Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ମନ୍ କି ବାତ୍”ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018


ନମସ୍କାର । “ମନ କି ବାତ୍” ମାଧ୍ୟମରେ ପୁଣିଥରେ ଆପଣମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ । “ନାବିକ ସାଗର ପରିକ୍ରମା” – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି । ଭାରତର ଏହି ଛଅ ସୁପୁତ୍ରୀ – ତାଙ୍କର ସେହି ଦଳ 254 ଦିନ – 250ରୁ ବି ଅଧିକ ଦିନ ସମୁଦ୍ର ପଥରେ INSV ତାରିଣୀରେ ସାରା ବିଶ୍ୱ ଭ୍ରମଣ କରି ମେ’ ମାସ 21 ତାରିଖ ଦିନ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ସମଗ୍ର ଦେଶ ବହୁତ ଉତ୍ସାହର ସହିତ ସ୍ୱାଗତ କରିଛି । ବିଭିନ୍ନ ମହାସାଗର ଏବଂ ସାଗର ପଥରେ ଯାତ୍ରାକରି ସେମାନେ ପ୍ରାୟ 22,000 ନଟିକାଲ ମାଇଲ ଅତିକ୍ରମ କରିଛନ୍ତି । ଏହା ବିଶ୍ୱରେ ଏହି ଧରଣର ଏକ ସ୍ୱତନ୍ତ୍ର ଘଟଣା ଥିଲା ଗତ ବୁଧବାର ଦିନ ମୋତେ ଏହି ଝିଅମାନଙ୍କ ସହ ସାକ୍ଷାତ କରିବାର ସେମାନଙ୍କ ଅନୁଭୂତି ଶୁଣିବାର ସୁଯୋଗ ମିଳିଲା । ମୁଁ ପୁଣିଥରେ ଏହି ଝିଅମାନଙ୍କୁ ଏବଂ ସେମାନଙ୍କ ଦୁଃସାହାସକୁ – ଆମ ନୌବାହିନୀର ଗୌରବ ବୃଦ୍ଧି କରିଥିବା ହେତୁ, ଭାରତର ସମ୍ମାନ ବୃଦ୍ଧି କରିଥିବା ହେତୁ ଏବଂ ବିଶେଷକରି – ଭାରତର ଝିଅମାନେ କୌଣସି ଗୁଣରେ କମ୍ ନୁହଁନ୍ତି – ଏ ବାର୍ତ୍ତା ବିଶ୍ୱବାସୀଙ୍କୁ ଦେଇଥିବା ହେତୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । Sense of Adventureକୁ କିଏ ବା ନ ଜାଣେ? ଯଦି ଆମେ ମାନବ ଜାତିର ପ୍ରଗତିର ଯାତ୍ରା ଉପରେ ଦୃଷ୍ଟିନିକ୍ଷେପ କରିବା ତେବେ ଆମେ ଦେଖିବା ଯେ କିଛି ନା କିଛି ଦୁଃସାହସିକ କାର୍ଯ୍ୟରୁ ହିଁ ପ୍ରଗତିର ଆବିର୍ଭାବ ଘଟିଛି । ପ୍ରଗତି ଦୁଃସାହସିକ କାର୍ଯ୍ୟ (Adventure)ରୁ ହିଁ ତ ଜନ୍ମନିଏ । କିଛିକରି ଦେଖାଇବାର ଇଚ୍ଛାଶକ୍ତି, ଗତାନୁଗତିକ ଢଙ୍ଗରୁ ଦୂରେଇଯାଇ କିଛି କରିବାର ଇଚ୍ଛା, କୌଣସି ଅସାଧାରଣ କାର୍ଯ୍ୟକରି ଦେଖାଇବାର ଅଭିଳାଷ, ମୁଁ ବି କିଛି କରି ଦେଖାଇପାରେ – ମନରେ ଏହି ଭାବନା ପୋଷଣ କରୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇପାରେ କିନ୍ତୁ ଏମାନଙ୍କ କାର୍ଯ୍ୟ ଯୁଗ ଯୁଗ ଧରି କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ବିଗତ ଦିନମାନଙ୍କରେ ଏଭେରେଷ୍ଟ ପର୍ବତ ଉପରେ ବିଜୟଲାଭ କରିଥିବା ଲୋକଙ୍କ ବିଷୟରେ ଅନେକ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସିଥିବା ଆପଣମାନେ ଲକ୍ଷ୍ୟ କରିଥିବେ । ଶହ ଶହ ବର୍ଷଧରି ଏଭରେଷ୍ଟ ମାନବ ଜାତି ପାଇଁ ଆହ୍ୱାନ ସୃଷ୍ଟି କରିଆସିଛି ଏବଂ ସାହସୀ ବ୍ୟକ୍ତିମାନେ ଏହି ଆହ୍ୱାନକୁ ଗ୍ରହଣ କରିଆସିଛନ୍ତି ।

