ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମୁମ୍ବାଇ ସହରାଞ୍ଚଳ ପରିବହନ ପ୍ରକଳ୍ପ ତୃତୀୟ ପର୍ଯ୍ୟାୟକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ୮,୬୭୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଓ ତାହା ପୂର୍ଣ୍ଣାଙ୍ଗ ହେବା ବେଳକୁ ୧୦,୯୪୭ କୋଟି ଟଙ୍କା ବ୍ୟୟ କରାଯିବ । ତ୍ରୟୋଦଶ ପଞ୍ଚବାର୍ଷିକ ଯୋଜନା କାଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବାର ସମୟସୀମା ଧାର୍ଯ୍ୟ କରାଯାଇଛି ।
ଏବେ ବିହାର ଏବଂ ଦହୁନରୋଡ ମଧ୍ୟରେ ଥିବା ବ୍ୟସ୍ତବହୁଳ ଦୋହରା ରେଳପଥ ଦ୍ୱାରା ହିଁ ପଶ୍ଚିମ ରେଳବାଇ ସହରତଳି ରେଳ ସେବା କାର୍ଯ୍ୟକାରୀ କରୁଛି । ତେବେ ଏହା ମୁମ୍ବାଇ-ଅହମ୍ମଦାବାଦ ଓ ମୁମ୍ବାଇ-ଦିଲ୍ଲୀ ମୁଖ୍ୟ ରେଳପଥର ଅଂଶବିଶେଷ । ଏହି ରେଳପଥରେ ରେଳ ଯାତାୟତ ସର୍ବୋଚ୍ଚ ସୀମାରେ ପହଂଚି ସାରିଥିବାରୁ ଏଥିରେ ସହରତଳି ରେଳ ଚଳାଚଳ କରାଯିବା ଅସମ୍ଭବ ହୋଇପଡିଛି । ତେଣୁ ବିହାର-ଦହନୁ ମଧ୍ୟରେ ଅତିରିକ୍ତ ଡବଲ ରେଳପଥ ନିର୍ମାଣ ଦ୍ୱାରା ଏହି କ୍ଷେତ୍ରର ଯାତ୍ରୀମାନଙ୍କ ରେଳଯାତ୍ରା ଆବଶ୍ୟକତାକୁ ପୂରଣ କରାଯାଇପାରିବ । ଏହାଦ୍ୱାରା ସହରାଞ୍ଚଳ ରେଳସେବା ଚର୍ଚ୍ଚ ଗେଟଠାରୁ ଦହନୁ ରୋଡ ପର୍ଯ୍ୟନ୍ତ ସଂପ୍ରସାରିତ ହେବ । ଏହି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ଜନସଂଖ୍ୟା ଓ ସହରୀକରଣ ଆବଶ୍ୟକତାକୁ ପାନଭେଲ-କରଜାତ ଡବଲ ଲାଇନ ପୂରଣ କରବ । ପୁଣି କରଜାତଠାରୁ ସିଏସଟିଏମ ପର୍ଯ୍ୟନ୍ତ ବିକଳ୍ପ ରେଳପଥ ମଧ୍ୟ ଏହାଦ୍ୱାରା ଉପଲବ୍ଧ ହେବ । ପାନଭେଲ ଦେଇ ରେଳପଥ ସଂଯୋଗ ହେଲେ ୨୩ କିଲୋମିଟର କମ ପଡିବ ।
ଏବେ କଲ୍ୟାଣଠାରୁ ଭାସି/ପାନଭେଲ ପର୍ଯ୍ୟନ୍ତ ଯାଉଥିବା ଯାତ୍ରୀମାନେ ଥାନେଠାରେ ଓହ୍ଲାଇ ଟ୍ରାନ୍ସହାରବୋର ଟ୍ରେନ ଧରୁଛନ୍ତି । ଆଇରୋଲି-କଲୱା କରିଡର ଥାନେ ଷ୍ଟେସନର ଯାତ୍ରୀଭିଡକୁ କମାଇବା ଏହି ନୂତନ ପ୍ରକଳ୍ପରେ ଥାନେ, ପାଲଘର, ରାଇଗଡ ଓ ମୁମ୍ବାଇ ଜିଲ୍ଲାକୁ ସାମିଲ କରାଯାଇଛି ।