Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନ୍ କି ବାତ୍ ର 46ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ (29.07.2018)


ମୋର ପ୍ରିୟ ଦେଶବାସୀଗଣ, ନମସ୍କାରଆଜିକାଲି ଅନେକ ସ୍ଥାନରେ ଭଲ ବର୍ଷାହେବାର ଖବର ଆସୁଛି । କେତେକ ସ୍ଥାନରେ ଅଧିକ ବର୍ଷା ହେବାଯୋଗୁଁ ଚିନ୍ତାଜନକ ଖବର ମଧ୍ୟ ଆସୁଛି । ଆହୁରି ମଧ୍ୟ କେତେକ ସ୍ଥାନର ଲୋକମାନେ ଆଜି ବି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ଭାରତର ବିଶାଳତା ଓ ବିବିଧତା ଭିତରେ କେବେ କେବେ ବର୍ଷା ମଧ୍ୟ ପସନ୍ଦ ବା ନାପସନ୍ଦର ରୂପ ଦେଖାଇଦେଉଛି । କିନ୍ତୁ ଆମେ ବର୍ଷାକୁ କଣ ଦୋଷଦେବା? ମନୁଷ୍ୟ ହିଁ ପ୍ରକୃତି ସହିତ ସଂଘର୍ଷ କରିବାର ରାସ୍ତା ବାଛିନେଇଛି ଆଉ ତାରି ଫଳସ୍ୱରୂପ କେବେ କେବେ ପ୍ରକୃତି ଆମ ଉପରେ କ୍ରୋଧିତ ହୋଇଉଠୁଛି । ଏଥିପାଇଁ ଆମମାନଙ୍କର ଦାୟିତ୍ୱ ହେଲା – ଆମେମାନେ ପ୍ରକୃତିପ୍ରେମୀ ହେବା ଉଚିତ, ଆମେମାନେ ପ୍ରକୃତିର ରକ୍ଷକ ଓ ସଂବର୍ଦ୍ଧକ ହେବା ଉଚିତ ଯାହାଫଳରେ ପ୍ରକୃତି ଓ ପ୍ରକୃତିଦତ ଜିନିଷଗୁଡ଼ିକ ମଧ୍ୟରେ ଭାରସାମ୍ୟ ସ୍ୱତଃ ଆସିଯିବ ।

ଏଇ କିଛିଦିନ ତଳେ ଏହିଭଳି ଏକ ପ୍ରାକୃତିକ ବିପତ୍ତି ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲା, ମଣିଷର ମନକୁ ବିଚଳିତ କରିଦେଇଥିଲା । ଆପଣମାନେ ସମସ୍ତେ ଟି.ଭି.ରେ ଦେଖିଥିବେ ଯେ ଥାଇଲାଣ୍ଡର 12 ଜଣ କିଶୋର ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍ ବୁଲିବା ପାଇଁ ଗୁମ୍ଫା ଭିତରକୁ ଗଲେ । ସେଇ ଗୁମ୍ଫା ଭିତରକୁ ଯାଇ ବୁଲି ଆସିବାରେ ସାଧାରଣତଃ କିଛି ଘଂଟା ସମୟ ଲାଗେ । କିନ୍ତୁ ଭାଗ୍ୟକୁ ସେଦିନ ପ୍ରକୃତିର ଆଉକିଛି ଇଚ୍ଛା ଥିଲା । ସେମାନେ ଯେତେବେଳେ ଗୁମ୍ଫାର ଅନେକ ଭିତରକୁ ଚାଲିଗଲେ, ଅଚାନକ ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫାର ପ୍ରବେଶପଥରେ ପାଣି ଜମିଗଲା ଏବଂ ସେମାନଙ୍କର ବାହାରିବାର ରାସ୍ତା ବନ୍ଦ ହୋଇଗଲା । କୌଣସି ରାସ୍ତା ନ ମିଳିବାରୁ ସେମାନେ ଗୁମ୍ଫା ଭିତରେ ଗୋଟିଏ ଅଳ୍ପ ଉଚ୍ଚସ୍ଥାନରେ ଅଟକି ଯାଇଥିଲେ । ସେ ପୁଣି ଦିନେ ଦୁଇଦିନ ନୁହେଁ, ଅଠର ଦିନ ପର୍ଯ୍ୟନ୍ତ ଅଟକି ରହିଲେ । ଆପଣମାନେ କଳ୍ପନା କରିପାରୁଥିବେ ଏଇ କିଶୋର ବୟସରେ ସେମାନେ ଯେତେବେଳେ ସାକ୍ଷାତ ମୃତ୍ୟୁର ଛାୟାରେ ସମୟ କାଟୁଥିଲେ ସେମାନଙ୍କ ଜୀବନର ସେଇ ପ୍ରତିଟି ମୁହୂର୍ତ୍ତ କିଭଳି କାଟିଥିବେ । ଏକପକ୍ଷରେ ସେମାନେ ସଂକଟ ସହିତ ଯୁଦ୍ଧ କରୁଥିଲେ ଆଉ ଏ ପାଖରେ ସମଗ୍ର ବିଶ୍ୱର ମାନବତା ଏକତ୍ରିତ ହୋଇ ଇଶ୍ୱରଦତ୍ତ ମାନବୀୟ ଗୁଣ ପ୍ରଦର୍ଶିତ କରିଥିଲା । ସାରା ବିଶ୍ୱରେ ଏହି ବାଳକମାନଙ୍କର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରାଯାଉଥିଲା । ପିଲାମାନେ କେଉଁଠି କିଭଳି ଭାବରେ ଅଛନ୍ତି ଆଉ ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେ ଦିଗରେ ସବୁ ପ୍ରକାର ଚେଷ୍ଟା କରାଯାଉଥିଲା । ଯଦି ଉଦ୍ଧାର କାର୍ଯ୍ୟ ଠିକ୍ ସମୟରେ କରାଯାଇନଥାନ୍ତା ତେବେ ସେମାନଙ୍କୁ ଏ ବର୍ଷାଋତୁରେ କିଛିମାସ ପର୍ଯ୍ୟନ୍ତ ଉଦ୍ଧାର କରିବା ସମ୍ଭବ ହୋଇନଥାନ୍ତା । ଯାହାହେଉ ଯେତେବେଳେ ଭଲ ଖବର ଆସିଲା ସେତେବେଳେ ସାରା ବିଶ୍ୱର ଲୋକମାନେ ଖୁସି ହେଲେ, ସନ୍ତୋଷ ଲାଭ କଲେ । କିନ୍ତୁ ଏହି ସମଗ୍ର ଘଟଣାକ୍ରମକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ମୋର ଇଚ୍ଛାହୁଏ ଯେ ଏହି ଅଭିଯାନ କେମିତି ଚାଲିଲା । ପ୍ରତ୍ୟେକ ସ୍ତରରେ ଏଥିରେ ଲାଗିଥିବା ଲୋକମାନେ ତାଙ୍କର ଦାୟିତ୍ୱ ଯେଉଁଭଳି ପାଳନ କଲେ ତାହା ଅଦ୍ଭୁତ ଥିଲା । ସରକାର ହୁଅନ୍ତୁ, ଏ ପିଲାମାନଙ୍କର ପିତାମାତା ହୁଅନ୍ତୁ, ପରିବାର ଲୋକ ହୁଅନ୍ତୁ, ଗଣମାଧ୍ୟମ ହେଉ ବା ଦେଶର ନାଗରିକ ହୁଅନ୍ତୁ ସମସ୍ତେ ଶାନ୍ତି ଓ ଧୈର୍ଯ୍ୟର ଅଦ୍ଭୁତ ଉଦାହରଣ ପ୍ରସ୍ତୁତ କଲେ । ସମସ୍ତ ଲୋକ ଗୋଟିଏ ଟିମ୍ ଭଳି ଏହି ଲକ୍ଷ୍ୟପଥରେ ଏକତ୍ରିତ ହୋଇ ଲାଗିରହିଥିଲେ । ସମସ୍ତଙ୍କର ସନ୍ତୁଳିତ ବ୍ୟବହାର ମୋ ମତରେ ଏକ ଶିଖିବାର ବିଷୟ, ବୁଝିବାର ବିଷୟ । ତାଙ୍କର ବାପା-ମାଆମାନେ ଦୁଃଖି ହୋଇନଥିବେ ବା ସେମାନଙ୍କର ଆଖିରୁ ଲୁହ ବୋହିନଥିବ ସେକଥା ନୁହେଁ । କିନ୍ତୁ ଧୈର୍ଯ୍ୟ, ସଂଯମ ଆଉ ସାରା ସମାଜ ଯେଉଁ ଶାନ୍ତଚିତ ବ୍ୟବହାର ପ୍ରଦର୍ଶନ କଲା ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଅଟେ । ଏହି ସମଗ୍ର ଅଭିଯାନରେ ଥାଇଲାଣ୍ଡ ନୌବାହିନୀର ଜଣେ ଯବାନକୁ ପ୍ରାଣବଳୀ ଦେବାକୁ ପଡ଼ିଲା । ଏତେ କଠିନ ପରିସ୍ଥିତି ଭିତରେ, ପାଣିରେ ଭର୍ତ୍ତି ହୋଇଥିବା ଗୋଟିଏ ଅନ୍ଧକାର ଗୁମ୍ଫା ଭିତରେ ସେମାନେ ଧୈର୍ଯ୍ୟ ଓ ସାହସର ସହିତ କାର୍ଯ୍ୟ କରିଥିଲେ ମଧ୍ୟ ଆଶା ତ୍ୟାଗ କରିନଥିଲେ ଏହି କଥାରେ ସାରା ବିଶ୍ୱ ଆଜି ଆଶ୍ଚର୍ଯ୍ୟଚକିତ । ଏଥିରୁ ପ୍ରମାଣିତ ହୁଏ ଯେ – ଯେତେବେଳେ ସମଗ୍ର ମାନବିକତା ଏକତ୍ରିତ ହୁଏ ସେତେବେଳେ ଅଦ୍ଭୁତ ଘଟଣା ସଂଘଟିତ ହୁଏ । ଖାଲି ଏତିକି ଜରୁରୀ ଯେ ଆମେ ଶାନ୍ତ ଏବଂ ସ୍ଥିର ଚିତ୍ତରେ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନଦେବା ଆଉ ଲକ୍ଷ୍ୟପ୍ରାପ୍ତି ପାଇଁ କାମ କରିଚାଲିବା ।