ମେ ମାସ 16 ତାରିଖ ଦିନ ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ଗୋଟିଏ ଆଶ୍ରମ–ବିଦ୍ୟାଳୟର 5 ଜଣ ଆଦିବାସୀ ଛାତ୍ର – ମନିଷା ଧୁର୍ବେ, ପ୍ରମେଶ ଆଲେ, ଉମାକାନ୍ତ ମଡୱି, କବିଦାସ କାତ୍ମୋଡ଼େ, ବିକାଶ ସୋୟାମ – ଆମର ଏହି ଆଦିବାସୀ ପିଲାମାନଙ୍କ ଦଳ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଉପରେ ବିଜୟ ଲାଭ କରିଛନ୍ତି । ଆଶ୍ରମ ବିଦ୍ୟାଳୟର ଏହି ଛାତ୍ରମାନେ ଅଗଷ୍ଟ 2017ରେ ଏଥିପାଇଁ ତାଲିମ ନେବା ଆରମ୍ଭ କରିଥିଲେ । ୱାର୍ଦ୍ଧା, ହାଇଦ୍ରାବାଦ, ଦାର୍ଜିଲିଂ, ଲେହ, ଲଦାଖଠାରେ ଏମାନେ ତାଲିମ ଗ୍ରହଣ କରିଥିଲେ । “ମିଶନ୍ ଶୌର୍ଯ୍ୟ” ଅଧିନରେ ଏହି ଯୁବକମାନଙ୍କୁ ଚୟନ କରାଯାଇଥିଲା ଏବଂ ମିଶନର ନାମକୁ ସାର୍ଥକ କରି ଏଭେରେଷ୍ଟ ବିଜୟ କରି ଏମାନେ ସାରା ଦେଶକୁ ଗୌରବାନ୍ୱିତ କରିଛନ୍ତି । ମୁଁ ଚନ୍ଦ୍ରପୁରର ବିଦ୍ୟାଳୟ କର୍ମଚାରୀମାନଙ୍କୁ, ମୋର ଏହି ଛୋଟ ସାଥିମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । କିଛିଦିନ ତଳେ ଷୋଳ ବର୍ଷ ବୟସ୍କା ଶିବାଙ୍ଗୀ ପାଠକ ନେପାଳ ତରଫରୁ ଏଭେରେଷ୍ଟ ବିଜୟ କରିବାରେ ସର୍ବକନିଷ୍ଠ ଭାରତୀୟ ମହିଳା ହୋଇପାରିଛନ୍ତି । ପୁତ୍ରୀ ଶିବାଙ୍ଗୀକୁ ଅନେକ ଅନେକ ଅଭିନନ୍ଦନ । ଅଜିତ ବଜାଜ ଏବଂ ତାଙ୍କ ସୁପୁତ୍ରୀ ଦିୟା ଏକତ୍ର ଏଭେରେଷ୍ଟ ବିଜୟ କରିବାରେ ପ୍ରଥମ ଭାରତୀୟ ପିତା-ପୁତ୍ରୀ ହୋଇପାରିଛନ୍ତି । କେବଳ ଯେ ଯୁବଗୋଷ୍ଠୀ ହିଁ ଏଭେରେଷ୍ଟ ପର୍ବତାରୋହଣ କରିଛନ୍ତି ତାହା ନୁହେଁ ମଇ 19 ତାରିଖରେ ସଙ୍ଗୀତା ବହଲ୍ ଏଭେରେଷ୍ଟ ପର୍ବତାରୋହଣ କରିଛନ୍ତି । ସଙ୍ଗୀତାଙ୍କ ବୟସ 50 ବର୍ଷରୁ ମଧ୍ୟ ଅଧିକ । ଏଭେରେଷ୍ଟ ବିଜୟ କରିଥିବା କିଛି ଲୋକ ଏକଥା ଦର୍ଶାଇଛନ୍ତି ଯେ, ସେମାନେ କେବଳ କୌଶଳର ଅଧିକାରୀ ନୁହନ୍ତି ବରଂ ସେମାନେ ସମ୍ବେଦନଶୀଳ ମଧ୍ୟ । ବିଗତ ଦିନରେ “ସ୍ୱଚ୍ଛ ଗଙ୍ଗା ଅଭିଯାନ” ଅନ୍ତର୍ଗତ ଈଝୠର ଗୋଟିଏ ଦଳ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରିଥିଲେ । କିନ୍ତୁ ଫେରିଲା ବେଳକୁ ସେମାନେ ନିଜ ସହ ବହୁ ମାତ୍ରାରେ ଅଳିଆ ଆବର୍ଜନା ଧରିଆସିଥିଲେ । ଏହି କାର୍ଯ୍ୟ ନିଶ୍ଚିତ ଭାବରେ ପ୍ରଶଂସନୀୟ । ତା’ସାଙ୍ଗକୁ ଏହା ସ୍ୱଚ୍ଛତା ପ୍ରତି ସେମାନଙ୍କ ସଂକଳ୍ପବଦ୍ଧତାକୁ ମଧ୍ୟ ଦର୍ଶାଉଛି । ଅନେକ ବର୍ଷ ଧରି ଲୋକମାନେ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରିଛନ୍ତି ଏବଂ ଅନେକେ ଏଥିରେ ସଫଳତା ମଧ୍ୟ ଲାଭ କରିଛନ୍ତି । ମୁଁ ଏହି ସମସ୍ତ ସାହସୀ ବୀରମାନଙ୍କୁ ବିଶେଷ କରି ଝିଅମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ ଆଉ ବିଶେଷକରି ମୋର ଯୁବବନ୍ଧୁଗଣ, ଏଇ ଦୁଇମାସ ଆଗରୁ ଯେତେବେଳେ ମୁଁ ଫିଟ ଇଣ୍ଡିଆ କଥା କହିଥିଲି ସେତେବେଳେ ଚିନ୍ତା କରିନଥିଲି ଯେ ଏକଥାକୁ ନେଇ ଏତେ ଭଲ ଉତ୍ତର ବା Response ମିଳିବ, ଏହାକୁ ସମର୍ଥନ କରି ପ୍ରତ୍ୟେକ କ୍ଷେତ୍ରରୁ ଏତେ ଲୋକ ଆଗେଇ ଆସିବେ, ଏହା ମୁଁ ଚିନ୍ତା ମଧ୍ୟ କରିନଥିଲି । ଫିଟ ଇଣ୍ଡିଆ କଥା କହିଲେ – ମୋ ମତରେ ଆମେ ଯେତେ ଅଧିକ ଖେଳିବା ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ସେତେ ଅଧିକ ଉନ୍ନତି କରିବ । ସାମାଜିକ ଗଣମାଧ୍ୟମରେ ଲୋକେ ଫିଟନେସ ଚାଲେଞ୍ଜର ଭିଡିଓଗୁଡ଼ିକୁ ବାଣ୍ଟୁଛନ୍ତି । ସେଥିରେ ପରସ୍ପରକୁ ଯୋଡି କରି ସେମାନଙ୍କୁ ଚଲେଞ୍ଜ କରୁଛନ୍ତି । ଫିଟ ଇଣ୍ଡିଆର ଏହି ଅଭିଯାନରେ ଆଜିକାଲି ସମସ୍ତେ ସାମିଲ ହେଉଛନ୍ତି । ଚଳଚ୍ଚିତ୍ର ଜଗତର ଲୋକେ ହୁଅନ୍ତୁ, କ୍ରୀଡ଼ାକ୍ଷେତ୍ରରୁ ହୁଅନ୍ତୁ, ଦେଶର ସାଧାରଣ ନାଗରିକ ହୁଅନ୍ତୁ, ସେନାବାହିନୀର ଯବାନ ହୁଅନ୍ତୁ, ସ୍କୁଲ ଶିକ୍ଷକ ହୁଅନ୍ତୁ, ଚତୁର୍ଦ୍ଦିଗରୁ କେବଳ ଗୋଟିଏ ସ୍ୱର ଶୁଭୁଛି – “ଆମେ ଫିଟ ତ ଇଣ୍ଡିଆ ଫିଟ” । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମୋତେ ଚାଲେଞ୍ଜ କରିବା, ମୋ ପାଇଁ ଆନନ୍ଦର କଥା ଏବଂ ମୁଁ ମଧ୍ୟ ତାଙ୍କ ଚାଲେଞ୍ଜକୁ ଗ୍ରହଣ କରିଛି । ମୋ ମତରେ ଏହା ଖୁବ୍ ଭଲ କଥା କାରଣ ଏଭଳି ଚାଲେଞ୍ଜ ଆମକୁ ନିଜକୁ ଫିଟ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ଫିଟ ରହିବା ପାଇଁ ପ୍ରୋତ୍ସାହିତ କରିବ ।

ମୋର ପ୍ରିୟ ଦେଶବାସୀଗଣ, “ମନ୍ କି ବାତ୍”ରେ ଆଗରୁ ଅନେକ ଥର ଆପଣମାନେ ମୋ’ଠାରୁ ଖେଳ ବିଷୟରେ, ଖେଳାଳିମାନଙ୍କ ବିଷୟରେ କିଛି ନା କିଛି କଥା ଶୁଣିଛନ୍ତି । ଗତଥର ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମର ନାୟକ, ନିଜ ମନକଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ କହିଥିଲେ ।

