍ଧରା । ଏଇ ମାଟିରେ ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି । ଭାରତବର୍ଷ ଅନେକ ଅସାଧାରଣ ଲୋକଙ୍କର ଜନ୍ମଭୂମି ଓ କର୍ମଭୂମି । ଏମାନେ ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଏ ଭଳି ଜଣେ ମହାନ ସନ୍ଥଙ୍କୁ ଆଗାମୀ ଅକ୍ଟୋବର 13 ତାରିଖରେ ଭାଟିକାନ ସିଟିରେ ସମ୍ମାନିତ କରାଯିବ । ପୋପ୍ ଫ୍ରାନ୍ସିସ୍ ଆସନ୍ତା ଅକ୍ଟୋବର 13 ତାରିଖରେ ମରିୟମ୍ ଥ୍ରେସିୟାଙ୍କୁ ସନ୍ଥ ଭାବେ ଘୋଷଣା କରିବେ । ସିଷ୍ଟର ମରିୟମ୍ ଥ୍ରେସିୟା ତାଙ୍କର 50 ବର୍ଷର ଛୋଟ ଜୀବନକାଳ ଭିତରେ ମାନବ ସମାଜର ହିତ ପାଇଁ ଯେଭଳି କାର୍ଯ୍ୟ କରିଛନ୍ତି ତାହା ସାରା ବିଶ୍ୱ ପାଇଁ ଉଦାହରଣ ହୋଇରହିବ । ସମାଜସେବା ଏବଂ ଶିକ୍ଷା କ୍ଷେତ୍ର ପ୍ରତି ତାଙ୍କର ଅଦ୍ଭୂତ ଯୋଗଦାନ ଥିଲା । ସେ ଅନେକ ସ୍କୁଲ, ହଷ୍ଟେଲ ଆଉ ଅନାଥାଶ୍ରମ ନିର୍ମାଣ କରିଛନ୍ତି ଏବଂ ଆଜୀବନ ସେହି ମିଶନରେ ନିଜକୁ ନିୟୋଜିତ କରିଛନ୍ତି । ସିଷ୍ଟର ଥ୍ରେସିୟା ଯେଉଁ କାମ ଆରମ୍ଭ କରିଛନ୍ତି ତାକୁ ନିଷ୍ଠା ଓ ସମର୍ପଣ ଭାବ ସହ ସମ୍ପୂର୍ଣ୍ଣ କରିଛନ୍ତି । ସେ Congregation of the Sisters of the holy family ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯାହା ଆଜି ବି ତାଙ୍କର ଜୀବନ ଦର୍ଶନ ଓ ମିଶନକୁ ଆଗେଇ ନେବାରେ ବ୍ରତୀ ହୋଇଛି । ସିଷ୍ଟର ମରିୟମ୍ ଥ୍ରେସିସଙ୍କୁ ମୁଁ ପୁନଃ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଭାରତର ଲୋକମାନଙ୍କୁ ବିଶେଷକରି ଖ୍ରୀଷ୍ଟିୟାନ୍ ଭାଇଭଉଣୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀ, ଖାଲି ଭାରତ ନୁହେଁ ସାରା ବିଶ୍ୱ ପାଇଁ ଏହା ଗର୍ବର ବିଷୟ ଯେ ଆଜି ଆମେ “ଗାନ୍ଧୀ @150” ପାଳନ କରୁଛୁ, ଆଉ ତା’ସହିତ ଦେଶର 130 କୋଟି ଜନତା Single use Plasticରୁ ମୁକ୍ତ ହେବାର ସଂକଳ୍ପ ନେଇଛନ୍ତି । ପରିବେଶ ସୁରକ୍ଷା ଦିଗରେ ଆଜି ଭାରତ ଯେମିତି ସାରା ବିଶ୍ୱରେ ଅଗ୍ରଣୀ ଭୂମିକା ନେଇଛି, ସେଥିପାଇଁ ଆଜି ସବୁ ଦେଶର ଦୃଷ୍ଟି ଭାରତ ଆଡ଼କୁ କେନ୍ଦ୍ରିତ ହୋଇଛି । ମୋର ପୂର୍ଣ୍ଣ ବିଶ୍ୱାସ, ଆପଣମାନେ ସମସ୍ତେ ଅକ୍ଟୋବର 2 ତାରିଖରୁ ଆରମ୍ଭ ହେଉଥିବା Single use Plastic ମୁକ୍ତି ଅଭିଯାନରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବେ । ବିଭିନ୍ନ ସ୍ଥାନରେ ଲୋକମାନେ ନିଜ ନିଜ ଉପାୟରେ ଏହି ଅଭିଯାନରେ ଯୋଗଦାନ କରୁଛନ୍ତି । କିନ୍ତୁ ଆମ ଦେଶର ଜଣେ ଯୁବକ ଏ ଦିଗରେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ତାଙ୍କର ଏହି କାମ ମୋ ଦୃଷ୍ଟିକୁ ଆସିଲା ପରେ ମୁଁ ତାଙ୍କ ସହ ଫୋନ୍ରେ କଥାହୋଇ ତାଙ୍କର ଏହି ନୂତନ ପ୍ରୟୋଗକୁ ଜାଣିବାକୁ, ବୁଝିବାକୁ ଚେଷ୍ଟା କଲି । ହୁଏତ ତାଙ୍କର ଏ କଥା – ଦେଶର ଅନ୍ୟ ଲୋକମାନଙ୍କ କାମରେ ମଧ୍ୟ ଲାଗିପାରେ । ଶ୍ରୀମାନ୍ ରିପୁଦମନ ବେଲଭୀ ଗୋଟିଏ ନିଆରା ପ୍ରୟାସ କରିଛନ୍ତି । ସେ Plogging କରୁଛନ୍ତି । ପ୍ରଥମ ଥର ଯେତେବେଳେ ମୁଁ Plogging ଶବ୍ଦ ଶୁଣିଲି, ତାହା ମୋ ପାଇଁ ନୂଆ ଥିଲା । ବିଦେଶରେ ବୋଧହୁଏ କିଛି ମାତ୍ରାରେ ଏହି ଶବ୍ଦର ପ୍ରୟୋଗ ହେଲାଣି । କିନ୍ତୁ ଭାରତରେ ରିପୁଦମନ୍ ବେଲଭୀ ହିଁ ଏହି ଶବ୍ଦଟିକୁ ବିଶେଷ ପ୍ରଚାରିତ କରିଛନ୍ତି । ଆସନ୍ତୁ ତାଙ୍କ ସହିତ କିଛି କଥା ହେବା –

