Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାରାଷ୍ଟ୍ରର ବଧାବନଠାରେ ଏକ ନୂଆ ପ୍ରମୁଖ ବନ୍ଦର ପ୍ରତିଷ୍ଠା ଲାଗି କ୍ୟାବିନେଟର ନୀତିଗତ ମଞ୍ଜୁରି


ମହାରାଷ୍ଟ୍ରର ଦହାନୁ ନିକଟବର୍ତ୍ତୀ ବଧାବନଠାରେ ଏକ ନୂଆ ପ୍ରମୁଖ ବନ୍ଧର ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ 65,544.54 କୋଟି ଟଙ୍କା ।

ବଧାବନ ବନ୍ଦର ‘ଲ୍ୟାଣ୍ଡ ଲର୍ଡ ମଡେଲ’ ଅନୁଯାୟୀ ବିକଶିତ କରାଯିବ । ଏହି ବନ୍ଦରକୁ ବିକଶିତ କରିବା ଲାଗି ପ୍ରମୁଖ ଭାଗୀଦାର ଭାବେ ଜବାହାର ଲାଲ ନେହରୁ ପୋର୍ଟ ଟ୍ରଷ୍ଟ ସହ 50% ବା ତଦୁର୍ଦ୍ଧ ଇକ୍ୟୁଟି ସେୟାର ସହ ଏକ ସ୍ପେଶିଆଲ ପରପୋଜ ଭେଇକିଲ (ଏସପିଭି) ଗଠନ କରାଯିବ । ଏହି ଏସପିଭି ପୋର୍ଟର ଭିତ୍ତିଭୂମି ସହିତ ବ୍ରେକ ୱାଟରର ନିର୍ମାଣ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପନ ଆଦି କାର୍ଯ୍ୟର ବିକାଶ କରିବ । ଅନ୍ୟ ସମସ୍ତ ବାଣିଜ୍ୟିକ କାର୍ଯ୍ୟ ବେସରକାରୀ ସଂସ୍ଥାମାନେ ପିପିପି ମୋଡରେ ସମ୍ପାଦନ କରିବେ ।

ଭାରତର ସର୍ବବୃହତ କଣ୍ଟେନର କ୍ଷମତାଧାରୀ ଜେଏନ ବନ୍ଦରର ସ୍ଥାନ ବିଶ୍ଵରେ 28ତମ ଏବଂ ଏହାର ଯାତାୟାତ କ୍ଷମତା 5.1 ମିଲିୟନ ଟିଇୟୁ । ଜେଏନ ବନ୍ଦରର ଚତୁର୍ଥ ଟର୍ମିନାଲ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାର କ୍ଷମତା 2023 ସୁଦ୍ଧା 10 ମିଲିୟନ ଟିଇୟୁକୁ ବୃଦ୍ଧି ପାଇବ ଏବଂ ଏହା ବିଶ୍ଵର 17ତମ ବୃହତ କଣ୍ଟେନର ବନ୍ଦରରେ ପରିଣତ ହେବ । ବଧାବନ ବନ୍ଦରର ବିକାଶ ଫଳରେ ଭାରତ ବିଶ୍ଵର ଶୀର୍ଷ 10 କଣ୍ଟେନର କ୍ଷମତାଧାରୀ ବନ୍ଦର ମଧ୍ୟରେ ସ୍ଥାନ ପାଇବ ।

ମହାରାଷ୍ଟ୍ରର ଜେଏନପିଟି ଭାରତର ବୃହତମ କଣ୍ଟେନର କ୍ଷମତାଧାରୀ ବନ୍ଦର । ଏହି ବନ୍ଦର ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଏନସିଆର, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟର ବାଣିଜ୍ୟ କାରବାରରେ ସହାୟକ ହେଉଛି । ଜେଏନପିଟି ବନ୍ଦରରେ ବୃହତ କଣ୍ଟେନରଧାରୀ ଜାହାଜକୁ ସ୍ଥାନ ଦେବା ତଥା ଟ୍ରାଫିକ ସମସ୍ୟାକୁ ଦୂର କରିବା ଲାଗି ଏକ ଡିପ ଡ୍ରାଫ୍ଟ ବନ୍ଦର ଜରୁରୀ । ଜେଏନପିଟି ଏବଂ ମୁନ୍ଦ୍ରା ଉଭୟ କେବଳ ମଧ୍ୟମ ବର୍ଗର କଣ୍ଟେନର ଜାହାଜ ଯାହାର ଡ୍ରାଫ୍ଟ 15 ମିଟର ଏବଂ 16 ମିଟର ତାହାକୁ ପରିଚାଳନା କରୁଛନ୍ତି । ବଧାବନ ବନ୍ଦରର ତଟ ସଂଲଗ୍ନ 20 ମିଟରର ପ୍ରାକୃତିକ ଡ୍ରାଫ୍ଟ ରହିଛି, ଯାହାକି ଏହାକୁ ବୃହତ କଣ୍ଟେନରଧାରୀ ଜାହାଜକୁ ପରିଚାଳନା କରିବାରେ ସହାୟକ ହେବ । ବଧାବନ ବନ୍ଦରର ବିକାଶ 16,000 – 25,000 ଟିଇୟୁ କ୍ଷମତାସମ୍ପନ୍ନ ଜାହାଜଗୁଡିକର ପରିଚାଳନାରେ ସହାୟକ ହେବ ଯାହାଫଳରେ ପରିବହନ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ଏବଂ ବ୍ୟବସାୟରେ ବୃଦ୍ଧି ଘଟିବ ।

**********