“ନମସ୍କାର ସାର୍, ମୁଁ ଛବି ଯାଦବ, ନୋଇଡାରୁ କହୁଛି । ମୁଁ ଆପଣଙ୍କ “ମନ କି ବାତ୍”ର ଜଣେ ନିୟମିତ ଶ୍ରୋତା ଆଉ ଆଜି ଆପଣଙ୍କୁ ନିଜ ମନକଥା କହିବାକୁ ଚାହୁଁଛି । ଆଜିକାଲି ଗ୍ରୀଷ୍ମଛୁଟି ଆରମ୍ଭ ହୋଇଯାଇଛି । ଜଣେ ମା’ ହିସାବରେ ମୁଁ ଦେଖୁଛି ଯେ, ପିଲାମାନେ ଅଧିକାଂଶ ସମୟ ଇଣ୍ଟରନେଟ ଗେମ୍ସ ବା ଖେଳରେ ହିଁ ବିତାଉଛନ୍ତି । ଅଥଚ ଆମ ପିଲାବେଳେ ଆମେ ବାହାରେ ପଡିଆରେ ପାରମ୍ପରିକ ଖେଳ ଖେଳୁଥିଲୁ । ଯେଉଁଗୁଡ଼ିକ ପ୍ରାୟତଃ outdoor ଗେମ୍ସ ଥିଲା । ଯେମିତିକି ଗୋଟିଏ ଖେଳ ଥିଲା ଯେଉଁଥିରେ 7ଟି ପଥର ଖଣ୍ଡ ଗୋଟିକ ଉପରେ ଗୋଟିଏ କରି ରଖାଯାଉଥିଲା ସେଗୁଡ଼ିକୁ ବଲ୍ ସାହାଯ୍ୟରେ ମାରିବାକୁ ହେଉଥିଲା । ତା’ଛଡ଼ା ଉଠା-ପକା, ଖୋ ଖୋ ଏଭଳି ଖେଳ ସବୁ ଥିଲା ଯାହା ଆଜିକାଲି ପ୍ରାୟ ହଜିଗଲାଣି । ବର୍ତ୍ତମାନର ପିଢ଼ିକୁ ପାରମ୍ପରିକ ଖେଳ ବିଷୟରେ କିଛି କହିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଛି ଯାହାଫଳରେ ସେମାନେ ମଧ୍ୟ ଏହି ଖେଳଗୁଡ଼ିକ ପ୍ରତି ଆକୃଷ୍ଟ ହେବେ । ଧନ୍ୟବାଦ ।”

ଛବି ଯାଦବ ଜୀ, ଆପଣଙ୍କ ଫୋନକଲ୍ ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ । ଏକଥା ସତ ଯେ ପ୍ରତ୍ୟେକ ଗଳିକନ୍ଦିରେ ଖେଳାଯାଉଥିବା ଏହି ଖେଳଗୁଡ଼ିକ ଯାହା ପିଲାମାନଙ୍କ ଜୀବନର ବିଶେଷ ଅଙ୍ଗ ଥିଲା ସେଗୁଡ଼ିକ ଆଜିକାଲି କମି କମି ଯାଉଛି । ଏହି ଖେଳଗୁଡ଼ିକ ଖରାଛୁଟିର ଗୋଟିଏ ବିଶେଷ ଅଂଶ ଥିଲା । କେତେବେଳେ ଦି’ପହରରେ ତ କେତେବେଳେ ରାତିରେ ଭୋଜନ ପରେ ଚିନ୍ତାମୁକ୍ତ ହୋଇ ପିଲାମାନେ ଘଂଟା ଘଂଟା ଧରି ଏହି ଖେଳ ଖେଳୁଥିଲେ । କିଛି ଖେଳ ତ ଏମିତି ଥିଲା ଯାହାକୁ ସାରା ପରିବାର ମିଶି ଖେଳୁଥିଲା । ଗୋଲି ଖେଳ, ଖୋ ଖୋ ହେଉ, ନଟୁ ହେଉ କି ଗୁଚିତାଣ୍ଡୁ ଏମିତି କେଜାଣି କେତେ ଖେଳ କାଶ୍ମୀରଠାରୁ କନ୍ୟାକୁମାରୀ ଯାଏ, କଚ୍ଛଠାରୁ କାମରୁପ ଯାଏ ପ୍ରତ୍ୟେକଙ୍କ ବାଲ୍ୟକାଳର ଅଭିନ୍ନ ଅଙ୍ଗ ଥିଲା । ହୁଏତ ବିଭିନ୍ନ ଜାଗାରେ ଏହାକୁ ଭିନ୍ନ ଭିନ୍ନ ନାମରେ ଜାଣିଥିବେ – ଯେମିତିକି ପିଠ୍ଠୁ ଖେଳଟି ଅନେକ ନାମରେ ପରିଚିତ । କେଉଁଠି ଲାଗୋରି, କେଉଁଠି ସାତୋଲିଆ, ସାତ୍ ପଥ୍ଥର, ଡିକୋରୀ, ସତୋଦିଆ କେଜାଣି କେତେ ନାଁରେ ଏହି ଖେଳ ପରିଚିତ । ପାରମ୍ପରିକ ଖେଳରେ ଉଭୟ ପ୍ରକାର ଖେଳ ରହିଛି । ଘର ବାହାରେ ପଡିଆରେ ଅଛି, Indoor ମଧ୍ୟ ଅଛି । ଆମ ଦେଶର ବିବିଧତା ପଛରେ ଲୁଚିରହିଥିବା ଏକତା ମଧ୍ୟ ଏହି ଖେଳଗୁଡ଼ିକରେ ଦେଖିବାକୁ ମିଳେ । ସେହି ଗୋଟିଏ ଖେଳ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ପରିଚିତ । ମୁଁ ଗୁଜରାଟର ଲୋକ । ମୁଁ ଜାଣିଛି ସେଠାକାର ଗୋଟିଏ ଖେଳକୁ ଚୋମଲ ଇସ୍ରୋ କହନ୍ତି, ଏହା କଉଡ଼ି, ତେନ୍ତୁଳି ମଞ୍ଜି କିମ୍ବା ୟସମର ସାହାଯ୍ୟରେ ଲମ୍ବ ଏବଂ ପ୍ରସ୍ଥରେ ଆଠଟି ଲେଖାଏଁ ଘରଥିବା ବର୍ଗାକାର ବୋର୍ଡ ଉପରେ ଖେଳାଯାଏ । ଏହି ଖେଳଟି ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରହିଛି । କର୍ଣ୍ଣାଟକରେ ଏହାକୁ ଚୌକାବାରା କହୁଥିଲେ ମଧ୍ୟପ୍ରଦେଶରେ ଅଭୁ, କେରଳରେ ପିକଡାକଲି ତ ମହାରାଷ୍ଟ୍ରରେ ଚମ୍ପଲ, ତାମିଲନାଡୁରେ ଦାୟାମ୍ ଓ ଥାୟାମ୍ ତ ପୁଣି ରାଜସ୍ଥାନରେ ଚଙ୍ଗାପୋ କେଜାଣି କେତେ ନାଁ ଥିଲା ଏହି ଖେଳର । ସେ ରାଜ୍ୟର ଲୋକ ଅନ୍ୟ ରାଜ୍ୟର ଭାଷା ନ ଜାଣି ଥାଇପାରେ କିନ୍ତୁ ଦେଖିଲେ କହିବ ଯେ ଏ ଖେଳଟି ପରା ଆମେ ବି ଖେଳୁ । ଆମ ଭିତରୁ ଏମିତି କିଏ ଥିବ ଯିଏ ପିଲାଦିନେ ଗୁଚିତାଣ୍ଡୁ ନ ଖେଳିଥିବ? ଏହି ଖେଳ ତ ଗାଁଠାରୁ ସହର ଯାଏ ସବୁଠି ଖେଳାହୁଏ । ଦେଶର ବିଭିନ୍ନ ଅଂଚଳରେ ଏହାକୁ ଭିନ୍ନ ଭିନ୍ନ ନାମରେ ଜାଣନ୍ତି । ଆନ୍ଧ୍ରପ୍ରଦେଶରେ ଏହାକୁ ଗୋଟିବିଲ୍ଲା ବା କର୍ରାବିଲ୍ଲା ନାମରେ ଜାଣନ୍ତି ଓଡ଼ିଶାରେ ଏହାକୁ ଗୁଲିବାଡି କହନ୍ତି ତ ମହାରାଷ୍ଟ୍ରରେ ବିତିଡାଲୁ କହନ୍ତି । କିଛି ଖେଳର ନିର୍ଦ୍ଦିଷ୍ଟ ଋତୁ ରହିଛି । ଯେମିତିକି ଗୁଡ଼ି ଉଡ଼ାଇବାର ନିର୍ଦ୍ଦିଷ୍ଟ ଗୋଟିଏ ଋତୁ ରହିଛି ଯେବେ ସମସ୍ତେ ଗୁଡ଼ି ଉଡାନ୍ତି । ଖେଳିବା ସମୟରେ ଆମେ ଆମ ଭିତରେ ଥିବା ଅଦ୍ୱିତୀୟ ଗୁଣଗୁଡ଼ିକୁ ବିନା ବାଧାରେ ପ୍ରକାଶ କରିପାରୁ । ଆପଣମାନେ ଲକ୍ଷ୍ୟ କରିଥିବେ – କିଛି ଲାଜକୁଳା ପିଲା ମଧ୍ୟ ଖେଳିବା ସମୟରେ ବେଶ୍ ତତ୍ପର ହୋଇଉଠନ୍ତି । ନିଜକୁ ପରିପ୍ରକାଶ କରନ୍ତି । ଗମ୍ଭୀର ମୁଦ୍ରାରେ ଥିବା ବ୍ୟକ୍ତିଠାରେ ମଧ୍ୟ ଖେଳିବା ସମୟରେ ତା’ ଭିତରେ ଲୁଚି ରହିଥିବା ପିଲାଟି ବାହାରିଆସେ ।