ମୋଦୀ ଜୀ : ହ୍ୟାଲୋ ରିପୁଦମନ୍ ଜୀ, ନମସ୍କାର, ମୁଁ ନରେନ୍ଦ୍ର ମୋଦୀ କହୁଛି ।

ରିପୁଦମନ୍ : ଆଜ୍ଞା ସାର୍ .. … ବହୁତ ବହୁତ ଧନ୍ୟବାଦ ସାର୍ ।

ମୋଦୀ ଜୀ : ରିପୁଦମନ୍ ଜୀ ….

ରିପୁଦମନ୍ : ଆଜ୍ଞା ସାର୍ ।

ମୋଦୀ ଜୀ : ଆପଣ Plogging ନେଇ ଯେଉଁ ଏତେବଡ଼ କାମ ସମର୍ପିତ ଭାବରେ କରୁଛନ୍ତି …

ରିପୁଦମନ୍ : ଆଜ୍ଞା ସାର୍

ମୋଦୀ ଜୀ : ମୋ ମନରେ ଜିଜ୍ଞାସା ଥିଲା । ଭାବିଲି ନିଜେ ଆପଣଙ୍କୁ ଫୋନ କରି ପଚାରି ବୁଝିବି ।

ରିପୁଦମନ୍ : ଠିକ ଅଛି

ମୋଦୀ ଜୀ : ଏ କଳ୍ପନା ଆପଣଙ୍କ ମନକୁ କେମିତି ଆସିଲା ?

ରିପୁଦମନ୍ : …. ଆଜ୍ଞା ସାର୍ ?

ମୋଦୀ ଜୀ : ଏଇ ଶବ୍ଦ ଆଉ ଏଇ ଉପାୟ ଆପଣଙ୍କ ମନକୁ କେମିତି ଆସିଲା ?

