ପିଏମଇଣ୍ଡିଆ
ମହାକାଶର ଶାନ୍ତିପୂର୍ଣ୍ଣ ଉପଯେଗ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ଏମ୍ଓୟୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ଏହି ଏମ୍ଓୟୁ 2017 ଏପ୍ରିଲରେ ନୂଆଦିଲ୍ଲୀରେ ସ୍ୱାକ୍ଷର ହୋଇଥିଲା । ଏହି ଏମ୍ଓୟୁ ଦ୍ୱାରା ମହାକାଶ ବିଜ୍ଞାନ, ଜ୍ଞାନକୌଶଳ ଓ ଆପ୍ଲିକେସନ୍ ସମେତ ଭୂପୃଷ୍ଠର ରିମୋଟ ସେନ୍ସିଂ, ସାଟେଲାଇଟ୍ କମ୍ୟୁନିକେସନ୍ ଓ ସାଟେଲାଇଟ୍ ଭିତ୍ତିକ ନେଭିଗେସନ୍, ମହାକାଶ ବିଜ୍ଞାନ, ଗ୍ରହ ଅନ୍ୱେଷଣ, ମହାକାଶ ଯାନ, ସ୍ପେସ୍ ସିଷ୍ଟମ ଓ ଗ୍ରାଉଣ୍ଡ ସିଷ୍ଟମର ଉପଯୋଗ, ମହାକାଶ ଜ୍ଞାନକୌଶଳର ଉପଯୋଗ କ୍ଷେତ୍ରରେ ସହଯୋଗ ମିଳିବ । ଏହି ଏମ୍ଓୟୁ ଦ୍ୱାରା ମଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ପାଇଁ ମାର୍ଗ ପ୍ରଶସ୍ତ ହୋଇଛି । ଏହି କାର୍ଯ୍ୟକାରୀ ଗୋଷ୍ଠୀରେ ମହାକାଶ ବିଭାଗ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ସଦସ୍ୟ ଏବଂ ବାଂଲାଦେଶ ଟେଲିକମ୍ ରେଗୁଲେଟରୀ କମିଶନର ସଦସ୍ୟମାନେ ରହିଛନ୍ତି । ଏହି ଏମ୍ଓୟୁକୁ କାର୍ଯ୍ୟକାରୀ କରିବାପାଇଁ ଏହି ଗ୍ରୁପ୍ କାମ କରିବ । ଭୂପୃଷ୍ଠ ରିମୋଟ୍ ସେନ୍ସିଂ, ସାଟେଲାଇଟ୍ ଯୋଗାଣ, ସାଟେଲାଇଟ୍ ନେଭିଗେସନ, ମହାକାଶ ବିଜ୍ଞାନ ଓ ଅନ୍ୱେଷଣ ଆଦି ପାଇଁ ନୂଆ ଗବେଷଣା ଗତିବିଧିକୁ ଏହି ଏମ୍ଓୟୁ ଗତିଶୀଳ କରାଇବ । ଏହି ଏମ୍ଓୟୁ ଆଧାରରେ ନିଆଯିବାକୁ ଥିବା ମିଳିତ ପ୍ରକଳ୍ପ ଓ କାର୍ଯ୍ୟକୁ ବ୍ୟବସାୟିକ କିମ୍ବା ଅଣବ୍ୟବସାୟିକ ଭିତ୍ତିରେ କରାଯିବ । ଏହାକୁ ଉଭୟ ପକ୍ଷର ଦେୟ ଅବା ଚୁକ୍ତି ମାଧ୍ୟମରେ କରାଯିବ । ଏହି ଏମ୍ଓୟୁ ଦ୍ୱାରା ମାନବିକ ସୁବିଧା ନିମନ୍ତେ ମହାକାଶ ବିଜ୍ଞାନରେ ମିଳିତ ଗତିବିଧିକୁ ବିକଶିତ କରାଯାଇପାରିବ । ଏହାଦ୍ୱାରା ଦେଶର ସବୁବର୍ଗ ଓ ଅଂଚଳ ଉପକୃତ ହେବ ।
****