ପାରମ୍ପରିକ ଖେଳଗୁଡ଼ିକ ଏପରି ଭାବେ ସୃଷ୍ଟି ହୋଇଛି ଯଦ୍ୱାରା ଶାରୀରିକ କ୍ଷମତା ସହ ଆମର ତର୍କନିଷ୍ଠ ଚିନ୍ତନ, ଏକାଗ୍ରତା, ସଚେତନତା ଓ ସ୍ଫୁର୍ତ୍ତି ମଧ୍ୟ ସମୃଦ୍ଧ ହୋଇଥାଏ । ଏହାବ୍ୟତୀତ ଖେଳର ଅର୍ଥ କେବଳ ଖେଳ ନୁହେଁ, ଜୀବନର ମୂଲ୍ୟବୋଧକୁ ଶିକ୍ଷା ଦେବାର ମାଧ୍ୟମ ମଧ୍ୟ । କେମିତି ଲକ୍ଷ୍ୟପ୍ରାପ୍ତ କରିବା, ଦୃଢ଼ ମନୋବଳ ହାସଲ କରିବା, ପରସ୍ପରକୁ ସହଯୋଗ କରିବା ତଥା ସାମୂହିକ ଉତ୍ସାହ ସୃଷ୍ଟି କରିବା ଇତ୍ୟାଦି ଖେଳ ଦ୍ୱାରା ହିଁ ଶିଖିବାକୁ ମିଳେ । ବିଗତ ଦିନଗୁଡ଼ିକରେ ମୁଁ ଦେଖୁଥିଲି ଯେ ବ୍ୟାପାର ପ୍ରବନ୍ଧନ ସହ ସମ୍ପୃକ୍ତ ତାଲିମ କାର୍ଯ୍ୟକ୍ରମଗୁଡ଼ିକରେ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଆନ୍ତରିକ ସମ୍ପର୍କ ଜନିତ ଦକ୍ଷତା ବୃଦ୍ଧି ନିମନ୍ତେ ଆଜିକାଲି ପାରମ୍ପରିକ ଖେଳଗୁଡ଼ିକର ବ୍ୟବହାର ହେଉଛି । ବ୍ୟକ୍ତିର ସାମଗ୍ରିକ ବିକାଶରେ ଏହି ଖେଳଗୁଡ଼ିକ ଉପଯୋଗୀ ସାବ୍ୟସ୍ତ ହେଉଛି । ଏହି ଖେଳଗୁଡ଼ିକୁ ଖେଳିବାର କୌଣସି ନିର୍ଦ୍ଦିଷ୍ଟ ବୟସର ବନ୍ଧନ ବି ନାହିଁ । ପିଲାମାନଙ୍କଠାରୁ ଆରମ୍ଭ କରି ଜେଜେବାପା – ଜେଜେମା’, ଅଜା-ଆଈ ପର୍ଯ୍ୟନ୍ତ ଯେତେବେଳେ ଏହି ଖେଳଗୁଡ଼ିକୁ ଖେଳିପାରୁଛନ୍ତି, ସେତେବେଳେ ପିଢିଗତ ବ୍ୟବଧାନ କଥା ମହତ୍ୱହୀନ ଲାଗୁଛି । ଏହାସହିତ ଆମେମାନେ ନିଜର ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନଲାଭ କରୁଛୁ । କିଛି ଖେଳ ମଧ୍ୟ ଆମମାନଙ୍କୁ ସମାଜ, ପରିବେଶ ଇତ୍ୟାଦି ସମ୍ବନ୍ଧରେ ସଚେତନ କରୁଛି । କେବେ କେବେ ମନରେ ପ୍ରଶ୍ନ ଉଠୁଛି, ଆମର ଏହି ପାରମ୍ପରିକ ଖେଳଗୁଡ଼ିକ ବିଲୁପ୍ତ ହୋଇଯିବନି ତ? ଯଦି ଏପରି ହୁଏ, ତାହେଲେ କେବଳ ଖେଳଗୁଡ଼ିକ ବିଲୁପ୍ତ ହେବନାହିଁ, ଆମର ପିଲାଦିନର ସ୍ମୃତି ସବୁ ବିଲୁପ୍ତ ହୋଇଯିବ । ସେତେବେଳେ ଆମେମାନେ କେବଳ ଏହି କବିତା ପଂକ୍ତିଗୁଡ଼ିକୁ ଶୁଣିବାକୁ ପାଇବା –