ଏଇ କିଛିଦିନ ତଳେ ଆମ ଦେଶର ଲୋକପ୍ରିୟ କବି ନୀରଜ ଆମମାନଙ୍କୁ ଛାଡ଼ି ଚାଲିଗଲେ । ଆଶା, ଭରସା, ଦୃଢ଼ସଂକଳ୍ପ ଓ ଆତ୍ମବିଶ୍ୱାସ ନୀରଜଙ୍କର ବିଶେଷତ୍ୱ ଥିଲା ଆମେ ଭାରତବାସୀମାନଙ୍କୁ ମଧ୍ୟ ନୀରଜଜୀଙ୍କ ପ୍ରତ୍ୟେକ କଥା ଶାନ୍ତି ଓ ପ୍ରେରଣା ଦେଇପାରେ । ତାଙ୍କର ଏକ ଲେଖାର ଭାବ ଏହିପରି –

“ଅନ୍ଧକାର ଦୂର ହେବ ହିଁ ହେବ,

ଝଞ୍ଜା ତୋଫାନ ଯେତେବି ହେଉ,

ବଜ୍ର ବିଜୁଳି ଯେତେ ବି ଥାଉ,

ଦୀପ ଯେଣୁ ଜଳିଲାଣି ଜଳିବ

ଅନ୍ଧକାର ଦୂରହେବ ହିଁ ହେବ

ଅନ୍ଧକାର ଦୂରହେବ ହିଁ ହେବ”

ନୀରଜଜୀଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଜଣାଉଛି ।

ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୋ ନାଁ ସତ୍ୟମ୍ । ମୁଁ ଏ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷରେ ନାମ ଲେଖାଇଛି । ଆମ ସ୍କୁଲର ବୋର୍ଡ଼ ପରୀକ୍ଷା ସମୟରେ ଆପଣ ପରୀକ୍ଷାର ଚାପ ଓ ଶିକ୍ଷା ସମ୍ପର୍କରେ କହିଥିଲେ । ମୋଭଳି ଛାତ୍ରମାନଙ୍କ ପାଇଁ ଏବେ ଆପଣ କି ପରାମର୍ଶ ଦେବେ?”

ଜୁଲାଇ ଓ ଅଗଷ୍ଟ ମାସ ସାଧାରଣତଃ କୃଷକ ଓ ସମସ୍ତ ଯୁବବର୍ଗ ପାଇଁ ବହୁତ ମହତ୍ୱପୂର୍ଣ୍ଣ । କାରଣ ଏହି ସମୟଟି କଲେଜର ସବୁଠାରୁ ବ୍ୟସ୍ତବହୁଳ ସମୟ ହୋଇଥାଏ । ସତ୍ୟମ୍ ଭଳି ଲକ୍ଷ ଲକ୍ଷ ଯୁବକ ଯୁବତୀ ସ୍କୁଲ ଛାଡ଼ି କଲେଜରେ ପାଦ ଦିଅନ୍ତି । ଫେବୃୟାରୀ ଓ ମାର୍ଚ୍ଚମାସ ପରୀକ୍ଷା, ପ୍ରଶ୍ନପତ୍ର, ଉତ୍ତର ଆଦିରେ ଯାଉଥିବାବେଳେ ଅପ୍ରେଲ ଓ ମେମାସ ଛୁଟି, ଆମୋଦପ୍ରମୋଦ ସଙ୍ଗେ ସଙ୍ଗେ ପରିକ୍ଷା ଫଳ, ଆଗାମୀ ଭବିଷ୍ୟତର ଚିନ୍ତା କ୍ୟାରିଅର ବାଛିବାରେ ବିତିଯାଏ । ଜୁଲାଇ ଏବଂ ଅଗଷ୍ଟ ହେଉଛି ଏଭଳି ସମୟ ଯେତେବେଳେ ଯୁବବର୍ଗ ଜୀବନର ସେହି ପର୍ଯ୍ୟାୟରେ ପାଦ ଦିଅନ୍ତି ଯେତେବେଳେ ଧ୍ୟାନ ପ୍ରଶ୍ନପତ୍ରଠାରୁ ଦୂରେଇଯାଇ କଟ୍-ଅଫ ରେ କେନ୍ଦ୍ରିତ ହୁଏ । ଛାତ୍ରମାନଙ୍କର ଧ୍ୟାନ ଘରଠାରୁ ହୋଷ୍ଟେଲ ଆଡ଼କୁ ଚାଲିଯାଏ । ଛାତ୍ରଛାତ୍ରୀମାନେ ପିତାମାତାଙ୍କ ଛାୟାରୁ ଦୂରେଇଯାଇ ପ୍ରଫେସରମାନଙ୍କ ଛାୟାକୁ ଆସିଯାନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ମୋର ଯୁବବନ୍ଧୁମାନେ କଲେଜ ଜୀବନର ଆରମ୍ଭକୁ ନେଇ ଖୁବ୍ ଉତ୍ସାହୀ ଏବଂ ଖୁସି ଥିବେ । ପ୍ରଥମଥର ପାଇଁ ଘରୁ ବାହାରକୁ ଯିବା, ଗାଁରୁ ବାହାରକୁ ଯିବା ତଥା ଏକ ସୁରକ୍ଷିତ ବାତାବରଣରୁ ବାହାରକୁ ଯାଇ ନିଜେ ନିଜର ସାରଥି ହେବାର ସମୟ ଅଟେ । ଏତେ ସଂଖ୍ୟକ ଯୁବବର୍ଗ ପ୍ରଥମଥର ପାଇଁ ନିଜ ଘରକୁ ଛାଡ଼ି ନିଜ ଜୀବନକୁ ଏକ ନୂତନ ଦିଗରେ ଆଗେଇନେବାକୁ ବାହାରିଯାଆନ୍ତି । ଅନେକ ଛାତ୍ର ଏବେ ନିଜ ନିଜ କଲେଜରେ ଯୋଗ ଦେଇସାରିବେଣି । ଆଉ କିଛି ନିକଟ ଭବିଷ୍ୟତରେ ଯୋଗଦେବେ । ଆପଣମାନଙ୍କୁ ମୁଁ ଏଇଆ କହିବାକୁ ଚାହେଁ ଯେ ଶାନ୍ତ ରୁହନ୍ତୁ, ଜୀବନକୁ ଉପଭୋଗ କରନ୍ତୁ ଆଉ ଜୀବନରେ ଅନ୍ତର୍ମନର ଭରପୁର ଆନନ୍ଦ ନିଅନ୍ତୁ । ପୁସ୍ତକ ବ୍ୟତୀତ ଅନ୍ୟ କିଛି ଉପାୟ ତ ନାହିଁ, ପଢ଼ିବାକୁ ତ ପଢ଼ିବ । କିନ୍ତୁ ନୂଆ ନୂଆ ଜିନିଷର ଅନୁସନ୍ଧାନ କରିବାର ପ୍ରବୃତି ରହିବା ଦରକାର । ନିଜର ପୁରୁଣା ବନ୍ଧୁମାନେ ମୂଲ୍ୟବାନ ଅଟନ୍ତି । ପିଲାଦିନର ବନ୍ଧୁମାନେ ମୂଲ୍ୟବାନ ନିଶ୍ଚୟ । କିନ୍ତୁ ନୂଆ ବନ୍ଧୁ ବାଛିବା, ବନ୍ଧୁତା କରିବା ଆଉ ବନ୍ଧୁତାକୁ ବଜାୟ ରଖିବା ଏକ ବୁଦ୍ଧିମତାର କାର୍ଯ୍ୟ । କିଛି ନୂଆ ଶିଖନ୍ତୁ, ନୂଆ ନୂଆ କୌଶଳ ଆଉ ନୂଆ ନୂଆ ଭାଷା ଶିଖନ୍ତୁ । ଯେଉଁ ଯୁବକମାନେ ନିଜର ଘରଛାଡ଼ି ବାହାରେ କୌଣସି ଅନ୍ୟ ସ୍ଥାନରେ ପଢ଼ିବାକୁ ଯାଇଛନ୍ତି ସେ ସ୍ଥାନ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ସେଠାକାର ଲୋକଙ୍କୁ ଜାଣନ୍ତୁ, ଭାଷା ଓ ସଂସ୍କୃତିକୁ ଜାଣନ୍ତୁ । ସେଠାରେ କିଛି ପର୍ଯ୍ୟଟନସ୍ଥଳ ଥିବ ସେଠାକୁ ଯାଆନ୍ତୁ ଏବଂ ସେ ବିଷୟରେ ଜାଣନ୍ତୁ । ଆପଣମାନେ ନୂଆ ଜୀବନ ଆରମ୍ଭ କରୁଛନ୍ତି ସମସ୍ତ ଯୁବବନ୍ଧୁମାନଙ୍କୁ ମୋର ଶୁଭକାମନା ।