ରିପୁଦମନ୍ : ସାର୍! ଯୁବକମାନଙ୍କୁ ଆଜିକାଲି କିଛି ଆକର୍ଷଣୀୟ ଦରକାର, ସେମାନଙ୍କୁ ଅନୁପ୍ରାଣିତ କରିବା ଲାଗି କିଛି ଉତ୍ସାହଜନକ କାମ ଦରକାର । ମୁଁ ଗୋଟିଏ ଉପାୟ ଚିନ୍ତା କଲି । ଯଦି 130 କୋଟି ଭାରତୀୟଙ୍କୁ ଏହି ଅଭିଯାନ ସହ ଯୋଡ଼ିବାକୁ ହେବ ତେବେ ମୋତେ କିଛି ଆକର୍ଷଣୀୟ କରିବାକୁ ପଡ଼ିବ କିଛି ଉତ୍ସାହପ୍ରଦ କରିବାକୁ ପଡ଼ିବ । ମୁଁ ନିଜେ ଜଣେ ଦୌଡ଼ାଳି, ସକାଳେ ଯେତେବେଳେ ମୁଁ ଦୌଡ଼ିବାକୁ ଯାଏ, ସେତେବେଳେ ଟ୍ରାଫିକ କମ ଥାଏ କିନ୍ତୁ ରାସ୍ତା ଉପରେ ଅଳିଆ ଆଉ ପ୍ଲାଷ୍ଟିକ ଅଧିକ ପଡ଼ିଥିବାର ଦେଖିବାକୁ ମିଳେ । ଏ ବିଷୟରେ ଅଭିଯୋଗ କରିବା କଥା ଛାଡ଼ି, ମୁଁ ଭାବିଲି ନିଜେ କିଛି କରିବି । ତେଣୁ ନିଜର ରନିଂ ଗ୍ରୁପକୁ ସାଥିରେ ନେଇ ମୁଁ ଦିଲ୍ଲୀରେ ଆରମ୍ଭ କଲି ଆଉ ପୁଣି ଧିରେ ଧିରେ ଏଇ କାମକୁ ମୁଁ ସାରା ଭାରତରେ ପ୍ରସାରିତ କଲି । ସବୁ ସ୍ଥାନରେ ଏ କାମକୁ ଖୁବ୍ ପ୍ରଶଂସା ମିଳିଲା ….

ମୋଦୀ ଜୀ : ପ୍ରକୃତରେ ଆପଣ କରୁଥିଲେ କ’ଣ ? ଟିକେ ବୁଝାଇ କୁହନ୍ତୁ । ଫଳରେ ମୁଁ ଜାଣିପାରିବି ଆଉ ମନ କି ବାତ୍ ମାଧ୍ୟମରେ ଦେଶବାସୀମାନେ ବି ଜାଣିପାରିବେ ….

ରିପୁଦମନ୍ : ସାର୍! ଆମେ ‘ଦୌଡ଼ିବା ସମୟରେ ସ୍ୱଚ୍ଛତା ଆନ୍ଦୋଳନ’ ଆରମ୍ଭ କଲୁ । ଆମର ଗ୍ରୁପକୁ ମୁଁ କହିଲି ଯେ ଦୌଡ଼ିବା ପରେ ହାଲକା ବ୍ୟାୟାମ ଭିତରେ ଆପଣମାନେ ଅଳିଆ ଗୋଟେଇବା ଆରମ୍ଭ କରନ୍ତୁ, ଆପଣମାନେ ପ୍ଲାଷ୍ଟିକ ଗୋଟେଇବା ଆରମ୍ଭ କରନ୍ତୁ …. ଯା ଫଳରେ ଆପଣମାନେ ଦୌଡ଼ିବା ସହିତ ସଫେଇ ମଧ୍ୟ କରିପାରିବେ । ଏହାଦ୍ୱାରା ହଠାତ ଅନେକଗୁଡ଼ିଏ ବ୍ୟାୟାମ ମଧ୍ୟ ହୋଇପାରୁଛି । ଆପଣ ଖାଲି ଦୌଡ଼ୁନାହାନ୍ତି ଆପଣ ଉଠବସ ମଧ୍ୟ ହେଉଛନ୍ତି, ଆପଣ ଆଗକୁ ନଇଁ ବ୍ୟାୟାମ ମଧ୍ୟ କରୁଛନ୍ତି । ଫଳରେ ଏକ ପ୍ରକାର ପୂର୍ଣ୍ଣାଙ୍ଗ ବ୍ୟାୟାମ ହୋଇପାରୁଛି । ସାର୍! ଆପଣ ଜାଣି ଖୁସି ହେବେ ଯେ ଗତବର୍ଷ ପ୍ରାୟ ସବୁ ଫିଟନେସ ପତ୍ରିକାରେ ଏଇ ମଜାଳିଆ କାର୍ଯ୍ୟକୁ ଭାରତର ଶ୍ରେଷ୍ଠ ଫିଟନେସ ଅଭ୍ୟାସ ଭାବେ ମନୋନିତ କରାଯାଇଛି ।