ୟହ ଦୌଲତ ଭି ଲେ ଲୋ

ୟହ ଶୌହରତ ଭି ଲେ ଲୋ

ଭଲେ ଛିନ୍ ଲୋ ମୁଝସେ ମେରୀ ଯବାନୀ

ମଗର ମୁଝକୋ ଲୌଟା ଦୋ ବଚପନ କା ସାବନ

ବୋ କାଗଜ କି କସ୍ତି, ବୋ ବାରିଶ କା ପାନି

ଏହି ପାରମ୍ପରିକ ଖେଳଗୁଡ଼ିକୁ ବିଲୁପ୍ତ ହେବାକୁ ନ ଦେବାପାଇଁ ଆମମାନଙ୍କୁ ପ୍ରୟାସରତ ହେବାକୁ ପଡ଼ିବ । ଏଣୁ ଆଜିର ଆବଶ୍ୟକତା ଏହା ଯେ ଏହି ଖେଳଗୁଡ଼ିକର ବିକାଶ ନିମନ୍ତେ ବିଦ୍ୟାଳୟଗୁଡ଼ିକ ସହିତ ସାହି-ବସ୍ତି ତଥା ଯୁବ ସମାଜକୁ ଆଗେଇ ଆସିବାକୁ ହେବ । Crowd Sourcing ବା ଜନତା-ଅମଳ ଦ୍ୱାରା ଆମେମାନେ ନିଜର ପାରମ୍ପରିକ ଖେଳଗୁଡ଼ିକର ଏକ ବିଶାଳ Archives ବା ସଂଗ୍ରହାଳୟ ନିର୍ମାଣ କରିପାରିବା । ଏହି ଖେଳଗୁଡ଼ିକର ଭିଡିଓ ତିଆରି କରାଯାଇପାରେ ଯେଉଁଥିରେ ଖେଳଗୁଡ଼ିକର ନିୟମ ତଥା ଖେଳଗୁଡ଼ିକୁ ଖେଳିବାର ବିଭିନ୍ନ କୌଶଳ ପ୍ରଦର୍ଶିତ କରାଯାଇପାରିବ । Animation Film ମଧ୍ୟ ତିଆରି କରାଯାଇପାରେ । ଏହାଦ୍ୱାରା ଆମର ନୂତନ ବଂଶଧରମାନେ ସାହି-ବସ୍ତିରେ ଖେଳାଯାଉଥିବା ଏହି ପାରମ୍ପରିକ ଖେଳଗୁଡ଼ିକୁ ଦେଖିବାର ସୁଯୋଗ ପାଇବେ ତଥା ଖେଳି ଆନନ୍ଦ ପାଇବେ, ଯେଉଁମାନଙ୍କ ପାଇଁ କେବେ କେବେ ଏହି ଖେଳଗୁଡ଼ିକ ଆଶ୍ଚର୍ଯ୍ୟଜନକ ଅଟେ ।

ମୋ ପ୍ରିୟ ଦେଶବାସୀଗଣ । ଆଗାମୀ ଜୁନ୍ 5 ତାରିଖରେ ଆମ ଦେଶ ଭାରତକୁ ବିଶ୍ୱ ପରିବେଶ ଦିବସ ସମାରୋହ ଆୟୋଜିତ କରିବାର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ଆମ ଦେଶ ପାଇଁ ଏକ ଗୌରବର ବିଷୟ ତଥା ସମଗ୍ର ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ କମାଇବା ଦିଗରେ ଭାରତର ନେତୃତ୍ୱକୁ ମିଳୁଥିବା ସ୍ୱୀକୃତିର ପରିଚାୟକ ମଧ୍ୟ । ଏ ବର୍ଷର ବିଶ୍ୱ ପରିବେଶ ଦିବସ ସମାରୋହର Theme ବା ପ୍ରସଙ୍ଗ ରଖାଯାଇଛି – Beat Plastic Pollution ବା ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଅ । ମୋର ଆପଣ ସମସ୍ତଙ୍କୁ ନିବେଦନ ଯେ ଏହି ପ୍ରସଙ୍ଗର ମୂଳ ଅର୍ଥକୁ ତଥା ଏହାର ମହତ୍ୱକୁ ହୃଦୟଙ୍ଗମ କରିବା ସହ ଆପଣମାନେ ପଲିଥିନ, ନିମ୍ନମାନର ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ନିଷ୍ପତ୍ତି ନିଅନ୍ତୁ ତଥା ପ୍ଲାଷ୍ଟିକ ପ୍ରଦୂଷଣର ଯେଉଁ ଏକ ନକାରାତ୍ମକ ପ୍ରଭାବ ଆମ ପ୍ରକୃତି ଉପରେ, ବନ୍ୟଜୀବ ଉପରେ ତଥା ଆମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି, ତାକୁ କମ୍ କରିବାର ଚେଷ୍ଟା କରନ୍ତୁ । ବିଶ୍ୱ ପରିବେଶ ଦିବସର ୱେବସାଇଟ wed-india2018 କୁ ଯାଆନ୍ତୁ ଏବଂ ସେଠାରେ ପ୍ରଦତ୍ତ ସୁନ୍ଦର ପରାମର୍ଶଗୁଡ଼ିକୁ ପଢ଼ନ୍ତୁ, ଜାଣନ୍ତୁ ଏବଂ ନିଜ ନିଜର ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାର ଚେଷ୍ଟା କରନ୍ତୁ । ଯେତେବେଳେ ଭୟଙ୍କର ଗରମ ଅନୁଭୂତ ହୁଏ, ସେତେବେଳେ ବନ୍ୟା ଆସେ । ବର୍ଷା ହେବା ମଧ୍ୟ କମ୍ ହୁଏନାହିଁ । ଅସହ୍ୟ ଥଣ୍ଡା ପଡ଼ିଲେ ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ବିଶାରଦ ହୋଇ ବିଶ୍ୱ ତାପମାନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ମତାମତ ଦେବାରେ ଲାଗନ୍ତି । କିନ୍ତୁ ଏ ପ୍ରକାର ଚର୍ଚ୍ଚା ଦ୍ୱାରା କ’ଣ ବା ଲାଭ? ପ୍ରକୃତି ପ୍ରତି ଉଦାର ହେବା, ପ୍ରକୃତିର ସୁରକ୍ଷା କରିବା ଆମମାନଙ୍କର ସହଜାତ ଗୁଣ ହେବା ଆବଶ୍ୟକ । ଏହା ଆମ ସଂସ୍କାରରେ ରହିବା ଦରକାର । ବିଗତ କିଛି ସପ୍ତାହମାନଙ୍କରେ ଆମେମାନେ ସମସ୍ତେ ଦେଖିଛୁ ଯେ ଦେଶର ଭିନ୍ନ-ଭିନ୍ନ ଅଂଚଳମାନଙ୍କରେ କାଳବୈଶାଖୀର ପ୍ରକୋପ ସହିତ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଲା ଯାହାକି ଋତୁଚକ୍ରର ବ୍ୟତିକ୍ରମ ଅଟେ । ଜନସମ୍ପଦ ସହିତ ଧନସମ୍ପଦର କ୍ଷତି ମଧ୍ୟ ହେଲା । ଏ ସମସ୍ତ ଘଟଣା ମୁଖ୍ୟତଃ ପାଣିପାଗ ଧାରାରେ ଦେଖାଦେଉଥିବା ପରିବର୍ତ୍ତନର ପରିଣାମ । ଆମ ସଂସ୍କୃତି ଓ ଆମ ପରମ୍ପରା ଆମମାନଙ୍କୁ ପ୍ରକୃତି ସହ ସଂଘର୍ଷ କରିବାର ଶିକ୍ଷା ଦେଇନାହିଁ । ଆମମାନଙ୍କୁ ପ୍ରକୃତି ସହ ସଦ୍ଭାବ କରି ରହିବାର ତଥା ପ୍ରକୃତି ସହିତ ମିଶିକରି ରହିବା ଦରକାର । ମହାତ୍ମାଗାନ୍ଧୀ ନିଜର ସମଗ୍ର ଜୀବନକାଳରେ ପ୍ରତିଟି କ୍ଷେତ୍ରରେ ଏହି କଥାର ମହତ୍ୱ ପ୍ରତିପାଦିତ କରିଥିଲେ । ଆଜି ଯେତେବେଳେ ଭାରତ climate justice ବା ଜଳବାୟୁ ନ୍ୟାୟ ର କଥା କହୁଛି, COP-21 ଏବଂ ପ୍ୟାରିସ ରାଜିନାମାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ତଥା International Solar Alliance ବା ଆନ୍ତର୍ଜାତିକ ସୌର ମେଣ୍ଟ ମାଧ୍ୟମରେ ସମଗ୍ର ସଂସାରକୁ ଆମେ ଏକତ୍ର କରିଛୁ ତାହେଲେ, ଏସବୁ ମୂଳରେ ମହାତ୍ମାଗାନ୍ଧୀଙ୍କର ସେହି ସ୍ୱପ୍ନକୁ ସାକାର କରିବାର ଉଦ୍ଦେଶ୍ୟ ମଧ୍ୟ ସନ୍ନିହିତ ରହିଛି । ଏହି ପରିବେଶ ଦିବସରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଦରକାର ଯେ ଆମେ ନିଜର ଗ୍ରହକୁ ସ୍ୱଚ୍ଛ ଏବଂ ସବୁଜିମାଭରା କରି ରଖିବା ପାଇଁ କ’ଣ କରିପାରିବା? ଏ ଦିଗରେ କେଉଁସବୁ ଉପାୟ ଅବଲମ୍ବନ କରିବା? କ’ଣ ସବୁ ନୂତନ ପରିକଳ୍ପନା କରିପାରିବା? ବର୍ଷାଋତୁ ଆସୁଛି । ଏ ବର୍ଷ ରେକର୍ଡ ସଂଖ୍ୟାରେ ବୃକ୍ଷରୋପଣର ଲକ୍ଷ୍ୟ ରଖିପାରିବା ଏବଂ କେବଳ ବୃକ୍ଷରୋପଣ ନୁହେଁ, ବୃକ୍ଷଗୁଡ଼ିକ ବଡ଼ ହେବାଯାଏ ତା’ର ସୁରକ୍ଷାର ବ୍ୟବସ୍ଥା ବି କରିବା ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀଗଣ ମୁଖ୍ୟତଃ ମୋ ନବଯୁବକ ବନ୍ଧୁଗଣ । ଆପଣମାନେ ଜୁନ୍ 21କୁ ସବୁବେଳେ ମନେ ରଖନ୍ତି । କେବଳ ଆପଣମାନେ ଓ ଆମେମାନେ ନୁହନ୍ତି, ସମଗ୍ର ବିଶ୍ୱ ଜୁନ୍ 21କୁ ମନେରଖେ । ସମଗ୍ର ବିଶ୍ୱରେ ଜୁନ୍ 21 ତାରିଖ ‘ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ’ ରୂପେ ପାଳିତ ହୁଏ ଏବଂ ଏହା ସର୍ବସ୍ୱୀକୃତ ହୋଇସାରିଛି । କିଛିମାସ ପୂର୍ବରୁ ଏହି ଦିବସ ପାଳନ ନିମନ୍ତେ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଏ ବର୍ଷ ଖବର ମିଳିବାରେ ଲାଗିଛି ଯେ ସମଗ୍ର ବିଶ୍ୱରେ ଜୁନ୍ 21ରେ ଅନ୍ତଃରାଷ୍ଟ୍ରୀୟ ଯୋଗଦିବସ ପାଳନ କରିବା ନିମନ୍ତେ ଜୋରସୋର୍ ପ୍ରସ୍ତୁତି ହେଉଛି । ‘ଏକତା ଓ ସାମାଜିକ ସୌହାର୍ଦ୍ଦ୍ୟ’ ପାଇଁ ଯୋଗ – ଏହି ସନ୍ଦେଶକୁ ବିଶ୍ୱବାସୀ କିଛିବର୍ଷ ପୂର୍ବରୁ ହୃଦୟଙ୍ଗମ କରିଅଛନ୍ତି । ସଂସ୍କୃତର ମହାନ୍ କବି ଭର୍ତ୍ତୃହରି କେତେ ଶତାବ୍ଦୀ ପୂର୍ବେ ନିଜ ‘ଶତକତ୍ରୟମ୍’ରେ ଲେଖିଥିଲେ –

‘ଧୈର୍ଯ୍ୟଂ ଯସ୍ୟ ପିତା କ୍ଷମା ଚ ଜନନୀ ଶାନ୍ତି ଶ୍ଚିରଂ ଗେହିନୀ

ସତ୍ୟଂ ସୁନୁରୟଂ ଦୟା ଚ ଭଗିନୀ ଭ୍ରାତା ମନଃ ସଂଯମଃ ।

ଶଯ୍ୟା ଭୂମିତଳଂ ଦିଶୋପି ବସନଂଜ୍ଞାନାମୃତଂ ଭୋଜନଂ

ଏତେ ଯସ୍ୟ କୁଟିମ୍ବିନଃ ବଦ ସଖେ କସ୍ମାଦ୍ ଭୟଂ ଯୋଗିନଃ ।’

କେତେ ଶତାବ୍ଦୀ ପୂର୍ବେ କୁହାଯାଇଥିବା ଏହି କଥାର ପ୍ରତ୍ୟକ୍ଷ ଅର୍ଥ ଏହା ଯେ ନିୟମିତ ଯୋଗ ଅଭ୍ୟାସ କରିବା ଦ୍ୱାରା କେତେକ ଭଲ ଗୁଣ ପ୍ରିୟଜନ ଓ ମିତ୍ରଙ୍କ ପରି ସହାୟକ ହୋଇଥାଏ । ଯୋଗ କରିବା ଦ୍ୱାରା ମନରେ ସାହସ ସୃଷ୍ଟି ହୁଏ ଯାହା ସର୍ବଦା ପିତା ପରି ଆମର ରକ୍ଷା କରିଥାଏ । କ୍ଷମାଗୁଣ ବି ଉତ୍ପନ୍ନ ହୁଏ ଯେପରି ମା’ର ନିଜ ସନ୍ତାନମାନଙ୍କ ପ୍ରତି ରହିଥାଏ ତଥା ମାନସିକ ଶାନ୍ତି ଆମର ଚିରମିତ୍ରର ଭୂମିକା ଗ୍ରହଣ କରେ । ଭର୍ତ୍ତୃହରି କହିଛନ୍ତି ଯେ ନିୟମିତ ଯୋଗ କରିବା ଦ୍ୱାରା ସତ୍ୟ ଆମର ସନ୍ତାନ, ଦୟା ଆମର ଭଗିନୀ, ଆତ୍ମସଂଯମ ଆମର ଭ୍ରାତା, ସ୍ୱୟଂ ଧରିତ୍ରୀ ଆମର ଶଯ୍ୟା ଏବଂ ଜ୍ଞାନ ଆମର କ୍ଷୁଧାନିବାରକ ହୋଇଥାଏ । ଯେତେବେଳେ ଏସବୁ ଗୁଣଗୁଡ଼ିକ କୌଣସି ବ୍ୟକ୍ତିର ମିତ୍ର ହୋଇଯାଏ, ସେତେବେଳେ ଯୋଗୀ ସବୁ ପ୍ରକାରର ଭୟ ଉପରେ ବିଜୟପ୍ରାପ୍ତ କରିନିଏ । ଆଉଥରେ ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ଯେ ଆପଣମାନେ ଯୋଗର ଐତିହ୍ୟକୁ ବିକଶିତ କରାନ୍ତୁ ଏବଂ ଏକ ସୁସ୍ଥ, ସମୃଦ୍ଧ ଓ ସଦ୍ଭାବପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ ଆଜି ମେ ମାସ 27 ତାରିଖ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପୁଣ୍ୟତିଥି । ମୁଁ ପଣ୍ଡିତଜୀଙ୍କୁ ପ୍ରଣାମ କରୁଛି । ଏହି ମେ ମାସ ଆଉ ଗୋଟିଏ ସ୍ମୃତି ସହିତ ବି ଜଡ଼ିତ ଆଉ ସେଇଟି ହେଲା ବୀର ସାବରକରଙ୍କ କଥା । 1857ରେ ସେ ମାସଟି ଏହି ମେ ମାସ ହିଁ ଥିଲା ଯେତେବେଳେ ଭାରତବାସୀ ଇଂରେଜମାନଙ୍କୁ ନିଜ ଶକ୍ତିର ପରିଚୟ ଦେଇଥିଲେ । ଦେଶର ଅନେକ ଭାଗରେ ଆମର ଯୱାନ ଏବଂ କୃଷକମାନେ ସାହସର ସହିତ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିଥିଲେ । ଦୁଃଖର କଥା ଦୀର୍ଘଦିନ ପର୍ଯ୍ୟନ୍ତ ଆମେମାନେ 1857ର ଏହି ମହତ୍ୱପୂର୍ଣ୍ଣ ଘଟଣାଟିକୁ ଖାଲି ବିଦ୍ରୋହ ବା ସିପାହୀ ବିଦ୍ରୋହ ବୋଲି କହିଚାଲିଲେ । ବାସ୍ତବରେ ସେହି ଘଟଣାଟିକୁ ଅତି ହାଲ୍କା ଭାବରେ ନିଆଯାଇଥିଲା ତା’ନୁହେଁ ବରଂ ଏହା ଆମର ସ୍ୱାଭିମାନ ପାଇଁ ମଧ୍ୟ ଧକ୍କା ଦେବାର ପ୍ରୟାସ ଥିଲା । ସେ ବୀର ସାବରକର୍ ହିଁ ଥିଲେ ଯିଏକି ନିର୍ଭୀକ ଭାବରେ ଲେଖିଲେ ଯେ 1857ରେ ଯାହା ଘଟିଥିଲା ସେ କୌଣସି ବିଦ୍ରୋହ ନ ଥିଲା ବରଂ ତାହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଥିଲା । ସାବରକରଙ୍କ ସହିତ ଲଣ୍ଡନର India House ଇଣ୍ଡିଆ ହାଉସର ବୀରମାନେ ତା’ର 50 ବର୍ଷ ପୂର୍ତ୍ତି ଉତ୍ସବ ଅତ୍ୟନ୍ତ ଧୁମଧାମ୍ ସହ ପାଳନ କରିଥିଲେ । ଏହା ମଧ୍ୟ ଏକ ଅଦ୍ଭୁତ ସଂଯୋଗ ଥିଲା ଯେ ଯେଉଁ ମାସରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସଂଗଠିତ ହୋଇଥିଲା ସେହି ମାସରେ ସାବରକର ଜନ୍ମଗ୍ରହଣ କରିଥିଲେ । ସାବରକରଙ୍କ ବ୍ୟକ୍ତିତ୍ୱର ଅନେକ ବିଶେଷତ୍ୱ ଥିଲା । ସେ ଶସ୍ତ୍ର ଏବଂ ଶାସ୍ତ୍ର ଉଭୟର ଉପାସକ ଥିଲେ । ବୀର ସାବରକରଙ୍କୁ ଆମେ ସାଧାରଣତଃ ତାଙ୍କର ସାହସ ଏବଂ ବ୍ରିଟିଶ ଶାସନର ବିରୋଧି ଭାବରେ ଜାଣୁ । କିନ୍ତୁ ଏହାବ୍ୟତୀତ ସେ ଜଣେ ଓଜସ୍ୱୀ କବି ଏବଂ ସମାଜସଂସ୍କାରକ ମଧ୍ୟ ଥିଲେ ଯିଏକି ସର୍ବଦା ସଦ୍ଭାବନା ଏବଂ ଏକତା ଉପରେ ଗୁରୁତ୍ୱ ଦେଉଥିଲେ । ସାବରକରଙ୍କ ସମ୍ପର୍କରେ ଆମର ପ୍ରିୟ ମାନନୀୟ ଅଟଳବିହାରୀ ବାଜପେୟୀ ଏକ ଅଦ୍ଭୁତ ବର୍ଣ୍ଣନା ଦେଇଛନ୍ତି । ଅଟଳଜୀ କହିଥିଲେ – ସାବରକର ମାନେ ତେଜ, ସାବରକର ମାନେ ତ୍ୟାଗ, ସାବରକର ମାନେ ତପ, ସାବରକର ମାନେ ତତ୍ୱ, ସାବରକର ମାନେ ତର୍କ, ସାବରକର ମାନେ ତାରୁଣ୍ୟ, ସାବରକର ମାନେ ତୀର ଆଉ ସାବରକର ମାନେ ତଲୱାର । କେତେ ସଠିକ୍ ଚିତ୍ରଣ କରିଥିଲେ ମାନନୀୟ ଅଟଳଜୀ । ସାବରକର କବିତା ଏବଂ ବିପ୍ଳବ ଦୁଇଟାକୁ ସାଥିରେ ନେଇ ଚାଲିଥିଲେ । ସେ ଏକାଧାରାରେ ଜଣେ ସମ୍ବେଦନଶୀଳ କବି ଏବଂ ସାହାସୀ ବିପ୍ଳବୀ ଥିଲେ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଟିଭିରେ ଗୋଟିଏ କାହାଣୀ ଦେଖୁଥିଲି । କାହାଣୀଟି ରାଜସ୍ଥାନର ସିକର ଅଂଚଳର ବସ୍ତିରେ ରହୁଥିବା ଗରିବ ଝିଅମାନଙ୍କର କାହାଣୀ । ଆମର ଏଇ ଝିଅମାନେ, ଯେଉଁମାନେ ଅଳିଆ ଗୋଟେଇବା ଠାରୁ ଆରମ୍ଭ କରି ଘର ଘର ବୁଲି ମାଗିକରି ପେଟ ପୋଷୁଥିଲେ ସେମାନେ ଆଜି ସିଲେଇ ଶିଖି ଗରିବମାନଙ୍କ ପାଇଁ ପିନ୍ଧିବାର ବସ୍ତ୍ର ତିଆରି କରୁଛନ୍ତି । ଏଠିକାର ଝିଅମାନେ ଏବେ ନିଜର ଏବଂ ନିଜ ପରିବାର ପାଇଁ ପୋଷାକ ବନେଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ଭଲ ପୋଷାକ ସିଲେଇ କରୁଛନ୍ତି । ତା’ସହିତ ସେମାନେ କୌଶଳ ବିକାଶର ପ୍ରଶିକ୍ଷଣ ବି ନେଉଛନ୍ତି । ଆମର ଏହି ଝିଅମାନେ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେମାନେ ଆତ୍ମସମ୍ମାନର ସହ ଜୀବିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ନିଜ ପରିବାର ପାଇଁ ମଧ୍ୟ ଏକ ଶକ୍ତିରେ ପରିଣତ ହୋଇଛନ୍ତି । ଆଶା ଓ ବିଶ୍ୱାସରେ ପରିପୂର୍ଣ୍ଣ ଏହି ଝିଅମାନଙ୍କୁ ମୁଁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟ ପାଇଁ ଶୁଭକାମନା ଜଣାଉଛି । ଏମାନେ ଦେଖାଇ ଦେଇଛନ୍ତି ଯେ, ଯଦି କିଛି କରିବାର ଆଗ୍ରହ ଥିବ ଏବଂ ସେଥିପାଇଁ ଆପଣ ସଂକଳ୍ପବଦ୍ଧ ହୁଅନ୍ତି ତେବେ ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମଧ୍ୟ ସଫଳତା ପ୍ରାପ୍ତ କରାଯାଇପାରେ । ଏହା ଖାଲି ସିକରର ନୁହଁ ପୁରା ହିନ୍ଦୁସ୍ଥାନର କଥା ହୋଇପାରିବ । ଆପଣଙ୍କ ପାଖାପାଖି ସାଇପଡ଼ିଶାରେ ଧ୍ୟାନ ଦେଇ ଦେଖିଲେ ଲୋକମାନେ ସଂଘର୍ଷ କରି କେମିତି ଅସୁବିଧା, ବାଧାବିଘ୍ନକୁ ପରାସ୍ତ କରୁଛନ୍ତି ତାହା ଦେଖିପାରିବେ । ଆପଣ ନଜର କରିଥିବେ ଯେତେବେଳେ ଆଖପାଖର ଚା’ ଦୋକାନକୁ ଆମେ ଯାଉ ସେଠି ଆମେମାନେ ଚା’ର ଆନନ୍ଦ ନଉ । ତା’ ସାଥେ ସାଥେ ସେଠି ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୁଏ । ଏହି ଆଲୋଚନା ରାଜନୈତିକ ହୋଇପାରେ, ସାମାଜିକ ହୋଇପାରେ, ଚଳଚ୍ଚିତ୍ର ସମ୍ବନ୍ଧୀୟ, ଖେଳ ସମ୍ବନ୍ଧୀୟ ହୋଇପାରେ । କେତେବେଳେ କୌଣସି ସମସ୍ୟା ଏବଂ ତା’ର ସମାଧାନ ବିଷୟରେ ମଧ୍ୟ ହୋଇଥାଏ । କିନ୍ତୁ ଏହି ଆଲୋଚନା ବା ବିଚାର ବିମର୍ଷ କେବଳ ସେଇ ଜାଗାରେ ହିଁ ସୀମିତ ହୋଇ ରହିଯାଇଥାଏ । କିନ୍ତୁ ସେହିମାନଙ୍କ ଭିତରେ କିଛି ଲୋକ ଏମିତି ବି ଥାଆନ୍ତି ଯେଉଁମାନେ ତାକୁ ନିଜର କାର୍ଯ୍ୟ ବଳରେ ପରିଶ୍ରମ ଏବଂ ନିଷ୍ଠା ବଳରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥାନ୍ତି ଏବଂ ତାକୁ ବାସ୍ତବ ରୂପ ଦେଇପାରିଥାନ୍ତି । ଅନ୍ୟମାନଙ୍କର ସ୍ୱପ୍ନକୁ ନିଜର ସ୍ୱପ୍ନରେ ପରିଣତ କରି ତାକୁ ପୂରଣ କରିବା ଦିଗରେ ନିଜକୁ ଉତ୍ସର୍ଗ କରିବାର ଗୋଟିଏ ଏହିଭଳି କାହାଣୀ ହେଲା ଓଡ଼ିଶାର କଟକ ସହରରେ ବସ୍ତିରେ ରହୁଥିବା ଶ୍ରୀମାନ ଡି. ପ୍ରକାଶ ରାଓଙ୍କ କଥା ।