ବର୍ତ୍ତମାନ ଯେତେବେଳେ ବି କଲେଜ ସିଜନର ଚର୍ଚ୍ଚା ଚାଲିଛି, ମୁଁ ସମାଚାରରୁ ଦେଖୁଥିଲି, କିପରି ମଧ୍ୟପ୍ରଦେଶର ଏକ ଅତ୍ୟନ୍ତ ଗରିବ ପରିବାରର ଛାତ୍ର ଆଶାରାମ ଚୌଧୁରୀ ନିଜ ଜୀବନର ଜଟିଳ ପରିସ୍ଥିତିର ମୁକାବିଲା କରି ସଫଳତା ପ୍ରାପ୍ତ କରିଛନ୍ତି । ସେ ଯୋଧପୁର ଏମ୍ସ ର ଏମବିବିଏସ ପାଇଁ ପରୀକ୍ଷାରେ ନିଜର ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇପାରିଛନ୍ତି । ତାଙ୍କ ବାପା ଆବର୍ଜନା ଗୋଟେଇବା କାମକରି ନିଜ ପରିବାରର ପ୍ରତିପୋଷଣ କରନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଏପରି ଅନେକ ଛାତ୍ର ଅଛନ୍ତି ଯେଉଁମାନେ ଗରିବ ପରିବାରରୁ ଆସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ନିଜର କଠିନ ପରିଶ୍ରମ ଓ ନିଷ୍ଠା ଦ୍ୱାରା କିଛି ଏପରି ଚମତ୍କାର କରି ଦେଖାଇଛନ୍ତି ଯାହା ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ସେ ଦିଲ୍ଲୀର ପ୍ରିନ୍ସକୁମାର ହୁଅନ୍ତୁ, ଯାହାଙ୍କ ପିତା ଡିଟିସି ରେ ବସ୍ ଚାଳକ, କିମ୍ବା କଲକତାର ଅଭୟ ଗୁପ୍ତା ହୁଅନ୍ତୁ, ଯିଏକି ଫୁଟପାଥ ଉପରେ ବସି ରାସ୍ତାର ଆଲୋକରେ ନିଜର ପାଠପଢ଼ା କରିଥିଲେ । ଅହମ୍ମଦାବାଦର ଝିଅ ଆଫରିନ୍ ଶେଖ୍ ହୁଅନ୍ତୁ ଯାହାଙ୍କ ପିତା ଅଟୋରିକ୍ସା ଚଲାନ୍ତି କିମ୍ବା ନାଗପୁରର ଝିଅ ଖୁସୀ ହୁଅନ୍ତୁ, ଯାହାଙ୍କ ପିତା ମଧ୍ୟ ସ୍କୁଲବସ୍ ଚାଳକ କିମ୍ବା ହରିୟାଣାର କାର୍ତ୍ତି, ଯାହାଙ୍କ ପିତା ଜଣେ ଚୌକିଦାର ଅଟନ୍ତି କିମ୍ବା ଝାଡ଼ଖଣ୍ଡର ରମେଶ ସାହୁ ଯାହାଙ୍କ ପିତା ଇଟା ଭାଟିରେ ଦିନ ମଜୁରିଆ ଭାବେ କାମ କରନ୍ତି । ନିଜେ ରମେଶ ମଧ୍ୟ ମେଳାରେ ଖେଳଣା ବିକ୍ରି କରୁଥିଲେ । ସେହିପରି ଗୁଡ଼ଗାଁଓର ଦିବ୍ୟାଙ୍ଗ ବାଳିକା ଅନୁଷ୍କା ପାଣ୍ଡା, ଯିଏ ଜନ୍ମରୁ ହିଁ Spinal Muscular Atrophy ନାମକ ଏକ ବଂଶଗତ ରୋଗରେ ପୀଡ଼ିତ ଏମାନେ ସମସ୍ତେ ନିଜ ନିଜର ଦୃଢ଼ସଂକଳ୍ପ ଓ ସାହସ ଦ୍ୱାରା ପ୍ରତିଟି ବାଧାବିଘ୍ନକୁ ଅତିକ୍ରମ କରି ଅସାଧାରଣ ସଫଳତା ପ୍ରାପ୍ତ କରିପାରିଲେ । ଆମର ଚତୁଃପାଶ୍ୱର୍ରେ ମଧ୍ୟ ଏପରି ଅନେକ ଦୃଷ୍ଟାନ୍ତ ମିଳିବ ।