ମୋଦୀ ଜୀ : ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ ।

ରିପୁଦମନ୍ : ଧନ୍ୟବାଦ ସାର୍ ।

ମୋଦୀ ଜୀ : ଏବେ ଆପଣ ସେପ୍ଟେମ୍ବର 5 ତାରିଖରୁ କୋଚିରେ ଆରମ୍ଭ କରିଛନ୍ତି

ରିପୁଦମନ୍ : ଆଜ୍ଞା ସାର୍ । ଏଇ ମିଶନର ନାମ ରଖାଯାଇଛି – ‘R/Elan run to make India litter free’। ଆପଣ ଯେମିତି ଅକ୍ଟୋବର 2 ତାରିଖରୁ ଏକ ଐତିହାସିକ ସଂକଳ୍ପ ଘୋଷଣା କରିବାକୁ ଯାଉଛନ୍ତି ସାର୍! ମୁଁ ନିଶ୍ଚିତ ଯେ ଅଳିଆମୁକ୍ତ ହେବା ସହ ଦେଶ Plastic ମୁକ୍ତ ବି ହେବ । ଆଉ ଗୋଟିଏ ବ୍ୟକ୍ତିଗତ ଦାୟିତ୍ୱବୋଧ ମଧ୍ୟ ଆସିବ । ମୁଁ ହଜାର ହଜାର କିଲୋମିଟର ଦୌଡ଼ି 50ଟି ସହର କଭର କରୁଛି ଏବଂ ସଫେଇ କରୁଛି । ଲୋକେ କହୁଛନ୍ତି, ଏହା ପୃଥିବୀର ସବୁଠୁ ଲମ୍ବା ସ୍ୱଚ୍ଛତା ଅଭିଯାନ ହେବ । ସାର୍, ତା’ ସାଥିରେ ଆମେ ଗୋଟିଏ ବହୁତ ଆକର୍ଷଣୀୟ ସୋସିଆଲ ମିଡିଆ ହାଶଟ୍ୟାଗ ବ୍ୟବହାର କରୁଛୁ #Plastic upvaas । ୟା ମାଧ୍ୟମରେ ଆମେ ଲୋକମାନଙ୍କୁ କହୁଛୁ ଯେ ଆପଣ ନିଜ ଜୀବନରୁ କେଉଁ Single use ର ଜିନିଷଟିକୁ ବର୍ଜନ କରିପାରିବେ । କେବଳ Single use Plastic ନୁହେଁ, Single useର ଯେକୌଣସି ଜିନିଷ ଯାହା ଆପଣ ନିଜ ଜୀବନରୁ ହଟାଇବାକୁ ଚାହାଁନ୍ତି ।

ମୋଦୀ ଜୀ : ଆପଣ ତ’ ସେପ୍ଟେମ୍ବର 5 ତାରିଖରୁ ଆରମ୍ଭ କଲେଣି, ଆଜିଯାଏ ଆପଣଙ୍କର କ’ଣ ଅନୁଭୂତି ହୋଇଛି ?

