ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥଠାରେ ୨୦ଟି ମହାକାଶ ଷ୍ଟାର୍ଟଅପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏବଂ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କରିଛନ୍ତି।
ରକେଟ୍ ଏବଂ ପୁନଃବ୍ୟବହାରକ୍ଷମ ସେମି-କ୍ରାୟୋଜେନିକ୍ ଲଞ୍ଚ ଭେଇକିଲ୍ସ, ଆଭିଓନିକ୍ସ, ସାଟେଲାଇଟ୍ସ (ଉପଗ୍ରହ), ଉନ୍ନତ ପ୍ରପଲସନ ସିଷ୍ଟମ୍, ମହାକାଶ ଓ ପ୍ରତିରକ୍ଷା ଗୋଇନ୍ଦା, ମହାକାଶ ଆବର୍ଜନା ହଟାଇବା, ଏବଂ ଏଆଇ-ଚାଳିତ ହାଇପରଲୋକାଲ୍ ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ସୂଚନା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହାକାଶ କ୍ଷେତ୍ରର ପ୍ରମୁଖ କମ୍ପାନୀଗୁଡ଼ିକର ସିଇଓମାନେ ଏହି ମତବିନିମୟରେ ଅଂଶଗ୍ରହଣ କରିଥିଲେ। ସେମାନେ ଭାରତର ବେସରକାରୀ ମହାକାଶ ଉଦ୍ୟୋଗ ଦ୍ୱାରା ହେଉଥିବା ଦ୍ରୁତ ପ୍ରଗତିକୁ ରେଖାଙ୍କିତ କରିବା ସହ ଏହି କ୍ଷେତ୍ରର ଭବିଷ୍ୟତ ପାଇଁ ସେମାନଙ୍କର ଦୂରଦୃଷ୍ଟି ସେୟାର କରିଥିଲେ। ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ନିଜର ଦକ୍ଷତା ଓ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟା ନିର୍ମାଣ କରିବାରେ ସେମାନେ ଯଥେଷ୍ଟ ସମୟ ଓ ପ୍ରଚେଷ୍ଟା ଦେଇଛନ୍ତି ବୋଲି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କଠାରୁ ମିଳିଥିବା ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ସରକାରଙ୍କ ତରଫରୁ ମିଳୁଥିବା ସୁଦୃଢ଼ ସହଯୋଗ ଏବଂ ଶିଳ୍ପ ମଧ୍ୟରେ ଥିବା ସହଭାଗିତାକୁ ମଧ୍ୟ ସେମାନେ ଦୋହରାଇଥିଲେ, ଏବଂ ସେମାନଙ୍କ ଟିମ୍ ଗୁଡ଼ିକ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ଓ ମହାକାଶ କ୍ଷେତ୍ରରେ ଆଶାଜନକ ଲକ୍ଷ୍ୟ ହାସଲ କରିବା ପାଇଁ ସଂକଳ୍ପର ସହ କାର୍ଯ୍ୟ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ।
ମହାକାଶ କ୍ଷେତ୍ରକୁ ଘରୋଇ ଭାଗିଦାରୀ ପାଇଁ ଖୋଲିବା ଦ୍ୱାରା ବିପୁଳ ଉତ୍ସାହ ସୃଷ୍ଟି ହୋଇଛି ଏବଂ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି ସେମାନେ ପ୍ରକାଶ କରିଥିଲେ। ଏହାସହ, ଭାରତର ଉଦୀୟମାନ ବେସରକାରୀ ମହାକାଶ ଶିଳ୍ପ ଦ୍ୱାରା ବିକଶିତ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ ଏବଂ ବ୍ୟବହାର କରିବା ପାଇଁ ଅନେକ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେମାନେ କହିଥିଲେ।
ସାହସ ଏବଂ ନେତୃତ୍ୱ ସହିତ ଏହି ନୂତନ କ୍ଷେତ୍ରରେ ଆଗକୁ ବଢୁଥିବାରୁ ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ର ସହିତ ଜଡିତ ଶିଳ୍ପ ନେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ, ଏହି କ୍ଷେତ୍ର ପ୍ରଦର୍ଶନ କରିଥିବା ଆତ୍ମବିଶ୍ୱାସ ସେହି ଦୂରଦୃଷ୍ଟିକୁ ଆହୁରି ସୁଦୃଢ଼ କରିଛି, ଯାହାକୁ ଆଧାର କରି ମହାକାଶ କ୍ଷେତ୍ରକୁ ଘରୋଇ ଭାଗିଦାରୀ ପାଇଁ ଖୋଲାଯାଇଥିଲା। ସେ ଉଲ୍ଲେଖ କରିଥିଲେ ଯେ ଅନେକ ଦେଶ ମହାକାଶ କ୍ଷେତ୍ରରେ ପୁଞ୍ଜିନିବେଶ କରିପାରୁନାହାଁନ୍ତି କିମ୍ବା ନିବେଶ କରିବାକୁ ଚାହୁଁନାହାନ୍ତି। ଏହା ବିଶ୍ୱ ମହାକାଶ କ୍ଷେତ୍ରରେ ଭାରତକୁ ନିଜର ସ୍ଥିତି ଶୀଘ୍ର ସୁଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରୁଛି।
ପ୍ରଧାନମନ୍ତ୍ରୀ ମହାକାଶ କମ୍ପାନୀଗୁଡ଼ିକୁ ସେମାନଙ୍କ ପ୍ରଯୁକ୍ତିବିଦ୍ୟାର ନୂତନ ପ୍ରୟୋଗ ଖୋଜିବାକୁ ଏବଂ ଏଗୁଡ଼ିକ କିପରି ଲୋକଙ୍କ ଜୀବନକୁ ଆହୁରି ସହଜ କରିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ।
ମହାକାଶ କ୍ଷେତ୍ରର କମ୍ପାନୀଗୁଡ଼ିକ ଅନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକ ସହିତ ଅଧିକ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମହାକାଶ ଆବର୍ଜନା ଉପରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଯୁକ୍ତିବିଦ୍ୟାକୁ ଅଧିକ ବ୍ୟାପକ କରିବା ପାଇଁ ପରିବେଶ ସଂଗଠନଗୁଡ଼ିକ ସହିତ ମିଶି କାର୍ଯ୍ୟ କରିପାରିବେ। କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହାକାଶ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ କୃଷି ବିଶ୍ୱବିଦ୍ୟାଳୟ ଏବଂ ବିଭାଗଗୁଡ଼ିକ ସହ ସହଯୋଗ କରିପାରିବେ, ଯାହା ଦ୍ୱାରା କୃଷକମାନେ ସଠିକ୍ ସୂଚନା ଆଧାରରେ ନିଷ୍ପତ୍ତି ନେଇପାରିବେ ଏବଂ ସେମାନଙ୍କ ଉତ୍ପାଦନ ବୃଦ୍ଧି କରିପାରିବେ।
ପ୍ରଧାନମନ୍ତ୍ରୀ ଏପରି ଏକ ବାତାବରଣ ଏବଂ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି, ଯେଉଁଠାରେ ସାରା ବିଶ୍ୱ ମହାକାଶ ବିଷୟରେ ଚିନ୍ତା କରିବା ମାତ୍ରେ ଭାରତ ଆଡ଼କୁ ଦୃଷ୍ଟିପାତ କରିବ। ସେ କହିଛନ୍ତି ଯେ ଭାରତର ମହାକାଶ କ୍ଷେତ୍ର ବିଶ୍ୱସ୍ତରୀୟ ପ୍ରତିଭା, କମ୍ପାନୀ ଏବଂ ନିବେଶକୁ ଦେଶ ଆଡ଼କୁ ଆକର୍ଷିତ କରିବା ପାଇଁ ଏକ ଚୁମ୍ବକ ଭାବରେ କାର୍ଯ୍ୟ କରିପାରିବ।
ସେ ଅଟଳ ଟିଙ୍କରିଂ ଲ୍ୟାବ୍ ସହିତ ଅଧିକ ଘନିଷ୍ଠ ସହଯୋଗିତା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ଛୋଟ ବେଳରୁ ହିଁ ପିଲାମାନଙ୍କ ମନରେ ମହାକାଶ କ୍ଷେତ୍ର ପ୍ରତି କୌତୂହଳ ଏବଂ ଆଗ୍ରହ ସୃଷ୍ଟି ହୋଇପାରିବ।
ଏହି ଆଲୋଚନାରେ ସ୍କାଇରୁଟ୍ ଏରୋସ୍ପେସ୍, ଅଗ୍ନିକୁଲ କସମୋସ୍, ପିକ୍ସେଲ୍, ଧ୍ରୁବ ସ୍ପେସ୍, ଗାଲାକ୍ସଆଇ, ପିୟରସାଇଟ୍, ବେଲାଟ୍ରିକ୍ସ ଏରୋସ୍ପେସ୍, ଦିଗନ୍ତରା, ସାଟ୍ସ୍ୟୋର୍, ସୁହୋରା ଟେକ୍ନୋଲୋଜିସ୍, ମନସ୍ତୁ ସ୍ପେସ୍, ଆଷ୍ଟ୍ରୋବେସ୍, ଟେକମିଟୁସ୍ପେସ୍, ବ୍ୟୋମଆଇସି, କସମୋସର୍ଭ ସ୍ପେସ୍, ଅର୍ବିଟଏଡ୍ ଏରୋସ୍ପେସ୍, ସ୍କାଇସର୍ଭ, ସେରେଣ୍ଡିପିଟି ସ୍ପେସ୍, ଭାସର୍ ଲ୍ୟାବ୍ସ ଏବଂ ମିଷ୍ଟଇଓ ସମେତ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୦ଟି ଷ୍ଟାର୍ଟଅପ୍ର ସିଇଓ ଏବଂ ପ୍ରତିଷ୍ଠାତାମାନେ ଅଂଶଗ୍ରହଣ କରିଥିଲେ।
TKM
It was wonderful to meet the Yuva Urja of India’s space sector…young entrepreneurs and innovators who have shown remarkable courage by entering a new and demanding domain. They have taken risks, trusted the reform process and remained consistent in their efforts. Due to this,… pic.twitter.com/RV1Nd4dUKm
— Narendra Modi (@narendramodi) August 21, 2026
I also urged the StartUps to think about how space technology can contribute immensely to agriculture, livestock management, dairy, environment and many other areas that touch everyday lives. They can engage with Atal Tinkering Labs, spark curiosity among schoolchildren and… pic.twitter.com/943qLc6shR
— Narendra Modi (@narendramodi) August 21, 2026