ଦେଶର ଯେକୌଣସି ସ୍ଥାନର ଭଲ ଘଟଣା ମୋମନରେ ଉତ୍ସାହ ଓ ପ୍ରେରଣା ଯୋଗାଏ । ମୁଁ ଯେତେବେଳେ ଯୁବକମାନଙ୍କର କଥା ଆପଣମାନଙ୍କୁ କହୁଛି, ନୀରଜ ଜୀଙ୍କର ସେଇ କଥା ମନେପଡ଼ୁଛି, ଯାହା ଆମ ଜୀବନର ଲକ୍ଷ୍ୟ । ନିରଜଜୀ କହିଛନ୍ତି

ପୃଥିବୀର ଗୀତ ମୋତେ ଆକାଶକୁ ଶୁଣେଇବାର ଅଛି

ପ୍ରତିଟି ଅନ୍ଧକାରକୁ ଆଲୋକକୁ ଡାକିବାର ଅଛି

ଫୁଲର ବାସ୍ନାରେ ତରବାରୀକୁ ସୁଗନ୍ଧିତ କରିବାର ଅଛି

ଏବଂ ଗୀତ ଗାଇ-ଗାଇ ପାହାଡ଼ଗୁଡ଼ିକୁ ଜାଗ୍ରତ କରିବାର ଅଛି

ଗୀତ ଗାଇ-ଗାଇ ପାହାଡ଼ଗୁଡ଼ିକୁ ଜାଗ୍ରତ କରିବାର ଅଛି ।

ମୋ ପ୍ରିୟ ଦେଶବାସୀଗଣ, କିଛିଦିନ ପୂର୍ବେ ଗୋଟିଏ ଖବର ଉପରେ ମୋ ଦୃଷ୍ଟି ପଡ଼ିଲା । ସେଥିରେ ଲେଖାଥିଲା – ଦୁଇଜଣ ଯୁବକ ମୋଦୀଙ୍କର ସ୍ୱପ୍ନକୁ ସାକାର କଲେ ।ଖବର ଭିତରୁ ଜାଣିଲି, କିପରି ଆଜି ଆମର ଯୁବକମାନେ ଟେକ୍ନୋଲଜିର ସ୍ମାର୍ଟ ଏବଂ ସୃଜନାତ୍ମକ ଉପଯୋଗ କରି ସାଧାରଣ ମନୁଷ୍ୟ ଜୀବନରେ ପରିବର୍ତନର ପ୍ରୟାସ କରିଛନ୍ତି । ଘଟଣାଟି ଏପରି ଥିଲା ଏକଦା ଆମେରିକାର San Jos ସହର ଯାହାକି ଟେକ୍ନୋଲଜିର ପେଣ୍ଠ ଭାବେ ଜଣାଶୁଣା ଏକଦା ସେଠାରେ ମୁଁ ଭାରତୀୟ ଯୁବକମାନଙ୍କ ସହ ଆଲୋଚନା କରୁଥିଲି । ଭାରତ ପାଇଁ ନିଜ ପ୍ରତିଭାକୁ କିପରି ଭାବେ ବ୍ୟବହାର କରିପାରିବେ, ତାବିଷୟରେ ବିଚାର କରିବା ତଥା ସମୟ ବାହାର କରି କିଛି କରିବା ନିମନ୍ତେ ମୁଁ ସେମାନଙ୍କୁ ନିବେଦନ କରୁଥିଲି । Brain Drain କୁ Brain Gainରେ ରୂପାନ୍ତରିତ କରିବା ପାଇଁ ମୁଁ ସେମାନଙ୍କୁ ଅନୁରୋଧ କରିଥିଲି । ରାୟବରେଲୀର ଦୁଇ ଆଇଟି ପେଶାଦାର ଯୋଗେଶ ସାହୁଜୀ ଏବଂ ରଜନୀଶ ବାଜପେୟୀ ମୋର ଏହି ଆହ୍ୱାନକୁ ସ୍ୱୀକାର କରି ଗୋଟିଏ ଅଭିନବ ପ୍ରୟାସ କଲେ । ନିଜର ପେଶାଦାର ଦକ୍ଷତାର ବ୍ୟବହାର କରି ଯୋଗେଶ ଓ ରଜନୀଶ ମହାଶୟ ମିଶିକରି ଗୋଟିଏ Smart Gaoon App ଆପ୍ ପ୍ରସ୍ତୁତ କଲେ । ଏହି ଆପ୍ କେବଳ ଯେ ଗ୍ରାମୀଣ ଲୋକମାନଙ୍କୁ ସମଗ୍ର ସଂସାର ସହିତ ସଂଯୋଗ କରୁଅଛି ତାହା ନୁହେଁ, ବର୍ତ୍ତମାନ ସେମାନେ ଯେକୌଣସି ସୂଚନା ଓ ନିଜ ମୋବାଇଲ ଦ୍ୱାରା ପ୍ରାପ୍ତ କରିପାରୁଛନ୍ତି । ରାୟବରେଲୀର ଏହି ଗ୍ରାମ ତୌଧବପୁରର ନିବାସୀଗଣ, ଗ୍ରାମମୁଖ୍ୟ, ଜିଲ୍ଲାପାଳ, ସିଡିଓ ଆଦି ସମସ୍ତେ ଏହି ଆପ୍ର ବ୍ୟବହାର ନିମନ୍ତେ ଲୋକମାନଙ୍କୁ ସଚେତନ କଲେ । ଏହି ଆପ୍ ଗାଁରେ ଏକପ୍ରକାରେ ଡିଜିଟାଲ ବିପ୍ଳବ ଆଣିବାର କାମ କରୁଅଛି । ଗାଁରେ ବିକାଶର ଯେଉଁସବୁ କାମ ହେଉଛି, ତାକୁ ଏହି ଆପ୍ ଦ୍ୱାରା ରେକର୍ଡ କରିବା, ଟ୍ରାକ କରିବା ତଥା ମନିଟର କରିବା ସହଜ ହୋଇପାରିଛି । ଏହି ଆପ୍ ରେ ଗାଁର ଫୋନ ଡିରେକ୍ଟୋରି, ନିଉଜ ସେକ୍ସନ, କାର୍ଯ୍ୟକ୍ରମ ତାଲିକା, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସୂଚନା କେନ୍ଦ୍ର ଉପଲବ୍ଧ । ଏହି ଆପ୍ କୃଷକମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକଆପ୍ ର ବ୍ୟାକରଣ ବୈଷିଷ୍ଟ୍ୟ, କୃଷକମାନଙ୍କ ମଧ୍ୟରେ FACT Rate , ଏକପ୍ରକାରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ଗୋଟିଏ ବଜାର ସ୍ଥଳୀ ପରି କାମ କରୁଛି । ଏହି ଘଟଣାକୁ ଯଦି ଆପଣ ଧ୍ୟାନପୂର୍ବକ ଦେଖିବେ, ତାହେଲେ ଗୋଟିଏ କଥା ଆପଣଙ୍କ ଦୃଷ୍ଟିରେ ଆସିବ ଯେ ସେ ଯୁବକଦ୍ୱୟ ଆମେରିକାରେ ରହନ୍ତି ସେଠାକାର ଚାଲିଚଳଣ ଓ ଦୃଷ୍ଟିଭଙ୍ଗୀକୁ ନେଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସେମାନେ ଅନେକ ବର୍ଷ ପୂର୍ବେ ଭାରତ ଛାଡ଼ିଥିବେ ତଥାପି ନିଜ ଗ୍ରାମର ଆବଶ୍ୟକତାକୁ ଜାଣିଛନ୍ତି, ଆହ୍ୱାନକୁ ବୁଝିଛନ୍ତି ତଥା ଗ୍ରାମ ସହ ସେମାନଙ୍କର ଭାବାତ୍ମକ ସମ୍ପର୍କ ରହିଛି । ଏଥିପାଇଁ ବୋଧହୁଏ ଗାଁ ପାଇଁ ଯାହା ଆବଶ୍ୟକ, ତାହା ସେମାନେ କରିପାରିଛନ୍ତି । ନିଜ ଗାଁ ଏବଂ ନିଜର ମୂଳ ଉତ୍ସ ସହ ଏପରି ସମ୍ପର୍କ ତଥା ମାତୃଭୂମି ପାଇଁ କିଛି କରି ଦେଖାଇବାର ମନୋଭାବ, ପ୍ରତ୍ୟେକ ହିନ୍ଦୁସ୍ଥାନୀ ଭିତରେ ସ୍ୱାଭାବିକ ଭାବରେ ରହିଥାଏ । କିନ୍ତୁ କେବେ କେବେ ସମୟ ହେତୁ, କେବେ ଦୂରତ୍ୱ ହେତୁ, କେବେ ପରିସ୍ଥିତି ହେତୁ, ତାଉପରେ ପାଉଁଶର ପତଳା ଆସ୍ତରଣ ଜମିଯାଏ । କିନ୍ତୁ ଯଦି କୌଣସି ଗୋଟିଏ ଛୋଟିଆ ଅଗ୍ନିଶିଖା ସହ ତାର ସ୍ପର୍ଶ ହୋଇଯାଏ, ତାହେଲେ ସବୁକଥା ପୁନର୍ବାର ଉଜ୍ଜୀବିତ ହୋଇଉଠେ ଏବଂ ସେ ନିଜର ଅତୀତ ଦିନଗୁଡ଼ିକ ଆଡ଼କୁ ଟାଣି ହୋଇଯାଏ । ଆମେମାନେ ମଧ୍ୟ ନିଜକଥା ପରଖିନେବା ଠିକ୍ ହେବ ଯେ ଆମ କ୍ଷେତ୍ରରେ ଏପରି କିଛି ହୋଇନାହିଁ ତ? ପରିସ୍ଥିତି ଏବଂ ଦୂରତ୍ୱ ଆମକୁ କେଉଁଠାରୁ ଅଲଗା କରିଦେଇନାହିଁ ତ ? କେଉଁଠି ପାଉଁଶର ଆସ୍ତରଣ ଜମିଯାଇନାହିଁ ତ ? ଅବଶ୍ୟ ଆପଣମାନେ ଚିନ୍ତା କରନ୍ତୁ ।

ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର । ମୁଁ କୋହ୍ଲାପୁର, ମହାରାଷ୍ଟ୍ରରୁ ସନ୍ତୋଷ କାକଡ଼େ କହୁଛି ପଣ୍ଢରପୁର ଯାତ୍ରାମହାରାଷ୍ଟ୍ରର ଏକ ପୁରୁଣା ପରମ୍ପରା । ପ୍ରତିବର୍ଷ ଏହି ଯାତ୍ରା ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୁଏ । ପ୍ରାୟ 7-8 ଲକ୍ଷ ତୀର୍ଥଯାତ୍ରୀ ଏଥିରେ ଯୋଗଦିଅନ୍ତି । ଏହି ଯାତ୍ରା ସମ୍ପର୍କରେ ଦେଶର ଅବଶିଷ୍ଟ ଲୋକମାନେ ମଧ୍ୟ ପରିଚିତ ହୁଅନ୍ତୁ, ଏଥିପାଇଁ ଆପଣ ଏ ସମ୍ପର୍କରେ ସୂଚନା ପ୍ରଦାନ କରନ୍ତୁ ।

ସନ୍ତୋଷଜୀ, ଆପଣଙ୍କ ଫୋନକଲ୍ ପାଇଁ ବହୁତ ବହୁତ ଧନ୍ୟବାଦ । ବାସ୍ତବିକ ପଣ୍ଢରପୁର ଯାତ୍ରା ଏକ ଚମତ୍କାର  ଯାତ୍ରା । ବନ୍ଧୁଗଣ, ଆଷାଢ଼ ଏକାଦଶୀ, ଯାହା ଏ ବର୍ଷ 23 ଜୁଲାଇରେ ପଡ଼ିଥିଲା, ସେହିଦିନ ପଣ୍ଢରପୁର ଯାତ୍ରାର ଭବ୍ୟ ସମାରୋହ ଆୟୋଜିତ ହୁଏ । ପଣ୍ଢରପୁର ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଏକ ପବିତ୍ର ସହର । ଆଷାଢ଼ ଏକାଦଶୀର ପ୍ରାୟ 15-20 ଦିନ ପୂର୍ବରୁ ବାରକରୀ ଅର୍ଥାତ୍ ତୀର୍ଥଯାତ୍ରୀ ପାଲଙ୍କିଗୁଡ଼ିକ ସହିତ ପଣ୍ଢରପୁର ଯାତ୍ରା ନିମନ୍ତେ ପଦଯାତ୍ରାରେ ବାହାରନ୍ତି । ଏହି ଯାତ୍ରାକୁ ବାରୀ କୁହାଯାଏ । ଏଥିରେ ଲକ୍ଷ ଲକ୍ଷ ସଂଖ୍ୟାରେ ତୀର୍ଥଯାତ୍ରୀ ସମ୍ମିଳିତ ହୁଅନ୍ତି । ସନ୍ଥ ଜ୍ଞାନେଶ୍ୱର ଏବଂ ସନ୍ଥ ତୁକାରାମଙ୍କ ପରି ମହାନ୍ ସନ୍ଥମାନଙ୍କର ପାଦୁକାକୁ ପାଲିଙ୍କିରେ ରଖି ବିଟ୍ଠଲ ବିଟ୍ଠଲ ଗାଇ, ନାଚି ତଥା ବାଜା ବଜାଇ ପଣ୍ଢରପୁର ଅଭିମୁଖେ ପଦଯାତ୍ରା କରନ୍ତି । ଏହି ଯାତ୍ରା ଶିକ୍ଷା, ସଂସ୍କାର ଓ ଶ୍ରଦ୍ଧାର ତ୍ରିବେଣୀ । ଭଗବାନ୍ ବିଟ୍ଠଲ, ଯାହାଙ୍କୁ ବିଠୋୱା ବା ପାଣ୍ଡୁରଙ୍ଗ ମଧ୍ୟ କୁହାଯାଏ, ତାଙ୍କରି ଦର୍ଶନ ନିମନ୍ତେ ତୀର୍ଥଯାତ୍ରୀମାନେ ସେଠାରେ ଯାଇ ପହଂଚନ୍ତି । ଭଗବାନ୍ ବିଟ୍ଠଲ ଗରିବ, ଅସହାୟ ଏବଂ ପୀଡ଼ିତ ଜନମାନଙ୍କର ହିତ ସାଧନ କରନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାରେ ଲୋକମାନଙ୍କ ମଧ୍ୟରେ ଭଗବାନ ବିଟ୍ଠଲଙ୍କ ପ୍ରତି ଅସୀମ ଶ୍ରଦ୍ଧା ଓ ଭକ୍ତି ରହିଛି । ପଣ୍ଢରପୁରର ବିଠୋୱା ମନ୍ଦିରକୁ ଯାତ୍ରା କରିବାର ତଥା ସେଠାକାର ମହିମା, ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ଆନନ୍ଦର ଏକ ଭିନ୍ନ ଅନୁଭୂତି ରହିଛି । ମନ୍ କି ବାତ୍ ଶ୍ରୋତାମାନଙ୍କୁ ମୋର ଅନୁରୋଧ ଯେ ସମୟ ମିଳିଲେ ଥରଟିଏ ନିଶ୍ଚୟ ପଣ୍ଢରପୁର ଯାତ୍ରାର ଅନୁଭୂତି ହାସଲ କରନ୍ତୁ । ଜ୍ଞାନେଶ୍ୱର, ନାମଦେବ, ଏକନାଥ, ରାମଦାସ, ତୁକାରାମ ଆଦି ଅସଂଖ୍ୟ ସନ୍ଥମାନେ ମହାରାଷ୍ଟ୍ରରେ ଆଜି ମଧ୍ୟ ସାଧାରଣ ମନୁଷ୍ୟମାନଙ୍କୁ ଶିକ୍ଷିତ କରାଉଛନ୍ତି । ଅନ୍ଧଶ୍ରଦ୍ଧା(Blind Faith) ବିରୁଦ୍ଧରେ ସଂଗ୍ରାମ କରିବାକୁ ଶକ୍ତି ଯୋଗାଉଛନ୍ତି । ହିନ୍ଦୁସ୍ଥାନର ପ୍ରତିଟି କୋଣରେ ଏହି ସନ୍ଥ ପରମ୍ପରା ପ୍ରେରଣା ଦେଉଛି । ତାହା ସେମାନଙ୍କର ଭାରୁଡ଼ ହେଉ କି ଅଭଙ୍ଗ, ଆମମାନଙ୍କୁ ସେମାନଙ୍କଠାରୁ ସଦ୍ଭାବ, ପ୍ରେମ ଓ ଭ୍ରାତୃତ୍ୱର ମହତ୍ୱପୂର୍ଣ୍ଣ ସନ୍ଦେଶ ମିଳିଥାଏ । ଅନ୍ଧଶ୍ରଦ୍ଧା ବିରୁଦ୍ଧରେ ନିଷ୍ଠାପୂର୍ବକ ସଂଗ୍ରାମ କରିବାର ମନ୍ତ୍ର ମିଳିଥାଏ । ଏମାନେ ହିଁ ସେହି ମହାପୁରୁଷ ଥିଲେ, ଯେଉଁମାନେ ବିଭିନ୍ନ ସମୟରେ ସମାଜକୁ ଦିଗଦର୍ଶନ ଦେଇଥିଲେ ତଥା ସମାଜରୁ ପୁରୁଣା କୁସଂସ୍କାରଗୁଡ଼ିକୁ ସମାପ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଲୋକମାନଙ୍କ ମଧ୍ୟରେ କରୁଣା, ସମାନତା ଓ ପବିତ୍ରତାର ସଂସ୍କାର ଆସୁ ଏହା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଆମର ଏହି ଭାରତ ଭୂମି ହିଁ ବହୁରତ୍ନା ବସୁନ୍ଧରା । ଏଠାରେ ସାଧୁସନ୍ଥଙ୍କର ଯେପରି ଏକ ମହାନ ପରମ୍ପରା ରହିଛି । ସେହିପରି ଏଠାରେ ଭାରତମାତା ନିମନ୍ତେ ନିଜ ଜୀବନକୁ ସମର୍ପିତ କରିଥିବା ବୀର ମହାପୁରୁଷମାନେ ମଧ୍ୟ ଅଛନ୍ତି । ଏହିପରି ଜଣେ ମହାପୁରୁଷ ହେଉଛନ୍ତି ଲୋକମାନ୍ୟ ତିଳକ ଯିଏକି ଅସଂଖ୍ୟ ଭାରତୀୟଙ୍କ ମନପ୍ରାଣରେ ନିଜର ଅବିସ୍ମରଣୀୟ ପ୍ରଭାବ ଛାଡ଼ିଯାଇଛନ୍ତି । ଆମେମାନେ ଜୁଲାଇ 23 ରେ ତିଳକଜୀଙ୍କ ଜୟନ୍ତୀ ତଥା ଅଗଷ୍ଟ 1 ରେ ତାଙ୍କର ପୁଣ୍ୟତିଥିରେ ଆମେ ତାଙ୍କୁ ସ୍ମରଣ କରୁଛୁଲୋକମାନ୍ୟ ତିଳକଙ୍କଠାରେ ସାହସ ଓ ଆତ୍ମବିଶ୍ୱାସ ଭରି ରହିଥିଲା । ଇଂରେଜ ଶାସକମାନଙ୍କୁ ସେମାନଙ୍କ ଭୁଲ୍ ପ୍ରତିବିମ୍ବ ଦେଖାଇବାର ଶକ୍ତି ଏବଂ ବୁଦ୍ଧିମତା ତାଙ୍କଠାରେ ଥିଲା । ଇଂରେଜମାନେ ତିଳକଙ୍କୁ ଏତେ ଭୟ କରୁଥିଲେ ଯେ 20 ବର୍ଷ ମଧ୍ୟରେ ସେମାନେ ତିନିଥର ତାଙ୍କ ଉପରେ ରାଜଦ୍ରୋହ ଅଭିଯୋଗ ଆଣିବାକୁ ଚେଷ୍ଟା କଲେ । ଏହା କୌଣସି ଛୋଟ କଥା ନୁହେଁ । ମୁଁ ଲୋକମାନ୍ୟ ତିଳକ ଓ ଅହମଦାବାଦଠାରେ ରହିଥିବା ତାଙ୍କର ଗୋଟିଏ ପ୍ରତିମୂର୍ତି ସହ ଜଡ଼ିତ ଗୋଟିଏ ରୁଚିକର ଘଟଣା ଆଜି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଚାହୁଁଛି । ଅକ୍ଟୋବର 1916ରେ ଅର୍ଥାତ ଆଜିକୁ ପ୍ରାୟ ଶହେ ବର୍ଷ ପୂର୍ବେ ଲୋକମାନ୍ୟ ତିଳକଜୀ ଯେତେବେଳେ ଅହମ୍ମଦାବାଦ ଆସିଥିଲେ ସେତେବେଳେ 40,000 ରୁ ଅଧିକ ଲୋକ ସେଠାରେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତାଙ୍କର ଏହି ଯାତ୍ରା ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କସହ ଭାବବିନିମୟର ସୁଯୋଗ ପାଇଥିଲେ । ସର୍ଦ୍ଦାର ପଟେଲ ଲୋକମାନ୍ୟ ତିଳକ ଜୀଙ୍କ ଦ୍ୱାରା ଅତ୍ୟଧିକ ପ୍ରଭାବିତ ଥିଲେ । 1920 ଅଗଷ୍ଟ 1 ତାରିଖରେ ଯେତେବେଳେ ଲୋକମାନ୍ୟ ତିଳକଙ୍କ ପରଲୋକ ଘଟିଲା ସେତେବେଳେ ସର୍ଦ୍ଦାର ପଟେଲ ଅହମ୍ମଦାବାଦରେ ତାଙ୍କର ଗୋଟିଏ ସ୍ମୃତିସ୍ଥଳ ନିର୍ମାଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅହମଦାବାଦ ପୌରନିଗମର ମେୟର ନିର୍ବାଚିତ ହେଲେ । ସେ ସଙ୍ଗେ ସଙ୍ଗେ ଲୋକମାନ୍ୟ ତିଳକଙ୍କ ସ୍ମୃତିସ୍ଥଳ ନିର୍ମାଣ ପାଇଁ ଭିକ୍ଟୋରିଆ ଗାର୍ଡେନକୁ ବାଛିଲେ ଯାହା ଇଂଲଣ୍ଡର ମହାରାଣୀଙ୍କ ନାମରେ ନାମିତ ଥିଲା । ଇଂରେଜମାନେ ଏଥିରେ କ୍ଷୁବ୍ଧ ହେବା ସ୍ୱାଭାବିକ ଥିଲା । ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେବାପାଇଁ ବାରମ୍ବାର ମନାକଲେ । କିନ୍ତୁ ସର୍ଦ୍ଦାର ସାହେବ ତ ସର୍ଦ୍ଦାର ସାହେବ ଥିଲେ । ସେ ତାଙ୍କ କଥାରେ ଅଟଳ ରହିଥିଲେ ଏବଂ କହିଥିଲେ ଯେ, ଏଥିପାଇଁ ତାଙ୍କୁ ପଛେ ନିଜ ପଦ ତ୍ୟାଗ କରିବାକୁ ପଡ଼ୁ, କିନ୍ତୁ ତିଳକଜୀଙ୍କ ପ୍ରତିମୂର୍ତି ନିଶ୍ଚୟ ପ୍ରତିଷ୍ଠା ହେବ । ଶେଷକୁ ପ୍ରତିମୂର୍ତ୍ତି ଲାଗିଲା ଏବଂ ସର୍ଦ୍ଦାର ସାହେବ 1929 ଫେବୃୟାରୀ 28 ତାରିଖ ଦିନ ଏହାର ଉଦ୍ଘାଟନ ଅନ୍ୟ କାହାରି ହାତରେ ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କରାଇଲେ । ଆଉ ସବୁଠାରୁ ମଜାକଥା ହେଲା ଯେ ଉଦ୍ଘାଟନ ଉତ୍ସବରେ ନିଜ ବକ୍ତବ୍ୟରେ ପୂଜ୍ୟ ବାପୁ କହିଲେ ଯେ, ସର୍ଦ୍ଦାର ପଟେଲ ଆସିବା ପରେ ଅହମଦାବାଦ ପୌର ନିଗମ କେବଳ ଜଣେ ବ୍ୟକ୍ତିଙ୍କୁ ପାଇନି ବରଂ ତାକୁ ସେ ସାହସ ମଧ୍ୟ ମିଳିଛି ଯାହାଫଳରେ ତିଳକଜୀଙ୍କ ପ୍ରତିମୂର୍ତି ନିର୍ମାଣ ସମ୍ଭବ ହୋଇପାରିଲା । ମୋର ପ୍ରିୟ ଦେଶବାସୀଗଣ, ଏହି ପ୍ରତିମୂର୍ତିର ବିଶେଷତ୍ୱ ହେଲା ଯେ, ଏହା ତିଳକଜୀଙ୍କର ଏଭଳି ଦୁର୍ଲଭ ମୂର୍ତି ଯେଉଁଥିରେ ସେ ଗୋଟିଏ ଚୌକିରେ ବସିଛନ୍ତି ଏବଂ ତଳେ ଲେଖା ହୋଇଛି ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାରଆପଣମାନଙ୍କୁ ଇଂରେଜ ଶାସନକାଳର କଥା ହିଁ ତ କହୁଛି । ଲୋକମାନ୍ୟ ତୀଳକଜୀଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ ସାର୍ବଜନୀନ ଗଣେଶୋତ୍ସବ ପରମ୍ପରା ଆରମ୍ଭ ହୋଇଥିଲା । ସାର୍ବଜନୀନ ଗଣେଶ ଉତ୍ସବ ପାରମ୍ପରିକ ଶ୍ରଦ୍ଧାର ଉତ୍ସବ ସହିତ ସମାଜ ଜାଗରଣ, ସାମୁହିକତା ଲୋକମାନଙ୍କ ମଧ୍ୟରେ ଏକତା ଏବଂ ସମାନତାର ଭାବନାକୁ ବୃଦ୍ଧି କରିବାର ଗୋଟିଏ ପ୍ରଭାବଶାଳୀ ମାଧ୍ୟମ ପାଲଟିଯାଇଥିଲା । ସମୟ ଥିଲା ଯେତେବେଳେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ଏକଜୁଟ ହେବାର ଆବଶ୍ୟକତା ଥିଲା । ଏହି ଉତ୍ସବମାନ ଜାତି ଏବଂ ସମ୍ପ୍ରଦାୟର ବାଧାବିଘ୍ନକୁ ଲଂଘନ କରି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବାର କାମ କଲା । କାଳକ୍ରମେ ଏହି ଆୟୋଜନଗୁଡ଼ିକର ଲୋକପ୍ରିୟତା ବଢ଼ିଚାଲିଲା । ଏଥିରୁ ହିଁ ଜଣାପଡ଼େ ଯେ, ଆମର ପ୍ରାଚୀନ ପରମ୍ପରା ଏବଂ ଇତିହାସର ଆମର ବୀର ନାୟକମାନଙ୍କ ପ୍ରତି ଆଜି ମଧ୍ୟ ଆମ ଯୁବପିଢ଼ି ଆକର୍ଷିତ ହେଉଛି । ଆଜିକାଲି ଅନେକ ସହରରେ ତ ପ୍ରାୟ ପ୍ରତ୍ୟେକ ସାହିରେ ଗଣେଶ ପୂଜା ମଣ୍ଡପ ଦେଖିବାକୁ ମିଳିବ । ସାହିର ସବୁ ପରିବାର ମିଶି ଏହାର ଆୟୋଜନ କରନ୍ତି । ସମସ୍ତେ ଗୋଟିଏ ଟିମ୍ ରୂପେ କାମ କରନ୍ତି । ଏହା ଆମ ଯୁବବର୍ଗଙ୍କ ପାଇଁ ମଧ୍ୟ ଗୋଟିଏ ସୁନ୍ଦର ଅବସର ଯେଉଁଠି ସେମାନେ ନେତୃତ୍ୱ ଏବଂ ସଙ୍ଗଠନ ଭଳି ଗୁଣ ଶିଖିପାରିବେ ଓ ଏହାକୁ ନିଜ ମଧ୍ୟରେ ବିକଶିତ କରିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଗତଥର ମଧ୍ୟ ଅନୁରୋଧ କରିଥିଲି, ଆଉ ଆଜି ତିଳକଜୀଙ୍କୁ ସ୍ମରଣ କଲାବେଳେ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଏଥର ମଧ୍ୟ ଆମେ ଗଣେଶ ଉତ୍ସବ ପାଳନ କରିବା, ଜାକଜମକରେ ପାଳନ କରିବା, ମନ-ପ୍ରାଣ ଦେଇ ପାଳନ କରିବା କିନ୍ତୁ ପରିବେଶ ଅନୁକୂଳ ଗଣେଶ ଉତ୍ସବ ପାଳନ କରିବାର ଇଚ୍ଛା ରଖିବା । ଗଣେଶଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ସାଜସଜ୍ଜାର ସାମଗ୍ରୀ, ସବୁକିଛି ପରିବେଶ ଅନୁକୂଳ ହେଉ ଆଉ ମୁଁ ତ ଚାହୁଁଛି ଯେ, ପ୍ରତ୍ୟେକ ସହରରେ ପରିବେଶ ଅନୁକୂଳ ଗଣେଶ ଉତ୍ସବର ସ୍ୱତନ୍ତ୍ର ପ୍ରତିଯୋଗିତା ହେଉ, ସେମାନଙ୍କୁ ପୁରସ୍କାର ଦିଆଯାଉ । ତାଛଡ଼ା MyGovNarendra Modi App ରେ ମଧ୍ୟ ପରିବେଶ ଅନୁକୂଳ ଗଣେଶ ଉତ୍ସବ ସମ୍ପର୍କରେ ବ୍ୟାପକ ପ୍ରଚାର ହେଉ । ଆପଣଙ୍କ କଥା ମୁଁ ନିଶ୍ଚୟ ଲୋକମାନଙ୍କ ନିକଟରେ ପହଂଚାଇବି । ଲୋକମାନ୍ୟ ତିଳକ ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସର ଭାବନା ଜାଗ୍ରତ କରିଥିଲେ । ସେ ସ୍ଲୋଗାନ ଦେଇଥିଲେ ସ୍ୱରାଜ୍ୟ ଆମର ଜନ୍ମସିଦ୍ଧ ଅଧିକାର, ଆମେ ଏହାକୁ ଆମେ ନିଶ୍ଚୟ ହାସଲ କରିବୁ ।ଆଜି ସେହିକଥା କହିବାର ସମୟ ଆସିଛି ଯେ, “ସ୍ୱରାଜ୍ୟ ଆମର ଜନ୍ମସିଦ୍ଧ ଅଧିକାର ଏବଂ ଆମେ ଏହାକୁ ନିଶ୍ଚୟ ହାସଲ କରିବୁ ।ସୁଶାସନ ଏବଂ ବିକାଶର ସୁପରିଣାମ ପ୍ରତ୍ୟେକ ଭାରତୀୟଙ୍କ ନିକଟକୁ ପହଂଚିବା ଆବଶ୍ୟକ । ଏହାହିଁ ନୂତନ ଭାରତର ନିର୍ମାଣ କରିବ । ତିଳକଙ୍କ ଜନ୍ମର 50 ବର୍ଷ ପରେ ଠିକ୍ ସେହିଦିନ ଅର୍ଥାତ୍ ଜୁଲାଇ 23 ତାରିଖ ଦିନ ଭାରତମାତାଙ୍କର ଅନ୍ୟ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମଗ୍ରହଣ କରିଥିଲେ ଯିଏ ଦେଶବାସୀଙ୍କ ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଲେ । ମୁଁ ଚନ୍ଦ୍ରଶେଖର ଆଜାଦଙ୍କ କଥା କହୁଛି । ଭାରତରେ ଏଭଳି କେଉଁ ଯୁବକ ଥିବ ଯିଏ ଏହି ପଂକ୍ତିକୁ ଶୁଣି ପ୍ରେରିତ ନ ହେବ?

ସର୍ଫରୋଶୀ କି ତମନ୍ନା ଅବ୍ ହମାରେ ଦିଲ ମେ ହୈ

ଦେଖନା ହୈ ଯୋର କିତ୍ନା ବାଜୁ-ଏ-କାତିଲ୍ ମେ ହୈ

ଏହି ପଂକ୍ତି ଅଶ୍ଫାକ-ଉଲ୍ଲାହ ଖାନ୍, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଅନେକ ଯୁବକଙ୍କୁ ପ୍ରେରିତ କରିଥିଲା । ଚନ୍ଦ୍ରଶେଖର ଆଜାଦଙ୍କ ବୀରତ୍ୱ, ସ୍ୱାଧୀନତା ପାଇଁ ତାଙ୍କର ଆବେଗ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇଥିଲା । ଆଜାଦ ନିଜ ଜୀବନ ଦେଲେ କିନ୍ତୁ ବିଦେଶୀ ଶାସନ ଆଗରେ କେବେହେଲେ ମୁଣ୍ଡ ନୁଆଁଇଲେ ନାହିଁ । ମଧ୍ୟପ୍ରଦେଶରେ ଚନ୍ଦ୍ରଶେଖର ଆଜାଦଙ୍କ ଗ୍ରାମ ଅଲିରାଜପୁର ଯିବାର ସୁଯୋଗ ମୋତେ ମିଳିଛି ଯାହା ମୋର ସୌଭାଗ୍ୟ । ଆହ୍ଲାବାଦର ଚନ୍ଦ୍ରଶେଖର ଆଜାଦ ପାର୍କରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିଛି । ଚନ୍ଦ୍ରଶେଖର ଆଜାଦ ଏଭଳି ଜଣେ ବୀରପୁରୁଷ ଥିଲେ, ଯିଏ ବିଦେଶୀଙ୍କ ଗୁଳିରେ ମରିବାକୁ ମଧ୍ୟ ଚାହୁଁନଥିଲେ । ବଂଚିବି ସ୍ୱାଧୀନତା ପାଇଁ ସଂଗ୍ରାମ କରି ଆଉ ମରିବି ମଧ୍ୟ ସ୍ୱାଧୀନ ଭାବରେ ଏହାହିଁ ତ ଥିଲା ତାଙ୍କ ବିଶେଷତ୍ୱ । ପୁଣିଥରେ ଭାରତମାତାଙ୍କର ଦୁଇ ମହାନ ସନ୍ତାନ ଲୋକମାନ୍ୟ ତିଲକଜୀ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାର ସହ ପ୍ରଣାମ କରୁଛି ।

ଏଇ କିଛିଦିନ ତଳେ ଫିନଲାଣ୍ଡରେ ଚାଲିଥିବା ଜୁନିଅର ଅଣ୍ଡର-20 ବିଶ୍ୱ ଆଥଲେଟିକ୍ ଚମ୍ପିଆନସିପ୍ 400 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ସାହସୀ ଝିଅ ଓ ଜଣେ ଚାଷୀଙ୍କ ସୁପୁତ୍ରୀ ହିମା ଦାସ ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଦେଶର ଆଉ ଜଣେ ସୁପୁତ୍ରୀ ଏକତା ଭୟାନ୍ ମୋ ଚିଠିର ପ୍ରତ୍ୟୁତ୍ତରରେ ଇଣ୍ଡୋନେସିଆରୁ ମୋତେ ଇ-ମେଲ କରିଛନ୍ତି । ସେ ଏବେ ସେଠାରେ ଏସୀୟ କ୍ରୀଡା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଇ-ମେଲ ରେ ଏକତା ଲେଖିଛନ୍ତି ଯେ – କୌଣସି ଖେଳାଳିର ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେଉଛି ଯେତେବେଳେ ସେ ତ୍ରିରଙ୍ଗ ପତାକା ଧରେ, ଆଉ ମୁଁ ତାହାକରି ଦେଖାଇଥିବାରୁ ମୁଁ ଗର୍ବିତ ।ଏକତା, ଆମେମାନେ ମଧ୍ୟ ଆପଣଙ୍କୁ ନେଇ ଗର୍ବିତ । ଆପଣ ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି । ଟ୍ୟୁନିସିଆରେ ବିଶ୍ୱ ପାରା-ଆଥଲେଟିକ୍ସ ଗ୍ରାଁ ପ୍ରି 2018 ରେ ଏକତା ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧି ଏଥିପାଇଁ ଖାସ୍ ଯେ, ସେ ତାଙ୍କ ପାଇଁ ଥିବା ଆହ୍ୱାନକୁ ନିଜର ସଫଳତାର ମାଧ୍ୟମ କରିଦେଲେ । 2003 ରେ ଗୋଟିଏ ସଡ଼କ ଦୁର୍ଘଟଣା ଯୋଗୁଁ ଏକତାଙ୍କ ଶରୀରର ନିମ୍ନଭାଗ ଅକାମୀ ହୋଇଯାଇଥିଲା । କିନ୍ତୁ ଏହି ଝିଅ ସାହସ ହରାଇନଥିଲେ । ନିଜକୁ ସେତିକି ସୁଦୃଢ଼ କରି ସେ ଏହି ସଫଳତା ହାସଲ କରିଛନ୍ତି । ଅନ୍ୟ ଜଣେ ଦିବ୍ୟାଙ୍ଗ ଯୋଗେଶ କଠୁନିଆ ବର୍ଲିନରେ ପାରା-ଆଥଲେଟିକ୍ସ ଗ୍ରାଁ ପ୍ରି ରେ ଡିସ୍କସ ଥ୍ରୋ ରେ ସ୍ୱର୍ଣ୍ଣପଦକ ଜିତି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କସହିତ ସୁନ୍ଦର ସିଂ ଗୁର୍ଜର ମଧ୍ୟ ଜାଭେଲିନ ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏକତା ଭୟାନ୍, ଯୋଗେଶ କଠୁନିଆ ଓ ସୁନ୍ଦର ସିଂ – ଆପଣ ସମସ୍ତଙ୍କ ସାହସ ଏବଂ ଉତ୍ସାହକୁ ସଲାମ କରୁଛି, ଅଭିନନ୍ଦନ ଜଣାଉଛି । ଆପଣମାନେ ଆହୁରି ଆଗକୁ ବଢ଼ନ୍ତୁ, ଖେଳୁଥାନ୍ତୁ, ଉନ୍ନତି କରୁଥାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସଟି ଅନେକ ଐତିହାସିକ ଘଟଣା ଓ ଅନେକ ପର୍ବପର୍ବାଣୀରେ ପରିପୂର୍ଣ୍ଣ ଥାଏ । କିନ୍ତୁ ପାଣିପାଗ ଯୋଗୁଁ ବେଳେବେଳେ ବେମାରି ଘରେ ପ୍ରବେଶ କରିଯାଏ । ମୁଁ ଆପଣ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଦେଶଭକ୍ତିର ପ୍ରେରଣା ଯୋଗାଉଥିବା ଏହି ଅଗଷ୍ଟ ମାସ ପାଇଁ ଏବଂ ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ଅନେକ ପର୍ବପର୍ବାଣୀ ପାଇଁ, ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ମନ୍ କି ବାତ୍ରେ ପୁଣିଥରେ ଏକାଠି ହେବା । ବହୁତ ବହୁତ ଧନ୍ୟବାଦ ।

***