ରିପୁଦମନ୍ : ସାର୍, ଏ ଯାଏ ତ ବହୁତ ଭଲ ଅନୁଭୂତି ହୋଇଛି । ଗତ 2 ବର୍ଷ ଭିତିରେ ବି ଆମେ ଭାରତରେ ତିନିଶହ ପାଖାପାଖି ପ୍ଲଗିଂ ଡ୍ରାଇଭ କରିଛୁ । ଯେତେବେଳେ କୋଚିରୁ ଆରମ୍ଭ କଲୁ – ବାଟରେ ଅନ୍ୟ ଦୌଡ଼ ଗ୍ରୁପ ସବୁ ଆମ ସହ ଯୋଗଦେଲେ …. ସ୍ଥାନୀୟ ଅଞ୍ଚଳରେ ସଫେଇ ହେଲା…. ମୁଁ ସେସବୁ ମୋ ସାଥିରେ ଯୋଡ଼ିଲି । କୋଚି ପରେ, ମଦୁରାଇ, କୋୟମ୍ବାଟୁର, ସେଲମ୍ …. ଏଇ ନିକଟରେ ଆମେ ଉଡ଼ୁପିରେ ଥିଲୁ …. ସେଠି ଗୋଟିଏ ସ୍କୁଲ ଆମକୁ ନିମନ୍ତ୍ରଣ କଲା … ତୃତୀୟ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପିଲାମାନଙ୍କ ପାଇଁ ଗୋଟିଏ ଅଧଘଣ୍ଟାର କର୍ମଶାଳା କରିବାକୁ କହିଲେ । ସାର୍ ସେଇ ଅଧଘଣ୍ଟାର କର୍ମଶାଳାଟି 3 ଘଣ୍ଟାର ଗୋଟିଏ Plogging drive ହୋଇଗଲା । ସାର୍ ପିଲାମାନେ ଏତେ ଉତ୍ସାହିତ ଥିଲେ ଯେ ସେମାନେ ନିଜେ ଏହି କାମ କରିବାକୁ ଚାହିଁଲେ ଏବଂ ଏହି କଥାକୁ ଗ୍ରହଣ କଲେ – ସେମାନେ ନିଜର ପିତାମାତା, ପଡ଼ୋଶୀ, ସାଙ୍ଗସାଥୀ ସମସ୍ତଙ୍କୁ କହିବେ । ଫଳରେ ଆମର ଏହି କାମକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ବହୁତ ବଡ଼ ପ୍ରେରଣା ମିଳିଯିବ ।

ମୋଦୀ ଜୀ : ରିପୁଜୀ, ଏହା ଖାଲି ପରିଶ୍ରମ ନୁହେଁ…. ଗୋଟିଏ ସାଧନା । ବାସ୍ତବରେ ଆପଣ ସାଧନା କରୁଛନ୍ତି ।

ରିପୁଦମନ୍ : ଆଜ୍ଞା ସାର୍!

ମୋଦୀ ଜୀ : ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ । ମନେ କରନ୍ତୁ ଆପଣ ଦେଶବାସୀଙ୍କୁ ତିନିଟି ବାର୍ତା ଦେବେ । ଆପଣ ନିର୍ଦ୍ଦିଷ୍ଟ କେଉଁ ତିନୋଟି ବାର୍ତ୍ତା ଲୋକମାନଙ୍କୁ ଦେବେ ?

ରିପୁଦମନ୍ : ଅଳିଆମୁକ୍ତ ଭାରତ ପାଇଁ ମୁଁ ବାସ୍ତବରେ 3ଟି ପଦକ୍ଷେପର ପ୍ରସ୍ତାବ ଦେବି ।

ଏକ – ଅଳିଆ କେବଳ ଡଷ୍ଟବିନରେ ପକାନ୍ତୁ । ଦୁଇ – ଯଦି ତଳେ କେଉଁଠି ଅଳିଆ ପଡ଼ିଥିବା ଦେଖିବେ ତାକୁ ଉଠାନ୍ତୁ ଏବଂ ଡଷ୍ଟବିନରେ ପକାନ୍ତୁ ।

ତିନି – ଯଦି ପାଖରେ ଡଷ୍ଟବିନ ନଥାଏ ତେବେ ଅଳିଆକୁ ନିଜ ପକେଟଆରଇ ବା ଗାଡ଼ିରେ ଘରକୁ ନେଇଯାଆନ୍ତୁ । ଶୁଖିଲା ଏବଂ ଓଦା ଅଳିଆକୁ ଅଲଗା କରି ସକାଳେ ଅଳିଆ ଗାଡ଼ି ବା ମ୍ୟୁନିସିପାଲିଟି ଗାଡ଼ି ଆସିଲେ ସେଗୁଡ଼ିକ ଦେଇଦିଅନ୍ତୁ । ଯଦି ଆମେ ଏହି ତିନୋଟି ଉପାୟ ଅବଲମ୍ବନ କରିବା ତେବେ ଆମେ ଆବର୍ଜନାମୁକ୍ତ ଭାରତ ପାଇପାରିବା ।

ମୋଦୀ ଜୀ : ଦେଖନ୍ତୁ ରିପୁଜୀ । ବହୁତ ସରଳ ଶବ୍ଦରେ ଏବଂ ଜଣେ ସାଧାରଣ ମଣିଷ କରିପାରିବା ଭଳି ଭାଷାରେ ଆପଣ ଗାନ୍ଧିଜୀଙ୍କର ସ୍ୱପ୍ନକୁ ନେଇ ଆଗେଇଛନ୍ତି । ତା’ ସହିତ ସରଳ ଶବ୍ଦରେ କଥା କହିବାର ଯେଉଁ ଉପାୟ ଗାନ୍ଧିଜୀ ଆପଣେଇଥିଲେ ଆପଣ ତାକୁ ବି ଅବଲମ୍ବନ କରିନେଇଛନ୍ତି ।