କାଲି ହିଁ ମୋତେ ଡି. ପ୍ରକାଶ ରାଓଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ଶ୍ରୀମାନ୍ ଡି. ପ୍ରକାଶ ରାଓ ପାଞ୍ଚ ଦଶନ୍ଧି ଧରି ସହରରେ ଚା’ ଦୋକାନଟିଏ କରି ଚା’ ବିକୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ମାମୁଲି ଚା’ବାଲା ସତୁରୀରୁ ଅଧିକ ପିଲାଙ୍କ ଜୀବନକୁ ଶିକ୍ଷାର ଆଲୋକରେ ଆଲୋକିତ କରିବାର ପ୍ରୟାସ କରିଛନ୍ତି । ସେ ବସ୍ତିରେ ରହୁଥିବା ପିଲାମାନଙ୍କ ପାଇଁ ‘ଆଶା ଓ ଆଶ୍ୱାସନା’ ନାମକ ସ୍କୁଲଟିଏ ଖୋଲିଛନ୍ତି । ଏଇ ଗରିବ ଚା’ବାଲା ତାଙ୍କ ଆୟର ଶତକଡ଼ା ପଚାଶଭାଗ ସେଇ ସ୍କୁଲ ପାଇଁ ଖର୍ଚ୍ଚକରି ଦିଅନ୍ତି । ସେ ସ୍କୁଲକୁ ଆସୁଥିବା ସବୁ ପିଲାଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଭୋଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେଇଥିବାରୁ ମୁଁ ଶ୍ରୀ ଡି. ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଉଛି । ସେ ଏହି ପିଲାମାନଙ୍କର ଜୀବନରୁ ଅନ୍ଧକାରକୁ ଦୂର କରିଛନ୍ତି । ‘ତମସୋ ମା ଜ୍ୟୋତିର୍ଗମୟଃ’ ଏହି ବେଦ ବାକ୍ୟଟିକୁ କିଏ ନ ଜାଣେ । କିନ୍ତୁ ଏହି ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରି ସାକାର କରିଛନ୍ତି ଶ୍ରୀ ଡି. ପ୍ରକାଶ ରାଓ । ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ, ସମାଜ ପାଇଁ ତଥା ସମଗ୍ର ଦେଶ ପାଇଁ ଏକ ପ୍ରେରଣା ସ୍ରୋତ ।

ଆପଣଙ୍କ ଆଖପାଖରେ ମଧ୍ୟ ଏଇଭଳି ଘଟଣାମାନ ଘଟୁଥିବ । ଅଗଣିତ ଘଟଣା ଏମିତି ଥିବ । ଆସନ୍ତୁ ଆମେ ସକାରାତ୍ମକ ଚିନ୍ତାଧାରାକୁ ଆଗେଇନେବା ।

ଜୁନ୍ ମାସରେ ଏତେ ଗରମ ହୁଏ ଯେ ଲୋକମାନେ ବର୍ଷାକୁ ଅପେକ୍ଷା କରନ୍ତି ଆଉ ଆକାଶକୁ ଆଶାଭରା ନୟନରେ ଚାହିଁ ରହନ୍ତି । ଆଉ କିଛିଦିନ ପରେ ଲୋକମାନେ ଚାନ୍ଦକୁ ବି ଅପେକ୍ଷା କରିବେ । ଚାନ୍ଦ ଦେଖାଯିବାର ଅର୍ଥ ହେଲା ‘ଇଦ୍’ ପାଳନ କରାଯାଇପାରିବ । ରମଜାନ୍ ରେ ଏକମାସର ଉପବାସ ପରେ ଇଦ୍ ପର୍ବର ପାଳନ ଏକ ଆନନ୍ଦର ଅବସର । ମୋର ବିଶ୍ୱାସ ସବୁ ଲୋକ ଅତ୍ୟନ୍ତ ଉତ୍ସାହର ସହିତ ଇଦ୍ ପାଳନ କରିବେ । ଏହି ଅବସରରେ ପିଲାମାନଙ୍କୁ ବିଶେଷକରି ଭଲ ‘ଇଦି’ ବା ଉପହାର ବି ମିଳିବ । ମୁଁ ଆଶା କରୁଛି ଯେ ଇଦ୍ ପର୍ବ ଆମ ସମାଜର ସଦ୍ଭାବ ଏବଂ ବନ୍ଧନକୁ ଆହୁରି ମଜଭୁତ୍ କରିବ । ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ମୋର ପ୍ରିୟ ଦେଶବାସୀଗଣ! ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ପୁଣି ଆଗାମୀ ‘ମନ୍ କୀ ବାତ’ ସହ ଆସନ୍ତା ମାସରେ କଥାହେବା । ନମସ୍କାର ।

**********