ରିପୁଦମନ୍ : ଧନ୍ୟବାଦ ସାର୍ ।

ମୋଦୀ ଜୀ : ଏଥିପାଇଁ ଆପଣ ଅଭିନନ୍ଦନର ପାତ୍ର । ରିପୁଦମନ୍ ଜୀ, ଆପଣଙ୍କ ସହିତ କଥାହୋଇ ମୋତେ ବହୁତ ଭଲ ଲାଗିଲା ଏବଂ ଆପଣ ଏକ ଅତ୍ୟନ୍ତ ଅଭିନବ ଢଙ୍ଗରେ, ବିଶେଷକରି ଯୁବବର୍ଗଙ୍କର ପସନ୍ଦଯୋଗ୍ୟ ଉପାୟରେ ଏହି ସମଗ୍ର କାର୍ଯ୍ୟକ୍ରମଟିକୁ ଗଢ଼ିଛନ୍ତି । ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ହଁ ବନ୍ଧୁଗଣ, ଏଥର ପୂଜ୍ୟ ବାପୁଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ‘Fit India Plogging Run’ ଆୟୋଜିତ ହେବାକୁ ଯାଉଛି । 2 ଅକ୍ଟୋବର ଦିନ 2 କିଲୋମିଟର Plogging କାର୍ଯ୍ୟକ୍ରମ ସାରାଦେଶରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ କିଭଳି ହେବା ଉଚିତ, ଏଥିରେ ଆମେ କ’ଣ କରିବା ସେକଥା ଆମେ ରିପୁଦମନଜୀଙ୍କ ଅନୁଭୂତିରୁ ଜାଣିଲୁ । ଅକ୍ଟୋବର 2 ତାରିଖରେ ଆରମ୍ଭ ହେଉଥିବା ଏ ଅଭିଯାନରେ ଆମକୁ ଏଇଆ କରିବାକୁ ହେବ ଯେ ଆମେ ଦୁଇ କିଲୋମିଟର ପର୍ଯ୍ୟନ୍ତ jogging (ଦୌଡ଼ିବା) କରିବା ସଙ୍ଗେ ସଙ୍ଗେ ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଏକାଠି କରିବା । ଏହାଦ୍ୱାରା ଆମେ ଆମ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ସହିତ ଧରିତ୍ରୀମାତାର ମଧ୍ୟ ସ୍ୱାସ୍ଥ୍ୟରକ୍ଷା କରିପାରିବା । ଏହି ଅଭିଯାନ ଦ୍ୱାରା ଲୋକମାନଙ୍କ ମନରେ ସ୍ୱଚ୍ଛତା ତଥା Fitness ପ୍ରତି ସଚେତନତା ସୃଷ୍ଟି ହୋଇପାରିବ । ମୋର ବିଶ୍ୱାସ ଯେ 130 କୋଟି ଦେଶବାସୀ ପ୍ରତ୍ୟେକ ଏ ଦିଗରେ ଗୋଟିଏ ପାଦ ଆଗେଇବେ ତ’ ଆମ ଭାରତ 130 କୋଟି ପାଦ ଆଗେଇଯିବ । ରିପୁଦମନ ଜୀ, ଆପଣଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛି । ଆପଣଙ୍କୁ ଓ ଆପଣଙ୍କ ଟିମକୁ ଏହି ନୂତନ ପରିକଳ୍ପନା ପାଇଁ ମୋ ତରଫରୁ ବହୁତ ବହୁତ ଅଭିନନ୍ଦନ । ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀ! ଅକ୍ଟୋବର 2ର ପ୍ରସ୍ତୁତି ତ ପୂରା ଦେଶରେ ଆଉ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି, କିନ୍ତୁ ‘ଗାନ୍ଧୀ 150’କୁ ଆମେ କର୍ତ୍ତବ୍ୟପଥରେ ନେଇଯିବାକୁ ଚାହୁଁ । ନିଜ ଜୀବନକୁ ଦେଶହିତରେ ପରିବର୍ତ୍ତିତ କରିବାକୁ ଚାହୁଁ । ଗୋଟିଏ କଥା ଟିକେ ଆଗରୁ ଆପଣମାନଙ୍କୁ କହିବାକୁ ଇଚ୍ଛା ହେଉଛି । ଆଗାମୀ ମନ୍ କି ବାତରେ ଅବଶ୍ୟ ମୁଁ ସେ ବିଷୟରେ ସବିସ୍ତାର ଚର୍ଚ୍ଚା କରିବି । କିନ୍ତୁ ଆଜି ମୁଁ ଟିକେ ସୂଚନା ଦେଇ ଦେବାକୁ ଚାହେଁ ଯାହା ଫଳରେ ଆପଣମାନଙ୍କୁ ପ୍ରସ୍ତୁତ ହେବାପାଇଁ ସମୟ ମିଳିଯିବ । ଆପଣଙ୍କର ମନେଥିବ ଯେ ଅକ୍ଟୋବର 31 ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ । “ଏକ ଭାରତ, ଶ୍ରେଷ୍ଠ ଭାରତ” ହେଉଛି ଆମ ସମସ୍ତଙ୍କର ସ୍ୱପ୍ନ । ସେ ଉଦ୍ଦେଶ୍ୟରେ ପ୍ରତିବର୍ଷ ଆମେ ଅକ୍ଟୋବର 31ରେ ଦେଶରେ Run for Unity, ଏକତା ପାଇଁ ଦୌଡ଼ ଆୟୋଜିତ କରିଥାଉ । ବାଳକଠାରୁ ବୃଦ୍ଧ ଯାଏ ସବୁ ଲୋକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ହଜାର ହଜାର ସଂଖ୍ୟାରେ ହିନ୍ଦୁସ୍ତାନର ଲକ୍ଷ ଲକ୍ଷ ଗାଁଠାରୁ ସହରଯାଏ ସେଦିନ ଆମେ ଦୌଡ଼ିବା । ଆପଣମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଏ ବିଷୟରେ ଅଧିକ ଆଲୋଚନା ତ ପରେ କରିବି କିନ୍ତୁ ଏବେ ସମୟ ଅଛି, କିଛି ଲୋକ ଅଭ୍ୟାସ କରିପାରିବେ, କିଛି ଯୋଜନା ମଧ୍ୟ କରିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କର ମନେଥିବ, ଅଗଷ୍ଟ 15 ଦିନ ମୁଁ ଲାଲକିଲ୍ଲାରୁ କହିଥିଲି ଯେ 2022 ସୁଦ୍ଧା ଆପଣମାନେ ଭାରତର 15ଟି ସ୍ଥାନକୁ ଯାଆନ୍ତୁ । ଅତିକମରେ 15ଟି ସ୍ଥାନକୁ, ଯଦି ହୁଏ ଦିନେ ଦୁଇଦିନ ରହିବାର କାର୍ଯ୍ୟକ୍ରମ ମଧ୍ୟ ରଖନ୍ତୁ । ଆପଣମାନେ ହିନ୍ଦୁସ୍ତାନକୁ ଦେଖନ୍ତୁ, ବୁଝନ୍ତୁ ଏବଂ ଅନୁଭବ କରନ୍ତୁ । ଆମ ନିକଟରେ ଅନେକ ବିବିଧତା ରହିଛି । ଆଗାମୀ ଦୀପାବଳି ଉତ୍ସବ ପାଇଁ ଛୁଟିଦିନ ଆସୁଛି, ଲୋକମାନେ ନିଶ୍ଚିତ ରୂପରେ ଯାଆନ୍ତୁ, ତେଣୁ ମୁଁ ପୁଣି କହିବାକୁ ଚାହେଁ ଯେ ଆପଣ ଭାରତର ଯେକୌଣସି 15ଟି ସ୍ଥାନକୁ ଭ୍ରମଣ ଉଦ୍ଦେଶ୍ୟରେ ନିଶ୍ଚିତ ଭାବେ ଯାଆନ୍ତୁ ।

ମୋର ପ୍ରିୟ ଦେଶବାସୀ, ସେପ୍ଟେମ୍ବର 27 ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଗଲା । ପୃଥିବୀର କେତେକ ଦାୟିତ୍ୱସମ୍ପନ୍ନ ଏଜେନ୍ସି ପର୍ଯ୍ୟଟନର ରାଙ୍କିଂ ବି କରୁଛନ୍ତି । ଆପଣ ଜାଣି ଖୁସିହେବେ ଯେ ଭାରତ ଭ୍ରମଣ ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ବହୁତ ଉନ୍ନତି କରିଛି । ଏସବୁ ଆପଣମାନଙ୍କ ସହଯୋଗ ପାଇଁ ହୋଇପାରିଛି । ବିଶେଷକରି ଆପଣମାନେ ପର୍ଯ୍ୟଟନର ମହାତ୍ମ୍ୟ ବୁଝିବା ଯୋଗୁଁ ହିଁ ହୋଇଛି । ଏ କ୍ଷେତ୍ରରେ ସ୍ୱଚ୍ଛତା ଅଭିଯାନର ବି ବହୁତ ବଡ଼ ଯୋଗଦାନ ରହିଛି । କେତେ ଉନ୍ନତି ହୋଇଛି – ସେକଥା ମୁଁ କହିବି ? ଆପଣ ନିଶ୍ଚୟ ଆନନ୍ଦ ଅନୁଭବ କରିବେ । ଆଜି ଆମର ମାନ୍ୟତା ହେଉଛି 34 ଯାହା ପାଞ୍ଚ ବର୍ଷ ପୂର୍ବେ 64 ଥିଲା । ଅର୍ଥାତ୍ ଆମେମାନେ ଗୋଟିଏ ବଡ଼ ଲମ୍ଫ ପ୍ରଦାନ କରିଛନ୍ତି । ଯଦି ଆମେ ଆହୁରି ଚେଷ୍ଟା କରିବା, ତେବେ ସ୍ୱାଧୀନତାର 75 ବର୍ଷ ପୂରା ହେଲାବେଳକୁ ଆମେ ପର୍ଯ୍ୟଟନ କ୍ଷେତ୍ରରେ ଦୁନିଆର ପ୍ରମୁଖ ସ୍ଥାନ ଗ୍ରହଣ କରିପାରିବା ।

ମୋର ପ୍ରିୟ ଦେଶବାସୀ! ବିବିଧତା ଭରା ଭାରତବର୍ଷର ଭିନ୍ନ ଭିନ୍ନ ପର୍ବ ପାଇଁ ଆପଣମାନଙ୍କୁ ପୁଣିଥରେ, ବହୁତ ବହୁତ ଶୁଭକାମନା ଜଣାଉଛି । ହଁ ଦୀପାବଳି ସମୟରେ ବାଣ ଆଦି ଦ୍ୱାରା ଯେମିତି ଅଗ୍ନିକାଣ୍ଡ ନ ଘଟେ, ବା କୌଣସି ଲୋକଙ୍କ କ୍ଷତି ନ ହୁଏ ସେଥିପ୍ରତି ମଧ୍ୟ ନିଶ୍ଚୟ ଧ୍ୟାନ ଦେବେ । ଏଥିପାଇଁ ଯାହା ଯାହା ସାବଧାନତା ଆବଶ୍ୟକ ସେଭଳି ସାବଧାନତା ନିଶ୍ଚୟ ଆପଣାନ୍ତୁ । ଖୁସି ବି ହେବା ଉଚିତ, ଆନନ୍ଦ ବି ହେବା ଉଚିତ, ଉତ୍ସାହ ବି ରହିବା ଉଚିତ । ଆମର ଉତ୍ସବଗୁଡ଼ିକ ସାମୁହିକତାର ମହକ ନେଇଆସନ୍ତି ଆଉ ସାମୁହିକତାର ସଂସ୍କାର ମଧ୍ୟ ସୃଷ୍ଟି କରନ୍ତି । ସାମୁହିକ ଜୀବନ ହିଁ ଗୋଟିଏ ନୂତନ ସାମର୍ଥ୍ୟ ଦେଇଥାଏ । ନୂତନ ସାମର୍ଥ୍ୟ ପାଇଁ ସାଧନାର ମାର୍ଗ ହେଉଛି ଆମର ଉତ୍ସବ । ଆସନ୍ତୁ ମିଳିମିଶି, ଉତ୍ସାହ ଉଦ୍ଦୀପନାର ସହିତ ନୂତନ ସ୍ୱପ୍ନ, ନୂତନ ସଂକଳ୍ପ ନେଇ ଆମେ ଉତ୍ସବ ପାଳନ କରିବା । ଆପଣମାନଙ୍କୁ ପୁଣିଥରେ ବହୁତ ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ!